Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Arabinda Rath

Others

3  

Arabinda Rath

Others

ବନ୍ଧନ

ବନ୍ଧନ

20 mins
4.6K


ଲେ : ଅରବିନ୍ଦ ରଥ

–- ହରି ନନା ପୁଅ ବହୁତ ବଡ ପରୀକ୍ଷାରେ ପାସ୍ କରିଛି। ତା ପାଇଁ ଏବେ ସିଧା କଲେକ୍ଟର ଚାକିରିଟା ଥୁଆ।

ନାଥୁ ପାନ ଦୋକାନରେ ପାନ ଚୋବାଇବାରେ ବ୍ଯସ୍ତ ଦୁଇଜଣ ଲୋକଙ୍କର କଥାବାର୍ତ୍ତା ମହାଜନ କାନରେ ପଡିଲା। ଘଟଣା କଣ ଜାଣିବା ପାଇଁ ଲୋକଙ୍କୁ ପଚାରିବାରେ ଜାଣିଲା ଯେ ସେଇ ଗାଁଆରେ ପାନ ଦୋକାନ କରି ପେଟ ପୋଷୁଥିବା ହରିର ପୁଅ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ସେ ହରିକୁ ଦେଖିଛି; ନିହାତି ଗରୀବ ଓ ନିରିହ ଲୋକଟେ। ତା ସ୍ତ୍ରୀ ଅନେକ ଦିନରୁ ଆରପାରିକୁ ଗଲାଣି। ବହୁତ କଷ୍ଟ କରି ପୁଅ କୁ ପାଠ ପଢେଇ ମଣିଷ କରିଛି। ଯାହା ହେଉ ତା ପିଲା ଟା କୁଳରେ ଲାଗିଗଲା। ଘରକୁ ଯାଇ ଖବରଟା ଦେଲା ବେଳକୁ ରୀତା ଦଉଡି ଆସି କହିଲା --

- କଣ ହେଲା! ! ଗଗନ ଆଇଏଏସ୍ ପାଇଗଲା। ସେ ପରା ଆମ କଲେଜ୍ ପିଲା, ଭଲ ପାଠ ପଢୁଥିଲା। କିନ୍ତୁ ସେ ମଫସଲିଆ ଚୁଡା ମାର୍କା ପିଲା ପୁଣି କଲେକ୍ଟର ହେବ??? ରୀତାଆଖିରେ ତାଚ୍ଛଲ୍ଯଭରା ଭଙ୍ଗୀ ବେଶ ବାରି ହୋଇ ପଡୁଥିଲା।

– ସେମିତି କହନି ରୀତା। ତୁ ଆଜି ଯାହାକୁ ମଫସଲିଆ କହୁଛୁ, ସେ କାଲି ସକାଳେ ଗୋଟେ ଜିଲ୍ଲାକୁ ଶାସନ କରିବ। କ୍ଷମତା, ପ୍ରତିପତ୍ତି ଓ ପ୍ରତିଷ୍ଠା ତା ପାଦ ତଳେ ଆସି ଲୋଟିବ। ଖାଲି ଭାବି ଦେଖ୍ , ଏମିତି ଗୋଟେ ନିପଟ ମଫସଲ ଗାଁଆର ପିଲା ନିଜ ପରିଶ୍ରମ ବଳରେ କଣ କରି ଦେଖେଇଦେଲା। କହିଲେ ମହାଜନ।

ମହାଜନଙ୍କ ଅସଲ ଉଦ୍ଦେଶ୍ଯଟା ଥିଲା ପୁରା ଅଲଗା। ରୀତା ପରି ଉଦ୍ଧତ, କମ ପାଠୋଇ ଓ ଶାଳୀନତା ବିହୀନ ବିବାହଯୋଗ୍ଯା ଝିଅ ପାଇଁ ବର ଖୋଜିବା ତାଙ୍କ ପାଇଁ କାଠିକର ପାଠ ଥିଲା। ସେ ମନେମନେ ଭାବୁଥିଲେ ଗଗନ ଚାକିରି ଟା କରିବା ଆଗରୁ କୌଣସି ମତେ ତାଙ୍କ ଝିଅ କୁ ତା ସହ ବାହାଘର କରେଇଦେଲେ ସାରା ଜୀବନ ପାଇଁ ନିଶ୍ଚିନ୍ତ ହୋଇ ରହିବେ।

– --ଆଛା ରୀତା, ତୁ ଗଗନ ସହ କେବେ କଥା ହୋଇଛୁ କି ନାହିଁ?

--- ଛିଃ...... ମୁଁ କାହିଁକି ସେ ଫଟିଚର ସହ କଥା ହେବି ମ। ତାକୁ ଥରେ ଦେଖିଲେ ତୁମେ ନିଜେ ଜାଣିବ ସେ କେତେ ଗାଉଁଲିଆ। ତା ପାଖରେ ଜମା ଦୁଇ ଖଣ୍ଡ ପ୍ଯାଣ୍ଟ ସାର୍ଟ। ସେଇଆକୁ ପାଳି କରି ପିନ୍ଧି କଲେଜ କୁ ଆସେ। ନା କାହା ସହ ମିଶେ, ନା ବୁଲାବୁଲି କରେ। ଯେତେବେଳେ ଦେଖିବ ଖାଲି ପାଠ ଆଉ ପାଠ। ବୁଝିଲ ବାପା, ସେ ତୁମ ଜମାନା ର ପୁରୁଣା ସିନେମା ହିରୋ। ହାଃ ହାଃ ହାଃ

ମହାଜନ ଜାଣିଶୁଣି ଚୁପ୍ ରହିଲେ। ଏବେ ନିଜ ମନ କଥାଟା ରୀତାକୁ କହିଦେଲେ ଖେଳଟା ବିଗିଡି ଯାଇପାରେ।

ମାଧପୁର ଗାଁଆର ମହାଜନ ବିକ୍ରମ ସାମନ୍ତରାୟ , ଅଚଳାଚଳ ସମ୍ପତ୍ତିର ଅଧିକାରୀ- - ପରିବାର କହିଲେ ସ୍ବାମୀ,ସ୍ତ୍ରୀ ଓ ଏକ ମାତ୍ର ଝିଅ ରୀତା। ରୀତା ପିଲାଟି ଦିନୁ ଅଭାବ କଣ ଜାଣିନି। ଯେତେବେଳେ ଯାହା ଦରକାର ସବୁ ଆସି ଗୋଡ ପାଖରେ ହାଜର। ପିଲା ଟି ଦିନରୁ ଅତି ଗେହ୍ଲାରେ ବଢି ଓୌଦ୍ଧତ୍ଯ ଗୁଣ ବି ବଢିଯାଇଛି ବହୁତ୍ ଅଧିକ। ମହାଜନର ଝିଅ, ବୋଲି କହି ବୁଲି ବଡଲୋକି ଦେଖାଇହେବା ଟା ପିଲାଟି ଦିନରୁ ଅଭ୍ଯାସଗତ। ସମସ୍ତେ ତା ବିଷୟରେ ଜାଣନ୍ତି, ତେଣୁ ତା ସହ କଥା ହେଲା ବେଳେ ହାତେ ମାପି ଚାଖଣ୍ଡେ ଚାଲିବା ନ୍ଯାୟରେ ଚାଲନ୍ତି। ପାଠର “ପ” ଅକ୍ଷର ଜାଣି ନଥାଏ ସେ। କିନ୍ତୁ ବାପ ପଇସା ବଳରେ ଯେନତେନ ପ୍ରକାରେଣ କଲେଜ୍ ମାଟି ମାଡିବାରେ ସକ୍ଷମ ହୋଇଥିଲା।

ସେଇ ଗାଁଆର ହରି ସାହୁ, ଆର୍ଥିକ ସ୍ଥିତି ବହୁତ୍ ଖରାପ ଓ ତା ଦେହରେ ହଜାର ରୋଗ। ସେ ସାନ ଦୋକାନ ଖଣ୍ଡେକରି ପରିବାର ଚଳାଏ। ସେଇ ରୋଜଗାରରେ ପାଠ ପଢେ ଏକ ମାତ୍ର ପୁଅ ଗଗନ। ଘର ବୋଲି କହିଲେ ଗାଏମୋଟ ଦୁଇ ବଖରା। ଚାଳ ପଡିଥିବା ଘରଟି ଖରାବର୍ଷାରୁ ଯେନତେନ ପ୍ରକାରେଣ ବଞ୍ଚାଇ ଦିଏ ବାପ ପୁଅଙ୍କୁ। ବାପ ଦୋକାନରୁ ଆସି ଭାତ ଶାଗ ଟିକେ ରୋଷେଇ କରିଦିଏ। ପାଟି ସୁଆଦ ଖାଇବାକୁ ପାଖରେ ପଇସା ନାହିଁ। ସେଇ ଖାଇବାକୁ ଅମୃତ ମଣୋହୀ ପରି ଉଦରସ୍ଥ କରନ୍ତି ଦୁହେଁ ପରମ ତୃ ପ୍ତିରେ। ଗଗନର କେବଳ କାମ ହେଲା କଲେଜ ଯିବା ଓ ପାଠ ପଢିବା । ବାପ ବରାବର ତାଗିଦ୍ କରେ

--- ଭଲ ପାଠ ପଢି ଚାକିରିଟେ କଲେ ମୋ ଦୁଃଖଯିବ। ତୋ ମାଆ ତ ଅନାଥ କରି ଚାଲିଗଲା। ମୋ ଦେଇ ଯେତିକି ହେବ ଜୀବ ଥିବା ଯାଏ କରିବି। ତା ପରେ ତୋ କଥା ତୁ ବୁଝିବୁ। ମୋ ପାଖରେ ନା ଜମି ବାଡି ଅଛି ନା ଧନରତ୍ନ। ତୋତେ ଏ ଭଙ୍ଗାଘର ଛଡା ଆଉ କିଛି ଦେଇପାରିବିନି ରେ ପୁଅ। ତୋ ମାଆ ଚାଲିଗଲା ବୋଲି ମୁଁ କୁଆଡେ ଯାଇନି ତୋତେ ଛାଡି। ସଦା ବେଳେ ତୋ ପାଖରେ ଛାଇ ପରି ରହିଛି। ପଇସା କମେଇବା ପାଇଁ ବହୁତ ସୁଯୋଗ ଆସିଛି। ଖାଲି ତୋତେ ଛାଡି ଯିବିନି ବୋଲି ଏଇ ଗାଁଆ ରେ ପଡି ରହିଛି। ତଥାପି ମନରେ ମୋର ଦୁଃଖ ନାହିଁ। ମୋ ଯୁଆନ୍ ପୁଅଟା ମଣିଷ ହୋଇଗଲେ, ମଲା ପରେ ତୋ ମାଆକୁ ଗର୍ବର ସହିତ ମୁହଁ ଦେଖେଇ ପାରିବି।

କହୁକହୁ ଆଖିରୁ କେଇ ଟୋପା ଲୁହ ଝରି ପଡେ। ଗଗନ ଚୁପ ହୋଇ ସବୁ ଶୁଣୁଥାଏ। ତା ବାପର ସ୍ନେହ ଓ ଭଲପାଇବା ଦେଖି ନିଜକୁ ବଡ ଭାଗ୍ଯବାନ ମନେକରେ। ଯାହା ପାଖେ ଏମିତି ବାପ ଥିବ, ତା ପାଇଁ ସଂସାର ରେ ଅସମ୍ଭବ ବୋଲି କିଛି ନାହିଁ ବୋଲି ମନେମନେ ଭାବେ।

ମହାଜନେ କୌଣସି ମତେ ନିଜ ଅସଲ ଉଦ୍ଦେଶ୍ୟଟା ରୀତାକୁ ଜଣେଇଲେ।

ତାକୁ ବୁଝେଇଲେ – --ଶୁଣ୍ ଝିଅ, ଗଗନ ଦେଖିବାକୁ କେମିତି, ତା ରୂପଭେକ, ଘର ପରିବାର କଥା ସବୁ ଭୁଲି ଯାଆ। କେବଳ ଗୋଟେ ଜିନିଷ ମନେ ରଖ ସେ ଭବିଷ୍ଯତର କଲେକ୍ଟର ହେବ। ଯଦି ତୋତେ ତା ସହ ବାହା କରେଇ ଦେବାରେ ମୁଁ ସଫଳ ହେବି ଜାଣିବୁ ଆମେ ସବୁ ଉଦ୍ଧାର ପାଇଯିବା। ତୁ ନିଜକୁ ଗଗନର ସ୍ତ୍ରୀ କହି ଗର୍ବ କରିବା ଦରକାର ନାହିଁ, ବରଂ ଗର୍ବ କରିବୁ କଲେକ୍ଟରଙ୍କ ସ୍ତ୍ରୀ କହି। ।

ସେଦିନ ସକାଳେ ରୀତା ଆସି ପହଞ୍ଚିଲା ଗଗନ ଘରେ। ହାତରେ ଖବର କାଗଜ ଓ ବଡ ମିଠା ପୁଡିଆ। ଗଗନ ବାପର ଗୋଡ ତଳେ ପଡି ପ୍ରଣାମ କରି କହିଲା

– – ଆଜ୍ଞା, ମୁଁ ମହାଜନଙ୍କ ଝିଅ ରୀତା। ଗଗନଙ୍କ ସହ କଲେଜ୍ ରେ ପଢୁଥିଲି। ଆଜି ହିଁ ଜାଣିଲି ଗଗନ ଭାରତୀୟ ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଉ ରହି ହେଲାନି। ସେଇଥିପାଇଁ ଚାଲି ଆସିଲି ଗଗନଙ୍କୁ ଦେଖା କରିବାକୁ। କିଛି ନ ବୁଝି ପାରି ହରି ଡାକ ପକାଇଲେ ଗଗନକୁ। ସେ ଆସିଲା ମାତ୍ରେ ରୀତା ଏକ ରକମ କୁଣ୍ଢେଇ ପକାଇ କହିଲା

---- ଓଃ ଗଗନ, ତୁମେ ଜାଣି ପାରିବନି ମୁଁ କେତେ ଖୁସି ଆଜି। ତୁମ ପାଇଁ ଆଜି ସାରା ଗାଁଆ ଗର୍ବିତ।

ଗଗନ ଟିକେ ସଙ୍କୁଚିତ ହୋଇଗଲା। ସେ ବିଶ୍ବାସ କରି ପାରିଲାନି ଯେ ଯେଉଁ ରୀତା ତା ସହ କଲେଜ୍ ରେ ଦିନେ କଥା ବି ହେଇନି, ସେ ତା ଘରକୁ ଆସି ଏମିତି ରୂପରେ ବଧାଇ ଦେବ ବୋଲି। କିଛି ସମୟ କଥା ହୋଇ ରୀତା ଚାଲିଗଲା। ଗଲା ବେଳେ କହିଲା ପୁୁଣି କାଲି ଆସିବ ବୋଲି। କିନ୍ତୁ କାହିଁକି ରୀତା ଆସିବ, ସେ କଥା ବୁଝି ପାରିଲାନି।

ମହାଜନଙ୍କର ପ୍ରଥମ ତୀରଟା ଠିକଣା ଜାଗାରେ ବାଜିଥିଲା।

ହରି ହସିହସି ଛିଗୁଲାଇ ପଚାରିଲେ ପୁଅ କୁ ପଚାରିଲେ –

– କିରେ, ଏ ମହାଜନ ଝିଅ କଣ ପାଇଁ ଆସିଥିଲା। ତୋ ସାଙ୍ଗ ନାଁ କଣ? । ଗଗନ କିଛି ନକହି ଚୁପ୍ ରହିଲା।

ବେଳକାଳ ଉଣ୍ଡି ମହାଜନ ନିଜେ ହାଜର ହେଲେ ଗଗନ ଘରେ।

---- ଆସନ୍ତୁ ମହାଜନ ଆଜ୍ଞା, ଆଜି କେମିତି ଏ ଗରୀବ ଲୋକର ଘରେ ପାଦ ଦେଲେ। ସଙ୍କୁଚିତ ହୋଇ ପ୍ରଶ୍ନ କଲେ ହରି।

– – ଆରେ ସେମିତି କହି ମୋତେ ଲଜ୍ଜିତ କରନ୍ତୁନି ହରିବାବୁ। ମୁଁ ମୋ ଝିଅର ବିଭାଘର ପାଇଁ ଆପଣଙ୍କ ପୁଅ ସହ ପ୍ରସ୍ତାବ ପକେଇବାକୁ ଆସିଛି। ଯଦି ଆପଣ ହଁ କରନ୍ତେ ମୋ ଝିଅ କୁ ହସିହସି ବିଦା କରନ୍ତି ଆପଣଙ୍କ ଘରକୁ।

– ଆରେ, ଏତେ ବଡ ଖୁସିର କଥା ମହାଜନେ। ମୋ ଭାଗ୍ଯ, ଆପଣଙ୍କ ଘରୁ ମୁଁ ପ୍ରସ୍ତାବ ପାଇଲି। ମାତ୍ର ମୋ ପରି ଗୋଟେ ଗରୀବ ଲୋକ ଘରେ ଆପଣ କଣ ସତରେ ବନ୍ଧୁ ବାନ୍ଧିବେ, ନା ମଜା କରୁଛନ୍ତି।

---- ସେମିତି କୁହନ୍ତୁନି ଆଜ୍ଞା। ଆପଣ କଣ ଭୁଲି ଗଲେ କି, ଆପଣ ପରା ଆମ ହାକିମ ଗଗନ ବାବୁଙ୍କ ବାପା। ଘର ସାନ ହେଲେ କଣ ହେବ, ଆମ ଗଗନବାବୁ ପରା କେତେ ବଡଲୋକ। କାଲି ସକାଳେ ସେ କଲେକ୍ଟର ହୋଇ ଶାସନ କରିବେ। ଚାକର, ବାକର ତାଙ୍କ ଆଗରେ ପୋକ ମାଛି ପରି ହାଉଯାଉ ହେବେ। ତାଙ୍କ କଲମ ରେ କେତେ ଗାଁଆ ସହରର ଭାଗ୍ଯ ନିର୍ଦ୍ଧାରଣ ହେବ। ଠିକ ସମୟରେ ଠିକଣା ତୀର ମାରି ଚୁପ ହୋଇଗଲେ ମହାଜନେ।

--- ସବୁ କଥା ଠିକ ଯେ......ଆପଣଙ୍କ ଝିଅ କଣ ଏଠି ଚଳି ପାରିବ ? ମୋ ଘର ଅବସ୍ଥା ତ ଦେଖୁଛନ୍ତି। ଏତେ ଅଲିଅଳିରେ ବଢିଥିବା ରାଜକୁମାରୀ ପରି ଝିଅ କଣ ମୋ ଘରେ ଗୋଟେ ରାତି ବି ରହି ପାରିବ?

ମହାଜନେ କହିଲେ ଆପଣ ଜମା ବ୍ଯସ୍ତ ହୁଅନ୍ତୁନି। ମୁଁ ଦୁଇ ମାସ ଭିତରେ ଏ ଜାଗାରେ ନୂଆ ଘର ଠିଆ କରିଦେବି। ସବୁ ବ୍ଯବସ୍ଥା ମଧ୍ଯ ଖଞ୍ଜି ଦେବି। ଯେତେ ବେଳେ ଆସିବେ ସେମାନେ ଏଇ ଘରେ ରହିବେ। ନୋହିଲେ ଚାକିରି ଜାଗାରେ ତ ସଦା ବେଳେ ଦୁଇ ଜଣ ରହିବେ। ନାଁ କହିବାର ଜୁ ନ ଥିଲା ହରି ଙ୍କର। ମହାଜନର ସବୁ କଥା ତାଙ୍କୁ ଠିକ ଲାଗୁଥିଲା। ତେଣୁ ସେ ମୁଣ୍ଡ ଟୁଙ୍ଗାରି ହଁ ଭରିଲେ। ଗଗନ ଆଡେ ଦେଖିବାରୁ ସେ କିଛି ନ କହି କେବଳ ହସିଲା। ହରି ଜାଣିଗଲେ ପୁଅର ମନ କଥା।

ବାହାଘର ତାରିଖ ଠିକ ହେବା ପରେ, ଦିନେ ସକାଳେ ମୂଲିଆ ମିସ୍ତ୍ରୀ ଧରି ଖୋଦ୍ ମହାଜନେ ଆସି ପହଞ୍ଚିଗଲେ। କହିଲେ ଘର କାମ ଆଜିଠୁ ଆରମ୍ଭ। ଯେତେବେଳେ ସେମାନେ ସବୁ ମିଶି ସେ ଚାଳ ଘରଟିକୁ ନିହାତି ନିର୍ମମ ଭାବରେ ଭାଙ୍ଗି ଦେଉଥିଲେ ହରି ଠିଆ ହୋଇ ଲୁହ ଝରାଉଥିଲେ। କେତେ କାହାଣୀ, କେତେ ସ୍ମୃ ତି ଏଇ ଚାଳ ଘରେ ବସା ବାନ୍ଧିଥିଲା। ଗଗନ ର ପିଲାଦିନ, ତାଙ୍କ ସ୍ବର୍ଗବାସୀ ସ୍ତ୍ରୀ ସହ ବିତେଇଥିବା ସେ ଅଭୁଲା ମୂହୂର୍ତ୍ତ ସବୁ ମାଟିରେ ମିଶିଯିବା ପରି ଲାଗୁଥିଲା। ଦୀର୍ଘନିଶ୍ବାସ ପକାଇ ସେ କେବଳ ଦେଖି ଚାଲିଥିଲେ, ମତାମତ ଦେବାର ଅଧିକାର ବୋଧେ ସେ ହରାଇ ସାରିଥିଲେ ସେତେବେଳେ।

ତା ପରଦିନ ରୀତା ଜିନ୍ସ ପ୍ଯାଣ୍ଟ୍ ଓ ଟି ସାର୍ଟ ପିନ୍ଧି ସେ ଜାଗା ରେ ହାଜର ହୋଇଗଲା। ହରିଙ୍କୁ ବେଖାତିରିଆ ପ୍ରଣାମ ଟେ ପକେଇ, ଘରଟା କେମିତି ରୂପ ରେ ହେବ ସେ ବିଷୟ ମୂଲିଆ ମିସ୍ତ୍ରୀଙ୍କୁ ବୁଝେଇବାକୁ ଲାଗିଲା। ସେ ଠିଆ ହୋଇଥିଲା ବେଳେ ଘନଘନ ଫୋନ ଆସୁଥିଲା ତା ପାଖକୁ। କେତେ ବେଳେ ଚୁପିଚୁପି ତ, କେତେବେଳେ ଅଟ୍ଟହାସ୍ଯ କରି ହସି କଥା ହେବାରେ ବ୍ଯସ୍ତ ଥିଲା ସେ। ହରିଙ୍କ ମନରେ ଅଶ୍ବସ୍ତି ଭାବର ମାତ୍ରା ଯଥେଷ୍ଟ ବଢି ଯାଇଥିଲା।

ସେ ଚମକି ପଡିଲେ ଯେତେ ବେଳେ ରୀତା ତାଙ୍କୁ କହିଲା---

--- ହେଇ ଶୁଣିଲ, ଟିକେ ପାଣି ଆଣିଲ ପିଇବି। ବହୁତ୍ ଖରା ଏ ଯାଗାରେ। କେମିତି ରହୁଥିଲ ବାପ ପୁଅ ଏମିତି ଯାଗାରେ।

ମହାଜନେ ନାଲି ଆଖି ଦେଖେଇବାରୁ ରୀତା ଚୁପ୍ ରହିଗଲା, ନୋହିଲେ ଆହୁରି କଣକଣ କହି ଯାଇଥାନ୍ତା।

-----ଖରାପ ଭାବିବେନି ଆଜ୍ଞା, ଆଜିକାଲି ର ପିଲା ତ.....କଥାବାର୍ତ୍ତାରେ ବାଗବାଇଶ ନାହିଁ। ପାମ୍ପଳେଇ ହୋଇ କହିଲେ ଜମିଦାର । କିଛି ନ କହି ମୁହଁ ପୋତି ଠିଆ ହେଲେ ବୃଦ୍ଧ ହରି।

ରୀତାର ବ୍ଯବହାର ତାଙ୍କ ମନରେ ଦେଲା ଭୀଷଣ ଆଘାତ । ମନଟା ଖାଲି ଗୋଳେଇ ଘାଣ୍ଟି ହେଲା।ଗଗନ ପରି ନିରିହ ପିଲାକୁ ରୀତା ଠିକ୍ ରେ ରଖିବ କି ନାହିଁ, ତାହା ହିଁ ଥିଲା ବଡ ଚିନ୍ତା। ସେ ତ ତଳ ବରଡା, କେତେବେଳେ ଖସି ଯିବେ ଠିକ ନାହିଁ। କିନ୍ତୁ ଯେଉଁ ପୁଅକୁ ସେ ଆଜି ଯାଏ ଏତେ ଯତ୍ନରେ ପାଳି ଆସିଲେ, ଯଦି ତାର ମନରେ ରୀତା କଷ୍ଟ ଦିଏ , ସେ ଦେଖି ପାରିବେ ତ? ଏହି କଥା ମନକୁ ବାରମ୍ବାର ଆନ୍ଦୋଳିତ କରି ଚାଲିଥିଲା।

ସବୁ ଆଶା ଆଶଙ୍କା କୁ ପଛରେ ପକେଇ ମହା ଧୁମଧାମରେ ବାହାଘର ସରିଲା । ଯାନି ଯଉତୁକରେ ପୋତି ହୋଇଗଲା ସେ ନୂଆ କରି ତିଆରି କରା ଯାଇଥିବା ଘର । ଘରଟିରେ ହରିଙ୍କ ପାଇଁ ଯାଗା ନାହିଁ ନ ଥିଲା। ଯେଉଁ ଦୁଇ ବଖରା ଚାଳ ଥିଲା, ସେତିକି ଛାତ ହେଲା। ଗୋଟିଏ ଘର ଗଗନର ଶୋଇବା ଘର ଓ ଅନ୍ଯଟି ବୈଠକଖାନା, ବାସ୍ ସେତିକି। ତେଣୁ ବୈଠକଖାନାର ଗୋଟିଏ କଣରେ ରହିବେ ବୋଲି ମନସ୍ଥ କଲ ହରି।

ଦିନ କେତେଟା ଚଳାଇ ଦେଲେ ହେବ। ପୁଅ ବୋହୁ ତ ପୁଣି ନିଜ ଚାକିରି ଯାଗା କୁ ଯିବେ। ସେତେବେଳେ ସେ ଅତି ଆରାମ ରେ ପୁଅ ବଖରା ରେ ରହିବେ। ଭାବିଲେ ହରି।

ବାହାଘରର ଦିନ ଦୁଇଟା ଯାଇଛି କି ନାହିଁ, ରୀତା ମୁହଁ ଫଣଫଣ କରି ଆସି ହରିଙ୍କୁ କହିଲା--

--- ଭଦ୍ରାମୀ ଜଣା ନାହିଁ ନାଁ କଣ। ଏ ବୈଠକଖାନା ରେ ମୋଜାଇକ ଲଗା ଯାଇ ସୁନ୍ଦର କରା ଯାଇଛି। ବଡବଡିଆ ଲୋକ ଆସିଲେ ବସିବେ ବୋଲି, ମୋ ବାପା ଦାମୀ ସୋଫା ଦେଇଛନ୍ତି। ତା ସାଙ୍ଗକୁ କେତେ ସୁନ୍ଦର ଜିନିଷ ଲଗା ଯାଇଛି। ଏଇ ଘରଟାରେ ଧଣ୍ଡ ସାପ ପରି ନ ଗଡି ଆଉ କୁଆଡେ ଶୋଇଲେ ହୁଅନ୍ତାନି। ଏମିତି ଦୁର୍ଗନ୍ଧ ହେଉଛି ଘରଟା ଯେ ଆସିବା ଲୋକ ନାକ ଟେକିବେ।

--- ଆଲୋ ମାଆ, ଜମା ଦୁଇ ବଖରା ଘର। କୁଆଡେ ଆଉ ଯିବି????

ଚିହିଁକି ଉଠିଲା ରୀତା---

–--କଣ ହେଲା, ମୋ କଥା ଉପରେ ଜବାବ୍ ଦଉଛ। ଜାଣିଛ ମୁଁ କାହା ଝିଅ? ମୋ ବାପା କଣ ତୁମ ପରି ଭିକାରୀ ପାଇଁ ମହଲ ଟେ କରିଥାଆନ୍ତେ ନାଁ କଣ? ଭାତ ଶାଗ ଖାଇଖାଇ ଜୀବନ ଗଲା, ଆଉ ଇଏ ମୋତେ ଦେଖଉଛି ବଡ ଲୋକିଆ।

ତଳେ ଲଥ୍ କରି ବସି ପଡିଲେ ହରି। କଣ ନ ଶୁଣିଲା ତାଙ୍କ କାନ ଆଜି। ନିଜ ଘରେ ସେ ଆଜି ଅଲୋଡା ହୋଇଗଲେ। ବାହାଘର ଦୁଇଦିନ ଯାଇନି ଏ ଅବସ୍ଥା, ଆଗକୁ କଣ ହେବ ଭାବି ତାଙ୍କ ମୁଣ୍ଡ ଗୋଳମାଳ ହୋଇଯାଉଥାଏ।

ଏତିକି ବେଳେ ହସିହସି ଘରେ ପଶିଲା ଗଗନ ।

--- ବାପା, ମୋତେ କାଲି ଯିବାକୁ ହେବ। ଗାଁଆରୁ ଦୁଇଶହ କିଲୋମିଟର ଦୂର ସହରରେ ମୋ ପୋଷ୍ଟିଙ୍ଗ ହୋଇଛି। ବଡ ସହର, ସେ ଜାଗାରେ ସରକାରୀ କ୍ବାର୍ଟର ଅଛି। ଭାବୁଛି ଆଜି ରାତି ରେ ବାହାରି ଯିବି। ନାଁ କଣ କହୁଛ?

ଥରଥର ଗଳାରେ କହିଲେ ହରି-- --ଆରେ ପୁଅ, ମୋତେ ପଚାରୁଛୁ କଣ, ମୁଁ କଣ ବା ଜାଣିଛି। ତୁ ଯେଉଁଠି ବି ଥାଆ ଖୁସିରେ ରହ।

--- ଆରେ ତୁମେ ସେମିତି କହିଲେ ଚଳିବ? ତୁମେ ଯେଉଁ କାମ କରିବ ପ୍ରଥମେ ବାପାଙ୍କୁ ପଚାରି କରିବ। ସେ ପରା ଆମର ସାକ୍ଷାତ ଇଶ୍ବର। ମୁହଁରେ ଅଭିନୟର ପରଦା ଢାଙ୍କି କହିଲା ରୀତା।

ହରି ବିଶ୍ବାସ କରି ପାରିଲେନି। ଏଇ କିଛିି ସମୟ ଆଗରୁ ମୁହଁ ଖିଙ୍କାରୀ ତାଙ୍କୁ ଅପମାନିତ କରିଥିବା ରୀତା, ଏତେ କୋମଳ କଣ୍ଠରେ କଥା ହେଉଛି କିପରି? ଧନ୍ଯ ଏ ଅଭିନୟ....

---- ବାପା ତୁମେ ମୋ ବଖରା ରେ ରହିବ। ଟେଲିଭିଜନ ଅଛି, ମନ ହେଲେ ଦେଖିବ। ଲାଇନ କଟିଗଲେ ବି ବତୀ ଜଳିବ, ଇନଭର୍ଟର ଲଗାଇ ଦେଇଛି। ନିଜେ କୂଅରୁ ପାଣ ଜମା ବି କାଢିବନି। ପାଣି ପମ୍ପର ସୁଇଚ୍ ମାରିଦେଲେ ପାଣି ଉଠିବ। ମୁଁ ସେଠି ସବୁ ଠିକ୍ କରି ସାରିବା ପରେ ତୁମକୁ ମୋ ପାଖକୁ ନେଇଯିବି। ଆମେ ସମସ୍ତେ ମିଶି ମୋ ଚାକିରି ସ୍ଥାନରେ ରହିବା। ଏକ ନିଶ୍ବାସରେ କହିଚାଲିଥିଲା ଗଗନ।

କବାଟ ଫାଙ୍କରେ ସବୁ ଶୁଣୁଥିଲା ରୀତା। ଜିନିଷ ପତ୍ର ଧରି ବାହାରିଲା ବେଳେ ହରିଙ୍କ ପାଦ ତଳେ ମୁଣ୍ଡିଆଟେ ମାରିଲା। ଗଗନ କାର୍ ରେ ବସି ସାରିଥିଲା ଓ ଡ୍ରାଇଭର ସହ କିଛି କଥା ହେବା ବେଳକୁ, ରୀତା ଘର ଭିତରକୁ ପଶିଯାଇ ହରିଙ୍କୁ ଡାକ ଛାଡିଲା।

– - ବାପାଟିକେ ଭିତରକୁ ଆସିଲେ, ଗୋଟେ ଜିନିଷ ପାଉନି।

ହରି ପହଞ୍ଚିଲା ବେଳକୁ ରୀତା ଗଗନ ଓ ବୈଠକଖାନାରେ ତାଲା ପକାଇ ସାରିଥିଲା। ତାଙ୍କୁ ଦେଖି କହିଲା

---- ଘରେ ଏତେ ଦାମୀ ଜିନିଷ ଅଛି ତ । କାଳେ ଚୋରି ହୋଇଯିବ, ସେଇ ଭୟରେ ତାଲା ପକାଇ ଦେଲେ। ତୁମେ ଦୋକାନ ରେ ଆରାମ ରେ ଚଳି ପାରିବ।

ନିରୁତ୍ତର ରହି ମୁଣ୍ଡ ହଲାଇଲେ ହରି। ତାଙ୍କ ପ୍ରତିବାଦ ବା ମତାମତ ଶୁଣିବା କୁ ଅପେକ୍ଷା ନ କରି ରୀତା ବାହାରକୁ ଚାଲିଗଲା।

ଗାଡି ଧୂଆଁ ଉଡେଇ ଚାଲିଗଲା। ମାତ୍ର ହରିଙ୍କ ହୃଦୟରେ କେବଳ ନିଆଁ ଛଡା ଆଉ କିଛି ନଥିଲା। ନିହାତି ଯତ୍ନରେ ପାଳି ଥିବା ଗୁଲୁଗୁଲିଆ ଛେଳିକୁ ବଳି ମୁହଁ କୁ ଠେଲି ଦେଲେ ଯେମିତି ଲାଗେ ଠିକ ସେପରି ଲାଗୁଥିଲା ତାଙ୍କୁ। ଗଗନ ର ଜୀବନକୁ ଚଞ୍ଚକତା କରି ପଶି ଆସିଥିବା ମହାନ ଖେଳୁଆଡ ରୀତାର ଆଗାମୀ ଖେଳ କଣ ହେବ, ସେ କଥା ସେ ଭାବୁଥିଲେ। ପଡିଶା ନାଥୁ ମାହାଳିକ ଆସି କହିଲା--

-- ହରି ଭାଇ ଯାହା ହେଉ, ଏବେ ତୁମ ଜୀବନ ରେ ଦୁଃଖ ବୋଲି ଆଉ କିଛି ନାହିଁ। ଭଗବାନ ତ ସବୁ ଖଞ୍ଜି ଦେଲେ। ଏମିତି ସୁନା ନାକି ବୋହୁଟିଏ ପାଇଲ। ପୁଅ ବି କିଲିଟର ହେଲା। ଏବେ ଖାଲି ନାତି, ନାତୁଣୀଙ୍କୁ ଧରି ଖେଳେଇବା କଥା ଚିନ୍ତାକର।

ଦୀର୍ଘ ନିଶ୍ବାସଟେ ପକେଇ କହିଲେ ହରି--

--- ହଁ ରେ ନାଥୁ, ଯାହା କହିଲୁ। ସବୁ ସେଇ କାଳିଆର ଇଛା।

ସହରକୁ ଆସିଲା ପରେ ରୀତାର ଚରିତ୍ରରେ ହେଲା ଅଦ୍ଭୁତ ପରିବର୍ତ୍ତନ। ଗଗନ ଜିଲ୍ଲାପାଳ ଭାବେ ଅଧିଷ୍ଠିତ ହେବା ପରେ, କ୍ଷମତା, ପ୍ରତିପତ୍ତି ଓ ପ୍ରତିଷ୍ଠାର ଖାପମାପ ନ ଥିଲା। କିନ୍ତୁ ଗଗନ ଅପେକ୍ଷା ବେଶୀ କ୍ଷମତା ଥିଲା ରୀତା ପାଖରେ। ଗାଁଆ କଲେଜରେ ପାଠ ପଢିଥିବା ରୀତା, ଅଫିସ୍ ର ନିହାତି ଗୁରୁତ୍ବପୂର୍ଣ୍ଣ କାମ ଗୁଡିକରେ ହସ୍ତକ୍ଷେପ କରିବାକୁ ଲାଗିଲା। ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ଯାଳୟକୁ ସେ ଚଳାଇଲା ବୋଲି କହିଲେ ଅତ୍ଯୁକ୍ତି ହେବ ନାହିଁ। ଖୁବ କମ ଦିନରେ ଘର ଭିତରଟା ଦାମୀ ଉପହାରରେ ପୂର୍ଣ୍ଣ ହେବାରେ ଲାଗିଲା। ସବୁ ଦିନ କିଏ ନା କିଏ , କିଛି ଉପହାର ଧରି ଆସୁଥିଲେଓ ସହାସ୍ଯ ବଦନରେ ସବୁ ଗ୍ରହଣ କରୁଥିଲା ରୀତା। ଗଗନ ପଚାରିଲେ ହସି କହୁଥିଲା

–- ଆରେ ତୁମେ ଏ ଜିଲ୍ଲାର ଜିଲ୍ଲାପାଳ। ଏମିତି କେତେ ଲୋକ ଆସିବେ। କଥାରେ ଅଛି “ରାଜା ଘରକୁ ଖାଲି ହାତରେ ଯିବା କଥା ନୁହଁ ” ସେଇ ନ୍ଯାୟରେ ଲୋକମାନେ ଏମିତି ଉପହାର ନେଇ ଆସୁଛନ୍ତି। ବଡ ଲୋକ ମାନଙ୍କ ପାଖରେ ଏ ସବୁ ଜିନିଷ ନିହାତି ସାଧାରଣ।

ସେ ପ୍ରଥମେ ଏ ସବୁ ବ୍ଯାପାର କିଛି ବୁଝି ପାରୁ ନ ଥିଲା। ରୀତା ପ୍ରତି ଥିବା ଅଗାଧ ବିଶ୍ବାସ ଓ ଭଲପାଇବା ହେତୁ ସେ କେବେ ରୀତାର ମନ୍ଦ ଉଦ୍ଦେଶ୍ଯ ବିଷୟରେ ଭାବି ପାରି ନ ଥିଲା।

କାଳକ୍ରମେ ରୀତା ଗଗନ ଅଫିସ ର କର୍ମଚାରୀ ମାନଙ୍କ ଉପରେ ଜୁଲୁମ କରିବା ଆରମ୍ଭ କରିବାକୁ ଆରମ୍ଭ କଲା ଓ ନିହାତି ଅଭଦ୍ରୋଚିତ ବ୍ଯବହାରରେ ଅନେକ ପଦସ୍ଥ କର୍ମଚାରୀ ମାନଙ୍କୁ ଅପମାନିତ କଲା।ଏପରିକି ଫାଇଲ ଧରି ଆସୁଥିବା ଅଫିସର ମାନେ ମଧ୍ଯ ରୀତା ର ରୋଷର ଶିକାର ହେଉଥିଲେ ଅନେକ ସମୟରେ।

ଦିନେ ଜିଲ୍ଲାପାଳ ଅଫିସ ରେ କାର୍ଯ୍ଯରତ ଜଣେ ବରିଷ୍ଠ ଅଫିସର କିଛି କାମରେ ଆବାସିକ କାର୍ଯ୍ଯାଳୟ କୁ ଆସିଥିଲେ। ସେଦିନ ଗଗନ ର ଦେହ ଟିକେ ଭଲ ନ ଥିଲା ବୋଲି ସେ ଗଡପଡ ହେଉଥିଲା। ତାହାର ସୁଯୋଗ ନେଇ ରୀତା ବସିଥିଲା ଅଫିସ ଚେୟାରରେ। ବରିଷ୍ଠ ଅଫିସର ଜଣକ ରୀତାକୁ ନମସ୍କାର କରିବା ପରେ କହିଲେ--

– ମାଡାମ୍ , ମୁଖ୍ଯମନ୍ତ୍ରୀଙ୍କ ଅଫିସରୁ ଫୋନ ଆସିଛି। କିଛି ଅତି ଜରୁରୀ ତଥ୍ଯ ଦେବାକୁ ହେବ । ସେଥିପାଇଁ ମୁଁ ନିଜେ ଦଉଡି ଆସିଲି। ଟିକେ ସାର ଙ୍କ ସହ କଥା ହେଇଯାଇଥିଲେ କାମଟି ସୁଚାରୁ ରୂପରେ ସରି ଯାଆନ୍ତା।

– ରୀତା ମୁହଁ କୁ ମୋଡି କହିଲା, କି ଜରୁରୀ କଥା ମ। ମୋ ସହ ଆଲୋଚନା କରୁ ନାହାଁନ୍ତି। କଣ ମୋ ମୁଣ୍ଡରେ ବୁଦ୍ଧି ନାହିଁ ବୋଲି ଭାବୁଛନ୍ତି ନା କଣ?

– ନାଇଁ ମାଡାମ୍ ସେମିତି କାହିଁ ଭାବୁଛନ୍ତି। କଥା ଟା ନିହାତି ଜରୁରୀ ଅଛି। ବେଶି ସମୟ ଗଡି ଗଲେ ଅସୁବିଧା ହେବ।

ଚିହିଁକି ଉଠିଲା ରୀତା।

– - ଆରେ ହେଃ....କିଛି ନକହିଲା ରୁ ମୁଣ୍ଡରେ ଚଢୁଛୁ ନାଁ କଣ। ତୁ ଭୁଲି ଗଲୁ କି ମୁଁ ଜିଲ୍ଲାପାଳ ଙ୍କ ସ୍ତ୍ରୀ ବୋଲି । କେମିତି କଥା ହେବାକଥା କଣ ଜାଣିପାରୁନୁ ନାଁ କଣ? ତୁ ମୋତେ ଦେଖେଇବୁ ଜରୁରୀ କଣ? ଯାଃ ପଳା ଏଠୁ। ସାର୍ ଙ୍କ ଦେହ ଖରାପ। ଦେଖା ହୋଇପାରିବ ନାହିଁ।

---କିନ୍ତୁ ମାଡାମ୍........

ଆବେ ମାଡାମ୍ କଣ? ଯାଉଛୁ ନା ନାହିଁ।

---ମାଡାମ୍ କ୍ଷମା କରିବେ। ମୁଁ ଆପଣଙ୍କ ଅଫିସ ର ପିଅନ ନୁହଁ। ମୁଁ ଜଣେ ବରିଷ୍ଠ ଓଏଏସ୍ ଅଫିସର। ଏମିତି ବ୍ଯବହାର କଣ ପାଇଁ କରୁଛନ୍ତି। ମୁଁ ବାରମ୍ବାର କହୁଛି ଯଦି କାମ ଟି ନ ହୋଇ ପାରିଲା ସାର୍ ନିଜେ ଅସୁବିଧାରେ ପଡିବେ।

ଆବେ ଯାଃ …... ସେ କିଛି ଅସୁବିଧାରେ ପଡିବେନି। ତୋର କିଛି ଚିନ୍ତା କରିବାର ନାହିଁ। କହିଲା କଣ ନା ଓଏଏସ୍ ଅଫିସର। ଏତିକି କହି ରୀତା ଅଫିସ ଟେବୁଲରେ ଥିବା ପେପରଓ୍ବେଟ୍ ଟା ଫିଙ୍ଗି ଦେଲା।

ସେ ଲୋକ ଜଣଙ୍କ କିଛି ନକହି ଚୁପ୍ ଚାପ୍ ସେ ଜାଗାରୁ ଚାଲିଗଲେ।

କିନ୍ତୁ ସେ ଲୋକ ଜଣଙ୍କର ତାଚ୍ଛଲ୍ଯଭରା କଥା ରୀତା ଦେହରେ ତୀର ପରି ଗଳି ଯାଇଥିଲା। ସେ ପ୍ରତିଶୋଧ ନେବା ପାଇଁ ବିକଳ ହୋଇଉଠିଲା। ସକେଇ ସକେଇ ଯାଇ ଗଗନ ପାଖରେ ପହଞ୍ଚିଲା।

--- ମୋତେ ନେଇ ମୋ ବାପ ଘରେ ଛାଡି ଦେଇ ଆସ। ମୁଁ ଆଉ ଏଠି ଜମା ରହିବିନି।

--- କଥା କଣ ହେେଲା ରୀତା, ତୁମେ ଏତେ କାନ୍ଦୁଛ କଣ ପାଇଁ। କଣ ହୋଇଛି ମୋତେ କୁହ। କିଏ କଣ କହିଲା କି ତୁମକୁ।

--- ଛାଡ ସେ କଥା। ମୁଁ ତ ଗାଁଆରୁ ଆସିଛି। ତୁମେ ସିନା ଜିଲ୍ଲାପାଳ। କିନ୍ତୁ ତୁମ ଅଫିସ ର କଣ ସବୁ ଲୋକ ମୋ ଉପରେ ହାକିମାତି ଦେଖେଇବେ। ମୋର କଣ ନିଜର କିଛି ମାନ ସମ୍ମାନ ନାହିଁ। ସେ ଲୋକ ଟା ତୁମ ଅଫିସରୁ ଆସି ମୋତେ କହିଲା ତୁମକୁ ଉଠାଇବା ପାଇଁ। ମୁଁ କହିଲି ଦେହ ଭଲ ଲାଗୁନି ବୋଲି ସାର ଟିକେ ଆରାମ କରୁଛନ୍ତି। ଆପଣ ଟିକେ ବସନ୍ତୁ। ମାତ୍ର ସେ ଲୋକଟା ଯାହା ଇଛା ତାହା ମୋତେ ଶୋଧି ଦେଇଗଲା। ମୋତେ ଗାଁଉଲି, ମୁର୍ଖ ଆହୁରି କେତେ କଣ କହିଗଲା। କଣ ଏଇ ସମ୍ମାନ ପାଇବାକୁ ତୁମ ହାତ ଧରି ଥିଲି। ଯଦି ଜିଲ୍ଲାପାଳଙ୍କ ସ୍ତ୍ରୀ ପାଇଁ ଏମିତି ବ୍ଯବହାର, ସାଧାରଣ ଲୋକଙ୍କ ପାଇଁ କଣ ଥିବ। ତୁମେ ତ ସବୁ ବିଚାର କରୁଛ, ଏବେ ନିଜେ ବିଚାର କର କଣ କରିବ ତୁମେ ନ୍ଯାୟ।

ସବୁ କଥା ଶୁଣି ଗଗନର ମୁଣ୍ଡ ଗୋଳମାଳ ହୋଇଗଲା। ପ୍ରଥମ ଥର ପାଇଁ ତା ଭିତରର ପୌରୁଷତ୍ବଟା ସିଂହ ପରି ହୁଙ୍କାର ଛାଡିଲା। ସେ କହିଲା--

--- ତୁମେ ଜମା କାନ୍ଦନି ରୀତା। ତୁମକୁ ଯିଏ ଏମିତି ବ୍ଯବହାର ଦେଖେଇଛି ତାକୁ ମୁଁ ଜମା ଛାଡିବିନି। ତାକୁ ସସପେଣ୍ଡ କରିବି। ତା ନାଁଆରେ ଡିପାର୍ଟମେଣ୍ଟାଲ ପ୍ରୋସିଡିଙ୍ଗ ଆରମ୍ଭ କରିବି। ତୁମେ ଜମା ବି କାନ୍ଦନି।

ମନେ ମନେ ହସିଲା ରୀତା। ତୀର ଟା ଠିକ ଜାଗାରେ ଲାଗିଲା। ଯାହା ହେଉ ଏବେ ଗଗନ ତାର ହାତମୁଠାରେ। ଯେମିତି ନଚେଇବ ସେମିତି ନାଚିବ ସେ।

ରାଗ ତମତମ ହୋଇ ଗଗନ ଅଫିସ କୁ ବାହାରିଲା। ପିଅନ କୁ ଖାଲି ପଚାରିଲା କିଏ ଆସିଥିଲା ବୋଲି। ପିଅନ କହିଲା ତ୍ରିପାଠୀ ବାବୁ ଆସିଥିଲେ। ବାସ୍ ତ୍ରିପାଠୀ ବାବୁ ଉପରେ ଅଗ୍ନୀ ବର୍ଷଣ କରିବାକୁ ବାହାରିଗଲା ସେ। ରୁମ୍ ଭିତରେ ରୀତା ବସି ହସୁଥଲା ଗଗନର ବୋକାମୀ କୁ ଦେଖି।

ଅଫିସରେ ପଶି ତ୍ରିପାଠୀ ବାବୁଙ୍କୁ ଡକେଇ ମନ ଇଚ୍ଛା ଶୋଧିଦେଇଗଲା।

– ତୁମ ପରି ଲୋକ ଗୁଡାକୁ ଜେଲ ରେ ପୁରେଇ ଦେବା କଥା। ଏତେ ବୟସ ହେଲାଣି ବ୍ଯବହାର କେମିତି କରନ୍ତି ତୁମକୁ ଜଣା ନାହିଁ। ତୁମ ପରି ଲୋକ ଗୁଡାକ ପାଇଁ ଦେଶର ଏମିତି ଅବସ୍ଥା।

--- ସାର୍ ମୋ କଥା ଟିକେ ଶୁଣନ୍ତୁ। ମୋତେ ଟିକେ କହିବାକୁ ଦିଅନ୍ତୁ ସାର୍। କଥା ଟା ବହୁତ୍ ଗମ୍ଭୀର।

ଚୁପ୍ କର। ମୋ ସାମନା ରେ ଜବାବ ଦେଉଛ। ସାହାସ ତ କିଛି କମ ନୁହଁ। ମୁଁ ଆଜି ହିଁ ତୁମ ନାମରେ ପ୍ରୋସିଡିଙ୍ଗ କରିବି। ତୁମର ସାହାସ କେମିତି ହେଲା ମୋ ସ୍ତ୍ରୀ ସହ ଏମିତି କଥା ହେବା ପାଇଁ। ତୁମ ନିଜର ଓୌକାତ୍ କଣ ଭୁଲି ଯାଉଛ ନାଁ କଣ।

--- ହଁ ହେଲା ସାର୍ । ମୋ ବିରୁଦ୍ଧରେ ଯାହା ଚାହୁଁଛନ୍ତି କରନ୍ତୁ ମୋର ପରବାୟ ନାହିଁ। ସେମିତି ରେ ବି ମୁଁ ଆଉ ତିନି ମାସ ପରେ ଅବସର ନେବି। ଖାଲି ଆପଣଙ୍କୁ ଏତିକି କହିବାର ଅଛି ଯେ ଆପଣଙ୍କର ବଦଳି ମାଲକାନଗିରି କୁ ହୋଇଯାଇଛି। ଆଜି ହିଁ ରିଲିଭ୍ ହେବେ, କାଲି ସକାଳୁ ଜଏନ୍ କରିବେ। ବାସ୍ ଏତିକି କହିବାର ଥିଲା। ଏବେ ଆପଣ ଯାହା ଚାହୁଁଛନ୍ତି କୁହନ୍ତୁ। ମୁଁ ଖାଲି ଶୁଣିବି। ଗୋଟେ ପଦ କଥା କହିବିନି।

---କଣ?? କିନ୍ତୁ କାହିଁକି? ଏମିତି ଅଚାନକ୍। ଆଶ୍ଚର୍ଯ୍ଯ ହୋଇପଚାରିଲା ଗଗନ।

ମୋତେ କିଛି କହିବାକୁ ଦେଲେ ତ ମୁଁ କହିବି ସାର୍।

ମୁଖ୍ଯମନ୍ତ୍ରୀଙ୍କ ଅଫିସରୁ ଫୋନ ଆସିଥିଲା କିଛି ଜରୁରୀ ବିଷୟରେ । ମୁଁ ସେଇ ବିଷୟରେ ଆଲୋଚନା କରିବାକୁ ଆପଣଙ୍କ ଘରକୁ ଯାଇଥିଲି। ସେଠି ମୋତେ ମ୍ଯାଡାମ୍ ଯାହା ଇଛା ତାହା କହି ତଡି ଦେଲେ। ଆପଣଙ୍କୁ ଫୋନ କରିବାକୁ କେତେ ଚେଷ୍ଟାକଲି। ମାତ୍ର ଫୋନ ସୁଇଚ୍ ଅଫ୍ ଥିଲା। ମୁଖ୍ଯମନ୍ତ୍ରୀଙ୍କ ଅଫିସକୁ ଠିକ ସମୟରେ ତଥ୍ଯ ଯୋଗାଇ ନଦେବାର ଦଣ୍ଡ ସ୍ବରୂପ ଆପଣଙ୍କୁ ରାତାରାତି ବଦଳି କରି ଦିଆଗଲା। କେବଳ ସେତିକି ନୁହଁ, ଆପଣ କାର୍ଯ୍ଯରେ କାହିଁକି ଅବହେଳା କଲେ ଓ କାହିଁକି ଆପଣଙ୍କ ଉପରେ ଆକ୍ସନ୍ ନ ନିଆଯିବ ସେ କୈଫୟତ ଆଜି ସଂନ୍ଧ୍ଯା ସୁଦ୍ଧା ଦେବାପାଇଁ କଡା ନିର୍ଦ୍ଦଶ ଆସିଛି। ହେଇ ଦେଖନ୍ତୁ ଚିଠି।

ସାପ ମୁହଁରେ ଗଦ ଦେଲା ପରି ଚୁପ୍ ହୋଇଗଲା ଗଗନ। ତା ମୁହଁ ଭୁରୁଡି କୁଆଡେ ମିଳେଇ ଯାଇଥିଲା। କଣ ସବୁ ହୋଇଗଲା ସେ ଜାଣି ବି ପାରୁ ନଥିଲା। କେତେ ବଡ ଅସୁବିଧାରେ ପକେଇ ଦେଲା ରୀତା। କଣ କାହା ସ୍ତ୍ରୀ ଏମିତି ବି ହୋଇପାରେ।

ଅଫିସରୁ ରିଲିଭ୍ ହେବାପରେ ନତମସ୍ତକ ହୋଇ ଗଗନ ଆସିଲା ବେଳେ ତ୍ରିପାଠୀ ବାବୁ ପାଖକୁ ଆସି କହିଲେ--

--- କ୍ଷମା କରିବେ ସାର୍। ମୁଁ ଜାଣେ ଯାହା ହେଲା ସେଥିରେ ଆପଣଙ୍କର ତିଳେ ମାତ୍ର ଭୁଲ ନାହିଁ। କିନ୍ତୁ ଦଣ୍ଡ ତ ଆପଣଙ୍କୁ ଭୋଗିବାକୁ ପଡିଲା। ଜଣେ ଗୁରୁଜନ ହିସାବ ରେ ମୋର ଅନୁରୋଧ ରକ୍ଷା କରିବେ। ଅଫିସ କାମ ରେ ଆପଣ ନିଜେ ମନ ଦିଅନ୍ତୁ। ସ୍ତ୍ରୀ ଅର୍ଦ୍ଧାଙ୍ଗିନୀ ହୋଇପାରେ, ମାତ୍ର ଅଫିସ କାମରେ ସ୍ତ୍ରୀ ର ଭୂମିକା କିଛି ନାହିଁ। ସେ ଦାୟିତ୍ବ କେବଳ ଆପଣଙ୍କର। ଯଦି ଆଜି ଆପଣ ନିଜେ ଏ ଦାୟୀତ୍ବ କୁ ନିଭାଇ ଥାଆନ୍ତେ ଏ ଦଶା ଭୋଗିବାକୁ ପଡି ନ ଥାନ୍ତା। ମୋର ମାଡାମଙ୍କ ସହ କିଛି ଶତୃତା ନାହିଁ। କିନ୍ତୁ ମ୍ଯାଡାମ ମୋ ନାମରେ ଯାହା ସବୁ କହିଗଲେ ସେଥି ପାଇଁ ମୁଁ ଭୀଷଣ ବ୍ଯଥିତ। ଆପଣ ଭଲ ଲୋକ। ମୋର ଆଶା ଆପଣ ନିଜକୁ ସମ୍ଭାଳି ନେବେ। ଯଦି କିଛି ଅଧିକା କହି ଦେଇଥାଏ ମୋତେ କ୍ଷମା ଦେବେ।

କିଛି ନ କହି ଗଗନ ଅଫିସରୁ ଆସିଲା। ଘରେ ପଶିଲା ବେଳକୁ ରୀତା ଜିନ୍ସ ପ୍ଯାଣ୍ଟ ଓ ଟି ସାର୍ଟ ପିନ୍ଧି, ଫୁଲ ଭୋଲ୍ଯମ୍ ରେ ଗୀତ ଶୁଣିବାରେ ବ୍ଯସ୍ତ। ତାକୁ ଦେଖିଲେ ଲାଗୁଥିଲା ଯେ ସେ କୁଆଡେ ବୁଲି ଯିବାକୁ ବାହାରିଛି। ବୋଧେ ରୀତା ମନେ ମନେ ଭାବିଥିବ ତ୍ରିପାଠୀ ବାବୁ ଉପରେ କିଛି ଆକ୍ସନ ନିଆ ଯାଇଥିବ। ତେଣୁ ସେଇ ବିଜୟର ଖୁସି ମନେଇବାରେ ବ୍ଯସ୍ତ।

--- ଆରେ ଏମିତି କଣ ମୁହଁ କୁ ହାଣ୍ଡି କରି ଅଫିସ ରୁ ଆସିଛ। ସେ ତ୍ରିପାଠୀ ର ଚାକିରୀ ଖାଇଲ ନା ନାହିଁ ? ବୁଢା ବେଶି ବଡଲୋକି ଦେଖେଇ ହେଉଥିଲା। ଭଲ କି ପାନେ ଦେଲ କି ନାହିଁ ମ ? ବଡ ଆଗ୍ରହ ସହକାରେ ଗୋଟେ ନିଶ୍ବାସରେ କହିଗଲା ରୀତା।

ଗଗନ କିଛି ପ୍ରତିକ୍ରିୟା ନ ଦେଖେଇ ଗମ୍ଭୀର ସ୍ବରରେ କହିଲା –

– ମୋର ବଦଳି ମାଲକାନଗିରି କୁ ହୋଇ ଯାଇଛି। କାଲି ସକାଳେ ଜଏନ କରିବାକୁ ହେବ। ମୋତେ ଆଜି ରାତିରେ ବାହାରିବାକୁ ପଡିବ।

ଆରେ ତୁମର ବଦଳି କାଇଁ ହେଇଗଲା। ଏମିତି ଅଚାନକ୍। କିନ୍ତୁ ଗୋଟେ କଥା ଶୁଣି ରଖ, ମୋର ସେ ମାଲକାନଗିରି ଯିବାର ନାହିଁ। ମୁଁ ଏଇ ସହର ରେ ରହିବି। ତୁମ ଇଛା ଯୁଆଡେ ବଦଳି ହୋଇ ଯାଉଛ ଯାଆ। ସେ ବଦଳି କଥା ଛାଡ। ଆଗ କୁହ ତ୍ରିପାଠୀ ବୁଢା ର ଚାକିରି ଗଲା ନା ନାହିଁ।

--- ମୋତେ ଆଶ୍ଚର୍ଯ୍ଯ ଲାଗୁଛି ରୀତା, ଏତେ ବଡ ଘଟଣାଟେ ଘଟିଗଲା କିନ୍ତୁ ତୁମର କିଛି ପରବାୟ ନାହିଁ। ଆରେ ମୁଁ କଣ କାହାର ଚାକିରି ଖାଇବି, ମୋ ନିଜ ଚାକିରି ରହିଲେ ସିନା?

–-କଣ ତୁମ ଚାକିରି ଯିବାର ଅବସ୍ଥା ଆସିଗଲାଣି। ହେଇଟି ଗୋଟେ କଥା ମନେ ରଖ। ଯଦି ତୁମ ଚାକିରି ଯିବ ମୋତେ ଆଗ ମୋ ବାପ ଘରେ ନେଇ ଛାଡି ଦେବ। ତୁମ ଚାକିରି ଛଡା ଆଉ କିଛି ନାହିଁ ତୁମ ପାଖରେ। ସାରା ଗାଁ ଜାଣିଛି ତୁମ ଘରର ଅବସ୍ଥା କଣ। ଆଉ ଦିନେ ମୋ ସାଙ୍ଗେ ସେମିତି ଅଖାଡୁଆ କଥାବାର୍ତ୍ତା କରିବନି। ମୁଁ ହେଲି ମହାଜନ ଘର ଝିଅ। ତୁମ ପରି ଦରିଦ୍ର ଘରୁ ଆସିନି।

ଗୋଟେ ଦିନ ଭିତରେ ସବୁ କିଛି ଓଲଟପାଲଟ ହୋଇ ଯାଉଥିଲା। କଣ ସବୁ ଘଟି ଯାଉଥିଲା ବୁଝି ପାରୁ ନ ଥିଲା ଗଗନ। ରୀତା ର ମୁଡ୍ ଦେଖି ତା ସହ କିଛି ଯୁକ୍ତି କରିବାକୁ ଠିକ୍ ମନେ କଲାନି। ଘରେ ପିଅନ, ଚପରାଶୀ ବି ଅଛନ୍ତି। କଣ ଭାବିବେ ସେମାନେ। କଣ ରହିବ ତାର ଇଜ୍ଜତ। ଏମିତି କେତେ କଣ ଭାବି ସେ ମୁକ ପାଲଟି ଯାଇଥିଲା। ସାଙ୍ଗେସାଙ୍ଗେ ମାଲକାନଗିରି ଅଭିମୁଖେ ବାହାରିବାକୁ ହେବ। ସେ କଣ ଖାଇବ, କଣ ନେବ ସେ ବିଷୟରେ ଚିନ୍ତା ନାହିଁ ରୀତା ର। ଯେମିତି ଗଗନ ର ଦୋଷ ପାଇଁ ବଦଳି ହୋଇଛି। ରୁମ୍ ଭିତରେ କବାଟ ଦେଇ ପଶିଲା ରୀତା। ରୁମ କୁ ଗଲା ବେଳକୁ କହିଲା କାଲି ମୁଁ ମୋ ବାପ ଘରକୁ ଯାଉଛି। ଯେବେ ତୁମେ ନେବାକୁ ଆସିବ ମୋ ମନ ହେଲେ ମୁଁ ଆସିପାରେ ନ ଆସି ବି ପାରେ। ସେ କଥା ସମୟ ଆସିଲେ ଦେଖାଯିବ।

– ଗାଁଆ କୁ ଯଦି ଯିବ ଟିକେ ବାପା ଙ୍କୁ...........

ଗଗନର କଥା ଶେଷ ହେବାକୁ ଦେଲାନି ରୀତା। ଚିତ୍କାର କରି କହିଲା , କଣ ହେଲା ତୁମ ବାପାଙ୍କ ପାଖକୁ ଯିବି। ମୋ ଯୁଗ ଯାଉ ନ ଥିଲା ଯେ ସେ ଭିକାରୀ ପାଖକୁ ଯିବି।

ଆଉ ଅପମାନ ସହିବାର ଶକ୍ତି ନ ଥିଲା ଗଗନ ର। ଚୁପଚାପ୍ ବ୍ଯାଗ ଧରି ବାହାରି ଗଲା ମାଲକାନଗିରି।

ସେଦିନ ରାତିର ଘଟଣା ଏକ ଗଭୀର କ୍ଷତ ସୃଷ୍ଟି କରିଥିଲା ରୀତା ଓ ଗଗନର ବୈବାହିକ ସମ୍ପର୍କ ଭିତରେ। ସବୁ ଦୋଷ ରୀତାର ବୋଲି ଜାଣି ମଧ୍ଯ ଗଗନ କିଛି କହି ନଥିଲା। କିନ୍ତୁ ଗଗନର କିଛି ଦୋଷ ନାହିଁ ବୋଲି ଜାଣିଲା ପରେ ବି ରୀତା ତାକୁ ଅପମାନିତ କରିବାର ସୁଯୋଗ ଛାଡି ନ ଥିଲା। ଶବ୍ଦ ସବୁ ବରଫ୍ ପରି ଜମାଟ ବାନ୍ଧି ଆସୁଥିଲା ଓ ଅବିଶ୍ବାସ ଓ ସନ୍ଦେହ ର କୁହୁଡି ଧିରେଧିରେ ସବୁ କିଛି ଝାପସା କରି ପକଉଥିଲା। ଠିକ୍ ଓ ଭୁଲ ମଧ୍ଯରେ ଥିବା ରେଖାଟା ବଡ ଅସ୍ପଷ୍ଟ ଦିଶୁଥିଲା। ଗଗନ ମନରେ ବ୍ଯାକୁଳତା ଥିଲା ରୀତା କୁ ଛାଡି କେମିତି ଏକୁଟିଆ ରହିବ, ମାତ୍ର ରୀତା ମନରେ ଥିଲା ଅସମ୍ଭବ ଦୁଃଖ । କାରଣ ଏ ସହରରେ ଥିବା ପ୍ରତିପତ୍ତି ଗୋଟେ ରାତି ରେ ମିଳେଇ ଯିବ। ରୀତା କୁ ଗଗନ ର ମୁହଁ ଦିଶୁ ନ ଥିଲା, ଦିଶୁଥିଲା କେବଳ ସେହି ପଦବୀ ଯାହାକୁ ଘୋଡେଇ ହେଲା ପରେ ହିଁ ଗଗନ ର ବ୍ଯକ୍ତିତ୍ବ ସମ୍ପୂର୍ଣ୍ଣ ହେଉଥିଲା।

ଗୋଟିଏ ଝଟକାରେ ରୀତା ତା ବାପ ଘରେ ଓ ଗଗନ ମାଲକାନଗିରି ରେ। ଅଫିସରେ ଜଏନ କରି ସାରିବା ପରେ ଗଗନ ଆତ୍ମଚିନ୍ତନରେ ବୁଡି ରହିଲା। କଣ ତାର ଭୁଲ୍, କେଉଁ କାରଣରୁ ତାକୁ ଏ ଦଣ୍ଡ ଭୋଗିବାକୁ ହେଲା ସେ ବିଷୟ ଭାବିବାକୁ ଲାଗିଲା। ନାଁ ଏମିତି ଭାଙ୍ଗିଗଲେ ହେବନି। ତାକୁ ଦୃଢ ହେବାକୁ ହେବ। ନିଜକୁ କଠୋର କରିବାକୁ ହେବ। ନିଜର ଦକ୍ଷତା ଦେଖାଇବାକୁ ହେବ। ବାସ୍ ସେ ଲାଗିଗଲା ନିଜ କାମ ରେ। ମନ ପ୍ରାଣ ଦେଇ କାମ ରେ ଲାଗିଗଲା। ଅଧିକାଂଶ ସମୟ ଅଫିସରେ ବସି ଯେତେ ପୁରୁଣା ଓ ଅଡୁଆ କାମର ଜଞ୍ଜାଳ ତୁଟାଇବାରେ ଲାଗିଲା। ଜିଲ୍ଲାାପାଳ ହିସାବ ରେ ପ୍ରତି ଟି ଗାଁଆ କୁ ନିଜେ ଯାଇ ତଦାରଖ କଲା। ଲୋକ ମାନେ କେମିତି ସବୁ ସୁବିଧା ପାଇବେ ସେ ବିଷୟରେ ଯଥେଷ୍ଟ ଧ୍ଯାନ ଦେବାରେ ଲାଗିଲା। ଦିନରାତି ର ଅକ୍ଳାନ୍ତ ପରିଶ୍ରମ ଧିରେଧିରେ ଫଳ ଦେବାରେ ଲାଗିଲା । ନିଜ ଜିଲ୍ଲା ରେ ଅନେକ ଉନ୍ନତି ମୂଳକ କାର୍ଯ୍ଯ କରି ସେ ସମସ୍ତଙ୍କର ପ୍ରଶଂସାଭାଜନ ହେଲା। କିନ୍ତୁ ମନେମନେ ସେ ନିଜ ବାପା ଓ ରୀତାର ଅନୁପସ୍ଥିତି କୁ ପ୍ରତି କ୍ଷଣରେ ଅନୁଭବ କରୁଥିଲା। ବହୁତ୍ ଦିନ ପରେ ସେ ଛୁଟି ନେଇ ଗାଁଆକୁ ଗଲା।

ରୀତା ତାକୁ ଦେଖି ଖୁସି ହେଲାନି, ବରଂ ପଚାରିଲା ବଡ ତାଛଲ୍ୟଭରା କଣ୍ଠରେ--

--- କଣ ମାଲକାନଗିରି ର ହାକିମ, ଚାକିରି ଅଛି ନାଁ ଗଲା।

ଏମିତି ସ୍ବାଗତ ର ଆଶା କରି ନଥିଲା ଗଗନ। ତଥାପି ମନ କୁ ବ୍ଯବସ୍ଥିତ କରି ଧିର ଗଳାରେ କହିଲା –

– ରାଗନି ରୀତା । ଚାଲ ଘରକୁ ଯିବା । ସେପଟେ ବାପା ଅପେକ୍ଷା କରି ଥିବେ ଯେ।

– କଣ ହେଲା ଘରକୁ ଯିବି? କେଉଁ ମୁହଁରେ ଡାକୁଛ ମୋତେ। ତୁମକୁ ଲାଜ ଲାଗୁନି ଟିକେ। ମୋତେ ଏ ଗାଁଆରେ ପକେଇ ଦେଇ ସେଠି ଅୟସ କରୁଛ। ଆଉ ଏଇଲେ ସୁଆଗ ବହି ପଡୁଛି ନାଇଁ? ମୋର ସେ ଭିକାରୀ ଘରର ଦୁଆର ମାଡିବାର ନାହିଁ। ଗୋଟେ ଅଯୋଗ୍ଯ ଲୋକର ହାତ ଧରି ଜୀବନଟା ବରବାଦ ହେଇଗଲା।

କଣ ଉତ୍ତର ଦେବ ସେ କଥା ଜାଣି ପାରୁ ନ ଥିଲା ଗଗନ।

ମହାଜନ ଗଗନ ପାଖକୁ ଆସି ତା ହାତ ଧରି ନେଇଗଲେ।

– ପୁଅ ରୀତା ର ମନ ଜମା ଭଲ ନାହିଁ। ତାକୁ ଯେତେ ବୁଝେଇଲେ ବି ସେ ବୁଝୁନି। ମୋତେ ଖାଲି କହୁଛି ଗୋଟେ ଅଯୋଗ୍ଯ ଲୋକ ହାତରେ ମୋତେ ଟେକି ଦେଲ। ତାର ତୁମ ଉପରେ ଭୀଷଣ ରାଗ। ତାକୁ ଯେତେ ଥର ତୁମ ପାଖକୁ ନେବାକୁ ଚେଷ୍ଟା କଲି ସେ ଜମା ରାଜି ହେଉନି। ତା ଦେହ ବି ଭଲ ନାହିଁ। କହି ଟିକେ ଛେପ ଢୋକିଲେ ମହାଜନ।

--- କିନ୍ତୁ କଣ ହୋଇଛି ରୀତାର। ମୋତେ କିଛି ଖବର ଦେଲେନି ଯେ??? ବଡ ବ୍ଯକୁଳ ହୋଇ ପଚାରିଲା ଗଗନ।

ଖେଁ ଖେଁ ହସି କହିଲେ ମହାଜନ--

--- ସେମିତି କିଛି ବିଶେଷ ବ୍ଯସ୍ତ ହେବାର ନାହିଁ ମ। କଥା ଟା କଣ କି ରୀତା ଏଇ ପାଞ୍ଚ ଦିନ ତଳେ ମେଡିକାଲରେ ଗର୍ଭପାତ କରେଇଛି ତ। ସେଇଥି ପାଇଁ...........

ଗଗନ ମୁଣ୍ଡରେ ଯେମିତି ବଜ୍ର ଖସି ପଡିଲା।

– କିନ୍ତୁ କାହିଁକି? କାହା ଅନୁମତି ରେ ଏତେ ବଡ ନିଷ୍ପତ୍ତି ନେଲା ସେ। କଣ ସେ ପିଲା ଉପରେ ମୋର କିଛି ବି ଅଧିକାର ନଥିଲା। କାନ୍ଦି ଉଠିଲା ସେ। ମୋତେ ନ ପଚାରି ମୋ ପିଲାଟାକୁ ମାରି ଦେଲା। ସେ ନାରୀ ନା ରାକ୍ଷାସୀ। ଆପଣ ସବୁ ଜାଣି ବି ଚୁପ୍ ରହିଲେ କେମିତି।

ମହାଜନ ନିରୁତ୍ତର। ରୀତା ଘର ଭିତରୁ ଝଡ ବେଗରେ ମାଡି ଆସିଲା।

--- କଣ କହିଲ, ମୁଁ ରାକ୍ଷାସୀ। କିଛି କମ ସାହାସ ନାହିଁ ତ ତୁମର। ମୋ ଘର ଆଗରେ ଠିଆ ହୋଇ ମୋ ବିଷୟରେ ଏମିତି କଥା କହୁଛ, ମୋ ବାପାଙ୍କୁ ଅପମାନ କରୁଛ। ଗୋଟେ ଭିକାରି ର ପୁଅ ତୁମେ, ବ୍ଯବହାର ଜାଣିବ କୁଆଡୁ। ଯା ବାହାର୍ ମୋ ଘରୁ। ତୋ ପରି ଲୋକ ସହ ମୋର ରହିବାର ନାହିଁ। ଆରେ ତୋ ସହ ରହିବିନି ବୋଲି ସେ ପିଲା କୁ ମାରିଦେଲି। ଜାଣିଲୁ ତ ଏବେ। ଯାଃ..... ଯାହା କରିବା କଥା କର। ବେଶି ବକ୍ ବକ୍ କଲେ ଯୌତୁକ ଠୁଙ୍କିଦେବି ଯେ ବାପ ପୁଅ ଭିତରକୁ ଯିବ। ଗଗନ କୁ ଏକ ପ୍ରକାର ମାରିବାକୁ ଉଦ୍ଯତ ହେଲା ରୀତା। ମହାଜନ ସବୁ ଦେଖି ବି ନିରୁତ୍ତର। ଯେମିତି ସେ ଏ ଦୃ ଶ୍ଯ କୁ ମନଭରି ଉପଭୋଗ କରୁଥିଲେ।

ଆଉ କିଛିକହିବାର ବା ଶୁଣିବାର ନ ଥିଲା ଗଗନ ର। ଆଖିର ଲୁହ ଆଖିରେ ଧରି ସେ ଏକ ମୁହାଁ ହୋଇ ଦଉଡିଲା ନିଜ ଘରକୁ। ପହଞ୍ଚି ଦେଖିଲା ତା ବାପ ସେଇ ଦେକାନ ଭିତରେ ଜାକିଜୁକି ହୋଇ ଶୋଇଛନ୍ତି। ତାକୁ ଦେଖି ଖୁସିରେ କୁଣ୍ଢେଇ ପକେଇଲେ।

– ଆରେ ବୋହୁ କାଇଁ।

କିନ୍ତୁ ବାପା, ତୁମେ ଏ ଦୋକାନ ଘରେ କଣ ପାଇଁ ? ସେ ଦୁଇ ବଖରା ଘରେ କଣ ରହିବାକୁ ଭଲ ଲାଗିଲାନି କି?

ଏତିକି କହି ସେ ଘର ଭିତରେ ପଶି ଦେଖିଲା ଯେ ଦୁଇଟି ଯାହା ବଖରା ରେ ପଡଛି ବଡବଡ ତାଲା। ସେ ଆଶ୍ଚର୍ଯ୍ଯ ହୋଇ ପଚାରିଲା--

---- ବାପା ଏ ଘର ତାଲା କିଏ ପକେଇଲା। ତା ମାନେ ଆଜି ଯାଏ ତୁମେ ଏଇ ଦେକାନ ଘରେ ରହୁଥିଲ।

ହରି ବାବୁ ନିରୁତ୍ତର। କିନ୍ତୁ ଗଗନ ସବୁ କିଛି ବୁଝି ସାରିଥିଲା। ରୀତା ର ଭୟଙ୍କର ସ୍ବଭାବ ସହ ସେ ବେଶ୍ ପରିଚିତ ଥିଲା। କିନ୍ତୁ ସେଥିରୁ ତା ବାପା ବି ବାଦ୍ ପଡି ନାହାଁନ୍ତି ସେ କଥା ସେ ଜାଣି ନ ଥିଲା।

ବଡ ଅସହାୟ ହୋଇ ଗଗନ କହିଲା –

– ବାପା ଆଜି ରାତି ରେ ଆମେ ଦୁଇ ଜଣ ଏ ଦୋକାନ ଘରେ ଶୋଇବା। କାଲି ସକାଳେ ଦୁଇ ଜଣ ଯାକ ଯିବା ମୋ କର୍ମସ୍ଥାନ କୁ। ମୁଁ ଆଉ ଏକୁଟିଆ ରହି ପାରିବିନି। ଏତିକି କହି ଗଗନ ତା ବାପାଙ୍କୁ କୁଣ୍ଢାଇ ଧରି ଭେଁ ଭେଁ କାନ୍ଦିଲା।

ହରି ତାଙ୍କ ବୋହୁର କାଣ୍ଡକାରଖାନା ବିଷୟରେ ଅବଗତ ଥିଲେ। ତେଣୁ ଗଗନକୁ କିଛି ବି ନ ପଚାରି ତା ମୁଣ୍ଡ ଆଉଁସି କହିଲେ--

---ଆରେ ପିଲାଙ୍କ ପରି କାନ୍ଦୁଛୁ କଣ? ତୋ ବାପା ପରା ବଞ୍ଚିଛି। ତୋ ଆଖିରେ ଲୁହ ଦେଖିଲେ ତୋ ବୋଉ କଣ ସହିବ। ଏତିକି କହି ହରି ପୁଅର ମୁଣ୍ଡ ଆଉଁସିବାରେ ଲାଗିଲେ। ଅତି କମ ସମୟ ଭିତରେ ଗଗନ ଶୋଇପଡିଲା ନିଘୋଡ ନିଦରେ, ଯେମିତି କେତେ ବର୍ଷ ହେଲାଣି ସେ ଶୋଇନି।

ତା ପର ଦିନ ସକାଳୁ ଗଗନ ର ପିଲା ଦିନ ସାଙ୍ଗ ବିନୋଦ ଆସି କହିଲା--

--- ସାଙ୍ଗ ମୋତେ ଖରାପ ଭାବିବୁନି, କେତେ ଦିନ ହେଲାଣି ତୋତେ ଖବର ଦେବି ବୋଲି ଭାବୁଥିଲି। ରୀତା ଓ ତା ବାପା ତୋ ନାଁ ବିକି ବହୁତ ପଇସା କମେଇଛନ୍ତି। ତୋର ପ୍ରଥମ ପୋଷ୍ଟିଙ୍ଗ ସମୟରେ ଦୁଇ ଜଣ ଯାକ ବହୁତ ଲୋକଙ୍କର କାମ କରେଇ ଦେବା ପାଇଁ ଲକ୍ଷଲକ୍ଷ ଟଙ୍କା ନେଇଛନ୍ତି। ବଡବଡ କମ୍ପାନୀ ମାନଙ୍କ ପାଖରୁ ତୋ ନାମରେ ମଧ୍ଯ ଢେର୍ ଟଙ୍କା ନେଇଛନ୍ତି। ତୋ ଅଫିସରେ ଚାକିରି କରେଇ ଦେବ କହି ମହାଜନ ଆମ ଗାଁଆର ବହୁତ୍ ପିଲାଙ୍କ ପାଖରୁ ଜହାର ହଜାର ଟଙ୍କା ନେଇଛି। ଯଦି କିଏ ପଚାରୁଛି ସେମାନେ କହୁଛନ୍ତି ଯେ ତୁ ପଇସା ଖାଇଦେଲୁ କିନ୍ତୁ କାମ କଲୁନି ବୋଲି। ହଁ ଆଉ ଗୋଟେ କଥା ଶୁଣ୍। ରୀତା ଆଉ ଗୋଟେ କାହାକୁ ଭଲ ପାଉଛି। ସେ ଲୋକ ବି ବରାବର ତା ଘରକୁ ଆସୁଛି। ସବୁ ଜାଣିଛି ମହାଜନ, କିନ୍ତୁ କିଛି କହୁନି। ସେ ଲୋକର କୁଆଡେ ବିରାଟ ବଡ କମ୍ପାନୀ ଅଛି। ବିଦେଶରେ ବି ବ୍ଯାପାର ଅଛି। ସେ ଜାଣେ ରୀତା ତୋତେ ବାହା ହେଇଛି ବୋଲି। ସେ ଲୋକର ଗୋଟେ ସର୍ତ୍ତ ଥିଲା ଯେ ରୀତା ପେଟରେ ବଢୁଥିବା ତୋ ପିଲା ଟା ରାସ୍ତାରେ କଣ୍ଟା ସାଜିଛି। ତାକୁ ସଫା କରିଦେଲେ ସେମାନଙ୍କର ବାହାଘର ପାଇଁ ରାସ୍ତା ପରିଷ୍କାର। ଆହୁରି.........

ବିନୋଦ ପାଟିରେ ହାତ ଦେଇ ଗଗନ ଚୁପ୍ ରହିବାକୁ କହିଲା। ସେତିକି ଥାଉରେ ସାଙ୍ଗ, ଆଉ ଶୁଣି ପାରିବିନି। ସେ ଦୁଇ ଜଣଙ୍କ ପଛରେ ଠିଆ ହୋଇଥିବା ହରି ସବୁ ଶୁଣୁଥିଲେ। ତାଙ୍କ ଆଖିରୁ ଧାରଧାର ଲୁହ ବୋହି ଯାଉଥିଲା।

କିଛି ପ୍ରତିକ୍ରିୟା ନ ଦେଖେଇ ସେ ଗଗନ କୁ କହିଲେ--

– ପୁଅ ଚାଲ ଜଲଦି ଯିବା। ଆଉ ଏଠି ରହି ହେବନି।

ଗଗନ ଓ ରୀତା ଭିତରେ ଥିବା ସମ୍ପର୍କଟା ଜଳିପୋଡି ପାଉଁଶ ହୋଇସାରିଥିଲା। ସେ ପାଉଁଶ କୁ ନିରେଖି ଦେଖିଲେ ଦିଶୁଥିଲା ଆଉ କେବେ ଯୋଡି ନ ହୋଇପାରିବା ପରି ସେ ବିବାହ ବନ୍ଧନ, ଯାହା ନିଜ ଅସ୍ତିତ୍ବ ହରେଇସାରିଥିଲା ଲୋଭ, ବିଶ୍ବାସଘାତକତା, ଚଞ୍ଚକତା ଓ ଶଠତା ପରି ଅସ୍ତ୍ର ମାନଙ୍କ ଦ୍ବାରା।

**********ସମାପ୍ତ************




Rate this content
Log in