Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସରଗୀ
ସରଗୀ
★★★★★

© Rajalaxmi Tripathy

Others

4 Minutes   7.7K    14


Content Ranking

ବସ୍ ଚାଲିଛି ରାତି ସାରା,ସୁଦୂର କୋରାପୁଟରୁ ପୁରୀ ।ଯାତ୍ରୀ ମାନେ ସମସ୍ତେ ନିଦରେ ଶୋଇଛନ୍ତି ।ସରଗୀ କିନ୍ତୁ ଚାହିଁ ରହିଛି ।ମନ ଭିତରଟା ଆନନ୍ଦରେ ଉଛୁଳି ଯାଉଛି ।ଦେହ ଶିହରି ଉଠୁଛି ।ସତେ କଣ ଏତେ ଭାଗ୍ୟ କରିଛି ସେ,ତା ହୃଦୟର କାଳିଆ ଠାକୁରଙ୍କୁ ଏତେ ବାଟରୁ ଯାଇ ଦେଖି ପାରିବ ! ବହୁତ ଥର ତା ମନର କଥାକୁ ଗାଁ ମନ୍ଦିରର ପୂଜକ ଦିନୁ ନନାଙ୍କ ଆଗରେ କହିଛି ।ତା'କଥା ଶୁଣି ସେ କହନ୍ତି,ରହ ସେ ସମୟ ଆସୁ, ସେଇ କାଳିଆ ଠାକୁର ତତେ ନଡାକିଲେ, ନଚାହିଁଲେ, ନନେଲେ ତୁ କଣ ତାଙ୍କ ପାଖକୁ ଯାଇ ପାରିବୁ । ଆଜି ଦିନୁ ନନା ଗାଁରୁ ସରଗୀ ଓ ତାର ସାଥିମାନଙ୍କୁ ଧରି ବସରେ ପୁରୀ ଆଣୁଛନ୍ତି ।ତାଙ୍କରି ଯୋଗୁଁ ସରଗୀ ପ୍ରଥମ କରି ତା ଚଢେଇପଲ୍ଲୀ ଗାଁରୁ ବାହାରି ବସରେ ବସିଛି ।ଜୀବନ ସାରା ସେଇ ବଣପାହାଡ଼ ଘେରା ରାଇଜରେ କ୍ଷେତ ବାଡ଼ି ଆଉ ଘର ଜଂଜାଳରେ ରହିତା ବୟସ ପାହିବାକୁ ବସିଲାଣି ।ପିଲାମାନେ ବଡ଼ହୋଇ ନିଜ ନିଜ ସଂସାରରେ ବ୍ୟସ୍ତ । ସ୍ଵାମୀ ଦୁଇ ବର୍ଷ ତଳୁ ଆରପାରିରେ ।ଛାଡ଼,ଏସବୁ ଏଇଲେ ଭାବି କିଛି ଲାଭନାହିଁ, ଭାବିଲା ସରଗୀ ।ସାହା କେବଳ ତାର ସେଇ କାଳିଆ ଠାକୁର । ମନେ ପଡିଲା, ନିତି ସଂଧ୍ୟାରେ ମନ୍ଦିର ଆରତୀ ପରେ ଦିନୁ ନନା ସେଇ କାଳିଆ ସାଆନ୍ତଙ୍କ କଥା କହନ୍ତି ।ଦିନେ ନନା କହୁଥିଲେ "କାଂଚି ବିଜୟ" କଥା ।ଜଗନ୍ନାଥ ଓ ବଳଭଦ୍ର ଦୁଇ ଭାଇ କିପରି ଗଜପତି ମହାରାଜାଙ୍କ ସମ୍ମାନ ରକ୍ଷାକରିବା ପାଇଁ ଘୋଡ଼ାରେ ଚଢ଼ି ଛଦ୍ମବେଶରେ ଯୁଦ୍ଧ ଭୂଇଁକୁ ଗଲାବେଳେ ମାଣିକ ଗଉଡୁଣୀ ହାତରୁ ଦହି ଖାଇଥିଲେ ।ସରଗୀ ମନରେ କଥାଟି ବିଜୁଳି ଚମକଖାଇଲା ପରି ଲାଗିଲା ।ଭାବିଲା, ଆହା! କେଡ଼େ ଭାଗ୍ୟ କରିଥିଲା ସେ ମାଣିକ, ପ୍ରଭୁଙ୍କୁ ନିଜ ହାତରେ ଦହି ଦେଇ ପୁଣି ରତ୍ନ ମୁଦିଟି ରଖିଥିଲା ପ୍ରମାଣ ସ୍ଵରୂପ । ହଁ,ଏଇଟା ତ କେତେ ଯୁଗ ର କଥା ।ଛାଡ଼, ଏ କାଳରେ କଣ ଏମିତି ସମ୍ଭବ? ଏମିତି କେତେ କଣ ଭାବୁ ଭାବୁ ଆଖିରେ ନିଦ ଆସିଗଲା ସରଗୀର ।

ଦିନ ଦିପହରକୁ କିଛି ସମୟକୁ ବାକି ।ବସ୍ ପୁରୀରେ ପହଞ୍ଚିଗଲା ।ଦିନୁ ନନାଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତେ ଗାଡ଼ିରୁ ଓହ୍ଲାଇ ମନ୍ଦିର ଆଡ଼େ ମୁହାଁଇଲେ ।ପ୍ରଥମେ ଠାକୁରଙ୍କ ଦର୍ଶନ ସାରି ବିଶ୍ରାମ ସ୍ଥାନକୁ ଯିବେ ।ଅରୁଣ ଖମ୍ବ ପାଖରେ ଠିଆ ହୋଇଛନ୍ତି ସମସ୍ତେ ।ସରଗୀ ଭାବବିହ୍ବଳରେ ଚାହିଁ ରହିଛି ପତିତପାବନଙ୍କୁ ।ପଲକ ପଡୁନି ତାର ।ଦିନୁ ନନାଙ୍କ ପଛେ ପଛେ ଗୋଟିଏ ଧାଡ଼ିରେ ମନ୍ଦିର ଭିତରକୁ ଯାଉଛନ୍ତି ତାର ସାଥିମାନେ ।ସବା ପଛରେ ଅଛି ସରଗୀ ।ଅପଲକ ନୟନରେ ଚାହିଁ ରହିଛି ପତିତପାବନଙ୍କୁ ।ଆଖି କୋଣରୁ ବୋହିଯାଉଛି ଧାରଧାର ଲୁହ ।ସାହସ ହେଉନାହିଁ ମନ୍ଦିର ଭିତରକୁ ପଶିବାକୁ ।ଏହି ସମୟ ଭିତରେ ତାର ସାଥିମାନେ ମନ୍ଦିର ଭିତରକୁ ଚାଲିଗଲେଣି ।ସରଗୀ ସେମିତି ଚାହିଁ ରହିଛି ।ମହିଳା ପୁଲିସଟିଏ ତାର ହାତ ଧରି ସିଂହଦ୍ଵାରର କବାଟ କୋଣକୁ ଟାଣିଆଣି କହିଲେ-ଭିଡ଼ରେ କେତେବେଳୁ ବାଟ ବନ୍ଦ କରି ଏମିତି ଠିଆ ହୋଇଛୁ କଣ, ଏପଟକୁ ଠିଆ ହୁଅ । ସରଗୀ ଆଖି ବନ୍ଦ କରି ପ୍ରାର୍ଥନା କରିଚାଲିଛି "ପ୍ରଭୁ ଏ ମୁରୁଖ ଗାଉଁଲି ଲୋକଟିକୁ ତୁମ ପାଖକୁ ଟାଣି ଆଣିଛ,ବିଶ୍ୱାସ ହେଉନି ମତେ, ସପନ ଦେଖିଲା ପରି ଲାଗୁଛି" ।ପୁଣି ଆଖି ଖୋଲି ଚାହିଁଲା ସେଇ ପତିତପାବନଙ୍କୁ ।ସେ ଯେମିତି ସେ ଚକାଆଖି ଦୁଇଟିରେ ହଜି ଯାଉଛି, ମିଶିଯାଉଛି,ଆଉ କିଛି ଦିଶୁନି ତାକୁ ।ହଠାତ୍ ତା'ସାମ୍ନାପଟୁ କିଏ ଜଣେ ତାଙ୍କର ଡାହାଣ ହାତଟିକୁ ସରଗୀ ଆଡ଼କୁ ବଢ଼ାଇ ଦେଇ କହିଲେ, ଏଠି କାହିଁକି ଠିଆ ହୋଇଛୁ,ଆ,ମୋ ସାଙ୍ଗରେ ମନ୍ଦିର ଭିତରକୁ ।ସରଗୀକୁ ଲାଗିଲା ତା ହାତ ଧରି କିଏ ସେ ଦ୍ରୁତ ଗତିରେ ମନ୍ଦିର ଭିତରକୁ ନେଇ ଯାଉଛି ।ବିଜୁଳି ବେଗରେ ମନ୍ଦିର ବେଢ଼ା ବୁଲାଇ ତିନି ଠାକୁରଙ୍କୁ ଦର୍ଶନ କରାଇ ତାକୁ ପୁଣି ସେହି ସ୍ଥାନରେ ଛାଡି ଦେଇଗଲେ ।

ମନ୍ଦିର ଦୁଆରେ ଭୀଷଣ ଭିଡ଼ ।ସରଗୀ ଚାହିଁଲା ମନ୍ଦିର ଭିତରକୁ, ବାଇଶି ପାହାଚ ଆଡୁ ତା ସାଥିମାନେ ଆସୁଛନ୍ତି ।ଦିନୁ ନନା ଆଗରେ ଆସି ସରଗୀକୁ କହିଲେ, ତୁ କେଉଁଠି ଏ ଭିଡ଼ରେ ରହିଗଲୁ ଆମେ ସମସ୍ତେ ତତେ ମନ୍ଦିର ଭିତରେ ଖୋଜୁଛୁ ।ତୁ ତ ଠାକୁରଙ୍କୁ ଦେଖିନୁ,ଚାଲ ମୁଁ ତତେ ଠାକୁରଙ୍କୁ ଦର୍ଶନ କରାଇ ଆଣିବି ।ସରଗୀ କହିଲା, ମୁଁ ତ ମନ୍ଦିର ଭିତରକୁ ଯାଇ ଠାକୁରଙ୍କୁ ଦର୍ଶନ କରି ଆସିଛି ।ଦିନୁ ନନା ପୁଣି କହିଲେ-ନା ତୁ ମନ୍ଦିର ଭିତରକୁ ଯାଇନୁ,ଆମେ ତତେ ମନ୍ଦିର ଭିତରେ କେତେ ଖୋଜିଛୁ, ତୁ କେଉଁଠି ବି ନଥିଲୁ । ଏକଥା ଶୁଣି ସରଗୀ ପାଖରେ ଥିବା ମହିଳା ପୋଲିସ ଜଣକ କହିଲେ-ତୁମ ମାନଙ୍କ ସାଙ୍ଗରେ ଆସିଥିବା ଏହି ସ୍ତ୍ରୀ ଲୋକ ଏଠି କେତେ ବେଳୁ ତୁମ ମାନଙ୍କୁ ଅପେକ୍ଷା କରି ଠିଆ ହୋଇଛି ।ମଝିରେ ସେ ଆଖି ବନ୍ଦ କରି କାନ୍ଦି କାନ୍ଦି କଣ କହି ହେଉଥିଲା ।ଭିଡ଼ରୁ ରକ୍ଷାକରିବା ପାଇଁ ମୁଁ ତାକୁ ଏ କୋଣକୁ ଆଣି ଠିଆ କରାଇଛି ।ସରଗୀ କିଛି କହି ପାରୁନଥିଲା ।କଣ ବା କହିବ ସେ କାହାକୁ, ସେ ତ ତା କାଳିଆ ଠାକୁରଙ୍କୁ ମନଭରି ଦେଖି ଆସିଛି ।ସରଗୀ ପାଖରେ ଦିନୁ ନନା ଠିଆ ହୋଇ ଭାବୁଥିଲେ-ଆରେ ଏ ସରଗୀ ଏମିତି ଚନ୍ଦନ ଓ ତୁଳସୀ ବାସ୍ନାରେ ମହମହ ହେଉଛି!!

ଅପରାହ୍ନରେ ସମସ୍ତେ ବସ୍ ରେ ବସିଲେ ।ବସ୍ ଫେରିବ କୋରାପୁଟ । ସମସ୍ତଙ୍କ ମନ ଆନନ୍ଦିତ । ସରଗୀ କିନ୍ତୁ ସଂପୂର୍ଣ୍ଣ ନୀରବ ।କାହାକୁ କିଛି କହୁନି ।ରାତି ଖାଇବା ମଧ୍ୟ ଖାଇଲାନି ।ବସ୍ ରେ ସମସ୍ତଙ୍କ ନଜର ତା'ଆଡ଼େ ।ଦିନୁ ନନା ତା ପାଖକୁ ଆସି ପଚାରିଲେ-ସରଗୀ, ଜଗନ୍ନାଥଙ୍କୁ ଦେଖି ପାରିଲୁନି ବୋଲି ମନ ଦୁଃଖ କରି କଥା କହୁନୁ? ଏକଥା ଶୁଣି ଲୁହ ଭରା ଆଖିରେ ସରଗୀ କହିଲା-ତମେ ମତେ କେହି ବିଶ୍ୱାସ କରୁନ ଯେ ମୁଁ କାଳିଆ ଠାକୁରଙ୍କୁ ମନ୍ଦିର ଭିତରେ ଦେଖି ଆସିଛି ।ସତ କହୁଛି, ଭିଡ଼ ଭିତରେ ମୁଁ ପଶିନପାରିବାରୁ ଜଣେ କେହି ମୋ ହାତକୁ ଟାଣି ବିଜୁଳି ବେଗରେ ମନ୍ଦିର ଭିତରକୁ ଟାଣିନେଲେ ।ମନ୍ଦିର ଭିତର ସାରା ବୁଲାଇ ତିନି ଠାକୁରଙ୍କ ସାମ୍ନାରେ ଠିଆ କରାଇଦେଲେ ।ମୁଁ ଆନନ୍ଦରେ ଠାକୁର ମାନଙ୍କୁ ଦର୍ଶନ କଲି ।

ଏକଥା ଶୁଣି ଦିନୁ ନନା ଭାବିଲେ, ସରଗୀର ଏସବୁ କଥା ହୁଏତ ତାର ମସ୍ତିଷ୍କ ଗୋଳମାଳ ଜନିତ ହୋଇପାରେ ।ତେଣୁ ଏସବୁର ପ୍ରମାଣ ପାଇଁ ତାକୁ ପୁଣି ପଚାରିଲେ-ସରଗୀ, କହିଲୁ ଠାକୁର ମାନେ ସେଦିନ କେଉଁ ରଙ୍ଗର ବସ୍ତ୍ର ପିନ୍ଧିଥିଲେ, କେମିତି ବେଶ ହୋଇଥିଲେ?ସରଗୀ ଅତି ଆଗ୍ରହରେ କହିଲା, ହଳଦିଆ ବସ୍ତ୍ର ।ତାପରେ ଧିର କଣ୍ଠରେ ବର୍ଣ୍ଣନା କରିଥିଲା ସେ ଦିନର ଠାକୁରଙ୍କ ଅପରୂପ ବେଶକୁ ଓ ସେମାନଙ୍କ ଟାହିଆରେ ଲାଗିଥିବା ଫୁଲ ସବୁର ଅବିକଳ ରଙ୍ଗ ।

ଦିନୁ ନନା ଭାବିଲେ,ସତେ ତ ଗୁରୁବାର ଥିବା ହେତୁ ମହାପ୍ରଭୁ ହଳଦିଆ ବସ୍ତ୍ର ପରିଧାନ କରିଥିଲେ ଓ ସରଗୀ ବର୍ଣ୍ଣନା ମୁତାବକ ସୁନ୍ଦର ବେଶ ମଧ୍ୟ ହୋଇଥିଲେ । ସମସ୍ତେ ଆଶ୍ଚର୍ଯ୍ୟ ଓ ନିର୍ବାକ ହୋଇ ଚାହିଁ ରହିଥିଲେ ସରଗୀକୁ ।

ରାଜଲକ୍ଷ୍ମୀ ତ୍ରିପାଠୀ

E email-rajalaxmi tripathy56@gmail.com

Phone-8280952750.

କୋରାପୁଟ ସରଗୀ କାଳିଆ

Rate the content


Originality
Flow
Language
Cover design

Comments

Post

Some text some message..