Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Ranjan Parida

Inspirational Others

3  

Prakash Ranjan Parida

Inspirational Others

ମୋ ଗଣ୍ଠିଧନ

ମୋ ଗଣ୍ଠିଧନ

12 mins
7.7K


ପ୍ରକାଶ ରଂଜନ ପରିଡ଼ା

‘‘ସୁନାଟା ପରା ଖାଇଦେଇ ଯା, ଆସୁ ଆସୁ କେତୋ’ଳ ହବ । ସାନ କଥା ମାନ..ଯା ତୋ ବ୍ୟାଗ୍‌ ମୁଁ ସଜାଡ଼ି ଦୋଉଛି । ବାଢ଼ିଲିଣି ପରା...ଯା…. ।’’ ଧେତ୍‌ ତୁ କଣଟା ଜାଣିଛୁ ଯେ ମୋ ବ୍ୟାଗରେ ପୁରେଇବୁ । ମୁଁ ବାହାରେ ଖାଇଦେବି ତୁ ଯା... ବୋଉ କଥାକୁ ବାସିପାଣିରେ ପକେଇ ଅଂଶୁ ଘରୁ ବାହାରିଗଲା ଗାଁ ଛକକୁ । ଲମ୍ବା ଲମ୍ବା ପାହୁଣ୍ଡ ପକେଇ ଛକରେ ପହଞ୍ଚିବା ବେଳକୁ ଆଠ, ଦଶ ଜଣ ବସ୍‌କୁ ଅପେକ୍ଷା କରିଥିବା ଦେଖି ମନେମନେ ଚିଡି ଗଲା । ‘ଶଳା ସମସ୍ତଙ୍କର ଏକା ଦିନରେ କାମ, ସିଟ୍‌ ମିଳିବ କି ନାଇଁ କେଜାଣି ।’ ୬ଟା ୧୦ ହେଲାଣି ତଥାପି ବସ୍‌ର ଦେଖାଦର୍ଶନ ନାଇଁ । ଆଜି ଏତେ ଲେଟ୍‌ କଣ ? ପାନଦୋକାନୀକୁ ପଚାରିଲା ଅଂଶୁ । ପାନ ଭାଙ୍ଗୁ ଭାଙ୍ଗୁ ଆଶ୍ବାସନା ଶୁଣାଇବା ପରି କହିଲା ପାନଦୋକାନୀ ହାଡ଼ିଆ, ହଁମ ଆସିବ...ଦିନେ ଦିନେ ଦିଚାରିମିଣ୍ଟି ଲେଟ୍‌ରେ ଆସେ । ହେଇପା ହର୍ଣ୍ଣ ଶୁଭିଲାଣି, ଆସିଲା ତ... ।

ଯତ୍ନରେ ସଜେଇ ଆଣିଥିବା ବ୍ୟାଗ୍‌କୁ ହେଲପର ନିହାତି ବେପରୁଆଭାବେ ବସ୍‌ ଛାତ ଉପରକୁ ଫିଙ୍ଗିଲାବେଳେ ଅଂଶୁର ଦାନ୍ତରେ ଦାନ୍ତ ପିଟିହେଲା ..ଟିନ୍‌ ଟିନ୍‌ । ‘ଭାଇ ଟିକେ ଦେଖିକି’...ରାଗକୁ ଚାପି ହେଲ୍‌ପରକୁ କେବଳ ଏତିକି କହିପାରିଲା ଅଂଶୁ । ହେଲପର କୋଉ ଛାଡ଼ିବା ଲୋକ । ବିଲ୍‌କୁଲ ମୁହଁକୁ ନଚାହିଁ ଚିଲେଇଲା- ‘‘ବେଗ୍‌ରେ ସୁନା ପୁରେଇଛ ନା କଣ ହୋ..ଗୋଟେ ଟିକେଟରେ ତିନି ତିନିଟା ବ୍ୟାଗ୍‌ ଆଣିବ, ଆମେ କଣ କୋଳରେ ଧରିବୁ ।’’

ପାଞ୍ଚ’ଦିନ ପରେ ଭାଇ ବାହାଘର । ବନ୍ଧୁବାନ୍ଧବରେ ଘର ଭର୍ତ୍ତି । ଏତିକି ବେଳକୁ ଥିଲା ଅଫିସରୁ କଲ୍‌ ଆସିଲା । ‘‘ଅଧା ଗଢ଼ା ବିଲ୍ଡିଂରେ ଷ୍ଟେ ନୋଟିସ ଲାଗିଛି । ଆପଣ ଜଲଦି ଭଲ ଓକିଲ ସହ କଥାବାର୍ତ୍ତା କରନ୍ତୁ । ନଆସିଲେ ଆମେ କିଛି କରିପାରୁବୁନି ।’’ ଜମି ବିବାଦକୁ ନେଇ ଦୀର୍ଘ ଦିନ ଧରି ଦିଗମ୍ବର ପ୍ରଧାନ ସହ ବିବାଦ ଲାଗିରହିଥିଲା । ଦିଗମ୍ବର ସହ କଂପ୍ରୋମାଇଜ ପରେ ନୂଆ ଅଫିସ ପାଇଁ ଯୋଉ ଜାଗାରେ ଘର ତିଆରି ଚାଲିଥିଲା, ଏବେ କାମ ଠପ୍‌ । ପଇସାପତ୍ର ନେଇ କଂପ୍ରୋମାଇଜ ପାଇଁ ରାଜି ହୋଇଥିଲା ଦିଗମ୍ବର । ତା’ପରେ ଘର ତୋଳା ଆରମ୍ଭ ହୋଇଥିଲା । ଏବେ ଘର ଅଧା ହେବା ବେଳକୁ କୋର୍ଟରୁ ଆସିଲା ଷ୍ଟେ ଅର୍ଡର । ଅଂଶୁର ମୁଣ୍ଡ ଘୁରିଗଲା । କୋଉ କଥା ସମ୍ଭାଳିବ? ଭାଇ ବାହାଘର ପାଇଁ ଦଶ ଦିନ ପାଇଁ ଘରକୁ ଆସିଲା ଯେ ପାଞ୍ଚ ଦିନ ପରେ ପୁଣି ଦୌଡ଼ିବାକୁ ପଡ଼ିଲା । ଘର କଥା ବୁଝିବ ନା ଅଫିସ କଥା, ମୁଣ୍ଡ ଚିପି ବିଳିବିଳେଇଲା ଅଂଶୁ । ବୋଉ କଣ ବୁଝୁଛି ଏ କଥା । ମଣିଷ ମୁଣ୍ଡରେ କେତେ ଚିନ୍ତା, ଯାଉଣୁ ଆସୁଣୁ ‘ଖାଇଲୁ କି ନା’- ‘ତୋ ପେଟ ପଶିଗଲାଣି’- ‘ଦେହପା’ରେ ନଜର ରଖୁନୁ’ କହି କହି ମୁଣ୍ଡ ଆହୁରି ବେଶୀ ଖରାପ କରୁଛି ।

ଦିଗମ୍ବର ଗୋଟେ ଫୋର୍ଟନାଇଟ୍ଲି ପେପର ଆରମ୍ଭ କରିଛି । ତା’ର ପ୍ରଥମ ଏଡିସନ ପ୍ରେସ କ୍ଲବଠୁ ଆରମ୍ଭ କରି ଷ୍ଟେଟ ପିଆରଓ, ପାର୍ଟି ଅଫିସ ସବୁଠି ଗଦା ହେଇଛି । ଏକ ନମ୍ବର ମାର୍କେଟରେ ଗୋଟେ ବହି ଦୋକାନରେ ବି ତା ପେପର ମିଳୁଛି । ‘ଗନ୍ଧର୍ବ’ ପେପରର କ୍ବାଲିଟି ଓ କଲର ‘ଦର୍ଶନ’ଠୁ ବହୁ ଗୁଣରେ ଭଲ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଖବର ଶୁଣିବା ପରେ ଅଂଶୁର ଭୋକ ମରିଗଲା । ଶୈଳ ଛିଗୁଲେଇଲା ‘‘କଥାରେ ଅଛି ନା ମାଛ ଖୋଇବୁ ସିନା ଗାଡ଼ିଆ ଦେଖାଇବୁନି । ଏବେ ଭୋଗୁଥ…, ଶଳା ଦିଗମ୍ବରକୁ ଆଉ କିଛି ବେପାର ମିଳିଲାନି । ମାସେ ହେଲା ଆସି ପାଖରେ ବସିଲା, ନେସିହେଲା, ସବୁ ଦେଖିଲା, ଜାଣିଲା ଆଉ ଏବେ ଆଖିରେ ଧୂଳି ଫିଙ୍ଗି ଗାଡ଼ିଆରୁ ମାଛ ଲୁଟିବାକୁ ଫିକର କରୁଛି । ...ଏ ଶଳା ଦି’ଗୋଡ଼ିଆଙ୍କୁ ବିଶ୍ବାସ କଲେ ପା ମରିବ ।’’

ଶିଘ୍ର କିଛି ଗୋଟେ କରିବାକୁ ପଡ଼ିବ । ସିଭିଲ ଓକିଲ ବୁଝିବାକୁ ପଡ଼ିବ । ନହେଲେ ବାର ମାସର ତପସ୍ୟା ଶୁଖୁଆ ଝୋଳରେ ଯିବ । ଅଂଶୁ କାହା ସହିତ ଫୋନରେ କଥା ହେଉଛି କେଜାଣି । ତିନି ତିନି ଥର ଶୈଳ ଆସି ଉଣ୍ଡିଲେବି ତାକୁ କିଛି ଫରକ୍‌ ପଡୁନି । ଡାକିଲେବି ‘ହଁ ଯାଉଛି’ କହି ଆସୁନି । ଖରାଟାରେ ଠିଆ ହେଇଛି ଯେ ହେଇଛି । ଅଂଶୁ କଥାରେ ମିଡିଆ ହାଉସରୁ ଚାକିର ଛାଡ଼ି ସାପ୍ତାହିକ ପେପର ‘ଦର୍ଶନ’ରେ ପାର୍ଟନରସିପରେ କାମ କରିବାକୁ ରାଜି ହୋଇଥିଲା । ଅଂଶୁ ପ୍ରଥମରୁ ଘୋଷଣା କରିଥିଲା ପ୍ରଫିଟ୍‌ ଫିପ୍ଟି ଫିପ୍ଟି । ଥରେ ପେପର ଏଷ୍ଟାବ୍ଲିସ୍ ହୋଇଗଲା ପରେ ଚିନ୍ତା ଗଲା । ମାଲ୍‌ ଆସିବ ଯିବ । କଞ୍ଚା ପଇସା । କେବଳ ମୂଳଦୂଆ ପକାଇବାକୁ ପଡ଼ିବ । ଏମିତି ଗୋଟେ ଭାବନାରେ ବୁଡ଼ି ପ୍ରଲୋଭନରେ ଭାଷି ଯାଇଥିଲା ଶୈଳ ।

ଟିଭିରୁ ଚାକିର ଛାଡ଼ିଲା ପରେ ଛଅମାସ ହେଲା ଯେନତେନ ପ୍ରକାରେ ସଂସାର ଚାଲିଥିଲା । ସାପ୍ତାହିକ ‘ଦର୍ଶନ’ ପାଇଁ ବିଜ୍ଞାପନ କଲେକସନ ଓ ମାର୍କେଟିଂ ଦାୟିତ୍ବରେ ଥିଲା ଶୈଳ । କମିସନ ବେସିସ୍‌ ବିଜିନେସ୍‌ । ଯେତେ ଅଧିକ ଆଡ କଲେକସନ କରିପାରିବ ସେତେ ପ୍ରଫିଟ୍‌ । ପ୍ରଥମରୁ ବେଶ୍‌ ଉତ୍ସାହର ସହ କାମ ଆରମ୍ଭ କରିଥିଲା ଶୈଳ । ଭଲ ପଇସା ବି ରୋଜଗାର ହୋଇଥିଲା । ଆଉ କେହି ଜାଣନ୍ତୁ କି ନଜାଣନ୍ତୁ କଞ୍ଚା ମିଛ କହି ବେପାର କରୁଥିଲା ଶୈଳ । ପ୍ରଥମରୁ ସର୍ବୋମୋଟ ଦୁଇ ଶହ ଖଣ୍ଡ ପେପର ବାହାରୁଥିଲା । ଦଶ ବାଇ ଦଶ ଦୁଇଟି ରୁମରୁ ଗୋଟେ ରୁମରେ କର୍ମଚାରୀ ଆଉ ଗୋଟିଏ ଏଡିଟର ଚାମ୍ବର । ମୋଟ ଆଠ ଜଣ କର୍ମଚାରୀ କାମ କରୁଥିଲେ । ଅର୍ଚିତା, ନେହା ଓ ଟ୍ବିଙ୍କଲ ବିଭିନ୍ନ ପୁରୁଣା ପେପରରୁ ଫିଚର ବେସ୍ଡ ଆର୍ଟିକିଲ ଓ ଫ୍ରେସ୍‌ ନ୍ୟୁଜ କପି କରୁଥିଲେ । ଲେଆଉଟ ଡିଜାଇନ କରୁଥିଲା ପାର୍ଥ । ରାଜନେତା, ଶିଳ୍ପପତି, ସେଲିବ୍ରିଟିଙ୍କ ଇଣ୍ଟରଭ୍ୟୁ ନେଉଥିଲା ପରମାଣିକ । ମାଲିକ ତଥା ଏଡିଟର ଅଂଶୁମାନ ନନ୍ଦ ଆଉ ଏକ ରୁମରେ ସୋସିଆଲ ମିଡିଆରେ ପେପରର ପ୍ରମୋସନ କରୁଥିଲା । ‘‘ପେପରର କ୍ବାଲିଟି ଆଉ କଲରରେ ଆମେ କମ୍ପ୍ରୋମାଇଜ କରୁଛୁ ସିନା ଲେଖାରେ ନୁହେଁ । ଖାଲି ବାହାର ରଂଗ ନୁହେଁ ଭିତର ରଂଗ ଦେଖନ୍ତୁ ନା ...। ଗଲାଣି ଆଠମାସ ଆଉ ମାତ୍ର ଗୋଟେ ବର୍ଷରେ ସାପ୍ତାହିକରୁ ଦୈନିକ ହବ ‘ଦର୍ଶନ’ । ମାତ୍ର ଆଠମାସରେ ଆମ ପେପରର ସାର୍କୁଲେସନ ଚଉତ୍ରିଶ ହଜାରରେ ପହଞ୍ଚିଲାଣି । ୱେବସାଇଟ କନଷ୍ଟ୍ରକସନ ଚାଲିଛି । ତା’ପରେ ଇ-ପେପର ଆଭାଇଲେବଲ ହୋଇଯିବ । ଆମ ପେପରରେ କାମ କର ମାଲାମାଲ୍‌ ହୋଇଯିବ । କାମ ଅନୁଯାଇ ଦରମା ମିଳିବ ।’’ ବିଜ୍ଞାପନ ଦେଖି ଇଣ୍ଟରଭ୍ୟୁ ପାଇଁ ଆସିଥିବା ପିଲାଙ୍କୁ ବୁଝାଉଥିଲା ଅଂଶୁମାନ । ବନିଶୀ କଣ୍ଟାରେ ଛୋଟ ମାଛ ଲଗେଇ ବଡ଼ ମାଛ ଶିକାର କରିବା ପରି ନୂଆ ନୂଆ ସାମ୍ବାଦିକତା କରୁଥିବା ପିଲାଙ୍କୁ ବ୍ୟବହାର କରି ବଡ଼ ବଡ଼ ଲୋକଙ୍କ ପାଖରେ ପହଞ୍ଚୁଥିଲା ‘ଦର୍ଶନ’ ।

ଅଭିଜ୍ଞତାକୁ କାମରେ ଲଗାଇ ଶୈଳ ଓ ପରମାଣିକ ବେଶ୍‌ ଭଲ ରୋଜଗାର କରିପାରୁଥିଲେ । ଟିଭିରେ କାମ କରିବା ପୂର୍ବରୁ ଗୋଟେ ଏଫଏମ୍‌ରେ ମାର୍କେଟିଂରେ କିଛି ଦିନ କାମ କରିଥିଲା ଶୈଳ । ଲୋକଙ୍କୁ କଥାରେ ପଟାଇ ପାରୁଥିଲା । ଶୈଳ ଡାଏରୀରେ ଶିଳ୍ପପତି, ଡାକ୍ତରଠୁ ଆରମ୍ଭ କରି ଛୋଟ ବ୍ୟବସାୟୀ, ସୋ’ରୁମ ଓନରଙ୍କ ଠିକଣା ଭର୍ତ୍ତି ହେଇଥିଲା । କେଉଁଠୁ ନା କେଉଁଠୁ ଆଡ ମିଳିଯାଉଥିଲା । ବିଶିଷ୍ଟ ବ୍ୟକ୍ତିଙ୍କ ସାକ୍ଷାତକାର ପ୍ରକାଶ ପାଇବା ପରେ ପେପର ନେଇ ପହଞ୍ଚିଯାଉଥିଲା ପରମାଣିକ । ସାକ୍ଷାତକାର ପ୍ରକାଶ ପାଇଥିବା ବଡ଼ଲୋକ ଖୁସିରେ ତା’ହାତରେ ଗୁଞ୍ଚିଦେଉଥିଲେ ପାଞ୍ଚ, ସାତ ହଜାର ଟଙ୍କା । ସୁଦୃଢ଼ ସମ୍ପର୍କଟିଏ ତିଆରି କରିବା ପରେ ‘ଦର୍ଶନ’କୁ ବ୍ୟବସାୟିକ ବିଜ୍ଞାପନଟିଏ ଦେବାକୁ ଅନୁରୋଧ ପତ୍ରଟିଏ ସଂଭ୍ରମତାର ସହ ବଢ଼େଇ ଦେଉଥିଲା ପରମାଣିକ । ‘‘ଆପଣଙ୍କ କମ୍ପାନୀର ବିଜ୍ଞାପନ ତ ବିଭିନ୍ନ ପେପପରେ ଦେଖୁଛୁ, ଆମ ପେପରକୁ ଗୋଟେ ଦଉନାହାଁନ୍ତି । ରିହାତି ସହ ଆପଣଙ୍କୁ ଅଧିକ ସ୍ପେସ ଦେବୁ ।’’ ଆଡ ରେଟ୍‌ ଚାର୍ଟ ଦେଖାଇବା ସହ ପ୍ରଶଂସା କରୁ କରୁ ହାତଉଥିଲା ବିଜ୍ଞାପନ ପରମାଣିକ । ବେଳେବେଳେ ପୋଖତ ବ୍ୟବସାୟୀ ଶୈଳକୁ ମଧ୍ୟ ରୋଜଗାରରେ ପଛରେ ପକାଇ ଦେଉଥିଲା ।

ଆଠ ମାସ ଭିତରେ ବଜାରକୁ ଭଲ ଭାବରେ ଚିହ୍ନି ନେଇଥିଲେ ଅଂଶୁ ଓ ଶୈଳ । ମାତ୍ର ଦୁଇଟି ରୁମରେ ଚାଲିଥିବା ‘ଦର୍ଶନ କାର୍ଯ୍ୟାଳୟ’କୁ ଏବେ ନୂଆ ରୂପ ଦେବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା । ଚିହ୍ନା ବିଲଡର ଲାଲୁଠୁ ରାଜଧାନୀର ମଝାମଝି ସ୍ଥାନରେ ଘରୋଇ ମାଲିକାନାରେ ଥିବା ଏକ ଜାଗା ଉପରେ ନଜର ପକାଇଥିଲେ ଅଂଶୁ ଓ ଶୈଳ । ବିଲ୍ଡର୍ସ ଲାଲୁ ଜମିମାଲିକ ଦିଗମ୍ବର ସହ ଭେଟ କରାଇବା ସହ କମ୍‌ ଖର୍ଚ୍ଚରେ କିପରି ଘର ନିର୍ମାଣ ହୋଇପାରିବ, ସେ ସବୁ କଥା ବତାଇ ଦେଇଥିଲା । ଜାଗା ବିକ୍ରି କରିବାକୁ ମଧ୍ୟ ଦିଗମ୍ବର ପ୍ରଧାନ ଚାହୁଁଥିଲା । କେବଳ କେଁ ଥିଲା ରାସ୍ତାକୁ ନେଇ । ଉକ୍ତ ଜାଗାରୁ ମୁଖ୍ୟରାସ୍ତାକୁ ବାହାରିବା ପାଇଁ ରାସ୍ତା ନଥିଲା । ଏହାକୁ ନେଇ ବହୁ ଦିନ ଧରି ଦିଗମ୍ବର, ଲାଲୁ, ଅଂଶୁ ଓ ଶୈଳଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା । ବହୁ ବୁଝାବୁଝି ପରେ ଦିଗମ୍ବର ପହଞ୍ଚିଥିଲା ସବ୍‌ରେଜିଷ୍ଟାର ଅଫିସ୍‌ରେ ।

ଚନ୍ଦ୍ରଶେଖରପୁରରୁ ପୂର୍ବ ମୁହାଁ ଯାଇଥିବା ରାସ୍ତା ଯେଉଁଠି ସରିବ, ସେଇଠୁ ବାଁ’କୁ ଅଳ୍ପ କିଛି ବାଟ ଆସିଲେ ବାଁ ପଟେ ପଡ଼ିବ ଏସବିଆଇ ଏଟିମ, ସେଇଠୁ ଡାହଣ ମୋଡରେ ଆସିଲେ ପଡ଼ିବ ଆମ ‘ଦର୍ଶନ ଅଫିସ’ । ଏବେ ଏବେ ଠିକଣା ପଚାରୁଥିବା ଆଗନ୍ତୁକଙ୍କୁ ନୂଆ ଠିକଣା ଦେଉଥିଲା ଅଂଶୁ । ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାରେ ସ୍ବଳ୍ପ ଦରମାରେ ନିଯୁକ୍ତ ହୋଇସାରିଥିଲେ ସାମ୍ବାଦିକ । ଶୀଘ୍ର ଘରକାମ ସାରିବାକୁ ଜୋର୍‌ ଦେଉଥିଲେ ଦୁହେଁ । ନୂଆ ଠିକଣାକୁ ଆସିବା ପରେ ବଡ଼ ଧରଣର ଯୋଜନାକୁ କାମରେ ଲଗାଇବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇ ସାରିଥିଲା । ଅଫିସ ଉପରେ ନିର୍ଭର କରୁଥିଲା ଦୁହିଁଙ୍କ ଭବିଷ୍ୟତ । ଶୈଳ ତା’ ଦ୍ବିତୀୟ ସ୍ତ୍ରୀର ଅଜାଣତରେ ସବୁ ଗହଣା ବିକ୍ରି କରିବା ସହ ବ୍ୟାଙ୍କ ଜମା ଓ ଇନସୁରାନ୍ସରୁ ମିଳିଥିବା ସବୁ ଟଙ୍କା ଧରେଇଦେଇଥିଲା ଅଂଶୁ ହାତରେ । ଟଙ୍କା ଦେବା ଦିନ ଅଂଶୁ ବଡ଼ ପାଟିରେ ଅଫିସରେ ସବୁ ଷ୍ଟାପଙ୍କ ଉପସ୍ଥିତିରେ ଘୋଷଣା କରିଥିଲା ‘‘ଶୈଳ ମୋ ସାଙ୍ଗ ନୁହେଁ, ମୋ ଭାଇ । ତା’ ବିନା ଅନୁମତିରେ ଅଫିସରେ କିଛି ବି ହୋଇପାରିବ ନାହିଁ ।’’

‘‘ଦେବ ସାର ଆସିଥିଲେ, ପୁଣି କଣ ଇନର ଡିଜାଇନ ଚେଞ୍ଜ ହେବ ବୋଲି କହୁଛନ୍ତି । ଏବେ ଅଫିସରେ ବହୁତ କାମ, ଆପଣ ଶୀଘ୍ର ଫେରିଆସିବେ।’’ ରିସେପନିଷ୍ଟ ଅର୍ପିତାକୁ ‘ହଉ ଠିକ୍‌ ଅଛି’ କହି ଅଫିସ ଛାଡ଼ିଥିଲା ଅଂଶୁ । ଅଫିସରେ ମାତ୍ର ଚାରିଟି ଝିଅ । ସେଇଥିରେ ବି ଦିନକୁ ଦଶ କପ୍ଲେନ । ‘ନେହା ମତେ ମିସ୍‌ବିହେବ କରୁଛି ।’ ସବୁ କାମ ମତେ କରିବାକୁ ପଡୁଛି ବୋଲି ଅଂଶୁ ନିକଟରେ ବାରମ୍ବାର ଅଭିଯୋଗ କରୁଛି ଅର୍ଚ୍ଚିତା । ‘ନେହା ଇପେପରରୁ କପି କରୁଥିବା ଲେଖାକୁ ଏଡିଟ ନକରି ଧୋଇଦେଉଛି ।’ ନେହାର ପାଲଟା ଅଭିଯୋଗ ‘ମୋ କ୍ୟାରେକ୍ଟର ନେଇ ବାଜେ କଥା କହୁଛି ଟ୍ବିଙ୍କଲ ।’ ଅଭିଯୋଗ ଶୁଶିଶୁଣି ଦେହସୁଆ ହୋଇଗଲାଣି ଅଂଶୁର । ଶୈଳ ବୁଝାଏ - ଝିଅମାନେ ଅସହିଷ୍ଣୁ, ସେମାନଙ୍କ କଥାରେ ମୁଣ୍ଡ ପୁରାଇଲେ ମୁଣ୍ଡ ଖରାପ ହେବ ହିଁ ହେବ । ଛାଡ କାମ ତ ଚାଲିଛି । ଝିଅ ମାମଲାରେ ପ୍ରାୟ ସବୁବେଳେ ଚୁପ ରହେ ଅଂଶୁ ।

କରେଣ୍ଟ ଆଫେୟାର୍ସକୁ ନେଇ ଷ୍ଟୋରି ନକରି ସବୁବେଳେ ୟାଡୁସ୍ୟାଡୁ ଫିଚର କପି କଲେ କଣ ହେବ । ଲୋକ କଣ ଏୟାକୁ ପଢ଼ିବେ । କାମରେ ଟିକେ ସିରିଅସ ହୁଅ । ତମେ ପରା ସମ୍ବାଦିକତା ଛାତ୍ରୀ । କାଇଁ ଆଜି ଯାଏ କଣ ନୂଆ ଷ୍ଟୋରି କରିଛ ? ସିଷ୍ଟମରେ ବସି ସମସ୍ତଙ୍କ କପି ଚେକ୍‌ କରୁଥିଲା ଶୈଳ । ଅଫିସରୁ ଶୈଳ ବାହାରିଯିବା ପରେ ନେହା ଫିସ୍‌ଫିସ୍‌ ସ୍ବରରେ ଅର୍ଚ୍ଚିତା ଆଉ ଟ୍ବିଙ୍କଲକୁ ଶୁଣେଇଲା - ହେ ଶୁଣଲୋ ବିଷ ହୀନ ସର୍ପର ଫଁ ଫଁ । ପେପର ନାଁ’ରେ ଭଦ୍ର ଲୋକଙ୍କୁ ଲୁଟୁଛନ୍ତି, କଣନା ଆମେ ଷ୍ଟୋରି କରିବୁ । ଇଏ ଗୋଟେ ପେପର, ଏଠି ଲେଖିବୁ ରପ୍‌ରାପ୍‌ । ଶ୍ୟା... ଆମକୁ ତ’ ଶିଖେଇଲ ଏମିତି କପି- ପେଷ୍ଟ କରିବ, ଟାଇଟଲ ଚେଞ୍ଜ କରି ଥୋଇଦେବ । ଟଙ୍କା ଦଶ ହଜାରରେ ଆମେ କାଇଁ ମୁଣ୍ଡ ଖଟେଇବୁ ବେ । ସିଧା ଟାଣିବୁ ଥୋଇବୁ । ଯେତିକି ହେଲା ସେତିକି । ପବ୍ଲିସିଟି ତମର ଦର୍କାର ନା ଆମର । ବାହାଦୁରି ମାରୁଛନ୍ତି….ଯାଉନ ବଜାରକୁ... । ନେହାର ଗୋରା ତକ୍‌ତକ ମୁହଁ ରାଗରେ ନାଲି ପଡ଼ିଥିଲା । ଟ୍ବିଙ୍କଲ ସବୁ ଶୁଣୁଥିଲା ସିନା ଟିକେ ବି ହସୁନଥିଲା । ‘‘ତତେ ବାଧିଲାକିଲୋ ଟିଙ୍କଲ...ମୁହଁଟା ହାଣ୍ଡି ଭଳି କରିଛୁଯେ...କଣ ହେଇଛି କି ଲୋ ତୋର’’ ଝୁଙ୍କିପଡ଼ି ଟ୍ବିଙ୍କଲ ମୁହଁକୁ ଚାହିଁବା ପରେ କହିଲା ଅର୍ଚ୍ଚିତା ? ନା’ କିଛିନା- କହି କଥା ବାଁରେଇଦେଲା ଟ୍ବିଙ୍କଲ । ଲେଖାଯୋଖାରେ ଶୈଳର ସମ୍ପର୍କୀୟ ଭଉଣୀ ହେବ ଟ୍ବିଙ୍କଲ । ପୂର୍ବରୁ ଗୋଟିଏ ୱେବ ଚ୍ୟାନେଲରେ ବର୍ଷେ ଇଣ୍ଟର୍ଣ୍ଣସିପ କରିଛି । କାମ ବିଷୟରେ ଭଲ ଭାବରେ ଜାଣିଥିବାରୁ ଏଠିକା କାମକୁ ନେଇ ସନ୍ତୁଷ୍ଟ ହୋଇପାରୁନି । ନିଜେ ପାରୁ ପର୍ଯ୍ୟନ୍ତ ଭଲ ଲେଖା ଛାପିବାକୁ ପ୍ରୟାସ କରୁଥିବାରୁ ସମସ୍ତେ ତାକୁ ସମ୍ମାନ କରିବା ସହ ଭଲ ପାଉଥିଲେ । କାମ ବ୍ୟତୀତ ଅନ୍ୟ କୌଣସି କଥାରେ ମୁଣ୍ଡ ଭର୍ତ୍ତି କରୁନଥିବାରୁ ଅନ୍ୟମାନଙ୍କ ପାଇଁ ଇର୍ଶାର କାରଣ ହୋଇଯାଇଥିଲା ଟ୍ବିଙ୍କଲ ।

‘‘ଦେହ ଭଲ ଲାଗୁନି, ମୁଁ ଶୋଉଛି । ଗଲା ବେଳେ କବାଟ ଆଉଜି ଯିବ । ଛାତ ଉପରେ କୁଲାରେ ବଢ଼ି ଶୁଖୁଛି ମନେକରି ଆଣି ରୋଷେଇ ଘରେ ରଖିବ ।’’ ଶୈଳ ମନେମନେ ଚିଡିଗଲା ସିନା ଛବିକୁ କିଛି ଉତ୍ତର ଦେଲାନି । ଦ୍ବିତୀୟ ଥର ବାହା ହେବା ପରେ ସାଙ୍ଗମାନେ ଚିଡାଉଥିବା କଥା ତା’ର ମନେ ପଡ଼ିଲା- ‘ଆଗ ମାଇପକୁ ପାହାରେ ପଛ ମାଇପକୁ ଜୁହାରେ ।’ ଭାଗ୍ୟକୁ ଆଦରି ଚୁପ ରହିବାକୁ ବାଧ୍ୟ ହେଉଥିଲା ଶୈଳ । ମୁହଁ ଖୋଲିଲେ, ପରିଣାମ କଣ ହେବ ତା’କୁ ଭଲ ଭାବରେ ଜଣାଥିଲା । ସିନା ବଂଚିଥିବାବେଳେ ବେଫିକର ଥିଲା ଶୈଳ । କହିବାକୁ କେହି ନଥିଲେ । ଇଛା ଅନୁସାରେ ଘରକୁ ଆସୁଥିଲା । କେବେକେବେ ମାତାଲ ଅବସ୍ଥାରେ ଘରକୁ ଫେରିବା ବେଳେ ସିନା କିଛି ପଚାରିଦେଲେ ଚଟ୍‌ କରି ଶୈଳର ହାତ ଉଠି ଯାଉଥିଲା । ‘‘ତୁ ଘର ସମ୍ଭାଳେ ବେ, ବାହାର କଥାରେ ମୁଣ୍ଡ ପୁରେଇବା ଦର୍କାର ନାହିଁ ।’’ ଏତିକି କଥାରେ ଚୁପ୍‌ ହୋଇଯାଉଥିଲା ସିନା । ବାହାଘର ବର୍ଷେ ପୂରିବା ପୂର୍ବରୁ ଅଜଣା ରୋଗରେ ଜୀବନ ହାରିଲା । କି ରୋଗ ହେଲା ଯେ ଦେହରୁ ଶୁଖିଗଲା ରକ୍ତ; ଶାଳ କାଠ ଗର୍ଜନଫଟା ଦେବାପରି ଫାଟିଗଲା ଦେହର ମାଂସପେଶୀ । ସେତେବେଳେ ଟିଭିରେ କାମ କରୁଥିଲା ଶୈଳ । ଅସଜଡ଼ା ସଂସାରକୁ ସଜାଡ଼ିବା ପୂର୍ବରୁ ଉଜୁଡ଼ା ଗଲା ସୁହାଗ-ସିନ୍ଦୁର-ସଂସାର । ପାଗଳ ପରି କିଛି ଦିନ ଏଣେତେଣେ ବୁଲିଲା ଶୈଳ । ସିନା ଯିବାର ବର୍ଷେ ପରେ ଘରକୁ ବୋହୁ ହୋଇ ଆସିଲା ଛବି । ଘର ସଜାଡ଼ିବାଠୁ ସେ ନିଜକୁ ସଜେଇବାକୁ ବେଶୀ ପସନ୍ଦ କରୁଥିଲା । ସସ୍ତାହରେ ଥରେ ବାହାରକୁ ବୁଲାଇବାକୁ ନନେଲେ ତା’ ସ୍ବର ବଦଳିଯାଉଥିଲା । ବଦରାଗୀ ସ୍ବାମୀରୁ ବିଶ୍ବସ୍ତ ସ୍ବାମୀର ଅଭିନୟ କରୁକରୁ ବେଳେବେଳେ ଧରାପଡ଼ିଯାଉଥିଲା ଶୈଳ । ଦାନ୍ତଚିପି ଦୁଃଖ ସହିବା ଶିଖି ଯାଇଥିଲେ ବି ଅବାନ୍ତର କଥାରେ ମୁହାଁମୁହିଁ ଜବାବ ଦେବାକୁ ଭୁଲିନଥିଲା । ଯେଉଥିପାଇଁ ଅନେକ ସମୟରେ ଛବି ସହ ଝଗଡ଼ା ହେଉଥିଲା ।

ଏକ ନମ୍ବର ମାର୍କେଟ ଆଗରେ ଦିଗମ୍ବର ‘ଦର୍ଶନ’କୁ ସାର୍ଟିଫିକେଟ ଦେଉଥିଲା । ‘‘ଦି’ଟା ଚୋର ମିଶି ଏ ପେପର ବିକୁଛନ୍ତି । ଦେଖ କଣ ଅଛି ତା ଭିତରେ । ମତେ ଦିଅ, ମୁଁ ତାରିଖ ସହ ଦେଖାଇଦେବି ଆର୍ଟିକିଲ ପୂର୍ବରୁ କେଉଁଥିରେ ବାହାରିଥିଲା ।’’ ଉପସ୍ଥିତ ଥିବା କିଛି ଲୋକ ଦିଗମ୍ବରକୁ ଖୋଲାଖୋଲି ବିରୋଧ କଲେ । ‘‘ତମର କଣ ଗଲା ହେ… ସବୁ ପରେ ବି ଅଂଶୁମାନ ନନ୍ଦ ପ୍ରେସ କ୍ଲବରେ ମେମ୍ବର ଅଛି । ନିୟମ ଅନୁଯାଇ ପେପର ରେଜିଷ୍ଟ୍ରେସନ ହୋଇଛି । ତମେ କୁଆଡୁ ଆସିଲ ହେ ଅନ୍ୟକୁ ସାର୍ଟିଫିକେଟ ଦଉଛ ।’’ କିଏ ଯେମିତି ଦିଗମ୍ବର ମୁହଁରେ ନିଆଁ ଢାଳିଦେଲା ।

‘‘ବେପାର କରିବାକୁ ବୁଦ୍ଧି ଦରକାର ବୁଦ୍ଧି । ମୁଁ ଏଇଠି ବଇଛି ବୋଲି ଭାବୁଛ କିଛି ଖବର ରଖୁନି । ସମସ୍ତଙ୍କ ସହ ଯୋଗାଯୋଗରେ ଅଛି । ଅନ୍ୟକୁ ସାହାଯ୍ୟ କରୁଛି । ଦୁଃଖସୁଖରେ ଠିଆ ହଉଛି । କିଛି ପିଲାଙ୍କୁ କାମ ଦଉଛି । କଷ୍ଟ କଣ ମୁଁ ଜୀବନରୁ ଶିଖିଛି । ଯେଉଁମାନେ ଆମକୁ ଟଙ୍କା ଦଉଛନ୍ତି, ସେମାନେ କଣ ଧଳା ଧନ ଦଉଛନ୍ତି ? କୋଟି କୋଟି ଲୁଟୁଛନ୍ତି, ଆମେ ଯଦି ଶହେ ଦି’ଶ ଟାଣି ଆଣିଲୁ କୋଉ ପାପ ହେଇଗଲା କି ?’’ ଦେବବାବୁ, ଶୈଳ ଓ ପରମାଣିକକୁ ବୁଝାଉଥିଲା ଅଂଶୁ । ‘‘ଆଉ ଏ ଶଳା ଦିଗମ୍ବର ହାମୁଡେଇ ହାମୁଡେଇ ଆଣ୍ଠୁ ଚକି ଘୋରି ହୋଇଗଲାଣି ଅନେଇଛି କିଏ କୋଉଠି ପେଟେଇଲା, ମରିବ ଶଳା, ଚକି ଫେଶିବ ।’’ ଅଂଶୁ କଣ୍ଠରେ କ୍ରୋଧ ବିରାଜମାନ କଲାତ ଶୈଳ ଚେୟାରରୁ ଉଠି ପଡ଼ି ପାଣି ଗ୍ଲାସ ବଢେଇଦେଲା ଅଂଶୁକୁ । ଥାଉ ସେତିକି...କଥାରେ କହିଲେ କିଛି ଲାଭ ନାଇଁ ...ଆମକୁ କାମରେ ଦେଖାଇବାକୁ ପଡ଼ିବ । ଓକିଲ କଣ କହିଲେ ? କଥା ବୁଲାଇବାକୁ ଚେଷ୍ଟା କଲା ଶୈଳ ।

‘‘ଆମକୁ ସୁଧୁରିବାକୁ ପଡ଼ିବ । ମାର୍କେଟରେ ତିଷ୍ଠିବା ଏତେ ସହଜ ନୁହେଁ । କିଛି ଭଲ ପିଲାଙ୍କୁ ନିଯୁକ୍ତ କରିବାକୁ ପଡ଼ିବ। ପ୍ରଥମରୁ କଥା ଅଲଗା ଥିଲା । ଏବେ ମାର୍କେଟରେ ପ୍ରତିଦ୍ବନ୍ଦୀ ଆମକୁ ଚେକ୍‌ ଦେବାକୁ ତୟାର ହେଲେଣି । ଆଜିଠୁ ବନ୍ଧ ନବାନ୍ଧିଲେ ଭବିଷ୍ୟତ ବୁଡ଼ିଯିବ । ଏମିତି ତ’ କେତେ ଆସିବେ କେତେ ଯିବେ । କିନ୍ତୁ ଆମେ କଣ ଆଉ ପଛକୁ ଫେରିପାରିବା ।’’ ଅଂଶୁ ମୁହଁରୁ ଏଇ କଥା ଶୁଣିବାକୁ ଯେମିତି ଚାହିଁ ବସିଥିଲା ଶୈଳ । ‘‘ଠିକ୍‌ କହିଛ, ମୁଁ ବି ଏଇ କଥା ଭାବୁଥିଲି । କାମ ଜଣାନଥିବା ପିଲାଙ୍କୁ ନେଇ ମାର୍କେଟରେ ନିଜ ପାଇଁ ସ୍ଥାନ ଖୋଜିବା ଅପେକ୍ଷା କ୍ୟାମ୍ପସ୍‌ରେ କିଛି ଫ୍ରେସରଙ୍କୁ ଆଣିବା । କମ୍‌ ଦରମାରେ ଭଲ ପିଲାଙ୍କ ଅଭାବ ନାହିଁ । ହଟ୍‌ ଷ୍ଟୋରି ଦବା, ହଟ କେକ୍‌ ଭଳି ପେପର କିଣିବେ ଲୋକେ । ହଁ ମୁଁ ଆଉ ଗୋଟେ କଥା ଭାବୁଥିଲି । ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଏଡିଟର ପଦରେ ନିଯୁକ୍ତ କଲେ ଭଲ ହୁଅନ୍ତା ।’’ କହିସାରି ଅଂଶୁର ପ୍ରତିକ୍ରିୟାକୁ ଅପେକ୍ଷା କଲା ଶୈଳ । ମୁରୁକି ହସିଲା ଅଂଶୁ । ସବୁ ହୋଇଯିବ ଧିରେ ଧିରେ । ପ୍ରଥମେ ଅଫିସ ଅଡୁଆ ଛିଣ୍ଡିଯାଉ । ତା’ପରେ ଦେଖିବା କହି ପାଣି ପିଇବା ପରେ ଦୁଇ ହାତକୁ ଯୋଡି ଅନ୍ୟମନସ୍କ ହେଲା ଅଂଶୁ । ‘‘ସବୁ ମନେ ଅଛି । ଗୋଟେ ଅନିଶ୍ଚିତ ଭବିଷ୍ୟତକୁ ମୁଣ୍ଡେଇ ପ୍ରଥମେ ଭୁବନେଶ୍ବର ଆସିବା ବେଳେ ପ୍ରଥମେ ରହିଥିବା ପଳାଶୁଣି ଭଡ଼ା ଘର କଥା । କଲ ସେଣ୍ଟରରେ କାମ କରିବା କଥା । ସେଇଠୁ କନଷ୍ଟ୍ରକସନ କମ୍ପାନିର ଆକାଉଣ୍ଟ ସେକସନରେ କାମ । ତା’ ପରେ ସାମ୍ବାଦିକତା । କେତେ କଷ୍ଟ ଆସିଛି କିନ୍ତୁ ଜୀବନ ସ୍ରୋତ ଅଟକି ଯାଇନି । ଆଜି ଏଠି ତ’ କାଲି ସେଠି । ଏବେ ବି ଘରେ ଜାଣନ୍ତିନି କେମିତି ମୋ ପେଟ ଭରିଛି । କେତେ ସଂଘର୍ଷ କରିବାକୁ ପଡ଼ିଛି ମତେ । ରାତି ପାହିଲେ କଣ ଖାଇବି ସେଇ ଚିନ୍ତାରେ କେତେ ରାତିର ନିଦ ହଜି ଯାଇଛି । ଚୁଡ଼ା ଗୁଣ୍ଡ ଖାଇ ମାସ ମାସ ବଂଚିଛି । ସାରା ରାତି ଅନିଦ୍ରା ରହି ଡିଟିପି ସେଣ୍ଟରରେ କାମ କରିଛି । ସାର୍ଟିଫିକେଟ ଫାଇଲ ଧରି ଏ ଅଫିସରୁ ସେ ଅଫିସ ଘୁରି ବୁଲିଛି । ଏତେ କଷ୍ଟ ପରେ ଯେଉଁ ପରିଚୟ ମିଳିଛି ତାକୁ ଏତେ ଶସ୍ତାରେ ହଜେଇ ଦେବି କେମିତି । ଭୁଲରୁ ଶିଖିବାକୁ ପଡ଼େ । ଆଗକୁ ଯିବାକୁ ହେଲେ ସବୁ କଣ୍ଟାକୁ ମାଡ଼ି ଆଗକୁ ଯିବାକୁ ହେବ । ମଣିଷ ଚିହ୍ନିବା ଏତେ ସହଜ ନୁହେଁ । ଠକିବା ପରେ ମୁଁ ମଣିଷ ଚିହ୍ନିଛି । କେତେ ଲୋକ ମତେ ଠକିଛନ୍ତି, ଲୁଟିଛନ୍ତି । ମୋ ରେଫରେନ୍ସରେ ସାଇଡ ରୁମରେ ରହୁଥିବା ଲୋକ ମାସ ମାସ ଧରି ଇଲେକ୍ଟ୍ରି ବିଲ, ଘର ଭଡ଼ା ନଦେଇ ଛୁ’ ମାରିଛନ୍ତି । ସେମାନଙ୍କ ପାଇଁ ମୋ ପକେଟରୁ ଟଙ୍କା ଯାଇଛି । ଯେଇଁମାନଙ୍କୁ ଖୋଇଛି, ବୁଲେଇଛି ସେଇମାନେ ହିଁ ଧୋକା ଦେଇଛନ୍ତି ।’’ ଆଖି କୋଣରେ ଜକେଇ ଆସିଥିବା ଲୁହକୁ ଲୁଚାଇ ପାରିନଥିଲା ଅଂଶୁ । ଆଜି ଯାଏ ଅଫିସରେ ଅଂଶୁମାନ ନନ୍ଦ ଏମିତି ଭାବବିହ୍ବଳ ହେବା କେହି ଦେଖିନଥିଲେ । ନିଜ ପରିଚୟକୁ ଗୋପନ ରଖିବାକୁ ଚାହୁଁନଥିଲା ସେ । ବିଶ୍ବସ୍ତ ଲୋକଙ୍କ ପାଇଁ ଗୋଟେ ଖୋଳପା ବିହୀନ ମଣିଷ ହୋଇ ବଞ୍ଚି ରହିବାକୁ ସେ ପସନ୍ଦ କରୁଥିଲା ।

ଗଣମାଧ୍ୟମ କ୍ଷେତ୍ରରେ ଦିଗମ୍ବରର କୌଣସି ଅଭିଜ୍ଞତା ନଥିଲା । ମାତ୍ର ଗୋଟିଏ ଏଡିସନ ପ୍ରକାଶ ପରେ ମରିଯାଇଥିଲା ‘ଗନ୍ଧର୍ବ’ । ଦୂରରୁ ଉଚ୍ଚ ପର୍ବତ ସୁନ୍ଦର ଦିଶିବା ପରି ସେ କେବଳ ଗୋଟାଏ ଆକର୍ଷଣରେ ଟାଣି ହୋଇଆସିଥିଲା ଏ ଲାଇନକୁ । କିନ୍ତୁ ମିଡିଆ ଦୁନିଆରେ ପାଦ ଦେବା ପରେ ଜାଣିପାରିଥିଲା, ଏଠି ତିଷ୍ଠିବା ସହଜ ନୁହେଁ । ବେଳ ଥାଉଥାଉ ନିଜକୁ ଦୂରେଇ ନେଇଥିଲା ଦିଗମ୍ବର । ଦର୍ଶନ ଅଫିସରେ ବସି ନିଜ ଭୁଲ ସ୍ବୀକାର କରିବାପରେ ତାକୁ ଆଉ ଅସମ୍ମାନ କରିନଥିଲା ଅଂଶୁ । କେବଳ ‘ଷ୍ଟେ ନୋଟିସ’ ବ୍ୟତୀତ ଅନ୍ୟ କୌଣସି ବିଷୟରେ ଅଂଶୁ ମୁହଁ ଖୋଲିନଥିଲା । ଶୈଳ, ପରମାଣିକ ଗୁମସୁମ ହେଇ ବସିଥିଲେ । କେବଳ ଅଧିକ କିଛି ଟଙ୍କା ବିନିମୟରେ କେସ ୱିଥ୍‌ଡ୍ର କରିବାକୁ ରାଜି ହୋଇଯାଇଥିଲା ଦିଗମ୍ବର ।

ସୁରୁଖୁରୁରେ ସରିଯାଇଥିଲା ଭାଇ ବାହାଘର । ବନ୍ଧୁ ବାନ୍ଧବଙ୍କ ପରି ଚତୁର୍ଥୀ ପରଦିନ ହିଁ ଅଂଶୁ ଘର ଛାଡ଼ିଥିଲା । ନିଜ ଦାୟିତ୍ବ ବିଷୟରେ କାହାକୁ କହି ବୁଝାଇପାରିବା ସମ୍ଭବ ନୁହେଁ ବୋଲି ଭଲଭାବରେ ସେ ଜାଣିଥିଲା । ବୋଉ ତ ରାହା ଧରି କାନ୍ଦିଲା, ଯେମିତି ସେ ସବୁଦିନ ପାଇଁ ଘର ଛାଡ଼ି ଚାଲିଯିବାକୁ ବାହାରିଛି । ‘‘ସହରରେ ଏମିତି କୋଉ ଗଣ୍ଠିଧନ ଛାଡ଼ିକି ଆସିଛୁ ଯେ ଆସୁଆସୁ ଯିବାକୁ ବାହାରୁଛୁ ?’’ ‘ମୋ ଗଣ୍ଠିଧନ’- ଫେରିବାବେଳେ ବୋଉ ପାଦ ଛୁଇଁ ପ୍ରଣାମ କଲାବେଳେ ଅଂଶୁ ମୁହଁରୁ ଏମିତି କଥା ଶୁଣି ଫିକ୍‌କିନି ହସିଥିଲା ବୋଉ । ବୟସ ଗଡ଼ିଯାଇଥିବା ଭାଇ ପାଇଁ ବାହାଘର ପରିବାର ପାଇଁ ବଡ଼ ସମସ୍ୟା ଥିଲା । ବଡ ଭାଇର ବିନା ସହାୟତାରେ ଘରର କୌଣସି କାର୍ଯ୍ୟ ହୋଇପାରୁନଥିଲେ ବି ନିଜ ପାଇଁ ସ୍ଥିରୀକୃତ କାର୍ଯ୍ୟଟିଏ ସେ ଯୋଗାଡ଼ କରି ପାରିନଥିଲା। ‘ଭାଇ କଣ କରୁଛି’ ପ୍ରଶ୍ନର କୌଣସି ଉତ୍ତର ନଥିଲା କାହା ପାଖରେ । କୌଣସି ଟୋଟିଏ ନିର୍ଦ୍ଦିଷ୍ଟ କାମରେ ମନୋନିବେଶ କରିପାରୁନଥିବା ଭାଇର ବାହାଘର ପାଇଁ ଦୀର୍ଘ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । ଅନେକ ବର୍ଷ ଧରି ବିବାହ ପାଇଁ ନା- ନା କହୁଥିବା ଭାଇର ବାହାଘର ହେବାପରେ ସବୁଠାରୁ ବେଶୀ ଖୁସି ହୋଇଥିଲା ଅଂଶୁ । ଏବେ ଅନ୍ତତଃ ଘର ଚିନ୍ତା ତା’ ମୁଣ୍ଡରୁ ଓହ୍ଲେଇ ଯିବ ବୋଲି ସେ ଭାବିନେଇଥିଲା ।

ଶାଗ ମାଛ ଦରରେ ବିକ୍ରି ହେଉଛି ପେପର । ବଜାରରେ କେତେ ନାଇ କେତେ ମାଗାଜିନ, ପେପର, ମନଲୋଭା ନହେଲେ ଲୋକେ କଣ କିଣିବେ? ଦର୍ଶନ ଟିମ୍‌ରେ ସାମିଲ ହୋଇଥିବା ନୂଆ ସଦସ୍ୟଙ୍କୁ ମାର୍କେଟିଂ ଷ୍ଟ୍ରାଟେଜି ବୁଝାଉଥିଲା ଶୈଳ । ଉଭୟ କ୍ବାଲିଟି ଓ କ୍ବାଣ୍ଟିଟିକୁ ଗୁରୁତ୍ବ ଦେଇ ଆରମ୍ଭ ହୋଇଥିଲା ନୂଆ ଯୋଜନା । ସାରା ଜୀବନର ସଂଚୟକୁ ଆଖିବୁଜି ସମର୍ପି ଦେଇଥିଲେ ଅଂଶୁ ଓ ଶୈଳ । ରାସ୍ତା ପାର୍ଶ୍ବରେ ଲାଗିଥିଲା ବଡ଼ ହୋଡ଼ିଂ । ବିଭିନ୍ନ ସାମାଜିକ, ସାସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳିଲା ଦର୍ଶନର ଛାପ ।

ଦିନକେଇଟାରେ ସବୁକିଛି ବଦଳି ଯାଇଥିଲା । ପ୍ରଥମ ଥର ପାଇଁ ନିଜ ଗଣ୍ଠିଧନକୁ ସାଥିରେ ନେଇ ବସ୍‌ରେ ଯାଇଥିଲା ଶୈଳ, ବୋଉକୁ ଦେଖାଇଥିଲା ତା’ ଗଣ୍ଠିଧନର ରୂପ । ବସ୍‌ରେ ବସିବା ପରେ ଅଂଶୁକୁ ପ୍ରବଳ ଶୋଷ ଲାଗୁଥିଲେ ବି ଜଣେ ସହଯାତ୍ରୀଙ୍କ ହାତରେ ଦର୍ଶନକୁ ଦେଖି ଶୋଷ ମରିଯାଇଥିଲା । ଅଜାଣତରେ ତା’ ପାଟିରୁ ବାହାରିଯାଇଥିଲା ‘ମୋ ଗଣ୍ଠିଧନ’ । ଘରେ ପହଞ୍ଚିବାର ଦୁଇ ଘଣ୍ଟା ଯାଇଛି କି ନାଇଁ ଶୈଳର ଫୋନ କଲ୍‌ରେ ଦୋହଲି ଯାଇଥିଲା ଦୁନିଆଁ । ଦର୍ଶନ କାର୍ଯ୍ୟାଳୟ ସିଲ୍‌ ହୋଇଥିଲା । ମାତ୍ର ବାର ଘଣ୍ଟାର ମହଲତ ଦେଇଥିଲା ପୋଲିସ । ବେଆଇନ ଭାବରେ ଜବରଦଖଲ ହୋଇଥିବା ଜାଗାରେ ତୋଳାଯାଇଥିବା ଘରକୁ ଭାଙ୍ଗିବାକୁ ପ୍ରସ୍ତୁତ ଥିଲା ବୁଲଡୋଜର୍ସ, ପୋକଲେନ ମେସିନ ।

‘ନିଶିପ୍ରଦୀପ’, ଅଶୋକନଗର, ବାତୋ, କେନ୍ଦୁଝର-୪୩

ମୋବାଇଲ- ୯୪୩୮୦୮୦୫୮୩

E-mail: litp.ranjan@gmail.com


Rate this content
Log in

Similar oriya story from Inspirational