Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sushama Parija

Inspirational Tragedy

3  

sushama Parija

Inspirational Tragedy

ଭାଗ୍ୟର ଖେଳ

ଭାଗ୍ୟର ଖେଳ

18 mins
511


ଭାଗ୍ୟର ଖେଳ

ଅନିନ୍ଦିତା ଘୁମେଇଁ ପଡିଥିଲା ଅଫିସ୍ ରୁମ୍ ର ଚେୟାର୍ ଉପରେ ବସି ବସି। ଚୈତ୍ର ମାସର ଗୋଟାଏ ଟାଆଁସିଆ ଅପରାହ୍ନ, ଚାରି ଆଡେ ଝଞାପବନର ଡହଡହ ଉଷ୍ଣତାକୁ ଉଡେଇ ଦେବାର ନିଷ୍ଫଳ ପ୍ରୟାସ ରେ ଘାଇଁ ଘାଇଁ ହୋଇ ଘୁରୁଥିଲା ଛାତରୁ ଓହଳି ଥିବା ପଙ୍ଖାଟି।

ନିଦାଘ ଆସିବା ପୂର୍ବର ଏଇ ଦି’ପହର ଗୁଡିକ ଭାରି ଉଚ୍ଚାଟିଆ ଲାଗେ । ଖରାବେଳ ଖାଇବା ଖାଇ ସାରିବା କ୍ଷଣି କେମିତି ଗୋଟାଏ ହାଲିଆପଣ ଖେଳିଯାଇଛି ଦେହରେ, ନ ଚାହିଁଲେ ମଧ୍ୟ ଆଖି ମାଡି ମାଡି ପଡେ ପତଳା ନିଦରେ। ଅନେକ ବେଳୁ

ସେବାଶ୍ରମର ଡାଇନିଂ ହଲ୍ ରୁ ସମସ୍ତଙ୍କ ସାଥିରେ ଖାଇସାରି ବାହାରି ଆସିଥିଲା ଅନିନ୍ଦିତା , ଅଫିସ୍ ଟେବୁଲ୍ ଉପରେ ବସି ଫାଇଲ୍ ଓଲଟାଇଲା ବେଳକୁ ଆଖିପତା ଆପେ ଆପେ ବୁଜି ହୋଇ ଆସିଲା, ଅଫିସ୍ ଘରର ଭିତର ପଟୁ କିଳିଣୀ ଟି ଦେଇ ସେତିକି ବେଳୁ ଶୋଇ ରହିଛି ସେ ଏଇଠି, ଏମିତି ଭାବରେ । ଦରଜାରେ କେହି କରାଘାତ କରିବାର ଶବ୍ଦ ରେ ଚମକି ପଡି ଉଠବସିଲା ସେ । ଅଳସୀ ଭାଙ୍ଗି ଉଠିଲା ବେଳକୁ କାନ୍ଥଘଣ୍ଟା କୁ ଚାହିଁଲା, ଅପରାହ୍ନ ପାଞ୍ଚଟା ବାଜି ଚାଳିଶ ମିନିଟ୍ , ତଥାପି ଖରାରେ କମିନି । ଟେବୁଲ୍ ଉପରେ ରଖାଯାାଇଥିବା ପାଣି ଗ୍ଲାସ୍ ଟି ପିଇସାରି ଉଠିଯାଇ କବାଟ ଖୋଲିଲା ଅନିନ୍ଦିତା । ସାମନାରେ ଆଶ୍ରମ ଅଫିସ୍ ର ଟହଲିଆ ବେଣୁ କୁ ଦେଖି ପଚାରିଲା “କ’ଣ ହେଲା କି ବେଣୁ ! କିଛି ଦରକାର ଥିଲା? ବେଣୁ

ଉତ୍ତର ଦେଲା “ ନାଇଁ ମ ଦିଦି ! ଆମ ଗାଁ ର ସନାତନ କାଲି ଠାରୁ ଯାଇଥିଲା କଟକ ତା’ ଦୋକାନ ପାଇଁ ସଉଦାପତ୍ର ଆଣିବା ଲାଗି ଆଜି ଫେରିଲା ବେଳକୁ ବାଦାମବାଡି ବସଷ୍ଟାଣ୍ଡ୍ ରେ ବସ୍ କୁ ଅପେକ୍ଷା କରି ଠିଆ ହୋଇଥିବା ବେଳେ ଦେଖିଲା

ହଳେ ବୁଢାବୁଢୀ ଙ୍କୁ । ବିଚରା ବୁଢା ଟି ଦେହରେ ଜର ଭର୍ତ୍ତି ହୋଇଛି, ବୁଢୀଟି କାନ୍ଦି କାନ୍ଦି ସାହାଯ୍ୟ ମାଗୁଥିଲା ସମସ୍ତଙ୍କୁ ହାତ ପତେଇ ହେଲେ କେହି ତା’ କଥା ଶୁଣୁ ନଥିଲେ। ବୁଢୀର ବିକଳ କାନ୍ଦଣା ସହି ନପାରି ସନାତନ ତା’କୁ ପଚାରିଲା ଘଟଣା କ’ଣ ବୋଲି। ବୁଢୀ ଟି କାନ୍ଦି କାନ୍ଦି କହିଲା ତାଙ୍କର ଏକମାତ୍ର ଆଶା ଭରସା ତାଙ୍କ ପୁଅ ଟି ରାସ୍ତା ଦୁର୍ଘଟଣା ରେ ମରିଗଲା ପରେ ଗ୍ରାମବାସୀମାନେ ଚଞ୍ଚକତା କରି ତାଙ୍କର ଜମି ବାଡି ସବୁ ହାତେଇନେଇ ତାଙ୍କୁ ଗାଁ ରୁ ବାହାର କରି ଦେଇଛନ୍ତି । ଏବେ ଭିକ୍ଷାବୃତ୍ତି ଛଡା ଅନ୍ୟ ଗତି ନାହିଁ ତାଙ୍କର। ତିନିଦିନ ହେଲା ବୁଢାଙ୍କୁ ଜର । ଟଙ୍କା ପଇସା ନାହିଁ ଔଷଧ ଟିକିଏ ଖାଇବାକୁ । ସମସ୍ତଙ୍କୁ ମାଗି ମାଗି ଥକିଲିଣି, କାହାର ଟିକିଏ ଦୟା ହେଉନି । ସନାତନ ଦୟା ହେଲା, ସେ ବୁଢୀକୁ କିଛି ପଇସା ଦେବାରୁ ବୁଢୀ ସେଇ ପଇସାରେ ବୁଢା ପାଇଁ ଔଷଧ ଆଉ ପାଉଁରୁଟି ଟିଏ ଆଣି ଖାଇବାକୁ ଦେଲା,ସେମାନଙ୍କ ସହିତ କଥାବାର୍ତ୍ତା କରି ଜାଣିବାକୁ ପାଇଲା ଯେ ସେମାନଙ୍କର କେହି ଆଶ୍ରା ଭରସା ନାହାଁନ୍ତି ଏଇ ଦୁନିଆଁରେ, ତେଣୁ ସେ ସେମାନଙ୍କୁ ସାଥିରେ ନେଇ ଆସିଛି ଆମ ଏଇ ଆଶ୍ରମରେ ଟିକିଏ ଆଶ୍ରୟ ଦେବା ପାଇଁ, ସେମାନେ ସମସ୍ତେ ଆମର ଆଶ୍ରମ ର ଗେଟ୍ ପାଖରେ ଅଛନ୍ତି ଦିଦି ! ଆପଣ ଅନୁମତି ଦେଲେ ମୁଁ ସେମାନଙ୍କୁ ଭିତରକୁ ଆଣିବି “। ଏକା ନିଶ୍ବାସ କେ ଏତକ କହି ସାରି ଅନିନ୍ଦିତା ର ମୁହଁ କୁ ଚାହିଁଲା ବେଣୁ ଅନୁମତି ଅପେକ୍ଷାରେ । “ହଉ, ତମେ ସେମାନଙ୍କୁ ଆଣି ବାହାର ବାରଣ୍ଡାରେ ବସାଅ, ମୁଁ ଆସୁଛି “ କହି ଭିତରକୁ ଚାଲିଗଲା ଅନିନ୍ଦିତା ମୁହଁ ହାତ ଧୋଇ ଆସିବା ପାଇଁ । ପାଞ୍ଚ ମିନିଟ୍ ପରେ ଫ୍ରେଶ୍ ହୋଇ ଫେରି ଆସିଲା ସେ। ଦେଖିଲା ଦରଛିଣ୍ଡା ମଇଳା ଲୁଗାପିନ୍ଧି ମୁଣ୍ଡରେ ଓଢଣା ଦେଇ ବୃଦ୍ଧା ଜଣକ ବସିଛନ୍ତି, ତାଙ୍କ କୋଳକୁ ଆଉଜି ବସିଛନ୍ତି ଛିଣ୍ଡା ଚଦର ଘୋଡେଇ ହୋଇ ଶୀର୍ଣ୍ଣକାୟ ବୃଦ୍ଧ ଜଣେ , ବାହାରେ ସନ୍ଧ୍ୟା ନଇଁ ଆସିଥିଲା, ଆଗନ୍ତୁକ ଦୁଇ ଜଣଙ୍କର ଉପରେ ଦୃଷ୍ଟି ପହଁରେଇ ଆଣି ସେମାନଙ୍କୁ ଭିତରକୁ ଆସିବାକୁ କହି ସେମାନଙ୍କ ରହିବା ଲାଗି ଘରର ବନ୍ଦୋବସ୍ତ କରିବାକୁ ଚାଲିଗଲା ସେ। ବେଣୁ ସହିତ ମିଶି ବଖୁରିଏ ଘର ସଜଡା ସଜଡି କରି ସେମାନଙ୍କୁ ସେଠାରେ ରହିବାର ବ୍ୟବସ୍ଥା କରି ରୋଷେଇଶାଳ କୁ ଗଲା ଡମ୍ବରୁ ନନା ଙ୍କୁ କହିବାକୁ ଯେ ଆଜିଠାରୁ ଆଉ ଦୁଇ ଜଣଙ୍କର ଅଧିକା ମିଲ୍ ପଡିବ ଆଶ୍ରମରେ ।

ପ୍ରତିଦିନ ସନ୍ଧ୍ୟାରେ ଆଶ୍ରମର ସବୁ ଅନ୍ତେବାସୀ ଏକାଠି ହୁଅନ୍ତି ଅଫିସ୍ ଘର ପାଖରେ ଥିବା ଲମ୍ବା ହଲ୍ ରେ। ସେଇଠି କାନ୍ଥ ରେ ଟଙ୍ଗା ହୋଇଥିବା ଚତୁର୍ଦ୍ଧା ମୂର୍ତ୍ତି ଙ୍କର ବଡ ଫଟୋଟି ତଳେ ସନ୍ଧ୍ୟା ଆରତୀ ହୁଏ, ତା’ପରେ ଯିଏ ଯାହାର ନିର୍ଦ୍ଧିଷ୍ଟ ସ୍ଥାନକୁ

ଫେରି ଯାଆନ୍ତି । ଆଜି ସେମିତି ସମୂହ ପ୍ରାର୍ଥନା ପରେ ଅନିନ୍ଦିତା ସମସ୍ତଙ୍କୁ ପରିଚିତ କରେଇ ଦେବାକୁ ଚାହିଁଲା ନୂତନ ଭାବେ ଆସିଥିବା ଦୁଇଜଣ ସାଥୀଙ୍କ ସହିତ। ସେତେବେଳକୁ ସେଇ ଦୁଇ ଜଣଯାକ ଧୁଆଧୋଇ ହୋଇ ଆଶ୍ରମର ସଫା ଲୁଗାପଟା ପିନ୍ଧି ଉପସ୍ଥିତ ଥାଆନ୍ତି ସେଇ ହଲ୍ ରେ । ନିଜର ନାମ, ଠିକଣା ଇତ୍ୟାଦି ପଚାରିବା ଲାଗି ଆଗେଇ ଗଲା ଅନିନ୍ଦିତା ସେମାନଙ୍କ ପାଖକୁ ।

ମୁହଁ ଟେକି ଚାହିଁଲେ ବୃଦ୍ଧା ଜଣକ , ସର୍ପାହତ ପରି ଚମକି ପଡି ଦୁଇ ପାଦ ପଛକୁ ଘୁଞ୍ଚିଗଲେ ଅନିନ୍ଦିତା, କାନରେ ବାଜିଲା କେତୋଟି ଶବ୍ଦ, ସଦାଶିବ ମିଶ୍ର, କମଳା ମିଶ୍ର, ଗାଁ ମହତାବ ନଗର, ଜିଲ୍ଲା ବାଲେଶ୍ବର । ପାଦ ଦୁଇଟି ଅଟକିଗଲା ଅନିନ୍ଦିତାର , ସେଇ ଚିହ୍ନା କଣ୍ଠସ୍ବର, କିନ୍ତୁ ପୂର୍ବର ଦାମ୍ଭିକତା ନାହିଁ ସେଥିରେ, ଆସିବା ବେଳର ସେଇ ମଳିନତା ନାହିଁ ଚେହେରା ରେ ହେଲେ ଗୋଟିଏ ଦୈନ୍ୟ ଭାବ ଉକୁଟି ଉଠିଛି, ପରାହତ ସୈନିକ ର ଗ୍ଳାନି ଭରି ରହିଛି ସମଗ୍ର ସତ୍ତାରେ, ବୃଦ୍ଧ ଙ୍କ ଆଡକୁ କଣେଇଁ ଚାହିଁଲା ଅନିନ୍ଦିତା, ଅଳ୍ପ ସତେଜ ଦିଶୁଥିଲେ ସେ କିନ୍ତୁ ପୂର୍ବର ସେ ତେଜ ନଥିଲା, ରଙ୍ଗରୂପ ନଥିଲା, “ଠିକ୍ ଅଛି , ଆପଣମାନେ ଏବେ ନିଜ ନିଜ ସ୍ଥାନ ରେ ବିଶ୍ରାମ କରନ୍ତୁ । ରାତ୍ରି ଭୋଜନ ବେଳେ ପୁଣି ଦେଖା ହେବ “ କହି ଲମ୍ବା ଲମ୍ବା ପାଦ ପକେଇ ହଲ୍ ରୁ ବାହାରି ଅଫିସ୍ ଘର ଆଡେ ଆଗେଇ ଗଲା ଅନିନ୍ଦିତା ।ଅଫିସ୍ ଘରେ ପହଞ୍ଚିଲା ବେଳକୁ ଗୋଟାପଣେ ଡାଳରେ ବୁଡି ଯାଇଥିଲା ସେ, ଛାତି ଜୋର୍ ଜୋରରେ ଧଡଧଡ ହେଉଥିଲା, ତଣ୍ଟି ଶୁଖି ଅଠା ଅଠା ହୋଇ ଯାଉଥିଲା, ଫ୍ୟାନ୍ ଟାକୁ ଫୁଲ୍ ସ୍ପିଡ୍ ରେ ବୁଲେଇ ଚେୟାର୍ ଉପରେ ଆଖି ବନ୍ଦକରି ବସି ପଡିଲା । ମନେ ମନେ ଭାବୁଥିଲା ସେ ଯାହାହେଉ, ପ୍ଲାଷ୍ଟିକ୍ ସର୍ଜରୀ ହୋଇଥିବା ଯୋଗୁଁ ଚେହେରାରେ ହୋଇଥିବା ପରିବର୍ତ୍ତନ ପାଇଁ ଅଳ୍ପକେ ବର୍ତ୍ତିଗଲା ସେ , ନହେଲେ ......। କୋଡିଏ ବର୍ଷ ତଳର ଅତୀତ ଭାସି ଉଠିଲା ଆଖିରେ ।

ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକର ଛୋଟ ଗାଁ ଟିଏ ହରିଶ୍ ପୁର । ସେଇଠି ଜନ୍ମ ନେଇଥିଲା ନମିତା ବୋଲି ଛୋଟ ଝିଅ ଟିଏ ବାପା ବନମାଳୀ ମହାପାତ୍ର ଆଉ ମାଆ ମିନତି ମହାପାତ୍ର ଙ୍କର ଏକମାତ୍ର ସନ୍ତାନ ଭାବରେ । ବାପା ବନମାଳୀ ମହାପାତ୍ର ଜାତି ରେ ବ୍ରାହ୍ମଣ ହେଲେ ମଧ୍ୟ କୃଷିଜୀବୀ ଥିଲେ,ସାନଭାଇ କୁଳମଣି ସହିତ ମିଶି ସେ ନିଜର ସ୍ୱଳ୍ପ ପୈତୃକ ଜମିବାଡି ସହ ଆହୁରି କିଛି ଭାଗଚାଷ କରି ଜୀବିକା ନିର୍ବାହ କରୁଥିଲେ, କୌଣସିମତେ ବର୍ଷକ ଖାଇବା ପିଇବା, କୁଣିଆ ମଇତ୍ର, ଯାନିଯାତ୍ରା ଚଳିଯାଉଥିଲା । ନମିତା କୁ ପାଞ୍ଚ ବର୍ଷ ହୋଇଥିଲା ବେଳେ ଆସିଲା ଦୁର୍ଦ୍ଦିନ, ବିଲରେ ହଳ କରୁଥିବା ଅବସ୍ଥାରେ ବଜ୍ରାଘାତ ରେ ପ୍ରାଣ ହରାଇଲେ ବନମାଳୀ । ନମିତା ଆଉ ତା’ ବିଧବା ମାଆ ର ଦାୟିତ୍ବ ପଡିଲା କୁଳମଣିଙ୍କ ଉପରେ , ନିଅଣ୍ଟିଆ ସଂଯୁକ୍ତ ପରିବାର ରେ ଲାଗିଲା ବଞ୍ଚି ରହିବା ପାଇଁ ଟଣା ଓଟରା। କୁଳମଣି ଏପଟେ ବିଧବା ଭାଉଜ ଆଉ ପିତୃହରା ଝିଆରୀ ର ନୈତିକ ଦାୟିତ୍ଵ ତୁଲାଇବାକୁ ମନ କଲା ବେଳକୁ ତାଙ୍କ ସ୍ତ୍ରୀ ଚମ୍ପା ନିଜର ଏକମାତ୍ର ପୁତ୍ର ସନ୍ତାନ ନରେନ୍ଦ୍ର ର ଭବିଷ୍ୟତ ସୁରକ୍ଷିତ କରିବା ଲାଗି ସତତ ଚେଷ୍ଟିତ ଥିଲେ । ଛୋଟ ଛୋଟ କଥା କୁ ନେଇ କଳି ଝଗଡା ସବୁବେଳେ ଲାଗି ରହୁଥିଲା ଘରେ । ସେଇ ଭିତରେ ନମିତା ଗାଁ ସ୍କୁଲରୁ ଫାଷ୍ଟ୍ ଡିଭିଜନ ରେ ମାଟ୍ରିକ୍ ପାଶ୍ କରିଥିଲା । ଝିଅକୁ ଆଗକୁ ପଢେଇବା ଲାଗି କୁଳମଣିଙ୍କ ଇଚ୍ଛା ଥିଲେ ମଧ୍ୟ ପାରିପାର୍ଶ୍ବିକ ପରିସ୍ଥିତି ଯୋଗୁଁ ସାହସ କରି ପାରୁନଥିଲେ ବାଲେଶ୍ବରରେ ରଖି କଲେଜ୍ ରେ ପଢାଇବା ଲାଗି । ଏପଟେ ନରେନ୍ଦ୍ର ର ମଧ୍ୟ ଅଷ୍ଟମ ଶ୍ରେଣୀ ହୋଇ ସାରିଥିଲା, ନମିତା ଭଳିଆ ମେଧାବୀ ନଥିଲା ନରେନ୍ଦ୍ର । ଟିଉସନ୍ ମାଷ୍ଟର ରଖି ପାଠ ନପଢାଇଲେ ନରେନ୍ଦ୍ର ଫାଷ୍ଟ ଡିଭିଜନ ଟାଏ ପାଇବନି ବୋଲି ଜିଦ୍ ଧରି ବସିଥିଲେ ଚମ୍ପା । ତେଣୁ କରି କିଂକର୍ତ୍ତବ୍ୟବିମୂଢ ହୋଇ ନମିତା କୁ ସିଟି ଟ୍ରେନିଂ ନେବା ପାଇଁ ଭୋଗରାଇ ସିଟି ସ୍କୁଲ୍ ରେ ନାଁ ଲେଖାଇ ଦେଲେ କୁଳମଣି ।ସିଟି ଟ୍ରେନିଂ ସରୁ ସରୁ ଚାକିରୀ ମିଳିଗଲା ନମିତା କୁ ଭୋଗରାଇ ପ୍ରାଇମେରି ସ୍କୁଲ୍ ରେ । ଅତି ସୁନ୍ଦର ନଥିଲେ ବି ସୁନ୍ଦରୀ ଥିଲା ନମିତା । ଗୋରା ପତଳା ଶରୀର କୁ ତୀଖା ନାକଟା ଖୁବ୍ ମାନୁଥିଲା ତା’କୁ । ଭଲ ଭଲ ଘରୁ ବାହାଘର ପ୍ରସ୍ତାବ ଆସିବାରେ ଲାଗିଥିଲା ନମିତା ପାଇଁ । ଦି ଓଳି ଦି ମୁଠା ଭଲ ଖାଇବା ପାଇଁ ନିଅଣ୍ଟ ହେଉଥିବା ପରିବାର ରେ ଯୌତୁକ ଦେବାକୁ ଟଙ୍କା ଆସିବ କୁଆଡୁ ବୋଲି ଭାବି ଭାବି ରାତିରେ ନିଦ ହେଉନଥିଲା କୁଳମଣି ଙ୍କୁ। ମିନତି ଙ୍କର ଯାହା ଦି ଖଣ୍ଡ ଅଳଙ୍କାର ଥିଲା ସିଏ ବି ବେଳ ଅବେଳର ଅଭାବ ଭିତରେ ବିକ୍ରି ହୋଇ ସାରିଥିଲା । ଝିଅ ବାହାଘର ପାଇଁ କୌଣସି ସାଧନ ନଥିଲା ସେମାନଙ୍କ ପାଖରେ। ସେଇ ସମୟରେ ପ୍ରସ୍ତାବ ଆସିଥିଲା ମହତାବ ନଗର ସଦାଶିବ ମିଶ୍ରଙ୍କ ଘରୁ ତାଙ୍କର ଏକମାତ୍ର ପୁତ୍ର ଦେବାନନ୍ଦ ଙ୍କ ପାଇଁ ।ଗାଁ ର କିଛି ମୁରବୀ ଶ୍ରେଣୀୟ ବ୍ୟକ୍ତି ପ୍ରସ୍ତାବ ଧରି ଆସିଲେ କୁଳମଣିଙ୍କ ଘରକୁ ।

ସଦାଶିବ ମିଶ୍ରେ ଘୋଷଣା କରିଛନ୍ତି ସଭାରେ ବିନା ଯୌତୁକ ରେ ତୁମ ନମିତା କୁ ବୋହୁ କରିନେବେ। ତୁମର ମତ କ’ଣ? ଅନ୍ଧ କୁ ଆଖି ମିଳିଲା ଭଳି କୃତ୍ୟକୃତ୍ୟ ହୋଇ ଯାଉଥିଲେ କୁଳମଣି । ସେମାନଙ୍କୁ ହାତ ଜୋଡି କୃତଜ୍ଞତା ଜଣାଇଲେ ।କହିଲେ ମୋର ଝିଅ ର ବଡ ଭାଗ୍ୟ , ସେ ସଦାଶିବ ମିଶ୍ର ଙ୍କ ଭଳି ଦେବତାଙ୍କ ଘରେ ବୋହୁ ହେବ। ଖାଲି ତା’ର ନୁହେଁ, ଆମ ସମସ୍ତଙ୍କର ଭାଗ୍ୟରେ ୟା ଠାରୁ ବଳି ସୁଖ ଆଉ କ’ଣ ଅଛି? ମୁଁ ତାଙ୍କ ପ୍ରସ୍ତାବ ରେ ସଂପୂର୍ଣ୍ଣ ଏକମତ, ଆପଣମାନେ ମତେ ଋଣୀ କରିଦେଲେ ଜନ୍ମ ଜନ୍ମାନ୍ତର ପାଇଁ ।

ଦେବାନନ୍ଦ ମୁମ୍ବାଇରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ର କେଉଁ ଏକ ଶାଖାରେ ଚାକିରୀ କରୁଥିଲେ । ସଦାଶିବ ମିଶ୍ର ଗାଁ ର ଜଣେ ପ୍ରତିପତ୍ତି ସଂପନ୍ନ ଲୋକ ଥିଲେ, ଗାଁ ମାମଲତକାର ଭାବରେ ଖୁବ୍ ନାଁ ଥିଲା ଆଖ ପାଖ ଦଶ ଖଣ୍ଡ ମୌଜା ରେ ତାଙ୍କର । ଗାଁର ସଭା ସମିତିରେ ଆଗ ଖୋଜା ପଡୁଥିଲା ତାଙ୍କୁ। ଗୋଟିଏ ଯୌତୁକ ବିରୋଧୀ ଭାଷଣ ଦେବା ବେଳେ ଉତ୍ସାହିତ ହୋଇ ଭାଷଣ ଦେଉ କହି ପକାଇଲେ ଯେ ସେ ଯୌତୁକପ୍ରଥା ର ଘୋର ବିରୋଧୀ ଏବଂ ତାଙ୍କ ଏକମାତ୍ର ସନ୍ତାନ ର ବାହାଘର ରେ ସେ ଟଙ୍କାଟିଏ ମଧ୍ୟ ଯୌତୁକ ନେବାକୁ ଚାହାଁନ୍ତି ନାହିଁ । ସେଇ କଥା କୁ ସତ ମନେ କରି ଗାଁ ର ଆଉ କିଛି ମାନ୍ୟଗଣ୍ୟ ଲୋକ ବନମାଳୀ ମହାପାତ୍ର ଙ୍କ ଝିଅ ନମିତା ସହ ତାଙ୍କ ପୁଅ ଦେବାନନ୍ଦ ର ବାହାଘର ପ୍ରସ୍ତାବ ପକାଇଲେ କାରଣ ଗାଁ‘ର ପିଲା ଠାରୁ ବୁଢା ଯାଏଁ ନମିତାର ସୁନ୍ଦର ସ୍ୱଭାବରେ, ସରଳ ବ୍ୟବହାର, ଆଉ ପିଲା ମାନଙ୍କ ପ୍ରତି ତା’ର ସ୍ନେହ ଶ୍ରଦ୍ଧା ଦେଖି ଖୁବ୍ ଭଲ ପାଉଥିଲେ । ନିଜ କଥାରେ ନିଜେ ନିଜେ ଛନ୍ଦି ହୋଇ ପଡିଥିଲେ ସଦାଶିବ ମିଶ୍ରେ । କହୁ କହୁ ପାଟିରୁ ଖସି ଯାଇଥିବା କଥାକୁ ନେଇ ଏମିତି ଗୋଟାଏ ପରିସ୍ଥିତିରେ ଫସିଯିବେ ବୋଲି ସେ ଭାବି ପାରି ନଥିଲେ। ନମିତା କୁ ଅନେକ ଥର ଗାଁ ଦାଣ୍ଡରେ ସାଇକେଲ୍ ଚଲେଇ ସ୍କୁଲ୍ କୁ ଯିବାର ଦେଖିଥିଲେ, ତା’ର ସୁନ୍ଦର ବ୍ୟବହାର, ସରଳ ଅମାୟିକ ବ୍ୟକ୍ତିତ୍ୱ କୁ ଖୁବ୍ ପସନ୍ଦ କରୁଥିଲେ ହେଲେ ତା’କୁ ବୋହୁ କରି ନେବାର କୌଣସି ଚିନ୍ତାଧାରା ନଥିଲା ତାଙ୍କର । ଅଭାବୀ ଘରର ବାପଛେଉଣ୍ଡ ଝିଅ କୁ ବୋହୁ କରି ନେବାକୁ ସଦାଶିବ ମିଶ୍ରେ ରାଜି ବୋଲି ପ୍ରଚାରିତ ହୋଇଯାଇଥିଲା ସଭାରେ । କରତାଳି ରେ କମ୍ପି ଉଠିଥିଲା ସଭାସ୍ଥଳ । ମିଶ୍ର ଘର ପ୍ରତି ସମ୍ମାନ ବଢିଯାଇଥିଲା ନିଜ ଗାଁ ଆଉ ପାଖ ଆଖ ଗାଁ ରେ । ଏସବୁ କଥା ଦେଖି ତାଙ୍କର ଆଉ ବିରୋଧ କରିବା ଲାଗି ପାଟି ଖୋଲୁ ନଥିଲା ।

ଗାଁ ସଭାରୁ ଫେରି ସଦାଶିବ ମିଶ୍ରେ ନିଜ ଘରେ ପହଞ୍ଚିବା ଆଗରୁ ତାଙ୍କର ସଭାରେ କହିଥିବା କଥାଟି ପହଞ୍ଚି ସାରିଥିଲା ପତ୍ନୀ ଶ୍ରୀମତୀ କମଳା ଦେବୀଙ୍କ କାନରେ । କୋଉ ଗୋଟାଏ ଅଜଣା ଅଶୁଣା କୁଳଗୋତ୍ରହୀନା ନଥିଲା ଘରର ଝିଅ ସହିତ ତାଙ୍କର ଅଲିଅଳ ସନ୍ତାନ ର ବାହାଘର କରିବାକୁ ପ୍ରତିଶ୍ରୁତି ଦେଇ ଆସିଛନ୍ତି ମିଶ୍ରେ, ଏକଥା ସହଜରେ ହଜମ ହେଉନଥିଲା କମଳା ଦେବୀଙ୍କର । ତାଙ୍କର ଏକୋଇରବଳା ବିଶିକେଶନ ପାଇଁ କେତେ କେତେ ଧନୀ,ମାନି ଘରୁ ପ୍ରସ୍ତାବ ଆସୁଥିଲା, ଧନ ସମ୍ପତ୍ତି ରେ ପୋତି ପକାଇ ଥାଆନ୍ତେ ସେମାନେ , ହେଲେ ୟାଙ୍କର ବାହାପିଆ ପଣିଆ ଦେଖ! ସଭାରେ ଘୋଷଣା କରିଦେଇ ଆସିଲେ କ’ଣ ନା ମୁଁ ଯୌତୁକ ବିରୋଧୀ, ବିନା ଯୌତୁକ ରେ ସେ ଦରିଦ୍ର ଘରୁ ଝିଅ ଆଣି ବୋହୁ କରିବି । ପ୍ରଶଂସା କରି ଲୋକମାନେ ସ୍ୱର୍ଗକୁ ପଠାଇଦେବେ ୟାଙ୍କୁ ଇନ୍ଦ୍ର ପଦ ଦେଇ। ମୋର ରାଜାପୁଅ ଭଳିଆ ପୁଅ କୁ ଦେଖା ନାହିଁ, ଶୁଣା ନାହିଁ କୋଉ ଗୋଟାଏ ମାଷ୍ଟରାଣୀ ଗଳାରେ ବାନ୍ଧି ଦେବେ, କେଡେ ହୃଦୟହୀନ ବାପ ଟିଏ କେଜାଣି । ମନ ଭିତରେ ରବେଇଖବେଇ ହୋଇ ଘର ଅଗଣାରେ ଏପଟ ସେପଟ ହେଉଥାଆନ୍ତି କମଳା ଦେବୀ ।

ମିଶ୍ରେ ଘରେ ପହଞ୍ଚିଲା ପରେ ଦୁହିଁଙ୍କ ଭିତରେ ଲାଗିଗଲା ମହାଭାରତ । ମିଶ୍ରେ ଯେତେ ସଫେଇ ଦେବାକୁ ଚାହିଁଲେ, ଯେତେ ବୁଝାଶୁଝା କରିବାକୁ ଚାହିଁଲେ, ସବୁଥିରେ ଫେଲ୍ ମାରିଲେ ।ସାପ ଗଳା ରେ ଚୁଚୁନ୍ଦ୍ରା ଅଟକିଲା ଭଳି ନା କମଳା ଦେବୀ ଙ୍କୁ ମନେଇ ପାରୁଥିଲେ ନା ଲୋକଲଜ୍ୟା ଭୟରେ ଲୋକମାନେ ଦେଇଥିବା ପ୍ରସ୍ତାବ କୁ ଅଗ୍ରାହ୍ୟ କରି ପାରୁଥିଲେ , ଦୋଛକିରେ ଠିଆ ହୋଇ ହନ୍ତସନ୍ତ ହେବାଛଡା ଆଉ କିଛି ଉପାୟ ନଥିଲା ତାଙ୍କର ।

ଅଗତ୍ୟା ସେ ଦେବାନନ୍ଦ ଙ୍କୁ ଡକାଇ ସବୁକଥା କହି ତାଙ୍କର ମାନ ମହତ ରଖିବା ପାଇଁ ଅନୁରୋଧ କଲେ । ବାପାଙ୍କ ସମ୍ମାନ ରକ୍ଷାକରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଦେବାନନ୍ଦ ବହୁ କଷ୍ଟ ରେ ମନେଇଲେ କମଳା ଦେବୀ ଙ୍କୁ ବାହାଘର ପାଇଁ । କଥା ହେଲା ବିନା ଯୌତୁକ ରେ ବାହାଘର ହେବ ଦେବାନନ୍ଦ ଙ୍କ ସହିତ ନମିତା’ର କିନ୍ତୁ ନଗଦ ଏକ ଲକ୍ଷ ଟଙ୍କା କାହାରିକୁ ନଜଣାଇ କୁଳମଣି ଆଗୁଆ ଦେବେ ସଦାଶିବ ମିଶ୍ରଙ୍କୁ । ଏଇଟା ଯୌତୁକ ନୁହେଁ ଜ୍ୱାଇଁ ର ସମ୍ମାନ ପାଇଁ । କାନକୁ ଦି’କାନ ହେବନି କଥା । ଝିଅ ର ସୁଖୀ ଜୀବନ ପାଇଁ ରାଜି ହୋଇଗଲେ କୁଳମଣି, ଭାବିଲେ ଧାନଜମି ଯେତିକି ଅଛି ସବୁ ବିକ୍ରି କରି ଦେବେ, ନଗଦ ଟଙ୍କା ଚୁପ୍ ଚାପ୍ ସମସ୍ତଙ୍କୁ ଅଗୋଚରରେ ଦେଇଦେବେ ସଦାଶିବ ମିଶ୍ର ଙ୍କୁ। ସବୁ କଥା ଠିକ୍ ଠାକ୍ ହୋଇଗଲା, ସେଇ ଅନୁସାରେ ବାହାଘର ର ଲଗ୍ନ ଧାର୍ଯ୍ୟ ହେଲା ଦୁଇ ପରିବାର ମଧ୍ୟରେ ।

ବିଧିର ବିଧାନ ବଡ ବିଚିତ୍ର ।ସବୁ ଜିନିଷ ଠିକ୍ ଠାକ୍ ରେ ଚାଲିଥିବା ବେଳେ ହଠାତ୍ ଅଡି ବସିଲେ କୁଳମଣି ଙ୍କ ପତ୍ନୀ “ ସବୁ ଜମି ବିକ୍ରି ହୋଇ ପାରିବନି, ଆଗ ଜମିବାଡି କୁ ଦୁଇଭାଗ କର, ତା’ପରେ ବିକ୍ରି କରି ତମ ଗେହ୍ଲୀ ଝିଆରୀ ର ବାହାଘର କରିବ। ମୋ ପୁଅ ଭାତ ଗଣ୍ଡାକ ପାଇଁ କାହାକୁ ହାତ ପତେଇବ ନାହିଁ । ତମ ଝିଆରୀ ତ ମଜାଦାର ଘର ବୋହୁ ହୋଇ ସୁଖରେ ରହିବ, ମୋ ପୁଅ ଭିକାରୀ ହେବ କାହିଁକି? “ ମୁଣ୍ଡରେ ବଜ୍ର ପଡିଲା କୁଳମଣିଙ୍କର। କ’ଣ କରିବେ, ଘର କଥା ବାହାରକୁ ଗଲେ ଫଳ ବିଷମୟ ହେବ, କଥା କାନକୁ ଦି କାନ ହେଲେ ବାହାଘର ଭାଙ୍ଗି ଯିବ, କ’ଣ କରିବେ, କେମିତି ଲକ୍ଷେ ଟଙ୍କା ଯୋଗାଡ କରିବେ ଚିନ୍ତା ରେ ପଡିଲେ କୁଳମଣି । ସ୍ଥିର କଲେ , ଚମ୍ପା ଙ୍କ ସାଥିରେ କଳି ଝଗଡା ନକରି ବାହାରୁ ବନ୍ଧୁ ବାନ୍ଧବଙ୍କ ପାଖରୁ ହାତ ଉଧାରି ଆଣି ଆଗ ବାହାଘର ଟା ସାରିଦେବେ ତା’ପରେ ଦେଖାଯିବ ଯାହାହେବ। ବାହାଘର ପୂର୍ବରୁ ବହୁତ କଷ୍ଟରେ ମାତ୍ର ପଚାଶ ହଜାର ଟଙ୍କା ଯୋଗାଡ କରି ପାରିଲେ କୁଳମଣି । ସେତକ ଟଙ୍କା ନେଇ ସମସ୍ତଙ୍କ ଅଗୋଚର ରେ ସଦାଶିବ ମିଶ୍ର ଙ୍କୁ ଧରେଇ ଦେଇ ଆଉ ପଚାଶ ହଜାର ବାହାଘର ପରେ ଦେବେ ବୋଲି ପ୍ରତିଶ୍ରୁତି ଦେଇ ଆସିଲେ କୁଳମଣି । ସୁରୁଖୁରୁ ରେ ବାହାଘର ସରିଲା । ଗାଁ ରେ ନିଜର ନିର୍ମଳ ଭାବମୂର୍ତ୍ତି ପ୍ରତିପାଦିତ କରିବା ପାଇଁ ସଦାଶିବ ମିଶ୍ରେ ଦୁଇପିଠି ଲଗାଇ ଖୁବ୍ ଜାକଜମକରେ ବାଣ ରୋଶଣୀ କରି ଆସି ବାହାଘର ସାରି ବୋହୁ ନେଇ ଫେରିଲେ ଘରକୁ । ଗାଁ ଯାକ ଧନ୍ୟ ଧନ୍ୟ କଲେ ସଦାଶିବ ମିଶ୍ର ଙ୍କର ମହତ ପଣିଆ କୁ । ଭୋଜିଭାତ କରି ଗାଁ ଭସେଇ ଦେଲେ ମିଶ୍ର ଆପଣେ ।

ବାହାଘର ପରେ ପ୍ରଥମଥର ପାଇଁ ଶାଶୁଘରେ ପାଦ ଦେଉ ଦେଉ ନମିତା ବୁଝି ପାରିଲା ଯେ କୌଣସି କାରଣରୁ ଶାଶୁ ମା ଖୁବ୍ ଅସନ୍ତୁଷ୍ଟ ଅଛନ୍ତି ଏଇ ବାହାଘର କୁ ନେଇ । ତଥାପି ମନରେ ଭରସା ଥିଲା ସିଏ ତା’ ନିଜର ସେବା ଶୁଶ୍ରୁଷାରେ, ନିଜର ଆପଣା ପଣରେ ଦିନେ ହୃଦୟ ଜିଣିବ ତାଙ୍କର । ଦେବାନନ୍ଦ ଥିଲେ ମାଆ କାନି ଧରି ଚାଲିବା ପୁଅ, ବାପାଙ୍କ କଥାର ସମ୍ମାନ ରକ୍ଷାକରି ସିନା ବାହା ହୋଇ ପଡିଲେ, ନମିତା କୁ ନେଇ ସର୍ବତୋଭାବରେ ସୁଖୀ ହୋଇ ପାରୁନଥିଲେ।କମଳା ଦେବୀ ନିଜର ପରାଜୟ କୁ ଏତେ ସହଜ ଭାବରେ ଗ୍ରହଣ କରି ପାରୁନଥିଲେ, ଧୀରେ ଧୀରେ ପ୍ରତିଶୋଧ

ପରାୟଣ ହୋଇ ଉଠୁଥିଲେ । ପ୍ରଥମେ ବୋହୁର ସାଇକେଲ୍ ଚଢି ଗାଁ ଭିତରେ ସ୍କୁଲ୍ କୁ ଯିବାଟା ତାଙ୍କୁ ଭଲ ଲାଗିଲାନି, ତେଣୁ

ବୁଲେଇ ବଙ୍କେଇ ଘର କାମକୁ ଆଉ ପାରୁନି, ତୁମ ଘର କଥା ତୁମେ ବୁଝି କହି ଚାକିରୀ ଟି ଖାଇଦେଲେ ବୋହୁର। ଗ୍ରାମରେ ସାହାଯ୍ୟ କରୁଥିବା ସ୍ତ୍ରୀ ଲୋକଟିକୁ ଚୋରଣୀ କହି ବାହାର କରିଦେଲେ, ରୋଷେଇ ବାସ ଠୁ ଆରମ୍ଭ କରି ବାସନମଜା, ଲୁଗା ସଫା, ଗାଈଗୋରୁ ଙ୍କ କାମ ଯାଏଁ କ୍ରମେ କ୍ରମେ ଘରର ସବୁ କାମ ଲଦି ହୋଇ ପଡିଲା ନମିତା ଉପରେ।ବିନା କୌଣସି ପ୍ରତିବାଦ ରେ ସବୁ କରିଯାଉଥିଲା ସେ। ଦରିଦ୍ର ଘର ଝିଅ, କୋଉଠି କ’ଣ ଦେଖିଛି ନା ଶିଖିଛି ଯେ କରିବ କହି ଉଲୁଗୁଣା ଦେଉଥିଲେ। ରାତିରେ ଗୋଡଘସିଦେବାକୁ ଯିବା ବେଳକୁ କେବେ ଗୋଡ ଛାଟି ମନା କରିଦେଉଥିଲା ତ କେବେ ସେ ଥକିଗଲେ ବି

ଉଠିଯିବାଲାଗି କହୁନଥିଲେ। ଦିନ ରାତି ମନକଥା ମନରେ ମାରି ରହୁଥିଲା ନମିତା। ବାପଘରୁ କେହି ଆସିଲେ ସେଇ ଦୁଆର

ବିଦା କରି ଦେଉଥିଲେ, ସେମାନେ ଆଣିଥିବା ଜିନିଷକୁ ଗାଈଗୋରୁ ଙ୍କ ଆଗରେ ଅଜାଡି ଦେଉଥିଲେ ।

ଅନେକ ସମୟରେ ଦେବାନନ୍ଦ ମଧ୍ୟ ତରକାରି ଲୁଣିଆ, ଅଲଣା ହୋଇଛି କହି ଭାତଥାଳି ତା’ ଉପରକୁ ଫିଙ୍ଗିବା ଆରମ୍ଭ କରିଥିଲେ । ପ୍ରତି କଥାରେ ୟା’ର ତା’ର ତୁଳନା କରି ନମିତା କୁ ନୀଚ୍ଚା ଦେଖାଇବାର ଚେଷ୍ଟା କରୁଥିଲେ ।ତାଙ୍କର ଅନୁପସ୍ଥିତି ରେ ଶାଶୁଙ୍କର ତାତ୍ସଲ୍ୟ ଆହୁରି ବଢି ଯାଉଥିଲା । ସ୍ୱାମୀ ର ସ୍ନେହ ଆଦର କ’ଣ ବୋଲି ଏ ପର୍ଯ୍ୟନ୍ତ ଜାଣି ପାରୁନଥିଲା ନମିତା।

କେବେ କେବେ ଦେହର ଭୋକ ମେଣ୍ଟାଇବାକୁ ତା’କୁ ବ୍ୟବହାର କରୁଥିଲେ ମାତ୍ର । ଜୀବନଟା ଧୀରେ ଧୀରେ ନର୍କ ହୋଇ ଯାଉଥିଲା ନମିତାର।ତଥାପି ସବୁ କଷ୍ଟ ସବୁ ଅପମାନ, ସବୁ ଯନ୍ତ୍ରଣା ସେ ସହି ଯାଉଥିଲା ମୁହଁ ବନ୍ଦ ରଖି।ମୁହଁ ଖୋଲିଲେ ଅଯଥା ଅଶାନ୍ତି ସୃଷ୍ଟି ହେବ, ବାପଘରେ କିଏ ଅଛି ଯେ ମନକଥା କହି ଦୁଃଖ ଦୂର କରିବ? ଦାଦା ତ ବାହାଘର ପରଠାରୁ କେବେବି ଆସୁନଥିଲେ, ଦାଦିପୁଅ ଭାଇଟିଏ ଥରେ ଦିଅର ଜିନିଷପତ୍ର ନେଇ ଆସିଥିଲା ଯେ ଏମାନଙ୍କ ବ୍ୟବହାର ଦେଖି ଆସିବା ବନ୍ଦ କରିଦେଇଥିଲା , ଆଉ ବୋଉର ଦେହ ସେ ଆସିଲାଦିନୁ ଖରାପ ହୋଇ ସେ କତରାଲଗା ହୋଇ ପଡିଥିଲା, ନମିତା କୁ ଖୁବ୍ ଅସହାୟ ଲାଗୁଥିଲା । ଦୁଇ ତିନି ଦିନ ତଳେ ଖାଇବସିଥିଲା ବେଳେ ହଠାତ୍ ଦେହ ଉକୁଚେଇ ବାନ୍ତି ଲାଗିଲା ନମିତା କୁ, ସେ ଖାଇବା ପାଖରୁ ଉଠିଗଲା ବାଡିପଟକୁ, ଭକ୍ ଭକ୍ କରି ଗୁଡାଏ ବାନ୍ତି ହୋଇଗଲା ପରେ ହାଲିଆ ହୋଇ ବସି ପଡିଲା ବାଡିପଟକୁ ବାରଣ୍ଡାରେ । ତା’କୁ ଜଣାନଥିଲା ଶାଶୁ ତା’ର ପଛେ ପଛେ କେତେବେଳେ ଆସି ତା’କୁ ଲକ୍ଷ୍ୟ କରୁଛନ୍ତି ବୋଲି। ଶାଶୁ ଙ୍କ ଉପରେ ନଜର ପଡିଲା କ୍ଷଣି ସେ ତରବରରେ ଉଠିପଡି କହିଲା “ କିଛି ଦିନ ହେଲା ଯାହା ଖାଇଲେ ଭଲ ଲାଗୁନି, ଦେହଟା ଉଚ୍ଚାଟିଆ ଲାଗୁଛି, ଆଜି ଓଟାର ଆସି ଗୁଡାଏ ବାନ୍ତି ହୋଇଗଲା ତ ସେଥିପାଇଁ ମୁଣ୍ଡଟା ବୁଲେଇ ଦେଉଛି” । ଶାଶୁ କହିଲେ “ ହଉ , ଘରେ ଟିକିଏ ବିଶ୍ରାମ ନେବୁ ଯା’ , ବାକୀ କାମ ମୁଁ ଦେଖୁଛି “। ଲୁଗାକାନିରେ ହାତ ମୁହଁ ପୋଛି ନମିତା ଚାଲିଗଲା ଶୋଇବା ଘରକୁ । ଦେବାନନ୍ଦ ଘରେ ଥିଲେ, ସେ ଘରେ ପଶିବା କ୍ଷଣି ବାହାରି ଯାଇ ଶାଶୁ ଙ୍କ ରୁମ୍ ରେ ପଶିଲେ।

ହାଲିଆ ହୋଇ ବିଛଣା ରେ ନିଜକୁ ଲୋଟାଇ ଦେଲା ନମିତା, କେତେବେଳେ ଆଖିପତା ଲାଗିଗଲା । ସେ ଉଠିଲା ବେଳକୁ ସନ୍ଧ୍ୟା ସାତଟା । ସଞ୍ଜ ଗଡି ଗଲାଣି କେତେବେଳୁ, ତରତରରେ ଉଠିପଡି ମୁହଁ ହାତ ଧୋଇବା ପାଇଁ ବାଡି ଆଡକୁ ଯିବା ବେଳକୁ ଶିଶୁଙ୍କ ରୁମ୍ ଭିତରେ କାହାର ଟୁପ୍ ଟାପ୍ କଥାବାର୍ତ୍ତା ଶୁଣି ପାଦ ଦୁଇଟି ଅଟକି ଗଲା ତା’ର । ଏଇ ମୁହଁ ସଞ୍ଜ ବେଳଟାରେ ସଞ୍ଜ ନଦେଇ କିଏ ସବୁ କ’ଣ ଗପୁଛନ୍ତି ବୋଲି କାନ ପାରିଲା ସେ । ଭିତରୁ ଶୁଭୁଥିଲା ଶିଶୁଙ୍କ ର କଣ୍ଠସ୍ବର “ ସେଦିନ ଠାରୁ କହୁଛି ତା’କୁ ତା’ର ବାପଘରକୁ ପଠାଇଦିଅ, ବାକୀ ପଚାଶ ହଜାର ଟଙ୍କା ଆଣିଲେ ଘରକୁ ଆସିବ ବୋଲି କହି ପଠାଅ, ବାପ ପୁଅ ମୋ କଥା ଶୁଣିଲନି, ଗାଁ ରେ ଜାଣିଲେ ଇଜ୍ଜତ ମହତ ଚାଲିଯିବ କହି ଡରେ ରଖିଲ ମତେ, ଏବେ ସେ ପେଟରେ ଛୁଆ ଧରିଛି, କ’ଣ କରିବ କର,କେମିତି ତା’ ଦାଦି ଠାରୁ ବାକୀ ଟଙ୍କା କୁ ଆଦାୟ କରିବ କର, ଏବେ ଆମର ସବୁ କଥା ମାନୁଛି , ଯାହା କହିଲେ କୌଣସି କଥାରେ ଜବାବ ଦେଉନି, ଖାଲି ତା’ ଭିକମଗା ବୋପାଘର ଯୋଗୁଁ ନା , ଥରେ ଛୁଆର ମାଆ ହୋଇଗଲା ପରେ ସିଏ ଆଉ ଆମକୁ ମାନିବ? ନା ଆମ କଥା ସହିବ ? କେତେ ଯାନିଯଉତୁକ ପାଇଥାଆନ୍ତା ମୋ ପୁଅ, ଧନ ଦରରେ ଘର ପୁରି ଯାଇଥାଆନ୍ତା, ମିଛ ପତିଆରା ଦେଖାଇ ସବୁ ନଷ୍ଟ କରିଦେଲେ ତମେ। ଭିକାରୀ ଗୁଡିକ କିଛି ଯାନିଯୌତୁକ ତ ଦେଲେନି ,ଶେଷ କୁ ଜବାବ ଦେଇଥିବା ଲକ୍ଷେ ଟଙ୍କାରୁ ମଧ୍ୟ ପଚାଶ ହଜାର ଧରେଇ ଦେଇ ମୁହଁ ଲୁଚାଇ ବସିଛନ୍ତି । ଧିକ୍ କହିବ ତାଙ୍କ ମୁରବୀ ପଣିଆ କୁ, ଛିଃ । ଶଶୁର କହି ଉଠିଲେ ଓହୋଃ! ତମେ କାହିଁକି ଏତେ ବ୍ୟସ୍ତ ହୋଇ ପଡୁଛ ଯେ ! ମୁଁ ସେ ବାକୀଆ ଟଙ୍କା ଆଦାୟ ନକରି କ’ଣ ସେମାନଙ୍କୁ ଛାଡିବି? ଏମିତି ବ୍ୟବସ୍ଥା କରିଦେବି ଯେ ପୁଅ କାନମୋଡି ହୋଇ ବଳେ ବଳେ ଆଣି ଚୁପ୍ ଚାପ୍ ଟଙ୍କା ଥୋଇଦେଇ ଯିବ । ତମେ ଦେବ କୁ କୁହ ତା’କୁ ଫୁସୁଲାଫୁସୁଲି କରି

ଡାକ୍ତର ପାଖକୁ ନେଇ ଗର୍ଭପାତ କରେଇ ଆଣୁ, ତା’ପରେ କ’ଣ କରାଯିବ ମୁଁ ଦେଖୁଛି ।

କବାଟ ପାଖରେ ଠିଆ ହୋଇଥିବା ନମିତା ଥରଥର ହୋଇ ଥରୁଥିଲା, ଭୟରେ ତା’ ତଣ୍ଟି ଶୁଖି ଅଠା ଅଠା ହୋଇ ଯାଉଥିଲା, ସେ ହସିବା କି କାନ୍ଦିବ ବୁଝି ପାରୁନଥିଲା ଯଦିଓ ଲୁହ ସବୁ ଧାର ଧାର ହୋଇ ଝରି ଆସୁଥିଲା ତା’ ଆଖିରୁ, କବାଟ ଖୋଲିଲେ ଧରା ପଡିଯିବାର ଭୟ ରେ ତା’ ଛାତି ଧଡଧଡ ହେଉଥିଲା କିନ୍ତୁ ପାଦ ଦୁଇଟି ଭୂମିରେ ଲାଖି ଯାଇଥିଲା, ବହୁତ କଷ୍ଟ ରେ ପାଦ ପଛକୁ ଫେରାଇ ସେ ଫେରି ଆସିଲା ତା’ର ଶୋଇବା ଘରକୁ, ଚଦର ଘୋଡେଇ ହୋଇ ପୁଣି ଶୋଇପଡିବାର ଅଭିନୟ କଲା।ମନେ ମନେ ଭାବୁଥିଲା ସେ କେତେ କଥା ଅଛି ଏଇ ଭଦ୍ରବେଶୀ ସଇତାନ ମାନଙ୍କ ମନରେ। ସିଏ ଜାଥିଲା ଶଶୁର ଜଣେ ମହାନ୍ ବ୍ୟକ୍ତି ଯିଏ ବିନା ଯୌତୁକ ରେ ତା’ଭଳି ଗୋଟିଏ ଗରିବ ଘରର ଝିଅକୁ ନିଜର ବୋହୁ କରି ନିଜ ମହାନତା ର ପରିଚୟ ଦେଇଛନ୍ତି, ହେଲେ ସେ ପୁଣି ଦାଦାଙ୍କ ଠାରୁ ସମସ୍ତଙ୍କ ଅଜାଣତରେ ଲକ୍ଷେ ଟଙ୍କା ଦାବି କରିଛନ୍ତି, ସେଇଟା ଯୌତୁକ ନୁହେଁ ତ ଆଉ କ’ଣ ? ଶାଶୁ ତାଙ୍କର ନିଜର ଅହଂ ରେ ଏମିତି ବୁଡି ରହିଛନ୍ତି ଯେ ନିଜ କ୍ଷତିର ଭରଣା ପାଇଁ ତା’ଭଳିଆ ନିରୀହା ଝିଅ ଟିକୁ ଜାଣି ଜାଣି ଏତେ ଶାରିରୀକ, ମାନସିକ ଯନ୍ତ୍ରଣା ଦେଉଛନ୍ତି, ପୁଣି ତା’ର ସ୍ୱାମୀ ଦେବାନନ୍ଦ, ଜଣେ ଉଚ୍ଚ ଶିକ୍ଷିତ , ଆଧୁନିକ ଚିନ୍ତାଧାରା ସମ୍ପନ୍ନ ଯୁବକ ହୋଇ ମଧ୍ୟ, ସାଧାରଣ ଲୋକ ମାନଙ୍କ ଭଳି ଯୌତୁକ ଲୋଭରେ ମାଆଙ୍କ କଥାରେ ପଡି ନିଜ ସ୍ତ୍ରୀକୁ ଏତେ ଯାତନା ଦେଇ ପାରୁଛନ୍ତି? ଏତେ ନିଷ୍ଠୁର କେମିତି ହୋଇ ପାରନ୍ତି ମଣିଷ ? ଆଉ ତା’ ଦାଦା ? ତାଙ୍କର ତା’ ଘରକୁ ନ ଆସିବାର କାରଣ ଟି ଏବେ ସ୍ପଷ୍ଟ ହୋଇଗଲା ତା’ ଆଖିରେ । ବିଚରା ଦାଦାଙ୍କ ଉପରେ ଦୟା ଆସୁଥିଲା ତା’ର। ନମିତା କୁ ମଣିଷ କରିବା ପାଇଁ ଏପଟେ ନିଜର ସ୍ତ୍ରୀ ସହିତ ଲଢିଲଢି ଜୀବନ ଗଲା , ସେଥିରେ ପୁଣି ନମିତା ଶଶୁରଘର ର ଦାବୀ ପୂରଣ କରିବାକୁ ପ୍ରାଣମୂର୍ଚ୍ଛା ସଂଗ୍ରାମ କରୁଛନ୍ତି ସିଏ। ଦି’ ଟୋପା ଲୁହ ଗଡି ପଡିଲା ନମିତା, ଦାଦା ଙ୍କ ଅସହାୟତା ଅନୁଭବ କରି।ସେମିତି କାନ୍ଦିକାନ୍ଦି ଶୋଇ ପଡିଲା ନମିତା ।

ଆହୁରି ଅନେକ ସମୟପରେ ଫେରିଲେ ଦେବାନନ୍ଦ । ନମିତା ସେମିତି ଶୋଇ ରହିଥିଲା , ତା’କୁ ବାହୁଧରି ହଲେଇ ଦେଇ ଉଠାଇଥିଲେ ସେ। କହିଲେ “ଦେହ ଭଲ ଲାଗୁନି ବୋଧହୁଏ, ଆଜି ଟିକିଏ ବିଶ୍ରାମ କର,, କାଲି ସକାଳେ ଡାକ୍ତରଙ୍କ ପାଖକୁ ଯାଇ ଦେଖାଇଦେବା “। ସେଇ “ ଦେଖାଇ ଦେବା” ର ମାନେ ଏବେ ଠିକ୍ ବୁଝି ପାରୁଥିଲା ନମିତା , ଶଶୁରଙ୍କ କଣ୍ଠରେ ଶୁଣିଥିବା କୁତ୍ସିତ ମନ୍ତ୍ରଣା ତା’ କାନରେ ଏବେ ବି ଅନୁରଣିତ ହେଉଥିଲା, ତା’ ର ଛାତି ଥାଇ ଦେଉଥିଲା । ସେ ଭାବୁଥିଲା କେଡେ ହତଭାଗିନୀ ମା’ଟିଏ ସେ, ଯିଏ ନିଜର ପ୍ରଥମ ସନ୍ତାନ ଆସିବାର ଖୁସି ମନେଇବା ଆଗରୁ ତା’କୁ ମାରିଦେବାର ଷଡଯନ୍ତ୍ର ରୁ ରକ୍ଷା କରିବାର ବାଟ ଖୋଜୁଛି । ତା’ର ସବୁ ସହିବା ସୀମା ଟପିଗଲା , ଯେତେବେଳେ ଆଜି ନିଜେ ଦେବାନନ୍ଦ ତା’କୁ ଡାକ୍ତରଖାନା ନେବାର କଥା କହିଲେ , ଥରେ ହେଲେ ଚିନ୍ତା କଲେନି ଯେ ନମିତା ପେଟରେ ବଢୁଥିବା ଅନାଗତ ସନ୍ତାନ ର ପିତା ସିଏ ନିଜେ ବୋଲି । ସେ ମନେ ମନେ ସ୍ଥିର କଲା କୌଣସି ମତେ ହେଉ, ସିଏ ଏଇ ସ୍ଥାନ ଛାଡି ଚାଲିଯିବ କେଉଁ ଦୂର ଦୂରାନ୍ତ କୁ। ଯେଉଁଠି ସେ ନିଜର ସନ୍ତାନ କୁ ଜନ୍ମ ଦେବ, ପାଳି ପୋଷି ମଣିଷ କରିବ, ନିଜେ ନିଜର ପରିଚୟ ତିଆରି କରିବ , ଯେତେ କଷ୍ଟ ହେଉ ପଛେ ସହିବ ପଛେ ନିଜ ରକ୍ତର ସନ୍ତକ ଟିକୁ ସେଇ ଅର୍ଥ ଲୋଭୀ ପିଶାଚ ମାନଙ୍କ ଶିକାର ହେବାକୁ ଦେବନାହିଁ। ଗଭୀର ନିଦରେ ଶୋଇବାର ଛଳନା କରି ଶେଜରେ ପଡି ରହିଲା ନମିତା । ରାତି ପ୍ରାୟ ବାରଟା କି ଗୋଟାଏ ହେବ ଧୀରେ ଧୀରେ

ଉଠିଲା ସେ, ଦେଖିଲା ଦେବାନନ୍ଦ ସେପଟକୁ ମୁହଁ କରି ଶୋଇ ଯାଇଛନ୍ତି, ତାଙ୍କ ଘୁଙ୍ଗୁଡି ଶବ୍ଦ ରୁ ଜଣାପଡୁଛି ତାଙ୍କ ନିଦର୍ଶନ ଗଭୀରତା, ପାଦ ଚିପି ଚିପି ଅଗଣା କୁ ଆସିଲା ନମିତା, ଶାଶୁ ଶଶୁରଙ୍କ ଶୋଇବାଘର ଦରଜା ବନ୍ଦ ଅଛି, ଆସ୍ତେ କରି ବାଡି କବାଟ ଫିଟାଇ ବାଡିପଟେ ବାହାରକୁ ବାହାରି ଗଲା ସିଏ । ଚାଲି ଚାଲି ପାଦ ଦୁଇଟି କରି ଗଲାଯାଏଁ କୋଉଠି ଟିକିଏ ବି ଅଟକିଲା ନାହିଁ, ସୂର୍ଯ୍ୟୋଦୟ ପୂର୍ବରୁ ତାକୁ ବାଲେଶ୍ବର ରୁ ବାହାରି ଯିବାକୁ ହେବ ଯେ କୌଣସି ପ୍ରକାରେ ହେଉ। ନେସନାଲ୍ ହାଇୱେ ରେ ପହଞ୍ଚି ଗଲେ ଲାଇନ୍ ବସ୍ କି ଟ୍ରକ ଟିଏ ମିଳିଥିବା ନିଶ୍ଚିତ, ତା’କୁ ହିଁ ଧରି ସେ ଚାଲିଯିବ, ଯୁଆଡେ ନେଇଯିବ ଭାଗ୍ୟ ତା’କୁ । ସିନ୍ଦୁରା ଫାଟି ଆସୁଥିଲା, ସେ ପହଞ୍ଚି ସାରିଥିଲା ଏନ୍ ଏଚ୍ ରେ, ପାଦରେ ଗତି ଆଉ ଟିକିଏ ବଢାଇଦେଲା ନମିତା, ତା’ର ଦୁର୍ଭାଗ୍ୟ କୁ ଏଯାଏଁ ବସ୍ କି ଟ୍ରକ ଟିଏ ଦିଶୁ ନଥିଲା ରାସ୍ତା ରେ, ଦୂରରୁ ଉଜ୍ବଳ ଆଲୁଅ ଟେ ଦେଖାଗଲା ତା’କୁ , ନିଶ୍ଚୟ ବସ୍ ଟିଏ ହୋଇଥିବ ଭାବି ରାସ୍ତା ମଝିକୁ ଯାଇ ହାତ ହଲାଇ ବସ୍ କୁ ରୋକିବାକୁ ଚେଷ୍ଟା କଲା ସେ । ସେଇ ଝାପସା ଅନ୍ଧାର ଭିତରେ କ’ଣ ଗୋଟାଏ ଧାଏଁ କରି ମାଡାମ୍ ହେଲା ତା’ ଦେହରେ, ପବନରେ ତୁଳା ଉଡିଲା ଭଳିଆ ଉଡିଯାଇ କିଛି ଦୂରରେ ଛିଟିକି ପଡିଲା ତା’ର ନିସ୍ତେଜ ଶରୀର । ହାଁ , ହାଁ, କହି କାର୍ ଚାଳକ ବ୍ରେକ୍ ମାରିଲେ ମଧ୍ୟ ଗାଡିଟି ଘୋଷାରି ହୋଇ ଚାଲିଗଲା କିଛି ବାଟ । ଚାଳକ ଜଣକ ଗାଡିରୁ ଟର୍ଚ୍ଚ ଟିଏ ବାହାର କରି ଚାରି ଆଡକୁ ପକାଇଲେ, ପ୍ରାୟ ତିନିଶହ ମିଟର ଦୂରରେ ପଡିଥିଲା ରକ୍ତ ଜୁଡୁବୁଡୁ ନାରୀ ଶରୀର ଟିଏ । କିଏ? କିଏ? କହି ଆବାଜ୍ ଦେଲେ, କିଛି ପ୍ରତି ଉତ୍ତର ମିଳିଲାନି, ଶରୀରଟି ପାଖକୁ ଦୌଡି ଗଲେ କାର୍ ଚାଳକ, ଲାଇଟ୍ ପକେଇ ଦେଖିଲେ ଅଠେଇଶି ତିରିଶି ବର୍ଷ ର

ଯୁବତୀ ଟିଏ, ତାଙ୍କର କାର ସହିତ ଧକ୍କା ହେବା ପରେ ମୁହଁ ମାଡି ପଡି ଘୋଷାରି ହୋଇଯାଇ ରକ୍ତ ରେ ସାଲୁବାଲୁ ହୋଇଛି, ହାତ ଧରି ଦେଖିଲେ, ନାଡି ଚାଲୁଛି, ନାକରେ ହାତ ଦେଲେ ନିଶ୍ବାସ ଚାଲୁଛି, ତରବର ହୋଇ ଦୁଇହାତରେ ଧରି ତୋଳି ଆଣି ଶରୀରଟିକୁ କାର୍ ର ପଛ ସିଟ୍ ରେ ଶୁଆଇଦେଇ ଗାଡି ଛୁଟାଇଲେ ଆଗକୁ ।

ନମିତା ର ଚେତନା ଆସିଲା ବେଳକୁ ସେ ନିଜକୁ ହସ୍ପିଟାଲରେ ଆବିଷ୍କାର କଲା । କାର୍ ଚାଳକ ଥିଲେ ଜଣେ ଡାକ୍ତର , ଡାକ୍ତର ଅନିମେଷ ହାଜରା, କୌଣସି କାମରେ ଦୀଘା ଯାଇଥିଲେ, ଫେରୁଥିଲେ ନିଜ ଘର ସୋନପୁର ର ହଦଗଡ କୁ। ବାଟରେ କାର୍ ଟି ସହିତ ଦୁର୍ଘଟଣା ଘଟି କ୍ଷତାକ୍ତ ହୋଇ ଥିବା ଯୁବତୀ ଜଣଙ୍କୁ ନିଜର ମାନବିକତା ଦୃଷ୍ଟି ରୁ ଆଣି କଟକ ବଡ ମେଡିକାଲରେ ଚିକିତ୍ସା ବ୍ୟବସ୍ଥା କରିଥିଲେ । ଆଠ ଦିନ ଧରି ଅଖିଆ ଅପିଆ ସେମିତି ଜଗି ବସିଥିଲେ ସବୁ କାମ ବାତିଲ୍ କରି । ଯୁବତୀ ଟିର ମଥାରେ ଗଭୀର ଆଘାତ ଲାଗି ସେ ସଜ୍ଞାହୀନ ଅବସ୍ଥା ରେ ଥିଲା, କେହି ପରିଚିତ ଲୋକ ନଥିଲେ ପାଖରେ, ତେଣୁ ଅପରେସନ୍ କଲାବେଳେ ନିଜକୁ ଯୁବତୀ ଟିର ସ୍ୱାମୀ ବୋଲି ପରିଚୟ ଦେଇ ସବୁ ଖର୍ଚ୍ଚବାର୍ଚ୍ଚ ସହିତ ସବୁ ଚିକିତ୍ସା କରାଇଥିଲେ ନିଜେ । ବହୁତ ବାଟ ଘୋଷାରି ହୋଇ ଯାଇଥିବାରୁ ମୁହଁ ଟା ଖଣ୍ଡିଆଖାବରା ହୋଇ ବିଭତ୍ସ ଦିଶୁଥିଲା ତେଣୁ ପ୍ଲାଷ୍ଟିକ୍ ସର୍ଜରୀ କରିବାକୁ ପଡିଥିଲା ଡାକ୍ତର ମାନଙ୍କୁ । ଯୁବତୀଟିର ପୂର୍ବର ଚେହେରା କିପରି ଥିଲା ବୋଲି ଡାକ୍ତର ମାନେ ପ୍ରଶ୍ନ କରିଥିଲେ , ଅନ୍ୟ ଉପାୟ ନପାଇ ସେ ନିଜର ପକେଟ୍ ରେ ଥିବା ୱାଲେଟ୍ ଟି କାଢି ନିଜର ପତ୍ନୀଙ୍କ ସହ ତାଙ୍କର ଫଟୋଟି ଦେଖାଇଥିଲେ ସେମାନଙ୍କୁ। ସେଇଠୁ ଚିକିତ୍ସା ଆରମ୍ଭ ହୋଇଥିଲା । ପଚିଶି ଦିନ ପରେ ହସ୍ପିଟାଲରୁ ଘରକୁ ଫେରିବା ବେଳକୁ ଯୁବତୀ ଜଣଙ୍କ ର ଟେମ୍ପୋରାରୀ ମେମୋରିଲସ୍ ହୋଇଛି ବୋଲି ଡାକ୍ତର ମାନେ ଜଣାଇ ଦେଇଥିଲେ ।ଅନିମେଷ ଙ୍କୁ ଲାଗୁଥିଲା ଏହା ଈଶ୍ବର ଙ୍କ ଲୀଳା । କାରଣ ଏମିତି ଗୋଟିଏ ଭୟାନକ ଦୁର୍ଘଟଣା ରେ ସେ ଦଶବର୍ଷ ତଳେ ତାଙ୍କର ପତ୍ନୀ ଅନିନ୍ଦିତା ଆଉ ଏକମାତ୍ର ସନ୍ତାନ ବାବୁଲ୍ କୁ ହରାଇଥିଲେ । ପରିବାରକୁ ହରାଇ ବହୁତ ଦିନଧରି ବିଷାଦଗ୍ରସ୍ତ ରହିବା ପରେ ସେ ହଦଗଡ ଆସି ଏଠାରେ ନିଜର ଦାତବ୍ଯ ଚିକିତ୍ସାଳୟ ଟିଏ ଖୋଲି ନିଜକୁ ଜନସେବାରେ ଉତ୍ସର୍ଗ କରିଥିଲେ । ଆଜି ଦଶବର୍ଷ ପରେ ସେମିତି ଏକ ଦୁର୍ଘଟଣା ରେ ଈଶ୍ବର ଜଣେ ଅଚିହ୍ନା ଯୁବତୀ ଙ୍କୁ ଯୋଡି ଦେଇଛନ୍ତି ତାଙ୍କ ସହିତ, ଯାହାକୁ ସେ ପରିସ୍ଥିତି ରେ ପଡି ବାଧ୍ୟ ହୋଇ ନିଜର ପତ୍ନୀଙ୍କ ରୂପଦେଇ ନିଜ ସାଥିରେ ନେଉଛନ୍ତି ନିଜଘରେ ରଖିବାକୁ । ଭାଗ୍ୟର କି ବିଡମ୍ବନା ଯେ ଏତେ ବଡ ଦୁର୍ଘଟଣା ସତ୍ତ୍ୱେ ମଧ୍ୟ ଯୁବତୀ ଟିର ଗର୍ଭରେ ଥିବା ସନ୍ତାନଟିର କୌଣସି କ୍ଷତି ହୋଇନାହିଁ । ଆଉ ମାତ୍ର ଚାରି ପାଞ୍ଚ ମାସ ପରେ ସେ ପୃଥିବୀର ଆଲୋକ ଦେଖିବ । ସବୁ ଘଟଣା କୁ ଈଶ୍ବର ନିର୍ଦ୍ଦେଶ ମନେକରି ଅନିମେଷ

ସମୟକୁ ତା’ ବାଟରେ ଯିବାକୁ ଦେଲେ । ତାଙ୍କର ଅକ୍ଳାନ୍ତ ପରିଶ୍ରମ ଆଉ ନିସ୍ୱାର୍ଥପର ସେବା ଶୁଶ୍ରୁଷାରେ ଧୀରେ ଧୀରେ ଧୀରେ ସ୍ଵାଭାବିକ ହୋଇଥିଲା ନମିତା, ଅନିମେଷ ଙ୍କର ଦାତବ୍ୟ ଚିକିତ୍ସାଳୟର ସହକର୍ମୀ ମାନଙ୍କଠାରୁ ଶୁଣିଥିଲା ସବୁ କଥା ।ଅନିମେଷ ଙ୍କର ମଣିଷ ପଣିଆ ପାଖରେ ମୁଣ୍ଡ ନଇଁ ଯାଇଥିଲା ତା’ର। ତାଙ୍କୁ ଦେବତା ଟିଏ ଭାବି ମନ୍ଦିର ରେ ପୂଜା କରିବାକୁ ଆରମ୍ଭ କରିଥିଲା। ସେତିକି ବେଳେ ଜନ୍ମ ନେଇଥିଲା ଚନ୍ଦନ, ତା’ର ରକ୍ତ ର ସନ୍ତାନ । ଚନ୍ଦନ କୁ ନିଜର ରକ୍ତ ର ସନ୍ତାନ ଭଳି ଆପଣେଇ ନେଇଥିଲେ ଅନିମେଷ ।ଧୀରେ ଧୀରେ ପୁରୁଣା ସ୍ମୃତି କୁ ଦୁସ୍ୱପ୍ନ ଭଳି ଭୁଲିଯାଇ ନମିତା ନିଜକୁ ହଜେଇ ଦେଇଥିଲା ଅନିନ୍ଦିତା ଭିତରେ । ଅନିମେଷ ଆପଣେଇ ନେଇଥିଲେ ତା’ର ସବୁ ଦୁଃଖ କଷ୍ଟ, ଯବୁ ଯନ୍ତ୍ରଣା କୁ ଆନନ୍ଦ ରେ। ଉଭୟଙ୍କର ସେବା ମନୋବୃତ୍ତି ଥିବାରୁ ଦାତବ୍ଯ ଚିକିତ୍ସା ଳୟ ପରେ ଆରମ୍ଭ ହୋଇଥିଲା ‘ ଅନାଥାଶ୍ରମ’ । ରୁଗ୍‌ଣ, ଅସହାୟ, ନିର୍ଯ୍ୟାତିତ ଲୋକ ମାନଙ୍କ ସେବାରେ ବ୍ରତୀ ହୋଇଥିଲେ ଅନିମେଷ ଆଉ ଅନିନ୍ଦିତା । ଚନ୍ଦନ ପାଠ ପଢୂଥିଲା ସହରରେ ବୋର୍ଡିଂ ସ୍କୁଲ୍ ରେ ରହି । ଗତକାଲି ଠାରୁ ଅନିମେଷ ଯାଇଛନ୍ତି ଚନ୍ଦନ ପାଖକୁ ତା’କୁ ଦେଖା କରିବା ଲାଗି ।

କାର ର ହର୍ଣ୍ଣ ବାଜିବା ଶବ୍ଦ ରେ ଧ୍ୟାନ ଭାଙ୍ଗିଲା ଅନିନ୍ଦିତା ର, ବାହାରେ କାର ରହିବାର ଶବ୍ଦ, ଅନିମେଷ ଫେରିଲେ ବୋଧହୁଏ, ଆତ୍ମୀୟତା ହସଧାରେ ଉକୁଟି ଉଠିଲା ଅନିନ୍ଦିତା ମୁହଁ ରେ । ମୁଣ୍ଡ କୁ ଝାଡି ଦେଇ ଆଗେଇଗଲା ଅନିନ୍ଦିତା ଦରଜା ପାଖକୁ, ଅନିମେଷ ଙ୍କୁ ପାଛୋଟି ଆଣିବାଲାଗି । ଅତୀତର ଦୁଃଖଦ ସ୍ମୃତି ସବୁ ଫିଙ୍ଗିଦେଲା ମନରୁ , ଭୁଲିଗଲା କିଛି ସମୟ ଆଗରୁ ଦେଖଥିବା ଚିହ୍ନା ମୁହଁ ମାନଙ୍କୁ, ନା, ନା, ସେମାନଙ୍କୁ ସେ ଚିହ୍ନେନା, ସେ ତ ଅନିନ୍ଦିତା, ଅନିନ୍ଦିତା ହାଜରା, ଏଇ ଅନାଥାଶ୍ରମର ପରିଚାଳିକା। ଭାଗ୍ୟର ଖେଳରେ ନମିତା ମରିସାରିଛି ଅନେକ ଦିନ ଆଗରୁ।


Rate this content
Log in

Similar oriya story from Inspirational