Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narayan chandra Senapati

Inspirational Others

3  

Narayan chandra Senapati

Inspirational Others

ନିଜର କିଏ ?

ନିଜର କିଏ ?

6 mins
335


ନଦୀକୂଳର ସୁଲୁସୁଲିଆ ପବନ ଖାଉ ଖାଉ ଗୋପାଳ ଭାବୁଛି ତା ଅତୀତକୁ । କ'ଣ ନ ଥିଲା ତା'ର, ମାବାପା, ଭାଇ, ଘରଦ୍ୱାର, ସ୍ନେହ, ମମତା, ରାଗ, ରୋଷା । କିନ୍ତୁ ଆଜି ହରାଇଛି ସେ ସବୁକିଛିକୁ।ହଠାତ ନଦୀକୂଳର ବାଲି ଓ ଜଳର ସଙ୍ଗମ ସ୍ଥାନରେ ଲାଗିଥିବା ମଣିଷଟିକୁ ଦେଖି ଖୁବ୍ ଜୋରରେ ଦୌଡ଼ିଲା ସେ।ପେଟେ ପାଣି ପିଇ ବେହୋସ ହୋଇଥିବା ବୟସ୍କ ମହିଳା ଜଣେ।ମୁହଁକୁ ଦେଖିଲା,ବିଶ୍ୱାସ କରିପାରିଲା ନାହିଁ ତା ଆଖିକୁ।ସେ ଆଉ କେହି ନ ଥିଲା ସେ ଥିଲା ତା ଆଡଦରଣୀୟା, ବାତ୍ସଲ୍ୟମୟୀ ମାଆ । ନାକରେ ହାତ ମାରି ଦେଖିଲା,ନିଃଶ୍ୱାସ- ପ୍ରଶ୍ବାସ ଚଳପ୍ରଚଳ ହେଉଛି।ପେଟରୁ ପାଣି ବାହାର କରି କାନ୍ଧରେ ପକାଇ ନେଇଗଲା ତା କୁଡ଼ିଆକୁ।ଭଗବାନଙ୍କୁ ଅନ୍ତରରେ ଡାକୁଥାଏ ସେ। ମୋ ମା'କୁ ବଞ୍ଚାଇ ଦିଅ ପ୍ରଭୁ। ଲାଗିପଡିଲେ ସେ ଆଉ ତା ସ୍ତ୍ରୀ ମାଳତୀ ମା ଚିନ୍ମୟୀଙ୍କ ସେବାରେ।ସେପଟେ ନିଜ ସହଧର୍ମିଣୀ ଚିନ୍ମୟୀଙ୍କୁ ନ ପାଇ ସାଗର ବାବୁ ପାଗଳ ପରି ଖୋଜୁଥାନ୍ତି । କାଳିଆ ସାଆନ୍ତ ଗୋପାଳର ଡାକ ଶୁଣିଲେ।ଆଖି ଖୋଲିଲେ ଚିନ୍ମୟୀ ଦେବୀ,ଗୋପାଳକୁ ଚିହ୍ନିପାରିଲେ ଓ ତା ବାପାଙ୍କୁ ଖୋଜି ଆଣିବାକୁ ଆଦେଶ ଦେଲେ। ଗୋପାଳ ମାଆଙ୍କ ଆଦେଶ ପାଇ ଖୋଜି ଖୋଜି ସାଗର ବାବୁଙ୍କୁ ବାଟରେ ପାଇଲା ଓ ଅନୁରୋଧ କରି ନେଇଆସିଲା ତା କୁଡ଼ିଆକୁ । ସାଗର ଓ ଚିନ୍ମୟୀ, ଗୋପାଳ ପ୍ରତି କରିଥିବା ଅବିଚାର ପାଇଁ ଲଜ୍ଜ୍ଵାରେ ମୁଣ୍ଡ ତଳକୁ କରି କାନ୍ଦୁଥାନ୍ତି।ଗୋପାଳ ଦୁହିଙ୍କ ଆଖିରୁ ଲୁହ ପୋଛି କହୁଥାଏ, କାନ୍ଦନା ବାପା ମାଆ।

ଆମକୁ କ୍ଷମା କରିଦେବୁରେ ଗୋପାଳ,ବାପା ମାଆଙ୍କର ସ୍ୱର ନ ସରୁଣୁ ଗୋପାଳ ମୁହଁରୁ ବାହାରିଆସିଲା ଆପଣମାନେ ପରା ମୋ ଭଗବାନ,ଭଗବାନ କ'ଣ ଭକ୍ତକୁ କ୍ଷମା ମାଗନ୍ତି।ତାପରେ ଗୋପାଳ ଶୁଣିଲା ମା'ର ଏ ଦୁରାବସ୍ଥାର କାରଣ । ଘରକୁ ବାହାରୁଥିବାରୁ ଆଜି ଖାଇ ପିଇ ବିଶ୍ରାମ ନେଇ ଆସନ୍ତାକାଲି ଯିବାପାଇଁ ଅନୁରୋଧ କଲା ଗୋପାଳ।ମାଳତୀ ଆଦରରେ ଖାଇବାକୁ ଦେଲା ଓ ଶୋଇବାର ବ୍ୟବସ୍ଥା କରିଦେଲା।ବିଶ୍ରାମ ନେବାବେଳେ ଦୁହେଁ ମନରେ ଭାବୁଥାନ୍ତି ଅତୀତର ଘାଟଣାବଳୀକୁ।

ଚିନ୍ମୟୀ...., ଦେଖିଲ ତ ଗୋପାଳକୁ,ଯାହାପ୍ରତି ତୁମେ ଅନ୍ୟାୟ ଅବିଚାର କରି ଘରୁ ତଡିଦେଲ... ସେ ତୁମ ପାଇଁ କଣ କଲା?ମାନିଲ ନାହିଁ ମୋ କଥା,ହିଂସାର ଘରେ ନିଜକୁ ସମର୍ପି ଦେଲ।

ତୁମେ କଟା ଘା'ରେ ଚୁନ ଦିଅନା ସାଗର,ମୁଁ ଅପରାଧୀ,ବହୁତ ଭୁଲ କରିଛି।ସେଥିପାଇଁ ତ ଅନୁତାପର ଅଶ୍ରୁଜଳ ଯେତେ ଚାହିଁଲେ ବି ଲିଭି ଯାଉନାହିଁ।

ସାଗର ଶୋଇ ପଡିଲେ,ମାତ୍ର ଚିନ୍ମୟୀର ଆଖିକୁ ନିଦ ନାହିଁ।ସେ ତାର ବିବେକର ତରାଜୁରେ ତଉଲୁଥାଏ ପର ଆପଣାର ଭାବକୁ ଏଇ ବ୍ୟସ୍ତ ବହୁଳ ଦୁନିଆଁର ଦୋକାନରେ।

ସାଗର ଥିଲେ ଜଣେ ଶିଳ୍ପପତି।ଚିନ୍ମୟୀ ଥିଲା ଏକ ବରିଷ୍ଠ ଓକିଲଙ୍କ ଏକମାତ୍ର କନ୍ୟା। ବଡ଼ ଅଭିମାନୀ,ଅହଙ୍କାରୀ ଥିଲା ସେ। ବଡ଼ ଯାକଜମକରେ ସେଦିନ ହେଲା ତାଙ୍କ ବିବାହ।ବିଳାସ ବ୍ୟସନରେ କଟିଲା ଦିନ ପରେ ଦିନ।ମାତ୍ର ଆସି କବାଟ ଠକ ଠକ କଲା ଦୁଃଖର ଦିନ।ବର୍ଷ ପରେ ବର୍ଷ ବିତିଗଲା ମାତ୍ର ଚିନ୍ମୟୀ କୋଳକୁ ଆସିଲା ନାହିଁ ଏକ ସନ୍ତାନ।ସାଗର ଥିଲେ ଜଣେ ମହତ,ଉଦାର ଲୋକ।ଭଗବାନଙ୍କ ଉପରେ ଥିଲା ଦୃଢ଼ ବିଶ୍ଵାସ।ମାତ୍ର ଚିନ୍ମୟୀ ଥିଲା ଏକ ଉଗ୍ର ଓ ନାସ୍ତି ବାଦୀ ମହିଳା।ଆଚାର,ବ୍ୟବହାର ଓ ଶିଷ୍ଟାଚାରର ଉର୍ଦ୍ଧ୍ବରେ ଥିଲା ସେ।ମାତ୍ର ଅକାଳେ ନିୟମ ନାସ୍ତି।ଘର, ବାହାର ଓ ସମାଜ ତାଙ୍କୁ ସନ୍ତାନହୀନା ପାଇଁ ଉପହସିତ କରୁଥାଏ।ଏପଟେ ସାଗରଙ୍କ ବଂଶରକ୍ଷା ପାଇଁ ଓ ସମ୍ପତ୍ତି ଆଧିପତ୍ୟର ସୁରକ୍ଷା ପାଇଁ ଆବଶ୍ୟକ ସନ୍ତାନଟିଏ।ୟା ଭିତରେ ଚିନ୍ମୟୀ ବାପା,ମା ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ।ଅପରପକ୍ଷରେ ଗର୍ବ ଅହଂକାର ଗାରିମା ଏକପ୍ରକାର ଚିନ୍ମୟୀ ଠାରୁ ହାତ ଛଡା ହେଉଥାଏ।ସାଗର ଓ ଚିନ୍ମୟୀ ସବୁ ଥାଇ ବି ଏକ ମସ୍ତବଡ ଦରିଦ୍ର ପରି ମନେ ହେଉଥିଲେ।

ଦିଅଁ ଦେବତାଙ୍କୁ କେତେ ଯେ ନ ଡାକିଛନ୍ତି।ଶେଷରେ ସ୍ଥିର କଲେ କାଳିଆ ପାଖକୁ ଯିବେ ଓ ଶେଷ ଥର ପାଇଁ ଅନ୍ତିମ ଉଦ୍ୟମର ଦୁଃଖକୁ ପରିପ୍ରକାଶ କରିବେ।

ବଡଦାଣ୍ଡକୁ ଅନେକ ଅସୁମାରୀ ଆଶା ନେଇ ଚାଲିଲେ ଦୁହେଁ।ଅନ୍ତରରେ ଉଦ୍ବେଗର ବିସ୍ଫୋରିତ ଜୁଆର।କାଳିଆଙ୍କୁ ବସି ଜଣାଇଲେ ହୃଦୟର ଦୁଃଖ । ବଡ଼ପଣ୍ଡାଙ୍କୁ ବି ଜଣାଇଲେ ଅନ୍ତରର ବେଦନା । ବଡ଼ପଣ୍ଡା ମ୍ରିୟମାଣ ହୋଇଗଲେ ଦୁହିଙ୍କ ଦୁଃଖ ଓ ଅଭୀପ୍ସାକୁ ଶୁଣି।ଆଶ୍ୱାସନା ଦେଇ କହିଲେ ବିଶ୍ୱାସ ରଖ, କାଳିଆ ନିଶ୍ଚୟ ଗୁହାରି ଶୁଣିବେ।ସେ ବଡ଼ ଦାଣ୍ଡରୁ କାହାରିକୁ ପରା ଖାଲି ହାତରେ ଫେରନ୍ତି ନାହିଁ।

ଆସିଲା ଝଡ଼ ତୋଫାନ।ସମସ୍ତେ ସ୍ଥାନ ଛାଡି ଚାଲିଗଲେ,ଜଗା ପିଣ୍ଢାରେ କୁଣିଆ ସାଜିଲେ ହାତଭାଗ୍ୟ ଓ ହତଭାଗିନୀ ଦୁହେଁ । ଥମିଗଲା ବତାସ, ଘୋଟିଆସିଲା ଅନ୍ଧାର।ମୁଣ୍ଡ କାନ ଆଉଁସି ଫେରିଆସୁଥିଲେ ହତାଶର ଦୁଆର ଖୋଲି।ହଠାତ ଶୁଭିଲା ଏକ ଶିଶୁର କୁଆଁ କୁଆଁ ଶବ୍ଦ।ଦୁହିଙ୍କ ପ୍ରାଣ କମ୍ପି ଉଠିଲା । ଦେଖିଲେ,ମନ୍ଦିରଠୁ ଅନତି ଦୂରରେ ଏକ ନିଛାଟିଆ ଜାଗାର ପ୍ରସ୍ତର ଉପରେ ଶୋଇଛି ସେ ସନ୍ତାନଟି।ପାଖରେ କେହି ବି ନାହିଁ।ଚିନ୍ମୟୀ ଯେମିତି ଉଠାଇ କୋଳରେ ଧରିଲେ ଶିଶୁଟିକୁ,ତାର କାନ୍ଦ ନିମିଷକେ ଉଭାନ ହୋଇଗଲା।ଚିନ୍ମୟୀ ଜିଦି ଧରିଲେ ନେବାପାଇଁ କିନ୍ତୁ କାହାର ଶିଶୁକୁ କେମିତି ଅକୁହା ନେଇଯିବେ,ଉଚିତ୍ ମନେ କରୁ ନଥାନ୍ତି ସଜ୍ଜନ ସାଗର।ଶେଷରେ ଭାବିଲେ ଏ ବୋଧେ କାଳିଆର ଦାନ।ଘରକୁ ଆଣିଲେ,ଆନନ୍ଦରେ ମନ ପୁରି ଉଠୁଥାଏ।ତାର ନାଁ ରଖିଲେ ଗୋପାଳ।ବହୁତ ଭଲ ପାଇଲେ,କେତେ ଯେ ତାକୁ ନେଇ ଆଶା ରଖିଲେ, ଆଉ ଏ ଦାନ ପାଇଁ କାଳିଆଙ୍କୁ ଭକ୍ତିରେ ବି ଡାକୁଥାନ୍ତି।

ବରଷେ ଯାଇନି କାଳିଆ ପୁଣି ସୌଭାଗ୍ୟ ଅଜାଡି ଦେଲେ।କୋଳକୁ ଦେଲେ ଆଉ ଏକ ପୁତ୍ର ସନ୍ତାନ।ଏଥର ଚିନ୍ମୟୀର ମନ,ଆତ୍ମା କୁଂଢେମୋଟ।ଆଉ ପାଦ ତଳେ ଲାଗୁ ନ ଥାଏ।ମାତ୍ର ବିଚରା ଗୋପାଳଟିର ସୁଖର କେଇଟି ମୁହୂର୍ତ୍ତ ଧୀରେ ଧୀରେ ଅପସରି ଗଲା।ଚିନ୍ମୟୀର ମନରେ ଏକ ଦୁଷ୍ଟ ଆତ୍ମାର ଚଳନ ପରି ଗୋପାଳ ଉପରୁ ସ୍ନେହ କମି କମି ଆସିଲା।ଗୋପାଳ ଓ ଅଶାନ୍ତ ଦୁହେଁ ବଢିବାକୁ ଲାଗିଲେ।ଗୋପାଳ ଧୀର,ନମ୍ର,ବିଚକ୍ଷଣ ବୁଦ୍ଧିମାନ ଥିଲା,ମାତ୍ର ଅଶାନ୍ତ ଛୁଆବେଳୁ ଜିଦ୍ଖୋର ଓ ଉଗ୍ର ସ୍ୱଭାବର ଥିଲା।ସାଗର କିନ୍ତୁ ଦୁହିଙ୍କ ସମାନ ଦୃଷ୍ଟିରେ ଦେଖନ୍ତି ଏପରିକି ଗୋପାଳର ଭଲ ଗୁଣ ପାଇଁ ତାରିଫ କରି ସେଭଳି ହେବାକୁ ଅଶାନ୍ତକୁ କହନ୍ତି।ଏ କଥା ଚିନ୍ମୟୀଙ୍କୁ ଭଲ ଲାଗୁ ନଥିଲା। ତା କୁଟିଳ ମନ ଭିତରେ ନିଜ ପର,ଜନ୍ମିତ ଓ ପାଳିତର ଭାବ ଆସୁଥାଏ। ଏକଥା ଆଦୌ ଭଲ ଲାଗୁ ନ ଥାଏ ସାଗରଙ୍କୁ।ହେଲେ ସେ ନାଚାର।ପାତର ଅନ୍ତର,ଦେଖା ଅଣଦେଖା,ପ୍ରଶଂସା ଓ ରୁକ୍ଷ ବ୍ୟବହାରର ଭିନ୍ନ ପ୍ରଦର୍ଶନ ମର୍ମାହତ କରୁଥାଏ ବାରମ୍ବାର।ଧୀରେ ଧୀରେ ଚିନ୍ମୟୀର ଅନ୍ୟାୟ,ଅତ୍ୟାଚାର ଗୋପାଳକୁ ସହିବାକୁ ପଡୁଥାଏ।ଦିନକର ଘଟଣା ଗୋପାଳକୁ ନିଜ ପରିଚୟ ଚିହ୍ନାଇଦେଲା।ଅଶାନ୍ତ ଚୋରିକରି ପଇସା ନେଇ ସାଥୀଙ୍କ ସଂଗେ ସିଗାରେଟ ଟାଣୁଥିଲା।ମାତ୍ର ସେ ଟଙ୍କା ଚୋରିକୁ ଦୋଷ ଦିଆଗଲା ଗୋପାଳ ଉପରେ।ନିସ୍ତୁକ ମାଡ଼ ଖାଇଲା ସେ। ଆଉ ଶୁଣିଲା ଜାତି କୁଳ ଜଣା ନ ଥିବା ପିଲା ଆଉ କଣ କରିପାରେ? ଅବଶ୍ୟ ଏକଥାକୁ ସଜାଡି ଦେଲେ ସାଗର ବାବୁ। ମାତ୍ର ଯେତେବେଳେ ଜନୈକ ସାଥି ଆସି କହିଲା ଯେ ଅଶାନ୍ତ ଚୋରି କରି ସିଗାରେଟ ପିଆଏ।ଏଥିରେ ଉତ୍କ୍ଷିପ୍ତ ହୋଇ ଅଶାନ୍ତ କୁ ନିସ୍ତୁକ ପିଟିଲେ ସାଗର ବାବୁ।କ୍ରୋଦ୍ଧାନ୍ବିତ ହୋଇ ଚିନ୍ମୟୀ କହିଲେ, ଏ ପର ଛୁଆ ପାଇଁ ମୋ ଛୁଆକୁ ମାରୁଛ?ଜିଦ ଧରି ନିଜ ପରିଚୟ ଜାଣିଲା ଗୋପାଳ।ସେଇଦିନୁ ତା ମା କିଏ,ବାପା କିଏ ମନେ ମନେ ଖୋଜୁଥିଲା ହେଲେ ସାଗର ଚିନ୍ମୟୀଙ୍କୁ କେବେ ବି ପର ଭାବି ନ ଥିଲା।

ଅଶାନ୍ତ ଚାହୁଁଥାଏ ଗୋପାଳ କେମିତି ତା ପାଖରୁ ଯାଉ,କାହିଁକି ନା ତା ଭଲଗୁଣକୁ ତାରଫ କରି ସମସ୍ତେ ତାକୁ ହିଁ ଅପମାନିତ କରୁଛନ୍ତି,ପୁନଶ୍ଚ ସେ ତ ତା ନିଜ ଭାଇ ନୁହଁ ତା ସମ୍ପତ୍ତିର ଭାଗ ମାଡି ବସିବ।ମା ପୁଅ ଦୁହେଁ ଖାଲି ଉପାୟ ଖୋଜୁଥାନ୍ତି,କିପରି ଓ କେଉଁଦିନ ସେମାନେ ତାକୁ ଘରୁ ବିତାଡିତ କରିଦେବେ।

ବାପା ସାଗର କିନ୍ତୁ ଅଧିକ ବିଶ୍ୱାସ କରନ୍ତି ଓ ଭଲ ପାଆନ୍ତି ଗୋପାଳକୁ।ଏମିତିକି ସବୁ କାଗଜ ପତ୍ର,ଟଂକାପଇସା ବିଶ୍ୱାସରେ ଦେଇଥାନ୍ତି ରଖିବାକୁ ଗୋପାଳକୁ।ଈର୍ଷାରେ ଜଳି ଯାଉଥାଏ ଅଶାନ୍ତ।ଏକ ଯୋଜନା କଲା ଘରୁ ତଡିବାକୁ ।ଏକ ବଦମାସ ସାଥିକୁ ହାତ କରି ମିଛ ସାକ୍ଷୀ ବନାଇଲା।ବାପା ଦଶ ଲକ୍ଷ ଟଙ୍କା ଦେଇଥିଲେ ସାଇତି ରଖିବାକୁ ଗୋପାଳକୁ।ରାତି ପାହିଲେ ହେବ ଶ୍ରମିକଙ୍କୁ ଦରମା।ରାତାରାତି ଅଶାନ୍ତ ସୁଯୋଗ ଦେଖି ସେ ଟଙ୍କା ଦେଇଦେଲା ସାଙ୍ଗ ଭୈରବାକୁ।ତା ପରଦିନ ସାଗର ମାଗିବାରୁ ଗୋପାଳ ଦେଇପାରିଲାନାହିଁ ଟଙ୍କା।ଅଶାନ୍ତ ପ୍ରମାଣିତ କଲା ଭୈରବ ମାଧ୍ୟମରେ ସେ ଦୋଷୀ।ଚିନ୍ମୟୀ ଜିଦ ଧରିଲା ଘରୁ ବିଦା କରିବାକୁ ମାତ୍ର,ସାଗରର ହୃଦୟ ବିଶ୍ୱାସ କଲା ନାହିଁ ଏ ଅବିଶ୍ୱସନୀୟ ଘଟଣା।ଗୋପାଳ କିନ୍ତୁ ନୀରବ ଦ୍ରଷ୍ଟା ହୋଇ ସହୁଥାଏ ଅପବାଦର ତାଡନା।

ଫ୍ୟାକ୍ଟୋରୀ କାମରେ ସାଗର ବାବୁ କିଛିଦିନ ଗଲେ ବାହାରକୁ।ମାତ୍ର ଏ ସୁଯୋଗ ପାଇ ମିଛ କେଶ୍ ରେ ପକାଇ ଚିନ୍ମୟୀ ଓ ଅଶାନ୍ତ ପିଟିପିଟି ତଡିଦେଲେ ସେ ଘରୁ।ସାଗର ଆସି ମର୍ମାହତ ହେଲେ,କେତେ ଯେ କାନ୍ଦିଲେ,ନିଜକୁ ଧିକ୍କାର କଲେ,ଏମିତିକି କାଳିଆ ପାଖରେ ଦୋଷୀ ବୋଲି ପ୍ରତି ମୁହୂର୍ତ୍ତରେ ଭାଳିହେଲେ।

ଅଶାନ୍ତର ଅଶାନ୍ତ ପ୍ରକୃତି ଧୀରେ ଧୀରେ ମହାବାତ୍ୟାର ରୂପ ନେଲା।ମଦ,ମାଂସ,ନାରୀ ବ୍ୟଭିଚାର ହି ହେଲା ତା ଧର୍ମ।ଶେଷରେ ଏକ ଦୁର୍ଦ୍ଧାନ୍ତ ବ୍ୟଭିଚାରୀ ଘାତକର ଝିଅକୁ ବିବାହ କଲା ସେ।ଏଣେ ସାଗର ବାବୁ ବ୍ୟତିବ୍ୟସ୍ତ ଓ ବିବ୍ରତ ହେଉଥାନ୍ତି।ଅଶାନ୍ତ ଓ ବୋହୁ ଶାଳିନୀର ମଦ୍ୟପାନ,ବାର ଡ୍ୟାନ୍ସ ଓ ବିଳମ୍ବ ରାତ୍ରୀରେ ଫେରନ୍ତା ସାଗର ଓ ଚିନ୍ମୟୀଙ୍କୁ ଭଲ ଲାଗୁ ନଥାଏ।ପ୍ରତିବାଦ କଲେ ଉଭୟ ପୁଅ ଓ ବୋହୁଠୁ ମାଡ଼ ବି ଖାଇବାକୁ ପଡୁଥାଏ।ପୁଅ ଧୀରେ ଧୀରେ ଡ୍ରଗ୍ସ ଆଡିକ୍ଟ ହୋଇଗଲା।ମା ବାପାଙ୍କୁ ଧମକ ଦେଇ,ଛୁରୀ ଭୁଜାଲି ଦେଖାଇ ଟଙ୍କା ନେଇ ମଉଜ ମଜଲିସ କଲା।ନିଜ ସ୍ତ୍ରୀ ଓ ଅସାମାଜିକ ଶ୍ୱଶୁର କଥାରେ ପଡି ବହୁତ ବ୍ୟାଯ୍ୟାପ୍ତ କଲା।ବାପାଙ୍କୁ ଧମକ ଦେଇ ଫ୍ୟାକଟୋରୀ ଦାୟିତ୍ୱ ନେଲା।ଅଶାଳୀନ ବ୍ୟବହାର ଓ ମୂର୍ଖାମୀରେ ଶିଳ୍ପ ବି ଉନ୍ନତି କଲା ନାହିଁ।ଲୋନ ଆଣିଲା ଶ୍ୱଶୁର ପ୍ରରୋଚନାରେ ଶେଷରେ ନିଜ ଘରଛାଡି ଶ୍ୱଶୁର ଘରେ ରହିଲା।ଋଣର ମାତ୍ରା ବଢିବାରୁ କମ୍ପାନୀ ନିଲାମ ହେଲା।କୂଟଚକ୍ରାନ୍ତରେ ଶ୍ବଶୁର ଛଡ଼ାଇନେଲେ ସମ୍ପତ୍ତି।ବାକି ରହିଲା ବଡ଼ କୋଠାଘର।ତାହା ଥିଲା ଚିନ୍ମୟୀ ନାମରେ।ଶତ ଚେଷ୍ଟାକରିବି ଅଶାନ୍ତ ଓ ଶାଳିନୀ ହାସଲ କରି ପାରୁ ନ ଥିଲେ ତାକୁ।ଶେଷରେ ଉପାୟ କରି ସାଗର ଓ ଚିନ୍ମୟୀଙ୍କୁ ଡାକିନେଲେ ପାଖକୁ ଅଶାନ୍ତ ଓ ଶାଳିନୀ।ଦିନେ ରାତ୍ରିରେ ବାରମ୍ବାର ବୁଝାଇଲା ପରେ ଯେତେବେଳେ ରାଜି ହେଲେନି ଚିନ୍ମୟୀ,ସାଗରଙ୍କୁ ଗୋଟିଏ ଘରେ କବାଟ କିଳି ଚିନ୍ମୟୀଙ୍କୁ ମାଡ଼ ମାରି ଅଚେତ କରି ତା ଟିପଚିହ୍ନ ନେଇଗଲେ ଦୁହେଁ।ମାତ୍ର ଲୋକ ଲଗାଇ ଶାଳିନୀ ଚିନ୍ମୟୀଙ୍କୁ ନଈକୁ ଫିଙ୍ଗା କରାଇଥିଲା।ଇତ୍ୟବସରରେ ଗୋପାଳ କୁଡ଼ିଆଟେ କରି ବିବାହ କରି ନିଜ ଶ୍ରମରେ ଆନନ୍ଦରେ ପାଳୁଥିଲା ମାଲତୀକୁ ନେଇ ତାର ତେଲ ଲୁଣର ସଂସାର।ଯେଉଁ ପୁଅକୁ ସେ ପର କହି ନିଜ ପୁଅକୁ ନିଷ୍କଣ୍ଟକ କରିଥିଲା ସେ ପୁଅ ଆଜି ନିଜ ମାକୁ ଫିଙ୍ଗିଦେଲା ନଦୀରେ।ଯିଏ ପାଳିତ ହୋଇଥିଲା ସେ ଆଜି ନିଜର ହୋଇ ବଞ୍ଚାଇଲା ତା ଜୀବନ।ୟା ଭିତରେ କୋହକୁ ଚାପି ପାରି ନ ଥିଲା ଚିନ୍ମୟୀ।ଧକେଇ ହୋଇ କାନ୍ଦିଥିଲା,ଯାହା ଥିଲା ତା ଆତ୍ମାର କ୍ରନ୍ଦନ।ସତେ ଯେମିତି କହୁଥିଲା, ଚିନ୍ମୟୀ ଏ ଗୋପାଳ ତୋର ନିଜର ପୁଅ..ପର ନୁହଁ।ଯିଏ ମା ପେଟରୁ ଜନ୍ମ ହେଲା ସେଇ କଣ ନିଜ ପୁଅ? ବିବେକ କହିଲା...ନାଁ, ଯିଏ ପୁଅର କର୍ତ୍ତବ୍ୟ ନିଭାଇ ପାରେ ସେ ନିଜ ଗର୍ଭରୁ ଜନ୍ମ ହୋଇ ନ ଥିଲେ ବି ସେ ପ୍ରକୃତ ନିଜର।କାନ୍ଦରେ ଭାଙ୍ଗିଗଲା ସାଗରର ନିଦ।ଦେଖିଲା ପାଦ ପାଖରେ ବସିଛି ଚିନ୍ମୟୀ,କହୁଛି... ମୋ ଗୋପାଳକୁ ଡାକ,କୁହ ମୋତେ ସେ କ୍ଷମା କଲା ନା ନାହିଁ।ପାଟି ଶୁଣି ଗୋପାଳ ଓ ମାଳତୀ ଧାଇଁ ଆସିଲେ,ଗୋପାଳ ମା'ର ଆଖିରୁ ଲୁହ ପୋଛି କହୁଥାଏ,ମୋ ଜନ୍ମକଲା ମା କିଏ ମୁଁ ତ ଦେଖିନି,କେବଳ ଏତିକି ଜାଣିଛି ତୁମେ ମୋ ମଆ।

ସାଗର କହିଲେ,କୁହ ଚିନ୍ମୟୀ,ଗୋପାଳ ତୁମ ନିଜର ନା ପର?

କାନ୍ଦି କାନ୍ଦି ଚିନ୍ମୟୀ କହିଲେ ମୋର ତ କେବଳ ଗୋଟିଏ ପୁଅ ସେ ହେଉଛି ଗୋପାଳ,ଯିଏ କି ଖୋଦ ମୋ ନିଜର।

ସେହିଦିନଠୁ ଗୋପାଳ ଶ୍ରମ କରି ନିଜ ମା ବାପାଙ୍କର ଋଣକୁ ଶୁଝିବାରେ ଲାଗିଲା ଆଉ ଯେଉଁଦିନ ନିଜର ଭୁଲ ବୁଝି ଅଶାନ୍ତ ଘରେ,ବାହାରେ ସମାଜରେ ଶାନ୍ତ ହେଲା ଓ ଗୋପାଳକୁ ନିଜ ଭାଇ ବୋଲି ସମ୍ମାନ ଦେଲା ସେଦିନ ସେ ଭାବିଲା ଏ ପୃଥିବୀଟା ଗୋଟାପୁଣି ତା ନିଜର।

ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର


Rate this content
Log in

Similar oriya story from Inspirational