Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sachidananda Kar

Inspirational

2.5  

Sachidananda Kar

Inspirational

ଲୁସି ପାଇଁ ଖୁସି

ଲୁସି ପାଇଁ ଖୁସି

2 mins
448


------------------
ଲୁସି ପାଇଁ ଖୁସି
---------------------

- ' କି'ରେ ସାଙ୍ଗ ! ପୁଅର ବାପା କେବେ ହେବୁ ? ' ଜୟନ୍ତ ପଚାରିଲା।
କେତେ କେତେ ଚିନ୍ତାକୁ ମୁଣ୍ଡରେ ମୁଣ୍ଡେଇ ବଜାର ଆଡ଼େ ଧପାଲି ଥିବା ଶ୍ରୀକାନ୍ତ ହଠାତ୍ ଅଟକିଗଲା।
ଜୟନ୍ତର ପ୍ରଶ୍ନ ଭେଦି ସାରିଥିଲା ତା' କାନରେ।ହେଲେ କ'ଣ କରିବ ସେ ! କି ଉତ୍ତର ଦେବ ଭାବିଲା।
ଝିଅଟିଏ ପ୍ରଥମେ ଜନ୍ମ ହେବା ପରେ ଘରୋଇ ଚାକିରୀ କରୁଥିବା ପତ୍ନୀ ସେକେଣ୍ଡ ଚାନ୍ସ ନେବାକୁ ଅନିଚ୍ଛୁକ ଥିଲେ।କହିଥିଲେ- ' ଏମିତି ଚାକିରୀ ଯେ ମାଟରନିଟି ଲିଭ୍ ନାହିଁ।ତା' ଛଡା ପୁଅ ଆଶାରେ ଯଦି ପୁଣି ଗୋଟେ ଝିଅ ହୋଇଯାଏ ! ପୁଣି ଲକ୍ଷ ଲକ୍ଷ ଦାୟିତ୍ୱ ମୁଣ୍ଡ ଉପରକୁ ଆସିଯିବ।ପୁଅ ଝିଅ ସବୁ ସମାନ।ସେତିକି ଥାଉ।ମନକୁ ବୁଝେଇ ରହିବା ଭଲ।'
ପତ୍ନୀଙ୍କ ବିରୋଧରେ ଯିବାର ସାହସ ଶ୍ରୀକାନ୍ତର ନ ଥିଲା।କାରଣ ପିଲା ଜନ୍ମ, ଲାଳନପାଳନ ସବୁ ତାଙ୍କ ମୁଣ୍ଡରେ।ତେଣୁ ସେ ତା'ର ଇଚ୍ଛାକୁ ଚାପିଦେଲା।
ହେଲେ ଜୟନ୍ତକୁ ଏତେ କଥା ସେ କହି ପାରିବନି କେବେ।ଭାବିଲା କିଛି ମନଗଢା ମିଛ କହିଦେବ।କହିଲା - ' ପୁଅଟିଏ ପାଇଁ ମୋ ସ୍ତ୍ରୀର କ'ଣ କମ୍ ଇଚ୍ଛା କି ! ଦେଖାଯାଉ କ'ଣ ଭାଗ୍ୟରେ ଅଛି।ଇଏ ବା କାହା ହାତର କଥା ! '
ଜୟନ୍ତ ତ ବୁଝିଗଲା,ହେଲେ ଶ୍ରୀକାନ୍ତ ନିଜକୁ ବୁଝାଇ ପାରିଲା ନାହିଁ।ସେ ଭାବିଲା ପୁଅର ବାପା ହେବା ତା'ର ନିହାତି ଦରକାର।ଆଜି ଜୟନ୍ତ ଏ ପ୍ରସଙ୍ଗ ଉଠାଇଲା।କାଲି ହୁଏତ ଆଉ କିଏ ଉଠାଇପାରେ।
ଶ୍ରୀକାନ୍ତର ମନଟା ଖୁବ୍ ଦୁଃଖ ଦୁଃଖ ହୋଇଗଲା।ତରବରରେ ବଜାର ସଉଦା ସାରି ଘରକୁ ଫେରିଲା ସେ।
- ' ବାପା ! ଇଂରାଜୀ ଘୁଷି କ'ଣ ? ' ଘରେ ପହଞ୍ଚୁ ନ ପହଞ୍ଚୁଣୁ ଝିଅ ଲୁସି ପ୍ରଶ୍ନ କଲା।
ଶ୍ରୀକାନ୍ତର ମୁଣ୍ଡଟା ବେଶ୍ ଓଜନିଆ ଥିଲା।ତଥାପି ସେ ଚାହିଁ ଦେଖିଲା ଲୁସି ତା' ପଢ଼ା ଟେବୁଲ ଉପରେ ତା'ର ସାହିତ୍ୟ ବହି ମେଲେଇଛି।ବିଷୟ : ଡାକମୁନସି।
ସେ ଟିକେ ଥମ୍ ହୋଇ ରହିଗଲା।
- ' ବାପା ! ସତରେ କ'ଣ ଇଂରାଜୀ ସାହେବଙ୍କ ଆଗରେ ହରି ସିଂ କୁ ତା' ପୁଅ ଚାକର ବୋଲି କହିଲା ? ' ଲୁସି ପୁଣି ପ୍ରଶ୍ନ କଲା।
ଲୁସିର ପ୍ରଶ୍ନର ଉତ୍ତର ଦେବ କ'ଣ, ଚକିତ ଓ ବାକ୍ ଶୂନ୍ୟ ହୋଇ ଶ୍ରୀକାନ୍ତ ମନେ ପକାଇଲା ' ଡାକମୁନସି ' ଗଳ୍ପକୁ ଯାହା ସେ ସ୍କୁଲରେ ପଢିଲା ବେଳେ ଏକାଦଶ ଶ୍ରେଣୀରେ ପଢିଥିଲା।
- ' ବାପା ! ବୁଢ଼ା ହରି ସିଂ ଛାତିରେ ତା' ଇଂରାଜୀ ପଢୁଆ ପୁଅ ଦୁଇଟା ଘୁଷି ମାରିଲା।ତା' ବିଛଣାପତ୍ର ସବୁ ବାହାରକୁ ନେଇ ପୋପାଡିଦେଲା।ତାକୁ ଚାକର ବୋଲି କହିଲା। ହେଲେ ମୁଁ ସତ କହୁଛି ବାପା ,ପୁଅ ନ ହୋଇ ଝିଅଟିଏ ହୋଇଥିଲେ ଏପରି କରି ପାରିନଥାନ୍ତା। ' ଲୁସି କହିଲା।
ଶ୍ରୀକାନ୍ତକୁ ଲାଗିଲା ସତେ ଯେମିତି ଇଏ ଲୁସିର ମନ କଥା ନୁହେଁ, ବିଦ୍ରୋହର ଗୋଟେ ଶାଣିତ ସ୍ବର।ପୁଅ ନ ଥିବାର ଦୁଃଖ ଆଉ ତା' ମନରେ ନ ଥିଲା।ବରଂ ଖୁସିର ଲୁହ ଜକେଇ ଆସିଲା ତା' ଆଖିରେ।ସେ ଖୁସି ହେଲା ଖୁବ୍।ଲୁଚେଇ ଲୁଚାଇ ଆଖିରୁ ଲୁହ ପୋଛିଲା।ପରେ ଲୁସିର ମୁହଁକୁ ଚାହିଁ ମନ ଖୋଲା ହସ ହସିଲା।
ପ୍ରାୟ ଅନେକ ଦିନରୁ ସେମିତି ମନ ଖୋଲା ହସ ହସି ନ ଥିଲା ଶ୍ରୀକାନ୍ତ।


Rate this content
Log in

Similar oriya story from Inspirational