Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଶେଷ ପ୍ରେମିକାର ସନ୍ଧାନରେ
ଶେଷ ପ୍ରେମିକାର ସନ୍ଧାନରେ
★★★★★

© T.Durga Prasad Rao

Crime Drama

12 Minutes   6.9K    15


Content Ranking



ଆଜି ବାଦଲ୍.ର ବାସର ରାତି। ସବୁ ପୁରୁଷ ଓ ନାରୀଙ୍କର ଅଭିଳଷିତ ରାତି। ଆଶଙ୍କାର କଳାବାଦଲକୁ ମନରୁ ପୋଛି ଦେଇ ନୂଆ ଏକ ନୀଡ଼ ରଚନାର ସ୍ୱପ୍ନରେ ମସ୍.ଗୁଲ୍ ବାଦଲ୍। ମନ ଓ ହୃଦୟ ତାର ପୁଲକିତ ଅଜଣା ସୁଖର ପରିକଳ୍ପନାରେ। ପୂର୍ଣ୍ଣମୀ ଜହ୍ନର ଆକର୍ଷଣ ପରି ବେଳକୁ ବେଳ ଦେହଟା ତାର ଜୁଆରିଆ। ବନ୍ଧୁମାନେ ତାକୁ ସଜାଇ ଦେଇଛନ୍ତି ଧୋତି ଓ ପଞ୍ଜାବୀରେ। ମୁଣ୍ଡରେ ଭିଡ଼ି ଦେଇଛନ୍ତି ସୁନେଲି ଧଡିର ଧଳା ପଗଡ଼ିଟିଏ। ତେଣେ ପଲଙ୍କକୁ ସଜା ଯାଇଛି ଅତି ସୁନ୍ଦର ଭାବରେ ବିଭିନ୍ନ ପ୍ରକାରର ସୁଗନ୍ଧିତ ପୁଷ୍ପରେ। ଟେବୁଲ୍ ଉପରେ ଅଛି ନାନା ରକମର ସୁସ୍ୱାଦୁ ଫଳ। ଘର ଭିତରେ ଓ ଝରକା ବାହାରେ ଟିମ୍ ଟିମ୍ କରୁଥିବା ତାରା ପରି ଲିଚୁ ଲାଇଟ୍.ର ଆସର।

ବାଦଲ୍ ବସିଲା ଯାଇ ପଲଙ୍କ ଉପରେ। ଏ ସହରରେ ସେ ଯେତେବେଳେ ପ୍ରଥମ କରି ପାଦ ଦେଇଥିଲା ତାକୁ ବିନା କୌଣସି ଆପତ୍ତିରେ ଆଶ୍ରୟ ଦେଇଥିଲେ ମୁକୁନ୍ଦ ମଉସା। ଟ୍ରେନ୍.ରୁ ଓହ୍ଲାଉ ଓହ୍ଲାଉ ଚୋରି ହୋଇ ଯାଇଥିଲା ତାର ବ୍ୟାଗ୍ ଓ ପର୍ସ। ବଡ଼ କାଇଦାରେ ଚୋରମାନେ ହାତ ସଫା କରି ଦେଇଥିଲେ ତାର ଏକମାତ୍ର ସୁନା ମୁଦିଟିଏ ମଧ୍ୟ। ସାର୍ଟ ପକେଟ୍.ରେ ଅବଶେଷ ରହି ଯାଇଥିଲା କେବଳ ମାତ୍ର କୋଡ଼ିଏ ଟଙ୍କିଆ ନୋଟ୍.ଟିଏ। ସେତିକି ମାତ୍ର ସମ୍ବଳରେ ଏତେ ବଡ଼ ସହରରେ ସେ କେମିତି କଣ କରିବ ତାକୁ କିଛି ବୁଦ୍ଧି ବାଟ ଦିଶୁନଥିଲା। ଷ୍ଟେସନ୍.ର ଶେଷ ବେଞ୍ଚଟାରେ ମନ ଦୁଃଖରେ ବସିଥାଏ, ହାବୁଡ଼ି ଗଲେ ମୁକୁନ୍ଦ ମଉସା। ମୁକୁନ୍ଦ ମଉସା ବାଦଲ୍.ର ଗାଁ ଲୋକ। ବହୁ ବର୍ଷ ପୂର୍ବରୁ ସେ ଅଭାବ ଓ ଋଣଗ୍ରସ୍ତ ହୋଇ ଗାଁ ଛାଡ଼ି ସହର ଚାଲି ଆସିଥିଲେ। ଏବେ କିନ୍ତୁ ସେ ଖୁବ୍ ସ୍ୱଚ୍ଛଳ। ଜନଗହଳିପୂର୍ଣ୍ଣ ସ୍ଥାନରେ ନିଜର ଗୋଟିଏ ମିଷ୍ଟାନ୍ନ ଭଣ୍ଡାର ଖୋଲିଛନ୍ତି। ତାଙ୍କ ଦୋକାନର ମିଠା ପରି ତାଙ୍କ କଥାବାର୍ତ୍ତା ଓ ବ୍ୟବହାର ବି ଭାରି ମିଠାଳିଆ। ଅତି ସହଜରେ ନିଜର ବ୍ୟବହାରରେ ଖୁବ୍ ଶୀଘ୍ର ଅପରକୁ ମୋହିତ କରିବାର କଳା ତାଙ୍କୁ ଜଣା। ତାଙ୍କର ଏକମାତ୍ର ପଢ଼ୁଆ ଝିଅ ମୁମ୍ବାଇରେ କଣ ଗୋଟେ ଫେସନ୍ ଡିଜାଇନିଂ କୋର୍ସ୍ କରୁଛି। ପ୍ରଥମରୁ ମୁକୁନ୍ଦ ମଉସା ବାଦଲ୍.କୁ ଚିହ୍ନି ପାରିନଥିଲେ। କାରଣ ମୁକୁନ୍ଦ ମଉସା ଗାଁ ଛାଡ଼ିଲା ବେଳକୁ ସେ ଥିଲା ମାତ୍ର ବାର ବର୍ଷର ଛୁଆଟିଏ। ମଉସା ଯେତେବେଳେ ତାର କାନ୍ଧ ଉପରେ ହାତ ରଖି ପଚାରିଲେ, କଣ ହେଇଛି ବାପା, ଘରୁ କଣ ଝଗଡ଼ା କରି ଚାଲି ଆସିଲ? ମନ ଶୁଖେଇ ବସିଛ! ବାଦଲ୍ ମୁହଁ ଉଠାଇ ମୁକୁନ୍ଦ ମଉସାଙ୍କୁ ଦେଖି ହାତ ପାହାନ୍ତାରେ ସାକ୍ଷାତ୍ କୃଷ୍ଣଙ୍କୁ ପାଇଲା ପରି ଗଦ୍ ଗଦ୍ ହୋଇ ସବୁ କିଛି କହିଗଲା। ମୁକୁନ୍ଦ ମଉସା ବି ବାଦଲ୍.ର ପରିଚୟ ପାଇ ନିଜକୁ ଆତ୍ମ ସମ୍ବରଣ କରି ପାରିଲେ ନାହିଁ। ବାଦଲ୍.ର ବାପା ଓ ମୁକୁନ୍ଦ ମଉସା ଭଲ ସାଙ୍ଗ ଥିଲେ। ବାଦଲ୍ ଏଇ ନିକଟ ଅତୀତରେ ବାପ ଛେଉଣ୍ଡ ହେଇ ଯାଇଛି ଶୁଣି ସେ ଖୁବ୍ ଦୁଃଖ ପ୍ରକାଶ କଲେ। ସାଙ୍ଗରେ ନେଇଗଲେ ନିଜ ଘରକୁ। ତାଙ୍କ ଉପର ମହଲାର ଅତିଥି କକ୍ଷର ଚାବିଟି ବଢ଼ାଇ ଦେଇ କହିଲେ, ତୋର ଯେତେଦିନ ପର୍ଯ୍ୟନ୍ତ କିଛି ସୁବିଧା ନ ହେଇଛି, ତୁ ଏଇଠି ରହିବୁ, ଆମରି ଘରେ ଖିଆପିଆ କରିବୁ। ଆଉ କଣ ଦରକାର ବାଦଲ୍.କୁ? ଖାଇବା ରହିବାରେ ଏବେ କିଛି ଅସୁବିଧା ନାହିଁ। ଖାଲି ଯାହା ଚାକିରୀଟିଏ ଯୋଗାଡ଼ କରିବା କଥା। ଏକାଦଶ ଯାଏଁ ପଢ଼ିଛି ବାଦଲ୍। କେଉଁ ଫ୍ୟାକ୍ଟ୍ରି ଅବା ବଡ଼ ଦୋକାନରେ ଯଦି ଗୁମାସ୍ତା ଚାକିରୀ ଖଣ୍ଡେ ମିଳିଯାଏ, ମାଆଙ୍କୁ ନେଇ ଆସିବ ଗାଁରୁ। ଏଣେ ଚାକିରୀ ଖୋଜୁଥାଏ, ତେଣେ ମୁକୁନ୍ଦ ମଉସାଙ୍କ ଦୋକାନର ହିସାବପତ୍ର ବି ରଖୁଥାଏ। କହନ୍ତି, ଉଦ୍ଯୋଗ କଲେ ଭଗବାନ ବି ମିଳନ୍ତି। ଏ ତ ସାମାନ୍ୟ ଚାକିରୀଟିଏ। ମୁକୁନ୍ଦ ମଉସାଙ୍କ ସୁପାରିଶ କ୍ରମେ ତାଙ୍କ ପରିଚିତ ଜଣେ ମିଲ୍ ମାଲିକ ମିଲ୍.ର କାମ ତଦାରଖରେ ତାକୁ ନିୟୋଜିତ କରିଦେଲେ। ସହରଠାରୁ ସାତ ଆଠ କିଲୋମିଟର ଦୂରରେ ତାଙ୍କର ମିଲ୍। ମୁକୁନ୍ଦ ପ୍ରତିଦିନ ସକାଳେ ଘରୁ ବାହାରି ଯାଇ ଫେରୁଥିଲା ରାତିରେ। ତାର କର୍ମପ୍ରବୀଣତାରେ ଭାରି ଖୁସି ଥିଲେ ମିଲ୍ ମାଲିକ। ତେଣେ ମୁକୁନ୍ଦ ମଉସାଙ୍କ ଝିଅ ଲତିକା ତାର କୋର୍ସ୍ ସାରି ଫେରି ଆସିଥାଏ ଘରକୁ। ପ୍ରଥମ ଦେଖାରେ ହିଁ ବାଦଲ୍.ର ପ୍ରେମରେ ପଡ଼ି ଯାଇଥିଲା ଲତିକା। ତାର ବ୍ୟବହାର, ସମୟାନୁବର୍ତ୍ତିତା, ଆବଶ୍ୟକ ଅନୁସାରେ କଥାବାର୍ତ୍ତା ଖୁବ୍ ପ୍ରଭାବିତ କରିଥିଲା ଲତିକାକୁ। ବସିଲେ ଉଠିଲେ ସେ ଜପୁଥିଲା ବାଦଲ୍.ର ନାମ। ବାଦଲ୍ ଜାଣି ନ ଜାଣିଲା ପରି ଅଭିନୟ କରୁଥିଲା। ମୁକୁନ୍ଦ ମଉସାଙ୍କୁ ଧୋକା ଦେବାପାଇଁ ସେ ଚାହୁଁନଥିଲା। ମୁକୁନ୍ଦ ମଉସା ଓ ତାଙ୍କ ଭିତରେ ଜାତିଗତ ପାର୍ଥକ୍ୟ ଥିଲା। ତା ସହିତ ଆହୁରି ଗୋଟିଏ ବଡ଼ କାରଣ ଥିଲା, ଯାହାକୁ ବାଦଲ୍ ଅଣଦେଖା କରି ପାରୁନଥିଲା।

ଇଏ ଥିଲା ତାର ଶୈଶବ ସମୟର କାହାଣୀ। ତାକୁ ବୟସ କେତେ ହୋଇଥିବ? ଏଇ ଧର ଛଅ ସାତ ବର୍ଷ। ତାର ଅନେକ ସାଙ୍ଗ ଭିତରେ ପାଣ୍ଡି ନାମ୍ନି ଝିଅଟିଏ ଥିଲା ତାର ସବୁଠାରୁ ଭଲ ସାଙ୍ଗ। ଦୁହେଁ ସାଙ୍ଗ ହୋଇ ଖେଳନ୍ତି, ନଈକୁ ଯାଆନ୍ତି। ନଈ ବାଲିରେ ଘର ତିଆରି କରନ୍ତି। ଅମରି ଫୁଲଟିଏ ତା ଉପରେ ପୋତି ଭିତରେ ଓଦା ବାଲିର ଶିବଲିଙ୍ଗଟିଏ ରଖି ତାକୁ ପୂଜା କରନ୍ତି। ଖୁବ୍ ହସଖୁସି କରନ୍ତି। ଆଉ ଯେଉଁଦିନ ମନୋମାଳିନ୍ୟ ହୁଏ ଏକ ଆରେକର ମନ୍ଦିର ଭାଙ୍ଗି ଦାଉ ସାଧନ୍ତି। ଦିନେ ମିଛି ମିଛିକା ବାପା ବୋଉ ଖେଳୁ ଖେଳୁ ପାଣ୍ଡି ତା ଗାଲରେ ଚୁମାଟିଏ ଆଙ୍କିଦେଲା। ସେଇ ବାଳୁତ ବୟସରେ ବି ବାଦଲ୍.ର ଦେହ ଶିହରି ଉଠିଲା। ଚୁମାଟି ଯେମିତି ତାର ସବୁ ଶିରା ପ୍ରଶିରାରେ ସଞ୍ଚରି ଗଲା। ସେ ବି ପ୍ରତ୍ୟୁତ୍ତରରେ ପାଣ୍ଡିର ଗାଲରେ ଆଙ୍କି ଦେଇଥିଲା ଏକ ପ୍ରଗାଢ଼ ଚୁମ୍ବନ। ସକାଳୁ ସକାଳୁ ଶୁଣିଲା ପାଣ୍ଡିକୁ ତାର ନିଜ କକା ଯିଏ କି ଗୁଣି ଗାରେଡ଼ି ଶିଖୁଛି ବୋଲି ଅନେକ ଦିନ ହେବ ଗୁଜବ ହେଉଥିଲା, ରାତି ଅଧରେ ଗୁଣିଆ କରି ମାରି ଦେଇଛି। ଶ୍ମଶାନରେ ପଡ଼ିଥିଲା ତାର ଶବ, ମୁଣ୍ଡ ଓ ଗଣ୍ଡି ଅଲଗା ହୋଇ। ବାଦଲ୍ ହରାଇଥିଲା ତାର ପ୍ରୀୟ ସାଥୀ। ପରେ ଗାଁ ଲୋକ ମିଶି ପାଣ୍ଡିର କକାକୁ ଗୋଡ଼େଇ ଗୋଡ଼େଇ ପ୍ରାଣରୁ ମାରି ଦେଇଥିଲେ।

ବାଦଲ୍ ଯେତେବେଳେ ବଡ଼ ହେଲା ପାଶୋରି ଯାଇଥିଲା ପିଲାବେଳେ ଘଟିଥିବା ଦୁର୍ଘଟଣାର କଥା। ପାଣ୍ଡିର ଅକାଳ ମୃତ୍ୟୁକୁ ସେ ଭୁଲି ଯାଇଥିଲା ଏକ ଦୁଃସ୍ବପ୍ନ ପରି ନିଜ ଅନ୍ତଃମନରୁ। ନବମ ଶ୍ରେଣୀ ପଢ଼ିବା ସମୟରେ ସେ ପୁଣି ଥରେ ଭଲ ପାଇ ବସିଥିଲା ଆର ଗାଁ ଝିଅ ନିରୁକୁ। ତେବେ ଏ ଭଲ ପାଇବା ଅନେକ ଦିନ ଯାଏ ନିରୁ ପଟୁ ହିଁ ଥିଲା। ବାଦଲ୍ ଜାଣି ପାରି ନ ଥିଲା ଯେ ନିରୁ ତାକୁ ଭଲ ପାଏ ବୋଲି। ତେବେ ନିରୁକୁ ସେ ଭଲ ସାଙ୍ଗ ହିସାବରେ ଦେଖୁଥିଲା। ବହିଖାତାର ଆଦାନ ପ୍ରଦାନ ବି ହେଉଥିଲା। ଦିନେ ନିରୁର ବହିରୁ ସେ ଆବିଷ୍କାର କଲା ଏକ ଚିତ୍ରିତ କାଗଜ, ଯେଉଁଥିରେ ବଡ଼ ବଡ଼ ଅକ୍ଷରରେ ରଙ୍ଗୀନ କାଳିରେ ଲେଖା ହୋଇଥିଲା “ମୁଁ ତୁମକୁ ଭଲପାଏ”। ନିରୁ ତ ଭଲ ଲାଗୁଥାଏ ବାଦଲ୍.କୁ। ଏବେ ନିରୁର ତା ପ୍ରତି ଭଲ ପାଇବାର ପରିପ୍ରକାଶ ପରେ ବାଦଲ୍ ଆଉ ନିଜକୁ କ୍ଷଣେ ମାତ୍ର ଅଟକାଇ ରଖି ପାରିଲା ନାହିଁ। ସେଇ କାଗଜ ତଳେ ସେ ଲେଖି ଦେଇଥିଲା ଗୋଲ୍ ଗୋଲ୍ ଅକ୍ଷରରେ “ମୁଁ ମଧ୍ୟ” ଏବଂ ସେହି ବହିର ପୃଷ୍ଠାରେ ହିଁ ଲୁଚାଇ ଦେଇ ଫେରାଇ ଦେଇଥିଲା ନିରୁକୁ। ତା ପରଦିନ ନିରୁ ଓ ସେ ବିଦ୍ୟାଳୟରେ ପରସ୍ପରକୁ ଭେଟି ଲାଜରେ କିଛି ସମୟ କଥା ହୋଇ ପାରିଲେ ନାହିଁ। ସନ୍ଧ୍ୟାରେ ଶୁଣିଲା ବିଦ୍ୟାଳୟରୁ ଘରକୁ ଫେରୁଥିବା ସମୟରେ ନିରୁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛି। କାବା ହୋଇ ଯାଇଥିଲା ବାଦଲ୍। ପାଗଳ ପ୍ରାୟ କିଛି ଦିନ ସ୍କୁଲ ନ ଯାଇ ଅଖିଆ ଅପିଆ ବୁଲିଲା ନଈକୂଳେ, ପାହାଡ଼ କଡ଼ ଆମ୍ବତୋଟାରେ ନିରୁର ସ୍ମୃତି ଚାରଣ କରି।

କୁହାଯାଏ, ସମୟ ଜୀବନର ଗଭୀରରୁ ଗଭୀରତମ କ୍ଷତକୁ ମଧ୍ୟ ଭୁଲାଇ ଦିଏ। ସେମିତି ହିଁ ହେଲା ବାଦଲ୍.ର ଜୀବନରେ। ଧିରେ ଧିରେ ନିରୁର ବିୟୋଗରୂପକ କ୍ଷତ ବାଦଲ୍.ର ସ୍ମୃତି ପଟରୁ ଆରୋଗ୍ୟ ହେବାକୁ ଲାଗିଲା। ପଢ଼ା ପଢ଼ି ସରିବା ପରେ ବାପାଙ୍କ ସହିତ ଚାଷ କାମରେ ମନ ଦେଲା ବାଦଲ୍। ତାକୁ ଆଉ ଅଧିକ ପଢ଼ାଇବା ତା ବାପାଙ୍କ ପକ୍ଷେ ସମ୍ଭବ ନ ଥିଲା। ଦିନ ଗଡି ଚାଲିଲା। ସେଦିନର କିଶୋର ବାଦଲ୍ ଗାଁର ଗଜା ଭେଣ୍ଡିଆ ହୋଇ ଗାଁ ଝିଅମାନଙ୍କ ଲୋଲୁପ ନଜରକୁ ଆସିଲା। ବାଦଲ୍ କିନ୍ତୁ କାହାରିକୁ ନିଜ ପାଖତଡ଼ ମାଡ଼ିବାକୁ ଦେଉନଥିଲା। ତେବେ ପଡ଼ିଶା ରାଧୁ ମଉସା ଘରକୁ ଦୂର ଗାଁର ତାଙ୍କ ବଡ଼ ଭାଣିଜୀ ମାଳତୀ ମଝିରେ ମଝିରେ ବୁଲିବାକୁ ଆସି ବାଦଲ୍ ସାଙ୍ଗରେ ଭାବ ଲଗାଇବାକୁ ଚେଷ୍ଟା କରେ। ବାଦଲ୍.ର ମାଆଙ୍କ ସଙ୍ଗେ କଥା ହେବା ଛଳରେ ବାଦଲ୍ ଘରକୁ ବେଳ ଅବେଳରେ ଚାଲିଆସେ। ମାଆଙ୍କ ଛୋଟ ମୋଟ କାମର ବରାଦକୁ ଅକୁଣ୍ଠ ଚିତ୍ତରେ କରିଦିଏ। ଘର ଭିତରେ ଛେଳି ଛୁଆଟିଏ ବି ଚଳ ପ୍ରଚଳ ହେଲେ ଆପେ ଆପେ ସ୍ନେହ ମମତା ଆସିଯାଏ, ଆଉ ଏ ତ ସୁନ୍ଦରୀ ଉତ୍ତୁଙ୍ଗ ଯୌବନା କନ୍ୟାଟିଏ। ଲୋଭେଇଯିବା ସ୍ୱାଭାବିକ। ଦିନେ ଅନ୍ଧାର ରାତିରେ କରେଣ୍ଟ୍ ନ ଥିବା ସମୟରେ ସ୍ୱତଃ ତା ହାତ ଦୁଇଟା ଜାବୁଡ଼ି ଧରି ପକାଇଲା ମାଳତୀକୁ। ବାସ୍ ଆଉ ମାଳତୀକୁ ରୋକେ କିଏ। ଏଣିକି ଅଧିକାଂଶ ସମୟ ତାର କଟିଲା ବାଦଲ୍ ଘରେ ବାଦଲ୍ ସହ ଗପସପରେ, ଭାବ ଦିଆନିଆରେ। ମାଆ ଦେଖିଲେ, କିଛି କହିଲେ ନାହିଁ। କେବଳ ମନେ ମନେ ନିଷ୍ପତି ନେଲେ ମାଳତୀକୁ ବୋହୁ କରିବା ପାଇଁ ଏବଂ ସେଥିପାଇଁ ତାର ମାମୁଁ ସହ କଥା ହେବାର ପ୍ରାକ୍ ପ୍ରସ୍ତୁତି ଆରମ୍ଭ କଲେ। କିନ୍ତୁ ହାୟ, ତୃତୀୟ ଦିନ ସନ୍ଧ୍ୟାରେ ମାମୁଁଙ୍କ ବାରି ପୋଖରୀରୁ ଗୋଧୋଇ ସାରି ଆସି ମାଳତୀ ବାରିପିଣ୍ଡାଟାରେ ହିଁ ରକ୍ତ ବାନ୍ତି କରି ମୃତ୍ୟୁବରଣ କଲା। ଡାକ୍ତରଖାନା ନେବା ପର୍ଯ୍ୟନ୍ତ ବି ସମୟ ନ ଥିଲା ମାଳତୀର। କିଏ କହିଲା ମାଳତୀର ଆଗରୁ ରୋଗବ୍ୟାଧି ଥିଲା। ଆଉ କିଏ କହିଲା ମାଳତୀର ମାମୁଁଙ୍କ ନିକଟ ଶତ୍ରୁ କିଏ ପୋଖରୀରେ ବିଷ ଗୋଳେଇଛି। ସେ ଯାହା ବି ହେଉ, ବାଦଲ୍.ର ତୃତୀୟ ପ୍ରେମିକା ତାରି ଆଖି ଆଗରେ ପ୍ରେମ ପରିପ୍ରକାଶର ତୃତୀୟ ଦିନରେ ଭଗବାନଙ୍କୁ ପ୍ରାପ୍ତି ହୋଇଗଲା। ନିଜ ଜୀବନର ଏ ଅଭାବନୀୟ ଦୁର୍ଘଟଣାକୁ ନେଇ ଖୁବ୍ ଡରି ଯାଇଥିଲା ବାଦଲ୍। ସେ ବୁଝି ପାରୁନଥିଲା, ଏସବୁ ତୁଚ୍ଛା ସଂଯୋଗ ନା ଆଉ କିଛି। ଭାଗ୍ୟରେ କେବେ ବିଶ୍ୱାସ ନ ଥିଲା ବାଦଲ୍.ର। କିନ୍ତୁ ବାରମ୍ବାର ତା ଜୀବନରେ ଘଟି ଯାଉଥିବା ଗୋଟି ଗୋଟି ଆପଦକୁ ସେ ତୁଚ୍ଛା ସଂଯୋଗ ବୋଲି ସରଳ ସହଜ ଭାବରେ ନେଇ ପାରୁନଥିଲା। କେବେ ପିଲାବେଳେ ସ୍କୁଲ୍ ସାର୍.ଙ୍କ ଠାରୁ ଶୁଣିଥିବା ବିଷକନ୍ୟାର କାହାଣୀ ତାର ମନେ ପଡ଼ି ଯାଉଥିଲା। ଯେଉଁଥିରେ ରାଜକନ୍ୟା ଯେତିକି ଥର ବିବାହ କରୁଥିଲା ପ୍ରତି ଚତୁର୍ଥୀ ରାତିରେ କେମିତି କନ୍ୟାର ନାକ ଦେଇ ସରୁ କାଳନାଗଟିଏ ବାହାରି ଆସି ତାରି ବରକୁ ହିଁ ଦଂଶନ କରି ମାରି ଦେଉଥିଲା। ତଫାତ୍ ଏତିକି, ସେ ଥିଲା ନାରୀ ଆଉ ବାଦଲ୍ ଜଣେ ପୁରୁଷ। ଖୁବ୍ ଭାଙ୍ଗି ପଡ଼ିଥିଲା ବାଦଲ୍। ଯେତେବେଳେ ବାଦଲ୍.ର ବାପା ମଧ୍ୟ ଆରପାରିକୁ ଚାଲିଗଲେ, ଗାଁରେ ବାଦଲ୍.ର ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିଲା। ଶେଷରେ ସେ ଗାଁ ଛାଡ଼ିବାର ନିଷ୍ପତି ନେଲା। ମା ତାକୁ ଅନେକ ବୁଝାଇଲେ। କିନ୍ତୁ କିଛି ଫଳ ହେଲାନାହିଁ।

ସେଇ ଡରରେ ବାଦଲ୍ ଲତିକାକୁ କେବେ ବି ନିଜ ପାଖାପାଖି ହେବାକୁ ଦେଇନାହିଁ। ତା ଗ୍ରହ ନକ୍ଷତ୍ରର ପ୍ରଭାବ ଲତିକା ଅବା ମୁକୁନ୍ଦ ମଉସାଙ୍କୁ ଅସୁବିଧାରେ ପକାଉ ସେ କେବେ ବି ଚାହିଁବ ନାହିଁ। ନିଜକୁ ଖୁବ୍ କଠୋର କରି ତୋଳିଲା ବାଦଲ୍। ଯେମିତିକି ଲତିକାର ପ୍ରେମ ତା ହୃଦୟର ସେଇ ଇସ୍ପାତ ଖୋଳପା ଭେଦ କରି ପ୍ରବେଶ କରି ନ ପାରେ। ଦିନେ ମୁକୁନ୍ଦ ମଉସାଙ୍କ ଘର ଛାଡ଼ି ବାଦଲ୍ ମିଲ୍ ପାଖା ପାଖି ଘରଟିଏ ନେଇ ମାଆଙ୍କୁ ଆଣି ରଖିଲା।

ହଠାତ୍ ଘର ଭିତରେ କୋଳାହଳ ଶୁଣି ପଗଡ଼ିକୁ ପଲଙ୍କର ଗୋଟିଏ କୋଣରେ ଫୋପାଡ଼ି ଦେଇ ବାଦଲ୍ ଦରଜା ଆଡ଼କୁ ଅଗ୍ରସର ହେଲା। ଦର ଆଉଜା ଦରଜାକୁ ଠେଲି ଦେଇ ଭିତରକୁ ପଶି ଆସିଲା ଲତିକା। ଅସଜଡ଼ା କେଶବିନ୍ୟାସ, ଆଖିରେ ଉଭୟ ଭୟର ଚିହ୍ନ ଓ ପ୍ରତିଶୋଧରର ବହ୍ନି ସ୍ପଷ୍ଟ ଫୁଟି ଉଠୁଥିଲା। ଦରଜା ଭିତରୁ ବନ୍ଦ କରିଦେଇ ବାଦଲ୍.କୁ ଜାବୁଡ଼ି ଧରି ଥର ଥର କଣ୍ଠରେ କହିଲା, ତୁମକୁ ମୁଁ ଆଉ କାହାର ହେବାକୁ ଦେବି ନାହିଁ। ତୁମେ କେବଳ ମୋର, ଗୋଟାପଣେ ମୋର। ସୁମି ମୋ ଭଲ ପାଇବାରେ ଭାଗ ବସେଇବ ଆଉ ମୁଁ ଚୁପ୍ ଚାପ୍ ବସି ଦେଖୁଥିବି? ସୁମି ବାଦଲ୍.ର ସଦ୍ୟ ବିବାହିତ ପତ୍ନି।

ବାଦଲ୍ କିଛି ଅପରାଧର ଗନ୍ଧ ବାରି ପାରି ପଚାରିଲା, ଓଲଟା ସିଧା କାମ କିଛି କରିନାହଁ ତ ଲତିକା?

- କରିଛି। ତା କଫ୍ ସିରାପ୍.ରେ ବିଷ ଢ଼ାଳିଛି। ମରୁ... ଚଣ୍ଡୀ। ମୋଠୁଁ ମୋ ବାଦଲ୍.କୁ ଛଡ଼େଇ ନେବାକୁ ବସିଥିଲା। ତାକୁ କଣ ଏମିତି ଛାଡ଼ି ଦେଇଥାନ୍ତି? ବାଉଳା ଚାଉଳା ହେଉଥିଲା ଲତିକା।

ବାଦଲ୍ ବୁଦ୍ଧି ଶୁଦ୍ଧି ହରାଇ ମୁଣ୍ଡରେ ହାତ ଦେଇ ପଲଙ୍କ ଉପରେ ବସି ପଡ଼ିଲା।

ହଠାତ୍ ଦରଜାରେ ଜୋର୍ ଜୋର୍ କରାଘାତ ହେଲା। ବାଦଲ୍ ସଙ୍ଗେ ସଙ୍ଗେ ଲତିକାକୁ ପଲଙ୍କ ତଳେ ଲୁଚାଇ ଦେଇ ଦରଜା ଖୋଲିଲା। ଭିତରକୁ ପଶି ଆସିଲେ ମୁକୁନ୍ଦ ମଉସା।

- ବାପରେ ଅନର୍ଥ ହୋଇଗଲା। ସୁମି ହସ୍.ପିଟାଲ୍.ରେ ଶେଷ ନିଶ୍ୱାସ ଛାଡ଼ିଛି। କିଏ ତାକୁ ବିଷ ପିଆଇ ଦେଇଛି। ପ୍ରଥମେ ତାର ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଲା, ତାପରେ ତା ପାଟିରୁ ଫେଣ ବାହାରିବା ଦେଖି ସିଧା ଗେଷ୍ଟହାଉସ୍.ରୁ ତାକୁ ହସ୍.ପିଟାଲ୍ ନିଆଗଲା। କିନ୍ତୁ... ସବୁ ଶେଷ। ଆନନ୍ଦରେ କୋଳାହଳ ପରିବେଶ ଶୋକ ସନ୍ତାପରେ ଭରିଗଲା ବାପା। ମୁଁ ତୋତେ ନେବା ପାଇଁ ସ୍କୁଟି ନେଇ ଆସିଛି, ଚାଲ୍ ମୋ ସାଙ୍ଗରେ।

ବାଦଲ୍ ଦରଜା କିଳିଣି ଦେଇ କହିଲା, ସେ କାମଟି ଆଉ କେହି କରି ନାହାନ୍ତି ମଉସା ନିଜେ ଲତିକା ହିଁ କରିଛି। ସେ ନିଜେ ସ୍ଵୀକାର କରିଛି ସୁମିର ଔଷଧ ଶିଶିରେ ବିଷ ମିଶାଇ ଦେଇଛି ଖାସ୍ ମୋତେ ପାଇବା ପାଇଁ। ତାପରେ ଭିଡ଼ି ଆଣିଲା ଲତିକାକୁ ପଲଙ୍କ ତଳୁ। ଭୟରେ ଥରୁ ଥିଲା ଲତିକା। ଆଖି ଉଠାଇ ଚାହିଁ ପାରୁନଥିଲା ମୁକୁନ୍ଦ ମଉସାଙ୍କୁ।

ମୁକୁନ୍ଦ ମଉସା ତଟସ୍ଥ ହୋଇ ଚାହିଁଥିଲେ ଲତିକାକୁ। ସେ ବିଶ୍ୱାସ କରି ପାରୁନଥିଲେ ଲତିକା ଏମିତି କାମଟେ କରି ଥାଇପାରେ ବୋଲି। ଅସହାୟତାରେ ଚିପୁଡ଼ି ହୋଇ କହିଲେ, କଣ କଲୁ ଲୋ ବାୟାଣୀ? ଟିକିଏ ବି ଭାବିଲୁନି ୟା ଦ୍ୱାରା ପରିସ୍ଥିତି କଣ ହେବ? ତୁ ଖାଲି ତୋ କଥା ଭାବିଲୁ। ମୁଁ ଏବେ କଣ କରିବି? ହେ ଭଗବାନ୍, ମୋତେ ରାସ୍ତା ଦେଖାଅ। ତାପରେ ଉପସ୍ଥିତି ବୁଦ୍ଧି ଖଟାଇ କହିଲେ, ବାପରେ ସୁମିକୁ ବିଷ ଦିଆ ହେଇଛି ବୋଲି ସମସ୍ତେ ଜାଣିଲେଣି, କନ୍ୟାପକ୍ଷ ହୋହଲ୍ଲା କରୁଛନ୍ତି। ପୋଲିସ୍ ଯେ କୌଣସି ମୁହୁର୍ତ୍ତରେ ତନାଘନା ଆରମ୍ଭ କରି ଦେଇପାରେ। ଲୋକ ଗହଳି ପୂର୍ବରୁ ତୁ ଲତିକାକୁ ନେଇ ଏଠୁ ପଳା।

ବାଦଲ୍ ଆଶ୍ଚର୍ଯ୍ୟ ହୋଇଗଲା ମୁକୁନ୍ଦ ମଉସାଙ୍କ ଧୈର୍ଯ୍ୟ ଦେଖି। କହିଲା, ମୋ ସଦ୍ୟ ବିବାହିତ ସ୍ତ୍ରୀର ମୃତ୍ୟୁ ହେଇଛି, ହସ୍.ପିଟାଲ୍.ରେ ତାର ଶବ ପଡ଼ିଛି। ଏମିତି ଏକ ଘଡ଼ି ସନ୍ଧି ମୁହୁର୍ତ୍ତରେ ତମେ ମୋତେ ପଳାୟନପନ୍ଥୀ ହେବାକୁ କହୁଛ ମଉସା। ତାଛଡ଼ା ଆମେ ଚାଲିଗଲେ ସମସ୍ୟାର କଣ ସମାଧାନ ହେଇଯିବ, ବରଂ ସମସ୍ତଙ୍କର ସନ୍ଦେହର ଚକ୍ଷୁ ଆମ ଉପରକୁ ଆସିଯିବ। ମୁକୁନ୍ଦ ମଉସା ବାଦଲ୍.ର ଗୋଡ଼ ଧରି ପକାଇଲେ। କହିଲେ, ଲତିକା ମୋର ଗୋଟିଏ ବୋଲି ପିଲା। ପୋଲିସ୍.କୁ କ୍ଷଣଟିଏ ବି ଲାଗିବ ନାହିଁ ଲତିକା ମୁହଁରୁ କଥା ଛଡ଼ାଇବା ପାଇଁ। ତାର କିଛି ହେଲେ ମୁଁ ଆଉ ତା ବୋଉ ବଞ୍ଚି ଥାଉ ଥାଉ ମରିଯିବୁ ବାପା। ଏତେ ବଡ଼ ରିସ୍କ ମୁଁ ନେଇ ପାରିବି ନାହିଁ। ଆମ ପ୍ରତି ତୋ ମନରେ ତିଳେ ବି ଯଦି ଶ୍ରଦ୍ଧା ଥାଏ, ତାହେଲେ ଲତିକାକୁ ନେଇ କେଉଁ ଅଜଣା ସହରକୁ ଚାଲିଯା, ଯେଉଁଠି ତମ ଦୁହିଁଙ୍କୁ କେହି ଖୋଜି ବାହାର କରିପାରିବେ ନାହିଁ। ତାପରେ ବାଦଲ୍.ର ମତାମତକୁ ଅପେକ୍ଷା ନ କରି ପକେଟ୍.ରୁ କିଛି ପାଞ୍ଚଶ ଟଙ୍କିଆ ନୋଟ୍ ବାହାର କରି ବାଦଲ୍ ହାତକୁ ବଢ଼ାଇଦେଇ କହିଲେ, ସାତ ଆଠ ଦିନ ପର୍ଯ୍ୟନ୍ତ ଫୋନ୍ ଫାନ୍ କରିବ ନାହିଁ। ନିହାତି ଦରକାର ହେଲେ ନିଜର ପରିଚୟ ନ ଦେଇ ରାଙ୍ଗାର ପି.ସି.ଓକୁ ଫୋନ୍ କରିବ। ଯାହା ପଇସାପତ୍ର ଦରକାର ହେବ ମୁଁ ପଠେଇଦେବି। ମୁକୁନ୍ଦ ମଉସା ଦରଜା ଖୋଲି ଏପାଖ ସେପାଖ ଚାହିଁଲେ। ଅତିଥିମାନେ ସବୁ ବାହାରେ କୋଳାହଳ କରୁଛନ୍ତି। ଅଗଣା ଓ ବାରି ଲାଇଟ୍ ଲିଭେଇ ଦେଇ ଇଶାରାରେ ବାହାରିବାକୁ କହିଲେ ଦୁଇଜଣକୁ। ଶେଷଥର ପାଇଁ ଲତିକା ଜାବୁଡ଼ି ଧରିଲା ମୁକୁନ୍ଦ ମଉସାଙ୍କୁ। ସାର୍ଟ ତାଙ୍କର ଓଦା ହୋଇଯାଇଥିଲା ଲତିକାର ଆଖି ଲୁହରେ। କିଏ ଜାଣେ ଆଉ କେବେ ଏ ସହରକୁ ଫେରି ହେବ କି ନା! ମାଆଙ୍କୁ ଦେଖିବାର ଇଚ୍ଛାଟିଏ ଜାଗୁରିତ ହେଉଥିଲା ବାଦଲ୍ ମନରେ। କହିଲା, ମଉସା... ମାଆ ଲାଗିଲା... ମୁଁ ଫେରିବା ପର୍ଯ୍ୟନ୍ତ ତାର ଯତ୍ନ ନେଉଥିବ...। ଶେଷ ବେଳକୁ କଣ୍ଠ ତାର ରୋଦ୍ଧ ହୋଇ ଆସିଲା। ସେକଥା କହିବା ଦରକାର ହେବନି ବାପା। ଏଠିକା କଥା ସବୁ ମୋ ଉପରେ ଛାଡ଼ିଦେ। କେହି ନ ଦେଖୁଣୁ ବାରିପଟ ଦେଇ ଷ୍ଟେସନ୍ ରାସ୍ତାକୁ ବାହାରିଯାଅ।

ବାସର ରାତିରୁ ଉଠି ଅନ୍ଧାର ଭିତରେ ସମସ୍ତଙ୍କ ଅଗୋଚରରେ ବିବାହିତ ବାଦଲ୍ ଦଉଡ଼ୁଥିଲା ଅବିବାହିତା ଲତିକାର ହାତ ଧରି।

ଷ୍ଟେସନ୍.ରେ ପହଞ୍ଚି ଗୋଟିଏ ଚଳନ୍ତି ଟ୍ରେନ୍.ରେ ଉଠିଗଲେ ଦୁହେଁ। ଗାଁରେ ନଈ ବଢ଼ି ହେଲେ କେମିତି ବଡ଼ ବଡ଼ କାଠ ଗଣ୍ଡି ବି ସୁଅ ମୁହଁରେ ଭାସି ଯାଏ, ଦେଖିଛି ବାଦଲ୍। ତା ଭାଗ୍ୟର ସୁଅ ଆଗରେ ତାର ବା କି ଜୋର୍। ଯେଣିକି ଟାଣି ନେଉଛି ସେଆଡ଼ିକି ସେ ନ ଯାଇ କିଛି ଉପାୟ ଅଛି? ନହେଲେ କାୟମନୋବାକ୍ୟରେ କାହାରି ଅପକାର ପାଞ୍ଚୁନଥିବା ବାଦଲ୍.ର ଆଜି କଣ ଏ ଦୁର୍ଦ୍ଦଶା ହୁଅନ୍ତା? ସେ ଚାହିଁଲା ଲତିକା ଆଡ଼କୁ। ଦୁଇ ହାତ ବେଢ଼େଇ କୁଣ୍ଢେଇ ଧରିଛି ବାଦଲ୍.କୁ। ବିଚାରି କେତେ ଭଲ ପାଉଛି ତାକୁ। ବିବାହ ପର୍ଯ୍ୟନ୍ତ କୌଣସିମତେ ମନକୁ ଭୁଲାଇ ଧୈର୍ଯ୍ୟର ସହିତ ଅପେକ୍ଷା କରୁ କରୁ କେତେବେଳେ ତା ଧୈର୍ଯ୍ୟର ବନ୍ଧ ଭାଙ୍ଗିଯାଇଛି ଆଉ ତା ଦ୍ୱାରା ଏ ଜଘନ୍ୟ କାମଟେ ସଂଘଟିତ ହୋଇଯାଇଛି, ସେ ନିଜେ ବି ଜାଣିନି। ବାଦଲ୍.ର ହାତ ଦୁଇଟି ଆପେ କୋଳାଗ୍ରତ କରିନେଲା ଲତିକାକୁ। କମ୍ବଳ ଭିତରେ ବିଲେଇ ପଶିଲା ପରି ଆଉ ଟିକେ ସଂକୁଚିତ ହୋଇ ବାଦଲ୍.ର ଛାତି ଭିତରେ ମୁହଁ ଗୁଞ୍ଜିଦେଲା ଲତିକା। ଥଣ୍ଡା ପବନ ପଶି ଆସୁଥିଲା ଦରଜା ଦେଇ। ଦରଜାକୁ ଗୋଟିଏ ହାତରେ ଠେଲି ଦେଇ ସେଇଠି ତଳେ ବସିପଡ଼ିଲେ ଦୁହେଁ ପରସ୍ପର ମଧ୍ୟରେ ଉଷ୍ମତା ଖୋଜି। ସକାଳୁ ସକାଳୁ କୋଳାହଳ ସହ ଟ୍ରେନ୍ ଯେଉଁ ଷ୍ଟେସନ୍.ରେ ସ୍ଥିର ହେଲା, ତାହା ଥିଲା ଚେନ୍ନାଇ ସେଣ୍ଟ୍ରାଲ୍।

ଷ୍ଟେସନ୍ ପାଖ ଶସ୍ତା ଲଜ୍.ଟିଏ ଦେଖି ରୁମ୍.ଟେ ନେଲେ। ଏମାନଙ୍କର ହାବଭାବ ଓ ବ୍ୟାଗ୍ ପତ୍ର ନ ଦେଖି ଲଜ୍ ବାଲା ରୁମ୍ ଦେବା ଲାଗି ପ୍ରଥମେ ରାଜି ହେଉନଥିଲେ ମଧ୍ୟ ବାଦଲ୍.ର ଅନୁରୋଧ ଓ କିଛି ପଇସା ହାତଗୁଞ୍ଜା ପରେ ରାଜି ହୋଇ ଯାଇଥିଲା। ନିତ୍ୟକର୍ମ ସବୁ ସାରି କିଛି ସମୟ ବିଶ୍ରାମ ପରେ ଦୁହେଁ ବଜାରକୁ ବାହାରିଥିଲେ ନିଜ ପାଇଁ କିଛି ପୋଷାକପତ୍ର ତା ସହିତ ଛୋଟ ମୋଟ ନିହାତି ଆବଶ୍ୟକ ଜିନିଷ କିଣିବା ଉଦ୍ଦେଶ୍ୟରେ। ସମୁଦ୍ର କୂଳ ଆଦି ବୁଲା ବୁଲି କରି ରାତ୍ରି ଭୋଜନ ସାରି ଯେତେବେଳେ ଲଜ୍.ରେ ପହଞ୍ଚିଲେ ଦୁହିଁଙ୍କ ମନରୁ ଦୁଶ୍ଚିନ୍ତା ଅପସରି ଯାଇ ପରିସ୍ଥିତି ଅନେକଟା ସ୍ଵାଭାବିକ ହୋଇ ଯାଇଥିଲା। ଦୁହେଁ ଦୁହିଁଙ୍କୁ ଆଉ ଅଲଗା ବୋଲି ଭାବୁନଥିଲେ। ସୁମି ସହିତ ବିବାହ ପରେ ଲତିକା ସହିତ ଚଉଠି ଯେମିତି ବିଧି ନିର୍ଦ୍ଦିଷ୍ଟ ଥିଲା ବାଦଲ୍ ପାଇଁ। ସେ ଏବେ ଆଉ କୌଣସିଥିରେ ଆପତ୍ତି କରୁନଥିଲା। ସୁଅ ମୁହଁର ପତର ପାଲଟି ଯାଇଥିଲା ବାଦଲ୍। ଦେଖାଯାଉ ତା ଭାଗ୍ୟ ତାକୁ କେଉଁଠି ନେଇ ଥୋଉଛି।

ଚେନାଇ ଆସି ଆଜିକି ତିନି ଦିନ ହେଲାଣି। ସକାଳୁ ସକାଳୁ ପଚାରି ପଚାରି ବାଦଲ୍ ବାହାରି ଯାଇଛି କେଉଁ ଏକ ନାମୀ ଜ୍ୟୋତିଷଙ୍କ ଠିକଣାରେ ଲତିକାକୁ ଲଜ୍.ରେ ଏକା ଛାଡ଼ି ଦେଇ। ଟିକେଟ୍ କରି ହଜାରେ ଟଙ୍କା ଜମା କରି ବହୁ ସମୟ ଅପେକ୍ଷା କଲା ପରେ ପ୍ରାୟ ପନ୍ଦର ଜଣଙ୍କ ପରେ ପାଳି ପଡ଼ିଲା ବାଦଲ୍.ର। ପଣ୍ଡିତଙ୍କର ସାକ୍ଷାତ ମିଳିଲା। ନିଜର ଫଟା କପାଳର କାହାଣୀ ଅଧା ହିନ୍ଦି ଅଧା ଇଂରାଜୀରେ ଅବତାରଣା କଲା ପରେ (ଅବଶ୍ୟ ଲତିକାର ସୁମିକୁ ବିଷଦେଇ ମାରିବା କଥା ଛାଡ଼ି ଦେଇ) ପଣ୍ଡିତ ବାଦଲ୍.କୁ ଘଡ଼ିଏ ନିରାଶାରେ ଚାହିଁଲେ। କହିଲେ, ବିନା କୋଷ୍ଠିରେ ତ ବାବୁ ଶତ ପ୍ରତିଶତ କହି ହେବନାହିଁ। ତମ କର ଆଉ କପାଳ ଦେଖେ ଯଦି କିଛି ସୁରାକ୍ ମିଳିଯାଏ। ଏମିତି ଗୋଟିଏ କାହାଣୀ ପଣ୍ଡିତ ବୋଧେ ନିଜ ଜୀବନରେ କାହାଠୁ ଶୁଣିନଥିବେ। ଏଇଟା ତାଙ୍କ ଜ୍ୟୋତିଷ ବିଦ୍ୟା ପ୍ରତି ଗୋଟିଏ ଚ୍ୟାଲେଞ୍ଜ୍। କୋଷ୍ଠିଟା ମିଳି ଯାଇଥିଲେ ସେ ବୋଧହୁଏ ବାଦଲ୍.ର ଭାଗ୍ୟଟାକୁ ଜାବୁଡ଼ି ଧରି ପକାଇଥାନ୍ତେ। ଅନେକ ସମୟ ବାଦଲ୍.ର ହାତ ଓ ମଥାକୁ ଲକ୍ଷ୍ୟ କଲା ପରେ ମୁହଁଟାକୁ ଚାପି ଚାପି କହିଲେ, ରେଖାଗୁଡ଼ିକ କହୁଛି... ବାହା ହେଲା ପରେ... ତମର ରିଷ୍ଟ... କଟିଯାଇଛି। ତମ ପ୍ରତି ଶନି ଗ୍ରହର ଯେଉଁ ଦୁଷ୍ପ୍ରଭାବ ଥିଲା... ତାହା ଅଚିରେ... ତମ ସ୍ତ୍ରୀର ଭାଗ୍ୟ ସହିତ ଯୋଡ଼ି ହୋଇଯାଇଛି। ତମ ସ୍ତ୍ରୀର ଯଦି ସେଇ ଦୁଷ୍ପ୍ରଭାବକୁ ଖଣ୍ଡନ କରିବା ପରି ଅନ୍ୟ ଗ୍ରହର ଆଶିର୍ବାଦ ଥିବ... ... ତାହେଲେ ଆଉ କୌଣସି ଅସୁବିଧା ନାହିଁ। ନଚେତ୍ ତାଙ୍କ ଜୀବନ ପ୍ରତି ବିପଦ...। ବାଦଲ୍ ବେଳକୁ ବେଳ ଧୈର୍ଯ୍ୟହରା ହେଉଥିଲା। ପଚାରିଲା, ବାବା ଧରିନିଅନ୍ତୁ ସେହି ଶନିଗ୍ରହର ଦୁଷ୍ପ୍ରଭାବରେ ମୋ ସ୍ତ୍ରୀଙ୍କର ମୃତ୍ୟୁ ହେଇଗଲା, ତାପରେ କଣ ମୁଁ ଯାହାକୁ ଭଲପାଇବି ବା ବିବାହ କରିବି ସେ ଭଲରେ ବଞ୍ଚି ରହିବ? ପଣ୍ଡିତ ବଲ ବଲ କରି ବାଦଲ୍ ମୁହଁକୁ ଚାହିଁଲେ। ସେ ବୋଧହୁଏ ଭାବୁଥିଲେ କେଡ଼େ ନିର୍ଦ୍ଦୟ ବେରସିକ ଲୋକଟା। ସ୍ତ୍ରୀ ବଞ୍ଚି ଥାଉ ଥାଉ ତାକୁ ମୁହଁରେ ମୁହଁରେ ମାରି ଦେଉଛି। ପଣ୍ଡିତ ତାର ହାତଟା ଛାଡ଼ିଦେଇ କହିଲେ, କୋଷ୍ଠି ନ ଆଣିଲେ ୟାଠୁ ଆଗକୁ ସେ ଆଉ କିଛି କହିପାରିବେ ନାହିଁ। ବାଦଲ୍ ନେହୁରା ହେଲା ପଣ୍ଡିତଙ୍କୁ। ଆଉ ଟିକିଏ ଦେଖନ୍ତୁ ବାବା। ବିବାହ ପରର ଜୀବନ ମୋର କଣ ହେବ? ପଣ୍ଡିତ ମୁହଁଟାକୁ ବିକୃତ କରି ଉଠି ପଡ଼ିଲେ। ତାଙ୍କ ଶିଷ୍ୟ ହାତ ଠାରି ଯିବାକୁ ଇଶାରା କଲା। ବାବାଙ୍କର ସମୟ ଶେଷ ହେଇଛି, ପୁଣି ଆସନ୍ତା କାଲି ଆସନ୍ତୁ। ଯାଆନ୍ତୁ ଗହଳି କରନ୍ତୁ ନାହିଁ। ବାଦଲ୍ କାନମୁଣ୍ଡା ଆଉଁସି ଫେରି ଆସିଲା। ଏତେ ସମୟ କୁଆଡ଼େ ଗଲା ବୋଲି ଲତିକା ଯେତେ ପଚାରିଲେ ବି କିଛି କହିଲା ନାହିଁ ବାଦଲ୍।

ଆଜି ଚେନ୍ନାଇରେ ଚତୁର୍ଥ ଦିନ। ଲତିକାକୁ ପ୍ରେମ ପରିପ୍ରକାଶ କରିବାର ପଞ୍ଚମ ଦିନ। ପଞ୍ଚମ ପ୍ରେମିକାକୁ ପଞ୍ଚମ ଦିନ। ପାଠ ପଢ଼ୁଥିବା ବେଳେ ଅଙ୍କ ହେଉନଥିଲା ବୋଲି କେତେ ମାଡ଼ଗାଳି ଖାଇଛି ସେ ଚିତ୍ତ ସାର୍.ଙ୍କ ଠାରୁ। ହେଲେ ଜୀବନରେ ଅନେକ ଥର କଷି ସାରିଥିବା ଏ ଯେଉଁ ସରଳ ଅଙ୍କଟି ତା ଜୀବନକୁ ଜଟିଳ କରି ତୋଳିଛି ତାର ସମାଧାନର ଉପାୟ ମାଲୁମ୍ ନାହିଁ ବାଦଲ୍.କୁ। ସେ ଅସହାୟ, ନିରୁପାୟ। ଲତିକାକୁ ଲୁଚେଇ ଲୁଚେଇ କାନ୍ଦୁଛି ବାଦଲ୍। ସିଡ଼ି ପାହାଚରେ, ବାଥ୍.ରୁମ୍.ରେ, ଛାତ ଉପରେ। ସମୟ ଯେତିକି ପାଖେଇ ଆସୁଛି ସେଇ ଭୟାବହ ସତ୍ୟକୁ ସାମ୍ନା କରିବାର ସାହସ କୁଳେଇ ନ ପାରି ଅସ୍ଥି ପଞ୍ଜରା ତାର ଠକ୍ ଠକ୍ ହେଇ ଥରି ଉଠୁଛି। ଆସନ୍ନ ମୃତ୍ୟୁର କରାଳ ଛାୟାର ଶୀତଳ ସ୍ପର୍ଶରେ ତାର ପ୍ରେମିକା। ସେଇ ଅନାହୁତ ସ୍ପର୍ଶରୁ ଲତିକାକୁ ଦୂରେଇ ନେବାକୁ ତା ପାଖରେ କିଛି ବି ମାଧ୍ୟମ ନାହିଁ। ଛାତି ତଳେ ଅସହ୍ୟ ଯନ୍ତ୍ରଣା... କେଉଁଠି କିଛି କୋରି ପକାଉଛି ତାର ଭିତରଟାକୁ। ଆଖି ତୋଳି ଚାହିଁଲା ବାଦଲ୍। ସାମ୍ନାରେ ଲତିକା। ଆଖିରେ ଆତ୍ମସନ୍ତୋଷର ଝଲକ। ଜୀବନରେ ସବୁକିଛି ପାଇ ସାରିଥିବାର ଆନନ୍ଦରେ ମସ୍.ଗୁଲ୍ ତାର ମନ। ଉଠି ଠିଆ ହେଲା। ଭିଡ଼ି ଆଣିଲା ଲତିକାକୁ ନିଜ ଛାତି ଉପରକୁ ଏକ ନିବିଡ଼ ଆଶ୍ଳେଷରେ...।

କିଛି ସମୟ ପରେ... ... ।

ଆଃ... ... ଛାଡ଼... ... ଅଣନିଶ୍ୱାସୀ ଲାଗୁଛି... ... ବାଦଲ୍... ... ଆଃ... ...। ବାଦଲ୍.ର ବାହୁବନ୍ଧନ ନିବିଡ଼ରୁ ନିବିଡ଼ତର ହେଉଥିଲା।

ଟି.ଦୁର୍ଗା ପ୍ରସାଦ ରାଓ

ଲତିକା ବାଦଲ୍ ପ୍ରେମିକା ମୁକୁନ୍ଦ ମଉସା

Rate the content


Originality
Flow
Language
Cover design

Comments

Post

Some text some message..