ତିନି ଝିଅ ଓ ଅସହାୟ ବାପା
ତିନି ଝିଅ ଓ ଅସହାୟ ବାପା
ତିନି ଝିଅ।ତିନିଜଣଯାକ ସୁନ୍ଦରୀ।ବାପା ଭାବୁଥିଲେ ସମସ୍ତେ ସହଜରେ ଉଠିଯିବେ।ଆଜିକାଲି ତ ଝିଅମାନେ ନିଜେ ନିଜର ସାଥି ଖୋଜି ବାହା ହୋଇ ପଡୁଛନ୍ତି।
- ' ସାଥି ଖୋଜିବା ଗୋଟେ କଳା।ସବୁ ଝିଅଙ୍କ ପାଖରେ ସେହି କଳାଟି ନ ଥାଏ।ମୋ ଝିଅମାନଙ୍କ ପାଖରେ ଅଛି ତ ! ' ଦିନେ ଏହି କଥା ନିଜକୁନିଜେ କହିଲେ ବାପା।
ଏହାପରେ ତାଙ୍କ ମୁଣ୍ଡଟା ଟିକେ ଗୋଳମାଳ ହେଲା।
- ' ରୋଜଗାର ନାହିଁ।ଗୋଟିଏ ବି ଝିଅକୁ ବାହା ଦେବା ଦକ୍ଷତା ନାହିଁ।କାହିଁକି ଭଗବାନ ତିନି ତିନିଟା ଝିଅ ଦେଉଥିଲେ କେଜାଣି ! ' ବାପା ଏବେ ନିଜ ଉପରେ ଆଉ ଭଗବାନଙ୍କ ଉପରେ ରାଗିଗଲେ।
ଝିଅମାନଙ୍କ ପାଖରେ ସାଥି ଖୋଜି ବାହା ହେବାର କଳା ଯେ ଅଛି - ବିଶ୍ୱାସ କରି ପାରିଲେନି ବାପା।ସେମିତି ଲାଗୁ ନ ଥିଲା।
ବାପାଙ୍କୁ ଭାରି ଚିଡିଚିଡି ଲାଗୁଥିଲା।କେଉଁଦିନ ବାହା ହୋଇ ଯିବେ ଏମାନେ ? ନିଜକୁ ପଚାରୁଥିଲେ ଏ ପ୍ରଶ୍ନ।
- ' ଶୁଣ,ମୁଁ ଜଣେ ଅଭାବୀ ମଣିଷ।ତୁମମାନଙ୍କୁ ବାହା ଦେବା ମୋ ପକ୍ଷେ ସମ୍ଭବ ନୁହେଁ।ତୁମେ ସବୁ ଗୋଟେ ଗୋଟେ ସାଥି ଧର।ବାହା ହୋଇଯାଅ।ମୋତେ ମୁକ୍ତି ମିଳିଯାଉ। '
ତିନି ଝିଅଙ୍କୁ ଏକାଠି ବସେଇ ଏହି କଥା କହିଦେବାକୁ ଇଚ୍ଛା କଲେ ବାପା। ହେଲେ ସେପରି ସେ କହି ପାରିବେନି ଭାବିଲେ।
ବାପା ଜଣେ ସେପରି କରିପାରେ କ'ଣ !
ଶେଷରେ ଝିଅମାନଙ୍କର ବାହାଘର ସେମାନଙ୍କ ଭାଗ୍ୟ ଉପରେ ଛାଡିଦେଲେ ବାପା।
କିଛି ଦିନ ପରେ........
ଦିନେ ଝିଅ ତିନିହେଁ ଏକାଠି ହୋଇ କିଛି କହିବାକୁ ବାପାଙ୍କ ପାଖକୁ ଆସିଲେ।ଆଗରେ ଥିଲା ସାନ ଝିଅ।ତା'ପଛରେ ଥିଲେ ଅନ୍ୟ ଦୁଇ ଜଣ।
- ' ବାପା! ଆଜି ମୁଁ ଗୋଟେ ପୁଅକୁ ଶକ୍ତ ଚାପୁଡ଼ାଏ ମାରିଲି। ' ସାନ ଝିଅ କହିଲା।
- ' ହେଲେ କାହିଁକି ? ' ଚମକି ପଡିଲେ ବାପା।
- ' ବେଶ୍ କିଛି ଦିନ ହେଲା ମୋ ପଛରେ ପଡିଥିଲା ସେ।ଆଜି ଆଇ ଲଭ୍ ୟୁ କହୁଥିଲା। ' ସେ କହିଲା।
ବାପା ଆଖି ତରାଟି ତାକୁ ଚାହିଁଲେ।କିଛି କହିବାକୁ ଯାଉ ଯାଉ ବଡ଼ ଝିଅ କହିଲା - ' ବାପା ମୋ ପଛରେ କେବେଠୁଁ ଗୋଟେ ଟୋକା ପଡିଛି।ହେଲେ ମୁଁ ତାକୁ ଯମାରୁ ଧରା ଦେଉନି।କାହିଁକି ଦେବି !କ'ଣ ଭାବିଛିକି ସେ !ମୋ ବାପା ତ ତା'ଠାରୁ ଆହୁରି ଭଲ ପିଲା ସାଥିରେ ମୋତେ ବାହା ଦେବେ। '
ବାପାଙ୍କର ରକ୍ତ ଶୁଖିବାକୁ ଆରମ୍ଭ କଲା।
ମଝିଆଁ କିଛି କହିବ ନିଶ୍ଚେ।ଏମିତି ଭାବି ବାପା ତା' ଆଡକୁ ଚାହିଁଲେ।
ବୋଧହୁଏ ଜାଣିଥିଲେ ମଝିଆଁ ଝିଅର ବମ୍ ବେଶୀ ଶକ୍ତିଶାଳୀ, ତେଣୁ ନିଜନିଜର ବମ୍ ଫୁଟେଇ ସାରି ସାନ ଓ ବଡ଼ ଝିଅ ଦୁହେଁ ସେଠାରୁ ଚାଲି ଯାଇଥିଲେ।
ସେ କହିଲା - ' ବାପା!ମୋର ଗୋଟେ ବଡ଼ ଅସୁବିଧା ହୋଇଯାଇଛି।ମୋତେ ବାନ୍ତି ଲାଗୁଛି।ହେଲେ ମୋ ବୟ ଫ୍ରେଣ୍ଡ୍ କୁଆଡ଼େ ଫେରାର୍ ହୋଇଯାଇଛି। '
ପ୍ରଚଣ୍ଡ ବିସ୍ଫୋରଣ !
ବାପାଙ୍କର ମୁଣ୍ଡ ଏକାବେଳକେ ଅକାମି ହୋଇଗଲା।ସେ ବହୁତ ରାଗିଯାଇ ଅତି ନିଷ୍ଠୁର ଭାବରେ କହିଲେ - ' ଆରେ, ତୁମେ ସବୁ ମରିଗଲନି କାହିଁକି ? ଏହି ସବୁ କଥା ଶୁଣାଇବାକୁ ମତେ ବଞ୍ଚି ରହିଥିଲ ? '
ମୁଣ୍ଡ ତଳକୁ କରି ଠିଆ ହୋଇଥିଲା ମଝିଆଁ।
ନିଷ୍ଠୁର ସତ୍ୟ ପ୍ରକାଶ ପାଇଥିଲା ବାପାଙ୍କ ମୁହଁରେ। ହେଲେ ତାଙ୍କ ଅସହାୟତା ଗୋଟେ ଲଙ୍ଗଳା ପିଲା ପରି ଘର ଭିତରେ ନାଚୁଥିଲା।