Satyaprakash Sethy, M. A(UGC NET)

Inspirational Tragedy


5.0  

Satyaprakash Sethy, M. A(UGC NET)

Inspirational Tragedy


ମା 'ମଲା ମାମଲା ଫିଟ୍

ମା 'ମଲା ମାମଲା ଫିଟ୍

5 mins 400 5 mins 400

ଦିନେ ଦୁଇ ଭାଇ ହିଡ ମୁଣ୍ଡ ଉପରେ ମୁଣ୍ଡ ଉପରେ ହାତ ଦେଇ ବସି ପଡିଥା’ନ୍ତି। ସଞ୍ଜ ନଇଁ ଆସୁଥାଏ, ହେଲେ କେହି କାହାକୁ କିଛି କହୁନଥା’ନ୍ତି। ଉଭୟଙ୍କ ମୁହଁ ଅଲଗା ଅଲଗା ଦିଗକୁ ମୁହାଁଇ ଥାଏ। ବୋଧେ କେହି କାହାକୁ ଦେଖି ପାରୁ ନଥା’ନ୍ତି। ବେଶ୍ ନୀରବତା ଛାଇ ହୋଇ ଯାଇଥାଏ। ରାତ୍ରିର ଅନ୍ଧକାର ଘୋଟି ଆସୁଥାଏ। ମୁହଁ ସଞ୍ଜ ହୋଇ ସାରି ଥାଏ।

ନନ୍ଦିଆ କନ୍ଦିଆ ଦୁଇ ଭାଇ। ଏକେ ଆରକ ବଳି। ଭାରି ଗୁଣବନ୍ତ ପିଲା ଦୁଇଟା। ବୟସର ତାରତମ୍ୟ ଟିକିଏ କମ୍। ତେଣୁ ଦୁଇ ଜଣଙ୍କ ଭିତରେ ଅଧିକ ଆତ୍ମୀୟତା। ଅତୁଳନୀୟ ସେ ବନ୍ଧୁତା। ଜଣେ ଅନ୍ୟ ଜଣକୁ ଘଣ୍ଟେ ନଦେଖିଲେ ଟିକେ ରହି ପାରେ ନାହିଁ। ସାଙ୍ଗ ହୋଇ ଖାଇବା ପିଇବା, ଖେଳିବା ବୁଲିବା, କାମ କରିବା ସବୁ କେମିତି ଗୋଟିଏ ତାଳମେଳରେ ଚାଲିଥାଏ। ବାପା ମାଆଙ୍କର ଖୁସିର ଅନ୍ତ ନଥାଏ। ଯାହା ହେଉ ଭଗବାନଙ୍କ କରୁଣାରୁ ଏପରି ପିଲା ଯୋଡିକ ମିଳିଛନ୍ତି। ଭାରି ଆଜ୍ଞାବହ ।ଏ ହେଉଛି ଇଶ୍ୱରଙ୍କ ବରଦାନ। ଖୁସିର ଅନ୍ତ ନଥାଏ । ସମସ୍ତେ କୁହାକୁହି ହେଉଥାନ୍ତି – ଦୁଇ ଭାଇ ନୁହଁନ୍ତ ତ ଦୁଇ ସାଙ୍ଗ। ଇଶ୍ୱରଙ୍କ କୃପା ହେଲେ ଏଭଳି ସନ୍ତାନ ସନ୍ତତି ଜନ୍ମ ନିଅନ୍ତି। ଚେମା ଚେମି କେଉଁ ଜନ୍ମରେ କି ତପସ୍ୟା କରିଥିଲେ କେଜାଣି ଏ ଜନ୍ମରେ ଏଭଳି ପିଲା ଦୁଇଟି କ୍ରୋଡ଼ରେ ପାଇଛନ୍ତି। ଏମିତି ବେଶ୍ କିଛି ଦିନ କଟିଗଲା।

ଚାଷୀ ମୂଲିଆ ଘରର ପିଲା। ପାଠ ସାଠ ଯାହା କାମଚଳା ଦି’ଅକ୍ଷର ପଢିଛନ୍ତି। ବାପା ମାଆ ଦିଟା ଭାରି ଗରିବ। ମୂଲ ଲାଗିଲେ ପେଟ ପୋଷନ୍ତି। ଏବେ ପିଲା ଦୁଇଟା ପାରି ଗଲେଣି, ଆଉ ବାପା ମାଆଙ୍କର ଚିନ୍ତା ନାହିଁ। ବେଶ୍ ବାଆ ପିଟି ଦୁଇ ପଇସା ରୋଜଗାର କଲେଣି। ଭଲ ମନ୍ଦ କି ତେଲ ଲୁଣର ସଂସାରଟା ଖୁସିରେ ଚଳିଯାଉଥାଏ । କାମ ଧନ୍ଦାରୁ ଯାହା ଦି ପଇସା ମିଳେ କିଛି ସଞ୍ଚୟ କରନ୍ତି। ସବୁ ମାଆ ହାତକୁ ଟେକି ଦିଅନ୍ତି। ମାଆ ଘର ଚଳାଏ। ବଳକା ଧନରେ ଜମି ଏକ ଏକର କିଣିଲେଣି। ବାପା ତ ବୁଢ଼ା ଲୋକ ଯାହା ଦାଣ୍ଡ ପିଣ୍ଡାରେ ବସି ପିଲାଙ୍କୁ ବୁଦ୍ଧି ଅକଲ ଟିକିଏ କହି ଦିଅନ୍ତି। ସେଇଥିରେ ତାଙ୍କ ଦୁନିଆଟା ସବୁ ଠିକ୍ ଠାକ୍ ଚାଲେ।

କ୍ରମେ ବିବାହ ଯୋଗ୍ୟ ବୟସଟା ପଦାର୍ପଣ କଲା। ଦୁଇ ଭାଇ ବିବାହ କରି ଘରକୁ ଦୁଇଟା ସୁନା ନାକୀ ବୋହୂ ଆଣିଲେ। ହସ ଖୁସିରେ ସଂସାର ଧାଇଁଲା। ଧୀରେ ଧୀରେ ସମୟର ଗତିରେ ସବୁ ଓଲଟା ହେବାକୁ ଆରମ୍ଭ କଲା। ଏଣିକି ଦୁଇ ବୋହୂ ଭିତରେ ଇର୍ଷା ବାଦ ମୁଣ୍ଡ ଟେକିଲାଣି। କେହି କାହାକୁ ସହି ପାରୁ ନାହାଁନ୍ତି। ଭଲ ଖାଇବା ଭଲ ପିନ୍ଧିବାକୁ ନେଇ କଳି ତକରାଳ ଦେଖା ଦେଲାଣି। ଘରର ମୁରବୀ ମାଆ ହାତକୁ ରୋଜଗାରରୁ ଆଉ ସବୁ ପଇସା ଯାଏ ନାହିଁ। କେହି କେହି ଲୁଚେଇ ଚୋରେଇ ନିଜ ପାଖରେ ଗଣ୍ଠୁଳି ଧନ ସାଇତି ରଖିଲେଣି। ଏଣିକି ବିଶ୍ବାସ ଅବିଶ୍ଵାସର ପ୍ରଶ୍ନ ଉଠିଲାଣି। ସୁବିଧା ସୁଯୋଗ ଦେଖି ଗାଁର ମନ୍ଥରା ସ୍ତ୍ରୀ ଲୋକମାନେ କହି ପକାନ୍ତି – “ଏଇଟା ଅନ୍ତର କଟା କାମ। ସିଏ ଯଦି ଲୁଚେଇ ରଖିଲା ତୁ ରଖୁନୁ, ତୋର କ’ଣ ଛୁଆ ପିଲା ନାହାଁନ୍ତି କି? ତୋ ସ୍ଵାମୀ ବି ରୋଜଗାର କରୁଛି ନା?”ମାଇପି ପିଲା, ପାଠସାଠ ନାହିଁ, ବୁଦ୍ଧି ଶୁଦ୍ଧି କମ୍ ପର କଥାରେ ଭଳି ଯାଆନ୍ତି । ସତ ହେଉ ବା ମିଛ ପର କଥା ଶୁଣି ନିଜ ଭିତରେ ପ୍ରତିଯୋଗୀତା ଚାଲେ। କେହି କାହାକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ। ଦୁଇ ଭାଇ ମଧ୍ଯ ସ୍ତ୍ରୀ ମାନଙ୍କ କଥାରେ ପରିଚାଳିତ ହୋଇ ନିରପେକ୍ଷତା ଅବଲମ୍ବନ କରି ପାରନ୍ତି ନାହିଁ। ସେଇ ବିଷମୟ ଚକ୍ରରେ ପଡି ଘାଣ୍ଟି ହୁଅନ୍ତି। ସମସ୍ୟା ଛୋଟରୁ ବଡ଼ ହୁଏ।

ଘରେ ଅଶାନ୍ତି ଦେଖି ଦୁଃଖ ଅବସାଦରେ ବାପାଟା ଆଖି ବୁଜି ଦେଲା। ତଥାପି ମାଆ ମୁରବୀ ଥିଲା ବିଶେଷ କିଛି ଫରକ୍ ପଡ଼ୁ ନଥିଲା। କିନ୍ତୁ ବୁଢୀ ଲୋକଟା ଆଉ ବା କେତେ ଦିନ। ଶେଷରେ ସିଏ ବି ଆରପାରିକୁ ରାସ୍ତା କାଟିଲା। ମା’ମଲା, ମାମଲା ଫିଟ୍। ଏବେ କଥା ଯାଇ କୋର୍ଟ କଚେରୀରେ । ଆଜି ନନ୍ଦିଆ କନ୍ଦିଆ ମୁରବୀହୀନ। ତେଣେ ସ୍ତ୍ରୀମାନଙ୍କ ଔଦ୍ଧତ୍ଯ ବଢିବାକୁ ଲାଗିଲାଣି। ଦୁଇ ଭାଇ ଭିତରେ ଆଡ ଆଡ ଭାବ। କେହି କାହା ସହିତ ଆଉ ମନ ଖୋଲି କଥା ହୋଇ ପାରନ୍ତି ନାହିଁ।

ସେପଟେ ସ୍ତ୍ରୀମାନଙ୍କର କଟାକ୍ଷ ଓ ଆଡରୁସା ବ୍ୟବଧାନର ପ୍ରାଚୀର କରି ଛିଡା ହେଉଥାଏ। ଏଣିକି ଗୋଟାଏ ବିସ୍ଫୋରଣର ଆଭାସ।

ଦିନେ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ତୁମୁଳ କାଣ୍ଡ। ଉଭୟ ଉଭୟଙ୍କ ସ୍ତ୍ରୀର କଥାକୁ ସଠିକ୍ ସିଦ୍ଧ କରିବାକୁ ଯାଇ ଯୁକ୍ତିତର୍କ, ପାଟି ତୁଣ୍ଡ, ବାଡ଼ି ଠେଙ୍ଗା ଓ ମୁଣ୍ଡ ଫଟା ଫଟି ହୋଇ ପ୍ରଥମେ ଡାକ୍ତରଖାନା ଓ ପରେ ପୁଲିସ ଷ୍ଟେସନ୍ ଧାଇଁଲେ। ଘଟଣା ନେଲା ଭିନ୍ନ୍ ରୂପ। ମୋଡ ବଦଳିଲା। ବିବାଦ ଥମିବାର ନାଁ ନେଲା ନାହିଁ, ବରଂ ଖାଲି ହୁହୁ ହୋଇ ବଢ଼ିଲା ଯେମିତି ନିଆଁରେ କିଏ ଘିଅ ଢାଳି ଦେଇଛି। ଜଣେ ଅନ୍ୟର କେତେ ଅଧିକ କ୍ଷତି କରି ପାରିବ ସେଇ ଚିନ୍ତାରେ ସମସ୍ତେ ରହିଲେ। ପୂର୍ବର ସମ୍ପର୍କ ଓ ଆତ୍ମୀୟତା ନିମିଷକେ ମିଳେଇ ଗଲା। ଏଣିକି ମହାଭାରତ ଯୁଦ୍ଧ। ବିନା ଯୁଦ୍ଧେ ଦେବି ନାହିଁ ସୁଚ୍ୟଗ୍ରେ ମେଦିନୀର ଟାଣପଣ। ଏଥକୁ ଶକୁନିମାନଙ୍କର ଭୂମିକା ଅହରହ ଘଟଣାକୁ ବିଗାଡୁଥାଏ। କୋର୍ଟ କଚେରୀ ଧାଇଁ ଧାଇଁ ଉଭୟ ନୟାନ୍ତ। ଓକିଲକୁ ପୋଷି ପୋଷି ଗଣ୍ଠିଲି ଧନ ଶେଷ। ତେଣିକି ଧାର ଉଧାର ଓ ହାତ ଉଧାରିକୁ ଭାରସା। ପରେ ରୁଣ ଓ ଜମି ବନ୍ଧକି – ଜୀବନତକ ଖଟଣିର ଶେଷ ସନ୍ତକ ଓ ଶେଷ ସହାୟକ । ସେ ସବୁରେ କାମ ନମେଣ୍ଟିବାରୁ ଶେଷରେ ଜମି ଏକରକ ବିକିବାର ମସୁଧା।

ପୂରା ଘଟଣା କ୍ରମର ପ୍ରଚ୍ଛଦପଟରେ ମାଷ୍ଟର୍ ମାଇଣ୍ଡ-ଶକୁନି ବାବୁ।ଶକୁନି ବାବୁଙ୍କ ପ୍ରିୟ ନାଁଟା ଅନନ୍ତା। ଲୋକଟା ଗୁହାଳ ଖଲିଆ। ଘର ପିଣ୍ଡାରେ ବସି ଥିଲା ବେଳେ ଏଇଟା ‘କ ‘କି ‘ବ ‘କାହାକୁ କହେ ନାହିଁ। ଘରୁ ବାହାରି ଗଲା ବେଳକୁ ଗୋଡ଼ ଘୋଷାରି ଘୋଷାରି ମୁହଁ ଓହଳାଇ ବାବୁ ଚାଲିଥାନ୍ତି। ଦାଣ୍ଡ ମଝିରେ ପହଁଚିଗଲା କ୍ଷଣି ଭୂତ ସବାର ହୋଇଯାଏ କି କ’ଣ ଦେହକୁ ବଳ ଆସିଯାଏ। ହାଣ୍ଡିଆ ପାଟିରେ ଚିଲାଏ। ବେଶ୍ ସଳଖି ବାଟ ଚାଲେ। ଲମ୍ବ ଡିଆଁ ମାରି ବାଟଟାକୁ ଏକା ନିଶ୍ବାସକେ ଢୋକି ଦିଏ। କେଉଁଠି ଟିକିଏ ଘଟଣା ଘଟିଲେ ତାକୁ ଆଗ ବାସେ, ଗାଁଟା ସାରା ପ୍ରଘଟ ନକରି ସେ ନିଶ୍ବାସ ମାରି ପାରେ ନାହିଁ।ଦୁନିଆଟା ଯାକର ଖବର ତା’ ପାଖରେ। ନିଆଁ ଖୁଣ୍ଟାଟା, ଭାରି ନିଆଁ ଲଗା। ନିମିଷକେ ଗାଁଟା ସାରା ବୁଲି ଆସେ। ସମସ୍ତଙ୍କ ବାଡ଼ିରେ ପଶେ – କଳେ କଳେ ଖାଏ (ଘରେ ପଶି ଅଳ୍ପ ଅଳ୍ପ ଲୁଟେ) । ପୂରା ବାଡ଼ିଟା ଦେଖେଇ ଦେଲେ ବାଡ଼ିଟାଯାକ ଛିଣ୍ଡାଇ ନାରଖାର କରି ଦିଏ। ବଡ଼ ଅସହିଷ୍ଣୁ, ବ୍ୟକ୍ତିଟା- ସହି ପାରେ ନାହିଁ। ଯେଉଁ ପତରରେ ଖାଏ ସେଇ ପତରରେ ଥୁକେ। ୟାହାପ ବଡ଼ ବେଇମାନ୍। ସ୍ୱାର୍ଥପରଟା। ପଇସାଟା ଢଙ୍ଗ ଢଙ୍ଗ କରି ତା’ଆଗେ ହଲେଇଲେ କୁକୁରଟା ଭଳି ତା’ ପଛେ ପଛେ ଧାଇଁ ଥିବ। ସ୍ୱାର୍ଥଟା ମେଣ୍ଟି ଗଲା କ୍ଷଣି ତା’ପର ଦିନ ତାକୁ ନାତଟେ ମାରି ଦେଇଥିବ। ଇଏ ଆମ ସେହି ଶକୁନି ବାବୁର କରାମତି ମ! ଯିଏ ସାହୁ ବୁଢ଼ାର ଚାମଚା।, ସେଦିନ ଯିଏ ଦୁଇ ଭାଇକୁ ମତେଇ ତତେଇ, ଲଗେଇ ଜୁଟେଇ କଳି ଭିଆଇ ଥିଲା। ସେଇ ଏବେ ଦୁଇ ଜଣଙ୍କ ସଙ୍ଗେ ଅଲଗା ଅଲଗା ଯୋଗାଯୋଗ କରି ରାଜି କରେଇଛି ଜମି ଏକରକ ନେବ। ଶାଗ ମାଛ ଦରରେ ବିକ୍ରି ହେବ। ଦୁଇ ଭାଇଙ୍କର ତ ଅନ୍ୟ ଉପାୟ ନାହିଁ। କେସ୍ ଲଢିବାକୁ ଅଣ୍ଟିରେ ବଳ ନାହିଁ। ପୁଣି ଧାର ଉଧାର ସୁଝି ହେଉ ନାହିଁ। ତେଣେ ବାର ଲୋକଙ୍କ ପାଖରୁ ତେର କଥା ଶୁଣିବାକୁ ପଡୁଛି। ଆଉ ଧୈର୍ଯ୍ୟ ନାହିଁ। ଜମି ଖଣ୍ଡିକ ବରଂ ଗଲେ ଯାଉ, ତେଣିକି ଯାହା ହେବ। ଏପରି ନିଷ୍ପତ୍ତି ନେବାକୁ ସେମାନେ ବାଧ୍ୟ। କଥା ବାର୍ତ୍ତା ସରିଗଲା, ଜଣକା 50 000 ଲେଖାଏଁ ଟଙ୍କା ଉଭୟ ଭାଇଙ୍କୁ ସାହୁଏ ଦେବେ। ଆସନ୍ତା କାଲି ରେଜେଷ୍ଟ୍ରିକରଣ ହେବ।

ନିଷ୍ପତ୍ତିଟା ସିନା ହୋଇ ଗଲା, କିନ୍ତୁ ମନଟା ଅଶାନ୍ତ ହୋଇ ଉଠୁଥାଏ। ଗଭୀର ଆତ୍ମ ଦହଗଞ୍ଜ ଓ ଅନୁଶୋଚନା ଭିତରେ ଦୁଇ ଭାଇ ଘାରି ହେଉଥାନ୍ତି। ମନେ ମନେ ଭାବୁଥାନ୍ତି – “କେଡ଼େ ଟିକିଏ କଥା ପାଇଁ ଆଜି କ’ଣ ନହୋଇ ଗଲାାସତେ? ସତରେ କ’ ଣ ସୁଖର ସଂସାରଟା ଏହିଭଳି ମାତ୍ର ଦମକାଏ ପବନରେ ଦୋହଲି ଯାଏ? ” ହେଲେ ନିଜର ଭାବ ଅଭିବ୍ୟକ୍ତି ଲାଭ କରି ପାରେ ନାହିଁ, କେହି କାହାକୁ କିଛି କହି ପାରନ୍ତି ନାହିଁ। ମୁହଁ ସଞ୍ଜ ହୋଇ ଆସୁଥାଏ । ଜମିର ଆକର୍ଷଣ ମନକୁ ଆନ୍ଦୋଳିତ କରୁଥାଏ। ଦୁଇ ଭାଇଯାକ ଏକା ଏକା ଲୁଚି ଲୁଚି ଯାଇ ହିଡ ମୁଣ୍ଡ ଉପରେ ମୁଣ୍ଡ ଉପରେ ହାତ ଦେଇ ବସି ପଡ଼ିଥାନ୍ତି। ଜଣେ ଏପଟ ମୁଣ୍ଡରେ ଆଉ ଜଣେ ସେପଟ ମୁଣ୍ଡରେ। ଜଣେ ଅନ୍ୟ ଜଣକୁ ଦେଖି ନଥାଏ । ହେଲେ ଉଭୟଙ୍କର ଭାବାବେଗ ଓ ଭାବାନ୍ତର ପ୍ରୟତଃ ସମାନ। କ୍ରମଶଃ ରାତ୍ରିର ଅନ୍ଧକାର ଘୋଟି ଆସୁଥାଏ ।ଘର ଲୋକ ଚାରିଆଡ଼େ ଖୋଜା ଖୋଜି କରି ବ୍ୟସ୍ତ ଆସ୍ତ ହେଉଥାନ୍ତି। ହେଲେ ସେମାନଙ୍କର ବସିଲା ସ୍ଥାନରୁ ଉଠିବାକୁ ଇଛା ହେଉ ନଥାଏ। ଅନ୍ତରର କୋହ ହୃଦୟରେ ଘା – ସମ୍ଭାଳି ହେଉ ନଥାଏ। ହଠାତ୍ ତାଙ୍କ ଭିତରୁ ଜଣେ ଭୋ ଭୋ ହୋଇ କାନ୍ଦି ଉଠିଲା ସେହି ବିଲ ପ୍ରାନ୍ତରରେ, ଯେଉଁଠି ସିଏ ପଥର ମୁଣ୍ଡିଆଟା ପରି ବସିଥିଲା କେଉଁ ପ୍ରହରରୁ। ଆରକ ଏ କ୍ରନ୍ଦନ ରୋଳରେ ଅନ୍ୟର ସ୍ଥିତି ଉପଲବ୍ଧି କରି ଧାଇଁ ଗଲା ଭାଇ ପାଖକୁ। ବେଶ୍ ଦୁଇ ଭାଇ କିଛି ସମୟ ଏକେ ଆରକକୁ କୁଣ୍ଢାଇ ଧରି କାନ୍ଦି ଉଠିଲେ। ଛୋଟ ଛୋଟ ଶିଶୁ ପରି ବଡ଼ ଅଝଟିଆ ଥିଲା ସେ କାନ୍ଦ, ଯାହା ହୃଦ ତନ୍ତ୍ରୀକୁ ଥରାଇ ଦେଉ ଥିଲା। ସେ କ୍ରନ୍ଦନର ଶେଷ ନଥିଲା। ହେଲେ ଗୋଟେ ନୂଆ ସମ୍ଭାବନା ତୋଳୁ ଥିଲା।

ଭାତୃ ବିବାଦଟି ଯୁଗ ଯୁଗ ଧରି

ଗଣ୍ଡଗୋଳ ମାଡ଼ଗୋଳ

ଭିଆଇ ଖାଇଛି ସମ୍ପର୍କକୁ ପୋଡ଼ି

ସ୍ୱାର୍ଥକୁ କରିଣ ଜାଳ।।


Rate this content
Originality
Flow
Language
Cover Design