Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Golak Bihari Sahoo

Crime

3  

Golak Bihari Sahoo

Crime

ନାଚାର ପୁଲିସି

ନାଚାର ପୁଲିସି

3 mins
7.1K


ନାଚାର ପୁଲିସି 

          ସେଦିନ ରାତିରେ ମୋ ଘରେ ଚୋର ପଶି କିଛି ଜିନିଷ ଚୋରି କରିନେଲେ। ପୁଲିସକୁ ଖବର ଦେବାରୁ ଦୁଇଘଣ୍ଟା ପରେ ଆସି ତଦାରଖ ଆରମ୍ଭକଲେ । ଥାନାବାବୁ ପ୍ରଶ୍ନ କଲେ- "ଚୋର କେଉଁବାଟେ ପଶିଲା, କେତେବେଳେ ଚୋରି ହେଲା, କ'ଣ କ'ଣ ଜିନିଷ ନେଲା ଏବଂ ଆପଣ କାହାକୁ ସଂଦେହ କରୁଛନ୍ତି ଇତ୍ୟାଦି ଇତ୍ୟାଦି ।" ସକାଳେ ସାଇପଡୋଶୀମାନଙ୍କର ଭିଡ । ସେହିମାନଙ୍କର ସେହିଭଳି ପ୍ରଶ୍ନବାଣ । 

          ସେଥିରୁ କିଛି ପଡୋଶୀ କୌତୁହଳର ସହ ପ୍ରଶ୍ନ କଲେ- "ଏତେ ସବୁହେଲା ସତ୍ତ୍ୱେ ଆପଣ କେମିତି କିଛି ଜାଣି ପାରିଲେନାହିଁ । ମୁଁ ମନେମନେ ଭାବୁଥିଲି- "ଆମେ ରାତିରେ କିଛି ନଜାଣି ପାରିବାଟା ବୋଧେ ଈଶ୍ଵରଙ୍କ ଆଶୀର୍ବାଦ । ଜାଣିପାରି ଉଠିଥିଲେ ମୁଁ ଅବା କଣ କରିଥାନ୍ତି ? ଚୋରକୁ ଧରିଥାନ୍ତି ନା ଚୋର ମୋତେ ଧରି କିଛି ଉତ୍ତମ ମଧ୍ୟମ ଦେଇଥାନ୍ତା ।" 

          ଆଉ କିଛି ପଡୋଶୀ ଭୁକ୍ତଭୋଗୀ । ସେମାନଙ୍କର ଚୋରି ହୋଇଥିବା ଜନିତ ବେଦନାକୁ ମୋସହ ବଣ୍ଟନ କରି ସମବେଦନା ଦେବାକୁ ଆସିଛନ୍ତି । ସେମାନେ ମନ୍ତବ୍ୟ ଦିଅନ୍ତି, କିଛି ଦିନ ତଳେ ମୋ ଘରେ ଚୋର ଏମିତି ପଶି କିଛି ଜିନିଷ ଚୋରି କରିନେଇଥିଲା । କିଏ କହିଲା ମୋର ବାଇକ୍ ଚୋରି ହୋଇଛି, କିଏ କହିଲା ମୋର ଟ୍ରାକ୍ଟର ଚୋରି ହୋଇଯାଇଛି । 

          ଆଉ କେତେକ ପଡୋଶୀ ଅଭିଜ୍ଞତା ହାସଲ କରିବାକୁ ଆସିଥାନ୍ତି । ଚୋରି କେମିତି ହେଲା ଓ କାହିଁକି ହେଲା ଜାଣି ପାରିଲେ ସେମାନେ ସତର୍କତାମୂଳକ ପଦକ୍ଷେପ ନେବେ ଯେପରିକି ସେମାନଙ୍କ ଘରେ ଚୋରି ହୋଇପାରିବନାହିଁ ।

          କିଛି ପତ୍ରକାର ପହଞ୍ଚିଗଲେଣି । ସେମାନେ ଭଙ୍ଗାଯାଇଥିବା ଆଲମାରୀର ଫଟୋ ନେଇ କିଭଳି ଘଟଣାଟିକୁ ଅଧିକ ଆକର୍ଷଣୀୟ ଢଙ୍ଗରେ ସମ୍ବାଦପତ୍ରରେ ପ୍ରକାଶ କରିବେ ସେଥିପାଇଁ ବ୍ୟସ୍ତ । ଜଣେ ସାମ୍ବାଦିକ ମୋର ବାୟୋଡାଟା ବି ମାଗି ସାରିଲେଣି ।

          ମୋର କିନ୍ତୁ ମନ ଅନ୍ୟ ଜାଗାରେ । ବାହାରେ ବିଛେଇ ହୋଇପଡିଥିବା ବହିପତ୍ର, ବ୍ୟାଗ ସବୁ କେମିତି ସାଉଁଟି ଘର ଭିତରକୁ ଆଣିବି । ଥାନାବାବୁ କିଛି ପ୍ରମାଣ ନେଇ ମୋର ଚୋରି ହୋଇଥିବା ଜିନିଷକୁ ଫେରିପାଇବାର ସମ୍ଭାବନା ଅଛି ନା ନାହିଁ । ସର୍ବଶେଷରେ ଫଳାଫଳ ସାଧାରଣତଃ ଯାହା ହୁଏ । ଚୋରି ହୋଇଥିବା ଜିନିଷବଦଳରେ କେବଳ ମିଳିଲା- "ଏକ ଏଫ୍. ଆଇ. ଆର୍ ର ନକଲ ।

          ଚାରିଦିନ ପରେ । ରାତି ଏଗାରଟାରେ ଗେଟରେ ଖଡ୍ ଖଡ୍ ଶବ୍ଦ ହେଲା । ମୁଁ ଚମକି ଗଲି । ଭାବିଲି- "ଚୋର କ'ଣ ଆଉଥରେ ଆସିଛି ନା କ'ଣ ? କିଛି ଛାଡିଦେଇଥିବା ଜିନିଷ ନେବାପାଇଁ ?" ଗେଟ ପାଖକୁ ଯାଇ ଦେଖିଲି, ଥାନାର ଏ. ଏସ୍. ଆଇ. ମିଶ୍ରବାବୁ। ଏତେ ରାତିରେ ମିଶ୍ରବାବୁଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲି- "ଆପଣ ଏତେ ରାତିରେ ଯେ ? କ'ଣ କିଛି ଚୋରିଜିନିଷ ମିଳିଲା ନା କ'ଣ ?" ମିଶ୍ରବାବୁ ଆସିଥିଲେ ମୋତେ ଦେବାକୁ ଆଶ୍ଵାସନା । କହିଲେ- "ଆପଣ ବ୍ୟସ୍ତ ହେବେନି । ଆମେ ସବୁପ୍ରକାର କାର୍ଯାନୁଷ୍ଠାନ ଗ୍ରହଣ କରୁଛୁ । ଆପଣ ଅପେକ୍ଷା କରନ୍ତୁ । ଉପରିସ୍ଥ ଅଫିସରଙ୍କୁ ଅଭିଯୋଗ କରିବେନି ।" ସେ ଆସିବାର ଅଭିପ୍ରାୟ ବୁଝିଗଲି । ସେ ପୁଣି କହିଲେ- "ଆପଣଙ୍କ ଚୋରିକେଶର ଦାୟିତ୍ଵ  ଥାନାବାବୁ ମୋତେ ଦେଇଛନ୍ତି । କିନ୍ତୁ ମୁଁ କ'ଣ କରିପାରିବି କହିଲେ ? ରାତିରେ ପେଟ୍ରୋଲିଂ କରିବାକୁ ପଠାଇଛନ୍ତି । ମୋ ସହିତ ଗାଡିର ଡ୍ରାଇଭର ଅଛି । ଥାନାରେ ଚାରି ଜଣ ଏ. ଏସ୍. ଆଇ. ଛଅ ଜଣ କନେଷ୍ଟବଲ । ସେଥିରୁ ଚାରି ଜଣ କନେଷ୍ଟବଲ ପୁରୀ ରଥଯାତ୍ରା ଡିଉଟିରେ ଯାଇଛନ୍ତି । ମୋ ସହ କେହି କନେଷ୍ଟବଲ ବି ନାହାନ୍ତି । ମୁଁ ଏକୁଟିଆ କ'ଣ କରିବି ? ରାତିରେ ଚୋରକୁ ଦେଖି ତାକୁ ଗୋଡାଇ ଧରିବା ମୋ ପକ୍ଷରେ ଅସମ୍ଭବ । ତେବେ ଭଲ ହୁଇସିଲିଟିଏ ପାଇଛି । ଫୁଙ୍କି ଦେଲେ ଚୋର ଦୌଡି ପଲାଇବ ।" ମୁଁ ମିଶ୍ରବାବୁଙ୍କୁ କହିଲି- "ଆପଣ ଏସବୁ ମୋତେ କହିବାର ଅର୍ଥ କ'ଣ ?" ସେ କହିଲେ- "ଆଉ ଦୁଇବର୍ଷ ପରେ ମୋର ଅବସର ନେବାର ଅଛି । ମୋ ପୁଅ କମ୍ପୁଟର ଇଞ୍ଜିନିୟର । ମାସକୁ ଅଶିହଜାର ଟଙ୍କା ଦରମା । ଝିଅ ଓ ଜ୍ଵାଇଂ କମ୍ପୁଟର ଇଂଜିନିୟର । ମାସକୁ ଦୁଇଲକ୍ଷ ଟଙ୍କା ରୋଜଗାର । ସେମାନେ କହୁଛନ୍ତି- "ବାପା, ଏ ବୟସରେ ତୁମେ ପୁଲିସ ଚାକିରି କାହିଁକି କରି ହଇରାଣ ହେଉଛ ? ଚାକିରି ଛାଡି ଆମ ପାଖକୁ ଚାଲିଆସ ।" ମୁଁ କହିଲି- "ମିଶ୍ର ବାବୁ ! ଆପଣଙ୍କର ଅବସ୍ଥା ଯେବେ ଏତେ ସ୍ବଚ୍ଛ, ସ୍ବେଚ୍ଛାକୃତ ଅବସର ନେଇ ଯାଆନ୍ତୁ । ଆପଣଙ୍କ ସ୍ଥାନରେ କେହି ଶିକ୍ଷିତ ବେକାର ଯୁବକ ଚାକିରି ପାଇ ନିଜକୁ ଲୋକ ସେବାରେ ନିଯୋଜିତ କରିପାରିବ ।" ମିଶ୍ରବାବୁ ଅତି ସହଜ ଢଙ୍ଗରେ କହିଲେ- "ହେଲେ ଅଫିସରେ ବସି ହାଇମାରି ମାସକୁ ଚାଳିଶିହଜାର ଟଙ୍କା ପାଇଯାଉଛି । ଆଉ ଦୁଇବର୍ଷ କେମିତି ଚଲାଇନେଲେ ହେଲା । 

          ବିଚାରା ପୁଲିସ ଯଦି ନାଚାର ହୁଏ ତେବେ ସାଧାରଣ ଲୋକେ କ'ଣ ହେବେ ?? 

==ଗୋଲକ ବିହାରୀ ସାହୁ ==

 


Rate this content
Log in

Similar oriya story from Crime