Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଆନନ୍ଦ ମଠ - ୧
ଆନନ୍ଦ ମଠ - ୧
★★★★★

© Deepak Sarangi

Inspirational Others

8 Minutes   7.4K    15


Content Ranking

ମୂଳ ବଙ୍ଗଳା : ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ

ଓଡିଆ ଭାଷାନ୍ତରଣ : ଦୀପକ ଷଡଙ୍ଗୀ

[ଲେଖକ ପରିଚୟ – ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ/ଚାଟାର୍ଜୀ (୨୬.୦୬.୧୮୩୮ – ୦୮.୦୪.୧୮୯୪) ଥିଲେ ପିତା ଯାଦବ ଚନ୍ଦ୍ର ଚାଟାର୍ଜୀ ଓ ମାତା ଦୂର୍ଗା ଦେବୀଙ୍କର ତିନି ପୁତ୍ରଙ୍କ ମଧ୍ୟରୁ କନିଷ୍ଠ ପୁତ୍ର । ତାଙ୍କ ଜନ୍ମ ପଶ୍ଚିମବଙ୍ଗ ରାଜ୍ୟର ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ନୟାହାଟି ଠାରେ ହୋଇଥିଲା । ସେ ଥିଲେ ଏକାଧାରରେ ଜଣେ ବଙ୍ଗଳା ଭାଷା ସାହିତ୍ୟର କବି, ଗାଳ୍ପିକ , ଔପନ୍ୟାସିକ ଏବଂ ସାମ୍ବାଦିକ । ତାଙ୍କ ରଚିତ ଲେଖାଗୁଡିକ ବଙ୍ଗଳା ସାହିତ୍ୟକୁ ରୁଚିମନ୍ତ ଓ ଋଦ୍ଧିମନ୍ତ କରି ଗଢି ତୋଳିଛି । ଭାରତର ରାଷ୍ଟ୍ରୀୟ ସଂଗୀତ “ବନ୍ଦେ ମାତରମ”ର ସେ ଥିଲେ ରଚୟିତା । ତାଙ୍କ ରଚିତ ଅନ୍ୟ କୃତି ଗୁଡିକ ହେଲା ଦୁର୍ଗେଶନନ୍ଦିନୀ, କପାଳକୁଣ୍ଡଳା , ମୃଣାଳିନୀ ଇନ୍ଦିରା, ଦେବୀ ଚୌଧୁରାଣୀ ଇତ୍ୟାଦି ।

ଏହି ଉପନ୍ୟାସ “ଆନନ୍ଦ ମଠ” ୧୮୮୨ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା । ଅଷ୍ଟାଦଶ ଶତାବ୍ଦୀରେ ଇଂରେଜମାନଙ୍କ ବିରୁଦ୍ଧରେ ବଙ୍ଗରେ ଚାଲିଥିବା ସନ୍ୟାସୀ ଆନ୍ଦୋଳନକୁ ତୀବ୍ର କରିବାରେ ଏହା ସହାୟକ ହୋଇଥିଲା । ସେଥିପାଇଁ ସେ ସମୟରେ ଇଂରେଜ ସରକାର ଏହାର ବିକ୍ରି ଓ ବିତରଣକୁ ସେତେବେଳେ ବନ୍ଦ କରାଇଥିଲେ । “ବନ୍ଦେ ମାତରମ” ସଙ୍ଗୀତ ଏହି ଉପନ୍ୟାସର ଏକ ଅଂଶ ବିଶେଷ ଅଟେ । ]

ଭାଗ - ୧

୧୧୭୬ ଖ୍ରୀଷ୍ଟାବ୍ଦରେ ପଶ୍ଚିମବଙ୍ଗର ପଦଚିହ୍ନ ଗ୍ରାମରେ ଅକାଳ ମରୁଡି ପଡିଥିଲା । ସେ ବର୍ଷ ଗାଁରେ ଯୁଆଡେ ଚାହିଁବ ସବୁଆଡେ ଜନ ଶୂନ୍ୟ । ଗାଁ ଗୋଟାକରେ ଶ୍ମଶାନର ଶୂନ୍ୟତା । ପଦଚିହ୍ନ ଗାଁର ମହେନ୍ଦ୍ର ସିଂହ ହେଉଛନ୍ତି ଜଣେ ଧନୀ ବ୍ୟକ୍ତି , କିନ୍ତୁ ଏ ଦୁର୍ଭିକ୍ଷ ସମୟରେ ଧନୀ ଗରିବ ପ୍ରାୟ ସମସ୍ତେ ସମାନ । ଦୁର୍ଭିକ୍ଷ ମହେନ୍ଦ୍ରଙ୍କ ଠାରୁ ତାଙ୍କର ସମସ୍ତ ଆତ୍ମୀୟ ସ୍ଵଜନ ମାନଙ୍କୁ ଛଡାଇ ନେଇଥିଲା । ଏତେ ବଡ ପରିବାରରେ କେବଳ ରହିଗଲେ ସେ , ସ୍ତ୍ରୀ କଲ୍ୟାଣୀ ଓ ତାଙ୍କର ଗୋଟିଏ ଛୋଟ ଝିଅ ।

ମହେନ୍ଦ୍ର ବଡ ଚିନ୍ତିତ ଅବସ୍ଥାରେ ଥିଲେ । ପତ୍ନୀ କଲ୍ୟାଣୀ ସ୍ଵାମୀଙ୍କର ଚିନ୍ତା ଦୂର କରିବା ପାଇଁ ଗାଁ ଛାଡି କଲିକତା କିମ୍ବା ମୁର୍ଶିଦାବାଦ ଯିବା ପାଇଁ ପରାମର୍ଶ ଦେଲେ ; କିନ୍ତୁ ମହେନ୍ଦ୍ରଙ୍କର ଗାଁ ଛାଡି ନ ଯିବାର କାରଣ ଥିଲା ପୈତୃକ ସମ୍ପତି । କଲ୍ୟାଣୀଙ୍କର ଯୁକ୍ତି ଥିଲା ଜୀବନ ଥିଲେ ତ ସମ୍ପତି ଭୋଗ କରିବା । ଯଦି ଜୀବନ ବଞ୍ଚିଯିବ ସମ୍ପତି କୁଆଡେ ଯିବ, ତାକୁ ତ ପରେ ମଧ୍ୟ ଭୋଗ କରିହେବ । ମହେନ୍ଦ୍ର କହିଲେ ଏତେ ବାଟ ଯିବା କେମିତି? ବଳଦ ,ଘୋଡା ସବୁ ଯିବ ଜନ୍ତୁ ତ ମରୁଡିରେ ମରିଗଲେ , କଲ୍ୟାଣୀ କିନ୍ତୁ ସବୁ ବାଟକୁ ପାଦରେ ଚାଲିଚାଲି ଯିବା ପାଇଁ ପ୍ରସ୍ତୁତ ହେଲେ ।

ତା’ ପର ଦିନ ମହେନ୍ଦ୍ର କଲ୍ୟାଣୀ ଓ ଝିଅକୁ ଧରି ଜଙ୍ଗଲ ରାସ୍ତା ଦେଇ ଯିବାକୁ ମନସ୍ଥ କଲେ । ସାଙ୍ଗରେ କିଛି ଅସ୍ତ୍ରଶସ୍ତ୍ର ବି ଆଣିଲେ ଓ କଲ୍ୟାଣୀ ସାଙ୍ଗରେ ଗୋଟେ ବିଷ ବୋତଲ ଆଣିଲେ । ଜ୍ୟେଷ୍ଠ ମାସର ଅଗ୍ନିବର୍ଷୀ ଖରା ମା ଓ ଝିଅଙ୍କୁ ଅସ୍ତବ୍ୟସ୍ତ କରି ପକାଉଥାଏ । ମହେନ୍ଦ୍ର , କଲ୍ୟାଣୀଙ୍କର ଅସୀମ ଧର୍ୟ୍ୟ ଓ ସାହସକୁ ମନେ ମନେ ପ୍ରଶଂସା କରୁଥାନ୍ତି । ମଝିରେ ମଝିରେ ସମସ୍ତେ ଟିକେ ଗଛ ଛାଇରେ ବିଶ୍ରାମ ନେଉଥାନ୍ତି ଓ ଓଦା ଲୁଗାରେ ମୁହଁକୁ ପୋଛୁଥାନ୍ତି ।

ସନ୍ଧ୍ୟା ହେବା ପୂର୍ବରୁ ସେମାନେ ଝିଅକୁ ଧରି ଗୋଟେ ବସ୍ତି ନିକଟରେ ପହଞ୍ଚିଗଲେ । ଛୋଟ ଝିଅଟି ଭୋକରେ ଆଉଟୁପାଉଟୁ ହେଲାଣି କିଛି ନ ହେଲେ ତା ମୁହଁରେ ତ ଟିକେ ଦାନ ଦବାକୁ ପଡିବ । ଏ କଥା ଭାବି ମହେନ୍ଦ୍ର ବସ୍ତିରେ ଥିବା ଏକ ଛୋଟ ଘରେ ମା ଓ ଝିଅକୁ ବସାଇ ଦେଇ ନିଜେ କିଛି ଖାଦ୍ୟ ଓ ପାଣିର ଅନ୍ଵେଷଣରେ ବାହାରିଗଲେ । କିନ୍ତୁ ଏ କ’ଣ ବସ୍ତିରେ ଗୋଟେ ହେଲେ ଲୋକର ଚିହ୍ନ ବର୍ଣ୍ଣ ନାହିଁ । ମହେନ୍ଦ୍ର ବସ୍ତି ମଝିରେ ଛିଡାହେଇ ଜୋରରେ ଚିତ୍କାର କରିବାକୁ ଲାଗିଲେ , କିନ୍ତୁ ତାଙ୍କର ଡାକ ପବନ ସହିତ ମିଶିବା ସାର ହେଲା । ତା’ ପରେ ସେ ଘର ଭିତରକୁ ଆସି ଗୋଟେ ମାଟିର ପାତ୍ର ନେଇ ପତ୍ନୀ ଓ ଝିଅକୁ ଏକା ଛାଡିଦେଇ କିଛି ସମୟ ପରେ ଆସିବେ ବୋଲି କହି ଚାଲିଗଲେ, କଲ୍ୟାଣୀ ଘରେ ଏକା ଥାଆନ୍ତି ଝିଅକୁ ଧରି ଘରର ଗୋଟେ କଣରେ ବସି ରହିଥାଆନ୍ତି । ତାଙ୍କୁ ଟିକେ ଡର ଲାଗୁଥାଏ । ହଠାତ୍ ଦେଖିଲେ ଗୋଟେ ଛାଇ ତାଙ୍କୁ ଆଡକୁ ମାଡି ଆସୁଛି ,ସୂର୍ଯ୍ୟ ଅସ୍ତ ଯାଇଥିବାରୁ ଠିକ ସେ ବୁଝାପଡୁ ନଥାଏ । ଛାଇଟି ପାଖେଇ ଆସିବାରୁ ଜୀର୍ଣଶିର୍ଣ୍ଣ କଙ୍କାଳମୟ କିଛି ଲୋକ କଲ୍ୟାଣୀ ଓ ତାଙ୍କ ଝିଅକୁ ଘେରିଗଲେ ଓ ସେମାନଙ୍କୁ ଉଠାଇ ନେଇ ଜଙ୍ଗଲ ଭିତରକୁ ଚାଲିଗଲେ ।

ମହେନ୍ଦ୍ର କିଛି ସମୟ ପରେ ପାତ୍ର ରେ କିଛି କ୍ଷୀର ନେଇ ସେଇ ଘରେ ପହଞ୍ଚିଲା ବେଳକୁ ଘରେ ସ୍ତ୍ରୀ ଓ ଝିଅ ନାହାନ୍ତି । ସେ ଅସ୍ତ ବ୍ୟସ୍ତ ହୋଇ ସ୍ତ୍ରୀ ଓ ଝିଅକୁ ଜୋରରରେ ଡାକିବାକୁ ଲାଗିଲେ କିନ୍ତୁ ଫଳ କିଛି ହେଲାନି ।

ଡାକୁମାନେ କଲ୍ୟାଣୀ ଓ ଝିଅକୁ ଧରି ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଗଲେ । ସେମାନେ ତା ଠାରୁ ସବୁ ସୁନା ଗହଣା ଲୁଟିନେଲେ ଓ ନିଜ ମଧ୍ୟରେ ବାଣ୍ଟିବା ଆରମ୍ଭ କରିଦେଲେ । ବଣ୍ଟାବଣ୍ଟିରେ ଭୁଲ ହେବାରୁ ସେମାନେ ନିଜନିଜ ମଧ୍ୟରେ ମାରପିଟ୍ ହେବାକୁ ଆରମ୍ଭ କରିଦେଲେ । ସେମାନେ ଭାବିଲେ ଏ ଗହଣା ଗାଣ୍ଠି କ’ଣ ଆମ ଭୋକ ମେଣ୍ଟାଇ ପାରିବ ଚାଲ ଆମେ ସମସ୍ତେ ମିଶି ଏ ମା ଓ ଝିଅକୁ ମାରି ତାଙ୍କ ମାଂସ ପୋଡିକି ଖାଇବା ; କିନ୍ତୁ ସୌଭାଗ୍ୟ ବଶତଃ ସେମାନଙ୍କର ମାରପିଟର ସୁଯୋଗ ନେଇ କଲ୍ୟାଣୀ ଝିଅକୁ ଧରି ଘଞ୍ଚ ଜଙ୍ଗଲ ଭିତରକୁ ଖସିଗଲେ । ଡକାୟତ ଦଳ କଲ୍ୟାଣୀ ଓ ତା ଝିଅକୁ ପାଖରେ ନ ପାଇ ଖୋଜିବାକୁ ଲାଗିଲେ , କଲ୍ୟାଣୀ ଝିଅକୁ ଧରି ଘଞ୍ଚ ଜଙ୍ଗଲ ଭିତରେ ଦୌଡିଥାଏ , ଝିଅର କାନ୍ଦ ଡକାୟତ ମାନଙ୍କ କାନରେ ପଡିବାରୁ ସେମାନେ ଆହୁରି ତତ୍ପର ହୋଇ ମା ଓ ଝିଅକୁ ଖୋଜିବାକୁ ଲାଗିଲେ । କଲ୍ୟାଣୀ ଥକା ମାରି ଗୋଟେ ବରଗଛ ମୂଳେ ବସି ପଡିଲେ ଓ ମନେମନେ ଈଶ୍ଵରଙ୍କୁ ସ୍ମରଣ କରିବାକୁ ଲାଗିଲେ ।

ତାଙ୍କୁ ମନେହେଲା ଯେପରି “ହରେ ମୁରାରି ମଧୁକୈଟଭ ହରି” ନାମ ସଙ୍କିର୍ତନ କରି କିଛି ଲୋକ ତା ଆଡକୁ ମାଡି ଆସୁଛନ୍ତି , କିନ୍ତୁ କ୍ଳାନ୍ତି ଓ ବିଷର୍ଣ୍ଣତା ହେତୁ ସେ ସେଇଠି ଚେତା ହରାଇ ପଡି ରହିଲା ।

ଚେତା ଫେରି ପାଇବା ପରେ ସେ ନିଜକୁ ପାଇଲା ଗୋଟେ ପୁରୁଣା ମଠ ଭିତରେ ଯାହାର ନା ବଙ୍ଗଳାରେ ଲେଖା ହୋଇଥିଲା “ଆନନ୍ଦ ମଠ” । ମଠରେ ବିଭିନ୍ନ ଦେବାଦେବୀଙ୍କର ମନ୍ଦିର ଥିଲା । ପରିଷ୍କାର ଓ ପରିଚ୍ଛନ୍ନତା ହେତୁ ମଠଟି ଖୁବ ସୁନ୍ଦର ଦେଖା ଯାଉଥିଲା । ସେ ଦେଖିଲା ଯେ ତା ଆଗରେ ଜଣେ ସନ୍ୟାସୀ ବସିଛନ୍ତି ଏବଂ ତାକୁ ଓ ତା ଝିଅକୁ କିଛି କ୍ଷୀର ପିଇବା ପାଇଁ ଅନୁରୋଧ କରୁଛନ୍ତି । କଲ୍ୟାଣୀ କ୍ଷୀର ନିଜେ ନ ପିଇ ଝିଅକୁ ପିଇବାକୁ ଦେଲେ । ସନ୍ୟାସୀ କିଛି କ୍ଷୀର କଲ୍ୟାଣୀକୁ ମଧ୍ୟ ଦେଲେ କିନ୍ତୁ କଲ୍ୟାଣୀ ତାକୁ ନ ପିଇ ସନ୍ୟାସୀଙ୍କୁ ତା ସ୍ଵାମୀ କିପରି ତା ଠାରୁ କିପରି ଅଲଗା ହୋଇଗଲେ ସେ କଥା କହି କାନ୍ଦିବାକୁ ଲାଗିଲା ଏବଂ ଯେ ପର୍ଯ୍ୟନ୍ତ ତା’ର ସ୍ଵାମୀର କିଛି ସନ୍ଧାନ ନ ମିଳିଛି ସେ କେବଳ ପାଣି ପିଇକି ରହିବ ବୋଲି ସନ୍ୟାସୀଙ୍କୁ ଜଣେଇ ଦେଲା ।

ସନ୍ୟାସୀ ତା’ର ପତି ଭକ୍ତିରେ ସନ୍ତୁଷ୍ଟ ହୋଇ ତା’ର ସ୍ଵାମୀକୁ ଖୋଜିବେ ବୋଲି ତାକୁ ଅଭୟବାଣୀ ଦେଲେ ଏବଂ କହିଲେ ଯେ ପର୍ଯ୍ୟନ୍ତ ତା’ର ସ୍ଵାମୀର କିଛି ସନ୍ଧାନ ନ ମିଳିଛି; ସେ ପର୍ଯ୍ୟନ୍ତ ସେ ଏହି ମଠରେ ନିଶ୍ଚିନ୍ତ ହୋଇ ରହି ପାରିବ ବୋଲି । ତା ପରେ ସନ୍ୟାସୀ ଜଣକ ମଠର ଆଗକୁ ଯାଇ କିଛି ଶବ୍ଦ କରିବାକୁ ଲାଗିଲେ । ତାଙ୍କ ଶବ୍ଦ ଶୁଣି ପ୍ରାୟ ଦୁଇ ଶହରୁ ତିନି ଶହ ଅସ୍ତ୍ରଶସ୍ତ୍ର ଧାରି ଯୁବକ ମଠର ସମ୍ମୁଖ ରେ ଜମା ହୋଇଗଲେ । ସନ୍ନ୍ୟାସୀ ଜଣକ ଯୁବକ ମାନଙ୍କ ଭିତରୁ ସମସ୍ତଙ୍କୁ ନିରୀକ୍ଷଣ କରି ଜଣେ ଯୁବକ ପାଖରେ ଯାଇ ପହଞ୍ଚିଲେ ଓ ତା’କୁ ପଚାରିଲେ “ ଭବାନନ୍ଦ ମହେନ୍ଦ୍ର ସିଂହର କିଛି ଖବର ମିଳିଲା ନା ନାହିଁ ?” ଭବାନନ୍ଦ ଉତ୍ତର ଦେଲା “ମହେନ୍ଦ୍ର ସିଂ ତା’ର ସ୍ତ୍ରୀ ଓ ଝିଅକୁ ଧରି କଲିକତା କି ମୁର୍ଶିଦାବାଦ ଯିବା ଉଦ୍ଦେଶ୍ୟରେ ବାହାରି ଥିଲେ କିନ୍ତୁ ବାଟରେ ! ସନ୍ନ୍ୟାସୀ ଜଣକ ଭବାନନ୍ଦକୁ ମଝିରୁ ଅଟକାଇ ତା ପରବର୍ତ୍ତୀ ଘଟଣା ସେ ସବୁ ଜାଣିଥିବାର କହିଲେ ଓ ଆଦେଶ ଦେଲେ ଯେ ଯେତେ ଶୀଘ୍ର ପାରୁଛ ମହେନ୍ଦ୍ର ସିଂକୁ ଖୋଜି ବାହାର କରିବା ପାଇଁ ଆଉ ଏଠିକାର ସବୁ କମ ଜୀବାନନ୍ଦ ସମ୍ଭାଳିନବ ବୋଲି ।

ସେପଟେ ମହେନ୍ଦ୍ର ସ୍ତ୍ରୀ ଓ ଝିଅକୁ ନ ପାଇ ଜଙ୍ଗଲ ସାରା ଖୋଜି ବୁଲୁଥାଏ । ଖୋଜୁଖୋଜୁ ବାଟରେ ତାର ଇଂରେଜ ସିପାହୀ ମାନଙ୍କ ସହ ମୁହାଁମୁହିଁ ହୋଇଯାଏ । ମହେନ୍ଦ୍ର ହାତରେ ବନ୍ଧୁକ ଦେଖି ସେମାନେ ଭାବନ୍ତି ମହେନ୍ଦ୍ର ଡକାୟତ ବୋଲି । ସିପାହୀମାନେ ମହେନ୍ଦ୍ରକୁ ଧରି ନେଇ ଇଂରେଜ ସେନାପତିଙ୍କ ପାଖକୁ ନେଇ ଯାଆନ୍ତି ଓ ସେନାପତି ଆଦେଶ ଦିଏ ତାକୁ ବାନ୍ଧି ଦେଇ ଗାଡି ପଛରେ ପକେଇ ଦବାକୁ ।

ଭବାନନ୍ଦ ମହେନ୍ଦ୍ରକୁ ଖୋଜିଖୋଜି ସେଇ ବସ୍ତିକୁ ଗଲା , ସେଠି କିଛି ଖବର ନ ପାଇ ଫେରୁ ଥିବାବେଳେ ତା’ର ଭେଟ ହୁଏ ସେଇ ଇଂରେଜ ମାନଂକ ସହ ଯେଉଁମାନେ ମହେନ୍ଦ୍ରକୁ ବାନ୍ଧି କି ନେଇ ଯାଉଥିଲେ । ସିପାହୀମାନେ ଭବାନନ୍ଦକୁ ବି ଡକାୟତ ବୋଲି ଭାବିଲେ କିନ୍ତୁ ଭବାନନ୍ଦ କହିଲେ “ଡକାୟତ କ’ଣ ଗେରୁଆ ବସ୍ତ୍ର ପିନ୍ଧେ କି”? ମୁଁ ତ ଜଣେ ସନ୍ନ୍ୟାସୀ ! କିନ୍ତୁ ଇଂରେଜ ସିପାହୀମାନେ ତା’ର କିଛି କଥା ନ ଶୁଣି ତାକୁ ମଧ୍ୟ ବାନ୍ଧିଦେଇ ମହେନ୍ଦ୍ରକୁ ଯେଉଁ ଗାଡିରେ ପକେଇ ଥିଲେ ସେଇ ଗାଡିରେ ପକେଇ ଦେଲେ ।

ଭବାନନ୍ଦ ମହେନ୍ଦ୍ର ସିଂକୁ ପାଖରେ ପାଇ ତାକୁ ଠିକ୍ ଚିହ୍ନି ପାରିଲେ ଏବଂ ଗାଡିର ଚକ ସହିତ ତାଙ୍କର ହାତର ଦଉଡିକୁ କିପରି ଘଷି କରି କଟା ଯାଇପାରିବ ତାହା ବତାଇ ଦେଲେ । ମହେନ୍ଦ୍ର ବନ୍ଧନ ମୁକ୍ତ ହେବା ପରେ ସେ ଭବାନନ୍ଦଙ୍କୁ ମଧ୍ୟ ମୁକ୍ତ କରିଦେଲେ ଏବଂ ଦୁଇଜଣ ଚୁପଚାପ୍ ସେ ଗାଡି ପଛରେ ଶୋଇ ରହିଲେ ।

କିଛି ବାଟ ଯିବା ପରେ ଇଂରେଜ ସିପାହୀମାନେ ଦେଖିପାରିଲେ ଯେ ଜଣେ ହୃଷ୍ଟପୃଷ୍ଟ ଲୋକ ଖଣ୍ଡା ଧରି ତାଙ୍କ ରାସ୍ତାକୁ ଓଗାଳି ଛିଡା ହୋଇରହିଛି । ଇଂରେଜ ସେନାପତି ତାଙ୍କର ଜଣେ ସିପାହୀକୁ ଆଦେଶ ଦେଲେ ଯେ ଯାଇକି ଦେଖିବାକୁ ରାସ୍ତା ଆଗରେ କିଏ ଛିଡା ହୋଇଛି ବୋଲି , ଆଦେଶ ପାଇ ସିପାହୀଟି ଦ୍ରୁତଗତିରେ ବନ୍ଧୁକ ଧରି ମାଡି ଗଲା ବେଳକୁ ଆଃ କରି ଗୋଟେ ଚିତ୍କାର ଶୁଣାଗଲା ଏବଂ ସେ ଇଂରେଜ ସିପାହୀର ରକ୍ତାକ୍ତ ମୁଣ୍ଡଟି କଟି ଆସି ଇଂରେଜ ସେନାପତିଙ୍କ ଆଗରେ ପଡିଲା । ଇଂରେଜ ସେନାପତି କିଛି କରିବା ଆଗରୁ ଅସ୍ତ୍ରଶସ୍ତ୍ର ଧରି ପ୍ରାୟ ଶହେରୁ ଉର୍ଦ୍ଧ ଗେରୁଆ ସନ୍ନ୍ୟାସୀ ଯୁବକ ଆସି ସେମାନଙ୍କୁ ଘେରିଗଲେ ଓ ଇଂରେଜ ସେନାପତିଙ୍କୁ ହତ୍ୟା କରି , ସେମାନେ ସାଙ୍ଗରେ ନେଇକି ଯାଉଥିବା ସବୁ ଅସ୍ତ୍ରଶସ୍ତ୍ର ଓ ଧନ ସମ୍ପତ୍ତି ନିଜ ଅକ୍ତିଆରକୁ ନେଇଗଲେ । ସେମାନେ ଗାଡି ପଛରେ ଥିବା ମହେନ୍ଦ୍ର ଓ ଭବାନନ୍ଦଙ୍କୁ ମଧ୍ୟ ଉଦ୍ଧାର କଲେ । ଭବାନନ୍ଦ ଯାଇ ଯୁବକ ମାନଙ୍କ ନେତୃତ୍ଵ ନେଉଥିବା ଜୀବାନନ୍ଦଙ୍କୁ ଚିହ୍ନି ପାରିଲେ । ଜୀବାନନ୍ଦ ସେମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରି ଧନ ସମ୍ପତ୍ତି ଓ ଅସ୍ତ୍ରଶସ୍ତ୍ର ଲୁଟି ଥିବା ଗାଡିକୁ ଧରି ସେଠାରୁ ଚାଲିଗଲେ ।

ମହେନ୍ଦ୍ର ଏ ସବୁ ଆଶ୍ଚର୍ଯ୍ୟ ହୋଇ ଦେଖୁଥାନ୍ତି ,ତାଙ୍କୁ ଟିକେ ସହଜ କରିବାକୁ ଯାଇ ଭବାନନ୍ଦ ତାଙ୍କ ପାଖକୁ ଯାଇ କହିଲେ “ତୁମେମାନେ ହେଲ ଜମିଦାର ବଂଶୀୟ , ତୁମେମାନେ ଇଂରେଜ ମାନଙ୍କର ଗୁଲାମି କରିପାର କିନ୍ତୁ ଆମେ ନୁହେଁ । ଆମେମାନେ ସାଧାରଣ ଜନତା ଓ ଦେଶ ମାତୃକାର ସେବା କରିବା ପାଇଁ ବଦ୍ଧ ପରିକର, ଆଉ ଆହୁରି ମଧ୍ୟ ଆମେ ତୁମର ବି ବହୁତ ଉପକାର କରିଛୁ । ତୁମ ସ୍ତ୍ରୀ ଓ କନ୍ୟା ଆମ ପାଖରେ ଅଛନ୍ତି , ଯଦି ସେମାନଙ୍କୁ ଦେଖା କରିବାର ଅଛି ତେବେ ମୋ ପଛେପଛେ ଆସ” ।

ମହେନ୍ଦ୍ର ତାଙ୍କ ପଛେ ପଛେ ଚାଲିଲେ । ମହେନ୍ଦ୍ର ଭବାନନ୍ଦଙ୍କୁ ଆଉ କିଛି ପଚାରିବାକୁ ଉଦ୍ୟତ ହୁଅନ୍ତେ ଭବାନନ୍ଦ ଗାଇ ଉଠିଲେ

ବନ୍ଦେ ମାତରମ୍ ! ସୁଜଳାମ ସୁଫଳାମ ମଲୟଜ ଶୀତଳାମ୍

ଶସ୍ୟ ଶ୍ୟାମଲା ମାତରମ୍

ଶୁଭ୍ର ଜୋଛନା ପୁଲକିତ ଯାମିନି

ପୁଲ୍ଲ କୁସୁମିତ ଦ୍ରୁମଦଳ ଶୋଭିନି

ସୁହାସିନୀ ସୁମଧୁର ଭାସିନି

ସୁଖଦାଂ ବରଦାଂ ମାତରମ ... ବନ୍ଦେ ମାତରମ୍

ମହେନ୍ଦ୍ର ଗୀତଟି ଶୁଣିବା ପରେ ପଚାରିଲେ “ଏ ତ ମାତୃବନ୍ଦନା” ! ତୁମେ ଏଠାରେ ମା’ ବୋଲି କାହାକୁ ସମ୍ବୋଧନ କରୁଛ?

ଭବାନନ୍ଦ ଲୋତକ ପୂର୍ଣ୍ଣ ଚକ୍ଷୁରେ ଜବାବ୍ ଦେଲେ “ଏଠି ମା ହେଉଛି ଆମ ଜନ୍ମଭୂମି । ଆମ ଅଖଣ୍ଡ ଭାରତବର୍ଷ । ଆଉ ଆମେ ସମସ୍ତେ ସେଇ ମାତୃଭୂମିର ସନ୍ତାନ”। ମହେନ୍ଦ୍ର ପୁଣି ପଚାରିଲେ “ସନ୍ତାନ ହୋଇ ତୁମେମାନେ ଏ ଲୁଟତରାଜ କାହିଁକି କରୁଛ” ?

ଭବାନନ୍ଦ ଗମ୍ଭୀର ହୋଇ ଉତ୍ତର ଦେଲେ “ଆମେମାନେ ଲୁଟତରାଜ କରୁନାହୁଁ , ଆମେମାନେ ମୋଗଲ ଓ ଇଂରେଜମାନଙ୍କ ଦ୍ଵାରା ଲୁଟ୍ ହୋଇଥିବା ଆମ ଗରିବ ଦେଶବାସୀମାନଙ୍କର ସମ୍ପତ୍ତିକୁ ସେମାନଙ୍କ ଠାରୁ ଉଦ୍ଧାର କରୁଛୁ । ତୁମେ ଜମିଦାରମାନେ ସେମାନଙ୍କ ଗୋଲାମ ହୋଇପାର କିନ୍ତୁ ଆମେ ସେମାନଙ୍କୁ ହତ୍ୟାକରି ଆମ ମାତୃଭୂମିରୁ ତଡି ଦେବାକୁ ବଦ୍ଧ ପରିକର । ସାରା ଦେଶକୁ ଏହି ମୋଗଲ ଓ ଇଂରେଜମାନେ ବସି ଲୁଟିବାକୁ ବସିଛନ୍ତି । ହିନ୍ଦୁତ୍ଵର ସତ୍ତା ଲୋପ ପାଇବାକୁ ବସିଲାଣି , ତୁମ ମାନଙ୍କ ଭଳି କେତେକ ସ୍ଵାର୍ଥପର ଲୋକ ଆମ ଦେଶକୁ ସେମାନଙ୍କ ହାତରେ ବିକି ଦବାକୁ ବସିଛନ୍ତି କିନ୍ତୁ ଆମେ ଏହା କଦାପି ହବାକୁ ଦବୁନି” ।

ମହେନ୍ଦ୍ର କହିଲେ “କିନ୍ତୁ ତୁମେମାନେ କ’ଣ ସେମାନଙ୍କ ମୁକାବିଲା କରିପାରିବ”?

ଭବାନନ୍ଦ ବୀରତ୍ଵର ସହ ଉତ୍ତର ଦେଲେ “ସେଥିପାଇଁ ତ ଆମେ ସନ୍ନ୍ୟାସୀର ବେଶ ଧାରଣ କରିଛୁ । ଆମ ମାନଙ୍କର ମଧ୍ୟ ନିଜ ନିଜର ପରିବାର ଅଛି , କିନ୍ତୁ ଆମେମାନେ ସବୁ ମୋହ, ମାୟା ତ୍ୟାଗ କରି ମାତୃଭୂମିର ରକ୍ଷା ପାଇଁ ତା’ର ସନ୍ତାନ ସାଜିଛୁ । ଆଉ ମୋ ଭଳି ଶହ ଶହ ଯୁବକ ଦେଶ ମାତୃକାର ରକ୍ଷା ପାଇଁ ,ତାର ସନ୍ତାନ ହେବା ପାଇଁ ସନ୍ନ୍ୟାସୀ ସାଜିଛନ୍ତି । ଆଉ ତୁମେ ଯଦି ଚାହିଁବ, ତୁମେ ମଧ୍ୟ ସନ୍ତାନ ହୋଇପାରିବ ଓ ସନ୍ନ୍ୟାସୀ ବେଶ ଧାରଣ କରିପାରିବ, କିନ୍ତୁ ଗୋଟେ ସର୍ତ୍ତରେ ଯେଉଁ ପର୍ଯ୍ୟନ୍ତ ଏହି ମାତୃଭୂମିର ରକ୍ଷା କରିବା ବ୍ରତ ସଫଳ ନ ହୋଇଛି ସେ ପର୍ଯ୍ୟନ୍ତ ତୁମେ ତୁମର ପତ୍ନୀ ଓ କନ୍ୟା ର ମୁଖ ଦର୍ଶନ କରି ପାରିବ ନାହିଁ” ।

{ଆଉ ତା‘ପରେ ...କ୍ରମଶଃ}

ପଶ୍ଚିମବଙ୍ଗର ଅକାଳ ମହେନ୍ଦ୍ର

Rate the content


Originality
Flow
Language
Cover design

Comments

Post

Some text some message..