Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମାଆ ନାହିଁ ଯାହାର
ମାଆ ନାହିଁ ଯାହାର
★★★★★

© sushama Parija

Tragedy

17 Minutes   414    8


Content Ranking

କଟକ ଜିଲ୍ଲାର ଛୋଟିଆ ଗାଁ ଟିଏ ବ୍ରାହ୍ମଣ ସାଇଲୋ । ସହର ତଳିଆ ଗାଁ ଟି ଖୁବ୍ ବଡ ନହେଲେ ବି ପାଞ୍ଚ ଶହ ପରିବାର ବାସ କରନ୍ତି ସେ ଗାଁ ରେ। ଗାଁ ମଝିରେ ରେ ଅଛନ୍ତି ସପନେଶ୍ୱର ମହାଦେବ। ଖୁବ୍ ପ୍ରତ୍ୟକ୍ଷ ଦେବତା। ଗାଁ ମୁଣ୍ଡରେ ଅଛନ୍ତି ଗ୍ରାମଦେବତୀ ମା’ ଭୁଆଷୁଣୀ।ବିରାଟ ଏକ ବରଗଛ ମୂଳେ ଛୋଟ ଚାନ୍ଦିନୀ ଟିଏ। ତା’ରି ଉପରେ ମାଆଙ୍କ ଆସ୍ଥାନ। ବର ଓହଳ ରେ ଛାଇ ହୋଇଛି ସ୍ଥାନ ଟି।କେଜାଣି କେଉଁ କାଳରୁ ଅଛି ଏଇ ବରଗଛ ଟି ଗାଁ ମୁଣ୍ଡରେ। ତା’ର ହିସାବ କେହି କହି ପାରନ୍ତି ନାହିଁ । କିନ୍ତୁ ମାଆ ଭୂଆଷୁଣୀ କେମିତି ଆସି ଏଠି ପ୍ରତିଷ୍ଠିତ ହେଲେ ସେ ବିଷୟରେ ନାନାଦି ଲୋକ କଥା ଶୁଣିବାକୁ ମିଳେ। କୃଷ୍ଣା ତା’ର ଜେଜେମା’ଙ୍କ ପାଖରୁ ଶୁଣିଥିଲା କାଳେ ଜଣେ ସିଦ୍ଧ ସାଧକ ଜଗନ୍ନାଥ ଦର୍ଶନ କରିବା ଲାଗି ଏଇ ବାଟ ଦେଇ ପୁରୀଧାମ ଯିବା ବାଟରେ ତାଙ୍କର ଶରୀର ଖୁବ୍ ଅସୁସ୍ଥ ହୋଇ ପଡିଲା ।ଭୀଷଣ ଜ୍ୱର ରେ ଅଚେତ ହୋଇ ଏଇ ବରଗଛ ମୂଳେ ସେ ପଡି ରହିଲେ। ରାତି ଅଧରେ ଜଣେ ସ୍ତ୍ରୀ ଲୋକ ଆସି ତାଙ୍କୁ ପାଣି ଛାଟି ଉଠାଇଲେ। ତାଙ୍କ ଦେହ ମୁଣ୍ଡ ଆଉଁସି ଦେଇ କହିଲେ “ ନେ । ନେ। ଏଇ ଭୋଗ କଦଳୀ ଟି ଖାଇ ଦେ । ଦେଖିବାକୁ ସକାଳ କୁ ତୋର ଶରୀର ସଂପୂର୍ଣ୍ଣ ଆରୋଗ୍ୟ ହୋଇଯିବ। ତୁ ଖୁସି ରେ ମହାପ୍ରଭୁ ଙ୍କୁ ଦର୍ଶନ କରିବାକୁ ଯିବୁ “। ନିଦ ମଳ ମଳ ହୋଇ ସାଧୁ ଜଣକ ସେଇ ଭୋଗ କଦଳୀଟି ଖାଇଦେଇ ପୁଣି ଶୋଇ ପଡିଲେ। ପରଦିନ ସକାଳୁ ଉଠି ଦେଖିଲା ବେଳକୁ ତାଙ୍କର ଶରୀର ସଂପୂର୍ଣ୍ଣ ଆରୋଗ୍ୟ ହୋଇଯାଇଛି । ସେ ଉଠି ପଡି ଚାରିଆଡକୁ ଆଖି ପକାଇ ଖୋଜିଲି ସ୍ତ୍ରୀ ଲୋକ ଜଣଙ୍କୁ।ହେଲେ ପାଇଲେନି । ସେଠି ଆଖପାଖରେ ଗାଁ ଗଣ୍ଡା ମଧ୍ୟ କିଛି ନଥିଲା । ସାଧୁ ଆଶ୍ଚର୍ଯ୍ୟ ହେଲେ ଜନମାନବଶୂନ୍ୟ ଏମିତି ଗୋଟିଏ ଅପନ୍ତରା ଯାଗାରେ ସ୍ତ୍ରୀ ଲୋକଟି କୁଆଡୁ ଆସିଲା ଆଉ ଅଯାଚିତ ଭାବରେ ତାଙ୍କର ସେବା ଶୁଶ୍ରୁଷା କରି ତାଙ୍କ ଦେହ ଭଲ କରି ଦେଲା । ତାଙ୍କର ହୃଦ୍ ବୋଧ ହେଲା ଯେ ନିଶ୍ଚୟ କୌଣସି ଐଶ୍ୱରିକ ଶକ୍ତି ଅଛି ଏଇ ବରଗଛ ମୂଳରେ ଯିଏ ତାଙ୍କର ଜୀବନ ରକ୍ଷା କରିଛି । ସେଇଠୁ ସାଧୁ ଜଣକ ଆଉ ଜଗନ୍ନାଥ ଦର୍ଶନ କରିବାକୁ ନଯାଇ ଆଖପାଖରେ ଥିବା ଗାଁର କିଛି ଲୋକଙ୍କୁ ମଧ୍ୟ ଡକାହକା କରି ସବୁ କଥା କହି ସାଥିରେ ଧରି ଆସି ସେଇ ଅପନ୍ତରା ଯାଗାରେ ପିଣ୍ଡି ଟିଏ ତିଆରି କରି ସେଇ ବଣଦେବୀ ଙ୍କୁ ସ୍ଥାପନା କରି ମା ଭୂଆଷୁଣୀ ନାମ ଦେଇ ପୂଜା ଆରାଧନା କଲେ। ସେଇ ଦିନଠାରୁ ମାଆ ସେଇ ପିଣ୍ଡି ରେ ପୂଜା ପାଇ ଆସୁଛନ୍ତି। ସାଧୁ ମହାତ୍ମା ଙ୍କର ଦେହାନ୍ତ ହୋଇଗଲାଣି କୋଉ କାଳରୁ। ହେଲେ ଗାଁ ଲୋକଙ୍କ ଭରସା ତୁଟିନି ମା’ଙ୍କ ଉପରୁ। ମା’ ଙ୍କର ପୂଜାର୍ଚ୍ଚନା ଚାଲିଛି ଗ୍ରାମବାସୀ ଙ୍କ ଦ୍ବାରା । ଗାଁ ର ପିଲା ଠାରୁ ବୁଢା ଯାଏଁ ସମସ୍ତେ ସେଇ ଭୁଆଷୁଣୀ ମା’ ଙ୍କୁ ଡାକ ପକାନ୍ତି ସବୁ ବିପଦ ଆପଦରେ।

କୃଷ୍ଣା ର ମାଆ ମରିଗଲା ପରେ ଲୋକମାନେ ତାକୁ କୋକେଇ ରେ ସଜେଇ । ଅହ୍ୟଡେଙ୍ଗୁରା ବଜେଇ ବଜେଇ। କାନ୍ଧରେ ବୋହି ନେଇ ଯାଇଥିଲେ ଏଇ ବାଟ ଦେଇ ଗାଁ ମଶାଣି କୁ। ପାଞ୍ଚ ବର୍ଷ ର କୃଷ୍ଣା ସେତେବେଳେ ବୁଝି ପାରିନଥିଲା ତା’ ମାଆ କାହିଁକି ଏମିତି ତଳେ ଶୋଇ ରହିଛି। ଡାକିଲେ ବି ଉଠୁନି। ତା’ ବାପା ସଦାନନ୍ଦ କାହିଁକି ଏମିତି ମୁଣ୍ଡ ପୋତି କାନୁଛି। କେବଳ ଏତିକି ଜଣାଥିଲା ଯେ ତା’ ମାଆ କାଳେ ଆଉ ମୋଟେ ସେ ନିଦରୁ ଉଠିବନି। ତା’ର ସାନ ଭଉଣୀ ଟିଏ ଜନ୍ମ କରି ସେ ମରିଯାଇଛି। ତା’ ସାଥିରେ ସେ ନାହିନାଡ ଲାଗିଥିବା ପିଲାଟି ମଧ୍ୟ ମରି ଯାଇଛି । ମାଆ ଆଉ କେବେ ବି ଉଠିବନି କି ତା’କୁ କୋଳରେ ବସେଇ ଗେଲ କରିବେନି। ତା’ ଚୁଟି ବାନ୍ଧି ଦେଇ ପାଉଡର କି ଟିକିଲି ଲଗେଇ “ ମୋ ରାଣୀ” ବୋଲି କହି ଛାତିରେ ଚାପି ଧରିବନି। ସେ ସବୁଦିନ ପାଇଁ ଚାଲିଯାଇଛି ଆକାଶ ରେ ତାରା ହେବା ଲାଗି। ସେ ସେଇଠି ରହି କୃଷ୍ଣା କୁ ଦେଖିବ କିନ୍ତୁ କୃଷ୍ଣା ଆଉ କେବେବି ତା’କୁ ଦେଖି ପାରିବନି। ତା’କୁ ଭାରି ରାଗ ଆସୁଥିଲା ଏଇ ଲୋକମାନଙ୍କ ଉପରେ। ତା’ ବାପା ଙ୍କ ଉପରେ। କାହିଁକି ସେଇ ଲୋକମାନଙ୍କୁ ସେ କିଛି କହୁନାହାଁନ୍ତି । ସେମାନେ ଟଣା ଓଟରା କରି ମାଆଙ୍କୁ ଦୁଆର ମଝିରେ ବସେଇ ନାନା ପ୍ରକାରେ ସଜବାଜ କରି। ନୂଆଲୁଗା ପିନ୍ଧେଇ କୋକେଇ ରେ ଶୁଆଇ ନେଇଗଲେ ଗାଁ ମଶାଣି କୁ। ତା’ ବାପା ଆଗରେ ଚାଲୁଥିଲେ ଖଇ କଉଡି ଆଉ ଖୁଚୁରା ପଇସା ବିଞ୍ଚି ବିଞ୍ଚି । ଗାଁର ପିଲାମାନେ ଧାଇଁ ଥିଲେ ସେମାନଙ୍କ ପଛରେ। ଗୋଟାଏ ପ୍ରତିଯୋଗିତା ଲାଗିଲା ଭଳି ସେଇ ଖୁଚୁରା ପଇସା କୁ ଗୋଟେଇବା ଲାଗି । ସେ ବି ଧାଇଁ ଥିଲେ ସେମାନଙ୍କ ସହିତ। ହେଲେ ଗାଁ ର କୁସୁମ ଦେଠେଇ ତା’କୁ ଧରି ପକାଇ ବାରଣ କରିଥିଲେ ସେ ପଇସା ଉଠାଇବା ପାଇଁ ।

କୋଳେଇ ନେଇ ଦି ଆଖିରୁ ଲୁହ ପୋଛି ଦେଇ ପାଖରେ ବସାଇଲେ । କହିଲେ ଆଜି ଠାରୁ ତୁ ମାଆ ଛେଉଣ୍ଡ ହେଲୁ ଲୋ ଧନ। ଆଉ ତୋ ମାଆକୁ ଖୋଜିବୁ ନାଇଁ । ତୋ ମାଆ ଆକାଶ ର ତାରା ହୋଇ ଯାଇଛି। ସେ ଆଉ ଏଠିକି ଆସି ପାରିବ ନାହିଁ ।ଏବେ ତୁ ତୋ’ ବାପାଙ୍କ ପାଖରେ ହିଁ ରହିବୁ। ସେ ଯାହା ଯେମିତି ଚଳେଇବେ ।ଚଳିବୁ । ଅଝଟ ହେବୁନି ।ସମୟ ବଡ ବଳବାନ୍ ଲୋ ଝିଅ। ତତେ ଆପେ ଆପେ ସବୁ ଶିଖାଇ ଦେବ। କୃଷ୍ଣା କିଛି ବୁଝି ପାରୁନଥିଲା। ତା’ ମୁଣ୍ଡ ରେ କିଛି ପଶୁନଥିଲା। କ’ଣ କହୁଛି କୁସୁମ ଦେଠେଇ ।ତେବେ ସେ ତାଙ୍କ ସ୍ୱର ରେ ଗୋଟିଏ ଅହେତୁକ ଦୁଃଖ ର ଛାୟା ଅନୁଭବ କରି ପାରୁଥିଲା । ଆଉ ଦି ଚାରିଜଣ ମାଇପି ମଧ୍ୟ ଆସି ଯୋଗଦେଇଥିଲେ କୁସୁମ ଦେଠେଇଙ୍କ ସାଥିରେ। କୁହାକୁହି ହେଉଥିଲେ “ ବିଚାରୀ କୃଷ୍ଣା ର ଭାଗ୍ୟ ଟା ଖରାପ। ପିଲାଟି ଦିନରୁ ମା’ କୁ ଖାଇଲା। ଭେଣ୍ଡିଆ ବାପ ଟା କେତେଦିନ ଏକା ଏକୁଟିଆ ଘର ଚଳେଇବ ଏଇ ବକଟେ ଝିଅ କୁ ଧରି । ହାତ କୁ ଦିହାତ ନହେଲେ ତା’ ଘର ଚଳିବ କିପରି? ବାପ ଝିଅ ଦିଇଟା ଫୁଟେଇବି ଖାଇବେ କେମିତି? କେଡେ ଗେଲବସରରେ ଯମୁନା ବଢେଇଥିଲା ଝିଅଟି କୁ ଆଉ ସାବତ ମାଆ ଟିଏ ଆସିଲେ କ’ଣ ହେବ କେଜାଣି ? ସବୁ କଥା ଶୁଣି ଶୁଣି କୃଷ୍ଣା ଡରି ଯାଉଥିଲା। ସେ ଭାବୁଥିଲା ଆଗକୁ କିଛି ସାଙ୍ଘାତିକ ବିପଦ ଆସୁଛି। ଯାହା ତା’କୁ ଭୟଭୀତ କରି ପକାଉଥିଲା । ସେ କୁସୁମ ଦେଠେଇଙ୍କ ହାତକୁ ଛିଞ୍ଚାଡି ଦେଇ ଦୌଡି ଦୌଡି ପଳେଇ ଗଲା ସେଇ ଗାଁ ମୁଣ୍ଡରେ ଥିବା ମାଆ ଭୁଆଷୁଣୀ ଙ୍କ ପିଣ୍ଡି ଉପରକୁ । ଆଜି ଯାଏ ସେ ଦେଖି ଆସୁଥିଲା ଗାଁ ରେ ଯାହାର ଯାହା ଅସୁବିଧା ହେଲେ ଏଇ ପିଣ୍ଡି ଉପରକୁ ଆସି ମା’ ଭୁଆଷୁଣୀ ଙ୍କୁ ଗୁହାରି କରନ୍ତି । ମା’ କୁଆଡେ ଭକ୍ତ ର କଷ୍ଟ ସହି ପାରନ୍ତି ନାହିଁ। ସେ ଯାହା ଯେମିତି କରି ତାଙ୍କୁ ବିପଦରୁ ଉଦ୍ଧାର କରନ୍ତି। ତେଣୁ ନିଜର ଦୁଃଖ ମା’ କୁ ଜଣେଇବା ଲାଗି ସେ ଆଜି ଛୁଟି ଆସିଛି ମା’ ପାଖକୁ ।ଦୁଇ ଆଖି ବନ୍ଦ କରି ହାତ ଯୋଡି ମା’ଙ୍କ ସାମନାରେ ଠିଆ ହେଲା କୃଷ୍ଣା । କ’ଣ କହିବ ନକହିବ କିଛି ତା’ ମୁଣ୍ଡ ରେ ପଶିଲାନି। ଖାଲି କହିଲା” ମୋ ମାଆ କୁ ଫେରେଇଦେ ମା’ । ତା’ ବିନା ମୁଁ ବଞ୍ଚି ପାରିବିନି “ । ଏତିକି କହି ନୀରବରେ ମା’ ଙ୍କ ମୁହଁ କୁ ଚାହିଁ ରହିଲା। ତା’ ଆଖି ରୁ ଧାର ଧାର ଲୁହ ବୋହି ଗାଲ ଉପର ଦେଇ ଜାମା ଓଦା ହେବାରେ ଲାଗିଲା । ସେମିତି କାନ୍ଦି କାନ୍ଦି ସେଇଠି ଶୋଇ ପଡିଲା ସେ।

ଶବ ସତ୍କାର କରି ଘରକୁ ଫେରି କୃଷ୍ଣା କୁ ଖୋଜିଲା ସଦାନନ୍ଦ । ଘରେ। ବାହାରେ। ଗୁହାଳ ରେ। ଖଳାରେ। ସବୁଆଡେ ଖୋଜି ପକାଇଲା। କୋଉଠି ନାହିଁ କୃଷ୍ଣା। ମନକୁ ପାପ ଛୁଇଁଲା। କୋଉଠି କିଛି ଅସୁବିଧା ହେଲା କି? ଝିଅଟା ତା’ମାଆକୁ ଧରି ଖୁବ୍ କାନ୍ଦି କାନ୍ଦି ଅଥୟ ହେଉଥିଲା ସେମାନେ ଶବ ନେଇ ଶ୍ମଶାନ କୁ ଗଲା ବେଳକୁ ।ଗାଁର ସ୍ତ୍ରୀ ଲୋକ ମାନେ ତା’କୁ ବୁଝାଶୁଝା କରୁଥିଲେ। ସଦାନନ୍ଦ ଙ୍କର ମନେ ପଡିଲା ତାଙ୍କ ଲେଖାଯୋଖା ରେ ଭାଉଜ ଲାଗିବେ କୁସୁମ ନୂଆ’ଉ । ସେଇ କୋଳରେ ଧରିଥିଲେ କୃଷ୍ଣା କୁ। ତା’ପର ଠାରୁ ସେ ଆଉ ଧ୍ୟାନ ଦେଇ ନାହାଁନ୍ତି କୃଷ୍ଣା ଉପରେ। ଦୌଡିଗଲେ ସଦାନନ୍ଦ କୁସୁମ ନୂଆଉ ଙ୍କ ପାଖକୁ । ପଚରାଉଚରା କରୁ କରୁ ଜାଣିଲେ ଯେ ସେମାନଙ୍କ ହାତ ଛାଟିଦେଇ ସେ ଧାଇଁ ପଳାଇଥିଲା ଗାଁ ମୁଣ୍ଡରେ ଥିବା ଭୁଆଷୁଣୀ ମା’ଙ୍କର ପିଣ୍ଡି ଆଡକୁ। ସେତିକି ବେଳୁ ଆଉ କେହି ଦେଖି ନଥିଲେ ତା’କୁ । ଧଇଁସଇଁ ହୋଇ ଧାଇଁଲେ ସଦାନନ୍ଦ ଗାଁ ମୁଣ୍ଡରେ ଥିବା ଭୁଆଷୁଣୀ ମା ଙ୍କ ପିଣ୍ଡି କୁ।ସେଇଠି ଦେଖିଲା ବେଳକୁ ନିସ୍ତେଜ ହୋଇ ପଡି ରହିଛି କୃଷ୍ଣା । ହାଲହୋଳି କରି କାନ୍ଦି ଉଠିଲେ ସଦାନନ୍ଦ । ମୋ ଝିଅ ର କ’ଣ ହେଲା। କ’ଣ ହେଲା ବୋଲି କୋଳରେ ଧରି ପାଣି ଛାଟି ସାଷ୍ଟମ କଲେ। ତାଙ୍କର ପାଟି ଶୁଣି ଗାଁ ର କିଛି ଲୋକ ଆସି ରୁଣ୍ଡ ହେଲେ ସେଠାରେ ।ଧରାଧରି କରି କୃଷ୍ଣା କୁ ଘରକୁ ଆଣି ସେବା ଶୁଶ୍ରୁଷା କରିବାର କିଛି ସମୟ ପରେ ଚେତା ଫେରିଲା କୃଷ୍ଣା ର। ମୋ ବୋଉ କୁଆଡେ ଗଲା। ତା’କୁ ଲୋକମାନେ କାହିଁକି ନେଇଗଲେ କହି ବୋବାଳି ଛାଡି ପୁଣି ମୂର୍ଚ୍ଛା ହୋଇଗଲା ସେ। ସଦାନନ୍ଦ କ’ଣ କରିବେ । କେମିତି ଝିଅ କୁ ଭଲ କରିବେ। କ’ଣ କହି ତା’କୁ ବୁଝେଇବେ କିଛି ଭାବି ପାରୁ ନଥାନ୍ତି । ଝିଅଟିକୁ କୋଳରେ ଧରି କାନ୍ଦୁ ଥାଆନ୍ତି । ସାହି ପଡିଶାଏ ଏକତ୍ରିତ ହେଲେ। ସଦାନନ୍ଦଙ୍କ ଏମିତି ଅବସ୍ଥା ଦେଖି ଆହାଃ ଚୁ ଚୁ କଲେ । ଗାଁର ମୁରବୀ ଶ୍ରେଣୀୟ ବ୍ୟକ୍ତି ମାନେ କହିଲେ ମାଆକୁ ହରେଇ ଝିଅ ଟା ଭାଙ୍ଗି ପଡିଛି । ଛୋଟ ପିଲା। ଏତେ ବଡ ଧକ୍କା ସମ୍ଭାଳି ପାରୁନି । ସଦାନନ୍ଦ ତ କାମକାଯି ଲୋକ। ଦିନେ କାମକୁ ନ ଗଲେ ହାଣ୍ଡି ଚୁଲି ଉପରକୁ ଯିବନି। କେମିତି ସମ୍ଭାଳିବ ସଂସାର । ବରଂ ପ୍ରଥା ଅନୁଯାୟୀ ସେ ତା’ର ସ୍ତ୍ରୀ ର କ୍ରିୟା କର୍ମ ସରିଲା ପରେ ଦ୍ୱିତୀୟ ବିବାହ କରୁ । ଆମେ ସବୁ ବୁଝାବୁଝି କରି ପାଖ ଆଖ ଗାଁ ରୁ ଝିଅ ଟିଏ ଦେଖି ତା’କୁ ହାତକୁ ଦିହାତ କରିଦେବା । ସ୍ତ୍ରୀ ଲୋକଟି ଆସିଗଲେ ସଦାନନ୍ଦ ର ଘର ଆଉ ତା’ ଝିଅ ଉଭୟଙ୍କୁ ରକ୍ଷଣାବେକ୍ଷଣ କରିବ ।

ସଦାନନ୍ଦ ବି ଭାବି ଦେଖିଲେ । କଥା ଟି ଠିକ୍ । ସିଏ ଏକୁଟିଆ ଲୋକ କାମକୁ ଯିବେ ନା ଝିଅ କୁ ଧରି ଘରେ ବସିବେ ? ଆଜି କାଲି ଯେଉଁ ପରିସ୍ଥିତି ଛୋଟିଆ ଝିଅ ଟି କୁ ମଧ୍ୟ ଘରେ ଏକା ଏକୁଟିଆ ଛାଡି ଦେଇଯିବା ବିପଜ୍ଜନକ । ବାହାରକୁ ନ ଗଲେ ସେ ଖାଇବେ କ’ଣ। କୃଷ୍ଣା କୁ ଖୁଆଇବେ କ’ଣ ? ଘର ଚଳିବ କେମିତି? ଖଟିଖିଆ ଘରେ ତ କାନ୍ଧ ଅଲଗୁଣି। ପେଟ ଅମାର । କୋଉ ବଳକା ଅଛି ଯେ ବର୍ଷେ ଛଅ ମାସେ ଚଳି ଯିବେ । ସବୁ ଆଡକୁ ଭାବିଚିନ୍ତି ସେ ଗାଁ ମୁରବୀ ମାନଙ୍କୁ ସମ୍ମତି ଦେଲେ ଦ୍ୱିତୀୟ ବିବାହ ପାଇଁ । ଯମୁନା ଙ୍କ କ୍ରିୟା କର୍ମ ସରିଲା ର ପାଞ୍ଚ ଦିନ ପରେ ପାଖ ଗାଁ ର ଝରି ଖଟୁଆ ଙ୍କ ଝିଅ ସୁଲୋଚନା ସହିତ ଗାଁ ମନ୍ଦିର ରେ ଦ୍ୱିତୀୟ ବିଭାଘର ହୋଇଗଲା ସଦାନନ୍ଦ ଙ୍କର। ସୁଲୋଚନା ବାପଘରୁ ଦାରୁଣ ଅଭାବ ଅନାଟନ ଭିତରେ ପେଷି ହୋଇ ଥିଲା ।ନିଜର ସାତୋଟି ସାନ ସାନ ଭାଇ ଭଉଣୀ ମାନଙ୍କୁ ପାଳିପୋଷି ବଢେଇଥିଲା। ତେଣୁ ସେ ସମସ୍ତଙ୍କ କଥା ମାନି କୃଷ୍ଣା କୁ ନିଜର ଝିଅ ଭାବରେ ଆନନ୍ଦ ରେ ଗ୍ରହଣ କରି ନେଲା। ସଦାନନ୍ଦ ଦିନ ମଜୁରୀ ଲାଗି ଯାହା ଆଣୁଥିଲେ ସେଥିରେ ତିନି ପ୍ରାଣୀ କୁଟୁମ୍ବ ଖୁବ୍ ଖୁସି ରେ ଚଳୁଥିଲେ। କୃଷ୍ଣା କୁ ସ୍ନେହ ଆଦରରେ ଆପଣେଇ ନେଇଥିଲା ସୁଲୋଚନା ।ଧୀରେ ଧୀରେ ନିଜର ମାଆକୁ ଭୂଲି କୃଷ୍ଣା ଆଦରି ନେଇଥିଲା ସୁଲୋଚନା କୁ। ସଦାନନ୍ଦ ମାଆ ଝିଅ ଙ୍କର ଏମିତି ସ୍ନେହ ଭାବ ଦେଖି ମନରେ ଖୁବ୍ ଖୁସି ହେଉଥିଲେ ଏବଂ ସୁଲୋଚନା ପ୍ରତି ତାଙ୍କର ସ୍ନେହଭାବ ବଢି ବଢି ଚାଲିଥିଲା ।

କଥାରେ ଅଛି ସବୁବେଳେ ସବୁ ସୁଖ ଦଇବ ସହେନା। କୃଷ୍ଣା କୁ ଆଠ ବର୍ଷ ହେଲା ବେଳକୁ ସୁଲୋଚନା ପୁତ୍ର ସନ୍ତାନ ଟିଏ ଜନ୍ମ ଦେଲା ।ବାପା ସଦାନନ୍ଦ ଆଉ ମାଆ ସୁଲୋଚନା ଙ୍କର ସବୁ ସ୍ନେହ ଆଦର ଅଜାଡି ହୋଇ ପଡିଲା ପୁଅ ଉପରେ । କୋମଳମତି ଶିଶୁ କୃଷ୍ଣା ଭାବିଲା ବାପା ମାଆ ତା’କୁ ଆଉ ଆଗଭଳି ଭଲ ପାଉ ନାହାଁନ୍ତି । କାରଣ ଦିନରାତି ଚବିଶିଘଣ୍ଟା ମାଆ ସହିତ ଯୋଡି ହୋଇ ରହୁଥିବା କୃଷ୍ଣା କୁ ଆଉ ସେତିକି ସମୟ ଦେଇ ପାରୁନଥିଲା ସୁଲୋଚନା । ସଦାନନ୍ଦ ବି ପୁଅ ହେବା ପରେ ଆଗଭଳି କାମରୁ ଆସି କୃଷ୍ଣା କୁ ଧରି ଗେଲ କରି ପକାଉନଥିଲା । ସେ ଆଗ ପୁଅ କୁ ଧରି ଗେଲ କରୁଥିଲା। ପୁଅ ପାଇଁ ନୂଆ ନୂଆ ଖେଳନା ସବୁ ଆଣୁଥିଲା। କୃଷ୍ଣା ର ଛୋଟ ମୁଣ୍ଡରେ କେମିତି ଗୋଟାଏ ଅଲଗା ଅସହିଷ୍ଣୁ ଭାବ ବସା ବାନ୍ଧୁଥିଲା ସାନ ପୁଅଟି ବିରୁଦ୍ଧରେ ।ଏବେ ସେ ଚାହିଁଲେ ବି ତା’କୁ ପୂର୍ବବତ୍ ସ୍ନେହ ଆଦର କରି ପାରୁନଥିଲା । ମନେ ମନେ ଭାବୁଥିଲା ସେ ତା’ର ଶତ୍ରୁ ବୋଲି।ଅଯଥାଟାରେ ଆସି ତା’ ସ୍ନେହରେ ଭାଗ ବସାଉଛି ବୋଲି। ଦିନ କୁ ଦିନ ଅଝଟିଆ ହୋଇ ଉଠୁଥିଲା କୃଷ୍ଣା । କେବେ କେବେ ଲୁଚି ଲୁଚି କୁନି ପୁଅର ଖେଳନା ସବୁ ନେଇ ଭାଙ୍ଗି ଫୋପାଡି ଦେଉଥିଲା । ପୁଅ କୁ ଚୁମୁଟାଚୁମୁଟି କରି ଦେଉଥିଲା। ଆଉ ଧରା ପଡିଗଲା ବାପା ମାଆଙ୍କ ଠାରୁ ମାଡ ବି ଖାଉଥିଲା। ମାଡ ଖାଇବା ପରେ ଆହୁରି ଅଧିକ ରାଗ ଆସୁଥିଲା କୃଷ୍ଣା ର ମନରେ। ନିଜ ମନର କୋହ କୁ ଛାତି ଭିତରେ ଚାପି ରଖି ସେ ଘୃଣା କରିବା ଲାଗି ଆରମ୍ଭ କରିଥିଲା ସାନ ଭାଇ ସରୋଜ କୁ । କୃଷ୍ଣା କୁ ଥରେ ଦି ଥର ବୁଝେଇବାକୁ ଚେଷ୍ଟା କରିଥିଲେ ସଦାନନ୍ଦ ଆଉ ସୁଲୋଚନା କିନ୍ତୁ କୃଷ୍ଣା ର ମନରେ ବାନ୍ଧି ରହିଥିବା ଘୃଣା ବଢି ବଢି ଚାଲିଥିଲା ସିନା କମିବାର ନାଁ ନେଉନଥିଲା । ଏବେ ସବୁ କଥାରେ ସେ ଜିଦ୍ ଧରୁଥିଲା। ତା’ର ଏମିତି ଜିଦ୍ ଯୋଗୁଁ ଖୁବ୍ ମାଡ ବି ଖାଉଥିଲା ସୁଲୋଚନା ଠାରୁ । ଧୀରେ ଧୀରେ ସୁଲୋଚନା ମଧ୍ୟ ବିରକ୍ତ ହୋଇଯାଉଥିଲା କୃଷ୍ଣା ର ଏମିତି ବ୍ୟବହାର ରେ। ପ୍ରତ୍ୟେକ ଦିନ କାମରୁ ଫେରିବା ବେଳକୁ ଘରେ ଖିଟଖାଟ୍ ଲାଗିଥିବା ଦେଖି ସଦାନନ୍ଦ କେବେ ସୁଲୋଚନାଙ୍କ ଉପରକୁ ତ କେବେ କୃଷ୍ଣା ଉପରକୁ ହାତ ଉଠେଇବାକୁ ପଛାଉନଥିଲା।ଏମିତି ରେ ବିତିଗଲା ତିନି ଚାରି ବର୍ଷ ।

ସେ ବର୍ଷ ଦୋଳ ପୂନେଇଁ କୁ ସୁଲୋଚନା ର ଗାଁ ସଂପର୍କରେ ଭଉଣୀ ଜଣେ ଶକୁନ୍ତଳା। ବହୁତ ଦିନ ପରେ ତାଙ୍କର ପରିବାର ଧରି ଆସିଥିଲେ ଗାଁ କୁ। ଖୋଜାଲୋଡା କରି ସୁଲୋଚନା କୁ ଦେଖିବାକୁ ଆସିଲେ ତାଙ୍କ ଘରକୁ ସ୍ୱାମୀ, ସ୍ତ୍ରୀ ଆଉ ଛୋଟ ପୁଅ ଟିଏ । ଖୁବ୍ ସ୍ନେହ ଶ୍ରଦ୍ଧା ରେ ବାନ୍ଧି ପକେଇଲେ ସଦାନନ୍ଦଙ୍କର ପରିବାରକୁ। ତାଙ୍କର ଝିଅ ନାହିଁ ବୋଲି କୃଷ୍ଣାକୁ ସ୍ନେହ ଆଦରରେ ପୋତି ପକାଇଲେ । ବହୁତ ଦିନ ହେବ ମାତୃସ୍ନେହ ରୁ ବଞ୍ଚିତ ହୋଇ ରହିଥିବା କୃଷ୍ଣା ବି ଖୁବ୍ ମିଳିମିଶି ଗଲା ସେମାନଙ୍କ ସହିତ ।

ସୁଲୋଚନା ର ଭଉଣୀ ଶକୁନ୍ତଳା ଆଉ ତା’ର ସ୍ୱାମୀ ଦିବାକର ଦୁଇ ଜଣ ଯାକ ଦଣ୍ଡେ ହେଲେ ପାଖଛଡା କରୁ ନଥିଲେ କୃଷ୍ଣାକୁ । ଶକୁନ୍ତଳା କେତେବେଳେ ନୂଆ ରିବନ କିଣି ଆଣି ମୁଣ୍ଡ କୁଣ୍ଡାଇ ବେଣୀ ବାନ୍ଧି ଦେଉଥିଲା ତ କେତେବେଳେ ନୂଆଚୁଡି। ନେଲ୍ ପଲିସ୍ ଲଗେଇ ସଜବାଜ କରିଦେଉଥିଲା । ଦିବାକର କେତେବେଳେ ତା’କୁ ଚକୋଲେଟ୍ ଟିଏ ଆଣି ଦେଉଥିଲା ତ କେବେ ସୁଆଦିଆ ବିସ୍କୁଟ । କୃଷ୍ଣା କୁ ଖୁବ୍ ଭଲ ଲାଗୁଥିଲା । ଯେଉଁ ସାତ ଆଠ ଦିନ ସେମାନେ ତାଙ୍କ ଘରେ ରହିଲେ କୃଷ୍ଣା ଆଉ ତାଙ୍କ ପାଖ ଛାଡିଲାନି। ଆଗଭଳି ଜିଦ୍ କରୁନଥିଲା କି ସବୁ କଥାରେ ଅମାନିଆଁ ହେଉନଥିଲା। ତା’ର ଏମିତି ପରିବର୍ତ୍ତନ ଦେଖି ସୁଲୋଚନା କହୁଥିଲା ଶକୁନ୍ତଳା କୁ “ ସିଏ ତତେ ଭଲ ଆଦରି ଗଲାଣି ଲୋ ନାନୀ । ନେଇଯା ତା’କୁ ଝିଅ କରି ରଖିବୁ। ତୋ’ର ତ ଝିଅ ନାହିଁ। ନନାଙ୍କର ତ ଭଲ ରୋଜଗାର। ପାଠଶାଠ ପଢେଇ ବାହା ଶାହା କରିଦେବେ। ଏଠି ଆମ ନିଅଣ୍ଟିଆ ଘରେ ରହିଲେ କଅଣ ପାଇବ ସେ । ସ୍କୁଲ୍ ଯିବାକୁ ହଜାରେ ନଖରା କାଢି ନୟାନ୍ତ କରୁଛି ମତେ। ଟିକିଏ ପୁଅକୁ ଧରି ଥା କହିଲେ ଚୁମୁଟାଚୁମୁଟି କରୁଛି ନହେଲେ ଠେଲାପେଲା କରି ପକାଇ ଦେଉଛି । ଭାରି ହଇରାଣ ହରକତ କଲାଣି ମତେ । ତା’ ବାପା ବି ବିଜାର ହେଇ ଗଲେଣି ୟା’ର ରଙ୍ଗଢଙ୍ଗ ଦେଖି । ମାଆ କିଏ ମାଉସୀ କିଏ?ସେ ତୋ ପାଖରେ ରହିଲେ ମୋ ପାଖରେ ରହିଲା ଭଳି “। କିଛି ଉତ୍ତର ଦେଲାନି ଶକୁନ୍ତଳା। ଖାଲି ମୁଣ୍ଡ ହଲେଇ ସମ୍ମତି ଜଣାଇଲା । ଥରେ ମୁଣ୍ଡ ଉଠାଇ ଚାହିଁଲା ପାଖରେ ଖେଳୁଥିବା କୃଷ୍ଣା କୁ । ଆଠ ଦିନ ତଳର ସେ ଉଦାସୀନତା ଆଉ ନାହିଁ ତା’ ପାଖରେ । ଡଉଲଡାଉଲ ହୋଇ କଣ୍ଢେଇ ଟେ ଭଳି ଦିଶୁଥିଲା କୃଷ୍ଣା। ଏମାନଙ୍କ କଥାବାର୍ତ୍ତା ଶୁଣି ସେ ତାଳି ମାରି ନାଚି ଉଠିଲା “ ହଁ ହଁ ମୁଁ ମାଉସୀ ସାଙ୍ଗରେ ଯିବି। ବଢିଆ ମଜା ହେବ। ମାଉସୀ ଗେଲ କରିବେ। ମଉସା ଚକୋଲେଟ୍ ଦେବେ। ଆଉ ତୁ କି ବାପା ମାରି ପାରିବନି ମତେ। ମୁଁ ସେଇଠି କାହ୍ନୁ ସାଙ୍ଗରେ ଖେଳିବି। ତୁ ଏଇଠି ବାବୁଲା କୁ ଧରି ଏକା ରହିଥା “ । ରାତିରେ ସଦାନନ୍ଦ କାମରୁ ଫେରିବାରୁ ତା’କୁ ସବୁ କଥା କହିଲା ସୁଲୋଚନା । ପ୍ରଥମରୁ ନାହିଁ। ନାହିଁ କରୁଥିଲେ ମଧ୍ୟ ସୁଲୋଚନା ର ବାରମ୍ବାର ଦେଖାଇଥିବା ପ୍ରଲୋଭନ ରେ ଶେଷକୁ ରାଜି ହୋଇଗଲା ସଦାନନ୍ଦ । କଥା ହେଲା କୃଷ୍ଣା ଯିବ ଶକୁନ୍ତଳା ସହିତ ଝାନସୀ । ଯେଉଁଠି ଦିବାକର ପାଇପ୍ ମିସ୍ତ୍ରୀ ଭାବରେ କାମ କରି ରହିଆସୁଛି ଦୀର୍ଘ ଦିନ ଧରି । ପରେ ସୁବିଧା ସୁଯୋଗ ଦେଖି ସଦାନନ୍ଦ ପାଇଁ ମଧ୍ୟ କାମଟିଏ ବୁଝାବୁଝି କରି ଖବର ପଠାଇଲେ। ଏଠୁ ସଦାନନ୍ଦ ସପରିବାର ଯିବ ଝାନସୀ । ଦୁଇ ଭଉଣୀ ସେଇଠି ସାଥୀ ହୋଇ ରହିବେ । ସବୁ ଦାୟିତ୍ଵ ନେବ ଦିବାକର । ସେତେଦିନ ଯାଏଁ କୃଷ୍ଣା ଶକୁନ୍ତଳା ର ଝିଅ ହୋଇ ରହିବ ।ତାଙ୍କରି ପାଖରେ। କୃଷ୍ଣା ର ମନ ଭାରି ଖୁସି। ସେ ବିଦେଶ ଯିବ ମାଉସୀ ସାଙ୍ଗରେ। ଭଲ ଖାଇବା। ଭଲ ନାଇବ। ଖୁସି ରେ ରହିବ।

ଯିବା ଦିନ ସକାଳୁ ଗାଧୁଆପାଧୁଆ କରି ଆଗ ଧାଇଁ ଗଲା ଗାଁ ମୁଣ୍ଡରେ ଥିବା ଭୁଆଷୁଣୀ ମା ଙ୍କର ପିଣ୍ଡି ଆଡକୁ । ମୁଣ୍ଡିଆ ଟେ ମାରି ଜଣେଇ ଦେଲା “ ମା’ ଲୋ ! ତୁ ତ ପିଲାବେଳୁ ମୋ’ ମାଆକୁ ନେଇ ତାରା କରିଦେଲୁ। ଆଉ ଗୋଟିଏ ଭଲ ମାଆ ଦେଇଥିଲୁ ଯେ ସେ ତା’ର ପୁଅ ଆସିବାରୁ ଖରାପ ମାଆ ହୋଇଗଲା। ମତେ ବାପା ବି ଆଉ ଗଲେ କଲେନି ହେଲେ ଏଇ ଯେଉଁ ନୂଆ ମାଉସୀ ଟି କୁ ଦେଇଛୁ ମତେ। ତା’କୁ ଆଉ ଖରାପ କରିବୁନି। ସେ ମାଉସୀ ମତେ ଭାରି ଭଲ ପାଏ ଆଉ ମଉସା ବି ଖୁବ୍ ସ୍ନେହ ଶ୍ରଦ୍ଧା କରନ୍ତି। ମୁଁ ତାଙ୍କରି ସାଥିରେ ଯାଉଛି ରହିବା ପାଇଁ । ତୁ ସେମାନଙ୍କୁ ଭଲରେ ରଖିଲେ ସେମାନଙ୍କ ପାଖରେ ମୁଁ ଭଲରେ ରହିବି”। ଖୁସି ମନରେ ସମସ୍ତଙ୍କଠାରୁ ବିଦାୟ ନେଇ ଚାଲିଗଲା କୃଷ୍ଣା ଶକୁନ୍ତଳା ସାଥିରେ। ଆସିଲାବେଳେ ସଦାନନ୍ଦ ସାଥିରେ ଆସିଥିଲା ଷ୍ଟେସନ୍ ଯାଏଁ ବଳେଇଦେବା ପାଇଁ । ଗାଡିରେ ବସିଲା ବେଳେ ବାପା ର ଆଖି ଲୁହରେ ଛଳ ଛଳ ହୋଇ ଉଠୁଥିବା ଦେଖି ତା’କୁ ଜାବୁଡି ଧରି ଗେଲ କରି ପକେଇଥିଲା କୃଷ୍ଣା। କହିଥିଲା “ କାହିଁକି କାନ୍ଦୁଛ ବାପା! ମୁଁ ମୋଟେ ମାଉସୀ ପାଖରେ ଅମାନିଆ ହେବିନି କି ଜିଦ୍ କରିବିନି। ସୁନାପିଲା ହୋଇ ରହିବି। ତମେ ଦେଖିବନି। ମୋଟେ ଦୁଷ୍ଟାମୀ କରିବିନି। ପାଠ ପଢିବି। ତମେ ମାଆକୁ ନେଇ ଶୀଘ୍ର ଆସିବ। ଆମେ ସମସ୍ତେ ପୁଣି ଏକାଠି ରହିବା “ । କଥା ସରିବା ବେଳକୁ କୃଷ୍ଣା ର ନିଜ ଗଳା ଟା ବି ଭାରି ହୋଇ ଉଠୁଥିଲା ।ତା’ ସାନ ସାନ ଆଖି ଦୁଇଟା ଲୁହରେ ଭିଜି ସାରିଥିଲା । ଟ୍ରେନ୍ ଚାଲିବାକୁ ଆରମ୍ଭ କରିଥିଲା ତା’ର ଗନ୍ତବ୍ୟ ପଥରେ ।ଜୀବନରେ ପ୍ରଥମ ଥର ପାଇଁ ଟ୍ରେନ୍ ରେ ବସିଥିଲା କୃଷ୍ଣା। ଭାରି ଡର ଲାଗୁଥିଲା ତା’କୁ । ବଗି ହଲିଲେ ତା’କୁ ଲାଗୁଥିଲା କି ସେ ପଡିଯିବ । ସେଥିପାଇଁ ସେ ଜୋର୍ ଜୋରରେ ଭିଡି ଧରି ଥିଲା ଶକୁନ୍ତଳା ମାଉସୀ କୁ। ଧୀରେ ଧୀରେ ସହଜ ହୋଇଥିଲା ସେ। ମଝିରେ ମଝିରେ ମଉସା ଉଠିଯାଇ ବାଦାମ ଭଜା ।କୁରକୁରି କିଣି ଆଣି ଦେଉଥିଲେ। ଭାରି ଭଲ ଲାଗୁଥିଲା ତା’କୁ । ଖିଆ ପିଆ କରି କରି ଭୟ କଟି ଯାଇଥିଲା କୃଷ୍ଣା ର।

ନିଦ ଲାଗିବାରୁ ନିଜ ପାଖରେ ଶୁଆଇ ପକେଇଲେ ମାଉସୀ । ଦୁଇ ଦିନର ଯାତ୍ରା ପରେ ସେମାନେ ଟ୍ରେନ୍ ରୁ ଓହ୍ଲାଇ ଥିଲେ। ମଉସା ଅଟୋରିକ୍ସା ଟିଏ ଡାକି ସାମାନ ପତ୍ର ଲଦାଲଦି କରିବା ପରେ ଅଟୋ ଡ୍ରାଇଭର ତାଙ୍କୁ ନେଇ ଛାଡି ଦେଲା ଗୋଟିଏ ଘର ପାଖରେ । ବାପାରେ! କେତେ ଲୋକ। କେତେ ଦୋକାନ ବଜାର ସେଠି । ଗାଁ ବାହାରେ କେବେବି ପାଦ ରଖିନଥିବା କୃଷ୍ଣା କୁ ଖାଲି ଯାଦୁକରୀ ଭଳିଆ ଲାଗୁଥାଏ । ସେଠାରେ ଯାଇ ଘରଟି ଭିତରେ ଗାଧୁଆପାଧୁଆ କରି ଖିଆପିଆ କଲେ । ମାଉସୀ ଆଉ ପିଲା ମାନଙ୍କୁ ଛାଡି ଦେଇ ମଉସା ବାହାରି ଗଲେ ବାହାରକୁ । ଫେରିଲେ ଯାଇ ରାତିରେ । କୃଷ୍ଣା ୟା ଭିତରେ ଦଶ ଥର ଖଣ୍ଡେ ମାଉସୀ ଙ୍କୁ ପଚାରି ସାରିଥିଲା ମଉସା କୁଆଡେ ଗଲେ ବୋଲି । ମାଉସୀ ଉତ୍ତର ଦେଉଥିଲା ସେ କାମରେ ଯାଇଛନ୍ତି ।

ଏମିତି ରେ ବିତିଗଲା ତିନି ଚାରି ଦିନ । ଏଠି କିନ୍ତୁ କୃଷ୍ଣା ଘର ଭିତରେ ଚୁଲ୍ଲୀ ଟିଏ ଦେଖି ପାରୁନଥିଲା । ସକାଳେ। ଖରାବେଳେ। ସନ୍ଧ୍ୟା ସମୟରେ ।ରାତିରେ । ଚାରି ବେଳା ଯାକ ମଉସା ଜରି ପୁଡିଆ ମାନଙ୍କରେ ଖାଦ୍ୟ ଆଣି ଆସୁଥିଲେ ଆଉ ମାଉସୀ ସେମାନଙ୍କୁ ସେଇ ଘରେ ହିଁ ଖାଇବାକୁ ଦେଉଥିଲା । ସୁନ୍ଦର ସୁନ୍ଦର ସୁସ୍ୱାଦୁ ଖାଦ୍ୟ । ଖୁବ୍ ଭଲ ଲାଗୁଥିଲା କୃଷ୍ଣା କୁ। ହେଲେ ଗୋଟିଏ କଥା ତା’କୁ ଅଡୁଆ ଲାଗୁଥିଲା ଯେ ମାଉସୀ ନିଜେ ଘର ବାହାର କୁ ଯାଉନଥିଲା କି ସେମାନଙ୍କୁ ବି ଯିବାକୁ ଦେଉନଥିଲା। କହୁଥିଲା “ ଏଠାରେ ସବୁ ବଦମାସ ଲୋକ ଅଛନ୍ତି। ସେମାନେ ପିଲାଚୋର। ଘରୁ ବାହାରିଲେ କିଏ କାଳେ ଧରି ନେଇଯିବେ । ସେଇଥିପାଇଁ ଘର ଭିତରେ ଥିବୁ। ମୋଟେ ବାହାରକୁ ଯିବୁନି । କୃଷ୍ଣା ର କିନ୍ତୁ ଭାରି ଇଚ୍ଛା ସେ ଟିକିଏ ବାହାରେ ବୁଲି ଆସନ୍ତା। ଗାଁ ରେ ଥିଲାବେଳେ କେତେ ବୁଲୁଥିଲା ଘର ଘର, ସାଇ ସାଇ, ନଦୀକୂଳ, ଆମ୍ବତୋଟା ସବୁ ଆଡେ। କିଛି ବାରଣ ନଥିଲା। ହେଲେ ଏଠି ଘରଟିରେ ବସି ବସି ବିରକ୍ତ ଲାଗିଲେ ମଧ୍ୟ କିଛି ଉପାୟ ନାହିଁ ।ମନକୁ ବୁଝେଇ ପୁଣି ଶକୁନ୍ତଳା ମାଉସୀ ପାଖରେ ବସି ଗପରଗପର ହେବାକୁ ଲାଗିଲା ସେ। ସେଦିନ ରାତିରେ ମଉସା ଫେରିଲେ ଟିକିଏ ଡେରି କି । ମାଉସୀ ସାଙ୍ଗରେ କ’ଣ ସବୁ ଚୁପ୍ ଚାପ୍ କଥା ହେଲେ । ଖାଇବା ଜିନିଷ ରଖିଦେଇ ପୁଣି ବାହାରି ଗଲେ ବାହାରକୁ । ମାଉସୀ ସହିତ ଖିଆ ପିଆ ସାରି ବିଛଣା କୁ ଗଲା କୃଷ୍ଣା । କେତେ ରାତି ହେବ କେଜାଣି ଜୋର୍ ଗୋଟାଏ ହୋ। ହଲ୍ଲା ସହିତ ଲୋକ ମାନଙ୍କର ଦୌଡାଧାପଡା ର ଶବ୍ଦ ରେ ନିଦ ଭାଙ୍ଗିଗଲା କୃଷ୍ଣା ର। ଆଖି ମଳି ମଳି ବିଛଣା ଉପରେ ଧଡ୍ କିନା ଉଠି ବସିଲା ସେ। ଦେଖିଲା। ଘର ର କବାଟ ଖୋଲା ଅଛି। ମଉସା ଧାଇଁଛନ୍ତି ଆଗରେ। ମାଉସୀ କାଖରେ ପୁଅ ଟିକୁ ଧରି ଘରୁ ବାହାରକୁ ଧାଉଁଛି। କୃଷ୍ଣା ତରବର ହୋଇ ଉଠିପଡି ଧାଇଁଲା ସିଆଡେ ତାଙ୍କ ପଛରେ । ତା’ର ମନେ ହେଉଥିଲା ଯେ ଏଠି କୋଉଠି କାହା ଘରେ ନିଆଁ ଲାଗି ଯାଇଛି ବୋଧହୁଏ। ସେଥିପାଇଁ ଲୋକମାନେ ନିଜର ପ୍ରାଣ ବଞ୍ଚାଇବାକୁ ଧାଇଁ ପଳାଇ ଯାଉଛନ୍ତି । ସେ ବି ଧାଇଁଲା ଆଗକୁ ପ୍ରାଣମୂର୍ଚ୍ଛା। ମାଉସୀ, ମାଉସୀ ଚିତ୍କାର କରି କରି।କେତେ ସମୟ ଆଉ କେତେ ବାଟ ଯେ ସେ ଧାଇଁ ପଳାଇଥିଲା ସେ କଥା କୃଷ୍ଣା ର ଖିଆଲ ନାହିଁ । ଦୌଡି ଦୌଡି ପାଦ ଦୁଇଟି କରି ପଡିଲାରୁ ଅଟକିଲା ସେ। ଆଗକୁ ଚାହିଁଲା। ମାଉସୀ କୋଉଠି ଦିଶୁନି। ସେ ‘ତ ଘରୁ ବାହାରି ମାଉସୀ ପଛେ ପଛେ ହିଁ ଧାଇଁ ଥିଲା । ଏବେ ମାଉସୀ ଗଲା କୁଆଡେ? ଶୋଷ ରେ ତଣ୍ଟି ଅଠା ଅଠା ହୋଇ ଯାଉଥିଲା। ପାଦ ଦୁଇଟି ରାସ୍ତା ଉପରେ ଲାଖି ଯାଇଥିଲା। ଦେହରେ ଆଉ ବଳ ନଥିଲା ଚାଲିବାକୁ । ପ୍ରାଣ ବିକଳରେ ସେ ଡାକ ପକାଇଲା “ ମାଉସୀ, ମାଉସୀ,ମାଉସୀ” ତା’ ଆଖିରେ ଅନ୍ଧାର ଘୋଟିଗଲା। ସେଇଠି ଟଳି ପଡିଲା ସେ ।

ତା’ର ଚେତନା ଫେରିଲା ବେଳକୁ ପର ଦିନ ସକାଳ । ଆଖି ମିଟି ମିଟି କରି ଚାହିଁ ଦେଖିଲା ତା’ ଚାରି ପଟେ ଲୋକ ଗଦା ହୋଇ ରହିଛନ୍ତି। ଏଇଟା କୋଉ ଜାଗା? ମାଉସୀ କାଇଁ? ବୋଲି ହାଉଳି ଖାଇ କାନ୍ଦି ଉଠିଲା । ଲୋକମାନେ ପରସ୍ପର ମଧ୍ୟରେ କ’ଣ ସବୁ କଥାବାର୍ତ୍ତା କରୁ ଥାଆନ୍ତି ସେ ବୁଝି ପାରୁ ନ ଥାଏ। ସେମାନେ ଯେଉଁ ଭାଷାରେ କଥାବାର୍ତ୍ତା କରୁଥାଆନ୍ତି ତା’ ମୁଣ୍ଡ ରେ ସେଗୁଡିକ ଢୁକୁ ନଥାଏ । ଇଆଡେ ସିଆଡେ ଅନେଇଲା ସିଏ ମଉସା, ମାଉସୀ, କାହ୍ନୁ କେହି ଜଣେ ହେଲେ ଦିଶୁ ନାହାଁନ୍ତି। ଖୁବ୍ ଭୟ ଲାଗିଲା ତା’କୁ । କାରଣ ସେଇ ମାନଙ୍କ ଛଡା ଏଠି ଆଉ କେହି ନାହାଁନ୍ତି ତା’ର । ବିକଳରେ ସେ ଚିତ୍କାର କରି ଉଠିଲା ମୋ ବାପା ! ମାଆ ! ମାଆ ଭୁଆଷୁଣୀ ! ତା’ ପାଟିରୁ ଓଡିଆ ଭାଷା ଶୁଣି ଭିଡ କାଟି ଜଣେ ବୟସ୍କ ଲୋକ ତା’ ପାଖକୁ ଆସିଲେ । ତା’ର ମୁଣ୍ଡ ଆଉଁସି ଦେଇ ଓଡିଆରେ କହିଲେ ମାଆର । ତୋର ଘର କେଉଁଠି ? । ଧୋତି ପିନ୍ଧା ସେଇ ବୁଢା ଲୋକଟିକୁ ଦେଖି ଆଉ ତାଙ୍କ ଆଶ୍ୱାସନାଭରା କଥା ଶୁଣି କେହି ଆପଣାର ଲୋକ ଭାବି ତାଙ୍କୁ କୁଣ୍ଢେଇ ପକାଇଲା କୃଷ୍ଣା । କାନ୍ଦି କାନ୍ଦି କହିଲା “ ଅଜା ! ମୁଁ ହଜି ଯାଇଛି। ଶକୁନ୍ତଳା ମାଉସୀ ଆଉ ଦିବାକର ମଉସା ଙ୍କ ସାଥିରେ ଗାଁ ରୁ ବୁଲି ଆସିଥିଲି ଝାନସୀ।ରାତିରେ ଘରେ ନିଆଁ ଲାଗି ଯାଇଥିଲା ବୋଧହୁଏ।ସମସ୍ତେ ଦୌଡା ଦୌଡି କରି ଘରୁ ବାହାରି ପଳେଇଲେ ଆଉ ତାଙ୍କ ପଛେ ପଛେ ମୁଁ ।ସେଇ ଭିତରେ କୋଉଠି ହଜିଗଲି ମୁଁ । ମତେ ଟିକିଏ ମୋ ମାଉସୀ ପାଖରେ ଛାଡିଦେବ ଅଜା। ସେ ମତେ ବହୁତ ଖୋଜୁଥିବ ଆଉ କାନ୍ଦୁଥିବ। ସବୁ ବୁଝି ପାରିଲା ଭଳି ମୁଣ୍ଡ ହଲେଇଲେ ବୃଦ୍ଧ ଜଣକ। କୃଷ୍ଣା କୁ କୋଳେଇ ନେଇ ସେ କହିଲେ “ ତୁମର ନାଁ କ’ଣ ମାଆ। ତୁମ ବାପାଙ୍କ ନାଁ କ’ଣ । ତୁମ ଗାଆଁ ର ନାଆଁ କହି ପାରିବ ? ଆଚ୍ଛା ଥାଉ। ସେ ସବୁ ପରେ କଥା ହେବା। ଆଗ ତୁମେ ମୁହଁ ହାତ ଧୋଇ କିଛି ଖାଇ ନିଅ “ । ତା’କୁ ଗୋଟିଏ କଡକୁ ବସାଇଦେଇ ବିସ୍କୁଟ ପ୍ୟାକେଟ୍ ଟିଏ ଆଣିବା ପାଇଁ କାହାକୁ ଆଦେଶ ଦେଲେ ସେ। ନିଜେ ଯାଇ ପାଣି ବୋତଲଟିଏ ଆଣି ବଢାଇ ଦେଲେ କୃଷ୍ଣା ହାତକୁ। ମୁହଁ ହାତ ଧୋଇ ବିସ୍କୁଟ ପ୍ୟାକେଟ୍ ଟି ପୁରା ଖାଇ ସାରିବା ପରେ ଟିକିଏ ସହଜ ହେଲା କୃଷ୍ଣା । ବୃଦ୍ଧ ଜଣକ ପଚାରିଲେ” ଆଚ୍ଛା ମାଆ! ତୁମେ ଏଠାକୁ ଆସି ମାଉସୀ ଙ୍କ ସାଥିରେ ଯେଉଁ ଘରେ ରହୁଥିଲ ସେଇ ଘରଟି ମତେ ତୁମେ ଦେଖାଇଦେଇ ପାରିବ? ଆସ ଆମେ ସାଙ୍ଗ ହୋଇ ଯିବା ସେଠିକି “।ଠିକ୍ ମନେ ନଥିଲେ ବି ଝାପସା ଝାପସା ହୋଇ ମନେ ପଡୁଥିଲା କୃଷ୍ଣା ର ଅଳ୍ପ ଦିନ ତଳେ ରହିଥିବା ନୂଆ ଘରଟି। ହେଲେ ସେଠିକି କେମିତି ଯିବ ବୋଲି ରାସ୍ତା ଜଣା ନଥିଲା ତା’କୁ । ତେଣୁ ଆଖି ଛଳ ଛଳ କରି ମୁଣ୍ଡ ହଲେଇ ମନା କଲା ସେ। ଖାଲି ଏତିକି କହିଲା ସେ ଘର ପାଖରେ ପହଞ୍ଚି ଗଲେ ମୁଁ ଚିହ୍ନି ପାରିବି ସେ ଘରକୁ । ବୃଦ୍ଧ ଜଣକ ବିନା ବାକ୍ୟବ୍ୟୟ ରେ ଆଗକୁ ପାଦ ବଢେଇଲେ କୃଷ୍ଣା ର ହାତ ଧରି। ଚାଲି ଚାଲି ଯେଉଁ ଜାଗାରେ ପହଞ୍ଚିଲେ ସେଇଟା ଥିଲା କୃଷ୍ଣା ଶକୁନ୍ତଳା ସାଥିରେ ରହିଥିବା ସେଇ ନୂଆ ଘରଟିର ଗେଟ୍।

କୃଷ୍ଣା ସିଧା କାନ୍ଦି କାନ୍ଦି ଘରକୁ ଏକ ମୁହାଁ ହୋଇ ଛୁଟିଲା । ଆସି ଦେଖେ ତ ଘରେ ତାଲା ପଡିଛି । କ’ଣ କରିବ ଭାବି ଘର ବାରଣ୍ଡାରେ ବସି ପଡିଲା । ମୁଣ୍ଡଟାକୁ କାନ୍ଥରେ ଆଉଜି ଦେଇ କ’ଣ ଭାବୁଥିଲା କେଜାଣି ।

ଧୀରେ ଧୀରେ ଆଗେଇ ଯାଇ ବୃଦ୍ଧ ଜଣକ ବସି ପଡିଲେ କୃଷ୍ଣା ପାଖରେ। ତାଙ୍କର ଆଉ ବୁଝିବାକୁ ବାକୀ ନଥିଲା କୃଷ୍ଣା ର ଅବସ୍ଥା । ତା’ମୁଣ୍ଡ ରେ ହାତ ରଖି ଆଉଜେଇ ଆଣିଲେ ନିଜର ଛାତି ଉପରକୁ । ନିଦାଘ ର ଘନ ଖରା ରେ ବରଫଖଣ୍ଡ ତରଳି ଗଲା ଭଳି ତରଳି ଗଲା କୃଷ୍ଣା । ଭୋ ଭୋ ରଡି ଛାଡି ଲୋଟି ପଡିଲା ତାଙ୍କର ଛାତିରେ । ବୃଦ୍ଧ ଙ୍କ ଆଖି ରୁ ଝରି ପଡିଲା ଦୁଇଟୋପା ତତଲା ଲୁହ । କୃଷ୍ଣା କୁ ଛାତିରେ ଯାକି ସେ ଅଟୋରିକ୍ସା ଟିଏ ଧରି ପୁନର୍ବାର ଫେରି ଆସିଥିଲେ ପୋଲିସ୍ ଷ୍ଟେସନ୍। ଯେଉଁ ଠାରୁ ସେ ନେଇକି ଯାଇଥିଲେ କୃଷ୍ଣା କୁ। ସେଠାରେ ଥିବା ପୋଲିସ୍ ଅଫିସର୍ ଙ୍କୁ ସମସ୍ତ ବୃତ୍ତାନ୍ତ ଜଣାଇ କୃଷ୍ଣା କୁ ସାଥିରେ ଧରି ନେଇ ଗଲେ ମହାମାୟା ଶିଶୁ ସୁରକ୍ଷା ଗୃହ କୁ।

ବୃଦ୍ଧ ଜଣକ ଥିଲେ ଚୌଧୁରୀ ସଚ୍ଚିଦାନନ୍ଦ ଦାସ୍। ସେଠିକାର “ ମହାମାୟା ଶିଶୁ ସୁରକ୍ଷା ଗୃହ “ ର ଚେୟାରମ୍ୟାନ୍ । ଦୀର୍ଘ ଦିନ ଧରି ଓଡିଶା ରୁ ଯାଇ ସେଠାରେ ବସବାସ କରି ଜନସେବାରେ ନିୟୋଜିତ କରିଥିଲେ ନିଜକୁ।ଜଣେ ସଚ୍ଚା ଜନସେବକ ଭାବରେ ଖୁବ୍ ପ୍ରତିଷ୍ଠା ଥିଲା ତାଙ୍କର ସାରା ସହରରେ। ଗତକାଲି ବେଗୁସରାଇ ର ଏଇ “ନବଜ୍ୟୋତି ଲଜ୍” ରେ ରହୁଥିବା ଶିଶୁ ଚାଲାଣକାରୀ ଦଳ ଉପରେ ପୋଲିସ୍ କେଉଁ ଅଜଣା ସୂତ୍ରରୁ ଖବର ପାଇ ରାତିଅଧିଆ ଚଢଉ କରିଥିଲା । ଏବଂ ସେଥିରେ ଅନେକ ଦୋଷୀ ଅନ୍ଧାର ର ସୁଯୋଗ ନେଇ ଖସି ଯାଇଥିଲେ ମଧ୍ୟ ଆହୁରି ଅନେକ କୁ କାବୁ କରି ନେଇଥିଲା ପୋଲିସ୍ ।ଝାନସୀ ସହର ରୁ ଯାଇ ଭିନ୍ନ ଭିନ୍ନ ସହର ଆଉ ଗାଁ ରେ ବୁଲି ବୁଲି ନିଜର ମଧୁର ଜାଲରେ ଫସାଇ ଶିଶୁ ମାନଙ୍କୁ ଭୁଲାଇ ଆଣି ଏଇଠି ବେଗୁସରାଇ ର ଏଇ ନବଜ୍ୟୋତି ଲଜ୍ ରେ ରଖି ଗ୍ରାହକ ମାନଙ୍କୁ ଯୋଗାଯୋଗ କରିବା ପରେ ଶିଶୁ ମାନଙ୍କୁ ବିକ୍ରି କରି ସେମାନଙ୍କ ପାଉଣା ନେଇ ଫେରି ଯାଉଥିଲେ ଝାନସୀ । ସେମାନଙ୍କ ଶୀକାର ବେଶୀ ହେଉଥିଲେ କୋମଳମତି। ନୀରିହା ବାଳିକାମାନେ। ଯେଉଁ ମାନଙ୍କୁ ସେମାନେ ଚଢା ଦରରେ ବିକ୍ରି କରି ଦେଉଥିଲେ ବୟସ୍କ ବ୍ୟକ୍ତି ମାନଙ୍କୁ ସେମାନଙ୍କ ମନୋରଞ୍ଜନ ପାଇଁ । ଅନେକ ଦିନ ଧରି ପୋଲିସ୍ ଏଇ ଦଳକୁ ଧରିବାଲାଗି ଜାଲ ବିଛାଇ ରହିଥିଲେ ମଧ୍ୟ ଗତକାଲି ସେମାନଙ୍କୁ ଧରିବାରେ ସଫଳ ହୋଇ ପାରିଥିଲା । ବିହାର ପୋଲିସ୍ ର ଏହି ବଡ ଧରଣର ସଫଳତା ରେ ସାରା ଦେଶ ପ୍ରଶଂସା ରେ ଶତମୁଖ ହୋଇ ପଡିଥିଲା।

ବିହାର ପୋଲିସ୍ ଦୁର୍ବୃତ୍ତ ମାନଙ୍କୁ ଗିରଫ କରି ହାଜତକୁ ପଠାଇଥିଲା ଏବଂ ସେମାନଙ୍କ କବଳରୁ ଉଦ୍ଧାର କରିଥିବା ଶିଶୁ ମାନଙ୍କୁ “ ଶିଶୁ ସୁରକ୍ଷା ଗୃହ “ କୁ ହସ୍ତାନ୍ତର କରିଥିଲା। ପୋଲିସ୍ ର ଏଇ ସଫଳତାର କାହାଣୀ ଦେଶର ପ୍ରତ୍ୟେକ ମୁଖ୍ୟ ସମ୍ବାଦପତ୍ରର ଶିରୋନାମା ସାଜିଥିଲା । ଉଦ୍ଧାର ହୋଇଥିବା ଶିଶୁମାନଙ୍କ ଫଟୋ ସହିତ ଅନୁରୋଧ କରାଯାଇଥିଲା ଅଭିଭାବକ ମାନଙ୍କୁ ଉପଯୁକ୍ତ ପ୍ରମାଣପତ୍ର ଦେଇ ଶିଶୁ ମାନଙ୍କୁ “ମହାମାୟା ଶିଶୁ ସୁରକ୍ଷା ଗୃହ” ର ଚେୟାରମ୍ୟାନ୍ ଙ୍କ ପାଖରୁ ନିଜ ନିଜ ଘରକୁ ଫେରାଇନେବା ପାଇଁ ।

ସୁଷମା ପରିଜା ଶାରଳା ଭବନ ପୋତାପୋଖରୀ ନୂଆବଜାର କଟକ

ବ୍ରାହ୍ମଣ ସେବା ଶୁଶ୍ରୁଷା କୋକେଇ

Rate the content


Originality
Flow
Language
Cover design

Comments

Post

Some text some message..