Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡିଆ ଗଳ୍ପ

Classics

2  

ଓଡିଆ ଗଳ୍ପ

Classics

ଝିଅ ଜନ୍ମ - ୨

ଝିଅ ଜନ୍ମ - ୨

4 mins
7.6K


ଡ଼ଃ ବିଭୁତି ପଟ୍ଟନାୟକ

ଆଣ୍ଟି ମୁଁ ଦୀପା । ମମି ପଠାଇଲେ । ଆପଣଙ୍କର ତ ଜିନିଷପତ୍ର ସଜଡ଼ା ସଜଡ଼ି ସରିନି । ଗ୍ୟାସ୍ ଚୁଲି ମଧ୍ୟ ନାହିଁ । ଆପଣଙ୍କ ରାତ୍ରିଭୋଜନ ମୁଁ ଆଣି ଦେଇଯିବି । କେତେବେଳେ ଆପଣ ଡିନର୍ ଖାଇବେ ? ରାତି ଆଠଟା ।

ଅନ୍ୟା ମୁହଁ ବୁଲାଇ ଦେଖିଲା ସାଢେ଼ ପାଞ୍ଚ ଫୁଟ ଲମ୍ୱାର ଜଣେ ଶ୍ୟାମଳୀ ଝିଅ ସେ କେତେବେଳେ ରାତ୍ରି ଭୋଜନ କରିବ ବୋଲି ପ୍ରଶ୍ନ କରୁଛି ।

ଏଇ ତା’ ହେଲେ ମିସେସ୍ ସାହୁଙ୍କ କନ୍ୟା ଦୀପା ।

ତା’ ମୁହଁରୁ ଆଣ୍ଟି ଡାକ ଶୁଣି ମନଟା ହଠାତ୍ ଖୁସି ହୋଇଗଲା । ଦୀପାର ସମ୍ୱୋଧନରେ ଏଭଳି ଏକ ଆତ୍ମୀୟତା ଭରି ରହିଥିଲା, ଯାହା ସେ ତାଙ୍କର ଲ୍ୟାଣ୍ଡଲେଡ଼ିଙ୍କ କନ୍ୟାଠାରୁ ଆଶା କରୁ ନଥିଲା ।

କଣ୍ଠସ୍ୱରରେ କୋମଳ ଲାଳିତ୍ୟ ଛଳ ଛଳ ହେଉଥିଲେ ବି ଦୀପାର ବୟକଟ୍ ହେୟାର୍ ଷ୍ଟାଇଲ୍, ଜିନ୍ ପ୍ୟାଣ୍ଟ୍ ଏବଂ ଧୂସର ରଙ୍ଗର ହାଫ୍ ସାର୍ଟରେ ସେ ଜଣେ ପୁଅ ପିଲାର ଭ୍ରମ ସୃଷ୍ଟି କରୁଥିଲା ମନରେ ।

ଅମରେଶ ବଜାରକୁ ଯାଇଛନ୍ତି । ସମ୍ଭବତଃ ଫେରିଲାବେଳେ କୌଣସି ହୋଟେଲ୍‌ରୁ ରାତ୍ରି ଭୋଜନ ନେଇ ଆସିପାରନ୍ତି ।

ସେ ଦୀପାକୁ ମୃଦୁ ହସି କହିଲା- “ନା, ଦୀପା । ଆମ ରାତ୍ରି ଭୋଜନ ପାଇଁ ବ୍ୟସ୍ତ ନ ହେବାକୁ ମମିଙ୍କୁ କହି ଦେବ । ଗ୍ୟାସ୍ ସିଲିଣ୍ଡର୍ ଆସିବା ପର୍ଯ୍ୟନ୍ତ ଆମେ ହୋଟେଲ୍‌ରୁ ମଗାଇ ଖାଇନେବୁ ।”

“ଛିଃ. . . ଛିଃ. . . ଆପଣଙ୍କ ଦେହ ଖରାପ । ମମି କହୁଥିଲେ ପାଞ୍ଚ ମାସ ଚାଲିଛି । ଏତେବେଳେ ଆପଣ ବାହାରୁ ମଗାଇ ଖାଇବା ଠିକ୍ ନୁହେଁ । ବୁକିଂ ଗ୍ୟାସ୍ ଆସିବା ପର୍ଯ୍ୟନ୍ତ ଲଞ୍ଚ୍, ଡିନର୍ ଆମେ ପଠାଇ ଦେବୁ । ଆମେ ଲଞ୍ଚ୍‌ ଓ ଡିନର୍‌ରେ ରୁଟି ହିଁ ଖାଉ । ଆପଣ ଯଦି ଚାହାନ୍ତି- ମଧ୍ୟାହ୍ନ ଭୋଜନ ପାଇଁ ଭାତ ବି ରାନ୍ଧି ଦେବୁ ।”

ପାଞ୍ଚ ମାସ ଚାଲିଛି । ତା’ର ଦେହ ଖରାପ । ଏକଥା ଦୀପା ମୁହଁରୁ ଶୁଣିବା ମାତ୍ରେ ଲଜ୍ଜା ବଦଳରେ ଅମରେଶଙ୍କ ଉପରେ ରାଗିଗଲା ଅନ୍ୟା । ଘରେ ନ ପଶୁଣୁ ଲ୍ୟାଣ୍ଡଲେଡ଼ିଙ୍କୁ ତା’ର ଗର୍ଭଧାରଣ କଥା କହିବା କ’ଣ ଦରକାର ଥିଲା ? ଛି. . . ଛି. . . !

ଦୀପା ତା’ର ନିରବତାର ଭୁଲ୍ ଅର୍ଥ କରି ମନେ ମନେ ନିଜକୁ ଅନୁତାପ କଲା ।

କହିଲା- “ଆଣ୍ଟି ! I am Sorry । ଦେହ ଖରାପ କଥାଟା ଭାବିଚିନ୍ତି କହି ନାଇଁ । କହୁ କହୁ କହି ହୋଇଗଲା । ମାତୃତ୍ୱ କୌଣସି ଭାବରେ ଅସୁସ୍ଥତା ହୋଇ ନପାରେ । ମମି କହନ୍ତି- ଏଇ ସମୟରେ ମାଆ ହେବାକୁ ଯାଉଥିବା ନାରୀ ନିଜ ଦେହ ଓ ମନକୁ ସବୁବେଳେ ସତେଜ ରଖିବା ଦରକାର । ଆପଣ କିଛି ଚିନ୍ତା କରିବେ ନାହିଁ । ଆମେ ସବୁବେଳେ ଆପଣଙ୍କ ପାଖେ ପାଖେ ଅଛୁ ।”

ଦୀପା ଚାଲିଯିବାର ଅଳ୍ପ ସମୟ ପରେ ଅମରେଶ ରାତ୍ରି ଭୋଜନ ନୁହେଁ, ରାତିରେ ରନ୍ଧାବଢ଼ା କରିବା ପାଇଁ ଚାଉଳ, ଅଟା, ପରିବା ଏବଂ ଷ୍ଟୋଭ୍ ଧରି ପହଞ୍ଚିଲା । ଓମ୍ଫେଡ୍ କ୍ଷୀର ପ୍ୟାକେଟ୍ ବଢ଼ାଇ ଦେଇ ହୁଏତ କହିବାକୁ ଚାହୁଁଥିଲା- “ଷ୍ଟୋଭ୍ ଜାଳି ଦୁଇକପ୍ ଚା’ କର ।”

କିନ୍ତୁ ସେ କିଛି କହିବା ଆଗରୁ ଅନ୍ୟା ଆକ୍ରମଣ ଆରମ୍ଭ କରିଦେଲା ।

କ୍ରୃଦ୍ଧ କଣ୍ଠରେ ପଚାରିଲା- “ତମେ ମିସେସ୍ ସାହୁଙ୍କୁ ମୋର ପାଞ୍ଚ ମାସ ଗର୍ଭଧାରଣ କଥା କହିଛ ?”

ପ୍ରଶ୍ନଟା ଶୁଣି ହତଚକିତ ହୋଇଗଲା ଅମରେଶ ।

“ମୁଁ. . . ମୁଁ. . . ନା. . . ନା. . . ଏକଥା ମୁଁ ଆମ ଲ୍ୟାଣ୍ଡଲେଡ଼ିଙ୍କୁ କେବେ କହିଲି ?”

ହୁଏତ-

ଅମରେଶର ପାଟି ଖନି ମାରିଗଲା ।

ସେ ଟିକିଏ ସମୟ ନେଇ, ଭୁଲିଯାଇଥିବା କଥାକୁ ମନେ ପକାଇ କହିଲା- “ଆମ ଭୁବନେଶ୍ୱର ବ୍ୟାଙ୍କ ମ୍ୟାନେଜର୍ ଅଜୟ ରାଉତରାୟ ହୁଏତ କଥା ପ୍ରସଙ୍ଗରେ କହି ଦେଇଥିବେ । ଭୁବନେଶ୍ୱର ବଦଳି ହୋଇଗଲା ପରେ ତାଙ୍କୁ ମୁଁ ଛଅ ସାତ ହଜାର ଟଙ୍କା ଭିତରେ ମୋ ପାଇଁ ଗୋଟାଏ ଭଲ ଭଡ଼ାଘର ଖୋଜି ଦେବାକୁ କହିଥିଲି ସେ ହିଁ ମିସେସ୍ ସାହୁଙ୍କ ସହ ଘର ପାଇଁ କଥାବାର୍ତ୍ତା କରିଥିଲେ । ସେ ହୁଏତ”-

– “ତମେ ତମ ବ୍ୟାଙ୍କ ମ୍ୟାନେଜର୍‌ଙ୍କୁ କେବଳ ମୋ ଗର୍ଭାବସ୍ଥା କଥା କହିଛ ନା ମୋ ଗର୍ଭରେ କନ୍ୟାଭ୍ରୁଣ ଥିବା କଥା ମଧ୍ୟ କହିଦେଇଛ ?”

ଏଥର ଆକାଶରୁ ଖସି ପଡ଼ିଲା ଭଳି ଚମକି ଉଠିଲା ଅମରେଶ ।

ଡରି ଡରି କମ୍ପିତ କଣ୍ଠରେ ପଚାରିଲା- “ତମ ଗର୍ଭରେ କନ୍ୟାଭ୍ରୁଣ ଅଛି ବୋଲି କିଏ କହିଲା ?”

ନିଜ ମୁହଁକୁ ହାତ ପାପୁଲିରେ ଘୋଡ଼ାଇ ରଖି ଅନ୍ୟା ଖୁବ୍ ଚାପା କଣ୍ଠରେ କହିଲା- “ଭଦ୍ରକରେ ଗତ ମାସରେ ମୋର ଜଣେ ଡାକ୍ତରାଣୀ ସାଙ୍ଗଦ୍ୱାରା ଟେଷ୍ଟ୍ କରାଇଥିଲି । ଭ୍ରୁଣ ଚିହ୍ନଟ ଯନ୍ତ୍ରରେ ପରୀକ୍ଷା କରି ସେ କହିଛି- ମୁଁ ଗୋଟିଏ ଝିଅର ମାଆ ହେବାକୁ ଯାଉଛି ।”

ତା’ପରେ ନିଜ ମୁଁହରୁ ହାତ ପାପୁଲି ଘୁଞ୍ଚାଇ ନେଇ ସେ ସ୍ୱାମୀଙ୍କ ମୁହଁକୁ ଅନେଇ ଅନେଇ କହିଲା- “ତମ ବଡ଼ ଭାଇଙ୍କର ତିନି ଝିଅ । ପୁଅ ନାହିଁ । ମୋର ବଡ଼ ଆଶା ଥିଲା ମୋର ପୁଅ ହେବ- କିନ୍ତୁ ଝିଅ ହେବା କଥା ଜାଣିଲା ପରଠାରୁ ମୋର ଗର୍ଭଧାରଣ କଥା କାହାକୁ କହିବାକୁ ଭଲ ଲାଗୁ ନାହିଁ”-

ପତ୍ନୀର କଥା ଶୁଣି ହସି ଉଠିଲା ଅମରେଶ । ସଶବ୍ଦରେ । ହସି ହସି କହିଲା- “ଆମ ଘରକୁ ଲକ୍ଷ୍ମୀ ଆସିବେ- ଏ କଥା ଅନ୍ୟମାନଙ୍କୁ କହିବା ପାଇଁ ତମେ ଢୋକ ଗିଳୁଛ କାହିଁକି ?” ଛି-

ଝିଅ ହେବା କଥା ଶୁଣି ସ୍ୱାମୀ ଖୁସିରେ ହସି ଉଠିବା ଦେଖି ଅନ୍ୟା ହତଚକିତ ହୋଇଗଲା । ଦେଢ଼ଶୁରଙ୍କ ବଡ଼ ଝିଅର ବାହାଘର ଖର୍ଚ୍ଚ ଉଠାଇବା ପାଇଁ ଗାଆର ଚାଷ ଜମି ବିକ୍ରି କରି ଦେବାକୁ ହୋଇଥିଲା । ସେତେବେଳକୁ ଅମରେଶ ଚାକିରୀ କରି ନ ଥିଲେ । ମଝିଆ ଝିଅକୁ ମଟର ସାଇକେଲ୍ ଯୌତୁକ ଦେବା ପାଇଁ ଅମରେଶଙ୍କୁ ବ୍ୟାଙ୍କରୁ ଦଶ ହଜାର ଟଙ୍କା ଋଣ ନେବାକୁ ହେଲା । ସେ ଋଣ ଟଙ୍କା ଏବେ ସୁଦ୍ଧା ସୁଝା ସରି ନାହିଁ । ବଡ଼ ଝିଆରୀର ପୋଲିସ ସବ୍ଇନ୍ସପେକ୍ଟର୍ ବର ମଟର ସାଇକେଲ୍ ପାଇଁ ଟଙ୍କା ଦାବି କରିବାରୁ ଛଅ ମାସ ହେଲା ଝିଆରୀ ବାପଘରକୁ ଫେରି ଆସିଛି । ସାନ ଝିଅ ବି.ଏ. ପାସ୍ କରି ଘରେ ବସି ରହିଛି । ପାଠ ପଢ଼ିଲେ ବିନା ଯୌତୁକରେ ବର ମିଳିଯିବେ ବୋଲି ଯେଉଁ ଧାରଣା ଥିଲା, ତାହା ଅଳୀକ ପ୍ରମାଣିତ ହୋଇଛି । ବିବାହ ବଜାରରେ ସାନ ଝିଆରୀ ମଟୁ ପଡ଼ିଯିବ ବୋଲି ଆଶଙ୍କା କରି ଥରେ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା । ପୋକମରା ଔଷଧ ଖାଇ ଦେଇଥିଲା । ଶସ୍ତା ନକଲି ଔଷଧ ବୋଲି ସେ ବଞ୍ଚିଗଲା । ଔଷଧ କାଟୁ କଲା ନାହିଁ । କିନ୍ତୁ ବଡ ଯାଆ ବାଲେଶ୍ୱର ଆସି ତାକୁ ଶୁଣାଇ ଶୁଣାଇ ଅମରେଶଙ୍କୁ କହିଗଲେ- “ତମେ ଯଦି ଯାନିଯୌତୁକ ଦେଇ ସାନକୁ ଭଲ ବର ପାତ୍ର ଦେଖି ବାହା ନ ଦିଅ- ତା’ହେଲେ ବେକରେ ଦଉଡ଼ି ଦେଇ ମୁଁ ଜୀବନ ହାରିଦେବି ।”

ସବୁ କଥା ଜାଣି ସୁଦ୍ଧା ଅମରେଶ ଝିଅର ବାପା ହେବା କଥା ଶୁଣି ହସିପାରନ୍ତି, ଏହା ବିଶ୍ୱାସ କରିପାରୁ ନଥିଲା ଅନ୍ୟା ।

ଜଳ ଜଳ କରି ସ୍ୱାମୀଙ୍କ ମୁହଁଙ୍କୁ ଚାହିଁ ରହିଥିଲା ।

– ଏମିତି ଅନେଇ ରହିଛ କ’ଣ ? ଘରକୁ ଲକ୍ଷ୍ମୀ ଆଗମନ କରୁଥିବା ଆନନ୍ଦରେ ଦୁଇ କପ୍ ଚା’ କର ।

ଅନ୍ୟା ଦୃଷ୍ଟି ଫେରାଇ ନେଇ ଉତ୍ତର ଦେଲା- ରାନ୍ଧି ବାଢ଼ି ଖାଇବାକୁ ଦେବା ପାଇଁ ବାସନକୁସନ ଧୋଇ, ଘର ସଫାସୁତୁରା ରଖିବା ଲାଗି ଝିଅର ପ୍ରୟୋଜନ । ସେଥିପାଇଁ ଝିଅ ହେବ ବୋଲି ଶୁଣି ଖୁବ୍ ଖୁସି ହୋଇଯାଇଛ । କିନ୍ତୁ ମୁଁ କହି ରଖୁଛି- ଆଜିଠାରୁ ଚା, ଜଳଖିଆ ମୁଁ କରିବି ନାଇଁ । ତମକୁ କରିବାକୁ ହେବ । ପାଞ୍ଚ ମାସ ପୂରିଗଲାଣି । ମନ ଖରାପ ନ କରିବାକୁ ମତେ ମିସେସ୍ ସାହୁଙ୍କ ଝିଅ ଦୀପା କହିଯାଇଛି ।

ଅମରେଶ ବିନା ଦ୍ୱିଧାରେ ଷ୍ଟୋଭ୍ ଜଳାଇ ଚା’ କରିବାକୁ ବସି ପଡ଼ିଲା ।


Rate this content
Log in

Similar oriya story from Classics