Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranita Swain

Inspirational Others

3  

Ranita Swain

Inspirational Others

ଜୀବନର କେତେ ରଙ୍ଗ

ଜୀବନର କେତେ ରଙ୍ଗ

5 mins
7.1K


ସକାଳୁ ସକାଳୁ ପାର ଦୋକାନ ପାଖରେ ଏତେ ଭିଡ। ହେଲେ ପାର କାହିଁକି ଦୁଇ ତିନି ଦିନ ହେବ ଦୋକାନ ଖୋଲିନି..। ତା’ ଦୋକାନ ତ କେବଳ ମାସରେ ଗୋଟିଏ ଥର ବନ୍ଦ ହୁଏ...। କେଜାଣି କୁଆଡେ ଯାଇଛି ଦୁଇ ତିନି ଦିନ ହେବ। କିଏ କିଏ ତାମସାରେ କହୁଛନ୍ତି କାହା ସଙ୍ଗେ ପଳେଇଲା ନା କ’ଣ..?ସକାଳୁ ତା ଦୋକାନର ଚା’ ବିସ୍କୁଟ ଆଉ ବରା ଆଳୁଦମ୍ ପାଇଁ ସଭିଏଁ ଭିଡ ଲଗାନ୍ତି। ସ୍କୁଲ ପାଖରେ ଦୋକାନଟି ହୋଇଥିବାରୁ ଦିନ ସାରା ବି ଚଳଚଞ୍ଚଳ ରୁହେ। ପାରର ଆପଣାର ବୋଲି କେହି ନାହାଁନ୍ତି। ଅଳପ ବୟସରୁ ସ୍ଵାମୀଙ୍କୁ ହରାଇ ଶାଶୁଘରୁ ତଡା ଖାଇଲା..। ବାପା ମା' ଥିବା ଯାଏ ବାପ ଘରେ ଭଲରେ ଥିଲା ହେଲେ ସେମାନେ ଗଲା ପରେ ଭାଇ ଭାଉଜ ବି ତା ଉପରେ ଅଶାନ୍ତି ହେଲେ। ଦିନ ସାରା କାମରେ ବ୍ୟସ୍ତ ଥାଏ। କେତେବେଳେ ଘର କାମ ତ କେତେବେଳେ ବିଲ ବାଡିରେ । ଏତେ କଲା ପରେ ବି ଖାଇବାକୁ ଗଣ୍ଡେ ଶାନ୍ତିରେ ଦିଅନ୍ତିନି କେତେ ଆଉ ସହିଥାନ୍ତା...ସେ । ଘର ଛାଡିବାର ନିଷ୍ପତି ନିଏ ପାର। ପାର କିନ୍ତୁ ଭାରି ଦୃଢ ମନା। ନିଜର ଗହଣା ବିକି ସରକାରୀ ଜାଗାରେ ଚାଳଘର ବଖୁରିଏ କରି ରହିଲା। ଆଗକୁ ଟିକିଏ ବଢେଇ ଦେଇ ଦୋକାନଟିଏ କଲା। ତା ହାତ ଚା’ ପିଇବା ପାଇଁ ଧୀରେ ଧୀରେ ଭିଡ ଲାଗିଲା...। ଗାଁ ଟୋକା ମାନଙ୍କର ଟାହିଟାପରା...କେତେ ଯେ ନିନ୍ଦା ଅପବାଦ...ସବୁ ଯେମିତି..ଚା’ ପିଆଲାରେ ପିଇଗଲା..। ସେ ଦିନ ସନିଆଟା କହିଲା-" ଆଲୋ ଆଜି କାହିଁକି ଭାରି ସୁନ୍ଦରୀ ଦିଶୁଛୁ...ତୋ ଗାଲ..ତୋ ଓଠ ଦେଖି ତୋ ଦୁଃଖ ଆଉ ସହି ହେଉନି..ଲୋ..ତୁ ଥରେ ହଁ କରି..ଦେ ଲୋ।"

ପାର ରାଗ ଗରଗର ହୋଇ କହିଲା-" ବାଡିପଡା ରଖ ତୋ ରସିକ ପଣିଆ..ତୋ ଭାରିଜାର ଗାଲ ଓଠର ଖିଆଲ ରଖ...। ନହେଲେ.....।" ଏମିତି ପ୍ରତିଦିନ ଅନେକ ପରିହାସର ଶିକାର ହୁଏ ପାର...ହେଲେ ବିଚଳିତ ହୋଇନି..। ଦୋକାନରୁ ବି ଭଲ ଦି’ ପଇସା ରୋଜଗାର ହୁଏ..। ସମସ୍ତେ ଭାରି ଇର୍ଷା କରନ୍ତି...ପଚାରନ୍ତି.."ଆଲୋ ପାର ଏତେ ପଇସା କରୁଛୁ କ’ଣ...?" ସେ ହସି ଦେଇ କହେ-" ପଇସା କାଇଁ....ସବୁ ପରା ଖର୍ଚ୍ଚ ହୋଇ ଯାଉଛି..?" ହଁ ହଁ ଖର୍ଚ୍ଚ ନା ଆଉ କିଛି...ତୋର କ’ଣ ଛୁଆ ପିଲା ଅଛନ୍ତି ଯେ ଖର୍ଚ୍ଚ ହେଉଛି..। ପାର ହସି ଦେଇ କହେ -" ଆରେ କିଏ କହିଲା ମୋର ପିଲା ଛୁଆ ନାହାଁନ୍ତି..ବୋଲି। ମୋ ଛୁଆ ପରା ଗୋପରେ ବଢୁଛି..।" ଏ କଥା ଯେତେ ବେଳେ କୁହେ ପାର ହଜି ଯାଏ..ଅତୀତର ସେଇ ଅଭୂଲା ମୁହୂର୍ତ୍ତରେ। ସଞ୍ଜ ରତ ରତ ହେଉଥାଏ...ପାର ଦୋକାନ ଜିନିଷ କିଣି ତରତରରେ ବଜାରରୁ ଫେରୁଥାଏ..ହଠାତ୍ ରାସ୍ତା କଡର କିଆ ବଣ ଭିତରୁ କୁଆଁ କୁଆଁ ଶବ୍ଦ ଶୁଣି ପାର ଚମକି ପଡିଲା...ଅନ୍ଧାର ହେଲାଣି ବଣ ଭିତରକୁ କେମିତି ଯିବ..। ମନେ ପଡିଲା ବଜାରରୁ ଦିଆସିଲି ତ ଆଣିଛି...ବ୍ୟାଗରୁ ଦିଆସିଲି ବାହାର କରି କାଠିଟିଏ ଜଳେଇଲା..ପବନରେ ବାରମ୍ବାର ଲିଭି ଯାଉଥାଏ..ଗୁଣୁ ଗୁଣୁ ହୋଇ କେତେ କ’ଣ ଗାଳି ଦେଉ ଥାଏ ପବନକୁ ନିଆଁଲଗା ପବନକୁ ମରଣ ହେଉଛି...ଟିକେ ରହିଗଲେ ହୁଅନ୍ତାନି..। ଏମିତି କାଠି ଜଳେଇ ଜଳେଇ ବଣ ପାଖକୁ ଗଲା..ଦେଖିଲା ନବ ଜାତ ଝିଅଟିଏ ବଣରେ ଶୋଇଛି..ଦେହ ସାରା କଣ୍ଟା ଫୁଟି ରକ୍ତ ବୋହୁଛି..ଠା ଠା ପିମ୍ପୁଡି ଲାଗିଛି...।ଆହାଃ କହି ଉଠେଇ ଆଣିଲା ପାର...। କିଏ ସେ ପୋଡା ମୁହାଁ ଏଭଳି କାମ କରିଛି..।କେମିତିଆ ମା’ ସେ ..କେମିତିଆ ବାପା ...କଣ୍ଟା ବଣରେ ଶୁଆଇ ଦେଇ ଗଲେ..କେତେ କଠୋର ହୃଦୟ ସତେ..। କିଏ ପିଲାଟିଏ ପାଇଁ ଲକ୍ଷେ ଶିବ ପୂଜୁଛି...ଆଉ ଏମାନେ...? କ’ଣ ଝିଅଟିଏ ବୋଲି ପକେଇ ଦେଇ ଗଲେ ନା କୋଉ କୁଆଁରୀ ଝିଅର ପାପ କର୍ମ...ହେଲେ ଏ ଛୁଆଟିର ଦୋଷ କ’ଣ..? ଏମିତି ଭାବୁଭାବୁ କେତେ କ’ଣ ଅନାବନା ଗାଳି ଦଉଥିଲା ପାର। ଆଖି ତାର ଲୁହରେ ସରସର...ପିଲାଟିକୁ ପୋଛି ପାଛି ଦେଇ ଉଠେଇ ଆଣିଲା ପାର.. .।.ଛାତିରେ ଲଗେଇ କହିଲା ଆଜିଠାରୁ ମୁଁ ତୋ ମା’...। ସଙ୍ଗେ ସଙ୍ଗେ ଝିଅଟିକୁ ପାଖ ଡାକ୍ତର ଖାନା ନେଇକି ଗଲା ପାର...। ଦେଖ ଡାକ୍ତର ବାବୁ ପିଲାଟିକୁ ରାସ୍ତା କଡରୁ ପାଇଲି...କେଜାଣି କିଏ ଫିଙ୍ଗି ଦେଇ ଯାଇଥିଲା...କହୁ କହୁ କାନ୍ଦି ପକେଇଲା ପାର..।ଖଣ୍ଡିଆ ଖାବରା ପିଲାଟିକୁ ଦେଖି ଡାକ୍ତର ଶୀଘ୍ର ଚିକିତ୍ସା ଆରମ୍ଭ କରିଦେଲେ ଆଉ ପୋଲିସ୍ ଷ୍ଟେସନ୍ ଫୋନ କଲେ।

ଏକଥା ଦେଖି ପାର କହିଲା.."ପୋଲିସ୍ ବାବୁଙ୍କୁ କାହିଁକି ଡାକୁଛ । ଏ ଝିଅଟିକୁ ମୁଁ ପାଇଛି..ମୁଁ ପାଳିବି...।" ଡାକ୍ତର କହିଲେ..."ପୋଲିସ କହିବାକୁ ପଡେ। ସେମାନଙ୍କ ଅନୁମତି ନ ପାଇଲେ ତୁମେ ପିଲାଟିକୁ ପାଳି ପାରିବନି...।" ବୁଝିଗଲା ପାର। ନଖାଇ ନପିଇ ଡାକ୍ତର ଖାନାରେ ପିଲାଟି ପାଖରେ ପଡି ରହିଲା ସେ । ପୋଲିସ୍ ଆସିଲେ...ପିଲାଟିର ଅବସ୍ଥା ଠିକ୍ ହେବା ଯାଏ ଡାକ୍ତରଖାନାରେ ରହିବ ବୋଲି ପରାମର୍ଶ ଦେଲେ। ପାର ପିଲାଟିକୁ କୋଉଠୁ ପାଇଲା ପବୁ ଘଟଣାର ପାରକୁ ଜେରା କଲେ...ପାଇଥିବା ଜାଗାର ବି ପର୍ଯ୍ୟବେକ୍ଷଣ କଲେ। ପୋଲିସଙ୍କୁ ଡରି ଡରି ପାର କହିଲା.." ବାବୁ ଏ ପିଲାଟିକୁ ପାଳିବାକୁ ଚାହେଁ...ଖୁବ୍ ଆଦର ଯତ୍ନରେ ପାଳିବି ବାବୁ..ଜମା ବି ଅଣହେଳା କରିବିନି..ବିଶ୍ଵାସ କରନ୍ତୁ..।" ପୋଲିସ୍ ପାର ଆଡକୁ ଚାହିଁଲେ...ଦେଖିଲେ ଝିଅଟି ବିଧବା ବୟସ ବି ସେତେ ନୁହେଁ...। ସେମାନେ ପାରକୁ ପଚାରିଲେ.." ତୁମେ କେଉଁଠି ରୁହ? ତୁମର ଆଉ କିଏ କିଏ ଅଛନ୍ତି?ତୁମେ କ’ଣ କର..?" ପାର ଏକ ନିଶ୍ଵାସରେ ତା ଜୀବନର କାହାଣୀ..ଲୁହ ଢଳ ଢଳ ଆଖିରେ ଗାଇ ଦେଇ ଗଲା..। ମୁଁ ପିଲାକୁ ପାଳି ପାରିବି ବାବୁ ଦୋକାନରୁ ଭଲ ଦି’ ପଇସା ରୋଜଗାର ହେଉଛି..ମୋର କିଏ ଆଗକୁ ଅଛି ନା ପଛକୁ..। ପୋଲିସ୍ କହିଲେ -" ସେ ଆଗ ଭଲ ହୋଇ ଯାଉ ତା ପରେ ଦେଖିବା...। ପାର ପଛରେ ଗୋଡେଇ ଗୋଡେଇ ଯାଇ ପୁଣି କହିଲା...ମୁଁ ବିଧବା ଝିଅଟେ ତାକୁ ପାଖରେ ରଖିଲେ...ନାନା ଲୋକ ନାନା କଥା କହିବେ...ପିଲାଟି ବଡ ହେଲା ପରେ ତାକୁ ବି ଟାହି ଟାପରା କରିବେ..କଥା କ’ଣ କି ବାବୁ ଯଦି ସେ ଅନାଥ ଆଶ୍ରମରେ ରୁହନ୍ତା...ନାଇଁ ନାଇଁ ବାବୁ ତାର ସବୁ ଖର୍ଚ୍ଚ ମୁଁ ବହନ କରନ୍ତି...।"

ପୋଲିସ୍ କହିଲେ..." ଭଲ ହେଲା ପରେ କ’ଣ ହୋଇ ପାରିବ ଭାବିବା...।" ଧୀରେ ଧୀରେ ପିଲାଟି ଭଲ ହେଲା । ସହରର ଗୋଟେ ଅନାଥ ଶିଶୁ ଆଶ୍ରମରେ ଯାଇ ରହିଲା। ପିଲାଟିର ଦାୟୀତ୍ଵ...ଆଇନ୍ ଅନୁସାରେ..ପାରକୁ ଦିଆଗଲା। ପାରର ଖୁସୀ କହିଲେ ନ ସରେ..ପ୍ରତି ମାସରେ ଥରେ ସେ ଦୋକାନ ବନ୍ଦ କରି ସହରର ସେ ଅନାଥ ଆଶ୍ରମକୁ ଯାଏ...। ଏ କଥା କେହି ଯାଣନ୍ତିନି..। ଶ୍ରଦ୍ଧାରେ ତା ଦେଇଥିଲା ଖୁସୀ...କିନ୍ତୁ କାଗଜ ପତ୍ରରେ କୁଆଡେ...ତା ନାଁ ସୁଲଗ୍ନା। ନା ଯାହା ବି ହେଉ ବା...ଖୁସୀ ତ ତାର...। ଝିଅ ଦେଖିବାକୁ...ଯେମିତି ଗୁଣରେ ବି ସେମିତି..। ଖୁବ୍ ଭଲ ପାଠ ପଢୁଛି କୁଆଡେ....। ମୋ ଝିଅ କଲେକ୍ଟର..ହେବ। ଏ କଥା ଭାବୁ ଭାବୁ ମୁରୁକି ହସେ ପାର।

ପାର ଆଜି କାହାକୁ କିଛି ନ କହି କୁଆଡେ ଚାଲି ଯାଇଛି...। ସମସ୍ତଙ୍କର ଭାଳେଣି କୁଆଡେ ଗଲା...। ହଠାତ୍ ଧଳା ରଙ୍ଗର କାରଟିଏ ଆସି ପାର ଦୋକାନ ଆଗରେ ଅଟକିଲା...। ସମସ୍ତେ ଆଶ୍ଚର୍ଯ୍ୟ...ହୋଇ ଚାହିଁଲେ...। କାର୍ ଭିତରୁ ବାହାରି ଆସିଲା ପାର..। ସମସ୍ତେ ପଚାରିଲେ ଆଲୋ ପାର ତୁ କୁଆଡେ ଯାଇ ଥିଲୁ କି..? ଆମେ କେତେ ଚିନ୍ତା କରୁଥିଲୁ। ପାର ପଛେ ପଛେ କାରରୁ ବାହାରି ଆସିଲେ..ସୁଲଗ୍ନା(ଖୁସୀ)। ସମସ୍ତେ ଦେଖି ହତବାକ୍...ଏ ପୁଣି କିଏ..? ସଦାନନ୍ଦ ପଚାରିଲେ ପାର ଇଏ କିଏ କି..? ପାର ହସି ହସି କହିଲେ..." ଦାଦା ଇଏ ପରା ଆମ ଜିଲ୍ଲାର ନୂଆ କଲେକ୍ଟର..।" ସମସ୍ତେ ସ୍ତବ୍ଧ..।କଲେକ୍ଟର ସହ ପାର କଥା କ’ଣ । ପାର ଖୁସୀ ଆଡକୁ ଚାହିଁ କହିଲା..." ମା’ ଏମାନଙ୍କୁ ଜୁହାର..ହଅ..ଏମାନେ ସମସ୍ତେ ପରା ଆପଣାର..ଲୋକ। ଖୁସୀ ସମସ୍ତଙ୍କୁ ଜୁହାର ହେଲା..।" ପାର ହସି ହସି କହିଲା " ବୁଝିଲ ଦାଦା.. ଏ ମୋ ଝିଅ ଆମ ଜିଲ୍ଲାର କଲେକ୍ଟର..ପରା। ସଦାନନ୍ଦ ବିସ୍ମୟରେ ପଚାରିଲେ...ତୋ ଝିଅ..? ହଁ ଦାଦା..ମୁଁ କହେ ନା ମୋ ଛୁଆ ଗୋପରେ ବଢୁଛି ବୋଲି..ଇଏ ସେଇ ମୋ ଝିଅ ପରା...।" ସମସ୍ତେ...ଚୁପ୍...। ପାର...ମୁରୁକି ହସି..ଚବିଶ ବର୍ଷର କାହାଣୀ ଏକ ନିଶ୍ଵାସ କେ...ଗାଇ ଗଲା..। ସମସ୍ତଙ୍କ ଆଖିରେ ଖୁସିର ଲୁହ..। ପ୍ରଶଂସାରେ ପୋତି ପକେଇଲେ ପାରକୁ..। କହୁଥିଲେ ସତରେ ନାରୀ ଅବଳା କି ଦୁର୍ବଳା ନୁହେଁ....ପ୍ରତକ୍ଷଦର୍ଶୀ ଦେଖଣା ହାରି ପାର କାହାଣୀର ମୂକ ସାକ୍ଷୀ...କିଭଳି...ଜୀବନରେ ସବୁ ଦୁଃଖକୁ ସାହସର ସହ ସାମନା୍ କରି...ସାଉଁଟି ଆଣିଥିବା ଝିଅଟିକୁ...ମଣିଷ ପରି ମଣିଷଟିଏ କରିଛି ଭାବୁଥିଲେ ଲୋକ ମାନେ...।

ପାର କହିଲା.."ସନିଆ ନେ ଦୋକାନ ଚାବି..ଆଜି ଠାରୁ ଏ ଦୋକାନ ତୋର..।" ସନିଆ କହିଲା-" କାଇଁ ତୁ କୁଆଡେ ଯାଉଛୁ କି...? ଆରେ ମୋ ଝିଅକୁ ପରା ସରକାରଙ୍କ ତରଫରୁ ବଙ୍ଗଳା ମିଳିଛି...ମୁଁ ଆଜିଠାରୁ ସେଇଠି ରହିବି...।" ଏତିକି କହି ପାର ସମସ୍ତଙ୍କୁ ଲୁହ ଛଳ ଛଳ ଆଖିରେ ଜୁହାର ହୋଇ ଗାଡିରେ ବସିଲା..ଗାଡି ଚାଲିଲା...ଗାଁ ଲୋକ ସମସ୍ତେ ଚାହିଁଥାନ୍ତି... ଗାଡିଟିକୁ ଲୁଚିବା ପର୍ଯ୍ୟନ୍ତ..ଆଉ ଭାବୁଥାନ୍ତି....ସତରେ...ଜୀବନର କେତେ ରଙ୍ଗ.... ।

ରନିତା ସ୍ବାଇଁ


Rate this content
Log in

Similar oriya story from Inspirational