Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସତ୍ୟ ବଞ୍ଚିଛି
ସତ୍ୟ ବଞ୍ଚିଛି
★★★★★

© ଗଗନ ବିହାରୀ ନାୟକ

Inspirational Tragedy

10 Minutes   2.6K    16


Content Ranking

ଗଗନ ବିହାରୀ ନାୟକ

ସତ୍ୟକୁ ଦେଖିଛ । ଦେଖିଛ ତା’ ଚେହେରା । ଚିହ୍ନିଚ ସତ୍ୟକୁ....ଜାଣିଛ ସେ କିଏ ? ମୋତେ ଦୟାକରି ତା’ ଠିକଣା ଦିଅନ୍ତୁ ବାବୁ । ମୁଁ ତାକୁ ହିଁ ଖୋଜୁଛି । ବର୍ଷ ବର୍ଷ ଧରି ଉଜାଗରେ ରହି ମୁଁ’ ଖୋଜୁଛି ସତ୍ୟକୁ । ମା’ ହୋଇ କିମିତି ଏତେ ବଡ ଭେଣ୍ଡିଆ ପୁଅଟାକୁ ଭୁଲିବି କହିଲ । ମୋ’ ମନ ଭିତର ତା’ ସୁନ୍ଦର ଗୋଲଗାଲ ଛବିଟା ଉଙ୍କି ମାରୁଚି । ସେ’ ଅଛି- ହଁ, ମୋ’ ମନ କହୁଛି ସେ’ ଏଇଠି ଅଛି । ତୁମ ପାଖରେ ମୋ ପାଖରେ....ଆସନ୍ତୁ ଖୋଜିବା ସତ୍ୟ କେଉଁଠି ଅଛି । ଏତେ ଭଲ ଲୋକ ଥାଉ ଥାଉ ସତ୍ୟର ସନ୍ଧାନ କେହି ପାଇଲ ନାହିଁ ଯେ’ ସତ୍ୟ ହଜିଗଲା.....। ଯା- ଯା- ହଜି ଯା । ତୁ ହଜିଲେ ସିନା ମୁଁ ଖୋଜିବି । ହେଲେ ଏତେ ବଡ ଦୁନିଆଁ… ମୁଁ ଏକାକୀ କେତେ ଯଶୋଦା ପରି ଖୋଜିବି । କୋଇଲି ମୁଁ ଖଣ୍ଡ କ୍ଷୀର ଦେବିଲୋ କାହାକୁ ...ଖାଇବାର ପୁତ୍ର ଗଲା ....... ହିଃ –ହିଃ- ମଥୁରା ପୁରକୁ ଲୋ – କୋଇଲି .... ।

ଠୋ –ଠୋ- ହୋଇ ହସି ଉଠିଲା ପାଗଳୀଟି । ହାତରେ ଧରିଥିବା ଟୁକୁଡା ଖବର କାଗଜଟିକୁ ଧରି ଜନାକୀର୍ଣ୍ଣ ରାଜ ରାସ୍ତାର ସମସ୍ତଙ୍କ ପାଖରେ ଅଳି କରୁଥିଲା, ସତ୍ୟକୁ ଖୋଜିବା ପାଇଁ । ଯେଉଁ ଟୁକୁଡା ଖବର କାଗଜରେ ଲେଖା ଥିଲା କେଉଁ ଏକ ଅର୍ଦ୍ଧଲେଖା ଶିରୋନାମାର ଶେଷ ଦୁଇ ଶବ୍ଦ-ସତ୍ୟ ହଜିଛି ।

ସତ୍ୟ ସହିତ ପାଗଳୀର ସମ୍ପର୍କ କ’ଣ ମା’ ଓ ପୁଅର ହେଇପାରେ ? କିମ୍ବା ହେଇପାରେ କେଉଁ ଏକ ଅର୍ଦ୍ଧଲେଖା ଟୁକୁଡା କାଗଜରୁ ପଢି ପାଗଳୀ ପାଲଟି ଯାଇଥିବା ଏଇ ମହିଳାଟିର ମାନସିକ ବିକୃତି ହେଇ ଯାଇଛି । ମା’ ସିଏ କେମିତି ସହିବ ପୁଅର ବିଚ୍ଛେଦ । ସେଦିନ ଶାରୀପୁତ୍ତ ବିଚ୍ଛେଦରେ ଭାଙ୍ଗି ପଡିଥିବା ମା’ ଶାରୀର ସେଇ ମମତା ଭରା ଆଖି ଅନେଇଁ ରଖିଥିଲା କେତେ ଉନିଦ୍ର ପୁନେଇଁର ରାତିକୁ । ଅଫେରା ଶାରି ପୁତ୍ତ-। ମାତୃତ୍ଵର ବିଦୀର୍ଣ୍ଣ ହୃଦୟ ଭିତରେ ସେ ଖୋଜୁଛି ତା’ର ପ୍ରେମର ସନ୍ତକ ପୁତ୍ତକୁ । ବାରମ୍ବାର ପ୍ରଶ୍ନ କରି ଚାଲିଥିଲା ଗୌତମ ବୁଦ୍ଧଙ୍କୁ –। ଫେରେଇ ଦିଅ, ମୋ ଏକମାତ୍ର ପୁତ୍ତକୁ। ମୁଁ ଭିକ୍ଷୁ ବେଶ ନୁହେଁ ତା’ ବର ବେଶ ଦେଖିବାର ପ୍ରୟାସ । ସେ ଜାଣି ପାରି ନ ଥିଲେ ବୁଦ୍ଧ,ଧର୍ମ ଓ ସଂଘର ଅର୍ଥ । ସବୁ ନିରର୍ଥକ ପାଲଟି ଯାଇଥିଲା କେବଳ ମା’ ର ହୃଦୟରେ ଥିବା ପ୍ରଗାଢ ବାତ୍ସଲ୍ୟ-ମମତା ଆଗରେ । ଠିକ ଆଜି ପାଗଳୀଟି ସେଇ ଅବସ୍ଥାରେ । କେହି ଜଣେ ଦେଖୁଛନ୍ତି ଦୂରରୁ ଏ ଦୃଶ୍ୟ । ସେ ଆସି ଠିଆ ହେଇ ଉଇଁ ଆସୁଥିବା ସକାଳର ଦୀପ୍ତିମନ୍ତ ସୂର୍ଯ୍ୟ ଆଡକୁ ହାତ ଦେଖେଇ ଦେଇ କହିଲେ- ନା, ସତ୍ୟ ହଜି ନାହିଁ । ସତ୍ୟର ଆରମ୍ଭ ମାତ୍ର । ସତ୍ୟ ଏଇତ ଆସୁଛି । ନିତ୍ୟ ଶୁଦ୍ଧ- ଚିରାଭାସ ନିର୍ବିକାର ନିରଞ୍ଜନ....ରୂପ ରେଖ ଉର୍ଦ୍ଧେ ସେ । ନିର୍ଗୁଣ-ନିର୍ବିକାର । ସତ୍ୟର ପ୍ରତୀକ ସେ । ଚାହିଁଲା ପାଗଳୀ । ନିରାନନ୍ଦ,ନିଷ୍ପ୍ରଭ ମୁହଁରେ ପଡିଥିବା ଉଲୁରା କେଶକୁ ଦୁଇ ଚକ୍ଷୁରୁ ଆବେଗ ଭରା ମନରେ ଆଡେଇ ପାଗଳୀ ଚାହିଁଲା ପୂର୍ବକୁ । ସକାଳର ଆୟମାରଂଭ ମାତ୍ର.....। ଲାଲିମାରେ ଉଦଭାସିତ ପୂର୍ବାକାଶେ ଅସତ୍ୟର କଳା ପରଦା ଅପସାରି ଉଇଁ ଆସୁଥିଲେ ସତ୍ୟ,ଶିବ,ସୁନ୍ଦରର ବାର୍ତ୍ତାବହ । ସତ୍ୟର ପରି ପ୍ରକାଶମାନ-ସୂର୍ଯ୍ୟ । ପୁନଶ୍ଚ ପାଗଳୀର ସେଇ ଅବୁଝା ପ୍ରଶ୍ନ – ଏଇ ତେବେ କହି ପାରିବ ମୋ’ ପୁଅର ଠିକଣା । ଦେଇ ପାରିବ ମୋ ପୁଅକୁ ଫେରେଇ । ମନର ଉଦ୍ରେକକୁ ଆକଟ କରି ପାରି ନ ଥିଲା ସେ’, ଯାଉ ଯାଉ ଅଟକି ଗଲା ନିମିଷକ ପାଇଁ । ଜନ-ଗହଳି ଭିତରୁ ଶୁଭୁଥିଲା ସତ୍ୟ ଫେରି ଆସିଛି । ସତ୍ୟ ବିଜୟର ଟୀକା ପିନ୍ଧି ଫେରି ଆସିଛି ମା’ କୋଳକୁ ଆଉ ସେଇ ମା’ ଆଜି ଖୋଜୁଛନ୍ତି ସେଇ ସତ୍ୟକୁ ଯିଏ ସତ୍ୟକୁ ଜନ୍ମ ଦେଇ ପାଗଳୀ ପାଲଟି ଯାଆନ୍ତି । ନିରୀହ ସତ୍ୟମାନେ ହଜି ଯାଆନ୍ତି ମା’ ମାଟିର ସମ୍ମାନ ରକ୍ଷା ପାଇଁ ଶତ୍ରୁ ମାନଙ୍କର ଷଡଯନ୍ତ୍ରର ଚକ୍ରବ୍ୟୁହ ଭିତରେ । କେତେକେ ନିରୀହ ଅଭିମନ୍ୟୁ ଭଳି ଯୁଦ୍ଧ କ୍ଷେତ୍ରରେ ଟଳି ପଡନ୍ତି ତ କେହି କେହି କେତେ ଊତାରାର ଜୀବନ ଯୌବନକୁ ବିପନ୍ନ ଓ ରୂପକୁ ବିବର୍ଣ୍ଣ କରି ସଜେଇ ଦିଅନ୍ତି ସଦ୍ୟ ବୈଧବ୍ୟ ନାରୀ ।

ଜନ୍ମମାଟିର ,ପିତା ମାତାର, ବଂଶ ପରମ୍ପରାର ଓ ଆଭିଜାତ୍ୟର ସ୍ଵାଭିମାନ ରକ୍ଷା ପାଇଁ, ଡେଇଁ ପଡେ ସୁରକ୍ଷାର ଗୁରୁ ଦାୟିତ୍ଵ ନେଇ ଯୁଦ୍ଧ କ୍ଷେତ୍ରକୁ । ଯୁଦ୍ଧ କରୁ କରୁ ହଜି ଯାଏ ଜୀବନ ଦୀପିକା ଅସହାୟ ଅଭିମନ୍ୟୁ ହେଇ । କେହି କେହି ମହାଭାରତର ଲକ୍ଷ୍ମଣ କୁମାର ପରି ଶରୀରର ଶେଷ ରକ୍ତ ଝରିବା ପର୍ଯ୍ୟନ୍ତ ଚାହିଁ ରହି ଥାଆନ୍ତି ପିତାଙ୍କ ଶେଷ ସେବା ପାଇଁ । ପିତାଙ୍କୁ ରକ୍ତ ନଦୀ ପାର କରି ଚିର ନିଦ୍ରାରେ ଶୋଇ ଯାଇ ପରମ ତୃପ୍ତି ଅନୁଭବ କରି ଥାଆନ୍ତି । ଏଇ ସେଇ ସତ୍ୟମାନେ । ମରି ବି ଆମର ଶହୀଦ ବୀର । ଏଇ ସତ୍ୟ ହଜିବ କେମିତି । ଏକ ଅଦୃଶ୍ୟ ଆତତାୟୀର ଗୁଳି କେବେ ବିଦ୍ଧ କରି ପାରେ ଛାତି । ନା, ସେ ଆମର । ସେ ଅମର ଜବାନ ଜ୍ୟୋତି ଭିତରେ ଚିର ଆମର ।

ଜନ ଗହଳି ଭିତରକୁ ଠେଲିକି ଯାଉଥିବା ପାଗଳୀ ମା’କୁ କେହି ଜଣେ କହିଲା- କାହିଁକି ଆସୁଛ । କ’ଣ ଦେଖିବ । ପାଗଳୀର ସେଇ ଗୋଟିଏ କଥା –ମୋ’ ସତ୍ୟ ଆସିଛି । କାହିଁ, ସେ । କାହିଁ ସେ ସତ୍ୟ । ରାମ ନାମ ସତ୍ୟର ଗୁଞ୍ଜରଣ ଭିତରେ ସତ୍ୟ ହସୁଥିଲା । କହୁଥିଲା ଯେମିତି ଗୋଟି ଏ ମୁଣ୍ଡ ବିନିମୟରେ ସେ ଆଣି ଭେଟି ଦେଇଛି ମା’ ମାଟି ପାଦ ତଳେ ଦଶ ଦଶଟା ମୁଣ୍ଡ । ସେ’ ପରମ ବୀର ...ସେ’ ଶୌର୍ଯ୍ୟ ଚକ୍ରର ଅଧିକାରୀ । ସେ’ ହିଁ ସତ୍ୟ..। ସେ’ ପାଇବ ଏ ବର୍ଷ ହସ ଉଲ୍ଲାସ ବିଜୟ ଦିବସରେ ଜୟ ହିନ୍ଦ-ଗୀତ ମୂର୍ଚ୍ଛନା ତାଳେ ତାଳେ ସମସ୍ତଙ୍କ ହୃଦୟର ଗଭୀର ତମ ପ୍ରଦେଶରେ ନାଚି ନାଚି ହସି ହସି, ଦେଶ ସ୍ଵାଧୀନତା ଦିବସରେ-ବୀର ସହୀଦ ପରମ ବୀର ଶୌର୍ଯ୍ୟ ଚକ୍ର ।

ଆଖି ଆଗରେ ବିଶାଳ ଜନ ସମୁଦ୍ରର ଲହରୀରେ ଲହରାୟିତ ଏକ ସୁସଜ୍ଜିତ ପରିପାଟୀର ଯାନ୍ତ୍ରିକ ଯାନରେ ପଡିଥିଲା ଭାରତ ମାତାର ପ୍ରିୟ ମମତାର ପଣତକାନୀ ତ୍ରିରଙ୍ଗା- । ପୁଷ୍ପଗୁଚ୍ଛ ସୁଗନ୍ଧିତ ଶର୍ଯ୍ୟାରେ ଶୋଇଥିଲା- କେହି ଜଣେ ମା’ ର ବୀର ପୁତ୍ର । ହେଇ ପାରେ ସେଇ ସତ୍ୟ.... । ସିଏ ହେଇ ପାରେ ଏଇଭଳି ପାଗଳୀ ମା’ର ପୁତ୍ର । ଯିଏ ନିଜର ରକ୍ତକୁ ଟେକି ଦେଇ ଦେଶ ମାତୃକାର ସମ୍ମାନାର୍ଥେ ପାଲଟି ଯାଏ ଏଇମିତି ପାଗଳୀ । କହି ବୁଲେ ମୋ ଠାରୁ ମୋ ଦେଶ ମହାନ ।

ପାଗଳୀଟି କହୁଥିଲା -ହଁ, ହଁ, ଏଇ ମୋର ପ୍ରିୟ ପୁତ୍ର ସତ୍ୟ । ଆଜି ଫେରି ଆସିଛି । ହେଲେ ଏତେ ଲୋକ ତାର ଜୟ ଜୟକାର କରୁଛନ୍ତି କାହିଁକି ? ସତ୍ୟର ବାତାବରଣ ଭିତରେ ସତ୍ୟ ମୋର-ଏତେ ବଡ ସାଜ ସଜ୍ଜା ପଟୁଆରର ପୁଆର ନେଇ ଆସିଛି ।ମୋ ପୁଅଟା ବହୁତ ବଡ ଲୋକଟା- । ଏତେ ବଡ ବୀର ପୁତ୍ରର ମା’ ମୁଁ ହେଇପାରି କେମିତି । ତା’ର ମା’ ଏ ଦେଶର ସମସ୍ତେ । ତା’ର ମାତ ଏଇ ସାରା ଭାରତ । ଏଇ ବିଶ୍ଵ ଜଗତ । ଯିଏ ସତ୍ୟକୁ ସ୍ଥାପନା ପାଇଁ ଜୀବନକୁ ବାଜି ଲଗେଇ ଲଢି ଥାଏ । ଯିଏ ନିଜ ଜୀବନକୁ ବାଜି ଲଗେଇ ଶତ ଶତ ପାଗଳୀ ମା’ର ସମ୍ମାନ ରଖିଥାଏ । ସିଏ କେବେ ଗୋଟିଏ ମା’ର ସନ୍ତାନ ନୁହେଁ । ସେ ଶତ ଶତ ମମତା ବତ୍ସଳା ମା’ଙ୍କ ସନ୍ତାନ । ସେମାନେ ମରି ନାହାନ୍ତି । ସେଇମାନଙ୍କ ଭିତରେ ମୋ’ ସତ୍ୟ ବଞ୍ଚିଛି । ଜୀବନ ଯୁଦ୍ଧରେ ଜିତିଛି । ମୁଁ ତା’ର ମା’ ହେଇ ଗର୍ବ ଅନୁଭବ କରୁଛି । କହି କହି ଟଳି ପଡିଲା ପାଗଳୀଟି । ସତ୍ୟର ସନ୍ଧାନରେ ମା, ସତ୍ୟକୁ ହଜେଇ, ଖୋଜିବାକୁ ସ୍ଵର୍ଗାରୋହଣ କଲେ । ଦେଖଣାହାରୀ ଭିତରୁ ଜଣେ ସାମ୍ବାଦିକ ଆସି କହୁଥିଲେ-ଏଇ ସେଇ ମା’ ଯିଏ ଏକମାତ୍ର ପୁତ୍ରକୁ ଦେଶ ମାତୃକା ସେବାରେ ଟେକି ଦେଇ ପାଲଟି ଯାଇଥିଲା ପାଗଳୀ । ଆଜି ପୁଅର ବୀର ଗତି ପ୍ରାପ୍ତ ପରେ, ବରି ନେଲେ ଶେଷ ଇଚ୍ଛା ମୃତ୍ୟୁ । ସତ୍ୟର ଶେଷ ଦର୍ଶନ ପାଇଁ ପ୍ରତିକ୍ଷିତ ଜନସମାଗମ ଭିତରୁ କେହି ଜଣେ କହୁଥିଲେ – ସତ୍ୟଙ୍କ ବଳିଦାନରେ ସମସ୍ତ ସୈନିକ ସରକାରୀ ପ୍ରାପ୍ୟ, ସେ ଦାନ କରି ଦେଇଛନ୍ତି ତାଙ୍କ ପ୍ରିୟ ଗାଁର କଲ୍ୟାଣ ଉଦ୍ଦେଶ୍ୟରେ । ପାଇବେ ଗାଁ’ର ମୁଖିଆ । ପାଳିବେ ତାଙ୍କ ବଳିଦାନର ଦିବସ । ତାଙ୍କ ସ୍ମୃତିର ଫଳକ ମୂର୍ତ୍ତିଟିଏ ଗାଁ’ର ଶେଷ ସୀମାନ୍ତରେ ଗଢା ଯାଇ ଥିଲା । ସୀମାନ୍ତର ଜାଗ୍ରତ ପ୍ରହରୀ ସତ୍ୟ । ଗାଁ’ ର ସୀମାନ୍ତରେ ପୂଜ୍ୟ ପୂଜା ହେଇ ସମସ୍ତଙ୍କ ଶ୍ରଦ୍ଧାଞ୍ଜଳୀ ହସି ହସି ଗ୍ରହଣ କରୁଥିଲେ । ସମସ୍ତେ ଅନୁଭବ କରୁଥିଲେ ସତ୍ୟ ହଜିନି । ସତ୍ୟ ବଞ୍ଚିଛି ।

ବିଡିଏ॰କଲୋନୀ,ଚନ୍ଦ୍ରଶେଖର ପୁର, ଭୁବନେଶ୍ଵର-୧୬

ଦୂରଭାଷ -୯୪୩୯୬୫୪୨୩୯

ସତ୍ୟ ପୁଅ ବଞ୍ଚିଛି

Rate the content


Originality
Flow
Language
Cover design

Comments

Post

Some text some message..