Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କାକଟସ୍
କାକଟସ୍
★★★★★

© Chinmayee Barik

Drama Inspirational Others

5 Minutes   14.6K    19


Content Ranking

ପ୍ରିୟାର ଗନ୍ଧ ଆସେ ବେଳ ଅବେଳରେ ...କେବେ ଋତୁ ବଦଳିଲେ ତ କେତେବେଳେ ମନ ବଦଳିଲେ ।ପ୍ରିୟାର ସ୍ମୃତି ବିନା କେଉଁ ବଞ୍ଚି ହୁଏ ଯେ.. ସେ ପୁଣି ଯଦି ପ୍ରଥମ ପ୍ରେମ ହୋଇ ଥିବ ତ!

ଥ୍ରୀ ବେଡ୍ ରୁମ୍ ଫ୍ଲାଟ୍,ଏସି ରୁମ,ମୋଡୁଲାର ଏନଭାଏରନ୍ ମେଣ୍ଟରେ ରହିବି ମନ ବେଳେ ବେଳେ ରୁକ୍ ରୁକ୍ ହୁଏ ।ପ୍ରିୟାର ଜାଗାକୁ ସ୍ୱଳ୍ପ ସମୟ ଲାଗି ଭୂଲିବାକୁ ହେଲେ ଷଣ୍ଢାଟେକି ବାଲକୋନିରୁ ସାମ୍ନା ଫାଲ୍ଟର ଝରକାକୁ ଚାହିଁ ବାକୁ ପଡେ ।ସେଠୁ ବି କେଉଁ ସଂପୂର୍ଣ୍ଣ ମଣିଷ ଦେଖି ହୁଏ ଯେ?କେତେବେଳେ କାହାର ଗାଲର ଫାଳେ ଦେଖି ହୁଏତ କେତେ ବେଳେ କାହାର ଲୁଗା ଶୁଖାଉଥିବା ହାତରୁ ଟିକେ ଦେଖାହୁଏ ।ସଂପୂର୍ଣ୍ଣ ମଣିଷଟେ ପୁଣି ସୁନ୍ଦରୀ ନାରୀଟେ ସ୍ପଷ୍ଟ ଦେଖିବା ଦୁରୂହ ହୋଇ ପଡେ ।

ସେଇ ଫାଳେ ନୁଳେରେ ଜୀବନ କଟୁଛି ତ ସାତ ବର୍ଷ ହେଲା ।ବିଛଣାରେ ଶୋଉଥିବା ସୁନ୍ଦରୀ ସ୍ତ୍ରୀକୁ ଯେମିତି ଅନେକ ଦିନ ହେଲା ଦେଖିନି ସେମିତି ବି ଲାଗେ ବେଳେ ବେଳେ ।ହଁ,ସତେତ କେବେ ଦେଖିଥିଲି ମୁଁ ଜାହ୍ନବୀକୁ ??ମନେ ପଡୁନି ଅଥଚ ରୋଜ୍ ତା ସହ ଶୁଏ ତା ହାତରୁ ଖାଏ ଆଉ ସହର ବଜାରରେ ତା ହାତ ସହ ହାତ ଛନ୍ଦି ବୁଲେ ।

ସ୍ତ୍ରୀ ହାତରେ କାହିଁ ସେ ଶିହରଣ ଯାହା ପ୍ରିୟା ହାତକୁ ଟିକେ ଛୁଇଁବାରେ ସ୍ୱପ୍ନ ଦେଖି ଦେଖି ମଣିଷ ଓଦା ହୋଇ ପଡେ ?ଲୋକ ଦେଖାଣିଆ ପ୍ରେମର ଆଡଭରଟାଇଜ୍ ମେଣ୍ଟ ଦେବାକୁ ଯାଇ ସହର ବଜାରରେ ହାତକୁ ହାତ ଛନ୍ଦି ,କୋଳା କୋଳି ହେଇ ସ୍ମାଇଲିଂ ଫେସରେ ଦୁନିଆ ଆଗକୁ ବାହାରି ପଡେ ।ଜାହ୍ନବୀର ଆନୁଗତ୍ୟ ଆଉ ମୋର କର୍ତ୍ତବ୍ୟରେ କେବେ ଉଣା ହୋଇ ନାହିଁ ଆମ ଭିତରେ ହେଲେ କେଜାଣେ ମୋ ଭିତର ଗୋଟିଏ ଖାଲିପଣ ଥାଏ ବୋଧେ କାହା ଲାଗି ।

ବୋଧ୍ ହୁଏ ସ୍ତ୍ରୀ ଗୋଟିଏ ଆବିଷ୍କୃତ ଏରିଆ ଯାହା ଥରେ ଆବିଷ୍କୃତ ହୋଇଗଲା ପରେ ତା ପ୍ରତି ଅହେତୁକ ଆକର୍ଷଣ ନଷ୍ଟ ହୋଇ ଯାଏ ।ମଣିଷ ସବୁବେଳେ ଏକ ଅନାବିଷ୍କୃତ ଅଞ୍ଚଳ ପ୍ରତି ସଦା ତତ୍ପର, ଆଉ ସେଇ ଅନାବିଷ୍କୃତ ଜିନିଷର ନାମ ହିଁ ପ୍ରିୟା ।

ପ୍ରିୟାର ନାଁ ଧରିଲେ ମୋତେ ଧୂଆଁଳିଆ ସ୍ମୃତି ଭିତରୁ ମନେ ପଡେ "ରଜନୀ"ର ଝାପସା ମୁହଁ ।ସେ ନୀରିହ ଚାହାଣୀ,ଧାରୁଆ ହସ,ଶ୍ୟାମଳା ବର୍ଣ୍ଣ। ଗରିବ ପରିବାରର "ରଜନୀ” ବୋଧେ ମୋର ଶ୍ରେଷ୍ଠ ପ୍ରେମିକା ଯଦିଓ ଜୀବନ ସାରା ମଧ୍ୟରେ ମୋର ଅଧ ଡଜନେ ପ୍ରେମିକା ଥିଲେ ।ସେଗୁଡାଙ୍କର ମୁହଁ ମୋର ମନେ ନାହିଁ ହେଲେ "ରଜନୀ "ର ମୁହଁ ମୁଁ ଭୂଲି ପାରେନି କେବେ।

ଶୀତୁଆ ସକାଳରେ ସ୍ତ୍ରୀର ଗରମ ପରଶଟେ ଲାଗି ଯେତେବେଳେ ଜାହ୍ନବୀ ଦେହରେ ହାତ ବୁଲାଏ ତାର ଖରଖରିଆ ସ୍ୱର ଭାସି ଆସେ...ହେ ରୁହ..ମଣିଷକୁ ଟିକେ ଶାନ୍ତିରେ ଶୋଇବାକୁ ଦିଅ ।ଦିନ ସାରା ଅଫିସ୍ ଆଉ ଘର କାମ କରି କରି ମଣିଷ ସହଜରେ ଏମିତି ଢିଲା, ତା ଉପରେ ସକାଳୁ ସକାଳୁ ତୁମର ଏ ଫେଚେକାନି??ହାତକୁ ଦେହରୁ ଉଠେଇ ନେଇ ଟିକେ ଦୂରେଇ ଶୋଇପଡେ ଜାହ୍ନବୀ ଆଉ ଠିକ୍ ଏଇ ସମୟରେ ରଜନୀର ସ୍ୱପ୍ନରେ ବିଭୋର ହୋଇ ଅନେକ ଥର ମୁଁ ତା ବେଣୀର ବାସ୍ନା ପାଇଛି ମୋ ମୁଣ୍ଡ ତଳେ ଦିଆ ଯାଇଥିବା ତକିଆ ଭିତରୁ ।ପ୍ରିୟାର ଭୂରୁ ଭୂରୁ ବାସ୍ନାରେ ସମ୍ମୋହିତ ହୋଇ ମୁଁ ପୁଣି ଶୋଇ ଯାଇଛି ଘଡିଏ ଲେଖା ।

-----------******---------******-----

ଟିଂ ଟଂ...ଟିଂ ଟଂ....କଲିଂ ବେଲ୍ ବାଜି ଉଠିଲା ।

ଉଫ୍,ଜାହ୍ନବୀର ଅଫିସ୍ ସକାଳ ଆଠଟା ବେଳେ ଆଉ ମୋର ଦଶଟାରେ ।ତେଣୁ ଏ ଦୁଇ ଘଣ୍ଟା ଭିତରେ ସବୁ ଟୁଂ ଟାଂ ଗୁଡା ମୋତେ ଶୁଣିବାକୁ ପଡେ ଆଉ ଏଇ ସମୟରେ ଯାବତୀୟ ସେଲସ୍ ମ୍ୟାନ୍ ସବୁ ।

କି ହୋଲ୍ ଦେଇ ଦେଖିଲି ,ଜଣେ ଲେଡି ପଛ କରି ଠିଆ ହୋଇଛନ୍ତି ।ଲେଡି ସେଲସ୍ ମ୍ୟାନ୍ ମାନଙ୍କୁ ମୁଁ ଶୁଣେ... କିଛି ନ କିଣିଲେ ବି ।କବାଟ ଖୋଲିଲି ...ହଁ କ’ଣ ହେଲା କୁହନ୍ତୁ???ମୁଁ ପଚାରିଲି ।

ଝିଅଟି ପଛକୁ ବୁଲି ପଡିଲା...ମୋ ଦେହରୁ କଲିଜାଟା ଖସି ଯାଉ ଯାଉ ଅଟକି ଗଲା ନିଶ୍ଚୟ ।

ଝିଅଟି କହୁଥିଲା ,ଆଜ୍ଞା...ଦୁଇଟା ବହି କିଣିଲେ ଗୋଟେ ଫ୍ରି ।ଏଇଟା ଦୁନିଆର ସବୁଠୁ ପପୁଲାର ଜିକେ ବହି ।ଗୋଟିଏ କିଣନ୍ତୁ ନାଁ??

ମୁଁ ଧୈର୍ଯ୍ୟ ପାର ହୋଇ ସାରିଥିଲି ।ପଚାରିଲି ...ତୁମେ ରଜନୀ ନା?

-ହଁ, ଆଜ୍ଞା ମୁଁ ରଜନୀ ଖିଲାର ।

-ତୁମେ ମୋତେ ଚିହ୍ନି ପାରୁନ??ମୁଁ ଅଶୋକ ତ୍ରିପାଠି ।ତୁମର...

-ମନେ ଅଛି ସବୁ ଆଜ୍ଞା, ହେଲେ ଏବେ ମୁଁ ମୋ ଡ୍ୟୁଟିରେ ।

-ଇସ୍, ମୋତେ ଆଜ୍ଞା ବୋଲି ଡାକନି ।ମୁଁ ତୁମର ସେଇ ଅଶୋକ...ଆଇ ମିନ୍ ୟୋର୍ ଆଶୁ ।

-ଆଜ୍ଞା କୋତୋଟି ବହି ନେବେ??

-ଦିଅ ତୁମ ପାଖରେ ଯେତେ ବହି ଅଛି ସବୁ କିଣିବି ମୁଁ ।

-ସତରେ? ଆପଣ କେତେ ଦୟାଳୁ ସାର୍ ।

ତାର ଶେଷ ପଦକ କଥାରେ ମୋ ଭିତରେ ଛୁଞ୍ଚି ଫୋଡି ହୋଇ ଯାଉଥିଲା ।

ରଜନୀ ଚାଲିଗଲା ଆଉ ବାସ୍ନା ମୋ ପାଖରେ ଛାଡି ଦେଇଗଲା ।ମୁଁ ପୁଣି ମତୁଆଲା ହୋଇ ଉଠିଲି ।ପୁରୁଣା ମଦ ଆଉ ପୁରୁଣା ହାତଛଡା ପ୍ରେମିକା ଦୁହେଁ ଯାକ ଖୁବ୍ ନିଶାଯୁକ୍ତ ।

ଦିନ ସାରା ଅଫିସରେ ମନ ଲାଗିଲାନି ।ସବୁ ଆଡେ ଖାଲି ରଜନୀ ରଜନୀ...ଏମିତି ପାଖ ଦୋକାନରେ ବି ବାଜୁଛି ଗୀତ ରଜନୀ ଗନ୍ଧାର ବାସ....

ଜାହ୍ନବୀ ସବୁ ଦିନ ପରି ଅଫିସରୁ ଫେରି ଡିନର୍ କରି ଆଗେ ଶୋଇପଡିଲାଣି ।ଘୁଙ୍ଗୁଡି ମାରୁଛି ।ଦେହରେ ଏବେ ହାତ ମାରିଲେ ଫଁ କିନା ଗର୍ଜି ଉଠିବ ।ମୁଁ ଚିତ୍ ହୋଇ ଶୋଇ ଭାବୁଛି ରଜନୀର କଥା ।ଫୋନ୍ ଟିକୁ ଆଣି ଫେସ୍ ବୁକରେ ଚେକ୍ କଲି ରଜନୀ ଖିଲାର୍ ଆଇ.ଡିକୁ ।ସତରେ ରଜନୀର ମୁହଁ ବାହାରି ଆସିଲା ଫୋନ୍ ଭିତରୁ ।ଚାର୍ଟ ବକ୍ସକୁ ଗଲି ।କିଛି ଟିପ୍ ଟପ୍ କଲି, ପୁଣି ଡିଲିଟ୍ କଲି ।ପୁଣି ଲେଖିଲି ,ପୁଣି ଡିଲିଟ୍ କଲି ।ଘଣ୍ଟାଏ କାଳ ଏ କସରତ କରିକରି ଶେଷରେ ଗୋଟିଏ ଲାଇନ୍ ଲେଖିପାରିଲି...ଆଇ ୱାଣ୍ଟ ଟୁ ଟକ୍ ଉଇଥ୍ ୟୁ ।ୟୋର୍ ଫୋନ୍ ନମ୍ବର ପ୍ଲିଜ୍ ...।

ଧଡାସ୍ କରି ସେପଟୁ ଗୋଟିଏ ନମ୍ବର ଆସିଗଲା ରଜନୀ ପାଖରୁ ।ତା ହେଲେ??ଗ୍ରୀନ୍ ସିଗ୍ ନାଲ୍??

ପରଦିନ ଅଫିସରେ ଲଞ୍ଚ ଆୱାରରେ ନ ଖାଇ ମୁଁ ଆଗେ ଲଗେଇଲି ରଜନୀ ପାଖକୁ ଫୋନ୍ ।ତା କଥା ଶୁଣି ମୁଁ ଭାରାକ୍ରାନ୍ତ ହୋଇ ସାରିଥିଲି ।ବାପା ମା’ଙ୍କ ଇମୋସନାଲ୍ ବ୍ଲାକ୍ ମେଲିଂରେ ଫସି ଜାହ୍ନବୀକୁ ବାହା ହୋଇଯାଇଥିଲି ଆଉ ତା ପରେ ରଜନୀ ସହ ସବୁ ସଂପର୍କ ଛିନ୍ନ ହୋଇଥିଲା ।ମୋ ଭିତରେ ଡର ଥିଲା ।ହେଲେ ଏବେ ଜାଣୁଛି ରଜନୀ ଅବିବାହିତା ।ତା ମା’ର ବ୍ରେଷ୍ଟ କ୍ୟାନସର୍ ,ବାପ ଶ୍ୱାସ ରୋଗୀ ଆଉ ଛୋଟ ଭାଇଟେ ପଢୁଛି ସପ୍ତମରେ ।ଘର ସମ୍ଭାଳିବାକୁ ରଜନୀ ଆଜୀବନ ଅବିବାହିତା ରହିବାକୁ ନିଷ୍ପତ୍ତି ନେଇଛି ।

ମୁଁ ଦୋଷୀ ପାଲଟି ଯାଇଥିଲି ତା ଆଗରେ ।

ମୋ ଦୋଷୀ ପଣିଆ ମଥାରୁ ହାଲ୍କା କରିବାକୁ ମୁଁ ତାକୁ ବାରବାର ଫୋନ୍ କରୁ ଥିଲି ଆଉ ସରି ବି କହୁଥିଲି ।ତା ଲାଗି କିଛି କରିବାର ଇଚ୍ଛା ମୋ ମନରେ ଜାଗି ଉଠୁଥିଲା ।ଦେଖିଲି ଏ ବର୍ଷ ବୋନସ୍ ପଇସା ପଚାଶ ହଜାର ଅଛି ।ଏହାକୁ ମିଶେଇ ଆଉକିଛି ପଇସା ଲୋନ୍ କରି ତାକୁ ଗୋଟେ ବିଜନେସ୍ କରେଇ ଦେବି ବୋଲି ମନକୁ ଆସିଲା ।ଏହା ପୁଣି ସବୁ ଜାହ୍ନବୀର ଅଜଣାତରେ ।

------------*******-------********----------*********

ଜାହ୍ନବୀ ଆଜି ନାହିଁ ଘରେ ।ସେ କାଲି ଆସିବ ।ତେଣୁ ସନ୍ଧ୍ୟାରେ ରଜନୀକୁ ଡାକିଛି ମୁଁ ।ତାକୁ ବିଜ୍ ନେସ୍ ପ୍ଲାନିଂ କଥା କହିବି ଆଉ ପଚାଶ ହଜାର ଦେବି ବୋଲି ।

ରଜନୀ ଠିକ୍ ସମୟରେ ଆସି ପହଞ୍ଚିଗଲା ।ସେମିତି ଉଦାସ ଆଖିରେ ସେ ବସିଥିଲା ।ମୁଁ ସହି ପାରୁ ନ ଥିଲି ତାକୁ ଦେଖି ।ମନେ ପଡିଯାଉଥିଲା ସେ କେତେ ବିଶ୍ଵାସରେ ମୋତେ ଭଲ ପାଇଥିଲା ଆଉ ମୁଁ ଶଳା ତାକୁ ହଠାତ୍ ଧୋକା ଦେଲି ବାପ ମା’କୁ ଖୁସି କରିବାକୁ ।

ରଜନୀ ମୋ ସାମ୍ନାରେ ବସିଥିଲା ...ନିରୋଳାରେ ଆମେ ଦୁହେଁ ।ହେଲେ ମୋ ମନରେ ଟିକେ ବି ଖରାପ ଚିନ୍ତା ନ ଥିଲା ।ତାର ପରିସ୍ଥିତି ଆଉ ମୋର ପ୍ରତାରଣା କଥା ମୋ ଦେହର ସବୁ ଇନ୍ଦ୍ରିୟକୁ ଶୀତଳ କରି ସାରିଥିଲା ।

ଆଲମାରୀରୁ ପଚାଶ ହଜାର ଟଙ୍କାର ଚେକ୍ ଟିଏ କାଢି ତାକୁ ଦେଲି ।ଆଉ ଆଗାମୀ ଲୋନ୍ କରି ତାକୁ ବିଜନେସଟିଏ କରେଇ ଦେବା କଥା ମଧ୍ୟ କହିଲି ।

ଚେକ୍ ଟିକୁ ଦେଖିଲା ପରେ ତା ଆଖିରୁ ଧାର ଧାର ଲୁହ ଖସିଯାଉଥିଲା ଆଉ ମୁଁ ଆଦୌ ସହି ପାରୁନ ଥିଲି । ଆଉ ତା ପରେ....ସାରା ରାତି ତା’ ଦେହର ବାସ୍ନା ମୋ ଦେହ ସାରା, ଆଉ ମୋ ଦେହର ବାସ୍ନା ତା ଦେହରେ ...ଗୋଟିଏ ଆଦିମ କ୍ଷୁଧା...ହାତ ଛଡା ପ୍ରେମିକାର ଅନାବିଷ୍କୃତ ଅଙ୍ଗର ଇତିହାସରେ ସମ୍ମୋହିତ ହୋଇ ମୁଁ ଭୂଲି ଗଲି ସବୁ କିଛି ।

ରାତି ସାରା...ରାତି ସାରା ..ମୁଁ ରଜନୀ ଗନ୍ଧାର ମହକରେ ଭିଜୁଥିଲି ।

-------******---------*******--------*******

ସକାଳଟା ଖୁବ୍ ଶୀଘ୍ର ହୋଇଗଲା ବୋଧେ ।ଜାହ୍ନବୀ ଆସିଯିବ ।ରଜନୀ ବେପାରୁଆ ହୋଇ ଶୋଇଛି ନିଘୋଡ ନିଦରେ ।ତାକୁ ଉଠାଇ ଦେଲି ।ସେ ବି ଖୁବ୍ ଜଲଦି ନିଜକୁ ସଜାଡି ନେଲା ।

ମୁଁ ତାକୁ ଥ୍ୟାଙ୍କସ୍ କହିବାକୁ ଯାଉଥିଲି ..ବୋଧ ହୁଏ ସେ ବି ମୋତେ ଥ୍ୟାଙ୍କସ୍ କହିବାକୁ ଚାହୁଁ ଥିଲା ...ତା କଥା ଶୁଣିବାକୁ ମୁଁ ଟିକେ ଅଟକି ଗଲି ।

ସେ କହିଲା... ଆଶୁ..ପାଞ୍ଚ ହଜାର ।

-ନାଁ, ଭଲ କି ଦେଖ ଚେକରେ ପଚାଶ ହଜାର ଲେଖା ଅଛି ।

ସେ ଚେକ୍ ଓଲଟ ପାଲଟ କରି ଦେଖିଲା ଆଉ ଟିକେ ହସି ମୋ ହାତରେ ଧରେଇ ଦେଇ କହିଲା ..ଏ ପଇସା ମୋର କ’ଣ ହେବ?? ରଖ ଏହାକୁ ।ମୁଁ କେବଳ ରାତିକୁ ପାଞ୍ଚ ହଜାର ନିଏ ।ଗରାଖ ଯେତେ ଧନୀ ହେଉ କି ଗରିବ...

ରଜନୀ ତୁମେ ଏ କ’ଣ କହୁଛ??ଶେଷରେ ତୁମେ ବି??

ସେ ମୋ ପର୍ସରୁ ଗଣି ଗଣି ପାଞ୍ଚ ହଜାର କାଢି ନେଇଗଲା ।ଚେକ୍ ସେମିତି ଟେବୁଲ୍ ଉପରେ ପଡି ରହି ମୋତେ ଖତେଇ ହେଉଥିଲା ।

ସେ ଚାଲି ଯାଇ ଥିଲା.. ମୁଁ ଗୋଟା ପଣେ ଥରୁଥିଲି ।ରାଗରେ ନୁହେଁ...କି ଭୟରେ ନୁହେଁ...ଗୋଟିଏ ହିସାବରେ ମୁଁ ଥରୁଥିଲି ଯେ ତାକୁ ରଜନୀ ଗନ୍ଧାରୁ କାକଟସ୍ ବନେଇବାରେ ମୁଁ କେତେ ପରିମାଣରେ ଦାୟୀ ବୋଲି....!

ଜାହ୍ନବୀ ରଜନୀ ଅଶୋକ

Rate the content


Originality
Flow
Language
Cover design

Comments

Post

Some text some message..