Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନୀରବ ଆଶା
ନୀରବ ଆଶା
★★★★★

© Kalyani Nanda

Tragedy

3 Minutes   330    23


Content Ranking



ସେଦିନର ସକାଳ ମୋ ପାଇଁ ସତେ ଯେମିତି ଏକ ନୂତନ ସକାଳଟା ଏ ଥିଲା ।ବହୁଦିନରୁ ଭାବୁଥିବା କାମଟି କରିବା ପାଇଁ ମୁଁ ମୋ ପରିବାର ବର୍ଗଙ୍କ ସହ ପ୍ରସ୍ତୁତ ହେଉଥାଏ । ସମ୍ବଲପୁର , କଟକ ରାସ୍ତାରେ ଥିବା ଫୁଲଝରଣରେ ଥିବା କସ୍ତୁରବା ବାଳନିକେତନ ଓ ବୃଦ୍ଧାଶ୍ରମ କୁ ଯାଇ ସାରା ଦିନ ସେଇଠି କଟାଇବା ର ଇଚ୍ଛା ମୋର ବହୁତ ଦିନରୁ ଥିଲା । ସକାଳୁ ମୁଁ ମୋ ପରିବାର ସହ ବାହାରି ପଡିଲୁ ।
ସୁନ୍ଦର ସବୁଜ ବନାନୀ ଘେରା ଏକ ସୁନ୍ଦର ପରିବେଶରେ ଆଶ୍ରମରଟି ଅବସ୍ଥିତ । ଆମକୁ ଦେଖି ଛୋଟ ଛୁଆମାନେ ଆମ ପାଖକୁ ଦୌଡି ଆସିଲେ । ଆଶ୍ରମର ଅନ୍ତେବାସିନୀ ଓ ଛୋଟବଡ ବାଳକ, ବାଳିକାଙ୍କୁ ନେଇ ଏକ ଛୋଟ ପରିବାର । ସେଦିନ ରବିବାର ଥିଲା । ଛୁଆମାନେ ବାହାରେ ଖେଳୁଥିଲେ , କିଛି ଭିତରେ ଥିଲେ । ବୁଢୀ ମାଁ ମାନେ କେତେଜଣ ବାହାରେ ବସି ଖରା ପୋଉଁଥିଲେ । ଶିତ ଦିନ ଥିଲା । ଖରା ଆସିଥିଲେ ବି ଥଣ୍ଡା ଥିଲା । ସେଠିକା ମୁଖ୍ଯ ସେବିକା ଆମକୁ ବସିବାକୁ କହି ଚାହା ଆଣିଦେଲେ । ଆମେ ସାଂଗ ରେ ଛୁଆମାନଙ୍କ ପାଇଁ କିଛି cନେଇଥିଲୁ । ବୃଦ୍ଧା ମାଁ ମାନଙ୍କ ପାଇଁ ମଧ୍ଯ ଉପହାର ନେଇଥିଲୁ । ରନ୍ଧାବଢା ଆୟୋଜନ ମଧ୍ଯ କରିଥିଲୁ । କିଛି ସମୟ ଛୁଆଙ୍କ ସହ ମିଶିବା ପରେ
ସେମାନେ ବି ଆମ ସହ ମିଶିଗଲେ । କିଛି ସମୟ ସେମାନଙ୍କ ସହ ମିଶିଲା ପରେ ଅନୁଭବ କଲି ,ଯେମିତି ଜୀବନ ଯୁଦ୍ଧ ରେ ସେମାନେ ଏକ ପରାସ୍ତ ସୈନିକ ପରି ହତୋତ୍ସାହ ମନେହେଉଥାନ୍ତି । ବଂଚି ରହିବା ପାଇଁ ଯେମିତି ଏକ ନିରସ୍ତ୍ର, ହତୋତ୍ସାହ ସୈନିକର ଯୁଦ୍ଧ ଚାଲିଛି । କୋଳାହଳ ଥାଇ ବି ନୀରବତା ର ରାଜୁତି ।
ତାପରେ ଗଲୁ ବୃଦ୍ଧାଶ୍ରମ ଆଡକୁ । ସେମାନେ ସମସ୍ତେ ଆମକୁ ବେଶ ଖୁସିରେ ଆଦରି ନେଲେ ।ତାଙ୍କ ପାଖରେ ମୁଁ ବହୁତ ସମୟ କଟାଇଲି । କଥାବାର୍ତ୍ତା ହେଲି । ସେମାନଙ୍କ ସହ କଥା ହୋଇ ମୋତେ ଲାଗୁ ନ ଥାଏ ଯେ ମୁଁ ପ୍ରଥମ ଯାଇଛି ଆଉ କଥା ହେଉଛି । ଯେମିତି କେତେ ଦିନର ମୁଁ ଯେମିତି ତାଙ୍କ ଆତ୍ମୀୟସ୍ବଜନ । କ୍ଷଣିକ ପାଇଁ ହେଉ , କିନ୍ତୁ କିଛି ଖୁସି ବାଣ୍ଟିବାର ଚେଷ୍ଟା କରୁଥାଏ । କିନ୍ତୁ ସେଠି ବି ଯେମିତି ମୁଁ ଅନୁଭବ କରୁଥାଏ ତାଙ୍କ ହୃଦୟର ବିଳାପ, କୋହଭରା ଅସ୍ବସ୍ତି । ଶୁଣିପାରୁଥାଏ ତାଙ୍କ କୋହ, ଦୁଃଖ ଭରା ଦୀର୍ଘଶ୍ବାସ ।
ସେଇ ଆଶ୍ରମରେ 20/22 ଜଣ ବୋଧହୁଏ ବୃଦ୍ଧା ଥିବେ । ସେଠି ଯେଉଁ ସେବିକା ମାନେ ତାଙ୍କ ସେବା କରୁଥାନ୍ତି, ସେମାନଙ୍କର ନିଃସ୍ବାର୍ଥପର ସେବା , ଯତ୍ନ ଆଗରେ ମୁଣ୍ଡ ନୋଇଁ ଯାଉଥାଏ । ଯେଉଁ କିଛି ସମୟ ତାଙ୍କ ସହ ରହି କଥାବାର୍ତ୍ତା ହେଲି , ସେମାନଙ୍କ ଦୁଃଖ ଭରା କାହାଣୀ ଶୁଣି ଆଖିରେ ଲୁହ ଆସିଯାଉଥାଏ । ସମସ୍ତଙ୍କର ଗୋଟିଏ ଗୋଟିଏ କାହାଣୀ। ଜୀବନର ଶେଷ ସନ୍ଧ୍ଯା ର ଅଶ୍ରୁଳ ବ୍ଯଥା ଭରା କାହାଣୀ । କିନ୍ତୁ ଆମ ସହ କିଛି ସମୟ କଥା ହେବାପରେ ସେମାନେ କେମିତି ପ୍ରଗଳଭା ହୋଇ ଉଠିଥାନ୍ତି । କିନ୍ତୁ ଗୌରବର୍ଣ୍ଣ, ଶୀର୍ଣ୍ଣ କାୟା, ଧଳା ଶାଢୀ ପରିହିତା ଜଣେ ବୃଦ୍ଧା ଯିଏକି ଏକଲା ବସି କାନ୍ଦୁଥିବାର ଦେଖି ମୁଁ ଯାଇ କାରଣ ପଚାରିବାରୁ ସେ କିଛି କହି ଲେନି । ପରେ ଜାଣିଲି, ସେ ଜଣେ କୁଳୀନ ବ୍ରାହ୍ମଣ ପରିବାରର ବିଧବା । କମ ଦିନ ହୋଇଛି ସେ ସେଠାକୁ ଆସିଛନ୍ତି । ତାଙ୍କ ପରିବାର ବେଶ ସ୍ୱଚ୍ଛଳ ପରିବାର। ଗୋଟିଏ ପୁଅ, ବୋହୁ, ନାତି, ନାତୁଣୀକୁ ନେଇ ଥିଲା ତାଙ୍କ ପରିବାର। ସ୍ବାମୀଙ୍କ ମୃତ୍ଯୁ ପରେ ସେ ପୁଅ ନାଁ ରେ ସବ ଜମିବାଡି, ଘର କରି ଦେଇଥିଲେ । କିନ୍ତୁ ତାଙ୍କ ଭାଗ୍ଯ ଖରାପ, ଗୋଟିଏ ବୋଲି ପୁଅର ଅକାଳ ମୃତ୍ଯୁ ଫଳରେ ସବୁ ସଂପତ୍ତି ତାଙ୍କ ହାତରୁ ବୋହୁ ହାତକୁ ଚାଲିଯାଇଥିଲା । ବୋହୁ ଆଉ ତା ଶାଶୁ ଯତ୍ନ ନେଲାନି, ଅପିତୁ ତାଙ୍କୁ ଘରୁ ବାହାର କରିଦେଇଥିଲା । ସ୍ବେଚ୍ଛା ସେବିଙ୍କ ସହାୟତାରେ ସେ ଆସି ସେଇ ବୃଦ୍ଧାଶ୍ରମ ରେ ପହଞ୍ଚି ଥିଲେ । କିନ୍ତୁ ସେଠି ସେ ନିଜକୁ ଖାପ ଖୁଆଇ ପାରୁନ ଥିଲେ। ତାଙ୍କ ବିଷୟ ରେ ସବୁ ଶୁଣି ମୁଁ କିଛି କହି ପାରିଲିନି, କିନ୍ତୁ ଭାବୁଥାଏ, ସତରେ ସଂସାର ଟା କେମିତି, ନିଜ ଜନ୍ମ କଲା ବାପା, ମାଁ ଙ୍କର ଏ କି ଅବସ୍ଥା ! କିନ୍ତୁ ଆଜିର ସମାଜର ଇଏ ଯେ ନିତି ଦିନିଆ ଘଟଣା।
ଦିନ ତମାମ ସେଇ ଅବୋଧ ଛୁଆ ମାନଙ୍କ ସହ, ସେଇ ଅସହାୟ ବୁଢୀ ମାଁ ମାନଙ୍କ ସହ ରହି, ତାଙ୍କ ଦୁଃଖକୁ ଅନୁଭବ କରି ଭାବୁଥାଏ, ଆମ ଦୁଃଖ କଷ୍ଟ କଣ ତାଙ୍କ ଠୁଁ ବେଶି ?ଯେତେ ସେବା, ଯତ୍ନ , ଆଦରରେ ଥିଲେ ବି, କାହିଁକି ଆଖିରେ ତାଙ୍କର ଏକ ନୀରିହ ,କରୁଣାର ଚାହାଣୀ ? କାହିଁକି ରହିଛି ନିଜ ପରିବାର କୁ ଫେରି ଯିବାର ଏକ ଦୁର୍ବଳ, କ୍ଷୀଣ ଆଶା ? ସତରେ କଣ ଆମେ ପାରିବୁନି, ଗୋଟିଏ ମୁହୂର୍ତ୍ତ ପାଇଁ ହେଉ କିନ୍ତୁ ଖୁସିର ଚେନାଏ ଫୁଲର ବାସନା ବିଂଚି ଦେଇ ପାରିବୁନି ।
ସେଇ ଗୋଟିଏ ଦିନର ଅନୁଭୂତି ମୋ ମନକୁ ଉଦ୍ ବେଳିତ କରି ତୋଳୁଥାଏ। ଭାବୁଥାଏ ସେଇ ନିଷ୍ପାପ,ନୀରିହ ଛୁଆଙ୍କ ପାଖକୁ ସବୁବେଳେ ଆମ ପରି କେହି ନା କେହି ଯାଉଥିବା, କିନ୍ତୁ ସେଇ ବୃଦ୍ଧା ମାଁ ମାନେ, ସେଇ ଅବୋଧ ଛୁଆମାନେ ନିଜ ପରିବାରର ଆଦର, ସ୍ନେହ କୁ ଅନୁଭବି ପାରୁଥିବେ ?ଦିବସର ଅନ୍ତେ ସେଇ ନିର୍ଜନ ଆଶ୍ରମରେ ନିଜକୁ ହଜାଇ ଦେଉ ଥିବେ ।କିଏ ବା ଥିବ ତାଙ୍କ ନିଃସ୍ବ ହୃଦୟ ର ହାହାକାର ଶୁଣିବାକୁ ? ଖାଲି ଯାହା ଆକାଶରେ ମିଟ ମିଟ କରୁଥିବା ତାରା, ଜହ୍ନ ଓ ନିର୍ଜନ ଜଙ୍ଗଲର ଶୂନ୍ୟତା କେବଳ ତାଙ୍କ ନୀରବତା ର ସାକ୍ଷୀ ଥିବ ।

କଲ୍ଯାଣୀ ନନ୍ଦ
କଲ୍ଯାଣନଗର, ବୁଢାରଜା, ସମ୍ବଲପୁର, ଓଡିଶା ।

ଅବୋଧ ଛୁଆ ରନ୍ଧାବଢା ବିଳାପ

Rate the content


Originality
Flow
Language
Cover design

Comments

Post

Some text some message..