Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sasmita sahoo

Tragedy

3  

sasmita sahoo

Tragedy

ସୁନେଲି ସ୍ମୃତି

ସୁନେଲି ସ୍ମୃତି

5 mins
3.6K


ମୁଁ ଲକ୍ଷ୍ମୀ । ବାମପଡ଼ା ବ୍ରାହ୍ମଣ ଶାସନର ବୋହୁଟିଏ । ଶଶୁରଘରର ଲୋକେ ଡାକନ୍ତି ଅଲକ୍ଷଣି ,ଅଲକ୍ଷ୍ମୀ ,ହତଲକ୍ଷ୍ମୀ ,ଲକ୍ଷ୍ମୀଛାଡି । ଆଉ ଶାଶୁ ଡାକନ୍ତି ଘଇତା ଖାଇ । ଭାରି ମନ କଷ୍ଟ ହୁଏ । ଆଖିରୁ କିନ୍ତୁ ଲୁହ ଆସେନି । କାହିଁକି ନା ଦୀର୍ଘ ୭ ବର୍ଷ ହେଲା ଏ ସବୁ ଡାକ ଶୁଣି ଶୁଣି ମୋ ଦେହ ସୁହା ହେଇ ଗଲାଣି । ଭାଗ୍ୟକୁ ଆଦରି ଏବେ ବି ଶଶୁର ଘରେ ପଡି ରହିଛି । ବାପା ବହୁତ ଥର ମୋତେ ଅନୁରୋଧ କଲେଣି ଘରକୁ ନେଇ ଯିବାକୁ । ହେଲେ ମୁଁ ଯିବାକୁ ମନା କରି ଦିଏ । ଘରେ ଶାଶୁ ମା' ଏକୁଟିଆ ହେଇ ଯିବେ । ଘରର ଯାବତୀୟ କାମ କିଏ କରିବ । ଶଶୁର ଦୀର୍ଘ ଦିନ ହେଲା ବିଛଣାରେ । ଶାଶୁଙ୍କର ବଳ ପାଉନି । ଯାଆ ବିଦେଶରେ । ତେଣୁ ମୁଁ ବାପ ଘରକୁ ଯିବାକୁ ଚାହୁଁନି । ବାପା ବି ଆଉ ବାଧ୍ୟ କରୁ ନାହାନ୍ତି । ହେଲେ ଯେବେ ମୋ ପାଖକୁ ଆସନ୍ତି , ଗଲାବେଳକୁ ଛୁଆଙ୍କ ଭଳିଆ କଇଁ କଇଁ ହୋଇ କାନ୍ଦନ୍ତି । ମୁଁ ବି କାନ୍ଦେ । ଆଉ ବାପାଙ୍କୁ ବୁଝାଏ । ବାପା ମୋ ଭାଗ୍ୟରେ ଯାହା ଲେଖା ମୁଁ ଭୋଗିବି ସେଥିରେ ତୁମେ ଆଦୌ ବ୍ୟସ୍ତ ହୁଅନି ବରଂ ଆଶୀର୍ବାଦ କର ମୁଁ ମୋ ପରିବାର ପାଇଁ କିଛି ଭଲ କାମ କରେ । ସମସ୍ତଙ୍କୁ ସାହାଯ୍ୟ କରେ, ସମସ୍ତଙ୍କୁ ଖୁସି ଦିଏ, ବାପା ମୋ ମୁଣ୍ଡରେ ହାତଟାକୁ ରଖି ଥାପୁଡ଼େଇ ଦିଅନ୍ତି ଆଉ କୁହନ୍ତି ହଉ ମା’ ମୁଁ ଆସୁଛି ନିଜର ଯତ୍ନ ନେବୁ ।

ହଁ ଆଜ୍ଞା ,ମୁଁ ତ କହିବାକୁ ଭୁଲିଗଲି ମୋ ସ୍ୱାମୀ ଜଣେ ସୀମାନ୍ତ ସୈନ୍ୟ । ଆତଙ୍କବାଦୀଙ୍କ ବୋମା ବିସ୍ପୋରଣରେ ତାଙ୍କ ପ୍ରାଣ ଚାଲିଗଲା । ତାଙ୍କର ମୃତ ଶରୀର ବି ସରକାର ଆମକୁ ହସ୍ତାନ୍ତର କଲେ ନାହିଁ, କହିଲେ ବିସ୍ପୋରଣରେ ନଷ୍ଟ ହୋଇ ଯାଇଛି । ସ୍ୱାମୀଙ୍କର ନାମ ଅଭିରାମ ଦାସ ମୃତ୍ୟୁ ବେଳକୁ ତାଙ୍କ ବୟସ ମାତ୍ର ୨୮ ବର୍ଷ ।

ମୋର ଏବେ ବି ମନେ ଅଛି ସେ ଦିନ ଥାଏ ରବିବାର । ଶଶୁରଘର ଲୋକ ଆସିଥାନ୍ତି ମୋତେ ଦେଖିବାକୁ ,ତାଙ୍କ ସହିତ ସେ ବି ଆସି ଥିଲେ । ମୁଁ ଚେୟାରରେ ବସିଥାଏ ,ମୋ ସାମ୍ନାରେ ସେ ସୋଫାରେ ବସିଥାନ୍ତି । ବାରମ୍ବାର ମୋ ଆଡକୁ ଚାହୁଁଥାନ୍ତି ଆଉ ମୁଁ ଛାନିଆରେ ମୋ ବୋଉ ହାତଟିକୁ ଜାବୁଡି ଧରିଥାଏ । ଶାଶୁ ନଣନ୍ଦ ମାମୁଁ ମାଇଁ ଶଶୁର ସମସ୍ତେ ମୋତେ ଭଳି ଭଳିକି ପ୍ରଶ୍ନ ପଚାରୁଥାନ୍ତି । ମୁଁ ଡରି ଡରି ଧୀରେ ଧୀରେ ଉତ୍ତର ଦେଉଥାଏ ହେଲେ ସେ ମୋତେ କହୁ ଥାନ୍ତି, ‘’ଡରିବାର କିଛି ନାହିଁ, ଆମେ ତୁମର କିଛି କ୍ଷତି କରିବୁନି । ଏହା ଏକ ପ୍ରଥା ବୋଲି ପଚାରିବା କଥା ।’’

ଶେଷରେ ମୋ ବାପା ୟା’ଙ୍କୁ କହିଲେ, ‘’ବାବା ତୁମେ ଯଦି କିଛି ପଚାରିବାକୁ ଚାହୁଁଛ ପଚାରି ପାର’’ । ଏ କଥା ଶୁଣି ଆଉ ଭୟ ପଶି ଗଲା । ହେଲେ ୟେ ବୋଧେ ମୋ ପରିସ୍ଥିତି ବୁଝି ନେଲେ । କହିଲେ, ‘’ନାହିଁ ଆଉ କିଛି ପଚାରିବାର ନାହିଁ, ମୋତେ ଝିଅ ପସନ୍ଦ ହୋଇଛି’’ । ଏହା ଶୁଣି ମୁଁ ଟିକେ ଦୀର୍ଘନିଶ୍ବାସ ନେଲି । ତା’ ପରେ ମୋତେ ଶଶୁର କହିଲେ, ‘’ଯା ମା’ ଭିତରକୁ’’ । ମୁଁ ରୋଷେଇ ଘର ଆଡକୁ ଚାଲି ଗଲି, ସମସ୍ତଙ୍କର ଖାଇବା ପିଇବା ଆୟୋଜନ ପାଇଁ । ସମସ୍ତେ ମୋ ହାତ ରନ୍ଧା ଖାଇ ,ଦିନ ୪ ତା ସୁଦ୍ଧା ଯିବାକୁ ବାହାରିଲେ । ଯିବା ସମୟରେ ଶାଶୁ ମୋ ହାତରେ ୫୦୧ ଟଙ୍କା ଧରାଇ କହିଲେ, ‘’ତୁ ଆଜି ଠୁ ମୋ ବୋହୁ ହେଲୁ’’ । ମୁଁ ସମସ୍ତଙ୍କୁ ପ୍ରଣାମ କଲି । ସମସ୍ତେ କାର୍ ରେ ବସିଲେ ହେଲେ, ୟେ’ ବାରମ୍ବାର ପଛକୁ ବୁଲି ଦେଖୁଥାନ୍ତି । ଲାଗୁଥିଲା କିଛି କହିବାକୁ ଚାହୁଁଛନ୍ତି ହେଲେ କହି ପାରୁନାହାନ୍ତି । ଶେଷରେ ସେ ବାପାଙ୍କୁ ପ୍ରଣାମ କରି ଗାଡ଼ିରେ ବସିଲେ । ନିର୍ଦ୍ଧିଷ୍ଟ ତାରିଖ ଅନୁସାରେ ନିର୍ବନ୍ଧ ହେଲା । ତା ପରେ ଜୁନ ମାସ ୨୯ ରେ ବାହାଘର ହେଲା । ସପ୍ତମଙ୍ଗଳା ପରେ ପୁରୀ ବୁଲିବାକୁ ଯାଇଥିଲୁ । ଠିକ ୨ ମାସ ପରେ ସେ ଫେରି ଗଲେ ତାଙ୍କ ଚାକିରୀ ଜାଗାକୁ ,କାଶ୍ମୀର । ମୁଁ ଚାହୁଁ ଥିଲି ତାଙ୍କ ସହ ଯିବାକୁ ହେଲେ, ସେ ପରେ ନେବେ ବୋଲି ମୋତେ ବୁଝାଇ କହିଲେ । ତେଣୁ ଗଲାବେଳେ ସେ ଏକୁଟିଆ ଗଲେ ସେଠି ପହଂଚିବା ପରେ ସେ ଫୋନରେ କଥା ବାର୍ତ୍ତା କରନ୍ତି । ଏମିତି ୩ ମାସ ବିତି ଗଲା ଦିନେ ହଠାତ ରାତିରେ ,କାଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀଙ୍କ ବୋମାମାଡରେ କ୍ୟାମ୍ପରେ ଶୋଇ ଥିବା ସମସ୍ତ ସୈନ୍ୟମାନଙ୍କର ପ୍ରାଣ ଚାଲିଗଲା । ସେଥି ମଧ୍ୟରୁ ଇଏ ବି ଜଣେ ଥିଲେ । ବାସ, ମୋ ହସ ଖୁସି ସେଇଟି ଅଟକି ଗଲା । ସେଇ ଚିନ୍ତାରେ ମୋ ବୋଉ ଚାଲି ଗଲା । ଆଉ ଶଶୁର ଶଯ୍ୟାଶାୟୀ ।

ବେଳେବେଳେ ବସି ଭାବେ କେତେ ସୁନ୍ଦର ଥିଲା ମୋ ପିଲାଦିନ ନା ଚିନ୍ତା ନା ଦୁଃଖ ନା କଷ୍ଟ ନା। ଅପବାଦ । କେବଳ ହସ ଆଉ ମଜା । ସାଙ୍ଗ ସହ ଖେଳିବା ଘର ଘର ବୁଲିବା । ପାଖ ଦିନା ମଉସା ଦୋକାନରୁ ବାପାଙ୍କ ନାଁ କହି ଚକଲେଟ ବିସ୍କୁଟ ଖାଇବା । ସକାଳୁ ଡେରିରେ ଉଠିବା । ବୋଉର ଗାଳି । ଭାଇର ମୋର ସବୁବେଳେ ଝଗଡା, କେତେବେଳେ ମୋ ବେଣୀ ଓଟାରିଲାଣି ତ କେତେବେଳେ ନାକ ଚିପିଲାଣି । ଆଉ ବାପାଙ୍କ ଆଗରେ ବୋଉ ଭାଇ ନାଁ ରେ ଅଭିଯୋଗ କରିବା । କିଛି ଅଲଗା ପ୍ରକାରର ଖୁସି । ଭଲ ଜିନିଷ ଖାଇବାକୁ ଜିଦ କରିବା । ଛୋଟ ଛୋଟ କଥାରେ ରୂଷିବା । ସାଙ୍ଗ ମାନଙ୍କ ସହ କଟି ହେବା ,ବିଦ୍ୟାରଣ ପକେଇବା । ଶ୍ରେଣୀରେ ତେନ୍ତୁଳି ଆମ୍ବୁଲ ନେଇ ଖାଇବା । ମେଳାରେ ବୁଲି ବାରମାଜ଼ା ଗୁପଚୁପ ଖାଇବା । କେତେ ସ୍ମୃତି । ଆଉ ‘’ଘୋ ଘୋ ରାଣୀ ଆଣ୍ଠୁଏ ଆଣ୍ଠୁଏ ପାଣି ‘’ପୁଚି, ଲୁଚକାଳି.. ବାପରେ ବାପ ,କି ଜୀବନ ? ଖାଲି ଆନନ୍ଦ ହିଁ ଆନନ୍ଦ ।

ଜାଣିଛନ୍ତି ଗୋଟେ ଦିନ କଣ ହେଲା । ବାପାଙ୍କ ନାଁ କହି ଆଇସ କ୍ରିମ ଦୋକାନରୁ, ସବୁ ସାଙ୍ଗ ମିଶି ୧୦୦ ଟଙ୍କାର ଆଇସ କ୍ରିମ ଖାଇଦେଲୁ । ଆଉ ଯେତେବେଳେ ଦୋକାନୀ ବାପାଙ୍କୁ ପଇସା ମାଗେ ବାପା ପୁରା ପୁରି ଆବ।କ ; କିଛି ନ କହି ଦୋକାନୀକୁ ୧୦୦ ଟଙ୍କା ବଢ଼େଇ ଦେଲେ । ମୁଁ ଯେତେବେଳେ ଘରକୁ ଗଲି, ମୋତେ ପାଖକୁ ଡାକି ସବୁ କଥା ପଚାରିଲେ । ଆଉ ମନ ଦୁଃଖରେ କହିଲେ ମା’ ତୁ ସାଙ୍ଗ ମାନଙ୍କ ସହ ଖାଇଲୁ କିଛି ମନଦୁଃଖ ନାହିଁ । କିନ୍ତୁ, ମିଛ କହିଲୁ ଏଥିପାଇଁ ମନକଷ୍ଟ ହେଲା । ମୋତେ ବି ଭଲ ଲାଗିଲାନି ବାପାଙ୍କ ଦୁଃଖ ଦେଖି । ସେବେ ଠାରୁ ମୁଁ ନିଷ୍ପତି ନେଲି ଆଉ କେବେ ମିଛ କହିବିନି ।

ବାପା ବହୁତ ଗେହ୍ଲା କରନ୍ତି , କୁହନ୍ତି ମୋ ଲକ୍ଷ୍ମୀକୁ କେହି ରାଗିବନି । ମୋ ଘରେ କିଛି ନ ଥିଲା ସେ ଜନ୍ମ ହେଲା ପରେ ସବୁ ହେଇଛି, ସେ ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ । ତାଙ୍କୁ ଡରି କେହି କିଛି କୁହନ୍ତିନି, ହେଲେ ଆଜି , ଲକ୍ଷ୍ମୀ ସାଜିଛି ଶଶୁର ଘରେ ଅଲକ୍ଷ୍ମୀ କେହି ଭଲପାଉନାହାନ୍ତି । କଳଙ୍କର ଟୀକା ମୁଣ୍ଡରେ । ମୁଁ କାଳେ ଅଲକ୍ଷଣି ସ୍ୱାମୀକୁ ଖାଇଲି । ମୋ ମୁହଁ ଚାହିଁଲେ ଅଶୁଭ । ମୁଁ କୌଣସି ଶୁଭ କାମରେ ଯାଇ ପାରିବିନି ମୋ ଯୋଗୁଁ ମୋ ସ୍ୱାମୀଙ୍କର ଜୀବନ ଗଲା ବୋଲି ଶାଶୁ ସବୁବେଳେ ଦେଖେଇ ଶିଖେଇ କୁହନ୍ତି । ମୋର ବା ଏଥିରେ ଦୋଷ କ’ଣ ? ଜନ୍ମ ମୃତ୍ୟୁ ତ ଉପରବାଲା ହାତରେ ।

XXX

ଏବେ କିନ୍ତୁ ନିସଙ୍ଗ ଜୀବନ । ସୁଖଦୁଃଖ ବାଣ୍ଟିବାକୁ କାହାରିକୁ ପାଉନି । ତେଣୁ ସାହାରା ମୋର ଏକା ସେହି ପିଲା ଦିନର ସ୍ମୃତି ଅନୁଭୂତି । ତାକୁ ନେଇ ବଂଚିଛି ଆଉ ଆଗକୁ ବି ବଞ୍ଚିବି ସେହି ସୁନେଲି ସ୍ମୃତିକୁ ନେଇ । ମୋର ଅତୀତ ହିଁ ମୋର ବର୍ତ୍ତମାନ ଆଉ ଭବିଷ୍ୟ ।

( ସସ୍ମିତା ସାହୁ ,ନାଶିକ)

EMA।L।D.sasm।ta0306@gma।l.com

ଦୂରଭାଷ -9403044679


Rate this content
Log in

Similar oriya story from Tragedy