✿ ଜଗା ✿
✿ ଜଗା ✿
✿ ଜଗା ✿
{୧}
ବାପାଙ୍କ ପାଇଁ ଜଗା ବଡ । ମୋ'ପାଇଁ ତ ମୋ' ବାପା ହିଁ ଜଗନ୍ନାଥ ।
ସେ ଇଚ୍ଛାମୟ ଜଗତର ନାଥ ସର୍ବମୟ ଇଶ୍ଵର । ତାଙ୍କ ଇଚ୍ଛା ବିନା
ପ୍ରିୟଭକ୍ତଟିଏ ଦର୍ଶନ ଲଭେନି । ଡୋରୀ ଲଗାଏ କାଳିଆ ।
ବଳକାଙ୍କ ପାଇଁ କଣ୍ଟ ଦିଏ , ବର୍ଷକୁ ଥରୁଟିଏ ଆସିବି ଦାଣ୍ଡକୁ । ସେବେଯାଏଁ
ଅପେକ୍ଷାରେ ରୁହ ।
ଓଃ ! ବଡଠାକୁର ବୋଲି କି' ଅହଂକାର ?
{୨}
ବାପା କହିଥିଲେ -
- ଜଗା ଯୋଗୁଁ ସମ୍ଭବ ହେଇଛି ଏ ପରିବାରର କଳେବର । ନ'ହେଲେ
ଦିନଥିଲା , ଆମ ଘରର ଛାତରୁ ଦିଶୁଥିଲା ଚାନ୍ଦ ତାରା । ତା'ର କୃପା ବିନା
ଆମେ ଅସାର । ସେ ଭରିଦେଲା ଦୁର୍ବଳ ଦେହରେ ଏତେ ବାହୁବଳ ।
ତା'ଦେଖା ପଥରେ ଚାଲିଚାଲି ଆଜି ତୁମମାନଙ୍କୁ ଏସ୍ଥାନରେ ପହଁଚାଇଛି ।
ଚାଲଥରେ ତାକୁ ସପରିବାର ଦେଖିଆସିବା । ସପରିବାର ଜଗନ୍ନାଥ ଦର୍ଶନରେ ପୂଣ୍ୟ ଭିନ୍ନ । କିଏ ଜାଣେ କେବେ ବେଳ ଆସିଯିବ ! ଚାଲଥରେ ଦେଖିଆସିବା ଜଗାକୁ । ଆମକୁ ଏକାସାଙ୍ଗେ ଦେଖି ସେ ବି ଖୁସି ହେବ ।
ବାପାଙ୍କ ଅଗାଧ ଭରସା ବଡଠାକୁରଙ୍କ ଉପରେ । ଯୋଜନା ବନିଲା ପୁରୀକୁ ।
{୩}
ଦୁର୍ଘଟଣାଟେ ଦୁର୍ଘଟଣାବଶତଃ ଘଟିଥାଏ । ଏଇ ପୁରୀ ଯିବା ରାସ୍ତାରେ ପ୍ରତ୍ୟହ କିଛିଲୋକ ମୋକ୍ଷ ପାଇଯାନ୍ତି । କିଛି କାଳିଆ ଦର୍ଶନ କରିସାରି ତ କିଛି ଅଧୁରା ରଖି । ଭକ୍ତ ଏହାକୁ ବି ଲୀଳା ମନେକରି ସହିନଅନ୍ତି । ମୁଁ କିନ୍ତୁ ସହି ପାରୁନଥିଲି । ବାପା ହେଲେ ରହିଯାଇଥାନ୍ତେ ! ଖିନ୍ ଭିନ୍ ହୋଇ ଯାଇଥିଲା ଆମ ସଂସାର । ଅଧାରେ ରହିଗଲା ଜଗା ଦର୍ଶନ । ମୁଁ
ଅନାଥ ଯାହା ବଂଚିଗଲି । ମୋ' ଚାରିପାଖେ ଖାଲି ଘନଘୋର ଅନ୍ଧାର ।
ବାପା ମୁହୂର୍ତ୍ତେ ବି କାଳିଆ ସ୍ମରଣ ବ୍ୟତିରକେ ରହୁନଥିଲେ ! ଆଉ କି ବିଶ୍ଵାସ ? ଧିକ୍ ତୋ' ବଡପଣିଆ । ସେଇଦିନୁ ଏକ ଅବିଶ୍ୱାସର ଦୁବ ମୋ'
ଭିତରେ ଜନ୍ମ ନେଇ ଏବେ ମହାଦ୍ରୁମ ପାଲଟି ଯାଇଥିଲା । ସବୁ ଇଶ୍ୱରଙ୍କଠୁଁ ଭରସା ତୁଟି ଯାଇଥିଲା ।
ଅବଶୋଶ ଏତିକି ଯେ , ବାପାଙ୍କ କାଳିଆ ଦର୍ଶନ ଅଧୁରା ରହିଗଲା !
{୪}
ନିୟତି ନାସ୍ତିକକୁ ବି ହୋମକୁଣ୍ଡରେ ଛିଡ଼ା କରିଦିଏ । ମୋ'ର ଏବର୍ଷ
ରଥଯାତ୍ରା ଡ୍ୟୁଟି ପଡିଲା ପୁରୀରେ । ମନରେ ଲକ୍ଷେ ଅଭିମାନ ନେଇ
କାମରେ ଯୋଗଦେଲି । ବାପାଙ୍କ କଥା ଖୁବ୍ ମନେପଡ଼ୁଥିଲା ।
ମନେପଡୁଥିଲା ତାଙ୍କର ଅଧୁରା ଦର୍ଶନ !
କେଇବର୍ଷ ହେଲାଣି , ରଥଚଢାକୁ ନେଇ ଭାରି ସ୍ପର୍ଶକାତର ହୋଇ ପଡିଛି
ଏଇ ଘୋଷଯାତ୍ରା । ଗୁରୁଦାୟିତ୍ୱ । ତୁମେ ନାସ୍ତିକ କି ଆସ୍ତିକ ହୁଅ ରାଜକାର୍ଯ୍ୟ ,
ସତର୍କ ହୋଇ କରିବାକୁ ଈ' ହେବ ।
ପହଣ୍ଡି ଆରମ୍ଭ ହୋଇଯାଇଥିଲା । ଭିଡ଼ କ୍ରମଶଃ ଅନିୟନ୍ତ୍ରିତ ହେଉଥିଲା ।
ବାପା ଆଉରି ମନେପଡୁଥିଲେ । ଥାଆନ୍ତେ କି ଏଇ ସମୟରେ । ତାଙ୍କ ପ୍ରିୟ
ଠାକୁରଙ୍କୁ ସୁବିଧାରେ ଟିକେ ଦେଖିନେଇଥାନ୍ତେ !
ଜଗା ଆସୁଛି ଦୋହଲି ଦୋହଲି । ମାନବ ସମୁଦ୍ର ଲହଡି ପିଟୁଛି ଟିକେ
ପାଖରେ ଦେଖିବାକୁ , ଛୁଇଁ ନେବାକୁ । ଭକ୍ତ ଭଗବାନଙ୍କ ଅପୂର୍ବ ମିଳନ
ସବୁ । ମାଉସୀ ମା' ଘରକୁ ଯିବା ତ ବାହାନା ମାତ୍ର । ଲୀଳାମୟ ତ ଏଠି
ଅସାଧାରଣରୁ ଅତିସାଧାରଣ ହୋଇ ସର୍ବଧର୍ମ ନିର୍ବିଶେଷରେ ବଡଦାଣ୍ଡରେ !
ଆଃ ! ବାପା , ଥାନ୍ତକି ଏବେ ମୋ ସଙ୍ଗେ ।
{୫}
ମୁଁ ନାସ୍ତିକ । ମୁଁ ଅବିଶ୍ୱାସୀ । ମୁଁ ବିଧର୍ମୀ ।
ଆଡକରି ଟିକେ ମୁଣ୍ଡ ଉଠାଇ ଜଗାକୁ ଚାହିଁଲି । କହିବାକୁ ଏୟା ଯେ କଣ
ପାଇଲୁ ମୋତେ ଅନାଥ କରି ? କି' ଖୁସି ତୋର ତୋ' ପାଖକୁ ଛୁଟିଆସୁଥିବା
ଭକ୍ତର ଜୀବନ ନେଇ ?
ଆଖିରେ ଆଖି ମିଶିଲା ମୋର । ମୁଁ ମୋ' ରାଜକାର୍ଯ୍ୟ
ଭୁଲିଯାଇଥିଲି । ଲୁହ
ଅଟକୁ ନ ଥିଲା ଆଖିରେ । ଧାରଧାର ହୋଇ ଧୋଇପକାଉଥିଲା ମୋ
ବର୍ଷବର୍ଷର ଅବିଶ୍ୱାସକୁ । ଆପଣାଛାଏଁ ଟାଣି ହୋଇଯାଉଥିଲି ଜଗା ଆଡକୁ ।
କଣ ହେଉଛି ମୋ ସହ ? କାହିଁକି ଦୁର୍ବଳ ହୋଇପଡ଼ୁଛି ଏଇ ନିଷ୍ଠୁର ଦେବତା
ପାଖେ ? କୁଆଡ଼ୁ ଆସୁଛି ମୋ ଆଖିରେ ଏତେ ଲୁହ ସବୁ ?
ଭୁଲିଯାଇଥିଲି । ସେ ଭୟଙ୍କର ଦୁର୍ଘଟଣାରେ ମୋ' ଦୁନିଆଁ ତ ଘନଘୋର
ଅନ୍ଧାର ହୋଇସାରିଥିଲା । ବାପାଙ୍କ ଆଖି ଏ ଦୁଇଟି । ଯାହା ଯୋଗୁଁ ଆଲୁଅ
ଦେଖିବା ମୋ ପାଇଁ ସମ୍ଭବ ହେଉଛି । ଏ ତ ବାପାଙ୍କ ଲୁହ ! ପରମ ଭକ୍ତ
ଆଖିର ଅଶ୍ରୁ । ପ୍ରିୟ ଭଗବାନଙ୍କ ଦର୍ଶନ ମାତ୍ରେ କୋହ ସମ୍ଭାଳି ପାରୁନି ।
ଦେଖନ୍ତୁ , ବାପା ଆଉରି ଦେଖନ୍ତୁ ।
ସବୁଯାକ ଦାୟିତ୍ୱବୋଧକୁ ପଛରେ ପକାଇ ମୁଁ ଭିଡ଼ଠେଲି ପାଖେଇ ଯାଉଥିଲି
କାଳିଆ ପାଖକୁ । ମୋ' ଭିତରେ ବାପାଙ୍କ ସତ୍ତା ଟିଏ ବାଟକାଢି
ନେଇଯାଉଥିଲା ସେୟାଡେ ...!
ଜୟ ଜଗନ୍ନାଥ ।
✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ✿