Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଜେହାଦ୍
ଜେହାଦ୍
★★★★★

© Pratibha Priyadarshini

Others

11 Minutes   13.9K    18


Content Ranking

ଜେହାଦ୍

******

ମୂଳ ହିନ୍ଦି ରଚନା-ମୁନ୍ସୀ ପ୍ରେମ୍ଚାନ୍ଦ

-----------------------------

ଭାଷାନ୍ତର-ପ୍ରତିଭା ପ୍ରିୟଦର୍ଶିନୀ

------------------------

 

ବହୁତ ପୁରୁଣା ଘଟଣା। ନିଜ ଧର୍ମର ରକ୍ଷା କରିବା ପାଇଁ ହିନ୍ଦୁ ମାନଙ୍କର ଏକ ଦଳ ପଶ୍ଚିମୋତ୍ତର ର ପର୍ବତ-ପ୍ରଦେଶରୁ ପଳାୟନ କରି ଆସୁଥାନ୍ତି।

 

ଢେର ଦିନୁ ସେଇ ପ୍ରାନ୍ତରେ ହିନ୍ଦୁ ଓ ମୁସଲମାନ ଏକାଠି ରହି ଆସୁଥିଲେ। କୌଣସି ଧାର୍ମିକ ଦ୍ବେଷର ନାମଗନ୍ଧ ନଥିଲା। ପଠାଣଙ୍କ ଗୋଷ୍ଠି ସବୁବେଳେ ଲଢୁଥିଲେ। ତାଙ୍କ ତରବାରୀ ରେ କଳଙ୍କି ଲାଗିବାର ଅବସର ନଥିଲା। କଥାକଥାରେ ତାଙ୍କ ଦଳସବୁ ସଂଗଠିତ ହୋଇଯାଉଥିଲେ। କୌଣସି ଶାସନ ବ୍ୟବସ୍ଥା ନଥିଲା। ପ୍ରତ୍ୟେକ ଗୋଷ୍ଠି ଓ କବିଲା ର ବ୍ୟବସ୍ଥା ଅଲଗା ଅଲଗା ଥିଲା। ପାରସ୍ପାରିକ ସମସ୍ୟାର ସମାଧାନ ପାଇଁ ମଧ୍ୟ ତରବାରୀ ଭିନ୍ନ ଅନ୍ୟ ଉପାୟ ଖୋଜା ପଡୁନଥିଲା। ଜୀବନ ବଦଳରେ ଜୀବନ, ରକ୍ତ ବଦଳରେ ରକ୍ତ, ଏହି ନିୟମରେ କୌଣସି ଖିଲାପି ନଥିଲା। ଏହାହିଁ ଥିଲା ସେମାନଙ୍କ ଧର୍ମ, ଆଦର୍ଶ; ତଥାପି ହିନ୍ଦୁ ପରିବାର ସେହି ଭୀଷଣ ରକ୍ତପାତ ଭିତରେ ଶାନ୍ତିରେ ଜୀବନ ବ୍ୟତିତ କରୁଥିଲେ।

 

କିନ୍ତୁ ମାସେ ହେଲା ଦେଶର ପରିସ୍ଥିତି ବଦଳି ଯାଇଛି। କେଉଁଠୁ କେଜାଣି ଜଣେ ମୌଲବୀ ଆସି ଅପାଠୁଆ, ଧର୍ମ ଶୂନ୍ୟ ପଠାଣ ମାନଙ୍କ ମନରେ କଠୋର ଧର୍ମଭାବ ଉଦ୍ରେକ କରିଦେଇଛନ୍ତି। ତାଙ୍କ କଥାରେ କି ମୋହିନୀ ମୋହ ଅଛିଯେ, ଆବାଳ ବୃଦ୍ଧ ବନିତା, ସଭିଏଁ ଆକର୍ଷିତ ହେଉଛନ୍ତି। ସେ ସିଂହ ଗର୍ଜନା ଦେଇ କହେ,"ଖୁଦା ତୁମକୁ ଏଇଥିପାଇଁ ଜନ୍ମ ଦେଇଛନ୍ତି ଯେ, ତୁମେ ଇସଲାମ୍ ର ଆଲୋକ ରେ ସଂସାରକୁ ଆଲୋକିତ କରିଦିଅ। ଦୁନିଆରୁ କୁଫ୍ର (ନାସ୍ତିକତା) ର ଚିହ୍ନବର୍ଣ୍ଣ ଲିଭେଇଦିଅ। ଜଣେ ମାତ୍ର କାଫିର ର ହୃଦୟକୁ ଇସଲାମ୍ ର ଆଲୋକରେ ଉଦ୍ଭାସିତ କରିପାରିଲେ ଯେଉଁ ପୁଣ୍ୟ ମିଳେ, ଜୀବନ ସାରା ର ରୋଜା, ନମାଜ୍ ଓ ଦାନପୂଣ୍ୟ ଠୁଁ ତାହା ଢେର ଅଧିକ। ସ୍ବର୍ଗର ହୁର୍ ମାନେ ତୁମ କଷ୍ଟ ହରିନେବେ ଓ ଫରିସ୍ତା ମାନେ ତୁମ ପାଦଧୂଳି ମୁଣ୍ଡରେ ମାରି କପାଳରେ ଚୁମ୍ବନ ଦେବେ।

 

ସମଗ୍ର ଜନତା ଏହି ଆହ୍ବାନ ଶୁଣି ମତ୍ତ ହୋଇ ଉଠୁଛନ୍ତି। ଧାର୍ମିକ ଉଦ୍ଘୋଷ କରୁଛନ୍ତି। ସେହି ଧାର୍ମିକ ଉଦ୍ଦାମତା, ନାସ୍ତିକତା ଓ ଇସଲାମ ର ପ୍ରଭେଦ ଉତ୍ପନ୍ନ କରିଛି। ପ୍ରତ୍ୟେକ ପଠାଣ ସ୍ବର୍ଗସୁଖ ଭୋଗିବାକୁ ଅଧିର ହୋଇଉଠିଛନ୍ତି। ବର୍ଷ ବର୍ଷ ଧରି ଶାନ୍ତିରେ ରହିଆସୁଥିବା ସେଠିକା ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ହେଉଛି। କେଉଁଠି ମନ୍ଦିର ଭଙ୍ଗାଯାଉଛି ତ ଅନ୍ୟ କେଉଁଠି ତାଙ୍କ ଦେବଦେବୀ ଙ୍କୁ ଗାଳି ଦିଆଯାଉଛି। କେଉଁଠି ପୁଣି ତାଙ୍କୁ ଇସଲାମ୍ ର ଦୀକ୍ଷା ଦିଆ ଯାଉଛି। ହିନ୍ଦୁମାନେ ସଂଖ୍ୟାରେ କମ୍ ଓ ଅସଂଗଠିତ, ବିକ୍ଷିପ୍ତ ଏବଂ ଏଭଳି ପରିବର୍ତ୍ତିତ ପରିସ୍ଥିତି କୁ ସାମ୍ନା କରିବାକୁ ଅପ୍ରସ୍ତୁତ। ସେମାନେ ଭୀତତ୍ରସ୍ତ। ଅନେକ ନିଜ ଜମା-ପୁଞ୍ଜି ଛାଡି ପଳାୟନ କରିଛନ୍ତି। ଆଉ କେତେକ ଏହି ପରିସ୍ଥିତି ଶାନ୍ତ ହେବାର ଅପେକ୍ଷା କରିଛନ୍ତି। ଏହି ଦଳଟି ସେହି ପଳାୟନକାରୀ ଙ୍କ ଭିତରୁ ଗୋଟିଏ।

 

ଦ୍ବିପ୍ରହର ସମୟ। ଆକାଶରୁ ଅଗ୍ନି ବର୍ଷୁଥାଏ। ପାହାଡ ମାନଙ୍କଠୁ ହୁତାଶନ ଜ୍ବାଳା ଉଠୁଥାଏ ଯେମିତି। ଏଇ ଲୋକତକ ରାଜପଥ ଠାରୁ ଦୂର, ଜଟିଳ ଅପନ୍ତରା ରାସ୍ତାରେ ଚାଲୁଥିଲେ। ପାଦେ ପାଦେ ଧରା ପଡିଯିବାର ଭୟ ଲାଗିରହିଥାଏ। ଏମିତି ଭୋକ, ଶୋଷ ଓ ଉତ୍ତାପ ଦାଉରେ ବିକଳ ହୋଇ ସମସ୍ତେ ଏକ ବୃହତ ଶିଳାଖଣ୍ଡର ଛାୟାରେ ବିଶ୍ରାମ କଲେ। କିଛି ଦୂରରେ କୂଅଟିଏ ଦୃଷ୍ଟିଗୋଚର ହେଲା। ସେଇଠି କିଛିସମୟ ଯାଏଁ ଆସ୍ଥାନ ଜମାଇଲେ। କିନ୍ତୁ ଭୟ ଲାଗିରହିଥାଏ, କାଳେ କୌଣସି ଜେହାଦି ଦଳ ପଛେ ପଛେ ଆସି ନଯାଉ।

 

ଦୁଇଜଣ ଯୁବକ ବନ୍ଧୁକ ସଜାଡି କାନ୍ଧରେ ରଖିଲେ ଓ ଚାରିଆଡେ ଗସ୍ତ କରିବା ଆରମ୍ଭ କଲେ। ବୟସ୍କ ଓ ବୃଦ୍ଧ ମାନେ କମ୍ବଳ ବିଛେଇ ଅଣ୍ଟା ସଳଖି ନେଲେ। ଛୁଆଙ୍କୁ କୋଳରୁ ଓହ୍ଲାଇ ମହିଳା ମାନେ ମୁଣ୍ଡ ଝାଳ ପୋଛି, ଅଲରା କେଶକୁ ସଜାଡି ନେଉଥାନ୍ତି। ସମସ୍ତଙ୍କ ମୁହଁ ଶୁଖି ଯାଇଥାଏ। ସମସ୍ତେ ଚିନ୍ତା ଓ ଭୟରେ ତ୍ରସ୍ତ। ଏମିତିକି ଛୁଆମାନେ ବଡ ପାଟିରେ କାନ୍ଦୁବି ନଥିଲେ।

 

ଦୁଇ ଯୁବକଙ୍କ ଭିତରୁ ଜଣେ ଡେଙ୍ଗା, ବଳିଷ୍ଠ ଓ ସୁଠାମ ରୂପବାନ। ତା ଆଖିରୁ ହିଁ ଅଭିମାନର ଦିପ୍ତୀ ଝଲସୁ ଥିଲା। ଯେମିତି ସେ ନିଜ ସାମ୍ନାରେ ଅନ୍ୟ କାହାରି ଗରିଷ୍ଠତାକୁ ସ୍ବୀକାର କରିବାକୁ ଅନିଚ୍ଛୁକ ଥିଲା। ତା'ର ପ୍ରତ୍ୟକ ନିର୍ଭିକ ପଦପାତରେ ସତେବା ସ୍ବର୍ଗର ଦେବତା ଜୟଘୋଷ କରୁଥିଲେ। ଅନ୍ୟ ଜଣକ ପତଳା, ଜୀର୍ଣ୍ଣ, ରୂପହୀନ ମଣିଷ ଟିଏ, ଯାହା ମୁଁହରୁ ଦୁଃସ୍ଥତା ଫୁଟି ପଡୁଥିଲା, ଯେପରିକି ତା' ଲାଗି ସଂସାରରେ କୌଣସି ଆଶା ବଳକା ନାହିଁ। ଦୀପଶିଖା ଭଳି ଜଳି ଜଳି ବଞ୍ଚିବାକୁ ସତେବା ତା ଜନ୍ମ। ତା' ନାଁ ଧର୍ମଦାସ ଓ ଅନ୍ୟ ଯୁବକଟି ଖଜାଁଚନ୍ଦ।

 

ବନ୍ଧୁକ କୁ ଭୂଇଁରେ ଭରାଦେଇ, ଖଣ୍ଡେ ପଥର ରେ ବସୁବସୁ ଧର୍ମଦାସ କହିଲା, ତୁମେ ନିଜଲାଗି କ'ଣ ଭାବିଛ? ଲକ୍ଷେ, ଦେଢଲକ୍ଷର ସମ୍ପତ୍ତି ହେବ ତୁମର?

 

ଖଜାଁଚନ୍ଦ ଉଦାସ ଢଙ୍ଗରେ ଉତ୍ତର ଦେଲା, ଲକ୍ଷେ ଦେଢଲକ୍ଷ ତ ନୁହେଁ, ହଁ ୫୦-୬୦ ହଜାର ନଗଦ ହିଁ ଥିଲା।

 

"ତାହେଲେ ଏବେ କ'ଣ କରିବ'

 

"ଯାହା ଭାଗ୍ୟରେ ଥିବ ଭୋଗିବି। ରାଓ୍ବଲପିଣ୍ଡିରେ ଦି ଚାରି ଜଣ ସମ୍ପର୍କୀୟ ଅଛନ୍ତି। କାଳେ କିଛି ସାହାଯ୍ୟ କରିବେ। ତୁମେ କ'ଣ ଭାବିଛ?'

 

"ମୋର କ'ଣ ଦୁଃଖ! ମୋ ଦୁଇ ହାତ ମୋ ସାଥିରେ ଅଛି। ସେଠି ବି ୟା'ରି ଭରସାରେ ଚଳୁଥିଲି, ଆଗକୁବି ଏଇ ଦୁଇ ହାତ ର ସାହାରା।'

 

"ଆଜି ସକୁଶଳ ବିତିଗଲେ ଆଉକିଛି ଭୟ ନାହିଁ।'

 

"ମୁଁ ତ ମନାସୁଛି ଗୋଟେ ଅଧେ ଶିକାର ମିଳିଯାଉ। ଡଜନେ ମଧ୍ୟ ଆସିବେ ଯଦି ମାରି ପକାଇବି।'

 

ଏତିକିବେଳେ ଶିଳାଖଣ୍ଡ ପାଖରେ ଯୁବତୀ ଟିଏ ହାତରେ ଲୋଟା ଓ ଦଉଡି ଧରି ଉପସ୍ଥିତ ହେଲା ଓ କୂଅ ଆଡେ ଅଗ୍ରସର ହେଲା, ତାକୁ ଦେଖି ଲାଗୁଥିଲା, ସତେ ଅବା ସକାଳର ସ୍ବର୍ଣ୍ଣାଭ ମଧୁର ଅରୁଣିମା ମୂର୍ତ୍ତିମାନ ହୋଇଥିଲା। ଧର୍ମଦାସ ପାଣି ଆଣିବାକୁ ବାହାରି ଗଲା।

 

ଧର୍ମଦାସ ପାଣିଧରି ଫେରିବାକୁ ଉଦ୍ୟତ ହେଲା ବେଳକୁ, ପଶ୍ଚିମପଟୁ କିଛିଲୋକ ଘୋଡା ଚଢି ଆସୁଥିବାର ଦେଖିପାରିଲା। ଟିକେ ପାଖକୁ ଆସିବା ପରେ ଜଣାପଡାଲା ମୋଟ ୫ ଜଣ ଅଛନ୍ଥି। ସେମାନଙ୍କ ବନ୍ଧୁକ ନଳୀ ଖରାରେ ଚକ୍ ଚକ୍ କରୁଥାଏ। ଧର୍ମଦାସ ପାଣି ଧରି ଦୌଡିଲା, କାଳେ ସେ ଅଶ୍ବାରୋହୀ ତାକୁ ଧରିପକାଇବେ ବୋଲି। ହେଲେ କାନ୍ଧରେ ବନ୍ଧୁକ ଓ ହାତରେ ଲୋଟା,ଦଉଡି ଧରି ସେ ଅଧିକ ଜୋର୍ ରେ ଦୌଡି ପାରିଲାନି। ଦୂରତା ପ୍ରାୟ ୨୦୦ ଗଜରୁ କମ୍ ନଥିଲା। ରାସ୍ତାସାରା କୁଢ କୁଢ ପଥରଖଣ୍ଡ ବିଛାଡି ହୋଇ ପଡିଥିଲା। ଡର ଲାଗୁଥିଲା କେଉଁଠି ଝୁଣ୍ଟି ନପଡୁ କି ଗୋଡ ଖସି ନଯାଉ। ଏପଟେ ଅଶ୍ବାରୋହୀ ମାନେ ନିକଟରୁ ନିକଟତର ହେଉଥିଲେ। ଦୁର୍ଗମ ରାସ୍ତାରେ ଆରବୀ ଘୋଡାଙ୍କ ସହିତ ଦୌଡ ପ୍ରତିଯୋଗୀତା ଅର୍ଥହୀନ। ବଡ କଷ୍ଟରେ ୫୦ ପାଦ ଯାଇଥିବ, ଅଶ୍ବାରୋହୀ ପାଖରେ ପହଞ୍ଚି ତାକୁ ଘେରି ଗଲେ। ଧର୍ମଦାସ ବେଶ୍ ସାହାସୀ ଥିଲା ସତ; ହେଲେ ମୃତ୍ୟୁକୁ ସମ୍ମୁଖରେ ଦେଖି ଆଖି ଆଗରେ ଅନ୍ଧକାର ଘୋଟିଗଲା, ବନ୍ଧୁକ ହାତରୁ ଖସି ତଳେ ପଡିଗଲା। ୫ ଜଣ ଯାକ ତା'ରି ଗାଁ ର ଈର୍ଷାତୁର ପଠାଣ ଥିଲେ। ପ୍ରଥମ ଜଣକ କହିଲା, ମୁଣ୍ଡ କାଟିଦିଅ ଏଇ ବିଶ୍ବାସଘାତୀ, ଶାପିତ କାଫିର୍ ର।

 

ଦ୍ବିତୀୟ ଜଣକ କହିଲା-ନା ଅପେକ୍ଷା କର, ଯଦି ଇଏ ଏହିକ୍ଷଣି ଇସଲାମ୍ ଦୀକ୍ଷା ନିଏ ତେବେ ଆମେ ତାକୁ କ୍ଷମା କରିଦେବା। କ'ଣ କହୁଛ ଧର୍ମଦାସ। ଭାବିବାକୁ ତୁମକୁ ରାତିଯାକ ସମୟ ଦେଇଥିଲୁ। ହେଲେ ତୁମେମାନେ ଦଗାଦେଲ। ଚାହିଁଲେ ଏଇ ମୁହୂର୍ତ୍ତରେ ତୁମକୁ ମାରିଦେଇ ପାରୁ, କିନ୍ତୁ ଆମେ ଆଉଥରେ ସୁଯୋଗ ଦେଉଛୁ। ଏହା ଶେଷ ସୁଯୋଗ। ଯେବେ ତୁମେ ଇସଲାମ୍ ଗ୍ରହଣ ନକର ତେବେ ଆଗାମୀ ସୂର୍ଯ୍ୟୋଦୟ ଦେଖିବନି।

 

କୁଣ୍ଠିତ ଧର୍ମଦାସ କହିଲା, ଯେଉଁକଥାକୁ ବୁଦ୍ଧି ସହମତି ଦେଉନି, ସେ କାମ କେମିତି.....

 

ପ୍ରଥମ ଜଣକ ଚିହିଙ୍କି ଯାଇ କହିଲା, ଧର୍ମର ବୁଦ୍ଧିସହ କୌଣସି ସମ୍ପର୍କ ନାହିଁ। ବାକିତକ ପାଟିକଲେ ନାସ୍ତିକ! ନାସ୍ତିକ! ପାପିର ମୁଣ୍ଡ କାଟିଦିଅ। ଦ୍ବିତୀୟ ଜଣକ ଆକଟିଲା,ରହିଯାଅ, ମାରିଦେବା ସହଜ,ହେଲେ ଜୀବନ ଦେବା କଷ୍ଟ। ତୁମର ବାକି ସାଥୀ କେଉଁଠି ଧର୍ମଦାସ?

ଧର୍ମଦାସ-ସମସ୍ତେ ମୋ ସାଙ୍ଗରେ ହିଁ ଅଛନ୍ତି।

ଦ୍ବିତୀୟ-ତୁମେ ମାନେ ଯଦି ଖୁଦା ଆଉ ତାଙ୍କ ରସୁଲ୍ ରେ ଆସ୍ଥା ପ୍ରକଟ କରିବ,କେହି ତୁମକୁ ଆଡ ଆଖିରେ ଦେଖିବାକୁ ସାହସ କରିବେନି।

ଧର୍ମଦାସ-ଆପଣ ଭାବିବାକୁ ଆଉ କିଛି ସମୟ ଦେବେନି?

ଚାରିଜଣ ଯାକ ଏହାଶୁଣି ଏକତ୍ର ଗର୍ଜି ଉଠିଲେ, ନା ନା ଆମେ ତୁମକୁ ଯିବାକୁ ଦେବୁନି। ଏହାହିଁ ଶେଷ ସୁଯୋଗ। ଏତିକି ବେଳେ ପ୍ରଥମ ଜଣକ ବନ୍ଧୁକ ଭିଡି ଧର୍ମଦାସ ଛାତିରେ ଲଗେଇ କହିଲା, ବାସ୍ କହ କେଉଁଥିରେ ରାଜି?

 

ଧର୍ମଦାସ ଭୟ ଥରହର ହୋଇ କହିଲା, ମୁଁ ଯଦି ଇସଲାମ୍ ଗ୍ରହଣ କରେ ତେବେ ମୋ ସାଥୀ ମାନଙ୍କୁ କିଛି ନିର୍ଯ୍ୟାତନା ଦେବନି ତ?

 

ଦ୍ବିତୀୟ-ହଁ, ଯଦି ତୁମେ ଜିମା ନେବଯେ, ସେମାନେ ମଧ୍ୟ ଇସଲାମ୍ ଗ୍ରହଣ କରିବେ।

ପ୍ରଥମ-ଆମେ ଏତେ ସର୍ତ୍ତ ମାନିବୁନି। ତୁମ ସାଥୀଙ୍କ କଥା ଆମେ ନିଜେ ବିଚାର କରିବୁ। ତୁମେ ନିଜ କଥା କୁହ, ଆମ ସର୍ତ୍ତରେ ରାଜି କି ନା?

 

ଧର୍ମଦାସ ଗରଳ ପିଇବା ଭଳି କହିଲା,ମୁଁ ଖୁଦାଙ୍କ ଠାରେ ଆସ୍ଥା ପ୍ରକଟ କରୁଛି।

ପାଞ୍ଚଜଣ ଯାକ ଏକସ୍ବରରେ କହିଲେ, ଅଲହମଦ ଓ୍ବ ଲିଲ୍ଲାହ! ଏବଂ ଜଣ ଜଣ କରି ଧର୍ମଦାସ କୁ ଆଲିଙ୍ଗନ କଲେ।

 

ଶ୍ୟାମା ଦୁଇ ହାତରେ ଛାତିକୁ ଜାବୁଡିଧରି ଏ ସମସ୍ତ ଦୃଶ୍ୟ ଦେଖୁଥିଲା ଏବଂ ମନେ ମନେ ପଶ୍ଚାତାପ କରୁଥିଲା, ମୁଁ କାହିଁକି ତାଙ୍କୁ ପାଣି ଆଣିବାକୁ ପଠାଇଲି? ଭାଗ୍ୟ ଏମିତି ଦଗାଦେବ ଜାଣିଥିଲେ, ଶୋଷରେ ମରିଥାନ୍ତି ସିନା, ୟାଙ୍କୁ ଯିବାକୁ ଦେଇନଥାନ୍ତି। କିଛି ଦୂରରେ ଖଜାଁଚନ୍ଦ ଠିଆ ହୋଇ ଦେଖୁଥିଲା। ଶ୍ୟାମା କ୍ଷୁବ୍ଧ ଦୃଷ୍ଟିରେ ଚାହିଁ କହିଲା-ଏବେ ୟାଙ୍କ ପ୍ରାଣ ବଞ୍ଚିବା ଭଳି ଲାଗୁନାହିଁ।

 

ଖଜାଁଚନ୍ଦ- ବନ୍ଧୁକ ବି ହାତରୁ ଖସି ପଡିଛି।

ଶ୍ୟାମା- କେଜାଣି କ'ଣ କଥାବାର୍ତ୍ତା ହେଉଛି। ହେ ଭଗବାନ,ସେ ଦୁଷ୍ଟ ତାଙ୍କ ଆଡକୁ ବନ୍ଧୁକ ନିଶାଣ କରିଛି।

ଖଜାଁଚନ୍ଦ- ଆଉଟିକେ ପାଖକୁ ଆସିଲେ ମୁଁ ଗୁଳି ଚଳାନ୍ତି। ଏଇ ବନ୍ଧୁକରେ ଏତେ ଦୂରରୁ ଗୁଳି କରିହେବନି।

ଶ୍ୟାମା-ଆରେ! ଦେଖ ସେମାନେ ଧର୍ମଦାସକୁ କୋଳାଗ୍ରତ କଲେଣି, ଏ କ'ଣ ଚାଲିଛି?

ଖଜାଁ- କିଛି ବୁଝି ହେଉନାହିଁ।

ଶ୍ୟାମା- ୟେ ଆଉ କଲମା ପଢିନେଲେନି ତ?

ଖଜାଁ- ନା ସେମିତି ହେଇନପାରେ, ଧର୍ମଦାସ ଠୁ ତାହା ଅପେକ୍ଷିତ ନୁହେଁ।

ଶ୍ୟାମା- ମୁଁ ବୁଝିଗଲି। ଠିକ୍ ଏଇଆ ହିଁ ହେଇଛି। ତୁମେ ବନ୍ଧୁକ ଚଳାଅ।ଖଜାଁ- ଧର୍ମଦାସ ମଝିରେ ଅଛି। କାଳେ ତାକୁ ଗୁଳା ବାଜିବ।

ଶ୍ୟାମା- କିଛି ପରବାୟ ନାହିଁ। ମୁଁ ତ ଚାହୁଁଚି ପ୍ରଥମ ଗୁଳି ତା ଠି ବାଜୁ। ଭୀରୁ,ନିର୍ଲଜ, ଜୀବନ ଲୋଭରେ ଧର୍ମ ତ୍ୟାଗ କଲା। ଏମିତି ଅଲାଜୁକ ହେବାଠାରୁ ଜୀବନ ହାରିବା ଶ୍ରେୟସ୍କର। କ'ଣ ଭାବୁଛ, ତୁମ ହାତଗୋଡ ବି ନିଶ୍ଚଳ ହୋଇଗଲା କି? ଦିଅ ମୋତେ ବନ୍ଧୁକ, ମୁଁ ଏଇ ଭୀରୁ କୁ ନିଜ ହାତରେ ମାରିବି।

ଖଜାଁ- ମୋତେ ତ ବିଶ୍ବାସ ହେଉନି କି ଧର୍ମଦାସ.......

ଶ୍ୟାମା- ତୁମକୁ କେବେବି ବିଶ୍ବାସ ହେବନି। ମତେ ବନ୍ଧୁକ ଦିଅ। ଠିଆହୋଇ ଅନେଇଛ କ'ଣ? ସେମାନେ ଆସି ପାଖରେ ପହଞ୍ଚିଲେ ଗୁଳି ଚଳେଇବ କି? ତୁମେବି ଚାହୁଁଛକି ମୁସଲମାନ ହେଇ ପ୍ରାଣ ବଞ୍ଚାଇବ? ଠିକ୍ ଅଛି, ଯାଅ। ଶ୍ୟାମା, ନିଜ ରକ୍ଷା ନିଜେ କରିପାରିବ, ହେଲେ ମୋତେ ଆଉ ତୁମ ମୁହଁ ଦେଖେଇବନି।

 

ଖଜାଁଚନ୍ଦ ବନ୍ଧୁକ ଚଳାଇଲା। ଗୋଟିଏ ଗୁଳି ଜଣଙ୍କ ପଗଡି ଗଳାଇ ପକାଇଲା। ଜେହାଦୀ ମାନେ,"ଆଲ୍ଲାହୋ ଆକବର' ଗର୍ଜନ କଲେ। ଦ୍ବିତୀୟ ଗୁଳି ଘୋଡାର ଛାତିରେ ବାଜିଲା। ଘୋଡା ସେଇଠି ଟଳି ପଡିଲା। ଜେହାଦୀ ପୁଣି "ଆଲ୍ଲାହୋ ଆକବର' ଗର୍ଜିଲେ। ତୃତୀୟ ଗୁଳିରେ ଜଣେ ପଠାଣ ଟଳିଲା। ଚତୁର୍ଥ ଗୁଳି ଚଳିବା ପୂର୍ବରୁ ଜେହାଦୀ ମାନେ ପାଖରେ ପହଞ୍ଚି ବନ୍ଧୁକ ଛଡାଇନେଲେ।

 

ଜଣେ ଖଜାଁ ଉପରକୁ ବନ୍ଧୁକ ଉଠାଇ କହିଲା, ଏ ପାପିର ମୁଣ୍ଡ କାଟିଦେବି। ଦ୍ବିତୀୟ ଜଣକ, ଯେ ତାଙ୍କ ସର୍ଦ୍ଦାର ଭଳି ଲାଗୁଥିଲା, ସେ ମନାକରି କହିଲା, ନା ଇଏ ଲୋକଟା ସାହାସୀ। ଖଜାଁଚନ୍ଦ, ତୁମ ଉପରେ ହତ୍ୟା, ବିଶ୍ବାସଘାତକତା ଓ ନାସ୍ତିକତା ର ଆରୋପ ସିଦ୍ଧ ହେଉଛି। ତୁମକୁ ମୃତ୍ୟୁଦଣ୍ଡ ଦେବା ସମୟର ଡାକରା। କିନ୍ତୁ ତୁମକୁ ଆଉଗୋଟେ ମୌକା ଦେଉଛୁ। ଏବେବି ଯଦି ଖୁଦା ଓ ରସୁଲ ଙ୍କ ଠାରେ ଆସ୍ଥା ପ୍ରକଟ କରିବ,ତେବେ ଆମେ ତୁମକୁ କୋଳେଇ ନେବାକୁ ପ୍ରସ୍ତୁତ। ୟା ଛଡା ତୁମ ଅପରାଧର ଅନ୍ୟ ପ୍ରାୟଶ୍ଚିତ ନାହିଁ। ଏହା ଆମର ଶେଷ ନିଷ୍ପତ୍ତି।କୁହ କ'ଣ ଚାହଁ? ଏହା କହି ଚାରି ପଠାଣ ଖଣ୍ଡା ତୋଳି ଖଜାଁଚନ୍ଦ ବେକରେ ଲଗାଇଲେ, ଯେପରିକି "ନାହିଁ' ଶବ୍ଦ ସ୍ଫୁରିବା ମାତ୍ରେ ଖଣ୍ଡା ଚଳିବ। ଖଜାଁଚନ୍ଦର ମୁଖମଣ୍ଡଳ ବିଲକ୍ଷଣ ତେଜରେ ଝଲସି ଉଠିଲା। ତା ଦୁଇ ଆଖି ସ୍ବର୍ଗୀୟ ଜ୍ୟୋତିରେ ଚମକୁଥିଲା ଯେମିତି। ଦୃଢତାର ସହ କହିଲା- ତୁମେ ଜଣେ ହିନ୍ଦୁକୁ ଏ ପ୍ରଶ୍ନ କରୁଛ? ତୁମେ କ'ଣ ଭାବୁଛ ସେ ଜୀବନ ଲୋଭରେ ନିଜ ଧର୍ମ,ଅଭିମାନ ବିକିଦେବ? ହିନ୍ଦୁକୁ ନିଜ ଈଶ୍ବରଙ୍କ ପାଖରେ ପହଞ୍ଚିବାକୁ କୌଣସି ନବି,ବଲି ବା ପୈଗମ୍ବର ଙ୍କ ଆବଶ୍ୟକତା ନାହିଁ। ଚାରି ପଠାଣ ଚିତ୍କାର କଲେ, କାଫିର୍! କାଫିର୍!

 

ଖଜାଁ- ତୁମେ ଯଦି ମୋତେ କାଫିର୍ ଭାବୁଛ, ଭାବ। ମୁଁ ନିଜକୁ ତୁମଠୁ ଅଧିକ ଖୁଦାଙ୍କ ବିଶ୍ବାସୀ ଭାବେ। ମୁଁ ସେଇ ଧର୍ମକୁ ମାନେ, ଯାହାର ମୂଳଦୂଆ ବୁଦ୍ଧିରେ ଗଢା। ମଣିଷ ଠାରେ ବୁଦ୍ଧି ହିଁ ଖୁଦାଙ୍କ ନୁର୍ (ପ୍ରକାଶ) ଅଟେ। ଆଉ ଆମ ବିବେକ ହେଉଛି ଆମ ବୁଦ୍ଧି.....

 

ଚାରି ପଠାଣ ଏକାଠି କାଫିର୍! କାଫିର୍! ଚିତ୍କାର କରିଉଠିଲେ ଏବଂ ଚାରିଟା ଯାକ ଖଣ୍ଡା ଏକାଠି ଖଜାଁଚନ୍ଦ ଗଳାରେ ପ୍ରହାର କଲା। ତା ବିଖଣ୍ଡିତ ଶରୀର ତଳେ ପଡି ଛଟପଟ ହେଉଥାଏ। ଧର୍ମଦାସ ମୁଣ୍ଡ ନୁଆଇଁ ଠିଆହୋଇଥାଏ। ସେ ମନେ ମନେ ଖୁସି ହେଉଥିଲା ଯେ ଏବେ ଖଜାଁଚନ୍ଦର ସବୁ ସମ୍ପତ୍ତି ତା'ର ହେବ ଓ ସେ ଶ୍ୟାମା ସହିତ ଖୁସିରେ ରହିବ; କିନ୍ତୁ ବିଧାତାର ବିଚାର ଭିନ୍ନ ଥିଲା। ଶ୍ୟାମା ଏଯାଏଁ ମର୍ମାହତ ଠିଆହୋଇ ସବୁ ଘଟଣା ଦେଖୁଥିଲା। ଯେମିତି ଖଜାଁଚନ୍ଦର ଖଣ୍ଡିତ ଶରୀର ଭୂମିଷ୍ଠ ହେଲା, ସେ ଦୌଡିଯାଇ ତା ଶରୀରକୁ କୋଳରେ ଧରି ନିଜ ପଣତରେ ରକ୍ତଶ୍ରାବ ରୋକିବାକୁ ଚ୍ୟେଷ୍ଟା ଚଳାଇଲା। ତା ଶାଢୀ ରକ୍ତରେ ଭିଜିଗଲା। ସେ ଆଗରୁ କେତେ ଜରି, ବୁଟି ଖଞ୍ଜା ଶାଢୀ ପିନ୍ଧିଥିବ। ହେଲେ ଏଇ ରକ୍ତ ରଞ୍ଜିତ ଶାଢୀର ଶୋଭା ଅତୁଳନୀୟ ଥିଲା। ଅନ୍ୟ ଶାଢୀ ବାହ୍ୟ ରୂପ ସୌଷ୍ଠବର ଶୋଭା ବଢାଉଥିଲା। ହେଲେ ଏ ରୁଧୀରପ୍ଲାବୁତ ଲୁଗା ଖଣ୍ଡିକ ଆତ୍ମାର ଛବି ଦେଖାଉଥିଲା।

 

ଲାଗୁଥିଲା ଯେମିତି ଖଜାଁଚନ୍ଦର ନିମିଳିତ ଆଖି ଏକ ଅଲୌକିକ ଦିପ୍ତୀରେ ସମୁଜ୍ଜ୍ବଳ ହୋଇଉଠିଛି। ସେଇ ଦୁଇ ଆଖିରେ କେତେ ସନ୍ତୋଷ, କେତେ ତୃପ୍ତି, କେତେ ଉତ୍କଣ୍ଠା ଭରିଥିଲା। ଜୀବନ ଥିବାବେଳେ ଯିଏ ଭିକ୍ଷାରେ ମଧ୍ୟ ପ୍ରେମ ପାଇନଥିଲା,ସେ ମୃତ୍ୟୁପରେ ସମର୍ପଣ ଭଳି ସ୍ବର୍ଗୀୟରତ୍ନ ର ସ୍ବାମୀ ପାଲଟିଗଲା। 

 

ଧର୍ମଦାସ ଶ୍ୟାମା ହାତଧରି କହିଲା- ଶ୍ୟାମା, ନିଜକୁ ଦେଖ। ତୁମ ଲୁଗାପଟା ରକ୍ତରେ ଭିଜିଗଲାଣି। ଏବେ କାନ୍ଦିଲେ କ'ଣ ମିଳିବ? ଏମାନେ ଆମ ମିତ୍ର, ଆମକୁ କଷ୍ଟ ଦେବେନି। ଆମେ ପୁଣି ଆମ ଗାଁ କୁ ଫେରିଯିବା ଓ ଜୀବନର ସୁଖ ଭୋଗିବା?

 

ଶ୍ୟାମା ତିରସ୍କାର ପୂର୍ଣ୍ଣ ଦୃଷ୍ଟି ତୋଳି କହିଲା- ତୁମକୁ ତୁମ ଘର ଏତେ ପ୍ରିୟ ଯଦି, ତୁମେ ଯାଅ। ମୋ ଚିନ୍ତା କରନାହିଁ, ମୁଁ ଆଉ ଫେରିବିନି। ଯଦି ଏବେବି ମୋ ପ୍ରତି ପ୍ରେମ ଅଛି, ତେବେ ଏଇ ମାନଙ୍କ ହାତରେ, ୟାଙ୍କରି ଖଣ୍ଡାରେ ମୋ'ର ବି ଅନ୍ତ କରେଇଦିଅ।

 

ଧର୍ମଦାସ କରୁଣାକାତର ସ୍ବରରେ କହିଲା- ଶ୍ୟାମା, ତୁମେ ଏସବୁ କ'ଣ କହୁଛ? ତୁମେ କ'ଣ ଭୁଲିଗଲ ଆମ ଭିତରେ କ'ଣ କଥା ହୋଇଥିଲା? ଖଜାଁଚନ୍ଦ ର ମୃତ୍ୟୁରେ ମତେ ବି ଦୁଃଖ ହେଉଛି, କିନ୍ତୁ ବିଧିକୁ କିଏ ଏଡି ପାରିବ?

 

ଶ୍ୟାମା- ଯଦି ଏହାହିଁ ବିଧିର ବିଧାନ, ତେବେ ମୋ ଭାଗ୍ୟରେ ଅଛିଯେ ମୁଁ ମୋ ଅଧମ ଜୀବନ ଏଇ ପବିତ୍ର ଆତ୍ମାର ଶୋକରେ ବ୍ୟତୀତ କରିବି, ଯାହାକୁ ସର୍ବଦା ନିରାଦର କରିଥିଲି। ଏତିକି କହିବା ବେଳକୁ, କ୍ରୋଧ ଓ ଘୃଣା ତଳେ ଚାପିହୋଇଥିବା ଶ୍ୟାମାର ଶୋକଦ୍ଗାର ଫୁଟି ପଡିଲା ଓ ସେ ଖଜାଁଚନ୍ଦର ନିଷ୍ପନ୍ଦ ବାହୁକୁ ନିଜ ବେକରେ ଜଡାଇଧରି କାନ୍ଦିବାକୁ ଲାଗିଲା।

 

ଚାରିଜଣ ଯାକ ପଠାଣ ଏଇ ଅଲୌକିକ ଅନୁରାଗ ଓ ଆତ୍ମସମର୍ପଣ ଦେଖି କରୁଣାର୍ଦ୍ର ହୋଇପଡିଲେ। ସର୍ଦ୍ଦାର, ଧର୍ମଦାସକୁ କହିଲା, ତୁମେ ଏଇ  ମହିୟସୀ ନାରୀକୁ ଆମ ସହିତ ଯିବାକୁ କୁହ। ଆମ ଜାତିରେ ୟାଙ୍କୁ କୌଣସି ଅସୁବିଧା ହେବନାହିଁ। ଆମେ ଅନ୍ତରରୁ ୟାଙ୍କୁ ସମ୍ମାନ କରୁଛୁ।

 

ଧର୍ମଦାସ ମନରେ ଈର୍ଷାର ନିଆଁ କହୁଳୁଥିଲା। ଯେଉଁ ରମଣୀକୁ ସେ ନିଜର ବୋଲି ମାନିନେଇଥିଲା, ସେ ଏବେ ତା ମୁହଁ ଦେଖିବାକୁ ଚାହୁଁନାହିଁ। କହିଲା- ଶ୍ୟାମା, ତୁମେ ଏଇ ଶବ ଉପରେ ଅଶ୍ରୁର ନଈ ବୁହାଇଲେ ମଧ୍ୟ ସେ ଆଉ ବଞ୍ଚି ଉଠିବନି। ଏଠୁ ଯିବାର ପ୍ରସ୍ତୁତି କର। ମୁଁ ଯାଇ ଦଳର ବାକି ଲୋକଙ୍କୁ ବୁଝାଉଛି। ଖାନ୍ ମାନେ ଆମ ସୁରକ୍ଷା କରିବାର ଦାୟିତ୍ବ ନେଇଛନ୍ତି। ଆମ ଜମିବାଡି, ଘର, ସମ୍ପତ୍ତି ଆମକୁ ମିଳିଯିବ। ଖଜାଁଚନ୍ଦ ସମ୍ପତ୍ତିର ବି ଆମେ ହିଁ ମାଲିକ ହେବା। ଡେରି କରନି। କନ୍ଦାକଟା କରି ଏବେ ଆଉ ଲାଭ ନାହିଁ।

 

ଶ୍ୟାମା ଅଗ୍ନିଜ୍ଜ୍ବଳ ଦୃଷ୍ଟିରେ ଚାହିଁ ଧର୍ମଦାସକୁ କହିଲା- ତେବେ ଏହି ଫେରିବାର ମୂଲ୍ୟ କ'ଣ ଦେବାକୁ ହେବ? ଯାହା ତୁମେ ଦେଇଛ?

 

ଧର୍ମଦାସ ଏ ବ୍ୟଙ୍ଗ ବୁଝିପାରିଲାନି। କହିଲା- ମୁଁ ତ କିଛି ମୂଲ୍ୟ ଦେଇନି। ମୋ ପାଖରେ କ'ଣ ଥିଲା ଯେ?

 

ଶ୍ୟାମା- ସେମିତି କୁହନି। ତୁମ ପାଖରେ ଲକ୍ଷ ଲକ୍ଷ ବର୍ଷରୁ ଋଷି ମାନଙ୍କ ପ୍ରଦତ୍ତ ସମ୍ପତ୍ତି ଥିଲା। ଯାହାର ରକ୍ଷା ରଘୁ ଓ ମନୁ, ରାମ ଓ କୃଷ୍ଣ, ବୁଦ୍ଧ ଓ ଶଙ୍କର, ଶିବାଜୀ ଓ ଗୋବିନ୍ଦ ସିଂ କରିଥିଲେ। ସେଇ ଅମୂଲ୍ୟ ଭଣ୍ଡାରକୁ ତୁମେ ଆଜି ତୁଚ୍ଛ ପ୍ରାଣଲାଗି ହରାଇଲ। ଏମାନଙ୍କ ପାଦରେ ଲୋଟିବା ତୁମକୁ ଆନନ୍ଦ ଦେଉଛି ଯେବେ, ତୁମେ ଖୁସିରେ ଯାଅ। ଯେଉଁ ଖଣ୍ଡା ବୀର ଖଜାଁଚନ୍ଦ ର ଜୀବନ ଅନ୍ତ କରିଛନ୍ତି, ସେମାନେ ମୋ ପ୍ରେମର ମଧ୍ୟ ଫଇସଲା କରି ଦେଇଛନ୍ତି। ସାରା ଜୀବନ ଏଇ ବୀରାତ୍ମା ର ମୁଁ ଯେତିକି ଅପମାନ ଓ ନିରାଦର କରିଛି, ତା ପ୍ରତି ଯେଭଳି ଉଦାସୀନତା ଦେଖେଇଛି, ଏବେ ସେସବୁ ର ପ୍ରାୟଶ୍ଚିତ କରିବି। ଇଏ ଧର୍ମ ଲାଗି ମୃତ୍ୟୁ ବରିଥିବା ବୀର, ପ୍ରାଣ ଲାଗି ଧର୍ମ ବିକିଥିବା ଭୀରୁ କାପୁରୁଷ ନୁହେଁ। ଯଦି ତୁମଠି ଏବେବି ବିବେକ ବାକି ଅଛି, ତେବେ ୟାଙ୍କ କ୍ରିୟାକର୍ମ କରିବାରେ ମୋତେ ସାହାଯ୍ୟ କର। ଯଦି ତୁମ ଭୀରୁତା କୁ ଏହା ନାପସନ୍ଦ, ତେବେ ଥାଉ, ମୁଁ ସବୁକିଛି ଏକା କରିନେବି।

 

ପଠାଣ ମାନଙ୍କ ହୃଦୟ ଦୁଃଖ ଜର୍ଜରିତ ହୋଇପଡିଲା। ଧର୍ମାନ୍ଧତା ର ପ୍ରକୋପ ଶାନ୍ତ ହୋଇସାରିଥିଲା। ଚାହୁଁ ଚାହୁଁ ସେଠି କାଠ ଗଦା ହୋଇଗଲା। ଧର୍ମଦାସ ଗ୍ଳାନିରେ ମଥା ନତ କରି ବସିଥିଲା, ଆଉ ଚାରିଜଣ ଯାକ ପଠାଣ କାଠ କାଟି ସଂଗ୍ରହ କରୁଥିଲେ। ଚିତା ପ୍ରସ୍ତୁତ ହେଲା ଏବଂ ଯେଉଁ ନିର୍ଦ୍ଦୟ ହାତ ଖଜାଁଚନ୍ଦ ର ଜୀବନ ନେଇଥିଲେ, ସେଇମାନେ ହିଁ ତା ଶବକୁ ଜୁଇରେ ରଖିଲେ। ଜ୍ବାଳା ପ୍ରଚଣ୍ଡ ହେଲା। ଅଗ୍ନିଦେବ ତାଙ୍କ ଅଗ୍ନିମୁଖରେ ସେ ଧର୍ମବୀରର ଯଶଗାନ କରୁଥିଲେ।

 

ପଠାଣମାନେ ଖଜାଁଚନ୍ଦର ସମସ୍ତ ଅସ୍ଥାବର ସମ୍ପତ୍ତି ଆଣି ଶ୍ୟାମାକୁ ଦେଲେ। ଶ୍ୟାମା ସେଇଠି ଛୋଟ ଘରଟିଏ କଲା ଓ ବୀର ଖଜାଁଚନ୍ଦର ଉପାସନାରେ ଦିନ କାଟିଲା। ତା ବୁଢୀ ପିଉସୀ ମଧ୍ୟ ତା ସହିତ ସେଇଠି ରହିଲା। ଅନ୍ୟମାନେ ପଠାଣଙ୍କ ସାଙ୍ଗେ ଫେରିଗଲେ,କାରଣ ଏବେ ମୁସଲମାନ ହେବାର ସର୍ତ୍ତ ଆଉ ନଥିଲା। ଖଜାଁଚନ୍ଦ ର ବଳିଦାନ, ଧର୍ମଭୂତ କୁ ପରାସ୍ତ କରି ସାରିଥିଲା। ମାତ୍ର ଧର୍ମଦାସ କୁ ଇସଲାମ୍ ଦୀକ୍ଷା ନେବାକୁ ପଠାଣ ମାନେ ବାଧ୍ୟ କଲେ। ଦିନ ଠିକ୍ ହେଲା। ମସ୍ଜିଦ୍ ରେ ମୁସଲମାନଙ୍କ  ମେଳି ହେଲା ଓ ଲୋକ ଧର୍ମଦାସକୁ ଡାକିନେବାକୁ ତା ଘରକୁ ଆସିଲେ; ହେଲେ ସେ ନଥିଲା। ଚାରିଆଡ ଖୋଜାହେଲା, କିନ୍ତୁ ତା ଚିହ୍ନ ବର୍ଣ୍ଣ ମିଳିଲାନି।

 

ବର୍ଷେ ବିତିଗଲା। ସନ୍ଧ୍ୟା ସମୟ ହୋଇଥାଏ। ଶ୍ୟାମା ତା ନୂଆଣିଆ କୁଟୀର ଦୂଆରେ ବସି, ଭବିଷ୍ୟତର ମଧୁର କଳ୍ପନାରେ ମଗ୍ନ ହୋଇଥାଏ। ଅତୀତ ତା ପାଇଁ ଦୁଃଖଭରା ଥିଲା। ବର୍ତ୍ତମାନ କେବଳ ଏକ ନିରାଶାମୟ ସ୍ବପ୍ନ ଥିଲା। ସମସ୍ତ ଅଭିଳାଷ ଭବିଷ୍ୟତରେ ଅବଲମ୍ବିତ ଥିଲା। ଆଉ ସେଇ ଭବିଷ୍ୟତର ବର୍ତ୍ତମାନ ଜୀବନ ସହ କୌଣସି ସମ୍ପର୍କ ନଥିଲା। ଆକାଶରେ ଲାଲିମା ଚହଟୁ ଥିଲା। ସାମ୍ନା ପର୍ବତ ସବୁ ସ୍ବର୍ଣ୍ଣମୟୀ ଶାନ୍ତିର ଆବରଣରେ ଢାଙ୍କି ହୋଇଥାନ୍ତି। ତରୁଶାଖାରୁ କମ୍ପିତ ପତ୍ରର ସର୍ ସର୍ ଶବ୍ଦ ଭାସି ଆସୁଥାଏ, ଯେମିତି କୌଣସି ବିୟୋଗୀ ଆତ୍ମା ପତ୍ର ଆଢୁଆଳରୁ କୋହ ଲୁଚାଇ ଗୁମୁରୁଥିଲା।

 

ସେତିକିବେଳେ ଭିକାରୀଟିଏ, ଛିଣ୍ଡାଲୁଗା ପିନ୍ଧି କୁଟୀର ଆଗରେ ଉପସ୍ଥିତ ହେଲା। କୁକୁର ଜୋର୍ ରେ ଭୁକିବାକୁ ଲାଗିଲା। ତାକୁ ଦେଖି ଶ୍ୟାମା ଚମକି ପଡି ଚିତ୍କାର କଲା- ଧର୍ମଦାସ!

 

ଧର୍ମଦାସ ସେଇଠି ତଳେ ବସିପଡି କହିଲା- ହଁ ଶ୍ୟାମା, ମୁଁ ଅଭାଗା ଧର୍ମଦାସ। ବର୍ଷେ ହେଲାଣି ଇତସ୍ତତଃ ବୁଲୁଛି ମୋତେ ଖୋଜି ବାହାର କରିବାକୁ ପୁରସ୍କାର ଘୋଷଣା କରାଯାଇଛି। ପୁରା ପ୍ରାନ୍ତ ମୋ ପଛରେ ଲାଗିଛି। ଏ ଜୀବନ ପ୍ରତି ବିତୃଷ୍ଣା ଆସିଲାଣି, ହେଲେ ମୃତ୍ୟୁ ଆସୁନି।

 

ଧର୍ମଦାସ କ୍ଷଣିକ ଲାଗି ଚୁପ୍ ରହିଲା। ପୁଣି କହିଲା- କୁହ ଶ୍ୟାମା, ଏବେବି କ'ଣ ତୁମ ମନରୁ ମୋ ପ୍ରତି ଘୃଣା ଦୂର ହେଇନି! ତୁମେ ମୋ ଅପରାଧ କ୍ଷମା କରିପାରିନ!

 

ଶ୍ୟାମା ଉଦାସୀନ ଭାବରେ କହିଲା- ମୁଁ ତୁମ କଥାର ମାନେ ବୁଝିପାରିିଲିନି।

"ମୁଁ ଏବେବି ହିନ୍ଦୁ। ଇସଲାମ୍ ଗ୍ରହଣ କରିନାହିଁ'

"ଜାଣିଛି!'

"ଏହା ଜାଣି ମଧ୍ୟ ତୁମକୁ ମୋ ପ୍ରତି ଦୟା ଆସୁନାହିଁ!'

 

ଶ୍ୟାମା କଠୋର ଦୃଷ୍ଟିରେ ଚାହିଁଲା ଏବଂ ବିରକ୍ତ ହୋଇ କହିଲା- ତୁମକୁ ଏଭଳି କଥା କହିବାକୁ ଲଜ୍ଜା ଲାଗୁନାହିଁ! ମୁଁ ସେଇ ଧର୍ମବୀରଙ୍କ ପତ୍ନୀ, ଯିଏ ହିନ୍ଦୁଜାତିର ମୂଖ ଉଜ୍ଜଳ କରିଛନ୍ତି। ତୁମେ ଭାବୁଛ ସେ ମରିଯାଇଛନ୍ତି! ଏହା ତୁମ ଭ୍ରମ। ସେ ଅମର। ମୁଁ ଏବେବି ତାଙ୍କୁ ସ୍ବର୍ଗରେ ବସିଥିବାର ଦେଖୁଛି। ତୁମେ ହିନ୍ଦୁ ଜାତିକୁ କଳଙ୍କିତ କରିଛ। ମୋ ସାମ୍ନାରୁ ଚାଲିଯାଅ।

 

ଧର୍ମଦାସ କିଛି ଉତ୍ତର ଦେଲାନାହିଁ! ଚୁପ୍ଚାପ୍ ଉଠି, ଗଭୀର ନିଶ୍ବାସ ଛାଡି ଏକମୁହାଁ ଚାଲିଗଲା।

 

ସକାଳୁ ଶ୍ୟାମା ପାଣି ଆଣିବାକୁ ଗଲାବେଳେ, ରାସ୍ତାରେ ଶବଟିଏ ପଡିଥିବାର ଦେଖିଲା। ଦୁଇ ଚାରିଟା ଶାଗୁଣା ତା ଉପରେ ଘୂରି ବୁଲୁଥିଲେ। ତା ମନ ଶଙ୍କିତ ହେଲା। ପାଖକୁ ଯାଇ ଦେଖିଲା ଓ ଚିହ୍ନିପାରିଲା। ଶବଟି ଧର୍ମଦାସର ହିଁ ଥିଲା।

 

ଜେହାଦ୍

Rate the content


Originality
Flow
Language
Cover design

Comments

Post

Some text some message..