Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଏକ ଅଲିଭା ସ୍ୱପ୍ନର ଚିତ୍ରପଟ୍ଟ
ଏକ ଅଲିଭା ସ୍ୱପ୍ନର ଚିତ୍ରପଟ୍ଟ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics

8 Minutes   7.5K    18


Content Ranking

ଶଶିଭୂଷଣ ମହାନ୍ତି


ତୁମେ ଦିନେ ଥିଲ ମୋ ସ୍ୱପ୍ନର ପ୍ରେମିକ । ସେଥିରେ ବାସ୍ତବତା କିଛି ନ ଥିଲା ସତ ହେଲେ ମୁଁ ଭାବି ନେଇଥିଲି ତୁମେ ମୋ ଜୀବନର ପ୍ରଥମ ପ୍ରିୟ ପୁରୁଷ ଯାହାକୁ ମୁଁ ଏତେ ନିବିଡ଼ ଭାବେ ପ୍ରେମ କରୁଛି । ଏହାର ଏକ ମାତ୍ର କାରଣ ହେଉଛି ତୁମ ଦ୍ୱାରା ରଚିତ ଉପନ୍ୟାସ ଓ ପ୍ରେମ ଗଳ୍ପଗୁଡ଼ିକ ପାଇଁ । ଭାବୁଥିଲି ଉପନ୍ୟାସ ଓ ଗଳ୍ପ ଗୁଡ଼ିକୁ ପଢ଼ି ଏତେ ମୋର ଗୋପନ ତୃପ୍ତି ହେଉଛି, ତା’ର ସ୍ରଷ୍ଟା ଯେତେବେଳେ ମୋର ହୋଇ ଯିବେ ବାସ୍ତବରେ କେତେ ଯେ ତୃପ୍ତି ନ ମିଳିବ ତା’ର କଳ୍ପନା କରିବା କଷ୍ଟ ସାଧ୍ୟ ! କଲେଜରେ ପ୍ରଥମ କରି ପାଦ ଦେଲା ପରେ ଥରେ ମୋର ଘନିଷ୍ଠ ବାନ୍ଧବୀ ଅନୁରାଧା ତୁମ ଲେଖାର ଗୋଟିଏ ଉପନ୍ୟାସ ମୋତେ ପଢ଼ିବା ପାଇଁ ଦେଇଥିଲା । ଶୁଣିଥିଲି ଏବଂ ଅନେକଙ୍କ ଧାରଣା ଥିଲା, ଉପନ୍ୟାସ ପଢ଼ିଲେ ଅବିବାହିତ ପୁଅଝିଅମାନେ କାଳେ ଅବାଟରେ ଚାଲଯାଆନ୍ତି । ତଥାପି ମୁଁ ତୁମର ସେହି ଉପନ୍ୟାସଗୁଡ଼ିକୁ ପଢ଼ିଥିଲୁ ଓ ବୁଝିପାରିଥିଲି ତା’ର ପ୍ରକୃତ ଅର୍ଥ । ତା’ ପରଠାରୁ ମୁଁ ହୋଇଯାଇଥିଲି ତୁମ ଉପନ୍ୟାସ ଓ ପ୍ରେମଗଳ୍ପଗୁଡ଼ିକର ଜଣେ ନିୟମିତ ପାଠିକା । ବହୁଦିନ ପରେ ଏବେ ଥରେ ତୁମର ଏକ ଚହଳ ସୃଷ୍ଟି କରିଥିବା ଉପନ୍ୟାସକୁ ପଢ଼ାଘରେ କବାଟ କିଳି ଟେବୁଲ ଲ୍ୟାମ୍ପ ଜଳାଇ ପଢ଼ିଥିଲି । କାରଣ ଅନ୍ୟମାନେ କାଳେ କିଏ ଦେଖିଦେବେ । ପଢ଼ିବା ସମୟରେ କିଛିଟା ଆନନ୍ଦ ସହ ଅପ୍ରକାଶ ଲଜ୍ଜାରେ ମୁଁ ଡୁବି ଯାଇଥିଲି । ପଢ଼ି ସାରିବାର ପରବର୍ତ୍ତୀ ସମୟରେ ମନରେ ମୋର ଅସ୍ଥିରତା ଦେଖା ଦେଇଥିଲା । କାରଣ କ’ଣ କିଛି ଜାଣି ପାରିନଥିଲି । ମୋ ଦେହରେ ଯୌବନ ପ୍ରବେଶ କରିବା ପରଠାରୁ ଏପରିକା ଅସ୍ଥିରତା କେବେ ଅନୁଭବ କରି ନ ଥିଲି । ଭାବିନେଇଥିଲି ବୋଧହୁଏ ଏହା ତୁମର ସେହି ଉପନ୍ୟାସ ପଢ଼ିବାର ଫଳ ।

ଯାହହେଉ ତୁମର ପ୍ରତ୍ୟେକ ଉପନ୍ୟାସ ହେଉ ବା ଗଳ୍ପ ହେଉ ସବୁଥିରେ ନାରୀ ଚରିତ୍ରକୁ ତୁମେ ମର୍ଯ୍ୟାଦା ଦେଇଆସିଛ । ସେ ସବୁ ଲେଖାରେ ତୁମେ ଲେଖିଥିବା ନାରୀ ଜୀବନର ସୁଖ ଦୁଃଖ ମିଶା କାହାଣୀ ମୋତେ ବହୁତ ପ୍ରଭାବିତ କରିଥାଏ ସତ, ହେଲେ ନାରୀ ରୂପକୁ ତୁମେ ଏପରି ଭାବରେ ବର୍ଣ୍ଣିତ କରିଥାଅ ଯେ, ମୁଁ କଳ୍ପନା କରିପାରେନା । ଭାବେ ସତରେ ନାରୀ କ’ଣ ଏତେ ସୁନ୍ଦର ? ତୁମର ଗୋଟିଏ ଉପନ୍ୟାସରେ ତୁମେ ଉପନ୍ୟାସର ନାୟିକାର ରୂପକୁ ବର୍ଣ୍ଣନା କରିବାକୁ ଯାଇ ଲେଖିଛ -ସେ ଥିଲା ଅତୁଳନୀୟ ରୂପବତୀ । ସତରେ ଏହା କ’ଣ ସତ ? ନା କେବଳ କଳ୍ପନା ? ଆଉ ଥରେ ତୁମ ରଚିତ ଅନ୍ୟ ଏକ ଉପନ୍ୟାସ ସମ୍ପର୍କର ମୁଖବନ୍ଧରେ ତୁମ କଳ୍ପନାର ନାୟିକା ‘ବୀଣା’କୁ ଆବିଷ୍କାର କରିଥିଲି ଏବଂ ସେହି ଉପନ୍ୟାସକୁ ମୁଁ ବହୁବାର ପଢ଼ିଥିଲି କାରଣ ସେ ଉପନ୍ୟାସର ନାୟିକାର ନାମ ‘ବୀଣା’ ଯାହାକି ମୋ ନାମ ଥିଲା । ସେଇ ନାୟିକାର ରୂପକୁ ଏପରି ବର୍ଣ୍ଣନା କରିଛ ଯେ ମୁଁ ଡ୍ରେସିଙ୍ଗ୍‌ ଟେବୁଲର ମିରର୍‌ ଆଗରେ ଠିଆ ହୋଇ ମୋ ପ୍ରତିବିମ୍ବକୁ ବାରମ୍ବାର ନିରିକ୍ଷଣ କରିଛି ହେଲେ ବିଶେଷ ସାମଞ୍ଜସ୍ୟ ଥିଲାଭଳି ଦେଖି ପାରିନଥିଲି । ସେହିପରି ସେହି ଉପନ୍ୟାସର ଆଉ ଏକ ପଂକ୍ତିରେ ବର୍ଣ୍ଣନା କରିଛ- ବୀଣା ! ଯଦି ତୁମକୁ ଶହେ ଜଣ ଝିଅଙ୍କ ଭିତରେ ଠିଆ କରିଦିଆଯାଏ ଏବଂ ମୋର ଦୁଇ ଆଖିକୁ ବନ୍ଦ କରି ଦିଆଯାଏ ତେବେ ମୁଁ ମୋ ମୁଦ୍ରିତ ନୟନରେ ସେମାନଙ୍କ ଶରୀର ଅନାବୃତ ଅଂଶଗୁଡ଼ିକୁ ଛୁଇଁ କହିଦେଇ ପାରିବି ମୋ ବୀଣା କିଏ । ସତରେ ନା ? ମୁଁ ଜାଣିପାରିଲି ନାହିଁ, ତୁମର ସେହି ନାୟିକା ବୀଣା ଦେହର ଅନାବୃତ ଅଂଶ ଗୁଡ଼ିକରେ ଏପରି କ’ଣ ଅଛି ଯେ, ଅନ୍ୟ ଝିଅମାନଙ୍କ ଦେହରେ ତାହା ନାହିଁ ଏବଂ ତୁମେ ସହଜରେ ଚିହ୍ନି ପାରିବ ବୋଲି ଦୃଢୋକ୍ତି କରିଛ ? ପଢ଼ିସାରି ମୁଁ ମୋ ଶରୀର ଅନାବୃତ ଅଂଶଗୁଡ଼ିକୁ ଭଲ ଭାବେ ପରୀକ୍ଷା ନିରୀକ୍ଷା କରିଥିଲି ହେଲେ କିଛି ଜାଣିପାରିନଥିଲି । ତାପରେ ମୁଁ ଭାବି ନେଲି ଯେ, ମୁଁ ତ, ତୁମ ନାୟିକା ବୀଣା ନୁହେଁ । କ’ଣ ଅଛି ଜାଣିବି କିପରି । କେବଳ ତୁମ ଉପନ୍ୟାସ ବହିର ପଛ କଭର୍‌ରେ ଦେଖିବାକୁ ପାଇଛି ତୁମର ଆବକ୍ଷ ଛବି । ହେଲେ ସେଥିରେ ତୁମ ଠିକଣା ନାହିଁ । ତେଣୁ ତୁମକୁ ପାଇବା କେତେ ଯେ କଷ୍ଟ ବେଶ୍‌ ଅନୁମାନ କରିପାରୁଥିବ । ତୁମର ଫଟୋର ଗୋଟିଏ ସ୍କେଚ୍‌ କରି ବ୍ୟାଗ୍‌ରେ ଧରି ବୁଲୁଛି କାଳେ କେଉଁଠି ଦେଖା ହେଲେ ତୁମ ମୁହଁ ସହିତ ମିଳାଇବି ଏବଂ ସବୁ କଥା କହିବି, ହେଲେ ତାହା ମଧ୍ୟ ହେଉନାହିଁ । ମୋ ଆଶା ମୋ ସ୍ୱପ୍ନ କେବେ ବାସ୍ତବ ହେବ, ମୁଁ ମଧ୍ୟ ଜାଣି ପାରୁନି । ଶେଷରେ କହିବାକୁ ଗଲେ ମୁଁ କେବଳ ସମ୍ପୂର୍ଣ୍ଣ ରୂପେ ତୁମ ଲେଖାର ଚିରସ୍ଥାୟୀ ପାଠିକା ହୋଇ ବୋଧହୁଏ ରହିଯିବି ।

ଭଲ ଲେଖକ ହିସାବରେ ନୁହେଁ ବରଂ ପ୍ରେମିକ ହିସାବରେ ବହୁବାର ତୁମେ ମୋ ମନ ଭିତରକୁ ପଶି ଆସିଛ ଏବଂ ସେତେବେଳେ ମୁଁ ଅନୁଭବ କରିଛି ମୋ ମନର ଅସ୍ଥିରତା ଏବଂ ବ୍ୟାକୁଳତା । ସେଥିରୁ ମନକୁ ଟିକେ ପରିବର୍ତ୍ତନ କରିବା ପାଇଁ ଯଦି ମୁଁ ଆମ ଘର ବଗିଚାରେ ଥିବା ଲନ୍‌ରେ ବୁଲେ ସେତେବେଳେ ମନ ପରିବର୍ତ୍ତନ ବଦଳରେ ତୁମେ ବେଶି ମୋ ମନ ଭିତରକୁ ପଶି ଆସ । କାରଣ ଲନ୍‌ରେ ପ୍ରେମିକା ଓ ପ୍ରେମିକଙ୍କର ମଧ୍ୟରେ କଥୋପକଥନକୁ ତୁମେ ତୁମ ଲେଖାସବୁରେ ବେଶ୍‌ ବର୍ଣ୍ଣନା କରିଛ । ହେଲେ ତୁମ ସହିତ ମୋର କଥାବାର୍ତ୍ତା ହୋଇପାରୁନଥିବାରୁ, ଭାବିନିଏ ଏହାବୋଧ ହୁଏ ତୁମ ସହିତ ମୋର ଗୋପନ ପ୍ରଣୟ । ଏବେ ଥରେ ଏପରି ଏକ ଘଟଣା ଘଟିଥିଲା ଶୁଣିଲେ ନିଶ୍ଚୟ ହସିବ । କଥା ହେଉଛି-ମୋର ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତରର ଶେଷ ପରୀକ୍ଷା ସରିଯାଇଥାଏ ତେଣୁ ଆମ ଘରକୁ ମୋ ପାଇଁ ବହୁ ଆଡ଼ୁ ବିବାହ ପ୍ରସ୍ତାବମାନ ଆସୁଥାଏ । ସେହିପରି ମୋ ଭିଣୋଇ ଜିତେନ୍ଦ୍ର ନାଥ ମଧ୍ୟ ଦେଇଥାନ୍ତି ଏକ ପ୍ରସ୍ତାବ ତାଙ୍କର ଜଣେ ସାଙ୍ଗର ସାନ ଭାଇ ସହିତ । ସେଇ ଚିଠିକୁ ପଢ଼ି ଜାଣିବାକୁ ପାଇଲି ତାଙ୍କ ନାମ ତୁମ ନାମ ସହିତ ମିଶି ଯାଉଛି ଅର୍ଥାତ୍‌ ସୌମ୍ୟରଂଜନ ମହାନ୍ତି ଏବଂ ପେଶାରେ ସେ ଜଣେ ଡାକ୍ତର । ତୁମ ନାମ ସହିତ ନାମ ସିନା ମିଶିଯାଇଥିଲା ହେଲେ ତୁମର ପେଶା ସହିତ ମିଶି ନ ଥିଲା ଅର୍ଥାତ୍‌ ସେ ଲେଖକ ନଥିଲେ । ଯାହା ହେଉନା କାହିଁକି ସେ ପ୍ରସ୍ତାବ ମୋତେ କାହିଁକି ଖାପଛଡ଼ା ଖାପଛଡା ଲାଗିଥିଲା । ମୋ ବଡ଼ ଭଉଣୀ ସେଥିରେ ମୋ ପାଖକୁ ଦୁଇ ପଦ ମଧ୍ୟ ଲେଖିଥିଲା - ବୀଣା ! ସେ ଭଲ ପିଲା, ସୁନ୍ଦର ଦେଖିବାକୁ, ଏବେ ଏଠାରେ ଏକ ନର୍ସିଙ୍ଗହୋମ୍‌ରେ ଡାକ୍ତର ଚାକିରି କରୁଛନ୍ତି ଇତ୍ୟାଦି ଇତ୍ୟାଦି । ହେଲେ ଫଟୋ ପଠାଇ ନଥିଲା । ଫଟୋ ଥିଲେ ସିନା ମିଳାଇ ଥାଆନ୍ତି ତୁମ ଫଟୋ ସହିତ । ଯାହାହେଉ ଅପାକୁ ଫୋନ୍‌ କରି କହିଦେଲି ଫଟୋ ପଠାଇବା ପାଇଁ । ପରବର୍ତ୍ତି ସମୟରେ ଫଟୋ ଆସିଥିଲା । ହେଲେ ସେ ଫଟୋ ତୁମର ନ ଥିଲା । ତେଣୁ ମନଟା ଭାଙ୍ଗିଗଲା । ତା’ର ଏକମାତ୍ର କାରଣ ହେଉଛି ମୁଁ ତୁମକୁ ମୋ ମନ ଦେଇ ସାରିଥିଲି । ତେଣୁ ଏପଟ ସେପଟ କହି ସେ ପ୍ରସ୍ତାବରୁ ଛୁଟି ଯାହାହେଉ ନା କାହିଁକି ପ୍ରାୟ ତୁମର ସବୁ ଲେଖାରେ ତୁମେ ନାରୀ ଜୀବନର ବହୁତ ଗୁଡ଼ିଏ ପ୍ରତିବନ୍ଧକ ଉପରେ ଆଲୋକପାତ କରିଛ ଏବଂ ଶେଷରେ ଅତି ସହଜ ଭାବରେ ତା’ର ସମାଧାନ ମଧ୍ୟ କରିଛ । ହେଲେ ତୁମର ଲେଖାର ପାଠିକା ହୋଇ ମୁଁ ଆଜି ଦୂଷିତ ବାତାବରଣ ଭିତରେ ପେଶି ହୋଇ ଶ୍ୱାସରୁଦ୍ଧ ମନେ କରୁଛି । କାରଣ ମୋର ଇପ୍‌ସିତ ପୁରୁଷ ଅର୍ଥାତ୍‌ ତୁମର ଅନୁପସ୍ଥିତି ପାଇଁ । କିଏ କରିବ ଏବଂ କିପରି ହେବ ତା’ର ସମାଧାନ ? ଏପର୍ଯ୍ୟନ୍ତ ତ ତୁମର ପତ୍ତା ମୁଁ ଜାଣି ପାରି ନାହିଁ । ପାଇଗଲି ।

ସବୁ ଝିଅମାନେ ଯେପରି ଚାହାଁନ୍ତି ସେମାନଙ୍କ ସ୍ୱାମୀମାନେ ହୋଇଥାଆନ୍ତୁ ରୂପବାନ ଓ ଗୁଣବାନ । ମୁଁ ମଧ୍ୟ ସେଇଆ ଚାହିଁଥିଲି । ଯାହାକି ତୁମ ପାଖରେ ଭରପୁର ଥିଲା । ତୁମ ଫଟୋ ଅନୁସାରେ ତୁମର ତ ଥିଲା ଅତୁଳନୀୟ ରୂପ । ଯାହାକି ମୋତେ ବହୁତ ଆକୃଷ୍ଟ କରିସାରିଥିଲା । ଆଉ ରହିଲା ପେଶା ଲେଖକ ହିସାବରେ ଶତ ମୁଖରେ ତୁମର ପ୍ରଶଂସା ଶୁଣିଛି । ସେଥିପାଇଁ ତ ତୁମକୁ ତୁମ ଅଜାଣତରେ ମୋ ହୃଦୟରେ ସ୍ଥାନ ଦେଇ ପାଇଥିଲି ଚରମ ତୃପ୍ତି । ହେଲେ ବେଳେ ବେଳେ ଭୟ ଆସେ ମୋ ନିଷ୍ପତ୍ତି ଉପରେ । କାରଣ ମୁଁ ଜାଣେ ନାହିଁ ତୁମେ ବିବାହିତ କି ନା । ଜାଣେ ନାହିଁ ତୁମର ବୟସ ଇତ୍ୟାଦି ଇତ୍ୟାଦି । ଯାହା ହେଉ ତୁମ ଲେଖା ଭିତରେ ମୁଁ ତୁମ ଅସ୍ତିତ୍ୱକୁ ପାଇ ସାରିଥିଲି ଏବଂ ସେଥିରେ ମୁଁ ମଧ୍ୟ ଦ୍ରବୀଭୂତ ହୋଇଯ।ଇଥିଲି । ବୁଝିପାରିଥିଲି ତୁମ ଲେଖାର ନାୟିକାମାନଙ୍କ ମନର ଅକୁହା ଭାଷାକୁ । ସେଥିପାଇଁ ତ ଭାବି ନେଇଥିଲି ତୁମେ ମୋ ଇହକାଳ ଓ ପରକାଳର ଦେବତା । ପଦାର୍ଥ ବିଜ୍ଞାନର ଛାତ୍ରୀ ହୋଇ ମୁଁ ଯେ କିପରି ବର୍ଷାଋତୁର ବର୍ଷାରେ ଓ ଶୀତ ଋତୁର କୁହୁଡ଼ିରେ ତୁମ ସହିତ ଭାସି ଯାଇଥିଲି,ତାହା ଥିଲା ମୋ କଳ୍ପନା ବାହାରେ । ସେଥିପାଇଁ ବହୁତ ସମୟ ଧରି ମୁଁ ମଧ୍ୟ ଅନ୍ୟମନସ୍କ ରହୁଥିଲି । ତା ସତ୍ତ୍ଵେ ମଧ୍ୟ ମୋ ମନର ଆବେଗକୁ କେହି ବୁଝି ପାରୁନଥିଲେ, ଏପରିକି ତୁମେ ମଧ୍ୟ ।

ତୁମ ଉପନ୍ୟାସର ପାଠିକାରୁ ପ୍ରେମିକା ହେଲି ସତ, ହେଲେ ତୁମ ସହିତ ମୋର ପ୍ରତ୍ୟକ୍ଷ ସମ୍ପର୍କ କିଛି ନ ଥିଲା, କିନ୍ତୁ ତୁମେ ଥିଲ ମୋ ହୃଦୟର ସ୍ପନ୍ଦନ ଏବଂ ମୋ ଅନ୍ୟମନସ୍କତାର କାରଣ । ତୁମର ସୃଜନ ଶକ୍ତି ମୋ ପାଇଁ ଥିଲା ଅସମାନ୍ୟ ଓ ବାସ୍ତବବାଦୀ । ଯାହାକି ମୋତେ ବେଶ୍‌ ଆକୃଷ୍ଟ କରିପାରିଥିଲା । ତୁମର ବହୁତ ଲେଖାକୁ ମୁଁ ବାରମ୍ବାର ପଢ଼ିଛି ଏବଂ ସେଥିରୁ ପାଇପାରିଛି ଠିକ୍‌ ମାର୍ଗ । ତୁମର ଗୋଟିଏ ଲେଖାରେ ତୁମେ ଲେଖିଛ-ପ୍ରେମିକା ସବୁ ସମୟରେ ପ୍ରେମିକର ବିଶ୍ୱାସଭାଜନ ହେବା ନିହାତି ଦରକାର । ସେଥିପାଇଁ ମୁଁ ତ ସବୁବେଳେ ତୁମର ବିଶ୍ୱାସଭାଜନ ହେବାକୁ ଚେଷ୍ଟା କରି ଆସୁଛି ହେଲେ ଜାଣିପାରୁନାହିଁ କାହିଁକି ମୋ ପ୍ରତି ତୁମର ଏତେ ଉଦାସୀନତା ? କ’ଣ ପାଇଁ ତୁମର ଅସ୍ତିତ୍ୱକୁ ମୁଁ ଦେଖି ପାରୁନି ?

ଯାହାହେଉ କିଛି ଦିନର ବ୍ୟବଧାନ ପରେ ମୋର ଅନୁସନ୍ଧାନ ଫଳପ୍ରଦ ହେଲା, ଅନ୍ୟ କିଛି କାରଣ ନୁହେଁ କେବଳ ତୁମର ହୋୟାର୍‌ ଏବାଉଟ୍‌ ପାଇଁ । ମୁଁ ଜାଣିବାକୁ ପାଇଥିଲି ତୁମେ ଥିଲ ପିତୃମାତୃ ଓ ଧର୍ମ ପରିଚୟହୀନ ମଣିଷଟିଏ ହେଲେ ତୁମର ହେତୁ ପାଇବା ଦିନଠାରୁ ତୁମେ ଏକ ଚର୍ଚ୍ଚରେ ବଢ଼ି ଆସିଛ ଏବଂ ଆପଣାଇ ନେଇଛ ଖ୍ରୀଷ୍ଟଧର୍ମକୁ ଏବଂ ପରିଶେଷରେ ବର୍ତ୍ତମାନ ତୁମେ ରାଉରକେଲାଠାରେ ଥିବା ସରକାରୀ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଏବଂ ଆଜିବି ତୁମେ ଅବିବାହିତ । ଏହା ତୁମ ଦ୍ୱାରା ରଚିତ ଉପନ୍ୟାସ ଆର୍ତ୍ତନାଦର ପ୍ରକାଶଙ୍କ ଦ୍ୱାରା ପ୍ରକାଶିତ ।

ମୁଁ ଜାଣିଥିଲି ତୁମ ସହିତ ମୋ ବିବାହ ପ୍ରସ୍ତାବରେ ମୋ ବାପା,ବୋଉ ରାଜି ହେବେ ନାହିଁ ହେଲେ ତୁମକୁ ଛାଡ଼ି ମୁଁ ଅନ୍ୟ କାହାକୁ ବିବାହ କରିପାରିବି ନାହିଁ । କାରଣ ମୁଁ ତୁମକୁ ଗଭୀର ଭାବେ ପ୍ରେମ କରେ ଏବଂ ବହୁ ଆଗରୁ ତୁମ ଅଜାଣତରେ ତୁମକୁ ମୋ ହୃଦୟ ଦେଇ ସାରିଛି । ଯାହାହେଉ ଶେଷରେ ଠିକ୍‌ କରିଥିଲି ମୋର ପରୀକ୍ଷା ଫଳ ବାହାରି ସାରିଲା ପରେ ମୁଁ ନିଜେ ଯାଇଁ ରାଉରକେଲାରେ ଥିବା ମୋ ବଡ଼ ଭଉଣୀ ଓ ଭିଣୋଇଙ୍କୁ କହି ସବୁ ଠିକ୍‌ କରାଇବି ।

କିଛିଦିନ ପରେ ସେଦିନ ମୋର ଏମ୍‌.ଏସ୍‌ ସି ଶେଷ ପରୀକ୍ଷାର ଫଳ ବାହାରିବାର ଥାଏ । ତେଣୁ ନିଜର ନିତ୍ୟକର୍ମ ସାରି ମୁଁ ଓ ମୋର ବାନ୍ଧବୀ ଅନୁରାଧାକୁ ସାଙ୍ଗରେ ଧରି ୟୁନିଭର୍ସିଟିକୁ ଯାଇଥାଏ । ଠିକ୍‌ ଦୁଇଟା ସମୟରେ ଫଳ ବାହାରିଲା । ଫଳବାହାରି ସାରିବା ପରେ ଜାଣିଲି ମୁଁ ପଦାର୍ଥ ବିଜ୍ଞାନରେ ୟୁନିଭର୍ସିଟିରେ ଟପର୍‌ ହୋଇଛି ଏବଂ ମୋ ବାନ୍ଧବୀ ଅନୁରାଧା ପ୍ରଥମ ଶ୍ରେଣୀ ପାଇଛି । ଏ ଖବରଟିକୁ ଆଗ ଫୋନ୍‌ରେ ବାପାବୋଉଙ୍କୁ ଜଣାଇଦେଲି । ଏହା ପରେ ଦୁହେଁ ଯାଇଥିଲୁ କଲେଜ କ୍ୟାଣ୍ଟିନ୍‌ ଆଡ଼େ କିଛି ସ୍ନାକ୍ସ ଖାଇବା ପାଇଁ । ମୋର ଟପର୍‌ ହେବା ଖବର ଶୁଣି ସାଙ୍ଗମାନେ ରାସ୍ତାରେ ଅଭିନନ୍ଦନରେ ମୋତେ ବ୍ୟତିବ୍ୟସ୍ତ କରି ଦେଉଥାନ୍ତି । ତେଣୁ ମନ ହେଉଥାଏ କେଉଁଠି ଏକ ଅଜଣା ସ୍ଥାନର ଲୁଚିଯିବା ପାଇଁ । ହେଲେ ନାଚାର । ଠିକ୍‌ ସେହି ସମୟରେ ଆମେ ଦୁହେଁ ଦେଖିବାକୁ ପାଇଲୁ ପିଲାମାନେ ଓ ଅଧ୍ୟାପକମାନେ ୟୁନିଭର୍ସିଟିର ଅଡ଼ିଟୋରିୟମ୍‌ ଆଡ଼େ ଧାଉଁଛନ୍ତି । ଆମେ ଦୁହେଁ କିଛି ନ ଜାଣି କିଛି ନ ବୁଝି ଚାଲିଲୁ ଅଡ଼ିଟୋରିୟମ୍‌ ଆଡ଼େ । ସେଠାରେ ପହଞ୍ଚିଲା ପରେ ଯାହା ଶୁଣିଲି ସେଥିରେ ମୋର ପାଦତଳୁ ମାଟି ଖସିଗଲା ପରି ମନେ ହେଲା ଏବଂ ସେହିଠାରେ ପାଦ ମୋର ଅଟକି ଗଲା । ଶୁଣିଲି-ୟୁନିଭର୍ସିଟିର ଓଡ଼ିଆ ବିଭାଗ ତରଫରୁ ଏକ ଆଲୋଚନା ଚକ୍ରରେ ଯୋଗଦେବା ପାଇଁ ଆସିଥିବା ଓଡ଼ିଶାର ଲବ୍‌ଧ ପ୍ରତିଷ୍ଠିତ ଔପନାସିକ ତଥା ଗାଳ୍ପିକ ସୌମ୍ୟରଂଜନ ମହାନ୍ତିଙ୍କର ହୃଦ୍‌ରୋଗରେ ମୃତ୍ୟୁ ହୋଇଯାଇଛି । ବିଶ୍ୱାସ କରିପାରିଲି ନାହିଁ । ବ୍ୟାକୁଳ ଓ ଅସ୍ଥିର ମନରେ ଧାଇଁ ଗଲି ମଞ୍ଚ ଉପରକୁ ଦେଖିବାପାଇଁ । ଦେଖିଲି ତୁମେ ମହା ନିଦ୍ରାରେ ଶୋଇ ଯାଇଛ ମଂଚର ଚଟାଣ ଉପରେ । ଘେରି ରହିଛନ୍ତି ଅନେକ ଛାତ୍ରଛାତ୍ରୀ, ଅଧ୍ୟାପିକା, ଅଧ୍ୟାପକ, କୁଳପତି, ଡାକ୍ତର ଓ ପୋଲିସ୍‌ । ପୁଷ୍ପ ମାଳରେ ତୁମ ଶରୀର ପୋତି ହୋଇଯାଇଥାଏ । ଚମକି ପଡିଲି ମୁଁ । ବାରମ୍ବାର ଦୃଷ୍ଟି ନିକ୍ଷପ୍ତ କଲି ତୁମ ମୁହଁକୁ । ବ୍ୟାଗ୍‌ରୁ ତୁମ ଫଟୋର ସ୍କେଚ୍‌ କାଢ଼ି ଅନ୍ୟମାନଙ୍କ ଅଜାଣତରେ ତୁମ ମୁହଁ ସହିତ ମିଶାଇଲି । ମିଶିଗଲା ଏବଂ ଶେଷରେ ଦୀର୍ଘ ୫ବର୍ଷ ହେବ ତୁମ ଅଜାଣତରେ ତୁମ ସହିତ ଗଢ଼ିଥିବା ସମ୍ପର୍କ ମୋର ତୁଟିଗଲା । ବିଶ୍ୱାସ କରିପାରିଲି ନାହିଁ ତୁମ ମୃତ୍ୟୁକୁ । ସବୁ ଆଶା ଓ ସ୍ୱପ୍ନ ମୋର ଧୂଳିସାତ ହୋଇଗଲା । ସେଦିନ ମୁଁ ବୁଝିପାରିଥିଲି ଆନ୍ତରିକତା ଓ ଅନ୍ତର୍ଦାହ ମଧ୍ୟରେ ଥିବା ଘନିଷ୍ଠତା । ନିଜ ମନକୁ ନିୟନ୍ତ୍ରଣ ଭିତରେ ରଖି ପାରିଲି ନାହିଁ । ଅଜାଣତରେ ଅନ୍ୟ ଜଣେ ଲୋକଙ୍କ ହାତରୁ ରଜନୀଗନ୍ଧାର ଫୁଲ ହାରଟିଏ ଟାଣି ନେଇ ପକାଇ ଦେଲି ତୁମ ମରଶରୀର ଉପରେ । ତୁମେ ଯେପରି ମୋତେ ଦେଖାନଦେଇ ଚାଲିଗଲ ମୋ’ଠାରୁ ଅନେକ ଦୂରକୁ, ସେହିପରି ମୋର ସବୁ ସ୍ୱପ୍ନ ମଧ୍ୟ ବାସ୍ତବଠାରୁ ଦୂରେଇ ଗଲା । ଏ ଜନ୍ମରେ ମୋର ଅତୃପ୍ତ ସ୍ୱପ୍ନ କେବଳ ସ୍ୱପ୍ନରେ ରହିଗଲା ସିନା ହେଲେ ବାସ୍ତବତାକୁ ଫେରି ଆସିପାରିଲା ନାହିଁ ଏବଂ ଶେଷରେ ମୁଁ ସଂପୂର୍ଣ୍ଣ ରୂପେ ଏକା ହୋଇଗଲି । ବହୁତ କ୍ଲାନ୍ତ ଅନୁଭବ କଲି । ଅସ୍ଥିର ମନରେ ତୁମଠାରୁ ଶେଷ ବିଦାୟ ନେଇ ଘରକୁ ଫେରିଲାବେଳେ ଭଗବାନଙ୍କୁ ମନେ ମନେ ଡାକି କହିଲି- ହେ ଭଗବାନ ମୋର ଯଦି କିଛି ପୂଣ୍ୟବଳ ଥାଏ ଏବଂ ମୋର ଭଲପାଇବାରେ ଯଦି କିଛିଟା ଆବିଳତା ନ ଥାଏ ତେବେ ମୋର ଶେଷ ଅନୁରୋଧ ମୋତେ ଯେପରି ଆର ଜନ୍ମରେ ତାଙ୍କର ସ୍ତ୍ରୀ ରୂପେ ଜନ୍ମ ଦେବା ପାଇଁ କୁଣ୍ଠାବୋଧ କରିବେ ନାହିଁ ।

ଉପନ୍ୟାସ ବୀଣା ସ୍ତ୍ରୀ

Rate the content


Originality
Flow
Language
Cover design

Comments

Post

Some text some message..