Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Subal Mohapatra

Inspirational Tragedy

4.4  

Subal Mohapatra

Inspirational Tragedy

ରକ୍ତ ଦାନ...

ରକ୍ତ ଦାନ...

15 mins
14.8K


ରବିବାର, ସକାଳୁ ସକାଳୁ ନିଦ ଭାଙ୍ଗିଗଲା I ଉଠି ଦେଖିଲି ରାସ୍ତା ଉପରେ ଗାଈ, ବଳଦ ଧରି ବେପାରୀ ସବୁ ହାଟକୁ ଯାଉଥାନ୍ତି I ପନିପରିବା ଧରି ଚାଷୀ ବି ଯାଉଥାନ୍ତି ହାଟକୁ I ବହୁତ ଦିନ ପରେ କାହିଁକି କେଜାଣି ମନ ହେଲା ହାଟ ଆଡେ ଟିକେ ବୁଲି ଆସିବା ପାଇଁ I ଛୋଟ ବେଳେ ଅଜାଙ୍କ ସହ ହାଟକୁ ଯାଏ I ପରିବା ବ୍ୟାଗ କାନ୍ଧେଇ ହାଟରୁ ଫେରୁ I ଓଡିଶା ବାହାରକୁ ଆସିବା ପରଠୁ ଆଉ ହାଟ ଆଡେ କେବେ ଯାଇ ନଥିଲି ମୁଁ I ଘରେ କାହାକୁ କିଛି ନ ଜଣେଇ ମୁଁ ବାହାରି ଗଲି ହାଟ ଆଡେ I ପରିବା ପତ୍ରର ଦାମ ତ ଜଣା ନଥାଏ, କାଳେ ଠକି ଗଲେ ମା ଗାଳି ଦେବ, ସେ ଡରରେ ଏଇଠୁ ଆସୁଛି କହି ବାହାରି ଗଲି I ହାଟକୁ ପଶୁ ପଶୁ ବହୁତ କିଛି ବଦଳି ଯାଇଥିବାର ମନେ ହେଲା I ଆଗରୁ ସାଇକେଲ ଷ୍ଟାଣ୍ଡ ଜାଗାରେ ଏବେ ବାଇକ ଷ୍ଟାଣ୍ଡ I ଆଗରୁ ଲୋକ ସବୁ ଧୋତି ଗାମୁଛା ପିନ୍ଧି ଆସୁଥିବା ବେଳେ ଏବେ ସବୁ ପେଣ୍ଟ ସାର୍ଟ ପିନ୍ଧା ବାବୁ I ଆଗ ପରି ଚାଷୀ ଆଉ ମଳିମୁଣ୍ଡିଆ ଏବେ ଆଉ ଦେଖାଯାଉ ନଥାନ୍ତି I ଏମିତି ପରିବା ଦାମ ପଚାରି ପଚାରି ବୁଲୁ ବୁଲୁ ଗୋଟେ ଜାଗାରେ ଜଣେ ଲୋକ ମଇଳା ଲୁଗା ପିନ୍ଧି ଗୋଟେ ପ୍ଲାକାର୍ଡ଼ ଧରି ଠିଆ ହୋଇଥିବାର ଦେଖିଲି I ଶୀର୍ଣ୍ଣକାୟ ଶରୀର, ଲମ୍ବା ନାକଟି ଚଢେଇର ଥଣ୍ଟ ପରି ଆଗକୁ ବାହାରି ଥାଏ I ମୁଣ୍ଡରେ ଜଟା, ପାଖରେ ଛିଣ୍ଡା ଝୁଲା (ବ୍ୟାଗ) ଖଣ୍ଡେ, ନିଶ ଦାଢ଼ି ପାଚି ଆସିଲାଣି, ପିନ୍ଧିଥାଏ ମଇଳା କୁର୍ତାକୁ ତେଲ ଚିକିଟା ହୋଇ କଳା ହୋଇ ଯାଇଥିବା ଧଳା ଲୁଗା ଖଣ୍ଡେ I ଟିକେ କୌତୁହଳ ହେଲାରୁ ପାଖକୁ ଯାଇ ପ୍ଲାକାର୍ଡ଼ର ଲେଖା ପଢ଼ିଲି I ଦୂରରୁ "ରକ୍ତ ଦାନ କରନ୍ତୁ" ବଡ ବଡ ଅକ୍ଷରରେ ଲେଖା ଯାଇଥିବାର ଦେଖା ଗଲେ ବି ପାଖରୁ ଛୋଟ ଛୋଟ ଅକ୍ଷରରେ ଲେଖା ଯାଇଥିଲା "ଅନୁଗୁଳ ଡାକ୍ତରଖାନା ବେଡ଼ ନମ୍ବର ୩୬ ପାଇଁ ରକ୍ତଦାନ କରନ୍ତୁ I ବ୍ଲଡ଼ ଗୃପ A+ve " I     

ପ୍ରଥମ ଥର ପାଇଁ ଏପରି ଗୋଟେ ଅଜବ ଜିନିଷ ହାଟରେ ଦେଖି କୌତୁହଳ ଆଉ ଟିକେ ବଢ଼ିଲା I ପାଖ ଦୋକାନୀକୁ ପଚାରିଲି I ସେ କହିଲା "ହଁ ବାବୁ , ସେ ସବୁ ରବିବାର ଆସି ଏଇଠି ଠିଆ ହୁଏ I କିନ୍ତୁ ପ୍ଲାକାର୍ଡ଼ରେ ସବୁ ଥର ଅଲଗା ଅଲଗା ବେଡ଼ ନମ୍ବର ଆଉ ବ୍ଲଡ଼ ଗୃପ ଲେଖା ଯାଇଥାଏ I କିଏ ଦିଏ କି ଦିଏନି ସେ ସବୁ ମୁଁ ଜାଣିନି I ମୁଁ ତାକୁ ପ୍ରାୟ ବର୍ଷେ ହେଲାଣି ଏଇଠି ଦେଖି ଆସୁଛି " I ତା କଥା ଶୁଣି କୌତୁହଳ ଆଉ ଟିକେ ବଢ଼ିଲା କିନ୍ତୁ ହାଟରେ ଦି ତିନି ଜଣ ସାଙ୍ଗ ଦେଖା ହୋଇ ଯିବାରୁ ଅନ୍ୟ ମନସ୍କ ଭାବେ ମୁଁ ଅନ୍ୟ ଆଡେ ବୁଲାବୁଲି କରି କିଛି ନ ଆଣି ଘରକୁ ଫେରିଲି I ଗାଧୋଇ ଖାଇ ଖଟରେ ଟିକେ ଗଡୁ ଗଡୁ ସେ ଲୋକଟି କଥା ମନରେ ଆସିଲା I କିଏ ସେ? କଣ କରୁଛି ? ଯଦି କାହାର ରକ୍ତ ଦରକାର ସେ ତ ବ୍ଲଡ଼ ବ୍ୟାଙ୍କରୁ ପାଇ ପାରିବ ନହେଲେ ଏବେ ତ ସ୍ୱେଚ୍ଛାସେବୀ ସଂସ୍ଥା ସବୁ ଅଛନ୍ତି ସେମାନେ ତ ସାହାର୍ଯ୍ୟ କରୁଛନ୍ତି I ପୁଣି ୟା ବେଶ ଭୁଷା ଦେଖି କିଏ ୟା ପାଖକୁ ଆସିବ ? ନା କିଏ ରକ୍ତ ଦେବ? ଏଇଟା ଗୋଟେ ଠକ ନୁହେଁ ତ ? ଏବେ ତ ବିଭିନ୍ନ ଉପାୟରେ ଲୋକ ଠକୁଛନ୍ତି I ରକ୍ତ ବିକି ପଇସା ଆଣୁଛନ୍ତି I ତେବେ ପ୍ରକୃତ ଘଟଣା କଣ? ଜାଣିବାକୁ ଇଛା ହେଲା I ହେଲେ ଜାଣିବି କେମିତି ଭାବି ଭାବି ଶୋଇ ପଡିଲ ସନ୍ଧ୍ୟାରେ ଉଠି ଛକ ଆଡେ ବାହାରିଲି I ଛକରେ ଜଣେ ବଡଭାଇ ଦେଖାହେଲେ ଯିଏ କି ଜଣେ ସ୍ୱେଛାସେବୀ I ତାଙ୍କୁ ଏ ଲୋକ ବିଷୟରେ ପଚାରିଲି ଆଉ ହାଟରେ ଦେଖିଥିବା ଘଟଣାଟି କହିଲି I ସେ କହିଲେ," ହଁ, ସେ, ଦିନାଭାଇ I ରକ୍ତ ଦରକାର ହେଉଥିବା ରୋଗୀ ମାନଙ୍କ ପାଇଁ ରକ୍ତ ମାଗେ I ସବୁ ଥର ସେ ଡାକ୍ତରଖାନାରେ କାହାଠୁ ନା କାହାଠୁ ରୋଗୀର ବେଡ଼ ନମ୍ବର ଆଉ ବ୍ଲଡ଼ ଗୃପ ତା ପ୍ଲାକାର୍ଡ଼ରେ ଲେଖି ନିଏ ଆଉ ସବୁ ରବିବାର ଆସି ଏ ହାଟରେ ଠିଆ ହୁଏ" I 

-- କିନ୍ତୁ କେହି ଆସନ୍ତି ବ୍ଲଡ଼ ଦେବାକୁ? ମୁଁ ପଚାରିଲି !!!

-- ହଁ, ସବୁ ଥର କିଛି କିଛି ଲୋକ ଆସନ୍ତି I କିଛି ଲୋକ କୌତୁହଳ ବଶତଃ ଦେଖିବାକୁ ଆସନ୍ତି ଘଟଣା କ'ଣ? ଆଉ ବ୍ଲଡ଼ ଦେଇକି ଯାଆନ୍ତି I ଏପରିକି କିଛି କିଛି ରେୟାର ବ୍ଲଡ଼ ଗୃପର ରକ୍ତ ବି ଏହିପରି ମିଳିଯାଏ ଆଉ ରୋଗୀମାନେ ବହୁତ ଧନ୍ୟବାଦ ଦିଅନ୍ତି ଦିନାଭାଇକୁ I ବେଳେବେଳେ ତ ବହୁତ ଲୋକ ଆସନ୍ତି ଆଉ ସବୁ ବ୍ଲଡ଼ ବ୍ଲଡ଼ବ୍ୟାଙ୍କରେ ରହେ I  ମୋତେ ଆଉ ଟିକେ ଜାଣିବାକୁ ଇଛା ହେଲା ତ ମୁଁ ପୁଣି ପଚାରିଲି," ଆଛା, ୟା ପଛରେ ଘଟଣା କଣ? ଏମିତି କାହିଁକି ?"

-- ସେ କହିଲେ ... ଦିନାଭାଇର ଘର ଏଠୁ ୧୬ କିଲୋମିଟର ଦୂର ଏକ ଗାଁରେ I ଧନ ସମ୍ପତି ଜମିବାଡ଼ି ବହୁତ ଥିଲା ତା'ର I ତା ସ୍ତ୍ରୀକୁ ଥରେ ଜର ହେଲା ଆଉ ପରୀକ୍ଷା କରିବା ପରେ ଜଣ ପଡିଲା ଯେ ତାକୁ ବ୍ଲଡ଼କ୍ୟାନ୍ସର I ସବୁ ମାସରେ ତାକୁ ପ୍ରାୟ ତିନି ଚାରି ଥରରୁ ଅଧିକ ଥର ବ୍ଲଡ଼ ଦେବାକୁ ପଡେ I ସ୍ତ୍ରୀକୁ ଭଲ କରିବାକୁ ସେ ତା ଜମି ବାଡ଼ି ସବୁ, ଶାଗ ମାଛ ଦରରେ ବିକ୍ରି କରି ଦେଲା କିନ୍ତୁ ବଞ୍ଚେଇ ପାରିଲା ନାହିଁ I ରକ୍ତ ନ ପାଇ ବିଚାରି ଦେଢ଼ ବର୍ଷ ତଳେ ମରିଗଲା I ତା ପରଠୁ ସେ ସେଇ ଡାକ୍ତରଖାନାରେ ହିଁ ରହେ, ସେଇଠି ଖାଏ ସେଇଠି ଶୁଏ ଆଉ ସବୁ ଦିନ ଭିନ୍ନ ଭିନ୍ନ ହାଟକୁ ଯାଇ ଏହିପରି ପ୍ଲାକାର୍ଡ଼ ଧରି ଠିଆ ହୁଏ I ବର୍ଷେ ଭିତରେ ତା ପାଇଁ ପାଖାପାଖି ଶହେ ଦୁଇଶହ ଲୋକ ବଞ୍ଚିଲେଣି I ଡାକ୍ତରଖାନାରେ ଦିନା ଭାଇକୁ ସମସ୍ତେ ଜାଣିଛନ୍ତି ଆଉ ରୋଗୀଙ୍କ ସମ୍ପର୍କୀୟ ମାନେ ହିଁ ତାକୁ ପାଳି କରି ଖାଇବା ପିଇବାକୁ ଦିଅନ୍ତି I ଗାଁରେ ତ ତାର ଆଉ କିଛି ନାହିଁ I ଗାଁ ଲୋକ ଡାକିଲେ ବି ସେ ଆଉ ଯାଉନି ସେଠିକି I 

ଏତକ ଶୁଣିଲା ପରେ ମୋ ମନ କାହିଁ ଗୋଳେଇ ଘାଣ୍ଟି ହେଲା I କିଛି ନଥିବା ଗୋଟେ ଲୋକର ଏତେ ବଡ ହୃଦୟ? ମୁଁ ତ ତାକୁ ପ୍ରଥମେ ଠକ ବୋଲି ଭାବିଥିଲି I ମୋତେ କାହିଁକି କେଜାଣି ଟିକେ ମାଡି ମାଡି ପଡିଲା I ଆଜି ଯାଏ କେବେ ବି ରକ୍ତ ଦେଇ ନ ଥିବା ଏ ଦେହ ଭିତରେ ରକ୍ତ ଗୁଡିକ ଯେମିତି ଆନ୍ଦୋଳନ କଲାପରି ତୀବ୍ର ବେଗରେ ଦୌଡିବାକୁ ଲାଗିଲେ I ରାତିରେ ନିଦ ହେଲାନାହିଁ I ସକାଳୁ ଉଠି ମୁଁ କାହାକୁ କିଛି ନ ଜଣେଇ ଡାକ୍ତରଖାନା ଅଭିମୁଖେ ବାହାରିଲି I ମନରେ ଥାଏ ଆଜି ଯାହା ହେଲେ ବି ଦିନାଭାଇ ସହ ଦେଖା କରିବି I ଡାକ୍ତର ଖାନାରେ ପହଞ୍ଚି ପ୍ରଥମେ ଦିନାଭାଇକୁ ଖୋଜିଲି I ନଳକୂଅ ପାଖରେ ନିଜର ଭଙ୍ଗା ଚେପା ରସ ତାଟିଆରେ ସେ ଢକ ଢକ କରି ପାଣି ପିଇସାରି, ତାଟିଆକୁ ତା ଛିଣ୍ଡା ଝୁଲା (ବ୍ୟାଗ) ରେ ରଖି ବାହାରୁଥିଲା କେଉଁ ଏକ ହାଟ ଉଦ୍ଦେଶ୍ୟରେ I ତାପାଖରେ ପହଞ୍ଚି ତା ସହ ଅଳ୍ପ ବହୁତ କଥା ହୋଇ ଜାଣିବାକୁ ଚାହିଁଲି ତା ବିଷୟରେ ଆଉ ତା'ର ଏ କାମ ବିଷୟରେ I କାହିଁକିରୁ ଆରମ୍ଭ କଲି ମୋ ପ୍ରଶ୍ନ I ସେ ବି ଧୀର ସ୍ଥିର ଭାବରେ ମୋ ସବୁ ପ୍ରଶ୍ନର ଉତ୍ତର ଦେବାକୁ ଲାଗିଲା I 

-- ଏସବୁ କେବେଠୁ କରୁଛ ?

-- ପ୍ରାୟ ଦେଢ଼ବର୍ଷ ହେଲା I 

-- କାହିଁକି? କିଏ ତମକୁ କହିଲା କରିବା ପାଇଁ ନା ଏମିତି ଖାଲି ?

-- ଦୀର୍ଘ ଶ୍ୱାସ ନେଇ ସେ କହିଲା .. " ମୋ ସ୍ତ୍ରୀ ଯେମିତି ରକ୍ତ ଟିକେ ନପାଇ ମରିଗଲା, ସେମିତି ଆଉ କେହି ନ ମରନ୍ତୁ" I 

ମୁଁ ଏବେ ଜାଣିବା ପାଇଁ ଚାହିଁଲି ତା ର ପୁରା ଇତିହାସ, ଜୀବନ କାହାଣୀ I ସେ କହିଚାଲିଲା .. ବାପା ମଲା ବେଳକୁ ମୋତେ ଦଶବର୍ଷ I ଛାଡି ଯାଇଥିଲେ ବହୁତ ଜମି ବାଡ଼ି, କୋଠିଆ, ଚାକର, ସୁନାରୂପା ଆଉ ଧନ ସମ୍ପତି I ମା ମୋତେ ପଢ଼େଇ ଲେଖେଇ ବଡ କଲେ କିନ୍ତୁ କିଛି ଦିନ ପରେ ସେ ବି ଆଖି ବୁଜିଲେ I ବାପା ମା ଛେଉଣ୍ଡ ହେଲା ବେଳକୁ ମୋତେ ପନ୍ଦର ବର୍ଷ ବୟସ I ମୋର ଦଶମ ପରୀକ୍ଷା ଥାଏ ଦି ମାସ ପରେ I ମାକୁ ମନେ ପକେଇ ମୁଁ ଆଉ ପଢି ପାରିଲିନି I ଫେଲ ହେଲି ଆଉ ଜମିବାଡ଼ିରେ ମନ ଦେଲି I ବାପା ଗଲା ପରେ ମା ସବୁ ଦେଖୁଥିଲା, ବୁଝୁଥିଲା I ଏବେ ମୁଁ ଏକା ହୋଇଗଲା ପରେ ଚାକର ବାକର ସବୁ ଠକିବାକୁ ଲାଗିଲେ I କେବଳ ଧୀର ମଉସା ହିଁ ମୋତେ ବାଟ ଖେଇଥିଲେ ଆଉ ସବୁ ସମ୍ଭାଳି ନେଲେ I ଧୀର ମଉସା, ଆମ ଘରେ ହଳିଆ ଥିଲେ ତାଙ୍କ ବାହାଘର ପରେ ପରେ ତାଙ୍କ ସ୍ତ୍ରୀ ମୋ ମା ଘର ଗାଁ ରୁ, ତ.. ମୁଁ ତାଙ୍କୁ ମାଉସୀ ଡାକେ ଆଉ ୟାଙ୍କୁ ମଉସା I କିଛି ଦିନ ପରେ ସେ ସୁରଟ ପଳେଇଥିଲେ ଆଉ ଦି ବର୍ଷ ପୂର୍ବରୁ ଆସି ତାଙ୍କ ଗାଁ ରେ ଗୋଟେ ଛୋଟ ଦୋକାନ ଦେଇ ଚଳୁଥିଲେ I ବାପା ଗଲା ପରେ ମା ଏକା ସବୁ କାମ କୁ ନ ପାରିବାରୁ ପୁଣି ତାଙ୍କୁ ଡକେଇଥିଲେ I ସେ ଆଉ ମାଉସୀ ଆର ଗାଁରେ ରୁହନ୍ତି I ତାଙ୍କର ଗୋଟିଏ ବୋଲି ଝିଅ ସେ ତା ଆଇ ଘରେ ରୁହେ I ବେଳେ ବେଳେ ଛୋଟ ବେଳେ ଆମ ଘରକୁ ଆସେ କିନ୍ତୁ ବଡ ହେଲାପରେ ସେ ଆଉ ଆସେନି I ବର୍ଷେ ପରେ ସେ ଜମିବାଡ଼ି ସବୁ ବୁଝା ବୁଝି କଲାରୁ ମୁଁ ପୁଣି ଦଶମ ପରୀକ୍ଷା ଦେଲି ଆଉ ପ୍ରଥମ ଶ୍ରେଣୀରେ ପାସ କରି ବିଜ୍ଞାନରେ ନାଁ ଲେଖେଇଲି I ନୂଆ ନୂଆ କଲେଜ ଯାଉଥାଏ ମୁଁ , ମନ ଯେମିତି ଗଗନରେ ଉଡୁଥାଏ I ନୂଆ କଲେଜ, ନୂଆ ନଲେଜ, ନୂଆ ସାଙ୍ଗ ଆଉ କୁତୁକୁତିଆ ମନ I ସାଙ୍ଗ ମାନଙ୍କୁ ଦେଖି ପ୍ରେମ କରିବାକୁ ଇଛା ହେଲା I ସବୁ ଦିନ ଗଲା ଆସିଲା ବାଟରେ ଝିଅଟିଏ ଖୋଜୁଥାଏ ମୁଁ I କଲେଜ ଭିତରେ ବାହାରେ, କ୍ଲାସରେ ସବୁ ଆଡେ I ସେଦିନ କଥା ଆଜି ବି ମନେ ଅଛି I ଗଣିତ କ୍ଲାସ ପରେ ଓଡ଼ିଆ କ୍ଲାସ ଥାଏ I ଆମେ ସବୁ ସାଙ୍ଗ ଟିକେ ଦୁଷ୍ଟାମୀ କରିବା ପାଇଁ ସେଦିନ ଓଡ଼ିଆ କ୍ଲାସରେ ପଛ ବେଞ୍ଚରେ ବସିଥାଉ I ସେଦିନ ଆଉ ଏକ ଗୃପର କ୍ଲାସ ବି ଆମ ସହ ଥାଏ I ଶିକ୍ଷକ ଆହୁରି ଆସି ନଥାନ୍ତି I ଏତିକି ବେଳେ କ୍ଲାସକୁ ପଶି ଆସିଲା ଧୀର ମଉସାଙ୍କ ଝିଅ "ଲିପି" I ମୋଠୁ ବର୍ଷେ ସାନ I ଛୋଟ ବେଳେ କେବେ କେମିତି ତାକୁ ଦେଖିଛି କିନ୍ତୁ ବଡ ହେଲା ପରେ ଆଉ ଦେଖି ନଥିଲି ତାକୁ I ଦେଖୁ ଦେଖୁ କେମିତି ସମ୍ମୋହିତ ହୋଇଗଲି I ପୁରା କ୍ଲାସରେ ଭାଙ୍ଗ ଖାଇଲା ପରି ମୁଁ କେବଳ ତାକୁ ହିଁ ଦେଖୁ ଥାଏ I ଏତେ ସୁନ୍ଦର ମୁହଁ, ଶୁଆ ଥଣ୍ଟ ପରି ନାକ, ମୁଲୁମୁଲୁ ଆଖି, ରେଶମ ପରି ବାଳ, ବଳିଲା ବଳିଲା ଦେହ ଆଉ ଚାଲି !!! ଓଃ ... ଆଗରୁ ଏମିତି ଝିଅ ମୁଁ ଦେଖିନି I ଦେଖୁ ଦେଖୁ ଆଖି ଲାଗି ଯାଇଥାଏ I ସେ ଆମ ଚାକରର ଝିଅ ହେଲେ ବି କାହିଁକି କେଜାଣି ମୁଁ ଆଉ ମୋ ଆୟତରେ ନ ଥାଏ I ଯେମିତି ସେମିତି କରି କ୍ଲାସ ସରିଲା I କ୍ଲାସରେ କଣ କଣ ସବୁ ପଢା ହେଲା ମୁଁ ଜାଣିନି I ଏ ଅବସ୍ଥା ମୋର ଦୁଇଦିନ ଧରି ଲାଗି ରହିଲା I ଆସ୍ତେ ଆସ୍ତେ ଜାଣିବାକୁ ପାଇଲି ସେ ଏବେ ଆସି ତାଙ୍କ ନିଜ ଘରେ ରହୁଛି ଓ ଆମ ଗାଁ କଲେଜରେ ଆର୍ଟ୍ସ ପଢୁଛି I ମୋ ମନ ତ କୁଣ୍ଢେ ମୋଟ I ଆଉ କି କ୍ଲାସ? କି ପାଠ? I ମୁଁ କେବଳ କଲେଜ ଯାଏ ତାକୁ ଦେଖିବାକୁ I ବେଳେ ବେଳେ ମଉସାଙ୍କୁ କହେ ମାଉସୀ ଆଉ ଲିପିକୁ ଧରି ଆସିବାକୁ I ଏମିତି ଏମିତିରେ ବର୍ଷେ ବିତି ଗଲା I କିଛି ପଇସା ଖର୍ଚ୍ଚ କରି ବାଇକଟେ କିଣିଲି I ଏଥର ସବୁଦିନ ମୁଁ କଲେଜ ଯାଏ କିନ୍ତୁ ପଢିବାକୁ ନୁହଁ କେବଳ ଲିପିକୁ ଦେଖିବାକୁ ଆଉ ତାକୁ କଲେଜ ନେବା ଆଣିବା କରିବାକୁ I 

ଆମେ ସବୁଦିନ ମୋ ବାଇକରେ କଲେଜ ଯାଉ, ଆଉ ଆସୁ I ସେ କ୍ଲାସ ଗଲା ପରେ ମୁଁ କ୍ଲାସକୁ ଯାଉଛି କହି କଲେଜ ପାଖ ପାନ ଦୋକାନରେ ବସେ ଆଉ ତାକୁ ଅପେକ୍ଷା କରେ I ତାକୁ ଛାଡି କଲେଜର ବାକି ସମସ୍ତେ ଜାଣିଥିଲେ ଯେ ସେ ମୋ ପ୍ରେମିକା I କଣ କହିବି? କେମିତି କହିବି? ସେ କଣ ଭାବିବ? କଣ କହିବ? ଏସବୁ ଚିନ୍ତା କରି କରି ରାତିରେ ନିଦ ବି ହେଉ ନ ଥାଏ I ଛାତି ଧଡ଼ ଧଡ଼ ହୁଏ I ମନେ ମନେ ଡର ଲାଗେ ଆଉ କିଏ ଯଦି ତାକୁ "ଆଇ ଲଭ ୟୁ" କହି ଦିଏ ଆଉ ଇଏ ଯଦି ରାଜି ହେଇ ଯାଏ I ରାତି ରାତି ଧରି ଏ କଥା ମୋ ମନରେ ଆସିଲା ଆଉ ମୁଁ ବିଚଳିତ ହୋଇ ପଡିଲି I  ଏମିତି ରାତି ଅନିଦ୍ରା ହେଉ ହେଉ ମୋ ଦେହ ଖରାପ ହୋଇ ଗଲା I ଭୀଷଣ ଜର I ମୁଁ ଖଟରୁ ଉଠି ପାରୁ ନ ଥାଏ I ମାଉସୀ ମୋ ଖାଇବା କଥା ବୁଝୁଥାନ୍ତି I ଲିପି ବେଳେ ବେଳେ ଆସି ମୋ ପାଖେ ବସେ I ଏମିତି ଏମିତିରେ ଦି ଦିନ ବିତିଗଲା I ମାଉସୀ ଆଉ ଲିପି ଆମ ଘରେ ହିଁ ରହି ଯାଆନ୍ତି ରାତିରେ I ସେଦିନ ରାତି ଅଧାରେ ମୁଁ ପରିସ୍ରା ଉଠିଲି I କିନ୍ତୁ ଶେଯରୁ ଉଠି ପାରୁ ନ ଥାଏ I ମୋ ପାଟି ଶୁଣି ଲିପି ମୋ ହାତ ଧରି ଉଠେଇଲା ଆଉ ମୋତେ ବାହାରକୁ ନେଇ କି ଗଲା I ମୋ ମନରେ କଣ ଆସିଲା କେଜାଣି ? ମୁଁ ତା ହାତ ଧରି କହିଦେଲି, " ସବୁ ଦିନ ଏମିତି ହାତ ଧରି ଚାଲି ପାରିବୁ" ? ସେ ଚମକି ପଡି ମୋ ହାତ ଛାଡିଦେଲା I ମୁଁ ପଡୁ ପଡୁ କାନ୍ଥ ଧରି ରହିଗଲି I ତା ପରଠୁ ସେ ଲାଜ ଲାଜ ହୋଇ ରହିଲା I କଲେଜ ଗଲା ବେଳକୁ ଆଗରୁ କେତେ କଥା ଗପି ଗପି ଯାଏ I ଏବେ ଚୁପଚାପ ରହୁଥିଲା I ମୋତେ ଦେଖିଲେ ଲାଜ କରୁଥିଲା I ଆଉ ଦିନେ ସେ ମୁହଁ ଖୋଲିଲା I ଆଖିରେ ଆଖିଏ ଲୁହ ନେଇ କହିଲା," ମୁଁ ଜଣେ ଚାକରର ଝିଅ I ଆମ ସମ୍ପର୍କକୁ ଏ ସମାଜ ଗ୍ରହଣ କରିବ ତ... ? " I 

ମୁଁ ବି ଫୁଲ ଜୋଶରେ କହିଦେଲି, " ମୋର ବାପା ମା ନାହାନ୍ତି I ମଉସା ମାଉସୀ ହିଁ ଆମ ଦି ଜଣଙ୍କ ବାପା ମା I ଏକା ଜାତି ଆମର I ସମାଜ ଯଦି ଗ୍ରହଣ ନ କରେ ମୁଁ ବୁଝିବି I ତୋର କିଛି ଚିନ୍ତା କରିବା ଦରକାର ନାହିଁ " I ସେ କିନ୍ତୁ ସେବେ ଯାଏ ମୋତେ ହଁ କରି ନଥାଏ I ମୁଁ ତା ଠୁ "ହଁ" ପଦେ ଶୁଣିବା ପାଇଁ ଚାତକ ପରି ଚାହିଁଥାଏ ଆଉ ସବୁଦିନ ରାଣ ଦେଲା ପରି ପଚାରୁ ଥାଏ "କଣ ଭାବିଲୁ ?" I ସେ ସବୁଦିନ ଏକା ଉତ୍ତର ଦିଏ... "ପରେ" I 

ସେଦିନ ମୁଁ ଲିପି ଧରିକୁ କଲେଜରୁ ସିଧା ଆମ ଘରକୁ ଆସିଲି I ମୋତେ ତାକୁ, ତାଙ୍କ ଘରେ ଛାଡି ଆସିବାର ଥିଲା I କିନ୍ତୁ ଜାଣି ଜାଣି ତାକୁ ଧରି ଆମ ଘରକୁ ଆସିଲି I ପଡୋଶୀ ଘରୁ ଚାବି ଆଣି ଘର ଖୋଲିଲି I ମଉସା ଯାଇଥାନ୍ତି ବିଲ ଆଡେ ସବୁଦିନ ପରି I ମାଉସୀ ତାଙ୍କ ଘରେ ଥାନ୍ତି I ଲିପିର ହାତ ଧରି ଟାଣି ଟାଣି ମୋ ବଖରାରେ ପଶିଗଲି ଆଉ ସେ ମନା କରୁ କରୁ ଜବରଦସ୍ତି ତା ଓଠରେ ଚୁମାଟେ ଦେଇଦେଲି ଆଉ କହିଲି, ସବୁଦିନ ମୋ ସହ ଖେଳୁଛୁ I ଆଜି କହ ତୁ ମୋତେ ବାହା ହବୁ ନା ନାହିଁ ? ନହେଲେ ମୁଁ ଅନ୍ୟ ଝିଅ ଖୋଜିବି I ମୁଁ ଆଉ ଏମିତି ଦହଗଞ୍ଜ ହୋଇ ବଞ୍ଚି ପାରିବିନି" I 

ସେ ମୋଠୁ ଏମିତି ବ୍ୟବହାର ଆଶା କରି ନଥିଲା I ସବୁ ଝିଅ ଯେମିତି ବାହାନା କରନ୍ତି ସେମିତି ବାହାନା କରି କହିଲା ," ମୁଁ ଚାକରର ଝିଅ, ତୋତେ ସ୍ଵପ୍ନ ଦେଖିବା ଭଳି ଅବସ୍ଥା ଆମର ନାହିଁ I ତମର ଧନୀ ଘର, ତୁ ମୋ ଠୁ ଭଲ ପଢୁ I ମୁଁ ତ ମୂର୍ଖ I ମୁଁ କାହିଁକି ତୋ ପରି ଗୋଟେ ପିଲାର ସ୍ଵପ୍ନ ଦେଖିବି I ମୋତେ ଏବେ ୧୭ ବର୍ଷ ହେଲା I ବାବା ଆଉ ମାମା ମୋ ବାହାଘର ବିଷୟରେ କଥା ହଉଥିଲେ I ପାଖ ଗାଁରୁ ଗୋଟେ ପିଲା ଦେଖିଛନ୍ତି I ଚାଷ ଜମି ଦି ଏକର ଅଛି ତାଙ୍କର ଆଉ ଗାଈ ମଇଁଷି ମିଶେଇ ଚାରି ହଳ I ପିଲା ଚାଷ କରେ I ମୋର କଣ କହିବାର ଅଛି ? ଆମେ ଗରିବ ଲୋକ, ତୋ ପରି ଜଣେ ପିଲାକୁ ଭଲ ପାଇବାକୁ ଅଉକାତ ମୋର ନାହିଁ I ବାମନ ହୋଇ ଚନ୍ଦ୍ରକୁ କଣ ପାଇଁ ହାତ ବଢେଇବି ? ତୁ ସାଇନ୍ସ ପଢ଼ୁଛୁ , ମୁଁ ମୂର୍ଖ ବୋଲି ଆର୍ଟ୍ସ I ସବୁ ଆଡୁ ସବୁ ଆଡୁ ଚିନ୍ତା କଲେ ମୁଁ କୌଣସି ବି ଗୁଣରେ ତୋ ସହ ସମାନ ନୁହଁ I ତେଣୁ ଆଉ କିଛି ନ କହି ମୋତେ ଭୁଲି ଯା ଆଉ ମୋତେ ମୋ ହାଲତରେ ଛାଡି ଦେ" I ଏତିକି କହି ସାରି ସେ କଇଁ କଇଁ ହୋଇ କାନ୍ଦି ପକେଇଲା ଆଉ ଓଢଣୀରେ ଲୁହ ପୋଛିଲା I  

ମୁଁ ବି କେଉଁ କମ କି? କୌଣସି ଏକ ଉପନ୍ୟାସରେ ପଢିଥିବା ଡାଇଲଗ ଟିଏ ମନେ ପଡିଗଲା ତ ସେଠି ମାରିଦେଲି," ଦେଖ ଲିପି, ବିଜ୍ଞାନ ମତରେ ହାର୍ଟ ହେଉଛି ମଣିଷର ବ୍ଲଡ଼ ପମ୍ପିଂଗ ସିଷ୍ଟମ I ଯେଉଁଠୁ ସାରା ଶରୀରକୁ ରକ୍ତ ସଞ୍ଚାଳନ ହୁଏ I କିନ୍ତୁ ଆର୍ଟ୍ସ ବା କଳାର ମତରେ ହାର୍ଟ ଅର୍ଥାତ ହୃଦୟ ହେଉଛି ସେଇ ସ୍ଥାନ ଯେଉଁଠି ମଣିଷ ତା ସୁଖ, ଦୁଃଖ, ଭଲପାଇବା, ସ୍ନେହ, ପ୍ରେମ ସବୁ କିଛି ଅନୁଭବ କରିପାରେ ଆଉ ଗୋଟିଏ ବିନା ଆରଟି ଅସମ୍ପୂର୍ଣ୍ଣ I ତେଣୁ ମୁଁ ବିଜ୍ଞାନର ଛାତ୍ର ହେଲେ ବି ତୋ ପରି ଗୋଟେ କଳାର ଛାତ୍ରୀକୁ ଭଲ ପାଏ ଆମ ଜୀବନକୁ ପରିପୂର୍ଣ୍ଣତାରେ ଭରି ଦେବା ପାଇଁ "I ମୋ କଥା ଶୁଣି ସେ ତା କାନକୁ ବିଶ୍ୱାସ କରି ନ ପାରି ମୋତେ ବଲବଲ ହୋଇ ଆଖିକୁ ଢିମା ଢିମା କରି ଚାହିଁ ରହିଲା ଆଉ କହିଲା," ହଁ ମୁଁ ବି ତୁମକୁ ବହୁତ ଭଲ ପାଏ I କିନ୍ତୁ...." 

ଏତିକି ବେଳେ ବାହାରୁ କେହିଜଣେ ଘର ଭିତରକୁ ପଶି ଆସିଲେ I ଏତେ ସମୟ ଧରି ମଉସା ଆମ କଥା ଶୁଣୁଥିଲେ ଆଉ ତାଙ୍କୁ ହଠାତ ଆମ ଘରେ ଦେଖି ଦି ଜଣ ଯାକ ହଡ଼ବଡେ଼ଇ ଗଲୁ I ସେ ଲୁହ ଛଳ ଛଳ ଆଖିରେ ମୋତେ "ଦିନା ବାବୁ" ଡାକୁ ଡାକୁ ମୁଁ ତାଙ୍କ ପାଟିରେ ହାତ ଦେଇ "ନାଁ, ବାପା" ବୋଲି କହିଲି I ବାସ, ତା ପରଠୁ ଆଉ କିଛି ଦରକାର ନଥିଲା I ମାଉସୀ ଶୁଣି କୃତ୍ୟ କୃତ୍ୟ ହୋଇଗଲେ I ଆଉ କେତେ ଦେବତାଙ୍କ ପାଖରେ ଆମର ଶହେବର୍ଷର ଆୟୁଷ ମାଗି କେତେ କଣ ମାନସିକ କରି ପକେଇଲେ I 

ପ୍ରେମରେ ଉବୁଟୁବୁ ପ୍ରେମ ପକ୍ଷୀ ଦୁଇଟି ପାଇଁ ଏବେ ଆଉ ବନ୍ଧ ବାଡ଼ ନଥିଲା I କଲେଜରେ ମୋ ସାଙ୍ଗ ମାନେ ତାକୁ ଭାଉଜ ଆଉ ତା' ସାଙ୍ଗ ମାନେ ମୋତେ ଜିଜୁ ଡାକିବା ଆରମ୍ଭ କରିଦେଲେ I ଆସ୍ତେ ଆସ୍ତେ କଥା ଦାଣ୍ଡରେ ପଡି ହାଟରେ ଗଡ ଗଡେଇଲା I ଗାଁ ଲୋକ ସବୁ ଜାଣିଲେ I ମୁଖିଆ ଆସି ମୋତେ ଏ ବିଷୟରେ ପଚାରିଲେ I ମୁଁ ସିଧା ସିଧା ଶୁଣେଇ ଦେଲି I ଆଉ କାହାର କିଛି କହିବାର ନଥିଲା I ଏମିତି ଏମିତିରେ ଆଉ ବର୍ଷେ ବିତିଗଲା I ପ୍ରେମରେ ଆମେ ଏତେ ମାତିଥିଲୁ ଯେ ସେ ବର୍ଷ ଦିଜଣ ଯାକ ବୁଢା ଫେଲ ହେଲୁ I ଆଉ ପଢିବାକୁ ଇଛା ନଥିଲା I ଚାଷ ବାସରେ ମନ ଦେଲି I ଦି ବର୍ଷ ପରେ ମୁଁ ଲିପିକୁ ବାହା ହୋଇ ଗଲି I ସେଇ ବର୍ଷ କିନ୍ତୁ ହଇଜାରେ ମଉସା ଆଉ ମାଉସୀ ଦି ଜଣ ଯାକ ହାତ ଧରା ଧରି ହୋଇ ଚାଲିଗଲେ I ବର୍ଷ ପରେ ବର୍ଷ ବିତି ଚାଲିଥାଏ କିନ୍ତୁ କୋଳକୁ ଛୁଆଟିଏ ଆସୁ ନଥାଏ I କେହି କେହି କହିଲେ ଯାଇକି ଡାକ୍ତର ଦେଖା I ହାଁ ଯିବୁ, ହାଁ ଯିବୁ ହୋଇ ଆଉ ଦି ବର୍ଷ ବିତିଗଲା I ଦିନେ ଲିପିର ଦେହ ଖରାପ ହେଲା ତାକୁ ଧରି ଏ ଡାକ୍ତର ଖାନାକୁ ଆସିଲି I ବହୁତ କଷ୍ଟ ପାଉଥାଏ ବିଚାରୀ I ଭଗବାନଙ୍କୁ କହିବି ମୋ ଶତ୍ରୁକୁ ବି ଏମିତି କଷ୍ଟ ନ ଦିଅନ୍ତୁ I ସେ ଆଗରୁ ଏସବୁ ମୋତେ ଲୁଚେଇଥିଲା I ଏବେ କିନ୍ତୁ ଡେରି ହୋଇ ଯାଇଥିଲା I ଡାକ୍ତର କହିଲେ ଲିପିକୁ କ୍ୟାନ୍ସର I ବହୁତ ଟଙ୍କା ଲାଗିବ I ଜମିବାଡ଼ି, ସୁନାରୂପା, ଗାଇ ବଳଦ ସବୁ ବିକି ଟଙ୍କା ତ ଯୋଗାଡ କରିଦେଲି କିନ୍ତୁ ରକ୍ତ ? ବହୁତ ରକ୍ତ ଦରକାର ହେଉଥାଏ I କିଛି ଦିନ ପରେ ଡାକ୍ତର କହିଲେ ଏବେ ସପ୍ତାହକୁ ଦୁଇଟି ରକ୍ତ ଦରକାର I କେତେ ରକ୍ତ କୁଆଡୁ ଯୋଗାଡ କରିବି I ବ୍ଲଡ଼ ବ୍ୟାଙ୍କରେ ରକ୍ତ ନାହିଁ, ଲୋକଙ୍କୁ ନେହୁରା ହେଲେ ବି ରକ୍ତ ଯୋଗାଡ ହୋଇପାରିଲାନି I ଦେଢ଼ ବର୍ଷ ତଳେ ସେ ମରିଗଲା I ଲିପି ନାହିଁ, ଧନ ସମ୍ପତି ନାହିଁ, ଜମିବାଡ଼ି ନାହିଁ, ଗାଁକୁ ଆଉ କଣ ପାଇଁ ଯାଇଥାନ୍ତି ? ଯାହାକୁ ଏତେ ଭଲ ପାଉଥିଲି ସେ ମୋତେ ଛାଡି ଚାଲିଗଲା I ଟଙ୍କା, ପଇସା, ଧନ, ସମ୍ପତି କିଛି ବି କାମରେ ଆସିଲେନି I ତାକୁ ଭାବି ଭାବି ମୁଁ ପାଗଳ ହୋଇଗଲି I କିଛି ଦିନ ପାଗଳଙ୍କ ପରି ଇଆଡ଼େ ସିଆଡେ ବୁଲାବୁଲି କଲି I ସେ' ମରିବାର କାରଣ ଖୋଜି ହେଲି ଆଉ ପାଇଲି "ବୁନ୍ଦେ ରକ୍ତ ନପାଇ ସେ ମରିଗଲା" I ରକ୍ତ ମିଳିଥିଲେ ତାକୁ ଆଉ କିଛି ଦିନ ବଞ୍ଚେଇ ରଖି ପାରିଥାନ୍ତି I ବହୁତ ଲୋକଙ୍କୁ ନେହୁରା ହୋଇଛି , ହେଲେ.. ନା .. ତା ପରେ ଠିକ କଲି ଆଉ କାହାକୁ ରକ୍ତ ପାଇଁ ମରିବାକୁ ଦେବିନି I ଯେତେ ହୋଇପାରିବ ସାହାର୍ଯ୍ୟ କରିବି I ମୋ ଭଲପାଇବାକୁ ମୁଁ ଯେମିତି ଭାଳି ହେଉଛି ଆଉ କେହି ମୋ ପରି କଷ୍ଟ ନ ପାଆନ୍ତୁ I ସେଇଦିନୁ ଏଇ ଡାକ୍ତରଖାନା ମୋ ଘର ଆଉ ଏ ସବୁ ରୋଗୀ ମୋ ବନ୍ଧୁବାନ୍ଧବ I ଏମାନେ ପାଳି କରି ମୋତେ କିଛି କିଛି ଖାଇବାକୁ ଦିଅନ୍ତି I ମୁଁ , ଯାହାର ରକ୍ତ ଦରକାର ହୁଏ ତା ପାଇଁ ଏ ପ୍ଲାକାର୍ଡ଼ ଦେଖେଇ ହାଟରେ ଠିଆ ହୁଏ I କିଛି ଲୋକ ତାଚ୍ଛଲ୍ୟ କରନ୍ତି ଆଉ କିଛି କୌତୁହଳରେ ଆସନ୍ତି I ରକ୍ତ ଦିଅନ୍ତି I ଥରେ ଜାଣିଲା ପରେ ସେମାନେ ନିଜେ ନିଜେ ଆସି ରକ୍ତ ଦେଇ ଯାଆନ୍ତି I ଯେଉଁ ମାନେ ତାଚ୍ଛଲ୍ୟ କରନ୍ତି ସେମାନଙ୍କ ଭିତରୁ କିଛି ଲୋକ କେବେ କେବେ ଆସି ମୋତେ ନେହୁରା ହୁଅନ୍ତି ସେମାନଙ୍କ ବନ୍ଧୁବାନ୍ଧବ ମାନଙ୍କ ପାଇଁ I ମୁଁ କାହା ଉପରେ କେବେ ରାଗ ରୁଷା ରଖେନି, ମୋ କର୍ମ କରିଚାଲେ I ହଉ... ଭଗବାନ ତୁମର ମଙ୍ଗଳ କରନ୍ତୁ I ମୁଁ ଯାଏ, ଆଜି ଗୁରୁବାର , ତାଳଚେର ହାଟ ପାଳି..." ତା ଶୁଖିଲା ଆଖିରେ ବୁନ୍ଦେ ଲୁହ ଟଳ ଟଳ ହେଉଥିଲା I ଏତିକି କହି ସେ ତା ଶୁଖିଲା ଆଖିରେ ହାତ ବୁଲେଇ ଆଣିଲା ଆଉ ପ୍ଲାକାର୍ଡ଼ ଆଉ ଗଣ୍ଠିଲି ଟି ଧରି ଉଠିଲା I 

 ସେ ଗଲା ପରେ ବି ମୁଁ ସେଇ ଜାଗାରେ ବସି ରହିଲି ଆଉ ଭାବିବାକୁ ଲାଗିଲି, ମୋତେ ୩୦ ବର୍ଷ ହୋଇଗଲା କିନ୍ତୁ ଆଜିଯାଏ ମୁଁ ଥରେ ହେଲେ ବି ରକ୍ତ ଦେଇନି I ଶୁଣା କଥା ରେ ବିଶ୍ୱାସ କରି ସବୁବେଳେ ବାହାନା କରି ଆସିଛି ଯେ... ରକ୍ତଦାନ କ୍ୟାମ୍ପ ଵାଲା ରକ୍ତ ସବୁ ନେଇ ବିକ୍ରି କରନ୍ତି .... କିନ୍ତୁ ମୋ ପାଖେ କିଛି ପ୍ରମାଣ ନାହିଁ I ଯେବେ ନିଜେ ଦେଖିବି କାହାର ରକ୍ତ ଦରକାର ତେବେ ତାକୁ ଦେବି... କିନ୍ତୁ ଥରେ ହେଲେ ବି ଆଜି ଯାଏ ଡାକ୍ତର ଖାନା ଏ ଉଦ୍ଦେଶ୍ୟ ନେଇ ଯାଇନି I ଯଦି ମୋ ବନ୍ଧୁବାନ୍ଧବ କାହାର ଦରକାର ହୁଏ ତେବେ ରକ୍ତ ଦେବି.... କିନ୍ତୁ ଯେତେବେଳେ ବି କାହାର ଦରକାର ହୁଏ ସେତେବେଳେ ମୁଁ ରାଜ୍ୟ ବାହାରେ ଥାଏ ଆଉ ଆହା.. ଚୁ..ଚୁ.. କରି ମୋ କର୍ତ୍ତବ୍ୟ ସାରେ I 

   ସେ ଗଲା ନାହିଁ ଯେ ... ମୋ ପରି ଜଣେ ଉଚ୍ଚ ଶିକ୍ଷିତ ଇଞ୍ଜିନିଅରର ଗାଲରେ ଗୋଟେ ଅଦେଖା ଚଟକଣା ମାରି ଦେଇ ଗଲା I ଜଣେ ମାଟ୍ରିକ ପାସ କରିଥିବା ଲୋକ, ମଇଳା କୋଚଟା ପିନ୍ଧା, ଧନ ସମ୍ପତି ନଥିବା ଲୋକ, ମୋ ପରି ମାସକୁ ଲକ୍ଷେ ରୋଜଗାର କରୁଥିବା, କାରରେ ବୁଲୁଥିବା ଇଞ୍ଜିନିଅରକୁ ଆଜି କେତେବଡ ଶିକ୍ଷା ଦେଇ ଗଲା I ମନୁଷ୍ୟ ଆଜି ସବୁ କିଛି ଉଦ୍ଭାବନ କରି ସାରିଲାଣି କିନ୍ତୁ ବିଜ୍ଞାନ ଯେତେ ଉନ୍ନତ ହେଲେ ବି ରକ୍ତର ବିକଳ୍ପ ଆଜି ଯାଏ ତିଆରି କରିପାରିଲାନି I ରକ୍ତ ଯେ କେତେ ଦରକାରି ଏହା ଜଣେ ନିଜେ ଅଙ୍ଗେ ନ ନିଭେଇଲେ ଜାଣି ପାରିବନି I କିନ୍ତୁ ତଥାପି ମୋ ପରି ବହୁତ ଲୋକ ରକ୍ତ ଟିକେ ଦେବାକୁ କୁଣ୍ଠିତ ... 

ଠିକ କଲି ଯେବେ ବି ମୋତେ ସୁବିଧା ହେବ, ରକ୍ତ ଦାନ କରିବି ନିଶ୍ଚିତ I ଏବେ ମୋ ପାଦ ଦୁଇଟି ରକ୍ତ ଭଣ୍ଡାର ଆଡକୁ ଟାଣି ହେଇ ଯାଉଥିଲେ ଆଉ ମୁଁ ???... ସେ ମହାନ ଆତ୍ମାର ପାଦ ଥିବା ସ୍ଥାନରୁ ପାଦଧୂଳି ଟିକେ ହାତରେ ନେଇ ତାଙ୍କ ଉଦ୍ଦେଶ୍ୟ ରେ ହାତଯୋଡ଼ି ନମସ୍କାର କରୁଥିଲି ....  

"ରକ୍ତ ଦାନ ମହତ ଦାନ .... ବୁନ୍ଦେ ରକ୍ତ ଆପଣଙ୍କ ନିଜର ଲୋକକୁ ମୃତ୍ୟୁ ମୁଖରୁ ଟାଣି ଆଣି ପାରେ... ରକ୍ତ ଦାନ କରନ୍ତୁ I"

ଜୟ ଜଗନ୍ନାଥ --ସମାପ୍ତ

ସୁବଳ ମହାପାତ୍ର

ଗାନ୍ଧିନଗର, ଗୁଜରାଟ , ୩୮୨୦୦୯

ଦୂରଭାଷ - ୯୩୭୬୦୧୨୫୦୦

ଇମେଲ - subal.mohapatra@gmail.com

 


Rate this content
Log in

Similar oriya story from Inspirational