Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଶୁଆ ଶାରୀ କଥା - ୩୧
ଶୁଆ ଶାରୀ କଥା - ୩୧
★★★★★

© ଓଡିଆ ଶିଶୁ ଗପ

Children

8 Minutes   7.4K    19


Content Ranking

ସତୀ ରମଣୀ

ତକ୍ଷଶୀଳା ନଗର ନାମରେ ଏକ ରାଜ୍ୟ ଥିଲା । ସେ ରାଜ୍ୟକୁ ଭାରତିକାସୁ ନାମକ ଜଣେ ରାଜା ଶାସନ କରୁଥିଲେ – ଦିନକର କଥା ଜଣେ ବିଦେଶୀ ଆସି ସେହି ରାଜ୍ୟର ଧର୍ମଶାଳାରେ ରହିଲେ । ସେଠାରେ ଚାନ୍ଦ ନାମରେ ଜଣେ ଧୋବଣୀ ଥିଲା । ଚାନ୍ଦ ଦେଖିବାକୁ ସ୍ୱର୍ଗର ଅପସରାଙ୍କ ଠାରୁ ମଧ୍ୟ ଅହୁରୀ ଅଧିକ ସୁନ୍ଦରୀ ଥିଲା । ସେ ଧୋବଣୀ ନିଇତି ଧର୍ମଶାଳାକୁ ଆସେ । ଚାନ୍ଦକୁ ଦେଖିବା ମାତ୍ରେ ସେ ବିଦେଶୀ ଜଣଙ୍କ କହିଲା – ଆଲୋ ହେ ମୋ ଲୁଗାପଟା ଦୁଇ ଖଣ୍ଡ ନେଇ ସଫା କରି ଆଣନ୍ତୁ ନାହିଁ ।

ଧୋବଣୀ କହିଲା – ହଁ ବାବୁ, ତୁମେ କି କଥା କହୁଛ ବା । ମୋର ଯାହା ବୃତି ତାହାକୁ କ’ଣ ଛାଡି ଚଳି ପାରିବି ଦୋଉନ ଦିଅ । ତୁମର ଯାହା ଯାହା ସଫା ହବ । ହଁ ସଫା କରି ଆଣି ଦେବାକୁ ଗୋଟିଏ ଦିନ ଲାଗିବ ।

ବିଦେଶୀ ଜଣଙ୍କ ତାଙ୍କର ଧୋତି ପଞ୍ଜାବୀ ଦୁଇ ଖଣ୍ଡ ସଫା କରିବାକୁ ଦେଇ ଦେଲା ।

ଧୋବଣୀ ଲୁଗା ନେଇ ଚାଲି ଯାଉଥିବା ସମୟରେ ବିଦେଶୀ ପଚାରିଲେ ଏହି ସଫା କରିବା କାର୍ଯ୍ୟ ଲାଗି ମୋର ତୁମକୁ କେତେ ପ୍ରାପ୍ୟ ଦେବାକୁ ହେବ ।

ଧୋବଣୀ କହିଲା – ଧୋତି ଖଣ୍ଡିଏ ସଫା କରିଦେଲେ ପଞ୍ଜାବୀଟିଏ ନେବି । ପଞ୍ଜାବୀ ଗୋଟିଏ ସଫା କରି ଦେଲେ ଧୋତି ଗୋଟିଏ ନେବି । ଦେଖୁ ନାହାଁନ୍ତି ବାବୁ ବର୍ତ୍ତମାନ ବଜାରରେ କିପରି ଧୋଇବା ଦ୍ରବ୍ୟ ଗୁଡିକର ମୁଲ୍ୟ କିପରି ଉଚ୍ଚା ହୋଇଛି ।

ବିଦେଶୀ ଧୋବଣୀର ସମସ୍ତ କଥା ଶୁଣି ଖଣ୍ଡିଏ ପଞ୍ଜାବୀ ଓ ଖଣ୍ଡିଏ ଧୋତି ସଫା କରିବାକୁ ଦେଇ ଦେଲା । ଧୋବଣୀ ପଞ୍ଜାବୀ ଖଣ୍ଡିଏ ଆଉ ଧୋତି ଖଣ୍ଡିଏ ଧରି ଚାଲି ଗଲା । ପାଂଚ ଛଅ ଦିନ ବିତି ଗଲା ସିନା ସେ ଆଉ ଧର୍ମଶାଳାକୁ ଆସି ନଥିଲା । ଏଣେ ବିଦେଶୀ ବାବୁଙ୍କର ପିନ୍ଧି ଯିବା ଲାଗି ଅଧିକ ପୋଷାକ ନାହିଁ । ଏଥି ଲାଗି ସେ ବହୁତ ବ୍ୟସ୍ତ ହୋଇ ପଡି ଲୋକଙ୍କ ଠାରୁ ଧୋବଣୀର ଘର ପଚାରି ପଚାରି ଯାଇ ସେଠାରେ ପହଁଚିଲା ।

ଯୋଗକୁ ସେଠାରେ ଧୋବଣୀ ସାଥିରେ ଦେଖା ହୋଇ ଗଲା । ଧୋବଣୀକୁ ଦେଖି ବିଦେଶୀ ଜଣକ ରାଗରେ ଲାଲ୍ ହୋଇଗଲେ । ତାକୁ ପଚାରିଲେ ତୁ କିମିତିକା ଲୋକ ଯେ ଏତେ ଦିନ ହେଲା ଲୁଗା ଆଣିଲୁନି । ସଫା କରି ଦେଇଥିଲେ ମୁଁ ସିନା କୁଆଡେ ଯାଇ ଥାଆନ୍ତି ।

ଧୋବଣୀ କହିଲା ଆପଣ ମୋ ଉପରେ ବିରକ୍ତ ହେବାର କାରଣ କିଛି ନାହିଁ । କି ଲୁଗା ପୁଣି ଆପଣଙ୍କୁ ଦେଇ ଥାଆନ୍ତି ।

ଧୋବଣୀର କଥା ଶୁଣି ବିଦେଶୀ ଜଣକ ଆଶ୍ଚର୍ଯ୍ୟ ହୋଇ କହିଲା – କି ଲୁଗା? ଧୋବଣୀ କହିଲା – ଆପଣ ମୋତେ ଖଣ୍ଡିଏ ଧୋତି ସହିତ ଖଣ୍ଡିଏ ପଞ୍ଜାବୀ ଦେଇ ଥିଲେ, ମୁଁ କହିଥିଲି ଧୋତିଟିଏ ସଫା କଲେ ପଞ୍ଜାବୀ ଗୋଟିଏ ନେବି । ଆଉ ପଞ୍ଜାବୀ ଗୋଟିଏ ସଫା କରି ଦେଲେ ଧୋତିଟିଏ ନେବି । ଆପଣ ଯାହା ସଫା କରିବାକୁ ଦେଇ ଥିଲେ ଧୋଇବା ବାବଦକୁ ତ ମୁଁ ମୋର ପ୍ରାପ୍ୟ ପାଇଗଲି । ଦୁଇଟି ଯାକ ସଫା କଲି, ତା’ ବଦଳରେ ଦୁଇଟି ଯାକ ନେଇ ଗଲି । ତୁମକୁ ମୁଁ ଭଲରେ ଭଲରେ କହୁଛି । ଏମିତି କ୍ରୋଧିତ ନ ହୋଇ ନିଜ ରାସ୍ତା ଏବେ ନିଜେ ଦେଖ । ତାହା ନହେଲେ ତମେ ଅପମାନ ପାଇବ ।

ବିଦେଶୀ ଜଣକ ନିରୂପାୟ ହୋଇ ଯାଇ ନିକଟସ୍ଥ ଥାନାକୁ ଯାଇ ଜମାଦାର ବାବୁଙ୍କୁ କହିଲା – ଜମାଦାର ବାବୁ ସିପାହୀକୁ ପଠାଇ ଧୋବଣୀକୁ ଡାକି ନେଲେ ।

ଧୋବଣୀକୁ ଦେଖି ଜମାଦାର ବାବୁ ପଚାରିଲେ କିଲୋ ଚାନ୍ଦ, ସେଦିନ ପରା ତୁ ତୋ ପାଖ ପୁରାଇ ଦେଉ ନଥିଲୁ । ଏଥର ହାଜତରେ ରହିବୁତ ।

ଚାନ୍ଦ ଧୋବଣୀ ଜମାଦାରଙ୍କର କଥା ଶୁଣି ହସି ଦେଇ କହିଲା ତୁମ ପରି ଲୋକକୁ ମୁଁ ପାଖ ପୁରାଇ ଦେଲି ନାହିଁ, ଏ କିମିତିକା କଥା ବାବୁ, ମୁଁ ଜାଣେ ଗେରସ୍ତକୁ ପଛ କରି ଆଗ ଆପଣଙ୍କୁ କାହିଁକି ଆଜି ରାତିରେ ଆସୁ ନାହାଁନ୍ତି ।

ଜମାଦାର ବାବୁ ଚାନ୍ଦ ଧୋବଣୀ ଠାରୁ ଯେତେ ବେଳେ ଏକଥା ଶୁଣିଲେ ସେ ସଙ୍ଗେ ସଙ୍ଗେ ବିଦେଶୀ ଉପରେ ତାନ ତୋଡ ହୋଇ ବିଦା କରି ଦେଲେ ।

ଜମାଦାର ଯେତେ ବେଳେ ଏକଥାକୁ କାନକୁ ନେଲେ ନାହିଁ ସେ ବିଦେଶୀ ଯାଇ ତାଙ୍କ ଉପର ବାବୁଙ୍କୁ ଧରିଲା । ସେଠାକାର ବାବୁ ଖୁବ୍ ନାଲି ଆଖି କରି ଧୋବଣୀକୁ ପାଖକୁ ଡକାଇ ନେଲେ । ପ୍ରଥମେ ସେ ଖୁବ୍ କଡା ଗଳାରେ କହିଲେ ଆଲୋ ହାରାମଯାଦି, ତୁ ଏ ବିଦେଶୀ ଲୋକର ଲୁଗା କାହିଁକି ଦେଉ ନାହୁଁ ।

ଧୋବଣୀ କହିଲା – ମୋ କଥା ଟିକେ ଶୁଣନ୍ତୁ । ତା’ ପରେ ଯାଇ ମୋ ଉପରେ ରାଗିବେ । ଏହା କହି ଧୋବଣୀ ଟିକେ ଓଠ ବଂକେଇ ହସି ଦେଲା ।

ଧୋବଣୀ ମୁଖରେ କିପରିକା ହସ ଦେଖିଲେ କେଜାଣି ଥାନାର ବଡ ବାବୁ ସେ ସଙ୍ଗେ ସଙ୍ଗେ ତରଳି ଯାଇ ନରମ କଥାରେ କହିଲେ – କିଲୋ ତୁ କ’ଣ ସବୁ ଦିନ ଏହି ପରି ବିଦେଶୀ ବାବୁଙ୍କ ସାଥିରେ କାମ ଚଳାଉ ଥିବୁ । ଯେତେ ବେଳେ ବିପଦ ପଡିବ ସେତେ ବେଳେ ଆମ ପାଖକୁ ଚାଲି ଆସିବୁ ।

ତହୁଁ ଚାନ୍ଦ ଧୋବଣୀ ପୁଣି ଓଠରେ ହସ ଫୁଟାଇ କହିଲା – ମଲା ମଲା ଆପଣ ଏ କିକଥା କହୁଛନ୍ତି ସାଆନ୍ତେ, କହୁଛନ୍ତି ବିଦେଶୀ, ପୁଣି ଯେଉଁମାନେ ନିଜର ହୋଇ ପଡିଛନ୍ତି ସେମାନେ ପରା ଗେରସ୍ତ ମାନଙ୍କ ଠାରୁ ଉପରେ । ଏଥର ଆଜି ଦଶଟା ବେଳକୁ ମୋ ଘରକୁ ଆସୁ ନାହାଁନ୍ତି ।

ଧୋବଣୀ କଥାରେ ଥାନାର ବଡ ବାବୁ ତରଳି ଯାଇ କହିଲେ – ହଇହୋ ବିଦେଶୀ ବାବୁ ସେମାନେ ଛୋଟ ଲୋକ ହେଲେ ବୋଲିକି ସେମାନଙ୍କର କ’ଣ ଇଜ୍ଜତ୍ ନାହିଁ । ତା’ଠାରୁ ତମେତ ସବୁ କଥା ଶୁଣିଲ, ଏଥିରେ ତାର ଭୁଲ୍ କେଉଁଠାରେ ରହିଲା । ଯାଅ ତୁମର ବିଚାର ଏଠାରେ କରାଯାଇ ପାରିବ ନାହିଁ ।

ଧୋବଣୀ ଏହା ପରେ ବଡ ବାବୁଙ୍କ ମୁଖକୁ ଚାହିଁ ହସି ଦେଲା । ବିଚାରପତି ବାବୁ ତାର ସେହି ସୁନ୍ଦର ରୁପକୁ ଚାହିଁ ରହିଛନ୍ତି । ଚାନ୍ଦ ଧୋବଣୀର ଶେଷ କଥା ପଦକ ବଡ ବାବୁଙ୍କ ମନକୁ ପାଇଲା ସେ ତହୁଁ କହିଲେ ଆଲୋ ଆମେ ତମ ମାନଙ୍କର ମନର କଥାକୁ କିପରି ଜାଣିବୁ କହିଲୁ, ଆଗରୁତ କେବେ ଏମିତି କଥା ଶୁଣାଇ ନଥିଲୁ । ଆଜି ଦରକାର ପଡିବାରୁ ଆସିଲୁ ସିନା ।

ଚାନ୍ଦ ଧୋବଣୀ କହିଲା – ଆପଣ ମାନଙ୍କର ସେବା କରିବାକୁ ଆମର ବା କୋଉ ଭାଗ୍ୟରେ ଅଛି । ବାବୁ ମାନଙ୍କର ଚେହେରା, ରୁପ, ଟଙ୍କା, ପଇସା, ଆମକୁ ଦୁଲ୍ଲର୍ଭ ।

ବଡ ବାବୁ ଦେଖିଲେ ବିଦେଶୀ ଚାଲି ଗଲେଣି । ତହୁଁ ସେ ଚାନ୍ଦର ମୁଖକୁ ଘଡିଏ ଚାହିଁ କହିଲେ – ଦେଖିବାତ ଦଶଟା ବେଳକୁ କହିଛୁତ?

ଏହା ପରେ କଳା ଅନ୍ଧାରର ରାତ୍ରି ହେଲା । ସହର ବଜାର ସବୁ ଆଡେ ଆଲୁଅ ଜଳିଲା । ଚାନ୍ଦ ଧୋବଣୀର କହିବା ଅନୁସାରେ ଜମାଦାର ବାବୁ ଯାଇ ସେଠାରେ ହାଜର ହେଲେ । ଜମାଦାର ବାବୁଙ୍କୁ ଯେମିତି ଧୋବଣୀ ଦେଖିଲା, ସଙ୍ଗେ ସଙ୍ଗେ ଆଦର କରି ସମ୍ମାନ ଦେଇ ଘରେ ନେଇ ବସାଇଲା । ନିଜ ହାତରେ ପାନ ଭାଙ୍ଗି ଜମାଦାର ବାବୁଙ୍କୁ ଖୁଆଇ ଦେଇ ତଳେ ବସି ଗଲା ।

ଚାନ୍ଦ ଧୋବଣୀକୁ ଏପରି ବସିବାର ଦେଖି ଜମାଦାର ବାବୁ କହିଲେ କିଲୋ ତୋର କ’ଣ ତଳେ ବସିବାର କଥା । ଆ ଏହି ଖଟ ଉପରେ ବସ ।

ଧୋବଣୀ ଏକଥା ଶୁଣି ହସି ଦେଇ କହିଲା ଏମିତି ତର ତର ହେଲେ କିପରି ହେବ । ଆସ ବୋଲି କ’ଣ କହୁଛୁଲୋ ଚାନ୍ଦ, ମୋତେ ତୁ ଆଗ ରକ୍ଷା କର । ମୋର ଆଉ ସେ ପ୍ରେମ ଫ୍ରେମ ଦରକାର ନାହିଁ । କୋଉଠି ହାଣ୍ଡି କୁଣ୍ଢେଇ ଅଛି ଦେଖେ । ଯେତେ ଶିଘ୍ର ପାରୁଛୁ ତୁ ମୋତେ କୁଆଡେ ଲୁଚେଇ ଦେ । ମୋର ଚାକିରି ଚାଲି ଗଲା ବୋଲି ଜାଣ ଚାନ୍ଦ ।

ଚାନ୍ଦ କହିଲା ତାହା ହେଲେ ଠିକ୍ ଅଛି । ମୋର ତ ଏହି ବଖୁରିଏ ମାତ୍ରକ ଘର । ଆର ପଟକୁ ମୋର କୁକୁଡା ଭାଡିଟିଏ ଅଛି । ତମେ ତାରି ଭିତରେ ପଶି ଯାଅ । ମୁଁ ତୁମ ଉପରେ ଗୋଟାଏ ଲୁଗା ଘୋଡାଇ ଦେଉଛି ।

ଚାନ୍ଦ ଧୋବଣୀର ମୁଖରୁ କଥା ନ ନସରୁଣୁ ଜମାଦାର ବାବୁ ଝପଟି ଯାଇ କୁକୁଡା ଭାଡି ଭିତରେ ପଶି ଗଲାରୁ ଧୋବଣୀ ତାଙ୍କ ଉପରେ ନାଲି ଲୁଗା ଖଣ୍ଡିଏ ଢାଙ୍କି ଦେଲା ।

ଜମାଦାର ବାବୁଙ୍କୁ ଲୁଗା ଘୋଡାଇ ଦେଇ ସାରି ଚାନ୍ଦ ଏଥର ଥାନାର ବଡ ବାବୁଙ୍କ ଲାଗି ଦରଜା ଖୋଲି ଦେଲା । ଥାନାର ବଡ ବାବୁ ଯୋତା ମଚ ମଚ ଶବ୍ଦରେ ଘର ଭିତରକୁ ପଶି ଗଲେ । ଚାନ୍ଦ କହିଲା, ଆପଣ ଟିକେ ଏହି ଠାରେ ବସି ପଡନ୍ତୁ । ମୁଁ ଖାଲି ଦୁଆରଟା ଖୋଲି ଦେଉଛି ।

ଧୋବଣୀ ଦୁଆରଟା ଖୋଲିବାକୁ କହୁଛି ଶୁଣି ଥାନା ବାବୁ ସଙ୍ଗେ ସଙ୍ଗେ ଚାନ୍ଦର ହାତଟାକୁ ଧରି ପକାଇ କହିଲା – କିଲୋ ତୁ କ’ଣ ମୋ ଚାକିରି ଖଣ୍ଡକ ଖାଇ ଦେବୁ ନା କ’ଣ?

ଚାନ୍ଦ କହିଲା – ଏଥର ମୁଁ କ’ଣ କରିବି କହୁ ନାହାଁନ୍ତି । ମୋର ଘରତ ଦେଖୁଛନ୍ତି । ଏହି ଛୋଟିଆ ଘରଟାରେ ଆପଣଙ୍କୁ ଏଥର କେଉଁଠାରେ ଲୁଚାଇବି । ବରଂ ଆପଣ ମୋର କଥା ମାନି ଏହି ଶାଢି ଖଣ୍ଡିକ ଘୋଡାଇ ହୋଇ ସେହି ଚକି ପାଖରେ ବସି ଯାଆନ୍ତୁନା । ଦେଖନ୍ତୁ ଏତେ ବାଟରୁ ଚାଲି ଚାଲି ଆସିଛନ୍ତି । ଟିକିଏ ଦମ୍ ନେଇ ଯାଆନ୍ତୁନା । ତା ପରେ ଯାହା କରିବେ, ସେଥିରେ ମଜା ଚାଖିବେ ।

ଧୋବଣୀ ଏହା ପରେ ଜମା ଦାର ବାବୁଙ୍କ ସଙ୍ଗରେ ଖୁବ୍ ମିଠା ମିଠା କଥା କହି ବାବୁଙ୍କର ମନକୁ ମନାଇବାକୁ ଲାଗିଲା । ଏମିତି ଗପ ସପ ଦୁହିଁଙ୍କ ମଧ୍ୟରେ ଚାଲିଛି । ୟା ମଧ୍ୟରେ ରାତି ଦଶଟା ବାଜି ଗଲା ।

ସଙ୍ଗେ ସଙ୍ଗେ କବାଟରେ କାହାର ଠକ ଠକ ଶବ୍ଦ ଶୁଣିବାରୁ ଧୋବଣୀ ତର ତର ହୋଇ ଉଠି ଯାଇ କବାଟ ଖୋଲି ଦେଇ ଦେଖେ ତ ଥାନାର ବଡ ବାବୁ ଆସିଛନ୍ତି । ଧୋବଣୀ ହସି ଦେଇ କହିଲା – ସତରେ ବଡ ବାବୁ ମୋର କ’ଣ ବିଶ୍ୱାସ ଥିଲା ଯେ ତମେ ଆସିବ ବୋଲି ଛାର ଛିକର ମାଇପି ଲୋକ, ଛୋଟ ଜାତି, ଆମ ମାନଙ୍କ ଘରକୁ ଆସିବା ଲାଗି ମନତ ହୁଏ ନାହିଁ, ଦେଖିଲା ଠଉଁ ସିନା ମୋର ବିଶ୍ୱାସ ହେଲା । ହେଲା ହେଲା ମୋ ସପନ ସତ ହେଲା । ଆପଣ ଏହିଠି ଟିକେ ବସନ୍ତୁନା ।

ଏହା କହି ବଡ ବାବୁଙ୍କୁ ଖଣ୍ଡିଏ ଚେୟାର୍ ଧରାଇ ଦେଇ ଧୋବଣୀ ଘର ଭିତରକୁ ଚାଲି ଗଲା । ଦେଖିଲ ଜମାଦାର ବାବୁ । କେଡେ ଛୋଟ ଆଉ କମଯୋର୍ ଏହି ବଡ ବାବୁ । ଏମିତି ଚାଲି ଆସିଲେ କ’ଣ ଆମେ ତମକୁ ସହଜରେ ଦେଇ ଦେବୁ, ତମେ ମଜ୍ଜା କରି ଚାଲି ଯିବ । ୟେ ଚାନ୍ଦ ଚାନ୍ଦମଣୀ ଧୋବଣୀଟି ।

ହଉ ବାବୁ ଆସ । ତମ ପରି ଭଲ ବାବୁ ମୁଁ କେବେ ଦେଖି ନାହିଁ । ଆପଣ ଖାସ୍ ମୋରି ଲାଗି ସେ ବିଦେଶୀଟାକୁ ତା ରାସ୍ତା ଦେଖାଇ ଦେଲେ । ଆପଣଙ୍କର କଥା ନ ବୁଝିଲେ ସଂସାରରେ ଧର୍ମ ଅଛିତ! ଏହା ପରେ ଧୋବଣୀ ଘରୁ ବାହାରକୁ ଚାଲି ଗଲା । ଚାଲି ଯିବା ବେଳେ କହି ଗଲା – ବ୍ୟସ୍ତ ହେବେ ନାହିଁ । ମୁଁ ସଙ୍ଗେ ସଙ୍ଗେ ଆସୁଛି ।

ଚାନ୍ଦ ଯାଇଛି ଯେ ଯାଇଛି । ଆଉ ଫେରିବାର ନାହିଁ । ଚାହିଁ ଚାହିଁ ଥାନାର ବଡ ବାବୁ ବିରକ୍ତ ହୋଇ ଗଲେ । ତହୁଁ ସେ ଉଠି ପଡି ରାଗରେ ଚାନ୍ଦର ଘରେ ଥିବା ସମସ୍ତ ଜିନିଷ ପତ୍ରକୁ ବାଡେଇ ଭାଙ୍ଗି ଦେଲେ । କବାଟ, ଝରକା, ହାଣ୍ଡି କୁଣ୍ଢେଇ ଏ ସମସ୍ତ ଭାଙ୍ଗି ସାରିବା ପରେ ତାର ନଜର ପଡି ଗଲା ଚାନ୍ଦର କୁକୁଡା ଭାଡି ଉପରେ । ରାଗରେ ବାବୁ କୁକୁଡା ଭାଡିକୁ ଯୋତା ଥିବା ପାଦରେ ଗୋଇଠା ପରେ ଗୋଇଠା ମାରିବାକୁ ଲାଗିଲେ । ଗୋଇଠା ମାଡରେ କୁକୁଡା ଭାଡି ଭାଙ୍ଗି ଯାଇ ଗୋଇଠା ଗୁଡାକ ଜମାଦାର ବାବୁଙ୍କ ଉପରେ ବାଜୁ ଥାଏ ।

ଜମାଦାର ବାବୁ ଜାଣୁ ଥାଆନ୍ତି ଯେ ବଡ ବାବୁ ଜାଣି କରି ତାକୁ ଏମିତି କ୍ରୋଧିତ ହୋଇ ଯୋତା ମାଡ କରୁ ଛନ୍ତି ।

ବଡ ବାବୁଙ୍କର ମାଡ ଆଉ ସହ୍ୟ କରି ନପାରି ଜମାଦାର ବାବୁ ହଠାତ୍ ଉଠି ପଡି ତାଙ୍କର ଗୋଡ ଧରି ପକାଇ କହିଲା ମୋତେ ରକ୍ଷା କରନ୍ତୁ ବଡ ବାବୁ । ମୋର ଅପରାଧ ହୋଇଛି । ମୁଁ ଆଜ୍ଞା ଏଠାରେ ଏକା ଏ ଦଶା ଭୋଗ କରୁ ନାହିଁ । ଦେଖୁ ନାହାଁନ୍ତି ଆଜ୍ଞା ସେଠାରେ ଆମ ଛୋଟ ବାବୁ କିପରି ଶାଢି ଢାଙ୍କି ହୋଇ ଚକିରେ ଚଣା ପେଶୁଛନ୍ତି ।

ଜମାଦାର ବାବୁଙ୍କ ମୁଖରୁ ଏକଥା ଶୁଣିବା ମାତ୍ରେ ଛୋଟ ବାବୁଙ୍କର ହଲକ ଶୁଖି ଗଲା । ସେ ଭୟରେ ନିଜେ ହାତ ଯୋଡି ଆସି ବାବୁଙ୍କ ପାଖରେ ଠିଆ ହେଲା । ଏଥର ବଡ ବାବୁ ବୁଝି ନେଲେ ଯେ ଏହା ସବୁ ହେଉଛି ଚାନ୍ଦ ଧୋବଣୀର ଚାଲ୍ । ତହୁଁ ସେ ରାଗ ଗର ଗର ହୋଇ ଦୁହିଁଙ୍କୁ ଧରି ନେଇ ଥାନାକୁ ଚାଲି ଗଲେ । ସିପାହୀ ମାନଙ୍କୁ ପଠାଇ ଧୋବଣୀକୁ ଡାକି ନେଲେ । ନିଜର ଇଚ୍ଛା ମେଂଟାଇବାକୁ ଯାଇ ଯୋଡି ବେତରେ ଦମେ ପିଟା ପିଟି କଲେ ତାପରେ ଛାଡି ଦେଲେ ।

ଶୁଆ କହିଲା ଦେଖିଲୁ ଶାରୀ, ସଂସାରରେ ଏହି ଭଳି ମାଇକିନା ମାନେ ଅଛନ୍ତି । ଧୋବଣୀର ହାଲ୍ ଚାଲ୍ ବୁଝି ପାରିଲୁତ । ଏଥିରେ ପୁଣି କହୁଛୁ ତୁମ ନାରୀ ଜାତିଟା ବଡ ।

ଶାରୀ କହିଲା – ତୁ ସେପରି କଥା କହନା – ଧୋବଣୀ ଏଠାରେ କଣ କରି ଥାଆନ୍ତା ଆଉ । ନିଜର ସତୀତ୍ୱ ବଂଚାଇବା ଲାଗି ସେ ଏମିତି ପାଲା ଲଗାଇ ଦେଲା । ଏଥିରେ ତାର ଦୋଷ କ’ଣ । ଆଗ ଜମାଦାର ବାବୁ ତାପରେ ଛୋଟ ବାବୁମାନେ ସବୁ ସହକାରୀ ଚାକିରିଆନା । ଏମାନେ ପରା ଦେଶରେ ଧର୍ମ ଶାନ୍ତି ରଖିବାକୁ ଚାକିରି କରିଛନ୍ତି । ହେଲେ କ୍ଷେତକୁ ବାଡ ଖାଇଗଲା ପରି ଏମାନେ କ’ଣ କରୁଛନ୍ତି ଦେଖିଲୁତ ।

ଶୁଆ କହିଲା ଏଥିରେ ତୁ ମୋତେ ହାର ମନାଇବାକୁ ଭାବୁଚୁ ନୁହଁ । ତାହା ହେଲେ ଶୁଣ ମୁଁ ତୋତେ ଆଉ ଏକ ପ୍ରମାଣ ଦେଉଛି ।

ତକ୍ଷଶୀଳା ଭାରତିକାସୁ ଧୋବଣୀ

Rate the content


Originality
Flow
Language
Cover design

Comments

Post

Some text some message..