Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Mishra

Drama Others

3  

Lopamudra Mishra

Drama Others

ମିଠା ଆଚାର

ମିଠା ଆଚାର

9 mins
7.3K


ଲୋପାମୁଦ୍ରା ମିଶ୍ର

ଯାଜପୁର

ଏପ୍ରିଲ ମାସ ର ଟାଇଁ ଟାଇଁ ଖରାବେଳ l ସମୟ ପ୍ରାୟ ଦିନ ଏଗାର କି ସାଢେ ଏଗାର ହେବ l ମୁଁ ମୋର ଏକ ଗୁରୁତ୍ୱପୂର୍ଣ୍ଣ କାମରେ ଷ୍ଟେଟ ବ୍ୟାଙ୍କର ଯାଜପୁର ଟାଉନ ବ୍ରାଞ୍ଚକୁ ଯାଇଥାଏ l କାମ ସାରି ବ୍ୟାଙ୍କରୁ ବାହାରୁଛି, ଦେଖାହେଇଗଲା ଆମ ଘର ପାଖ 'ଲତାଆଈ'ଙ୍କ ସହ l ସେ ତାଙ୍କ ବୃଦ୍ଧ ସ୍ୱାମୀ 'ମାନଅଜା ' ଙ୍କ ସହ ଆସିଥିଲା ଅଜାଙ୍କର ପେନସନ ସମ୍ବନ୍ଧୀୟ କୌଣସି କାମ ପାଇଁ l ମାନଅଜା ମୋ ଜେଜେମାଆର ସମ୍ପର୍କୀୟ ଭାଇ l ସେହି ହିସାବରେ ଆମେ ଭାଇଭଉଣୀ ସମସ୍ତେ ସେ ଦୁହିଁଙ୍କ ଅଜା ଆଈ ଡାକୁ l

ମୁଁ ସେମାନଙ୍କୁ ପଚାରିଲି, " ଆରେ ଅଜା ଆଈ ! ତୁମେ ମାନେ କେମିତି ଆସିଥିଲ ଆଉ ଯିବ କୋଉଥିରେ ? କାମ ସାରିଲାଣି ନାଁ ବାକି ଅଛି ? "

ଲତାଆଈ କହିଲେ, " ସାଢେ ଆଠ ଟା ବସ 'ଅନନ୍ତଜ୍ୟୋତି' ରେ ଆସିଥିଲୁ l କାମ ତ ସରିଗଲାଣି କିନ୍ତୁ ଏବେ ଆଉ କିଛି ବସ ନାହିଁ l ପୁଣି ଯାଇକି ଅଢେଇଟା ବେଳେ ଗାଁ କୁ ବସ ମିଳିବ l ଭାବୁଛୁ ଟ୍ରେକରରେ ପଳେଇବୁ "l

ମୁଁ ସେମାନଙ୍କୁ ମୋ ସାଙ୍ଗରେ ଆମ ଗାଡିରେ ଯିବାକୁ ଡାକିଲି l ମୋର ବି ଆଉ କୋଉଠି କାମ ନଥିଲା l ସାଙ୍ଗରେ ବି କେହି ଆସିନଥିଲେ l ଘରକୁ ଲାଗି ଘର l ସେମାନେ ବି ମନା କଲେନି l ରାଜି ହୋଇ ଆସି ମୋ ସଙ୍ଗେ ଗାଡିରେ ବସିଲେ l

ମୋ husband ସେତେବେଳେ ଜୟପାଟଣା, କଳାହାଣ୍ଡିରୁ ଆସି କଟକ SCB ମେଡିକାଲ କଲେଜରେ ନୂଆ ଜଏନ କରିଥାନ୍ତି ଓ ଗୋଟେ ଘର ଭଡ଼ାରେ ନେଇ ଏକା ରହୁଥାନ୍ତି l ଏକା ରହିଲେ ଖାଇବା ପିଇବାରେ କିଛି ଠିକ ଠିକଣା ରଖନ୍ତିନି l କିଚେନକୁ ତ ଭୁଲରେ ବି ସେ ଯାଆନ୍ତିନାହିଁ l ସେହି scb ର ମେସରୁ ଯାହା ଖାଇବାନେଇଆସି ଖାଆନ୍ତି l ସେ ସବୁବେଳେ ରୁଟି କିମ୍ବା ପରଟା ସହ ଅଲଗା ଯାହା ବି ଥାଉ ମିଠା ଆଚାର ଟିକେ ଥିଲେ ଖାଇବାକୁ ବେଶୀ ପସନ୍ଦ କରନ୍ତି l ମୁଁ ଭାବିଥିଲି ଫେରିଲାବେଳେ ଯାଜପୁରର ସେହି ନିର୍ଦ୍ଧିଷ୍ଟ ଦୋକାନରୁ ଗୋଟେ ଭଲ ଆଚାର ଆଣି ଆସିବି ତାଙ୍କ ପାଖକୁ ପଠାଇବା ପାଇଁ l ବସଷ୍ଟାଣ୍ଡ ଆଡକୁ ଗଲାବେଳକୁ କଳାମନ୍ଦିର ଶାଢ଼ୀ ଦୋକାନକୁ ଲାଗି ସେହି ଯେଉଁ କ୍ରିଷ୍ଣl ଜୁଏଲାରୀ ଅଛି, ଠିକ ତାହାରି ସାମ୍ନାକୁ ମୋର ପ୍ରିୟ ଆଚାର ଦୋକାନ ଟାର ଅବସ୍ଥିତି l ମୁଁ ଡ୍ରାଇଭରକୁ କହିଲି ସେଇଠି ଗାଡି ରଖିବା ପାଇଁ l ଭିବିନ୍ନ ପ୍ରକାରର ଖଟା ମିଠା ଆଚାର, ମିକ୍ସଚର, ପାପଡ ଆହୁରି ସବୁ ଅନେକ ହାତତିଆରି ବଡି, ଶସ ଆଉ ଚକୋଲେଟ ମଧ୍ୟ ସେହିଠି ମିଳେ l ମୁଁ ଗୋଟେ ଭଲ ମିକ୍ସଡ ଫ୍ରୁଟ ମିଠା ଆଚାର ଓ କିଛି ହ୍ୟାଣ୍ଡମେଡ ଚକୋଲେଟସ ଆଣିଲି l ଅଜା ଆଈଙ୍କୁ କିଛି ଚକୋଲେଟସ ଦେଇ ଅବଶିଷ୍ଟ ନିଜ ପାଖେ ରଖିଲି l ଆମେ ଗପୁ ଗପୁ ଅଧଘଣ୍ଟା ଭିତରେ ଘରେ ଆସି ପହଞ୍ଚିଗଲୁ l

ସନ୍ଧ୍ୟାରେ ମୁଁ ଘରେ ବସି ଟିଭି ଦେଖୁଛି ଲତା ଆଈ ଆସି ଡାକିଲେ l ମୁଁ ଯାଇ ଦେଖିଲି ଲତାଆଈ ଗୋଟେ ଗିନା ହାତରେ ଧରି ନଇଁ ନଇଁ ଆସି ଆମ ଦାଣ୍ଡ କବାଟ ପାଖେ ଠିଆ ହୋଇଛନ୍ତି l ମତେ ଦେଖିପକେଇ କହିଲେ, "ବୁଢୀ ଲୋ ! ଯୋଉ ଆଚାରଟା ଆଜି ଆଣିଥିଲୁ ସେଥିରୁ ଟିକେ ଦେଲୁ ତୋ ଅଜାଙ୍କର ଆଜି ଆଚାର ଖାଇବାକୁ ଖୁବ ମନ କରୁଛି l"

ମୁଁ ବଡ ଦ୍ୱନ୍ଦ୍ୱରେ ପଡ଼ିଗଲି l ଡବାଟି ମୁଁ ଖୋଲିବାକୁ ଚାଁହୁନଥିଲି l ବଡ ଦୁଃଖର ସହ ତାଙ୍କୁ ମନାକରିବାକୁ ପଡିଲା l କହିଲି, " ଆଈ ସେହିଟି ତାଙ୍କ ପାଇଁ ଆଣିଥିଲି l କଟକ ପଠେଇବି l ଖୋଲିଦେଲେ ରାସ୍ତରେ ଢ଼ାଳି ହେଇଯିବ ତ ସେଥିପାଇଁ ଖୋଲୁନି l ସେ ମିଠା ଆଚାକୁ ବହୁତ ପସନ୍ଦ କରନ୍ତି ତ l ଆଈ! ଆମର ଆହୁରି ବହୁତ ଅଲଗା ଅଲଗା ଆଚାର ଅଛି l ଦେବି?"

ସେ ମନା କଲେ ଆଉ ହସି ହସି ବି କହିଲେ , "ନାଇଁ ଲୋ ମାଆ l ଥାଉ ଥାଉ l ଆମର ମୁଁ କଣ କମ ଆଚାର ତିଆରିଛି କି ? ତୋ ଅଜାଙ୍କର କଣ ହେଇଛି କେଜାଣି ? ଆଜିକାଲି ଯାହାର ଯାହା ଦେଖୁଛନ୍ତି ମତେ ମଗେଇ ପଠେଇ ଦେଉଛନ୍ତି l ମତେ ପା ଯାଜପୁରରୁ ଆସିଲାବେଳଠୁ କହୁଛନ୍ତି ତୋ ପାଖରୁ ଆଚାର ଟିକେ ମାଗିନେବା ପାଇଁ l ହଉ ହଉ ଥାଉ ତୁ ଖୋଲନା l ମୋ ନାତୁଣୀଜ୍ୱାଇଁଙ୍କ ପାଖକୁ ପଠେଇବୁ l ମୁଁ ଆସୁଛି "l

ସେ ଚାଲିଗଲେ l ମତେ କିନ୍ତୁ ଟିକେ ଖରାପ ଲାଗିଲା l ସାମାନ୍ୟ ଆଚାର ଟିକେ ଦେବାକୁ ମୁଁ ମନା କରିପାରିଲି ? ପୁଣି ଭାବିଲି ଛାଡ ସେଇମିତି ଆଉ ଗୋଟେ ଡବା ଆଣି ଆଉ କୋଉଦିନ ଦେଇଦେବି l

ରାତି ନଅ ଟା ପାଖା ପାଖି husband ଫୋନ କଲେ l କଥା ହେଉ ହେଉ ତାଙ୍କ ପାଇଁ ଆଣିଥିବା ଆଚାରରୁ କିଛି ଲତାଆଈ ମାଗୁଥିବା କଥା କହିଲି l କେମିତି ମୁଁ ନଦେଇ ତାଙ୍କୁ ଫେରେଇ ଦେଲି ସେ କଥା ବି କହିଲି l ସିଏ ମୋ କଥା ଶୁଣି ଭୀଷଣ ରାଗିଯାଇ କହିଲେ, "ତୁମେ ଏତେ ଅଵିଵେକୀ କେମିତି ହେଇପାରୁଛ ? ମୋତେ କଣ କଟକରେ ଆଉ ଆଚାର ମିଳିବନି ଯେ ଜଣେ ବୟସ୍କ ଲୋକର ଆଶାକୁ ମାରିଦେଇ ମୋ ପାଇଁ ସେ ଆଚାର ସାଇତି ରଖୁଛ ? ଯାଅ ଜଲଦି ସେ ଡବାଟା ମାନଅଜାଙ୍କୁ ଦେଇଆସିବ l ଏବେ ଫୋନ ରଖ ଆଉ ଯାଅ " l ସିଏ ଫୋନ କାଟିଦେଲେ l ମୋର ତାଙ୍କ ଉପରେ ଭୀଷଣ ରାଗ ହେଲା l ଏତେ ଶ୍ରଦ୍ଧାରେ ତାଙ୍କରି ପାଇଁ ଆଣିଥିଲି, ଟିକେ ବି ଧନ୍ୟବାଦ ନଜଣାଇ ଆହୁରି କହୁଛନ୍ତି ନେଇ ସେ ବୁଢ଼ାଅଜାକୁ ଦେଇଆସିବାକୁ l ଭାବିଲି ଦେଵିତ ତ, ଥାଉ କାଲି ସକାଳକୁ ଯାଇଦେଇଆସିବି l ତାଙ୍କ ଉପରେ ରାଗଟା ପରମୁହୂର୍ତ୍ତରେ ମୋର ନିଜ ଉପରକୁ ଲଜ୍ଜ୍ୟାବୋଧରେ ପରିଣତ ହୋଇଗଲା l ଛି..ଆଚାର ଟିକେ ନଦେଇ ବୁଢୀଲୋକଟାକୁ ଫେରେଇଦେଲି ! ସେ ପୁଣି ଏମିତି ଜଣେ ସ୍ନେହିଁ ଲୋକଙ୍କୁ !

ମୋର ଦୁଇବର୍ଷ ତଳର ଗୋଟେ ଛୋଟ ଘଟଣା ମନେପଡ଼ିଗଲା l ସେତେବେଳେ ମୁଁ କଟକ ରାଧାନାଥ ଟ୍ରେନିଂ କଲେଜରେ ବି.ଏଡ ଟ୍ରେନିଂ ନେଉଥାଏ l ଦିନେ ଅପରାହ୍ନ ଚାରିଟାରେ କଲେଜ ଛୁଟିପରେ ହାଇକୋର୍ଟ ପାଖ ଗୋଟେ ଚାର୍ଟ ଦୋକାନକୁ ପାପଡ଼ି ଚାର୍ଟ ଖାଇବାକୁ ସାଙ୍ଗମାନଙ୍କ ସହ ଯାଇଥାଏ, ଆମ ଗାଁ ର ଧୀର କକା ଦେଖାହେଲେ l ତାଙ୍କ ଠାରୁ ଶୁଣିଲି ମାନ ଅଜା ଦୀର୍ଘ ପଚିଶି ଦିନ ହେଲା କଟକ ବଡ଼ମେଡିକାଲର ଟିବି ଓ ଯକ୍ଷ୍ମା ୱାର୍ଡରେ ଭର୍ତିହେଇ ଚିକିତ୍ସିତ ହେଉଛନ୍ତି l ମନ ଟା ଭଲ ଲାଗିଲାନାହିଁ l ତାପରଦିନ ରବିବାର ଥିଲା l ସକାଳୁ ଏକା ଯାଇ ପହଞ୍ଚିଗଲି ସେମାନଙ୍କ ପାଖେ l ଲତାଆଈ ଅଜାଙ୍କ ପାଖେ ବସି ତାଙ୍କ ଗୋଡ଼ ହାତ ଆଉଁସି ଦେଉଥାଏ l ମତେ ଦେଖି ଦୁହେଁ ଯାକ ଭାରି ଗୋଟେ ଖୁସିହେଇଗଲା ପରି ମୁଁ ଅନୁଭବ କଲି l ପଚାରିଲି, "ଆଉ କେହି ନାହାଁନ୍ତି କି ? "ଆଈ କହିଲେ,"କିଏ ସବୁ କାମ ଧନ୍ଦା ଛାଡ଼ି ଏତେଦିନ ଏଠି ପଡିରହିବ ? ଟୁଟୁ (ମାନଅଜାଙ୍କ ସାନପୁଅ ) ଆସୁଛି ସବୁଦିନ ସକାଳୁ ପୁଣି ଦଶଟା ଏଗାର ଟାରେ ଚାଲିଯାଉଛି l ତାର ତ ଦୋକାନରେ ଦୁନିଆଁ କାମ l ରବି ( ତାଙ୍କ ବଡ ପୁଅ ) ର ତ ଈସୁକୁଲୁ(ସ୍କୁଲ) l ସେ ଆସିପାରୁନି l ଆଜି ରଇବାର l ଆସିବ କହିଛି "l ପୁଣି ଟିକେ ରହିଯାଇ କହିଲେ, "ଏଠି ସମସ୍ତେ ଜଣ ପରେ ଜଣେ ଭଲ ହେଇ ପଳାଉଛନ୍ତି l ଆମେ ଖାଲି ଯାହା ପଡିରହିଛୁ l ପଇସା ପାଣି ପରି ଖର୍ଚ୍ଚ ହେଉଛି l କୋଉଠୁ କେତେ ଆଣିବୁ"? କହୁ କହୁ କାନ୍ଦ କାନ୍ଦ ହେଇଗଲେ l ଏମିତି ଗପୁ ଗପୁ ମୁଁ ଯିବାକୁ ବାହାରିଲି l ମାନଅଜା ଖୁଁ ଖୁଁ ହେଇ କାଶୁ କାଶୁ କଣ ଗୋଟେ ଠାରିକି କହିଲେ ଆଈକୁ l ଆଈ ଗୋଟେ ଚିରିଆସିଥିବା ମସିଆ ପୁରୁଣା ଥଳି ତାଙ୍କ ବେଡ଼ର ତକିଆ ତଳୁ ବାହାରକରି ସେଥିରୁ ପୁରୁଣା ଦଶଟଙ୍କିଆ ନୋଟଟେ ମୋ ହାତରେ ଗୁଞ୍ଜି ଦେଲେ l ମୁଁ ଯେତେ ମନା କଲେ ବି ମାନିଲେନି l ପୁଣି କଣ ମନେପଡ଼ିଲା ମତେ ଟିକେ ଠିଆ ହେବାକୁ କହି ଗୋଟେ ଓମଫେଡ କ୍ଷୀର ପ୍ୟାକେଟ ଯୋଉଟା ହସ୍ପିଟାଲ ତରଫରୁ ରୋଗୀମାନଙ୍କୁ ଦିଆଯାଏ ଆଣି ମୋ ହାତରେ ଧରେଇଦେଇ କହିଲେ, " ନେଇଯା ଏଇଟା ହୋଷ୍ଟେଲରେ ଗରମ କରି ପିଇଦେବୁ l ଏମିତି ବେଳରେ ଆସିଲୁ ଯେ ଆମ ପାଖେ କିଛି ନାହିଁ ଦେବାକୁ l ତୁ ଆସିଲୁ ଆମେ ବହୁତ ଖୁସି "l ମୁଁ କଣ କହି ତାଙ୍କୁ ବୁଝେଇବି ଯେ ମେଡିକାଲକୁ ରୋଗୀ ଦେଖି ଆସିଲେ କିଛି ସାଙ୍ଗରେ ନେଇକି ଆସନ୍ତି ଏମିତି ନେଇକରି ଯାଆନ୍ତିନାହିଁ l ସେ କିନ୍ତୁ ବୁଝିବେନାହିଁ l ଆହୁରି ନେଲିନାହିଁ ବୋଲି ଆଘାତ ପାଇବେ l ମୋ ଗାଁ ର ସବୁ ଆତ୍ମୀୟଙ୍କ ଅତ୍ମୀୟତା ଏହିପରି l ଗାଁ ବାହାରେ ଦୂର କୋଉ ଜାଗାରେ କେହି ଯଦି ଗ୍ରାମବାସୀ ପରସ୍ପର ସହ ଦେଖାହେଇଯାନ୍ତି ଖୁସିରେ ସେମାନଙ୍କ ଆଖି ଉଜ୍ଜ୍ୱଳ ହୋଇଉଠେ l ଆଉ ଯଦି ଏହି ଲତା ଆଈଙ୍କ ପରି ବୟସ୍କ ଲୋକଙ୍କର ମୋ ପରି ବୟସରେ ଛୋଟ କେହି ଦେଖା ହୋଇଗଲେ ସେ ତାକୁ କେବେ ବି ଖାଲି ହାତରେ ଛାଡ଼ିବେନାହିଁ , ସେ ଜାଗା ହେଉପଛେ ହସ୍ପିଟାଲର ଯକ୍ଷ୍ମା ୱାର୍ଡ, ନିଜେ ହେଉଥାନ୍ତୁ ପଛେ ରୋଗ ଶଯ୍ୟାରେ ପଡି ଯନ୍ତ୍ରଣାଜର୍ଜରିତ l

ସେହିଦିନର କଥା ଭାବି ମୋ ଆଖି ଓଦା ଓଦା ହେଇଗଲା l ସେହି ସଙ୍ଗେ ସଙ୍ଗେ ତାଙ୍କ ଘରକୁ ଯିବାକୁ ଇଚ୍ଛା ହେଲା lଏବେ ଏତେ ରାତିରେ ଆଉ ବୁଢ଼ା ବୁଢୀ ଙ୍କୁ କାହିଁକି ହଇରାଣ କରିବି ? ସକାଳୁ ଉଠିବା କ୍ଷଣି ଯିଵି ଭାବିକି ଶୋଇପଡ଼ିଲି l

ସକାଳୁ ଉଠୁ ଉଠୁ ମାଆ ଆସି କହିଲା, "ଜାଣିଛୁ ନା ଲୋ? କାଲି ରାତିରୁ ମାନମାମୁଁଙ୍କ ଦେହ ବହୁତ ଖରାପ l ଭୋରୁ ମେଡିକାଲ ଯାଇସାରିଲେଣି l ରାତି ତିନିଟାରେ ଟୁଟୁ ଆସି ତୋ ବାବାଙ୍କୁ କହୁଥିଲା, ମାମୁଁ କେମିତି ଆଖି ଖୋସି ହାତ ଦୁଇଟା ମୁଠା ମୁଠା କରିପକାଉଥିଲେ l ତୋ ବାବା କହିଲେ ଶୀଘ୍ର ହସ୍ପିଟାଲ ନେଇଯିବାକୁ "l

ମାଆ ର କଥା ସରିନି ମାନଅଜାଙ୍କ ଘର ସାମ୍ନାରେ ଗାଡିଟେ ଆସି ରହିଲା l ଲୋକେ ଗାଡ଼ିରୁ ମାନଅଜାଙ୍କ ନିଷ୍ପ୍ରାଣ ଶରୀରକୁ ଟେକା ଟେକି କରି ବାହାର କରୁଥିଲେ l ଲତା ଆଈଙ୍କୁ ମଧ୍ୟ କିଛିଲୋକ ଟେକି ବୋହିନେଇଗଲେ l ସେ ବି ଥିଲେ ଚେତାଶୂନ୍ୟl l ଲତା ଆଈ ଆଜିଯାଏଁ ନିଜ ଜୀବନର ପ୍ରତିଟି ସୁଖ ଦୁଃଖ ମୁହୂର୍ତ୍ତଗୁଡିକରେ ସ୍ୱାମୀଙ୍କ ହାତରେ ହାତ ଛନ୍ଦି ଚାଲିଆସୁଥିଲେ l ଦୁହେଁ ଦୁହିଁଙ୍କୁ ଛାଡ଼ି କୁଆଡେ ଯାଆନ୍ତିନାହିଁ l ଆଜି କେମିତି ଜଣେ ଆର ଜଣଙ୍କ ହାତ ଛାଡ଼ି ଯାଇପାରିଲା?

ତାଙ୍କ ଘରୁ କ୍ରନ୍ଦନର ରୋଳ ଆମ ଘର ପର୍ଯ୍ୟନ୍ତ ଶୁଭୁଛି l ମୁଁ ସେଠିକୁ ନଯାଇ ଆମ ଘର ଭିତରକୁ ଚାଲିଆସିଲି l ଆଚାରଡବାଟାକୁ ଦେଖି ମୋ ଆଖିରୁ ଲୁହସବୁ ବନ୍ଧ ବାଡ ନମାନି ବୋହିଚାଲିଲା l ଭୀଷଣ ଅପରାଧ ବୋଧରେ ମୋ ହୃଦୟ ବିନ୍ଧି ଉଠିଲା l ସତରେ କେତେ ଅଵିଵେକୀ ମୁଁ? ନିଜକୁ କେବେ କ୍ଷମା କରିପାରିବି ନାହିଁ l ନିଜ ଉପରେ କ୍ରୋଧ ଆଉ ଗଭୀର ଦୁଃଖରେ ମ୍ରିୟମାଣ ହୋଇ ସେ ଆଚାର ଡବାକୁ ଧରି ବାଡ଼ିଆଡେ ଗଲି l ସବୁଯାକ ଆଚାର ଡଷ୍ଟବିନରେ ଢ଼ାଳିଦେଇ ଡବାକୁ ବାଡ ସେପଟକୁ ଫିଙ୍ଗିଦେଲି l ଖାଲି ଡବାଟା ଯାଇ ପଡିଲା ମାନଅଜାଙ୍କ କୂଅ ଚାନ୍ଦିନୀ ଉପରେ l

ମାନ ଅଜା ଯିବା ପରେ ଲତା ଆଈ ଙ୍କ ଦୁଃଖୀ ପରିବାରଟି ଆହୁରି ଘୋର ଅଭାବ ଭିତରକୁ ଚାଲିଗଲା l ମାନଅଜା ସରକାରୀ ସ୍କୁଲରେ ସାମାନ୍ୟ ପିଅନ ଚାକିରିଟିଏ କରିଥିଲେ l ପାଞ୍ଚ ଝିଅ ଓ ଦୁଇ ପୁଅଙ୍କର ସମସ୍ତ ଆବଶ୍ୟକତା ପୁରୁଣ କରିବାକୁ ମଧ୍ୟ ତାଙ୍କ ସ୍ୱଳ୍ପ ଦରମା ଅଣ୍ଟୁନଥିଲା l ବଡ କଷ୍ଟରେ ପାଞ୍ଚୋଟି ଯାକ ଝିଅଙ୍କୁ ବାହାଦେଲେ l ସବାସାନ ଝିଅକୁ ବାହାଦେଇସାରିଲା ବେଳକୁ ତାଙ୍କ ମେରୁଦଣ୍ଡ ବାଙ୍କି ସାରିଥିଲା l ବଡ ପୁଅ ରବି କକା ଆଠ ବର୍ଷ ବିନା ଦରମାରେ ଗୋଟେ ଅଣଅନୁଦାନ ପ୍ରାପ୍ତ ସ୍କୁଲରେ ଶିକ୍ଷକତା କଲା ପରେ ପାଞ୍ଚ ଛ ବର୍ଷ ହେବ ବ୍ଲକ ଗ୍ରାଣ୍ଟ ନାଁ ରେ ଅଳ୍ପ କିଛି ଦରମା ପାଉଛନ୍ତି ଯାହା ତାଙ୍କ ଛୁଆ ପିଲାଙ୍କ ସ୍କୁଲ ବହିଖାତା ଖର୍ଚ୍ଚକୁ ବି ନିଅଣ୍ଟ l ଟୁଟୁ କକା ଛକ ଉପରେ ଜଣଙ୍କ ଭୁସାମାଲ ଦୋକାନରେ ପଇସାପତ୍ର ହିସାବ କିତାବ ଦେଖା ରଖା କରନ୍ତି l ସେଇଥିରୁ ଯାହା ମିଳେ ସମୁଦ୍ରକୁ ଶଙ୍ଖେ l ଅଜାଙ୍କ ପେନସନରେ ଘର ଅଧା ଅଧି ନିର୍ଭର କରୁଥିଲା l ଏବେ ଲତା ଆଈଙ୍କୁ ଯାହା ମିଳିବ ସେହିଟା ଅଜାଙ୍କ ପେନସନର ଅଧା l ଜମା ଚାରିହଜାର ସାତସହ ଟଙ୍କା l ଘରର ମାଟି କାନ୍ଥ ଶୋଇପଡ଼ିଲାଣି l ଚାଳ ଛପର କରିବାକୁ ବି ଟଙ୍କା ଯୋଗାଡ଼ ହୋଇପାରୁନି ତାଙ୍କର l ତଥାପି ଲତା ଆଈ ସମ୍ପୂର୍ଣ ଭାଙ୍ଗିପଡିଲା ପରି ଲାଗୁନଥିଲେ l ସେ ତାଙ୍କ ନିତିଦିନିଆଁ କାମକୁ ଖୁବ ସୁଚାରୁ ରୂପେ ତୁଲାଉଥିଲେ l

ମାନ ଅଜା ଯିବା ମାସେ ଭିତରେ ମୁଁ କଟକ ଚାଲିଆସିଲି l ଯେବେ ବି ମୋ ନଜର କୋଉ ମିଠା ଆଚାର ଡବା ଉପରେ ପଡେ ମୋର ଅଜାଙ୍କ କଥା ଖୁବ ମନେ ପଡେ l ନିଜକୁ ଧିକ୍କାର କରେ ମୁଁ l ଘରକୁ ଯେବେ ଯାଏ ମାନଅଜାଙ୍କ ବିଧବା ସ୍ତ୍ରୀ ଟି କୁ ଦେଖିଲେ ମୋ ଛାତି ଭିତରେ ଭୀଷଣ ଯନ୍ତ୍ରଣା ହୁଏ l ମୋର ସେହି ଦୃଶ୍ୟ ଟି ମନେ ପଡ଼ିଯାଏ l ସେ ହାତରେ ଗିନା ଧରି ନଇଁ ନଇଁ ଆସି ଆଚାର ମାଗୁଥିବାର ଦୃଶ୍ୟ l ମୁଁ ନିଜକୁ ଅସହାୟ ମନେକରେ l କଣ କଲେ ନିଜକୁ ଦୋଷମୁକ୍ତ କରିପାରିବି ଭାବିହୁଏ l

ଲତା ଆଈ କିନ୍ତୁ ପୂର୍ବ ପରି ହସି ହସି କଥା ହୁଅନ୍ତି l ଘର ଆଗରେ ବଡି ଆଉ ପାମ୍ପଡ ଶୁଖେଇ ଜଗିବସିଥାନ୍ତି l ମୁଁ ଯାଇ ଜୁହାର ଟିଏ ହେଲେ କୁଣ୍ଢେଇ ପକେଇ ଗେଲ୍ହା କରନ୍ତି l ଫାଟି ଆଁ କରିଥିବା ତାଙ୍କ ମାଟି ପିଣ୍ଡାରେ ଚଟେଇ ପାରିଦେଇ ବସିବାକୁ କୁହନ୍ତି l ଭଲ ମନ୍ଦ ପଚାରିବୁଝନ୍ତି l ମୁଁ କିଛି ସାହାଯ୍ୟ କରିବାକୁ ଚାହିଁଲେ ଗ୍ରହଣ କରନ୍ତିନି l ଅପମାନ ବୋଧ କଲାପରି ବଡ ବଡ ଆଖିରେ ଅନେଇ କାନ୍ଦ କାନ୍ଦ ହୋଇଯାନ୍ତି l କି ପ୍ରଚଣ୍ଡ ସ୍ୱାଭିମାନୀ ଏମାନେ !!

ଗତବର୍ଷ ରଜରେ ଗାଁ କୁ ଯାଇଥିଲି l କିଚେନ୍ ର ଗୋଟେ ଥାକରେ ମିଠା ଆଚାର ଡବାଟେ ଥୁଆ ହେଇଥିବା ଦେଖିଲି l ଭଲ କି ଦେଖିଲି ଡବାଟା ମୁଁ ଫିଙ୍ଗିଦେଇଥିବା ସେହି ଆଚାର ଡବାଟି ପରି ଅବିକଳ ଦିଶୁଛି l ଲେଖା ଯାଇଛି kissan mixed fruits sweet pickle l ହଁ ଆଉ କିଏ ଆଣିଥିବ l କାହିଁକି କେଜାଣି ଲାଗିଲା ଏଇଟା ସହ ସେହି ପୁରୁଣା ଡବା ଟାର କିଛି ସାମଞ୍ଜସ୍ୟ ଅଛି l ଡବା ଟା ଧରି ଏପଟ ସେପଟ କରୁଛି ମାଆ ଆସି କହିଲା, "ତୁ ଆସିବୁ ଶୁଣିକି ଲତା ମାଇଁ ଆଚାର ତିଆରି କରି ଦେଇଯାଇଛନ୍ତି l କହୁଥିଲେ, 'ଜ୍ୱାଇଁବାବୁଙ୍କୁ ମିଠା ଆଚାର ଭାରି ପସନ୍ଦ ଲିପା ମତେ କହିଛି' l ତୁ ତାଙ୍କୁ କହିଥିଲୁ କି ଜ୍ୱାଇଁ ମିଠା ଆଚାର ଭଲପାଆନ୍ତି ?"

ମୁଁ ଭାଷାଶୂନ୍ୟ l ଡବା ଖୋଲିଦେଲାରୁ ଭାସିଆସିଲା ଖଜୁରୀ, ଆମ୍ବ, ବରକୋଳି ମିଶା ମିଠା ଆଚାର ର ସ୍ୱାଦିଷ୍ଟ ମହ ମହ ବାସ୍ନା l ସେହି ଆଚାର ରେ ମିଶିଥିଲା ଲତା ଆଈ ଙ୍କ ନିର୍ମଳ ମମତା ଓ ତାଙ୍କ ହୃଦୟ ର ମହନୀୟତା l ସତରେ କେତେ ବିରାଟ ଓ ମହାନ ସେହି ନାରୀ ! ସେ କେବେ କିଛି ନେଇଯାଣିନ୍ତିନି ଖାଲି ଦେଇଯାଣିଛନ୍ତି l


Rate this content
Log in

Similar oriya story from Drama