Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପରିବର୍ତ୍ତନ
ପରିବର୍ତ୍ତନ
★★★★★

© ଶଶାଙ୍କ ଶେଖର ରାୟ

Drama Inspirational

5 Minutes   3.9K    18


Content Ranking

ଶଶାଙ୍କ ଶେଖର ରାୟ

ବାପା ସେଦିନ ଖୁବ ରାଗିଯାଇଥିଲେ ଯେଉଁ ଦିନ ମୋ ସୁନି ଅପା ଘର ଛାଡି ଗାଁର ଗୋଟେ ଅଜାତି ପିଲା ସହ ଫେରାର ହୋଇଯାଇଥିଲା । ଘରେ ସେଦିନ ଖିଆ ପିଆ ବନ୍ଦ । ବାପା ରାଗରେ କୂଅରୁ ପାଣି ବାଲତି କାଢି ଗୋଟାପୁଣି ଗାଧେଇ ପଡିଲେ ଏବଂ କହୁଥିଲେ ଆଜିଠାରୁ ମୋ ପାଇଁ ସୁନି ମରିଗଲା ।ବାଡିରେ ଥିବା ନିମଗଛରୁ ଦୁଇ ତିନୋଟି ପତର ତୋଳିଆଣି ଚୋବାଇଦେଲେ ।ବୋଉ କଇଁକଇଁ ହୋଇ ହୋଇ କାନ୍ଦୁଥିଲା ।ବାପାଙ୍କ ଡରରେ ସେ ଯେମିତି କିଛି ପ୍ରତିବାଦ କରିପାରୁ ନ ଥିଲା ମନେମନେ ତାର ଥରିଲା ଓଠ କହୁଥିଲା " ଯଦି ପିଲାଟା କିଛି ଭୁଲ କରିଦେଇଛି ତା ପାଇଁ କଣ ଏତେ ଶାସ୍ତି "

ବୋଉ ଉପରେ ଗରଗର ହୋଇ ବାପା ସବୁଦିନ କହୁଥିଲେ '' ସବୁ ଦୋଷ ତୁମର ପିଲାଟିକୁ ଶାସନ କରି ପାରିଲନାହିଁ ଗେହ୍ଲା କରି କରି ତାର ସିଅର ତୁମେ ବଢାଇଦେଲ , ଦିନରାତି କାନରେ ଇଅର କଡ ଦେଇ ମୋବାଇଲ ଧରି ବୁଲିଲା , ଏ ମୋବାଇଲ ଆଜି ସବୁକିଛି ଖାଇଦେଲା '" ।ବୋଉ କୁହେ " ମୁଁ କଣ ଜାଣିବି ପୋଡାମୁହିଁର ଏତେ ଗୁଣ , ଗୀତ ଶୁଣିବା ବାହାନାରେ ମୋବାଇଲରେ ପୁଣି ପେରେମ ,ଏତେ କଥା କିଏ ବା ଜାଣେ ? ଯିଏ ଯେମିତି କରିବ ସେମିତି ପାଇବ " ।

ମୁଁ ସେତେବେଳେ ଦଶମ ଶ୍ରେଣୀ ପରୀକ୍ଷା ଦେଇ ସାରିଥାଏ ।ମୁଁ ବି ଡରିଯାଇଥିଲି ବାପାଙ୍କର କଠୋର ନିଷ୍ପତିରେ ,କାହିଁକିନା ମୁଁ ବି ଭଲ ପାଇ ବସିଥିଲି ପଡୋଶୀ ଘରର ଗୋଟେ ହରିଜନ ଝିଅ ଲିଲିକୁ । ବୋଉ ମୋ କଥା ସବୁ ଜାଣିଥିଲା , ଲିଲି ବି ତାର ବହୁତ ପସନ୍ଦ ଥିଲା ।

ଲିଲିକୁ ମୁଁ ସେଦିନ ସବୁକଥା କହିଲି ।ଆମ ପ୍ରେମ ସତ ହେବ ନା ଏମିତି ପିଲା ଦିନର ଧୂଳିଖେଳ ହୋଇରହିଯିବ । ଲିଲି କୁହେ ସମୟକୁ ଅପେକ୍ଷା କର ସବୁ ବଦଳିଯିବ ଆପେ ଆପେ ।

ଲିଲି ଯେଉଁ କଲେଜରେ ପଢିଲା ମୁଁ ବି ସେଇ କଲେଜରେ ଆଡମିସନ ନେଲି ।ସାଙ୍ଗ ହୋଇ ବହୁତ ମଜା କଲୁ କଲେଜ ଜୀବନଟାକୁ । ଆମ ପ୍ରେମ ଧିରେ ଧିରେ ପାକଳ ହେବାକୁ ଲାଗିଲା ।କେହି କାହାକୁ ନ ଦେଖି ରହିପାରୁ ନ ଥିଲୁ ।ସୋସିଆଲ ମିଡିଆରେ ଆମର ରାତିରାତି କଟିଯାଉଥିଲା । ସମୟଟା କେମିତି ଚାଲିଯାଉଥିଲା ଜମା ଜଣାପଡୁ ନ ଥିଲା ।ମଝିରେ ମଝିରେ ସୁନି ଅପା କଥା ମନେ ପଡିଲେ ଭାରି ଦୁଃଖ ଲାଗେ ।ବିଚାରି କେମିତି ଥିବ କଣ କରୁଥିବ ମୋର କେବେ ତା ସହ ଦେଖା ହୋଇଯାନ୍ତା କି ? ଏମିତି ଅନେକ କଥା ଭାବୁଭାବୁ ମୋତେ ନିଦ ଆସିଯାଏ ।

ବାପା ସୁନ ଅପାକୁ ଭାରି ଭଲ ପାଉଥିଲେ ତାଙ୍କ ଜୀବନ ଠାରୁ ବି । ମଝିରେ ମଝିରେ ବାପା ସୁନି ଅପାର ଫଟୋଟିକୁ ଧରି ଲୁଚାଇ ଲୁଚାଇ କାନ୍ଦୁଥିବାର ମୁଁ କେତେଥର ଦେଖିଛି ।ବୋଉ ବି ଏକୁଟିଆ ନିରୋଳାରେ ସୁନି ଅପା କଥା ଭାବି ଅନେକ ଲୁହ ଝରାଏ , ମୋତେ ଦେଖିଲେ କାନିରେ ଲୁହ ପୋଛି ଦେଇ କୁହେ ଆଖିରେ କଣ ପଡିଗଲା ବୋଲି । ମୁଁ ବାପା ବୋଉଙ୍କର ସୁନି ଅପା ପ୍ରତି ଥିବା ଗଭୀର ମମତାକୁ ତାଙ୍କ ମୁହଁରୁ ସ୍ପଷ୍ଟ ପଢିପାରେ ।

ଫେସବୁକରୁ ଦିନେ ମୁଁ ସୁନି ଅପାକୁ ପାଇଲି ।ଫ୍ରେଣ୍ଡସ୍ ରିକ୍ଵେଷ୍ଠଟିଏ ପଠାଇଲି ।କିଛିଦିନ ପରେ ସୁନ ଅପା ସହ ମୋର ସଂପର୍କ ଯୋଡି ହୋଇଗଲା ।ସୁନି ଅପା ଫୋନ କରି ସବୁବେଳେ ବାପା ବୋଉଙ୍କର କଥା କହି ବହୁତ କାନ୍ଦେ । ଏତେ ବର୍ଷ ହେଲା ଛାତିକୁ ପଥର କରି ସେ ତାର ଭୁଲ ପାଇଁ ପ୍ରାୟଶ୍ଚିତ କରୁଛି ବୋଲି ମୋତେ କୁହେ । ସବୁବେଳେ ବାପାବୋଉର ଯତ୍ନ ନେଉଥିବୁ ବୋଲି ମୋତେ ବୁଝାଏ ।

ବାପା ନ ଥିବା ସମୟରେ ମୁଁ ଭିଡିଓ କଲ କରି ବୋଉକୁ ସୁନି ଅପା ସହ କଥା କରାଇଦିଏ । ସୁନି ଅପାର ପାଞ୍ଚ ବର୍ଷର ସୁନ୍ଦରିଆ ଗୁଲୁଗୁଲିଆ ପୁଅକୁ ଦେଖିବାକୁ ବୋଉ ଯେମିତି ପାଗଳୀ ହୋଇଯାଏ ।ଯାହା ହେଲେ ବି ତାର ରକ୍ତ , ରକ୍ତକୁ କଣ ଏତେ ଶିଘ୍ର ଭୁଲିପାରିବ ।

ଦିନେ ମୁଁ ଚାକିରୀ ଖୋଜିବା ବାହାନାରେ ବୋଉକୁ କହି ଅପାଘରକୁ ଗଲି ।ସୁନି ଅପା ମୋତେ ଏତେ ଦିନ ପରେ ପାଇ ବହେ ଜାବୋଡି ଧରି କାନ୍ଦିଲା । ମୁଁ ବି ମୋର ଲିଲି ସହ ଥିବା ପ୍ରେମ ସଂପର୍କକୁ ଅପା ଆଗରେ ସବୁ କହିଲି ।ଅପା କହିଲା " ସେ ଭୁଲ ଆଉ ତୁ କରନି । ବାପା ମୋ ପାଇଁ ଯେତିକି ଭାଙ୍ଗିପଡିଛନ୍ତି ଆହୁରି ଭାଙ୍ଗିପଡିବେ ।ତୁ ତାଙ୍କର ଏକ ମାତ୍ର ଆଶା ଭରଷା ।" ମୁଁ କିନ୍ତୁ କହିଲି " ନା ମୁଁ ଭୁଲିପାରିବିନି କେବେ ଲିଲିକୁ ।ଆମେ ବହୁତ ବାଟ ଆଗେଇଯାଇଛୁ । ଆଉ ପଛକୁ ଫେରିପାରିବୁ ନାହିଁ । ଏ ସମାଜରେ ଜାତି ଧର୍ମ ବର୍ଣ୍ଣ କିଛି ନୁହେଁ ,ସବୁ ପ୍ରହେଳିକା ।ଜାତି ଧର୍ମ ଅହଂକାରର ଜହର ପିଇ ସମସ୍ତେ ଏଠି ମାତାଲ । ନିଜ ନିଜର ପ୍ରତିପ୍ରତ୍ତି ଅଧିକାର ଜାହିର କରନ୍ତି ବୃଥାରେ ଅନ୍ୟମାନଙ୍କ ଉପରେ । ଯେଉଁ ସମାଜ ମଣିଷ ମଣିଷର ଅନ୍ତରାତ୍ମାକୁ ଚିହ୍ନିପାରେନି , ସଂପର୍କର ଅର୍ଥ ବୁଝିପାରେନି ଖାଲି ମିଛଟାରେ ଜାତି ରୂପକ ଅନ୍ଧାରରେ ବାଡି ବୁଲାଇ ବୁଲାଇ ଥକିଯାଏ ସିନା କିଛି ଫଳ ପାଏନି ।ସେ ସମାଜକୁ ମୁଁ କେବେ ଡରିବିନି ।ଭାଙ୍ଗିଦେଵି ସବୁ ଅନ୍ଧ ପରମ୍ପରାକୁ ,ଆଭିଜାତ୍ୟର ସଫେଦ କାଚକାନ୍ଥକୁ ଯେଉଁଠି ମଣିଷ ଅଣନିଶ୍ଵାସୀ ହୋଇ ପିଞ୍ଜରାବଦ୍ଧ ପକ୍ଷୀଟିଏ ପରି ଦିନରାତି ଖାଲି ଅନୁତାପ ଅନୁଶୋଚନା କରି ଲୁହ ଝରାଉଥାଏ ।ମୁଁ ମାନୁଛି ତୁ ବାପା ବୋଉର ବିନା ଅନୁମତିରେ ଘରୁ ଗୋଡ କାଢି ଗୋଟେ ଭୁଲ କରିଛୁ ସେହି ଭୁଲ ପାଇଁ କଣ ପ୍ରାୟଶ୍ଚିତ ନାହିଁ ।"

" ହଁ ରେ ଅଛି ଧୋର୍ଯ୍ୟ ଧରି ଅପେକ୍ଷା କରିବାଟା ସବୁଠୁ ବୁଦ୍ଧିମାନର କାମ । କିଏ କଣ କହୁଛି ତାକୁ କାନରେ ନ ପୁରାଇ ନିଜ କର୍ତ୍ତବ୍ୟ ପଥରେ ଆଗେଇଯିବାଟା ମଣିଷର ଧର୍ମ ।" ସୁନି ଅପା ମୋ ମୁଣ୍ଡକୁ ଆଉଁଷି ଦେଇ ବହୁତ ବୁଝାଇଲା ଓ ସେଦିନ ସେ ମୋତେ ତା ନିଜ ହାତରେ ଖୁଆଇ ଛାଡିଲା ।

ନିଜକୁ ବୁଝାଇ ମୁଁ ସୁନି ଅପା ଘରୁ ସିଧା ଆସି ବୋଉକୁ ସବୁକଥା କହିଲି ।ସୁନି ଅପା ବହୁତ ଖୁସିରେ ଅଛି ତୋର ଆଉ ଚିନ୍ତା କରିବା ଦରକାର ନାହିଁ । ମୁଁ ମୋର ନିଜ ଆଖିରେ ଦେଖିଆସିଛି । ଏଇ ଆସନ୍ତା ଦଶହରା ବେଳକୁ ସେ ତାର ଶାଶୁଘରକୁ ଆସିବ ବୋଲି ମୋତେ କହୁଥିଲା ।

""ହେ ଠାକୁରେ ତାକୁ ସବୁବେଳେ ଭଲରେ ରଖିଥା " ବୋଉ କହିଲା ବେଳେ ଯେମିତି ତାର ଆଖି ଲୁହରେ ଛଳଛଳ ହୋଇଯାଉଥିଲା ।

ସୁନି ଅପା ଗାଁକୁ ଆସିବାଦିନଠୁ ବୋଉ ଗାଁ ଠାକୁରାଣୀ ମନ୍ଦିର ବେଢାରେ ଲୁଚିଲୁଚି ଅପାର ପୁଅକୁ ମନଭରି ଗେଲ କରେ ।ହଠାତ ଦିନେ ସେଇ ବାଟେ ବାପା ଯାଉ ଯାଉ ତାଙ୍କର ନଜର ପଡିଗଲା ।ସେଦିନ ଘରେ କି ତୁମ୍ଭୀତୋଫାନ ବୋଉ ଉପରେ ବର୍ଷିଗଲା ।ବୋଉ ଘରର ଗୋଟିଏ କୋଣରେ କାନ୍ଥକୁ ଆଉଜି ବାପାଙ୍କୁ ପ୍ରତିବାଦ କରିବାର ମୁଁ ପ୍ରଥମେ ଦେଖିଲି ।

"ତମେ ମଣିଷ ନା ପଥର ? ବାପ ମା ଦୁଇଜଣ ଭୁଲ କଲେ ବୋଲି ଏ ଛୋଟ ପିଲାଟିର କି ଦୋଷ , ଜାତି ଜାତି ଜାତି ଏ ଜାତିରୁ କଣ ଆମର ପେଟ ପୁରିବ । ମଣିଷ ଜନ୍ମହେଲା ବେଳେ କଣ ଜାତିକୁ ସାଙ୍ଗରେ ନେଇକି ଆସିଥିଲା ।ବହୁତ କହିଲଣି ମୋ ଛୁଆଟା କେତେ କଷ୍ଟ ପାଇଲାଣି ।ସେ ତ ତାର ଭୁଲ ବୁଝିପାରିଛି , ମୁଁ ଆଉ ସହିପାରିବି ନାହିଁ , ମୋ ଛାତି ଫାଟିଯିବ ।"

" ହଉ ତୁମ ଇଚ୍ଛା ଯାହା କରୁଛ କର । ଏଣିକି ମୁଁ ବା କିଏ ଏ ଘରେ କାହାକୁ କହିବାକୁ ।" ବାପା କୋହ ଭର କଣ୍ଠରେ କହୁଥିଲେ ।

ବାପା ବୋଉଙ୍କ ଯୁକ୍ତିତର୍କରେ ମୁଁ ଚୁପଚାପ ବସି ଭାବୁଥାଏ ସୁନି ଅପା ଗାଁକୁ ଆସିବା ଦିନଠୁଁ ବାପା କେମିତି ଟିକେ ବଦଳିଯିବା ଭଳି ଲାଗୁଥିଲେ ଏବଂ ମୋତେ ବେଳେବେଳେ ପଚାରନ୍ତି "ଆରେ ସେ ସୁନି ପୁଅଟା କେମିତି ହୋଇଛି ତୁ ତାକୁ ଦେଖିଛୁ ।"

ମୁଁ ନ ଜାଣିଲା ପରି କୁହେ " ନା ବାପା ମୁଁ କେବେ ଦେଖିନି ,କଣ ବା ଦରକାର ,ଯିଏ ଯାଇଛି ଯାଇଛି ,ଅଜାତିକୁ କାହିଁ ମନେ ପକାଉଛନ୍ତି ।" ଏହିକଥା ବାପାଙ୍କ ଛାତିରେ ଯେମିତି କରେଣ୍ଟ ସକ୍ ଭଳି ଲାଗିଯାଏ ,ତାଙ୍କ ମୁହଁ କେମିତି ମଳିନ ପଡିଯାଏ ।

କେତେଦିନ ବା ନିଜ ରକ୍ତ ଆଉ କଲିଜାକୁ ଅଲଗା କରି ରଖିପାରିବେ ନିଜଠାରୁ ।ରକ୍ତ ମାଂସରେ ଗଢା ଏ ମଣିଷ କାଠ କି ପଥରରେ ନୁହେଁ ।ସମାଜର ମିଛ ଅହଂକାରର ଗର୍ଜନ ଆଗରେ ସଂପର୍କର ପବିତ୍ର ଶଙ୍ଖଧ୍ଵନି ଯେ କେତେ ମଧୁର ତାହା ଯିଏ ଅନୁଭବ କରିପାରିଛି ସେ ହିଁ ପ୍ରକୃତ ମଣିଷ । ଏହି କଥା ମୁଁ ସେଦିନ ଉପଲବ୍ଧି କଲି ଯେଉଁଦିନ ମୁଁ ବାପାଙ୍କୁ ମନ୍ଦିରବେଢାରେ ସୁନି ଅପା ପୁଅକୁ ଗେଲ କରୁଥିବାର ଦେଖିଲି ।ମୋ ଆଖିକୁ ମୁଁ ନିଜେ ବିଶ୍ଵାସ କରିପାରି ନ ଥିଲି ସେଦିନ ।

ବୋଉ ଆଗରେ ଆସି ସବୁ କହିଲି ଓ ମନେମନେ ଭାବୁଥିଲି ସେଦିନର ବାପାଙ୍କର କଠୋର ନିଷ୍ପତିକୁ , ନିମ ପିତା ଖାଇ ସୁନି ଅପାକୁ ଜିଅନ୍ତା ସୁଧୀ ହୋଇଯାଇଥିବା ରକ୍ତ ବାଘ ମୁଖା ମଣିଷ ସଂପର୍କର ମଧୁର ଉଷ୍ଣ ଆଲିଙ୍ଗନରେ କେମିତି ପୁଣି ଶାନ୍ତ ସ୍ନିଗ୍ଧ ସରଳ ନିରିହ ଶିଶୁଟିଏ ପାଲଟିଯାଇଛନ୍ତି ।

ବଟରପଡା ଭାମଣ୍ଡା ଓଳାଭର ରାଜକନିକା କେନ୍ଦ୍ରାପଡା ୭୫୪୨୨୭

ମୋ- ୭୩୭୭୧୯୭୯୯୯

ବାପା ସୁନିଅପା ଲିଲି

Rate the content


Originality
Flow
Language
Cover design

Comments

Post

Some text some message..