Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanta kumar Hota

Drama

3  

Prasanta kumar Hota

Drama

ପ୍ରେମର ସ୍ପର୍ଶ

ପ୍ରେମର ସ୍ପର୍ଶ

9 mins
15K


ପରିମଳ ବଡ ହେଲା ଦିନ ଠାରୁ ଗାଁକୁ ଯିବା ପାଇଁ କେବେ ମନ କରିନି । ଘରେ ବାଧ୍ୟ କଲେ କୌଣସି ବାହାନା ଦେଖାଇ ରହିଯାଏ । ଏହା ଭିତରେ ତାର କଲେଜ ପଢା ସରିଗଲାଣି ତଥାପି ଗାଁକୁ ଯାଇ ଗାଁ ର ବାତାବରଣ ରେ କେବେ ମିଶିପାରିଲା ନାହିଁ । ଯେମିତି ନଦୀକୂଳ ପୋଖରୀ ବିଲ ବାଡି କିଛି ବି ତାକୁ ଆଗ୍ରହ ଦେଇପାରେ ନାହିଁ । ସବୁଠି ସେ ନିଃସଙ୍ଗତା ଅନୁଭବ କରେ । ଗାଁରେ ଥିବା କୁଟୁମ୍ବ ଲୋକଙ୍କ ସହ ମଧ୍ୟ ସେ ମିଶି ପାରେ ନାହିଁ । ତେଣୁ ସମସ୍ତେ ପଛେ ଗାଁକୁ ଯିବେ ପରିମଳ କିନ୍ତୁ ଭୂବନେଶ୍ବର ଘରେ ଏକୁଟିଆ ରହିଯାଏ । କେହି ମଧ୍ୟ ବିଶେଷ ବାଧ୍ୟ କରନ୍ତି ନାହିଁ । କହନ୍ତି, ହଉ ପିଲାଟା ରହୁ, ଏଠି ରହିଲେ ପଢାପଢି କରିବ, ଗାଁକୁ ଗଲେ ସେତିକି ତ ହେବନି । ନିଜ ଯୁକ୍ତିରେ ସନ୍ତୁଷ୍ଟ ହେଇ କେହି ବାଧ୍ୟ କରନ୍ତି ନାହିଁ ।

ଏଥର କଥା କିଛି ଭିନ୍ନ ଥିଲା । ପରେଶ ପରିମଳର ପିଲା ଦିନର ବନ୍ଧୁ । ସେ ଦିନେ ଘରେ ଆସି ବାଧ୍ୟ କଲା ପରିମଳ ତା ସାଙ୍ଗରେ ଗାଁକୁ ଯିବ । ଘରେ ହସିଲେ, କହିଲେ ପରିମଳକୁ ପଚାର ତାର ଯଦି ଗାଁ ଯିବାର ମମତା ଆସିଗଲାଣି ତାହେଲେ ଯାଇ ବୁଲି ଆସୁ । ତୋ ଗାଁ ପାଖରେ ତ ଆମ ଗାଁ ତେଣୁ ଆମ ଗାଁ ଆଡେ ବି ଟିକେ ବୁଲାଇ ଆଣିବୁ ।

ପରେଶ ହଁ ମାରିଲା ଓ ପରିମଳକୁ ମାତ୍ର କେଇ ମିନିଟ୍ ଭିତରେ ଗାଁ କୁ ଯିବା ପାଇଁ ରାଜି କରାଇ ଦେଲା ।

ବସ୍ ରୁ ଓହ୍ଲାଇ ଗାଁ ଆଡେ ଚାଲି ଚାଲି ଯାଉଥାନ୍ତି, ଦେଖିଲେ ଝିଅଟିଏ ଭଲ ଡ୍ରେସ୍ ପିନ୍ଧିଛି ଅଥଚ କାଦୁଅ ଭିତରେ ପଶି ଗୋଟିଏ ଛେଳି ଛୁଆକୁ ଆସନ୍ନ ମୃତ୍ୟୁରୁ ଉଦ୍ଧାର କରି ଆଣୁଛି । ପରିମଳ କ୍ଷଣେ ରହିଗଲା, ଦୃଶ୍ୟ ଟି ବେଶ୍ ଆକର୍ଷଣୀୟ ଲାଗୁଥିଲା ।

ଭଲକରି ଝିଅଟି ଆଡେ ଦେଖିଲା । କାଦୁଅ ସରସର୍ ରେ ସେ ଛେଳିଟିକୁ ଆଉଁସୁ ଥାଏ । ତାପରେ ଛେଳିଟି ମେଁ ମେଁ କରି ଚାଲିଗଲା ।

ପରିମଳ ଏତେ ସମୟ ଧରି ରହିବାର ଦେଖି ଝିଅଟି ପରେଶ ଆଡେ ଅନାଇ କହିଲା - ଭାଇନା ! ଛେଳିଟା ମରି ଯାଇଥାନ୍ତା ।

ପରେଶ କିଛି କହିବା ପୂର୍ବରୁ ପରିମଳ କହିଲା- ଆଉ ଟିକେ ଭିତରକୁ ପଶିଥିଲେ ତମେ ବି ମରି ଯାଇଥାନ୍ତ ।

- ଓଃ ମୋ ପାଇଁ ଏତେ ଚିନ୍ତା ! କହି ଫିରକିନି ହସି ଦେଇ ଝିଅଟି ତରତର ହୋଇ ପଳାଇଲା ।

ଡ୍ରେସ୍ କାଦୁଅ ସରସର ହୋଇଥାଏ । ପରିମଳ ସେମିତି ତା ଆଡେ ଅନାଇ ଥାଏ । ପରେଶ ଥଟାରେ ପଚାରିଲା- କ"ଣ ସିନେମା ଷ୍ଟାଇଲ୍ ରେ ପଲଟ୍ କହିବୁକି?

ଦୁହେଁ ହସି ପକାଇଲେ । ପରେଶ କହିଲା, ଝିଅଟା ନାଁ ସବିତା । ଆମ ଘର ପାଖରେ ତାଙ୍କ ଘର । ବାପା ଏଇ ପାଖ କଲେଜରେ ପ୍ରିନ୍ସିପାଲ

ଅଛନ୍ତି । ଆଉ କିଛି ତଥ୍ୟ ଯଦି ଚାହୁଁଛୁ କହ ଦେବି । ପରିମଳ ହସିଲା । ହସିବାରେ ଯୁବକ ସୁଲଭ ଚପଳାମି ନଥିଲା

ବରଂ ଏକ ପୌରୁଷତ୍ଵର ଆନନ୍ଦ ଥିଲା । ପରେଶ ଅନୁସନ୍ଧିତ୍ସୁ ଆଖିରେ ତା ଆଡେ ଅନାଇବାରୁ ବାଧ୍ୟ ହୋଇ କହିଲା- ଆରେ ନାଇ, ମୋତେ କାହିଁକି

ସେମିତି ଭାବୁଛୁ । ସବୁ ଦୃଷ୍ଟିର ଗନ୍ତବ୍ୟ ସ୍ଥଳ କଣ ଗୋଟିଏ !

ଦୁହେଁ ଆସି ଘରେ ପହଞ୍ଚି ଗଲେ । ଲୁଗା ପଟା ବଦଳାଇ ଫ୍ରେଶ୍ ହେଇ ବସିଲା ବେଳକୁ ସବିତା ଜଳଖିଆ ପ୍ଲେଟ୍ ଦୁଇ ଜଣଙ୍କ ହାତରେ ଧରାଇ ଦେଇ କହିଲା, ମୁଁ ଆସୁଛି । ଘଟଣାଟି ଏତେ ଶୀଘ୍ର ହେଇଗଲା ଯେ ପରିମଳ କାବା ହେଇ ଅନାଇ ରହିଗଲା । କିଛି ଯେମିତି ଅବୁଝା ରହି ଯାଉଥିଲା । ଆଖିର ଦୃଷ୍ଟି ସୀମା ଭିତରେ ସବିତା ନଥିଲା । ପରେଶ ଆଡେ ଅନାଇ ପଚାରିଲା- ଇୟେ ଏଠି କଣ? ପରେଶ ନିରାଡମ୍ବର ଭାବେ କହିଲା ମୁଁ ପ୍ରକୃତରେ ଜାଣିନି । ହଠାତ୍ ଦୁହିଁଙ୍କର ଆଶ୍ଚର୍ଯ୍ୟକୁ ଭାଙ୍ଗି ସବିତା କୋଉଠି ଥିଲା ଆସି କହିଲା- ଘରକୁ ଆସିଥିଲିତ ଭାବିଲି ମାଉସୀଙ୍କୁ ଜଣାଇ ଦିଏ ତମେ ପହଞ୍ଚି ଗଲାଣି । ମାଉସୀ ମୋତେ ଅଟକାଇ ଦେଲେ । କହିଲେ, ରହ ତା ସାଙ୍ଗ କିଏ ଆସୁଛି ମୋତେ ଟିକେ ସାହାଯ୍ୟ କରିଦେ । ମୁଁ ତ କାହା ଇଛା ଭାଙ୍ଗି ପାରେନାହିଁ । ବାସ୍ ରହିଗଲି । କଣ ହେଲା ଏମିତି ଅନେଇଛ କଣ ପାଇଁ?

ପରିମଳ ଚମକି ଗଲା ! ଆରେ ଇୟେ ଏମିତି କଣ କହୁଛି । ଦୃଷ୍ଟି ପଡିଗଲାରୁ ବୁଝି ପାରିଲା ଯେ ସେ ତାକୁ କହୁ ନଥିଲା, ପରେଶକୁ କହୁଥିଲା । ନିଃଶ୍ୱାସ ଟିକେ ମାରିଲା । ଉଶ୍ଵାସ ଲାଗିଲା । ନଚେତ୍ ସେ ଯେମିତି ଭାବରେ କହୁଥିଲା ଲାଗୁଥିଲା ଯେମିତି କେହି ବୟସ୍କ ତାଗିଦ୍ କରୁଛନ୍ତି । ପୁରା ଡର ପଶି ଯାଇଥିଲା ତା ପ୍ରଶ୍ନ ଶୁଣି । ତିନି ଚାରି ଦିନ ବେଶ୍ ଆରାମରେ ବୁଲା ବୁଲି କରି କଟିଗଲା । ନଦୀ ପୋଖରୀ ବିଲ ବାଡି ଏବେ କିନ୍ତୁ ଭଲ ଲାଗୁଥିଲା । ହୃଦୟ ଯେତେବେଳେ କୌଣସି ଜିନିଷ ଗ୍ରହଣ କରିବା ଆରମ୍ଭ କରେ ସେଇଟା ଆଉ ଖରାପ୍ ଲାଗେ ନାହିଁ । ମଣିଷର ମାନସିକତା ପ୍ରତ୍ୟେକ ଭଲ ଖରାପ ପାଇଁ ଦାୟୀ । ଆମେ ଯାହା ତୁଛାଟାରେ ଅନ୍ୟକୁ ଆରୋପ କରିଥାଉ । ପରିମଳ ଅବସ୍ଥା ମଧ୍ୟ ଠିକ୍ ସେହିପରି ଯୋଉ ଗାଁ ଦିନେ ଆଗ୍ରହ ଦେଇ ପାରୁ ନଥିଲା ଆଜି ଆନନ୍ଦ ଦେଉଛି । ଯିଏ ଝିଅଙ୍କଠୁ ଦୂରେଇ ରହୁଥିଲା ଆଜି ଗୋଟିଏ ଝିଅର ସାମାନ୍ୟ ମାତ୍ର ପ୍ରଗଳଭତାରେ ଦେଖିବାକୁ ଇଛା

ହେଉଛି । ପରିମଳ ବହୁତ ଥର ଝିଅ ଘର ଆଡେ ଦୃଷ୍ଟି ଦେଇଛି କାଳେ ଚକ୍ଷୁ ସମ୍ମିଳିତ ହେଇଯିବ । ନାରୀର ଦୃଷ୍ଟି ଓ ଭାବନା ଭିନ୍ନ ବୋଲି ସେ ବା ଜାଣିବ କେମିତି! ଆଦରଣୀୟା ନାରୀ ଯାହାବି କରେ ଲଜ୍ଜା ର ଆବରଣ ଭିତରେ କରେ କାରଣ ସେ ଜାଣିଛି ସେଥିରେ ତାର ସମ୍ମାନ ଆହୁରି ବୃଦ୍ଧି ପାଏ । ସେ ଆବରଣ ଭିତରେ ଯାହା କରିପାରେ ପୁରୁଷ ଆବରଣ ରହିତ ହୋଇ ମଧ୍ୟ କରିପାରେ ନାହିଁ । କହିବା ବାହୁଲ୍ୟ ସବିତା ପରିମଳକୁ ଦେଖି ପାରୁଥିଲା କିନ୍ତୁ ପରିମଳ ନିଜ ଇଚ୍ଛାରେ ଥରୁଟିଏ ବି ପାରିଲା ନାହିଁ ।

ପରିମଳର ଗାଁ ପାଖରେ ହେଇ ମଧ୍ୟ ଏପର୍ଯ୍ୟନ୍ତ ଯାଇନଥିଲା । ଦିନେ ତା କକେଇ ଆସି ପହଞ୍ଚି ଗଲେ ନେବା ପାଇଁ । ପରେ ଯିବ ବୋଲି କହିବାକୁ ଭାବୁଛି କକେଇ କହିଲେ, ପାଖରେ ଆମ ଗାଁ ତୋର ଆମ ପାଖକୁ ନ ଆସିବାଟା ଯେମିତି ଆମ ପ୍ରତି ଘୃଣା । ପରିମଳ ବାଧ୍ୟ ହୋଇ ବାହାରି ପଡିଲା । କିଛି କହିଲେ ସମ୍ପର୍କରେ ଫାଟ ଆସିବାର ଭୟ ଥିଲା । କକେଇଙ୍କ ଘରେ ରହିଗଲେ ହେଲା । ପରେଶକୁ କହିଲା ସମୟ ପାଇ ଆସିବୁ । ଏକୁଟିଆ ଭଲ ଲାଗିବନି । ମନେ ମନେ ସବିତାକୁ ଖୋଜିଲା, ଆଖି ଦି'ଟା ସ୍ଵାଭାବିକ ଭାବେ ତାଙ୍କ ଘର ଆଡେ ବି ଚାଲିଗଲା କିନ୍ତୁ ଖୋଜୁଥିବା ଦୃଷ୍ଟି ମିଳିଲା

ନାହିଁ । କକେଇ ପରିମଳକୁ ନେଇ ତାଙ୍କ ଗାଁ ହରିପୁର ଆଡେ ଚାଲିଗଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଦେଖା ସାକ୍ଷାତ୍ ରେ କୌଣସି ପ୍ରକାରେ କଟିଗଲା କିନ୍ତୁ ରାତିରେ ନିଦ ଆଉ ଆସିଲା ନାହିଁ । ଯେତେ ଚେଷ୍ଟା କଲେ ବି ସବିତାର ମୁହଁଟା ଆଖି ଆଗରେ ଝଲସି ଉଠୁଥାଏ । ଶୋଇବାର ପ୍ରାରମ୍ଭ ମଧ୍ୟ ନଷ୍ଟ ହେଇ ଯାଉଥାଏ । ସବୁଦିନ ସବିତାର ଦେଖା କୌଣସି ବାହାନାରେ ହେଇ ଯାଉଥିଲା । ସେଦିନ କିନ୍ତୁ ହେଇ ପାରି ନଥିଲା । ଉପସ୍ଥିତିର ଆବଶ୍ୟକତା ଯେତିକି ଅନୁଭବ ହେଉଥିଲା ଅନୁପସ୍ଥିତି ଆବଶ୍ୟକତାକୁ ଯେମିତି ଆହୁରି ବଢାଇ ଦେଇଥିଲା । କଷ୍ଟେ ମଷ୍ଟେ ଶୋଇବାକୁ ଚେଷ୍ଟା କଲା ।

ସକାଳୁ ଉଠି ମୋବାଇଲ୍ ଅନ୍ କଲା ବେଳକୁ ଦେଖିଲା ପରେଶର ଦି'ଟା ମିସ୍ କଲ୍ ଆଉ ଗୋଟିଏ ମେସେଜ୍ । 11ଟା ବେଳେ ସେ ଆସି ପହଞ୍ଚୁଛି ଦେଖା କରିବା ପାଇଁ ତେଣୁ କୁଆଡେ ନଯିବା ପାଇଁ କହିଛି । ପରିମଳ ଖୁସି ହେଇଗଲା, ଭାବିଲା ଯାହାହେଉ କିଛି ସମୟ ଆଉ ବୋର୍ ଲାଗିବନି ଓ ତୁରନ୍ତ କଲ୍ କରି ଏଠି ଲଞ୍ଚ ଖାଇବାକୁ ନିମନ୍ତ୍ରଣ କରିଦେଲା ।ସବିତା ବିଷୟରେ ଯାହା ପଚାରିବା ପାଇଁ ଇଛା ହେଉଥିଲା ନିଜର ନୈତିକତା ଓ ଗୋପନୀୟତା ତାକୁ ସଂଜତ ରହିବା ପାଇଁ ବାଧ୍ୟ କଲା ।

ଖୁଡୀଙ୍କୁ ଜଣାଇ ଦେଲା ପରେଶ ଆସୁଛି ଏଠି ଆମେ ଏକାଠି ଲଞ୍ଚ କରିବୁ ।

ପରେଶର ଆସିବା ବାଟକୁ ଅନେଇ ଅନେଇ ଗାଁ ବାହାର ପର୍ଯ୍ୟନ୍ତ ପଳାଇ ଆସିଥାଏ ପରିମଳ । ଏତିକିବେଳେ ପରେଶର ପାଟିରେ ପରିମଳର ଅନ୍ୟମନସ୍କତା ଭାଙ୍ଗି ଗଲା ।

କିଛି ସମୟ ପରସ୍ପର ଖୁସି ବ୍ୟକ୍ତ କରି ସାରିଲା ପରେ ନଦୀ ଆଡେ ଯିବା ପାଇଁ ଠିକ୍ କଲେ । ମଟରସାଇକଲକୁ ଷ୍ଟାଣ୍ଡ ମାରିଦେଇ ଗଛତଳ

ଛାଇରେ ଯାଇ ବସିଲେ ।

ପରେଶ ଗମ୍ଭୀର ଜଣା ପଡୁଥାଏ । କହିବକି ନାହିଁ ଭାବୁଥାଏ ପରିମଳ ପଚାରିଲା- କଣ ଗୋଟେ କହିବୁ ବୋଧେ, କିଛି ସିରିୟସ୍ କଥା

କି? ପରେଶ ହସିଲା କହିଲା ନାଇଁ ।

ପରିମଳର ସନ୍ଦେହ କିନ୍ତୁ ବଢିଗଲା, କହିଲା- ଘରେ ସବୁ ଭଲ ତ! ପରେଶ ହଁ କହିଦେଇ ପଚାରିଲା -ଆଛା କହିଲୁ, କାଲି ରାତିରେ ତୁ ଶାନ୍ତି ରେ ଶୋଇ

ପାରିଛୁ ତ! ପରିମଳ ଆଶ୍ଚର୍ଯ୍ୟ ହେଲା, ଆଛା କଥା ଇୟେ କେମିତି ମୋ କଥା ଜାଣିଲା ମୁଁ ଶୋଇ ପାରିଲିନି ବୋଲି । ଆଉ ପୁଣି ସେଇଟା ପଚାରିବାକୁ ଆସିଛି ନା କଣ । ଲୁଚାଇବାକୁ ଯାଇ ପରିମଳ ସହଜ ଭାବରେ ଉତ୍ତର ଦେଲା - ହଁ, ଭଲ ନିଦ ହେଇଛି । କଣ ପାଇଁ ପଚାରୁଛୁ- ଓଲଟା ପ୍ରଶ୍ନ

କଲା ।

ନାଇ ସବିତା କହୁଥିଲା ତ--- କହି ପରେଶ ରହିଗଲା । ପରିମଳ ଆଶଙ୍କା ଓ କୌତୁହଳରେ ପଚାରିଲା କଣ କହୁଥିଲା?

ପରେଶ କୌତୁହଳକୁ ଏଡାଇ ଆରମ୍ଭ କଲା- ଆରେ କାଲି ସେ ଆମ ଘରକୁ ଆସିଥିଲା ।

ଥରେ ନୁହେଁ ତିନି ଥର । ସେ ଆମ ଘରକୁ ପ୍ରାୟ ଆସେ ନାହିଁ । କିନ୍ତୁ କାଲି କିଛି ନା କିଛି ବାହାନାରେ ଆସିଛି । ଏତେଥର ଆସିବା ଓ ମା ସାଙ୍ଗେ କଥା

ହେବା ଦେଖି ମୋ ମନରେ ବହୁତ ସନ୍ଦେହ ହେଲା । ଯେତେବେଳେ ଶୁଣିଲି ସେ ମାଙ୍କୁ ପଚାରୁଛି - ଏଇ ଯେଉଁ ପରିମଳ ଆସିଛନ୍ତି କଣ କରୁଛନ୍ତି ପୁଣି ଥରେ ଏଠିକି ଆସିବେ କି ନାହିଁ ଇତ୍ୟାଦି ଇତ୍ୟାଦି । ମା ତ କିଛି ଜାଣିନି ଠିକରେ କହିପାରିଲାନି । ସେ କିନ୍ତୁ ଯେତେ ଥର ଆସୁଥାଏ ଭିନ୍ନ ଭିନ୍ନ ଆଳରେ ପଚାରୁଥାଏ । ମୁଁ ଆଉ ଚୁପ୍ ରହି ପାରିଲିନି । ସେଇ ଦୂରରୁ ଥାଇ କହିଲି- ଭୂବନେଶ୍ବର ଆଇ ଆଇ ଟି ରୁ ଇଲେକ୍ଟ୍ରୋନିକ ରେ ଏମ୍ ଟେକ୍ ସରିଲା । ବହୁତ ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ ବି କହିଲି । ସବିତା ଉଠିଗଲା, ମୋ ପାଖ ଦେଇ ଚାଲି ଗଲାବେଳେ କହିଲା- ଖାଲି ବହି ପଢି ମାର୍କ ରଖିଦେଲେ କଣ ବ୍ରିଲିଆଣ୍ଟ ହୋଇଯାନ୍ତି । ଅନ୍ୟର ଭାଷାକୁ ଯିଏ ବୁଝି ନପାରେ ଅନ୍ୟର ମନକୁ ଯିଏ ଚିହ୍ନି ନପାରେ ସେ ବ୍ରିଲିଆଣ୍ଟ ହେଇ ଲାଭ କଣ! ମୁଁ ଚମକି ଗଲି ଏମିତି ଏକ ଉତ୍ତରରେ ।

କାରଣ କଥାରେ ସତ୍ୟତା ଥାଉ କି ନଥାଉ ଅଭିମାନ ବାରି ହେଇ ପଡୁଥିଲା । ମୁଁ କିଛି ଭାବିକି କହିବି ବୋଲି ହେଲାବେଳକୁ ସେ ଆଉ ସେଠି ନଥିଲା । ମୋତେ ବଡ ଅଡୁଆ ଅଡୁଆ ଲାଗିଲା । ସବିତା ଗାଁ ରେ ପଢିଲେବି ପାଠ ପଢିବା ସହିତ କବିତା ରଚନାରେ ଖୁବ୍ ବିଚକ୍ଷଣ । ଭଲ ଷ୍ଟୁଡେଣ୍ଟ ହେଇକିବି ସେ ଭୂବନେଶ୍ବର ଆସିବା ପାଇଁ ମନା କରି ଦେଇଥିଲା । ସେ କଲେଜରେ ବି ଏସ୍ ସୀ ଫାଇନାଲରେ ନାଁ ରଖିବ ବୋଲି ସମସ୍ତେ ଆଶା କରିଛନ୍ତି ।

ମୋ ମନଟା କାଇଁ ଭଲ ଲାଗିଲାନି । ବାହାନା କରି ତାଙ୍କ ଘରକୁ ଗଲି । ତାକୁ ଯେତେବେଳେ ଦେଖିଲି ଆଖି ଦି'ଟା ଈଷତ୍ ଲାଲ୍ ପଡି ଯାଇଛି,

ସତେ ଯେମିତି କିଛି ସମୟ ତଳେ କାନ୍ଦୁ ଥିଲା । ମୁଁ କଣ କରିବି ଜାଣି ପାରିଲିନି । କିଛି ପଚାରିବାକୁ ଚେଷ୍ଟା କରୁଥିଲି, ସବିତା କହିଲା -ଭାଇ କଣ ପଚାରିବ କି ଯେ ମୁଁ କାହିଁକି ତୁମକୁ ଏମିତି କହିଲି! ମୁଁ ତାର ଅତି ନିକଟସ୍ଥ ହେଲେବି ସଙ୍କୋଚ ରେ କହିଲି -ହଁ ସେ ତତକ୍ଷଣାତ୍ କହିଲା ତୁମେ ଯାଇ ଆଗ ତୁମବନ୍ଧୁଙ୍କୁ ପଚାରି ଆସ ସେ କାଲି ରାତିରେ ଠିକ୍ ରେ ଶୋଇଛନ୍ତି ନା କିଛି ତାଙ୍କୁ ବ୍ୟତିବ୍ୟସ୍ତ କରିଛି ।

ପରିମଳ ଆଶ୍ଚର୍ଯ୍ୟ ହେଇ ପରେଶ ଆଡେ ଅନାଇଲା -କହିଲା, ସେ ଝିଅ ନା ଯାଦୁଗର । ସେ କେମିତି ଜାଣିଲା ଯେ ମୁଁ ଠିକ୍ ରେ ଶୋଇପାରିନି! ତା ପ୍ରତିଛବି ମୋତେ ବ୍ୟସ୍ତ କରୁଛି ବୋଲି! -ଆରେ! ତୁ ତ ଏବେ କହିଲୁ ଭଲ ନିଦ ହେଇଛି ବୋଲି ।

ପରିମଳ ସାମାନ୍ୟ ଲଜ୍ଜା ରେ ହସିଲା, କହିଲା- ନା! ମିଛ କହିଥିଲି । ମୁଁ ପ୍ରକୃତରେ ଶୋଇ ପାରିଲିନି । ବାରମ୍ବାର ସବିତାର ପ୍ରତିଛବି ମୋ

ମାନସ ପଟରେ ଉଙ୍କି ମାରୁଥିଲା । ବହୁତ ଡେରି ରାତିରେ କାଲି କେତେବେଳେ ଶୋଇଛି ଜାଣିନି ।

ସକାଳୁ ତୋ ମେସେଜ୍ ଦେଖି ଖୁସି ଲାଗିଲା । ତୋତେ ତା ବିଷୟରେ ପଚାରିବି ବୋଲି ଭାବୁଥିଲା କିନ୍ତୁ ମୁଁ ପଚାରିବା ଆଗରୁ ତୁ ଯାହା କହି ସାରିଲୁଣି ମୋର ଆଉ କିଛି ପଚାରିବାର ନାହିଁ । ଅନ୍ୟର ନୀରବତାରେ ମଧ୍ୟ ଯିଏ ସତ୍ୟ ଓ କାରଣ ଖୋଜି କାଢିପାରେ ତାଠୁ ଅଧିକ ଆଉ କାହାକୁ ଭରସା କରା ଯାଇପାରେ । ହସ ଭିତରେ ଛପି ରହିଥିବା ବେଦନାକୁ ଯିଏ ବୁଝିପାରେ ତାଠୁ ବଡ ପ୍ରେମିକା ଆଉ କିଏ ହେଇପାରେ । ସେ ପ୍ରକୃତରେ ଗ୍ରେଟ । ପରିମଳ ପାଟିରୁ ଅଜାଣତରେ ହେଉ ଅବା ଏକ ଆବେଗ ଓ ଉତ୍ସାହରେ ବାହାରି ପଡିଲା ।

ଆରେ ତୋର କଣ ଲଭ୍ ହେଇଗଲା ନା କ"ଣ! ପରିମଳ ହସିଲା, କହିଲା ତୋତେ ପଠେଇଚି ପରା ବୁଝିବା ପାଇଁ - ମୁଁ ଠିକ୍ ରେ ଶୋଇଚି ନା ନାହିଁ! - ହଁ ମୋତେ ତ ଆଶ୍ଚର୍ଯ୍ୟ ଲାଗୁଛି ପରସ୍ପରକୁ ଜାଣିବା ପାଇଁ ପ୍ରେମରେ ଏତେ ଶକ୍ତି ଥାଏ ବୋଲି ।

ଆଛା ସେ ଯେମିତି ତୋ ବିଷୟରେ କହି ପାରିଲା ତୋର କଣ ସେମିତି କିଛି ଅନୁଭବ ଆସୁଛି ତା ବିଷୟରେ ।

ପ୍ରେମର ଆହ୍ଲାଦ ପ୍ରେମିକ ହିଁ ବୁଝେ ତାହା ଅନ୍ୟକୁ କହି ହୁଏ ସିନା ତାର ସ୍ଵାଦ ଦେଇ ହୁଏ ନାହିଁ ।

ପରିମଳ କହିଲା - ହଁ ଆସୁଛି । ସେ ତୋ ମୋବାଇଲ କୁ ଫୋନ୍ କରିପାରେ । ମୋ ସାଙ୍ଗରେ ଦେଖା ହେଲା ନା ନାହିଁ

ପଚାରିବ । ପରେଶ ସାଙ୍ଗେ ସାଙ୍ଗେ ପେଣ୍ଟ ପକେଟରୁ ମୋବାଇଲ କାଢି ଛାତି ପକେଟରେ ରଖିବାକୁ ଯାଉଛି ରିଂ ହେଲା । ଫୋନ୍ ସବିତାର ଥିଲା । ପରେଶ ପରିମଳ ଆଡେ ଅନେଇ ପଚାରିଲା -

କଥା ହେବୁ!

- ନାଇ ତୁ କଥା ହ । ପରିମଳ କହିଲା ଆରେ ମନର କଥାକୁ ଚାପିକି କଣ ପାଇଁ ରଖୁଚୁ । ନେ ମୋବାଇଲ୍ ରେ କଥା ହେଇ ଯା । ଏକ ରକମ ବାଧ୍ୟ କଲା ପରି ପରେଶ କହିଲା । ପରିମଳ ହସିଲା ମନାକଲା । କହିଲା ନାଇ ତୁ କଥା ହ ।

ପରେଶ ଅଗତ୍ୟା ରିସିଭ୍ କଲା ।

କିଛି କ୍ଷଣ ଯାଇଚି କି ନାହିଁ ସବିତା ପଚାରିଲା- ଭାଇ ସେ କଣ ମନା କଲେ କି ରିସିଭ୍ କରିବେନି ବୋଲି ।

ପରେଶ ଆବା କାବା ହେଇ ପରିମଳ ଆଡେ ଦେଖିଲା । ମନରେ ଦ୍ବନ୍ଦ୍ବ, ଆରେ ଏ କେମିତି ଜାଣୁଛି । ପରେଶ ବ୍ୟସ୍ତ ହେଲା କଣ କହିବ ସବିତାକୁ ।

ପଚାରିଲା- ପରିମଳଙ୍କୁ ଫୋନ୍ ଦେବିକି ?

- ନାଇ ନାଇ ଥାଉ । ସେ ନିଜେ ଫୋନ୍ କରିବେ ବୋଲି ସବିତା କହିଲା ।

ପରେଶ ପୁଣି ଥରେ ପରିମଳ ଆଡେ ଚାହିଁଲା । ପ୍ରେମର ଅନ୍ତର୍ନିହିତ ଶକ୍ତିକୁ ବୁଝିବାକୁ ଚେଷ୍ଟା କରୁଥିଲା ।

ଏତିକିବେଳେ ପରିମଳ ହାତ ବଢାଇ ଫୋନ୍ ମାଗିଲା । ପରେଶ ଆଶ୍ଚର୍ଯ୍ୟ ହେଲେ ବି ସାଙ୍ଗେ ସାଙ୍ଗେ ଦେଇଦେଲା ।

ପ୍ରେମର ଜୀବନ୍ତ ସାକ୍ଷୀ ହେବା ପାଇଁ ତାର ମଧ୍ୟ ପ୍ରବଳ ଆଗ୍ରହ ହେଉଥିଲା ।

ପରିମଳ ଫୋନ୍ ଧରି ହ୍ୟାଲୋ କହିଲା । ସେପଟୁ ଏଥର ଧିରେ ହାଲୋ ଶୁଭିଲା । ତା ପରେ କିଛି ସମୟ ନୀରବ ।

ନୀରବତାକୁ ଭାଙ୍ଗି ପରିମଳ କହିଲା- ତମେ ମୋତେ ବହୁତ ଭଲ ଲାଗ ।

ମୁଁ ତୁମ ସାଙ୍ଗେ ଅନର୍ଗଳ କଥା ହେବା ପାଇଁ ଚାହେଁ । ମୁଁ ବି ତୁମ ସାଙ୍ଗେ କଥା ହେବା ପାଇଁ ଚାହେଁ -ସବିତା କହିଲା କିନ୍ତୁ ତୁମକୁ ପାଇବାକୁ ମୋତେ ବର୍ଷେ ସମୟ ଦିଅ । ମୁଁ କାହା ପାଇଁ ଚିନ୍ତାର କାରଣ ହେବା ପାଇଁ ଚାହେଁ ନାହିଁ -ପରିମଳ କଣ୍ଠ ସ୍ଵର ସ୍ପଷ୍ଟ କରି କହିଲା ।

କିନ୍ତୁ ଆମେ ତ କଥା ହେଇ ପାରିବା - ସବିତାର କଣ୍ଠ ସ୍ଵରରେ ଅନୁନୟ ଥିଲା ।

ପରିମଳ କହିଲା - ନା, ପ୍ରେମର ପ୍ରକୃତ ପରୀକ୍ଷା ବିରହରେ ଥାଏ ।

ମୋତେ ଏ ପରୀକ୍ଷା ପାଶ୍ କରିବାକୁ ହେବ । -କିନ୍ତୁ ମୁଁ କଣ ପାରିବି! ସବିତା ପଚାରିଲା ।

ମୁଁ ଶୁଣିଛି ତୁମେ ଭଲ କବିତା ଲେଖ । ମୋତେ ଯଦି ଭଲ ପାଉଛ ମୋ ପାଇଁ କବିତା ଲେଖ ।

ତମ କବିତାକୁ ମୁଁ ଦୂରରେ ଥାଇବି ଅନୁଭବ କରିବି ।

ପରେଶ ଆଶ୍ଚର୍ଯ୍ୟ ହୋଇ ଶୁଣୁଥିଲା ପରିମଳର ପ୍ରଗଳଭତା । ଯିଏ କେବେ ଝିଅଙ୍କ ସହିତ କଥା ହେବା ପାଇଁ ମଧ୍ୟ ଇଛା କରିନି ତାର ବାକ୍ୟରେ ଯେ ପ୍ରେମର ଏତେ ମଧୁର ମିଠାସ ଥାଇପାରେ ସେ ଶୁଣି ମଧ୍ୟ ବିଶ୍ୱାସ କରି ପାରୁ ନଥିଲା । ପ୍ରକୃତ ପ୍ରେମରେ ସ୍ବର୍ଗୀୟ ବାସନା ଥାଏ ବୋଲି ସେ ମହକି ଉଠେ । ଅନ୍ୟଥା ପ୍ରେମ ତାର ସତ୍ତା କୋଉ ଦିନଠୁ ହରାଇ ବସନ୍ତାଣି । ଆରେ ମୋବାଇଲ୍ ରଖ ଯିବା । ପରିମଳ ଡାକରେ ପରେଶ ଭାବନାରୁ

କ୍ଷାନ୍ତ ହେଲା ।

ଦୁହେଁ ଘରକୁ ବାହାରିଲେ । ପରେଶ କିନ୍ତୁ ରୋମାଞ୍ଚ ଭିତରେ ଥାଏ । ନିଜର ଅହେତୁକ ଇଛାକୁ ଚାପି ନପାରି ପଚାରିଲା - ଝିଅଟା ଖାଲି କଥା ହେବା ପାଇଁ ଚାହୁଁ ଥିଲା । ମନା କରିଦେଇ କଣ ଠିକ୍ କଲୁ । ପରିମଳ ପରେଶ ଆଡେ ଅନାଇ ସ୍ଥିର ଚିତ୍ତରେ କହିଲା ।

ଇଛା ତ ସମସ୍ତଙ୍କ ପାଖରେ ବଳବତ୍ତର ହେଇ ଅଛି । କିନ୍ତୁ ମଣିଷର କାମନା ଓ ବାସନା ହେଉଛନ୍ତି ଦୁଷ୍ଟ ଦାନବ ପରି । ସଦାବେଳେ ଦ୍ବନ୍ଦ୍ବ ହୁଏ ମନ ଏବଂ ବିବେକ ଭିତରେ । ଯେତେବେଳେ କାମନା ରୂପୀ ଦାନବ ବଳିୟାନ ହୁଏ ମଥାକୁ ରକ୍ତ ଚହଟେ ଆଉ ବାସନା ଦ୍ଵାରା ବିବେକ ସହଜରେ କବଳିତ ହେଇଯାଏ । ଠିକ୍ ସେତିକିବେଳେ ଯଦି ମଥାର ରକ୍ତ ବାହାରି ଯାଏ ଦାନବ ହାର୍ ମାନିଯାଏ । ସେ ମଥାର ରକ୍ତ ବାହାର କରିବା ପାଇଁ ମାଧ୍ୟମ ହେଉଛି

ବିରହ । ବିରହରେ ଯିଏ ଗତି ନ କରିଛି ପ୍ରେମର ମଧୁରତା ସେ ପାଇପାରେ ନାହିଁ । ଏବେ କହ ମୁଁ କୋଉଠି ଭୁଲ୍ କଲି ।

ପରେଶ ସେତେବେଳକୁ ପରିମଳ କଥାରେ ବଶୀଭୂତ ହେଇ ସାରିଥିଲା । କହିବା ପାଇଁ ତା ପାଖରେ ଶବ୍ଦ ନଥିଲା । ପରିମଳକୁ ଥରେ ଶାନ୍ତ ମୁଦ୍ରାରେ ଦେଖିଲା ଓ କହିଲା- ମୁଁ ତୋ ପରି ବନ୍ଧୁ ପାଇ ଭାଗ୍ୟବାନ । ପ୍ରେମରେ ଯେ କେତେ ସ୍ଵର୍ଗୀୟତା ଥାଏ ମୁଁ ଆଜି ତାହା ଅନୁଭବ କରି ପାରୁଛି ।

ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya story from Drama