Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subal Mohapatra

Inspirational Others

5.0  

Subal Mohapatra

Inspirational Others

ଚାଷ ଅଛି ଯାହାର

ଚାଷ ଅଛି ଯାହାର

18 mins
15.1K


ଚାଷ ଅଛି ଯାହାର

ସୁବଳ ମହାପାତ୍ର


ସକାଳୁ ସକାଳୁ ଗାଧୋଇ ପାଧୋଇ, ସତ୍ୟ ରେଡି ହୋଇଗଲା ଅଫିସ ଯିବାକୁ । ବାଟରେ ପୁଅକୁ ସ୍କୁଲରେ ଛାଡି ସିଧା ଅଫିସରେ ପହଞ୍ଚିଗଲା । ମେଲ ଖୋଲି ଆଜିର କାମ କଣ ଦେଖିନେଲା । ଜୁନିଅର ମାନଙ୍କୁ କାମ ବାଣ୍ଟି ଦେଇ ଟିକେ ନିଶ୍ୱାସ ନେଲା । ହଠାତ ତାର ମନେ ପଡିଲା, ଆରେ ଆଜି ତ ୧୫ ତାରିଖ । କ୍ରେଡିଟ କାର୍ଡ ବିଲ ଆଉ ଇଲେକ୍ଟ୍ରିବିଲ ଦେବାର ଅଛି, ହୋମ ଲୋନ ଆଉ କାର ଲୋନର ଇ.ଏମ.ଆଇ ଦେବାର ଅଛି । ସେ ପେମେଣ୍ଟ ସାଇଟ ଖୋଲି ସବୁ ପେମେଣ୍ଟ କରିଦେଲା । ଓହୋ, ଏବେ ମାସେ ପାଇଁ ଚିନ୍ତା ଗଲା । ଏତିକି ବେଳେ ତା ଡେସ୍କକୁ ଫୋନ ଆସିଲା । କ୍ରିଙ୍ଗ କ୍ରିଙ୍ଗ । ସେ ଫୋନ ଉଠେଇଲା । ଆଉ ଫୋନ ରଖି ସାରିବା ପରେ ମୁଣ୍ଡରେ ହାତ ଦେଇ ବସି ରହିଲା ।

ସତ୍ୟଜିତ ସାମନ୍ତରାୟ । ବାଙ୍ଗାଲୋରର ଏକ ନାମୀ ଦାମୀ ସଫ୍ଟୱାର କମ୍ପାନୀରେ କାର୍ଯ୍ୟରତ । ଟେକନିକାଲ ଟିମ ଲିଡର ସେ, ମାସିକ ଦରମା ୯୦୦୦୦ ଟଙ୍କା । ଘରେ ଏଜୁକେଟେଡ଼ ସ୍ତ୍ରୀ, ପୁଅ ଇଂଲିଶ ମିଡ଼ିଅମ ସ୍କୁଲରେ ପଢେ । ଘର ଗୋଟେ କିଣିଛି ମାସିକ କିସ୍ତରେ । ଆହୁରି ୨୪ଟା କିସ୍ତି ବାକି ଅଛି । କାର ବି ଲୋନରେ । କାରର ଆଉ ୫ଟା କିସ୍ତି ବାକି ଅଛି । ପୁଅର ସ୍କୁଲ ରିଆଡ଼ମିଶନ ଅଛି ଆର ମାସରେ, ବର୍ଷକର ପଇସା ଦେବାକୁ ପଡିବ । ଏତିକି ବେଳେ କଣ ସବୁ ଘଟି ଗଲା । ସେ ନିଜ ସିଟରୁ ଉଠି ଏଚ.ଆର. ପାଖକୁ ଗଲା । ଏଚ.ଆର. ତାକୁ ଗୋଟେ ପିଙ୍କ ସ୍ଲିପ ଧରେଇ ଦେଲା । ଆଉ ସେ ପୁଣି ସିଟ ପାଖକୁ ଫେରି ଆସି ବିନା କିଛି ବାକ୍ୟ ବ୍ୟୟରେ ନିଜ ଜିନିଷ ଧରି ଅଫିସରୁ ବାହାରି ଗଲା ।


ସତ୍ୟଜିତ ସାମନ୍ତରାୟ fired from his company? ଏକଥା ସେ ନିଜେ ବି ବିଶ୍ୱାସ କରିପାରୁ ନଥିଲା । କ’ଣ କରିନି ସେ ଏ କମ୍ପାନୀ ପାଇଁ । ତା ନିଜ ଜୀବନର ୧୫ ବର୍ଷ ଏଇଠି ହିଁ କାଟି ସାରିଛି । ଆଉ ଆଜି ସେ fired? ରିସେସନ ଆସିଲାନି ଯେ ଚିହ୍ନଇ ଦେଲା, କମ୍ପାନୀ କେବେ ବି କାହାର ନୁହେଁ । ମ୍ୟାନେଜମେଣ୍ଟ କେତେବେଳେ ବି କାହାକୁ ବି ବାହାର କରି ଦେଇ ପାରିବ । କିନ୍ତୁ ସେ ଏବେ କରିବ କଣ? ଆର ମାସଟା ତ ଚଳିଯିବ, କିନ୍ତୁ ତା'ପରେ । ସେ ଏବେ ଘରକୁ ଫେରି ସ୍ତ୍ରୀ ସୁଲଗ୍ନାଙ୍କୁ କହିବ କଣ? କିଛି ଦିନ ପୂର୍ବରୁ ହିଁ ସେ ନିଉଜ ଦେଖି ପଚାରୁ ଥିଲେ ।nfosys, accenture, capgemini ଭଳି କମ୍ପାନୀ ଲୋକଙ୍କୁ ବାହାର କରୁଛନ୍ତି । ତମ କମ୍ପାନୀ ଅବସ୍ଥା କଣ । ସେ ହିଁ କହିଥିଲା, “ହଁ, କିନ୍ତୁ ମୋର ଡର ନାହିଁ, ମୋ ନାଁ ଲିଷ୍ଟରେ ନଥିବ” । ଏ କମ୍ପାନୀରେ ମୁଁ ୧୫ ବର୍ଷ ହେଲା କାମ କରୁଛି, କମ୍ପାନୀ କଣ ମୋତେ ବାହାର କରି ଦେବ? କେବେ ନୁହଁ । ସେ କାର ଚଳେଇ ଆସିଲା ବେଳେ ଅନ୍ୟ ମନସ୍କ ହୋଇ ପଡୁଥିଲା । ବାଦଲ ଫଟା ବର୍ଷା ହେଲା ପରି ତା ମୁଣ୍ଡ ଭିତରେ ଟେନସନ ଗୁଡା ଅଜାଡି ହୋଇ ପଡୁଥିଲେ ।


ନିଜକୁ ସମ୍ଭାଳି ନେଇ ସେ ଘରେ ଆସି ପହଁଚି ଗଲା । ସୁଲଗ୍ନା ସତ୍ୟକୁ ଦେଖି ଚମକି ପଡିଲା ଆଉ ତା ମୁହଁ ଦେଖି ସବୁ କଥା ଜାଣି ପାରିଲା । ସତ୍ୟ କିଛି ନ କହି ବେଡ଼ରୁମକୁ ପଶିଗଲା ଆଉ ଜୋତା ନଖୋଲି ବେଡ଼ରେ ଶୋଇ ପଡିଲା । ସତ୍ୟ ଆଉ ସୁଲଗ୍ନା କାହାକୁ କିଛି ନକହିଲେ ବି ବୁଝି ପାରୁଥିଲେ ଏବେ ଅବସ୍ଥା କେଉଁ ଆଡକୁ ଗତି କରୁଛି । ଦିହେଁ ପରସ୍ପର ସହ କଥା ହେବାକୁ ଚାହୁଁଥିଲେ ବି କାହା ପାଟିରୁ ବି କଥା ସ୍ପୁରୁ ନଥିଲା । କ’ଣ ହବ ଏବେ? ଏ ପ୍ରଶ୍ନ ଦୁହିଁଙ୍କ ମୁଣ୍ଡରେ ଉଙ୍କି ମାରୁଥିଲା କିନ୍ତୁ ତା’ର ଉତ୍ତର କାହା ପାଖରେ ବି ନଥିଲା । ଦିନ ଆସି ଚାରିଟା ବାଜିଲାଣି କିନ୍ତୁ କେହି ବି ଆଜି ମଧ୍ୟାନ୍ନ ଭୋଜନ କରି ନାହାନ୍ତି । ଭାତ ହାଣ୍ଡିରେ ଭାତ ଶୁଖି ସାରିଥିଲା, ଆଉ ସତ୍ୟର ଟିଫିନ ବାକ୍ସ, ବ୍ୟାଗରୁ ବାହାରି ନଥିଲା । ଅନ୍ୟ ଦିନ ହୋଇ ଥିଲେ ଏତେ ବେଳକୁ ସୁଲଗ୍ନା ଖାଇ ସାରି ଖଟରେ ଶୋଇ ସତ୍ୟକୁ ଫୋନ କରି ଥାନ୍ତା ଆଉ ୧୫ ମିନିଟ କାଳ ଗେଲ୍ହେଇ ହେଇ ଥାନ୍ତା । ଯାହା କି ସେ ୧୨ ବର୍ଷ ହେଲା କରି ଆସିଛି । ଆଜିର କଥା କିନ୍ତୁ ଅଲଗା ଥିଲା । ଆଜି ନା ମୁହଁରେ ଥିଲା ହସ ନା ଗେଲ୍ହେଇ ହେବାର ମନ । ପୁଅ ରିଣ୍ଟୁ ସ୍କୁଲରୁ ଆସିବାର ସମୟ ହେଇ ସାରିଥିଲା । ଦୁହେଁ ଦୁହିଁଙ୍କୁ ବୁଝେଇବା ଅବସ୍ଥାରେ ଥିଲେ କିନ୍ତୁ କେହି କିଛି ବି କହି ପାରୁ ନଥିଲେ । ରିଣ୍ଟୁ ସ୍କୁଲରୁ ଆସି ବାପାଙ୍କୁ ଘରେ ଥିବା ଦେଖି ଖୁସି ହେଇ ଗଲା ଆଉ ଖେଳିବାକୁ ଡାକିଲା । ସତ୍ୟର ମନ ନଥିଲେ ବି ସେ ରିଣ୍ଟୁ ସହ ଖେଳିବାକୁ ଗଲା, କିନ୍ତୁ ସୁଲଗ୍ନାର କୌଣସି କାମରେ ମନ ନଥିଲା । ସେ ଭାବି ପାରୁ ନଥିଲା ଯେ ଆଗକୁ କଣ ହେବ? ଘର ଆଉ ଗାଡିର ଇ.ଏମ.ଆଇ , ରିଣ୍ଟୁର ସ୍କୁଲ ଫିସ, ଘର ଚାଲିବାକୁ ପଇସା ତ ଦରକାର ନା?


ସନ୍ଧ୍ୟାରେ ବି ସତ୍ୟ ଆଉ ସୁଲଗ୍ନା ଚୁପ ଚାପ, କାହା ମୁହଁରେ କଥା ନାହିଁ । ରିଣ୍ଟୁ କିଛି ବୁଝି ପାରୁ ନଥାଏ । କିନ୍ତୁ ଜାଣି ପାରୁ ଥାଏ ଯେ କିଛି ଗୋଟେ ଘଟି ଯାଇଛି । ସେ ଆଉ ଛୋଟ ପିଲା ନୁହଁ । କ୍ଲାସ six ରେ ପଢୁଛି ସେ । କିନ୍ତୁ ସେ ବା କ'ଣ କରି ପାରିବ ?


ଏଇ ଭିତରେ ଦୁଇ ଦିନ ବିତି ଗଲାଣି । ସତ୍ୟ ଆଉ ସୁଲଗ୍ନା, ରିଣ୍ଟୁ ଆଗରେ କଥା ନ ହେଲେ ବି ରିଣ୍ଟୁ ଟିକେ ଟିକେ ବୁଝି ପାରୁ ଥାଏ । ବାପା ଦୁଇ ଦିନ ହେଲାଣି ଅଫିସ ଯାଉ ନାହାନ୍ତି । ସେ ଜନ୍ମ ହେବା ପରଠୁ ଏମିତି କେବେ ବି ଦେଖିନି । ଘରେ ବି ସମସ୍ତେ ଚୁପ ଚାପ । ସମସ୍ତେ କହିଲେ ବାପା ଓ ମା’ । ଜେଜେ ଜେଜୀ ତ ସେ ଛୋଟ ଥିଲା ବେଳେ ଆର ପାରିକୁ ଚାଲି ଯାଇଛନ୍ତି । ବାପା, ଜେଜେଙ୍କ ଗୋଟିଏ ବୋଲି ପୁଅ । ଜେଜେ ଥିଲା ଯାଏ, ସେମାନେ ସାଙ୍ଗ ହୋଇ ଗାଁ କୁ ଯାନ୍ତି । କିନ୍ତୁ ଜେଜେ ଗଲା ପରଠୁ, ଆଉ ସେମାନେ ଆଜି ଯାଏ ଯାଇ ନାହାନ୍ତି ଗାଁକୁ । ତା ସ୍କୁଲରେ ଏବେ ଖରା ଛୁଟି ହେଇ ଯିବ । ସେ ମନେ ମନେ କିଛି ଚିନ୍ତା କରି, ବାପାଙ୍କ ପାଖରେ ଯାଇ କି ବସିଲା ।

ସତ୍ୟ କିନ୍ତୁ ଅନ୍ୟ ମନସ୍କ, ତେଣେ ଟିଭି ଚାଲି ଥାଏ । ସତ୍ୟ ଟିଭିକୁ ଚାହିଁ କଣ ସବୁ ଭାବୁଥାଏ । ମୁଣ୍ଡରେ ଟେନସନ ଭର୍ତି । ପଇସା କୁଆଡୁ ଆସିବ । ଏବେ ତ ସବୁ କମ୍ପାନୀରୁ ଲୋକଙ୍କୁ ବାହାର କରୁଛନ୍ତି । କେଉଁ କମ୍ପାନୀରେ ବି ଭ୍ୟାକାନସି ନାହିଁ । High Salaried ଲୋକଙ୍କୁ କେହି ବି ନେବାକୁ ଚାଁହୁ ନାହାନ୍ତି । ଦି ଦିନ ଭିତରେ ସେ ପାଖା ପାଖି ୨୫ଟା କମ୍ପାନୀ ବୁଲି କି ଆସିଲାଣି କିନ୍ତୁ ସମସ୍ତେ ନାହିଁ କରୁଥାନ୍ତି । ତେବେ ସେ କରିବ କଣ?


ରିଣ୍ଟୁ ଆସି ପାଖରେ ବସିଲା । ସତ୍ୟ କିନ୍ତୁ ରିଣ୍ଟୁ ମୁହଁକୁ ସିଧା ଚାହିଁ ପାରୁ ନଥାଏ । ରିଣ୍ଟୁ କହିଲା ବାପା, ଗୋଟେ କଥା କହିବି?

-- ହଁ କଣ କହ ।

-- ମୋ ସ୍କୁଲ ଆଉ ଦି’ ଦିନ ପରେ ଛୁଟି ହୋଇଯିବ । ଚାଲନା ଏଥର ଗାଁ ଆଡୁ ଟିକେ ବୁଲି ଆସିବା ।

-- ହଉ ଦେଖିବା ।


ରିଣ୍ଟୁ ଆଉ କିଛି ନକହି ତା’ ରୁମକୁ ଚାଲିଗଲା । ସତ୍ୟ ମୁଣ୍ଡରେ କିନ୍ତୁ ଛାଡି ଦେଇ ଗଲା ନୂଆ ଗୋଟେ ଭାବନା । ସତ୍ୟ ଟିଭି ବନ୍ଦ କରି ଦେଇ ଆଖି ବନ୍ଦ କରି ଭାବିବାକୁ ଲାଗିଲା । ୨୦୦୭ ମସିହାରେ ଏମିତି ଗୋଟେ ସମୟ ଆସିଥିଲା ୨୦୧୧ ଯାଏ । ସେତେବେଳେ ବି ବହୁତ କମ୍ପାନୀ ବହୁତ ଲୋକଙ୍କୁ ବାହାର କରିଥିଲେ, କିନ୍ତୁ କୌଣସି ମତେ ବଞ୍ଚି ଯାଇଥିଲା ସତ୍ୟ । ଆଉ ସମାନ ଜିନିଷ ପୁଣି ଥରେ ୨୦୧୭ରେ । ଆମେରିକା ଲୋକ ମାନେ କ'ଣ ଠିକା ନେଇଛନ୍ତି ଆମ ଭବିଷ୍ୟତର? ଆମେ କଣ ସେମାନଙ୍କ ଇଚ୍ଛାରେ ଚାଲିବୁ? ୧୫ ବର୍ଷର ସେବା କଣ କମ୍ପାନୀ ପାଇଁ ଯଥେଷ୍ଟ ନଥିଲା, କିନ୍ତୁ କମ୍ପାନୀ ପଲିଟିକ୍ସ ତାକୁ ବର୍ବାଦ କରିଦେଲା । ମ୍ୟାନେଜମେଣ୍ଟ ଶେଷରେ କଲା କ'ଣ? ତାକୁ ହିଁ କମ୍ପାନୀରୁ ବାହାର କରିଦେଲା । କିଛି ତ ତ୍ରୁଟି ସେ ରଖି ନଥିଲା । କିନ୍ତୁ ହଁ ତୋଷାମଦିଆ ହେଇ ପାରିଲାନି । ବସର ଜୋତା ଚାଟି ପାରିଲାନି । ତାକୁ ତେଲ ମାରି ପାରିଲାନି । ସତ୍ୟ ଯାହା କହେ ମୁହଁରେ । ଠିକ ତ ଠିକ, ଭୁଲ ତ ଭୁଲ । ହେଲେ ଆଉ ନୁହଁ । ଯେଉଁ କମ୍ପାନୀ ଗଲେ ବି ତ ଏମିତି ବସ ଆଉ ସିନିଅର ମିଳିବେ । ତେବେ କଣ ଚାକିରୀ ଆଉ କରିବନି? ଗାଁରେ ଯାଇ ଚାଷ କରିବ?


ହଁ, ଗାଁରେ ଚାଷ କରିବାରେ ଅସୁବିଧା କ'ଣ? ଆଗରୁ ସିନା ପାରମ୍ପରିକ ପଦ୍ଧତିରେ ଚାଷ ହେଉଥିଲା, ଏବେ ତ କେତେ ନୂଆ ଯନ୍ତ୍ରପାତି ବାହାରିଲାଣି, କେତେ କେତେ ନୂଆ ଜିନିଷ ସବୁ ଆସିଲାଣି । ସେ ତ ପୁଣି ଛୋଟ ଥିଲା ବେଳେ ବାପା ଚାଷ କରୁଥିଲେ, ଚାଷ ବାସ ସବୁ ବୁଝୁଥିଲେ । ସେ କାହିଁକି ପାରିବନି? ପର ପାଖରେ ମୁଣ୍ଡ ବିକି ରହିବା ଅପେକ୍ଷା ନିଜେ ଚାଷ କରିବା ଭଲ । ଭାବି ଭାବି ସେ ସୁଲଗ୍ନା ପାଖକୁ ଗଲା । ସୁଲଗ୍ନାକୁ ଏଇ ବିଷୟରେ କହିଲା ପରେ ସୁଲଗ୍ନା ଭୀଷଣ ଭାବରେ ଚିଡି ଉଠିଲା । କାହିଁ ଏ ମେଟ୍ରୋ ସହରର ଚାକଚକ୍ୟ ଭରା ଦୁନିୟା ଆଉ କାହିଁ ଗାଁର ସେ ଧୂଳି ମଳି ଭରା ଜୀବନ । ଜେଜେ ଅମଳର ଚାଳ ଖଣ୍ଡେ ଥିଲା ଯେ ସେଟା ବି ୧୨ ବର୍ଷ ହେଲା ଛାଉଣି ହୋଇନି । ବାପା ବୋଉ ତ ମଲା ଯାଏ ଏଠି ରହୁଥିଲେ । ଗାଁ ସହ ତ ଆଉ ସେମିତି କିଛି ବି ସମ୍ପର୍କ ନାହିଁ । କେବଳ ରାମୁ କାକା ବର୍ଷକୁ ବର୍ଷ କିଛି କିଛି ପଇସା ଭାଗର ପଠେଇ ଦିଅନ୍ତି । ନହେଲେ ଗାଁ କିଏ ଆଉ ସେମାନେ କିଏ? ଇଏ ପୁଣି ଜଣେ ସଫ୍ଟୱେର ଇଞ୍ଜିନିଅର, ଗାଁରେ ଯାଇ ଚାଷ କରିବେ । ଚାଷ ବିଷୟରେ ତମକୁ କ’ଣ ଜଣା? ଏଠି ଦଶ ଲକ୍ଷର ପ୍ୟାକେଜ ଛାଡି ଯିବେ ଗାଁକୁ ଚାଷ କରିବାକୁ । ତମେ ଯାଆ, ମୁଁ ଆଉ ମୋ ପୁଅ ଏଇଠି ରହିବୁ । ଗାଁରେ ଇଂଲିଶ ମିଡ଼ିଅମ ସ୍କୁଲ ନାହିଁ । ଘର ନାହିଁ । ଡାକ୍ତର ଖାନା ନାହିଁ । ହୋଟେଲ ନାହିଁ । କଣ ଅଛି ଗାଁରେ?


ସୁଲଗ୍ନା ଠୁ ଏସବୁ ଆଶା କରି ନଥିଲା ସତ୍ୟ । ଚାକିରୀର ଟେନସନ ଯାହା, ସେଥିରେ ପୁଣି ପଲିଟିକ୍ସ । ଏବେ ଚାକିରୀ ନାହିଁ । ମିଳିବ କି ନମିଳିବ ତା ବି ଜଣା ନାହିଁ । କେତେଦିନ ଯାଏ ଏ ରିସେସନ ଚାଲିବ ତାର କିଛି ଠିକ ଠିକଣା ନାହିଁ । ସେଥିପାଇଁ ସେ ଏପରି ଚିନ୍ତା କରିଥିଲା । ହେଲେ ସେ ୟାକୁ ତ ସଜେସନ ବୋଲି ଭାବି ସୁଲଗ୍ନାକୁ କହିଥିଲା । ଫାଇନାଲ ତ କରି ନଥିଲା । ଅଗତ୍ୟା ବାଧ୍ୟ ହୋଇ ଆଉ କିଛି ବି ନକହି ସେ ପୁଣି ଟିଭି ରୁମକୁ ପଳେଇ ଆସିଲା । ରାଗରେ ସୁଲଗ୍ନା ନାକରୁ ଗରମ ନିଶ୍ୱାସ ବାହାରୁ ଥାଏ । ସୁଲଗ୍ନା ଚିନ୍ତା କରି ପାରୁ ନଥାଏ ଯେ ଏସବୁ ବାଜେ ଚିନ୍ତା କେମିତି ୟାଙ୍କ ମୁଣ୍ଡକୁ ଆସୁଛି । କଣ ନା, ଚାଷ କରିବେ ଗାଁରେ । ଯେଉଁଠି ଦୈବୀ ଦୁର୍ବିପାକ, ମରୁଡି, ନଈବଢି, ଖରାପ ବିହନ ସବୁ ପାଇଁ ହଜାର ହଜାର ଚାଷୀ ଆତ୍ମହତ୍ୟା କରୁଛନ୍ତି, ସେଠି ଜଣେ ସଫ୍ଟୱେର ଇଞ୍ଜିନିଅର ଯିବ ଚାଷ କରିବାକୁ । ଯାହାକୁ ଚାଷର ଚ ବି ଜଣା ନାହିଁ ।

ସତ୍ୟ କିଛି ସମୟ ମୁଣ୍ଡରେ ହାତ ଦେଇ ବସି ରହିଲା । ହଉ, ଦେଖିବା କଣ ହଉଚି ! କହି ସେ ଇଣ୍ଟରନେଟରେ ଚାକିରୀ ଖୋଜିବାକୁ ଲାଗିଲା । naukri, monster ଭଳି ଆଉ କେତେ ସାଇଟ ଖୋଜି ସାରିଲା ପରେ କିଛି ନପାଇ ରାଗରେ ଲାପଟପକୁ ବନ୍ଦ କରିଦେଲା ଆଉ ଆଖି ବୁଜି ବସି ରହିଲା ।


ଦୁଇ ଦିନ ପରେ ରିଣ୍ଟୁର ସ୍କୁଲ ଛୁଟି ହେଲା । ସେ ସତ୍ୟକୁ ଲଗେଇଲା ଚାଲ ଗାଁ ଆଡେ ବୁଲି ଯିବା । ସତ୍ୟ ବି ରାଜି ହେଲା । ବାପା ମଲା ପରଠୁ ସେ ଗାଁକୁ ଯାଇ ନଥିଲା । ସୁଲଗ୍ନା ରୋକଠୋକ ମନା କରିଦେଲା ସେ ଗାଁକୁ ଯିବନି । ସତ୍ୟ ଠିକ କଲା ଯେ ଯାହା ବି ହେଉ ସେ ଗାଁକୁ ଯିବ । ରିଣ୍ଟୁକୁ କିନ୍ତୁ ନେବା ପାଇଁ ଚାହିଁଲାନି । କାରଣ ସୁଲଗ୍ନା ନଗଲେ ରିଣ୍ଟୁ ହଇରାଣ ହେବ । ରିଣ୍ଟୁ ମନ ଦୁଃଖ କଲେ ବି ସୁଲଗ୍ନା ତା ଜିଦରେ ଅଟଳ ଥିଲା ।


ସତ୍ୟ ବାଙ୍ଗାଲୋରରୁ ଟ୍ରେନ ଯୋଗେ ଭୁବନେଶ୍ୱର ପହଞ୍ଚି ବସରେ ଗାଁକୁ ଗଲା । ଗାଁରେ ତାଙ୍କ ସବୁ ଘର ଭାଙ୍ଗି ଯାଇ ଥାଏ । ମାଟି ଘର, ରକ୍ଷଣା ବେକ୍ଷଣ ଅଭାବରୁ ଯାହା ହୁଏ । କିଛି ଦିନ ରାମୁ କାକାଙ୍କ ଘରେ ରହିଲା । ତାଙ୍କ ଜମି, ବାଡ଼ି, ଘର ଡିହ, ଆମ୍ବ ତୋଟା, ଗହିରି ବିଲ ସବୁ ଦେଖି ସାରିଲା ପରେ ଠିକ କଲା ଯେ ସେ ଗାଁରେ ହିଁ ରହିବ ଆଉ ଚାଷ କରିବ । ତେଣିକି ସୁଲଗ୍ନା ଗାଁକୁ ଆସିଲେ ଆସୁ ନହେଲେ ନାହିଁ । ସୁଲଗ୍ନାକୁ ସେ ଫୋନରେ ତା ଡିସିସନ ଶୁଣେଇ ଦେଲା । ସୁଲଗ୍ନା ବି ରାଗିକି ତା ଡିସିସନ ଶୁଣେଇଲା । ଯାହା ବି ହେଇଯାଉ ସେ ଗାଁକୁ ଆସିବ ନାହିଁ । ତମେ ତେଣିକି ସିଆଡେ ରୁହ, ମୁଁ ଆଉ ମୋ ପୁଅ ଏଠି ରହିବୁ । ଆମ ପାଖକୁ ପଇସା ବି ପଠେଇବା ଦରକାର ନାହିଁ । ଯେତେବେଳେ ତମକୁ ଲାଗିବ ଯେ ତମେ ଭୁଲ ରାସ୍ତାରେ ଅଛ, ଅଥବା ବଢି, ମରୁଡି ପରେ ଦେବାଳିଆ ହୋଇଯିବ, ସେତେବେଳେ ଫେରିବ ଆମ ପାଖକୁ । ଆମେ ତମକୁ ଅପେକ୍ଷା କରିବୁ । ସୁଲଗ୍ନା ଫୋନ କାଟିଦେଲା ଆଉ ସୁଇଚ ଅଫ କରିଦେଲା । ସତ୍ୟ ଚାହିଁଲେବି ଆଉ ସୁଲଗ୍ନା ସହ କଥା ହୋଇ ପାରିଲାନି କି ନିଜ ମନକୁ ବଦଳେଇ ପାରିଲାନି । ହଉ ପଛେ ଦୈବୀ ଦୁର୍ବିପାକ, ହଉ ପଛେ ବଢି ଆଉ ମରୁଡି, ମିଳୁ କମ ପଇସା କିନ୍ତୁ ଏଠି ଶାନ୍ତି ତ ଅଛି । ନା ଅଛି ପଲିଟିକ୍ସ ନା ଅଛି ବସର ଡର । ପଲିଟିକ୍ସ, ଟେନସନ, ଆଉ ପ୍ରେସରରୁ ସେ ଦୁରେଇ ଯିବାକୁ ଚାହୁଁଥିଲା ।


ସୁଲଗ୍ନା ବି ଏଜୁକେଟେଡ଼ । ବାଙ୍ଗାଲୋରରେ ଇଂଲିଶ ମିଡ଼ିଅମ ସ୍କୁଲରେ ଚାକିରୀ ଖଣ୍ଡେ ତାକୁ ମିଳିଗଲା । ମାସକୁ ୩୫୦୦୦ ଦରମା । ସୁଲଗ୍ନା ଆଉ ରିଣ୍ଟୁ ବାଙ୍ଗାଲୋରରେ ରହିଲେ ଆଉ ସତ୍ୟ ଗାଁରେ । ସତ୍ୟ ବେଳେବେଳେ ମନେ ପଡନ୍ତି ସୁଲଗ୍ନାର । ଝଗଡା ନାହିଁ, ମାରପିଟ ନାହିଁ, କେତେ ଶାନ୍ତିରେ ଚାଲୁଥିଲା ତାଙ୍କ ଘର, କିନ୍ତୁ ଗୋଟେ ଡିସିସନ ହିଁ ବଦଳେଇ ଦେଲା ତାଙ୍କ ଜୀବନ । ସେଥିପାଇଁ ସତ୍ୟକୁ ଦାୟୀ କରନ୍ତି ସେ । ସତ୍ୟର ବି ମନେ ପଡନ୍ତି ସୁଲଗ୍ନା ଆଉ ରିଣ୍ଟୁ, କିନ୍ତୁ ସେ ନାଚାର । ବହୁତ ଥର କଥା ହେବା ପାଇଁ ଚାହିଁଛି ସେ, ସବୁଥର ସୁଲଗ୍ନା ତା ଫୋନ କାଟି ଦିଅନ୍ତି, ଆଉ କିଛି ଦିନ ପରେ ନମ୍ବର ହିଁ ବଦଳେଇ ଦେଲେ । ପଡିସା ଘରକୁ ଫୋନ କରି ସେ କଥା ହେବାପାଇଁ ଚାହିଁଥିଲା, କିନ୍ତୁ ପଡୋଶୀଙ୍କୁ ସୁଲଗ୍ନା କଡା କଥା ଶୁଣେଇଲା ପରେ ସେ ଆଉ ଫୋନ କରି ନଥିଲା । ପଡୋଶୀ ଠୁ ଏତିକି ଶୁଣିଥିଲା ଯେ ସୁଲଗ୍ନା ଏବେ ଇଂଲିଶ ମିଡ଼ିଅମ ସ୍କୁଲରେ ଟିଚର ଅଛି । ସେ ବି ରାଣ ଖାଇଲା ଯେ, ଯେବେ ଯାଏ ମୁଁ ଜଣେ ଭଲ ଚାଷୀ ନହେଇ ପାରିଛି, ସେବେ ଯାଏ ସୁଲଗ୍ନା ଆଉ ରିଣ୍ଟୁକୁ ମୁହଁ ବି ଦେଖେଇବିନି ।


ସତ୍ୟ କିଛି ଦିନ ରାମୁ କାକାଙ୍କ ଘରେ ରହିଲା ପରେ ତା ନିଜ ଚାଳ ଘରଟିକୁ ଆଜବେଷ୍ଟସ କଲା । ବାଡ଼ି ଆଉ ଜମିରେ କିଛି କିଛି ପନିପରିବା ଚାଷ ଆରମ୍ଭ କଲା । ଗାଁରେ ମୁଲିଆ ଆଉ କୋଠିଆ ମିଳି ଗଲେ । ନିଜକୁ ଚାଷ ଜଣା ନଥିଲେ ବି ସେ ଦେଖି ଦେଖି କିଛି କିଛି ଶିଖିଲା । ରାମୁ କାକାଙ୍କ ଠୁ ଜାଣିଲା ତାର ୪୦ ଏକର ଜମି କିନ୍ତୁ ସବୁ ଏକାଠି ନଥିଲା । ଗାଁ ଲୋକଙ୍କ ସହ କଥା ହେଇ ଜମି ଅଦଳବଦଳ କରି ସବୁ ଜମି ଏକାଠି କଲା । ଉପର, ତଳ, ଢିପ, ଖାଲ ଜମି ସବୁ ମିଶେଇ ଏବେ ତା ପାଖରେ ୩୫ ଏକର ଥିଲା ।

ଗହିରି ବିଲକୁ ଆହୁରି ଖୋଳି ତାକୁ ପୋଖରୀ କଲା । ପୁରା ଜାଗାକୁ ତାରବାଡ ଦେଇ ବନ୍ଦ କରିଦେଲା । ପୋଖରୀ ଚାରି ପଟେ ନଡ଼ିଆ ଗଛ ଲଗେଇଲା । ଜାଗାର ଚାରି କଡେ ଆମ୍ବ ଆଉ ପଣସ ଗଛ, ମଝିରେ ଗୋଲାପ ଆଉ ଗେଣ୍ଡୁ ଫୁଲ, ଫୁଲ ଚାରି ପଟେ ସିଜିନାଲ ପନି ପରିବା ଯେମିତିକି ବାଇଗଣ, ଟମାଟୋ, ଲଙ୍କା, ଭେଣ୍ଡି ଆଦି, ଆଉ କିଛି କିଛି ଜମିରେ ଧାନ, ବାଦାମ ଆଦି ଚାଷ କଲା । ରାମୁ କାକା ସବୁଦିନ ତା ସହ ଥାନ୍ତି । କେତେବେଳେ କଣ ବୁଣା ଯିବ, କେଉଁଟା ଅମଳ ହବ ଇତ୍ୟାଦି କଥା ସେ ବୁଝା ବୁଝି କରୁଥାନ୍ତି ।


କିଛି ସମୟ ଏମିତି ବି ଆସିଲା ଯେତେବେଳେ ସତ୍ୟକୁ କୃଷି ଋଣ ନେବା ପାଇଁ ବ୍ୟାଙ୍କ ଆଗରେ ଗୋଡ ଭାଙ୍ଗି ଠିଆ ହେବାକୁ ପଡିଲା । ତା ପାଖରେ ପଇସା ସବୁ ସରି ସରି ଆସୁଥାଏ । ଏପଟେ ଗୋଟେ ପରେ ଗୋଟେ ଜମି ବୁଣା ଚାଲି ଥାଏ, ଅମଳ ହେଲେ ସିନା ପଇସା ଆସିବ, କିନ୍ତୁ ତା ପୂର୍ବରୁ ମୁଲିଆ ପଇସା, ବିହନ, ସାର, ପୋକମରା ଔଷଧ ଆଉ ସବୁ ଆନୁସାଙ୍ଗିକ ପାଇଁ ତ ପଇସା ଦରକାର । ବାଧ୍ୟ ହୋଇ ତାକୁ ତା ବାଙ୍ଗାଲୋରର ଘର ବନ୍ଧା ପକେଇବାକୁ ପଡିଲା । ସେମିତି ବି ୧୬-୧୮ ମାସ ହେଲା ତା ଇ.ଏମ.ଆଇ. ଦିଆ ହୋଇ ନଥିଲା । ବ୍ୟାଙ୍କରୁ ଘନ ଘନ ଫୋନ ଆସୁଥାଏ । କିନ୍ତୁ ତା ପାଖରେ କରିବା ପାଇଁ କିଛି ନଥିଲା । ମାଟି ସହ ମାଟି ହୋଇ ସେ ମୁଲିଆ ହୋଇ ଯାଇଥିଲା । ତାକୁ ଦେଖିଲେ କେହି ବି କହିବେନି ଯେ ସେ ଜଣେ ସଫ୍ଟୱେର ଇଞ୍ଜିନିଅର ।


କିଛି ଦିନ ପରେ ସତ୍ୟ ପୋଖରୀରେ ମାଛ ଆଉ ଚିଙ୍ଗୁଡ଼ି ଚାଷ ଆରମ୍ଭ କଲା । ପୋଖରୀ କୂଳରେ ଘର ତିଆରି କରି କୁକୁଡ଼ା ଫାର୍ମ ବି କଲା, ଆଉ ତା ଜମିରେ ଗୋଟେ ଛୋଟ ଚାଳିଆ କରି ସେଠି ରହିଲା । ପଇସା ନଥିବାରୁ ସେ ଦେବାଳିଆ ହୋଇ ଯାଇଥିଲା । ବାଙ୍ଗାଲୋର ରେ ଥିବା ସାଙ୍ଗ ମାନଙ୍କଠୁ ବି ସେ ହାତ ଉଧାରୀରେ ୮-୧୦ ଲକ୍ଷ ଟଙ୍କା ଆଣି ସାରିଥିଲା । ବେଳେବେଳେ ଭାବେ ଏସବୁ ଠାରୁ ତ ସଫ୍ଟୱେର ଚାକିରୀ ଭଲ ଥିଲା । ସୁଲଗ୍ନା ଠିକ କହୁଥିଲେ । ଏବେ ସେ ଜାଣି ପାରୁଛି ଯେ ଅସୁବିଧା କଣ । ତାକୁ ସବୁ ଜିନିଷ ଆସ୍ତେ ଆସ୍ତେ କରିବାର ଥିଲା । ମାଛ ଚାଷ, କୁକୁଡ଼ା ଫାର୍ମ, ଘର ସବୁ ଏକାବେଳେ କରି ପକେଇବା ତାର ଭୁଲ ଥିଲା । ପିଲା ବେଳେ ଶୁଣିଥିବା ଗପ ଶିବେଇ ସାନ୍ତରା କଥା ତାର ଏବେ ମନେ ପଡୁଥିଲା, ତା ସହ ମନେ ପଡୁଥିଲା ସୁଲଗ୍ନାର ରାଗ, ରିଣ୍ଟୁର କନକନିଆଁ ମୁହଁ ଆଉ ବାପା ଡାକ, ସୁଲଗ୍ନାର ଭଲ ପାଇବା, ଅଫିସର କଲିଗ, ବ୍ୟାଗ ଭିତରେ ଟିଫିନ ବକ୍ସ, ରବିବାର ବୁଲାବୁଲି ଆଉ ସିନେମା ଦେଖା, ଏସି କାର, ଅଫିସ ଟ୍ରିପ, ଜୁନିଅର ଝିଅ ମାନଙ୍କର କୁନୁମୁନିଆଁ ଚାହାଣି, ବସର ଗାଳି, ଏଚ.ଆର.ର ପିଙ୍କ ସ୍ଲିପ, ଆଉ ଚାକିରୀ ଖୋଜା । ଅଫିସ କଥା ମନେ ପଡିବା କ୍ଷଣି ତା ମୁହଁ ଲାଲ ହୋଇ ଆସିଲା ଆଉ ସେ ନିଜକୁ ସହଜ କରିବାକୁ ଯାଇ ଆହୁରି ପରିଶ୍ରମ କଲା ।


କହନ୍ତି ମାଟି ସହ ମାଟି ହେଲେ ଯାଇ ସୁନା ଫଳେ । ପୋତା ଧନ ବୋଲି କିଛି ବି ନଥାଏ, ମାଟି ଖୋଳି ଦେହରୁ ଝାଳ ନିଗିଡ଼ିଲେ ଯାଇ ମାଟି ମା’ ତମ ମନ ରଖେ ଆଉ ତା ମାନ ବି ରଖେ । ସତ୍ୟ ଦିନ ରାତି ଏକ କରି ଦେଲା । ଆସ୍ତେ ଆସ୍ତେ ତା ଜମିରେ ସୁନା ଫଳିବାକୁ ଲାଗିଲେ । ଦି ବର୍ଷ ପରେ ସେ ପୋଖରୀ ଉପରେ ମଝା ମଝି ଗୋଟେ ଘର ତିଆରି କଲା ଆଉ ପୋଖରୀ ଉପରେ ବ୍ରିଜ କଲା, ସେ ଘରକୁ ଯିବା ପାଇଁ । ମାଛ ଆଉ ଚିଙ୍ଗୁଡ଼ି ଚାଷରୁ ବି ତାର ବହୁତ ଲାଭ ହେଲା । ଏପଟେ ଫୁଲ ବି ବହୁତ ବିକ୍ରି ହେଲା ବିଶେଷ କରି ବାହାଘର ସିଜିନ ଆଉ ଫେଷ୍ଟିଭାଲ ସିଜିନରେ । ଆସ୍ତେ ଆସ୍ତେ ତା ହାତକୁ ପଇସା ଆସିବାରେ ଲାଗିଲା । ନୂଆ ନୂଆ ।nstrument use କରି ସେ କମ ଖର୍ଚରେ ଅଧିକ ଉପାର୍ଜନ କରୁଥିଲା । ଫୁଲ, ମାଛ ଆଉ ଚିଙ୍ଗୁଡ଼ି, ପନିପରିବା, ସବୁଥିରୁ ତାକୁ ଲାଭ ମିଳିବାରେ ଲାଗିଲା । ନଡ଼ିଆ, ଆମ୍ବ ଆଉ ପଣସର ସବୁ କଲମୀ ଚାରା ଥିବାରୁ ସେଗୁଡିକ ବି ଫଳ ଧରିବାରେ ଲାଗିଲା । ମୋଟା ମୋଟୀ ଏବେ ତା ପାଖକୁ କିଛି କିଛି ପଇସା ଆସିଲା ପରେ ତା ପରିଶ୍ରମର ଫଳ ମିଳିଲା ପରି ତାକୁ ଲାଗୁଥିଲା । ସତ୍ୟ ସବୁ ହାତ ଉଧାରୀ ସୁଝା ସୁଝି କରି ବ୍ୟାଙ୍କ ଲୋନ ବି ସୁଝି ଦେଲା । ଆସ୍ତେ ଆସ୍ତେ ବନ୍ଧା ପକେଇଥିବା ଘରକୁ ମୁକୁଳେଇ ଆଣିଲା ।


ଏଇ ଭିତରେ ବିତି ଯାଇଛି ୬ ବର୍ଷ । ସୁଲଗ୍ନା ଆଉ ସତ୍ୟ ବହୁ ବାଧା ବିଘ୍ନର ସମ୍ମୁଖୀନ ହେଲା ପରେ ବି କେହି କାହା ପାଖକୁ ଫୋନ କରି ନାହାନ୍ତି । ସୁଲଗ୍ନାକୁ ବି ଅସୁବିଧାର ସାମ୍ନା କରିବାକୁ ପଡିଛି । ସକାଳୁ ରୋଷେଇ ସାରି ସ୍କୁଲ, ସନ୍ଧ୍ୟାରେ ରୋଷେଇ ସହ ରିଣ୍ଟୁର ପାଠ ପଢା । ଏକା ଏକା ମଣିଷ । ବଜାର ସଉଦା ଠୁ ରୋଷେଇ ଯାଏ, ଘରକାମଠୁ ବାହାର ଯାଏ, ସବୁ ତାଙ୍କୁ ହିଁ କରିବାକୁ ପଡ଼େ । ରିଣ୍ଟୁର ପାଠ ପଢାକୁ ନେଇ ସେ ସିରିଏସ ଥାନ୍ତି । ରିଣ୍ଟୁ, ଏ ବର୍ଷ +2 ପାସ କଲା ଆଉ ଇଞ୍ଜିନିଅରିଂ ଏଣ୍ଟ୍ରାନ୍ସ ପାଇ ଇଞ୍ଜିନିଅରିଂ ପଢିବାକୁ ଗଲା । ତା କଲେଜ ଫିସ, ହଷ୍ଟେଲ ଫିସ, ଆଉ ସବୁ ବାବଦରେ ଟଙ୍କା ଦରକାର ଥିଲା, କିନ୍ତୁ ସୁଲଗ୍ନା ଫୋନ ବି କଲାନାହିଁ ସତ୍ୟକୁ, ନିଜର ସୁନା ବନ୍ଧା ପକେଇ ବ୍ୟାଙ୍କରୁ ଟଙ୍କା ଆଣି ତା ନାଁ ଲେଖେଇଲା । ରିଣ୍ଟୁ ହଷ୍ଟେଲକୁ ପଳେଇଲା ପରେ ସୁଲଗ୍ନା ଏକା ହୋଇଗଲା । ଏଥର ସବୁବେଳେ ସତ୍ୟ ମନରେ ଆସିବାକୁ ଲାଗିଲେ । କିନ୍ତୁ ସୁଲଗ୍ନା କେଉଁ ମୁହଁରେ ଫୋନ କରିବେ? ଯେତେବେଳେ ସତ୍ୟ ଫୋନ କରୁଥିଲେ ଆଉ କଥା ହେବାକୁ ଚାହୁଁଥିଲେ ସେତେବେଳେ ତ ସୁଲଗ୍ନା ନିଜେ ଇଗନୋର କରିଛି ଏବେ ଆଉ ମୁହଁ ଅଛି? ସତ୍ୟ ଅବସ୍ଥା ଏବେ କ'ଣ, ସେ କଥା ବି ସୁଲଗ୍ନା ଜାଣିନି । କିନ୍ତୁ ଏକା ଏକା ଘର ତାଙ୍କୁ ଖାଇ ଗୋଡାଉ ଥିଲା । ନାଁ ଆଉ ନୁହଁ, ସୁଲଗ୍ନା ଏବେ ସତ୍ୟକୁ ହିଁ ଝୁରି ହେଉଥିଲେ । ଯେମିତି ହେଲେ ସତ୍ୟ ବିଷୟରେ ଜାଣିବା ଦରକାର । ସେ ତ ଏମିତି ଯିଦିଆ ଲୋକ ଯେ ଯେତେ ଅସୁବିଧାରେ ଥିଲେ ବି ପଦେ କହିବେନି । ଯେତେ କଷ୍ଟ ହେଲେ ବି ଉଁ କି ଚୁଁ କରିବେନି । ଏତେ ଥର ଫୋନ ନଉଠେଇଲେ ପରେ ବି ସେ ଫୋନ କରୁଥିଲେ କିନ୍ତୁ ଭୁଲ ତ ସୁଲଗ୍ନା କରିଛି ସିମ ବଦଳେଇ । ନୂଆ ନମ୍ବର ତ ତାଙ୍କ ପାଖେ ନାହିଁ । ସେ ଅବା ଫୋନ କରିବେ କେମିତି । ସୁଲଗ୍ନା ଏଥର ସତ୍ୟର ନମ୍ବର ଡାଏଲ କଲେ ।


ସତ୍ୟ ପାଖରେ ଏବେ ପଇସା ଥିଲା । ମାଛ, ଚିଙ୍ଗୁଡ଼ି, ଫୁଲ, ପନିପରିବା, ଧାନ,ବାଦାମ ବିକ୍ରି କରି ଏବେ ପାଖା ପାଖି ୨୪ ଲକ୍ଷ ଟଙ୍କା ସେ ଇନକମ କରୁଛି ବର୍ଷକୁ । ମୁଲିଆ, କୋଠିଆ ଆଉ ସବୁ ଜିନିଷ ମିଶେଇ ୬-୭ ଲକ୍ଷ ଗଲା ପରେ ବି ଲାଭ ପାଖାପାଖି ୧୫-୧୭ ଲକ୍ଷ । ଏବେ ସେ ଟ୍ରାକଟର କିଣି ନିଜେ ଚାଷ କରୁଛି । ପୋଖତ ଚାଷୀ ହେଇ ଯାଇଛି ଏଇ ୬ ବର୍ଷ ଭିତରେ । ହାଟରେ ତ ତା ପରିବା ପାଇଁ ବାଡିଆ ପିଟା, କାରଣ ସେ ରାସାୟନିକ ସାର ବ୍ୟବହାର କରେ ନାହିଁ । pure organ।c ରେ ଚାଷ କରେ । ତା ପୋଖରୀର ମାଛ ଆଉ ଚିଙ୍ଗୁଡ଼ି ଟେଷ୍ଟ ବି ଭଲ । ଏବେ ତାକୁ ଆଉ ବଜାରକୁ ଯିବାକୁ ପଡୁନି । ବେପାରୀ ମାନେ ଆସି ତା ଜମିରୁ ହିଁ ନେଇ ଯାଉଛନ୍ତି । ସବୁ କାମ ପାଇଁ ମ୍ୟାନେଜର ଅଛନ୍ତି । ସେ ଏବେ ଜଣେ ସଫଳ ଚାଷୀ ।


ପୋଖରୀ ମଝାମଝି ଥିବା ଘରର ଚଉତରା ଉପରେ ବସି ସତ୍ୟ ପଛ କଥା ସବୁ ମନେ ପକାଉଥିଲା । ସୁଲଗ୍ନା କାହିଁକି ଆଜି ବେଶି ବେଶି ମନେ ପଡୁଥିଲେ । ରିଣ୍ଟୁ ତ କେତେ ବଡ ହୋଇ ଯିବଣି । କଣ ପଢୁଥିବ ଏବେ, କିଛି ବି ଖବର ନାହିଁ ତା ପାଖରେ । ବାପା ହେଇ ପୁଅର ଖବର ରଖିନି । କିନ୍ତୁ ସେ ତ ଚେଷ୍ଟା କରିଥିଲା । ସୁଲଗ୍ନା ନମ୍ବର ବଦଳେଇ ଦେଲା । ପଡୋଶୀକୁ ଗାଳି କଲା, ସେ ଅବା କଣ କରି ପାରିବ? ଏତିକି ବେଳେ ତା ଫୋନ ରିଂ ହେଲା । ସେ ଫୋନ ଉଠେଇ ହାଲୋ ବୋଲି କହିଲା ।


-- କିଛି ସଁ ସଁ ଶବ୍ଦ ।

-- ହାଲୋ, କିଏ କହୁଥିଲେ?

-- (କେବଳ ନିଶ୍ୱାସର ଶବ୍ଦ ଶୁଭୁ ଥାଏ)

ସେପଟୁ କେହି କିଛି କହୁ ନଥିଲେ ବି ନିଶ୍ୱାସ ରୁ ସେ ଜାଣି ପାରିଲା ସୁଲଗ୍ନା ଫୋନ କରିଛି ।

-- ସୁଲଗ୍ନା !

-- (ଏବେ, ସୁଲଗ୍ନା ଆଉ କୋହ ସମ୍ଭାଳି ପାରିଲେ ନାହିଁ । କଇଁ କଇଁ ହୋଇ କାନ୍ଦି ଉଠିଲେ )


ସତ୍ୟର ଦେହରେ ପର ଲାଗିଗଲା ଯେମିତି । ତଡ଼ିତ ବେଗରେ ତା ଦେହରେ ୧୦୦୦ ଭୋଲ୍ଟର ବିଜୁଳି ପ୍ରବାହିତ ହେଇ ଗଲା । ସେ ବସିବା ଜାଗାରୁ ଉଠି ଆସିଲା ଆଉ କହିଲା, "ସୁଲଗ୍ନା, ମୁଁ .. ମୁଁ ସତ୍ୟ କହୁଛି । କେମିତି ଅଛ? ଏଇ ଗୋଟିଏ ଦିନକୁ ମୁଁ ଛଅ ବର୍ଷ ହେଲାଣି ଅପେକ୍ଷା କରିଛି । ରିଣ୍ଟୁ, କେମିତି ଅଛି? କଣ କରୁଛି ସେ? ସବୁ ଭଲ? କେମିତି ଅଛ ଦି ଜଣ? ମୋ ଫୋନ କାହିଁକି ଉଠାଉ ନଥିଲ? "


ଫୋନ କଟିଗଲା । ସତ୍ୟ ଏଥର ସେ ଫୋନକୁ ଡାଏଲ କଲା । ଆଉ ସୁଲଗ୍ନା ସେପଟୁ ଫୋନ ଉଠେଇଲା ।


--ସୁଲଗ୍ନା, ପ୍ଲିଜ, ଫୋନ କାଟନି । ମୁଁ ଛଅ ବର୍ଷ ହେଲାଣି ଅପେକ୍ଷା କରିଛି ତମ କଥା ପଦେ ଶୁଣିବା ପାଇଁ । ରିଣ୍ଟୁ ଠାରୁ ବାପା ଡାକ ଶୁଣିବାକୁ ପାଗଳ ହେଇ ଗଲିଣି । ପ୍ଲିଜ଼, କଥା ପଦେ କୁହ । କେମିତି ଅଛ । ସତ୍ୟ କଥା ହେଲା ବେଳେ କାନ୍ଦ କାନ୍ଦ ହେଇ ଯାଇଥିଲା । ପଛ ଆଡକୁ ତା କଥା ଗୁଡା କଇଁ କଇଁ ଶୁଭୁ ଥାଏ ।

କିଛି ସମୟ ନୀରବତା ପରେ, ଦୁହେଁ ଦୁହିଁଙ୍କୁ କ୍ଷମା ମାଗିବା ସହ ନିଜ ନିଜ କୃତକର୍ମର ବିଶ୍ଲେଷଣ ପୂର୍ବକ କଥା ଦେଲେ ଯେ ସେମାନେ ବହୁତ ଶୀଘ୍ର ଏକାଠି ହେବେ । ସୁଲଗ୍ନା ବି ଏକଥା ରିଣ୍ଟୁକୁ ଜଣେଇ ଦେଲେ । ରିଣ୍ଟୁର ତ ଖୁସି ଦେଖେ କିଏ ।


ଉଡ଼ାଜାହାଜରେ ଟିକେଟ କରି ସତ୍ୟ ଏବେ ବାଙ୍ଗାଲୋର ଅଭିମୁଖେ । ସୁଲଗ୍ନା ଆଉ ରିଣ୍ଟୁ ବି ଅପେକ୍ଷା କରି ଥାନ୍ତି a।rport ରେ । ସତ୍ୟ ବାଙ୍ଗାଲୋରରେ ପହଁଚିଲା ପରେ, a।rport ରୁ ବାହାରକୁ ଆସିଲା । ସତ୍ୟକୁ ଦେଖି ରିଣ୍ଟୁ ଧାଇଁ ଆସି କୁଣ୍ଢେଇ ପକେଇଲା । ସୁଲଗ୍ନାଙ୍କ ଆଖିରୁ ଧାର ଧାର ଲୁହ ବୋହି ଯାଉଥାଏ । ସତ୍ୟ ଆଉ ସୁଲଗ୍ନାର ଆଖିରେ ଆଖି ମିଶିଗଲା । ଏଇ ମୁହୂର୍ତ୍ତରେ ଯେମିତି କି ପୁରା ଦୁନିଆ ସ୍ତବ୍ଦ ହୋଇ ଯାଇଥାଏ । ପବନ ଅଟକି ଯାଇଥାଏ । ଲୋକ ଗୁଡିକ ଚାଲୁ ଚାଲୁ ଅଟକି ଯାଇ ଥାନ୍ତି । କେବଳ ସତ୍ୟ ଆଉ ସୁଲଗ୍ନାକୁ ଛାଡି ବାକି ପୁରା ଦୁନିଆ ମୂର୍ତି ହୋଇ ଯାଇ ଥାଏ । ଏଇ ଦୁଇ ଜଣଙ୍କୁ ନା କିଛି ଦେଖା ଯାଉ ଥାଏ ନା କିଛି ଶୁଣା ଯାଉଥାଏ । ଦୁନିଆର ଦୁଇଟି ପ୍ରେମ ପକ୍ଷୀର ମହାମିଳନ ଆଜି ଛଅ ବର୍ଷ ପରେ ହେଉଥାଏ । ଦୁହେଁ ଦୁହିଁଙ୍କୁ ଦେଖୁ ଥାନ୍ତି । ଦୁହିଁଙ୍କ ଆଖିରୁ ଲୁହ ବୋହି ଯାଉଥାଏ …


ଦୁଇ ଦିନ ପରେ ସମସ୍ତେ ଗାଁକୁ ଆସିଲେ । ସୁଲଗ୍ନା ତ ଜମି ଆଉ ଫସଲ ଦେଖି କାବା ହେଇ ଯାଉଥାନ୍ତି । ଏତେ ବଡ ଜାଗା । ଫସଲରେ ଭରପୁର । ହଳିଆ ମୁଲିଆ ସବୁ କାମରେ ଲାଗିଥାନ୍ତି । ପୋଖରୀ ଉପରେ ଘର ତାଙ୍କୁ ସ୍ୱର୍ଗରେ ଥିଲା ପରି ଲାଗୁ ଥାଏ । ଘରୁ ପୁରା ଜମି ଦେଖା ଯାଉ ଥାଏ । ବିଭିନ୍ନ ପ୍ରକାର ଫସଲ, ପୋଖରୀରେ ମାଛ, ଫାର୍ମରେ କୁକୁଡ଼ା, ନଡ଼ିଆ ଗଛ ସବୁ ଦେଖି ସୁଲଗ୍ନା ବୁଝି ପରୁଥାନ୍ତି ଯେ ସତ୍ୟଙ୍କୁ କେତେ ପରିଶ୍ରମ କରିବାକୁ ପଡ଼ିଥିବ । ନିଜକୁ ନିଜେ ଦୋଷ ଦେଉଥାନ୍ତି ଯେ ସତ୍ୟଙ୍କ ଏ ସଂଘର୍ଷ ବେଳରେ ସେ ତାଙ୍କ ପାଖେ ନଥିଲେ । ସୁଲଗ୍ନା ଏବେ ବୁଝି ପାରୁଥିଲେ ଯେ କୌଣସି କାମ ଛୋଟ ନୁହଁ । ନିଜ ମନ ପ୍ରାଣ ଢାଳି ଚାଷ କଲେ ବି ଏ ଧରିତ୍ରୀ ମା’ ତମକୁ କେବେ ବି ହତାଶ କରିବନି । ବରଂ ତମେ ଅଧିକ ଉପାର୍ଜନ କରି ପାରିବ । ପର ପାଖରେ ମୁଣ୍ଡ ବିକି ଡରି ଡରି ଜୀବନ ସାରା ଚଳିବା ଅପେକ୍ଷା ନିଜେ ଚାଷ କରି ଉପାର୍ଜନ କରି ସମାଜରେ ମୁଣ୍ଡ ଟେକି ଚାଲିବା ଶ୍ରେୟସ୍କର । ଆହୁରି ବି ବୁଝି ପାରିଥିଲେ ଯେ ଖାଲି ସଫ୍ଟୱେର ଇଣ୍ଡଷ୍ଟ୍ରିରେ ପଇସା ଅଛି ସେକଥା ନୁହଁ, ଜୀବନ ଯିବାର ଭୟ ବି ଅଛି । କିଛି ଲୋକ ତ ଚାକିରୀ ଯିବା ପରେ ଆତ୍ମହତ୍ୟା କରିଛନ୍ତି ଆଉ କିଛି ଘର ଆଉ କାରର ଲୋନ ସୁଝି ନପାରି ପଳାତକ ସାଜିଛନ୍ତି । କିଛି ଜଣ ତ ଏବେ ଯାଏ ବି ଚାକିରୀ ଆଉ ଥରେ ନପାଇ ବାଙ୍ଗାଲୋର ରେ ପାନ ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି । ସତ୍ୟ ଯାହା ବି ଡିସିସନ ନେଇଥିଲେ ତାହା ଠିକ ଥିଲା ବୋଲି ସେ ଏବେ ହୃଦୟଙ୍ଗମ କରୁଥିଲେ ।

ସୁଲଗ୍ନା, ସତ୍ୟକୁ କ୍ଷମା ମାଗିବା ପାଇଁ, ତାଙ୍କ ଗୋଡ ଧରି ପକେଇଲେ । କିନ୍ତୁ ସତ୍ୟ ତାଙ୍କୁ ଧରି ପକେଇ କୋଳେଇ ନେଲେ ଆଉ କହିଲେ, ସୁଲଗ୍ନା, ତମ ପାଇଁ ହିଁ ମୁଁ ଆଜି ଏଠାରେ ପହଞ୍ଚିଛି । ତମେ ସେଦିନ ଯଦି ମୋତେ କଡା କଥା କହି ନଥାନ୍ତ, ଆଉ ଫୋନ ବନ୍ଦ କରି ନଥାନ୍ତ, ମୁଁ ମୋ ଜିଦିରେ ରହି ଏତେ ବାଟ ପହଞ୍ଚି ପାରି ନଥାନ୍ତି । ତେଣୁ ମୋ ଗୋଡ ଧରି ମୋତେ ଛୋଟ କରି ଦିଅନି । ଏସବୁ ତୁମ ତ୍ୟାଗର ଫଳ ।


ରିଣ୍ଟୁ ସବୁ ଦେଖି କହିଲା, “ବାପା ମୁଁ ବି ଇଞ୍ଜିନିଅରିଂ ସାରିଲା ପରେ ଏଇଠି ରହିବି, ପର ପାଖରେ ଚାକିରୀ କରି ମୁଣ୍ଡ ବିକ୍ରି କରି ପାରିବି ନାହିଁ । ସତ୍ୟ ଆଉ ସୁଲଗ୍ନା ଦୁହେଁ ଦୁହିଁଙ୍କୁ ଚାହିଁ ହସୁଥିଲେ ଆଉ ପୁଅକୁ କୋଳେଇ ନେଲେ ।


ସତ୍ୟ ଏବେ ଗାଁର ମଉଡମଣୀ । ଗାଁର ପାଖା ପାଖି ୧୦୦ ଲୋକଙ୍କୁ ସେ କାମ ଯୋଗେଇ ଦେଇଛି । ନୂଆ ନୂଆ କିସମର ବିହନ ଆଉ କମ ଖର୍ଚରେ ବେଶି ଫଳୁଥିବା ବିହନ ସେ ଆଣି ନୂଆ ନୂଆ ଏକ୍ସପେରିମେଣ୍ଟ ବି କରୁଛି । ଗାଁରେ କିଛି ବି ହେଲେ ସତ୍ୟ ବାବୁ । ସତ୍ୟ ଏବେ ଗାଁରେ ଗୋଟେ ଇଂଲିଶ ମିଡ଼ିଅମ ସ୍କୁଲ ବି ଖୋଲିଚି, ଯେଉଁଠି ଗାଁର ସବୁ ଛୁଆ ମାଗଣାରେ ପାଠ ପଢୁଛନ୍ତି । ସ୍କୁଲ ତରଫରୁ ବହି ଆଉ ୟୁନିଫର୍ମ ବି ବିନା ମୂଲ୍ୟ ରେ ଯୋଗେଇ ଦିଆ ଯାଉଛି । ସୁଲଗ୍ନା ହେଲେ ସେ ସ୍କୁଲର ମାଷ୍ଟ୍ରାଣୀ । ୩ ବର୍ଷ ହେଲା ଗାଁରେ କେହି ଜଣେ ବି ଋଣ ଭାରରେ ବୁଡି ନାହାନ୍ତି । ସତ୍ୟ ବାବୁ ସମସ୍ତଙ୍କୁ ବିନା ସୁଧରେ ପଇସା ଦିଅନ୍ତି ଆଉ ଅମଳ ପରେ ସେମାନେ ସତ୍ୟ ବାବୁଙ୍କୁ ପଇସା ଫେରାନ୍ତି ।


ଆହୁରି ବି ସତ୍ୟ ଏବେ ଗାଁରେ ଗୋଟେ ଫାର୍ମ ଭିଲା ହୋଟେଲ ଖୋଲିଛି । ଯେଉଁଠି ଲୋକମାନେ ରହିବା ସହ ନିଜେ ବନିସୀ ପକେଇ ମାଛ ଧରି ପାରିବେ । ନିଜେ ନିଜେ ଜମିରୁ ପନିପରିବା ତୋଳି ରୋଷେଇ କରି ପାରିବେ । ନଡ଼ିଆ ଆଉ ଆମ୍ବ ତୋଳି ଖାଇ ପାରିବେ ଆଉ ଚାହିଁଲେ ପୋଖରୀ ମଝିରେ ସନ୍ଧ୍ୟାରେ କ୍ୟାମ୍ପ ଫାଇଆର କରି ମଉଜ ମଜଲିଶ କରି ପାରିବେ । ସତ୍ୟର ଏବେର ରୋଜଗାର ବର୍ଷକୁ ୩୬ ଲକ୍ଷ ଟଙ୍କା ।


ସେଦିନ ସନ୍ଧ୍ୟାରେ ଦିହେଁ ଏକାଠି ବସି, ଛୋଟ ବେଳେ ସାହିତ୍ୟ ବହିରେ ପଢିଥିବା ଗୀତ "ଚାଷ ଅଛି ଯାହାର, କି ଆନନ୍ଦ ତାହାର"କୁ ମନେ ପକାଉ ଥିଲେ ...

ମୁଁ ଗଲି ଯେ ମୋ ସହ କଥା ହେଲେ ନାହିଁ,


ମୁଁ ବି ମୁହଁ ମୋଡି ପଳେଇ ଆସିଲି...ଯା’.. ମ... ଭାରି ଗୋଟେ ….।


---xx---

ସୁବଳ ମହାପାତ୍ର

ଖଲାରୀ, ଅନୁଗୁଳ, ଓଡିଶା

ଦୂରଭାଷ - ୯୩୭୬୦୧୨୫୦୦

ଇମେଲ - subal.mohapatra@gmail.com


Rate this content
Log in

Similar oriya story from Inspirational