ବୋଉ
ବୋଉ
ପ୍ରକାଶ ତ୍ରିପାଠୀ
ସମୟ ଅପରାହ୍ନ ଚାରିଟା।ଜାନୁଆରୀ ମାସର ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଲଘୁଚାପ ଜନିତ କୋହଲା ପାଗ ଦେହ ଥରାଇଦେଉଥାଏ ।ମୁଣ୍ଡରେ ଓଲେନ କ୍ୟାପ ଓ ଦେହରେ ଫୁଲ ସୁଏଟର ଥାଇ ବି ଶୀତର ପ୍ରକୋପରୁ ରକ୍ଷା ମିଳୁନଥାଏ । ଅଫିସ ରୁମର ସବୁ ଝରକା ବନ୍ଦ କରି ରାଜୀବ ବସିଥାଏ କମ୍ପ୍ୟୁଟର ପାଖରେ । କ'ଣ ଗୋଟାଏ ରିପୋର୍ଟ ପ୍ରସ୍ତୁତି ରେ ବ୍ୟସ୍ତଥାଏ ସେ । ମୋବାଇଲ୍ ଫୋନ ରିଂ ହେଲା । ଫାଇଲ ତଳୁ ଫୋନ ଆଣି ଦେଖେ ତ ଗାଁର ଲ୍ୟାଣ୍ଡନମ୍ବର।
ବେଳେ ବେଳେ ଭାଉଜ ଗାଁରୁ ଫୋନ କରନ୍ତି ରାଜୀବ ପାଖକୁ । ବୋଉ ର ଔଷଧ ସରି ଗଲେ,ଓଷା ବ୍ରତରେ ଘରେ ପିଠାପଣା ହେବାର ଥିଲେ ଅବା ଗାଁ ଠାକୁରାଣୀଙ୍କ ପୀଠରେ ମାଜଣା ହେବାର ଥିଲେ ଗାଁକୁ ଯିବା ପାଇଁ ଘରୁ ଭାଉଜ ଫୋନ କରନ୍ତି।
ରାଜୀବ ଫୋନ ଉଠାଇ ସବୁଥର ପରି ମଜାଳିଆ ଢଙ୍ଗରେ କହିଲା- କ'ଣ ଭାଉଜ, ଶୀତ କେମିତି ପଡୁଛି ?ସେପଟୁ ଭାଉଜ ରାଜୀବ କଥା ନଶୁଣି କହିଲେ, ତମେ ଟିକେ ଗାଁକୁ ଶିଘ୍ର ଆସିଲ। ବୋଉଙ୍କର ହଠାତ କଣ ହେଲା କେଜାଣି,ସେ ଆଉ କିଛି କହୁନାହାନ୍ତି। ଦାଣ୍ଡ ପିଣ୍ଡାରେ ବସିଥିଲେ, ଖନେଇ ଖନେଇ ଡାକ ପକାଇଲେ। ମୁଁ ତାଙ୍କୁ ଧରି ତାଙ୍କ ଶୋଇ ବାଘରକୁ ନେଇ ଆସିଲି। ତା ପରଠୁ ସେ ଆଉ କିଛି କହୁ ନାହାନ୍ତି କି ଉଠୁନାହାନ୍ତି। ତମ ଭାଇନା ଭାରି ବ୍ୟସ୍ତ ହେଉଛନ୍ତି। ତୁମେ ଟିକେ ଜଲଦି ଆସ।ଭାଉଜଙ୍କ କଣ୍ଠସ୍ୱରରୁ ରାଜୀବ ଠଉରାଇ ନେଇଥିଲା ପରିସ୍ଥିତିର ଗମ୍ଭୀରତାକୁ । ରାଜୀବ ଅଧିକ କିଛି ପଚାରି ନଥିଲା ଭାଉଜଙ୍କୁ । ତୁମେ ବ୍ୟସ୍ତ ହୁଅନି ଭାଉଜ, ମୁଁ ଶିଘ୍ର ଯାଇ ପହଂଚୁଛି କହି ଫୋନ ରଖିଥିଲା।
ରାଜୀବ ରୁହେ ଭୁବନେଶ୍ୱରରେ । ସେଠି ତା ଅଫିସ।ଗତ ଦଶବର୍ଷ ହେଲାଣି ଅଫିସ କ୍ୱାଟର ପାଇ ସେ ଫ୍ୟାମିଲ ନେଇ ରହୁଛି। ଭୁବନେଶ୍ୱର ରୁ ତା ଗାଁ ମାତ୍ର ପଇଁଚାଲିସ କିଲୋମିଟର। ମୋଟର ସାଇକେଲରେ ଗଲେ ମାତ୍ର ଘଣ୍ଟାଟେ ଲାଗେ। ଗାଁରେ ଭାଇନା,ଭାଉଜ,ପୁତୁରା ଓ ବୋଉ ରୁହନ୍ତି । ଭାଇନା ଗାଁ ପାଖ ହାଇସ୍କୁଲରେ ଟିଚର।
ଅଫିସରଙ୍କୁ ସବୁକଥା କହି ରାଜୀବ ଏକାମୁ ହାଁ ଚାଲିଲା ତା କ୍ୱାଟରକୁ । କେମିତି ଏତେ ଥଣ୍ଡାରେ ମୋଟର୍ସାଇକେଲ ନେଇ ସନ୍ଧ୍ୟା ଟାରେ ଗାଁକୁ ଯିବ, ସେଇ ଚିନ୍ତାରେ ଥାଏ। କ୍ୱାଟରରେ ପହଂଚି ସବୁକଥା ପତ୍ନୀ ସରିତାକୁ କହିଲା। ଶାଶୁଙ୍କ ଦେହ ଖରାପ କଥାଶୁଣି ସରିତା ବି ଜିଦିକଲା ଗାଁକୁ ଯିବାକୁ । ଶେଷରେ ଟ୍ରାଭେଲ ଏଜେନ୍ସିକୁ ଫୋନ କରି ଗାଡିଟିଏ ମଗାଇଲା ରାଜୀବ । କ୍ୱାଟରରେ ତାଲା ପକାଇ ବାହାରୁ ବାହାରୁ ସନ୍ଧ୍ୟା ଛଅଟା ବାଜିସାରିଥିଲା।
ବୋଉର ବୟସ ଅଶି ସେପଟେ । ନନାଙ୍କ ଦେହାନ୍ତ ପରେ ସେ ଦିନକୁ ଦିନ ଅଧିକ ଦୁର୍ବଳ ହୋଇଯାଉଛି । ବ୍ଲଡ଼ ପ୍ରେସରକୁ ରୁମାଟିଜିମ ବି ବାହାରି ପଡ଼ିଲାଣି । ସେଥିପାଇଁ ବର୍ଷକ ବାରମାସି ତା ପାଇଁ ଔଷଧ ଖଞ୍ଜା।ବର୍ଷେ ହେଲାଣି ବାପଛେଉଣ୍ଡ ତ ହେଇଚି, ପୁଣି କଣ ବାପମା ଛେଉଣ୍ଡ ହୋଇଯିବାର ଭୟ କ୍ରମଶଃ ଆକ୍ରାନ୍ତ କରୁଥିଲା ରାଜୀବକୁ।
ତା'ର ମନେପଡ଼ିଗଲା ନାନାଙ୍କ ବେଳର କଥା, ଡିସେମ୍ବର ମାସର ସେଦିନ ଥାଏ ରବିବାର । ସେଦିନ ବି ଖୁବ କୋହଲା ପାଗ ଶୀତର ମାତ୍ରାକୁ ଵଢାଇ ଦେଇଥାଏ । ରାଜୀବ ଚାରି ନମ୍ବର ହାଟରୁ ପରିବା ନେଇ ଫେରୁଥାଏ । ସେଦିନ ବି ଏମିତି ଗାଁର ଲ୍ୟାଣ୍ଡ ନମ୍ବରରୁ ଫୋନ ଆସିଥିଲା । ଭାଇନା ବ୍ୟସ୍ତ ହୋଇ ଫୋନ କରି କହିଥିଲେ- ରାଜୀବ ଶିଘ୍ର ଘରକୁ ଆସେ । ନନା ବାରିପଟକୁ ଯାଇଥିଲେ ପଡିଗଲେ, ଆଉ କିଛି କହୁନାହାନ୍ତି। ସେଦିନ ଏ ଖବର ଶୁଣି ରାଜୀବର ପାଦ ତଳୁ ମାଟି ଖସିଯିବା ଭଳି ଲାଗିଥିଲା । ଜଣେ ସୁସ୍ଥ ମଣିଷ କ'ଣ ଏମିତି ହଠାତ ଚାଲିଯାଇପାରେ ? କ୍ୱାଟରରେ ପରିବା ବ୍ୟାଗ ଥୋଇ ସମସ୍ତଙ୍କୁ ନେଇ ରାଜୀବ ବହାରିପଡିଥିଲା ଗାଁକୁ । ବାଟ ମଝିରେ ଭାଇନା ପୁଣି ଥରେ ଫୋନ କଲେ। କିଛି କହି ତ ପାରିନଥିଲେ, ଭେଁ ଭେଁ ହୋଇ କାନ୍ଦିଥିଲେ । ରାଜୀବ ସବୁ ବୁଝିପାରିଥିଲା। ଜୀବନକୁ ସେଦିନ ସେ ଖୁବ ପାଖରୁ ଦେଖିଥିଲା ।
ନନାଙ୍କ ଘଟଣାର ଆଜି ପୁନରାବୃତ୍ତି ହେବନି ତ?।ରାଜୀବ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥାଏ। ଗାଁରେ ପହଂଚିବା ପୂର୍ବରୁ ଯେପରି ସେଠାରୁ ଆଉ ଫୋନ ନ ଆସୁ।ଅନେକ ପାପ ଛୁଉଁଥାଏ ରାଜୀବ ର ମନକୁ। ମନ ଦୁର୍ବଳ ହେଲେ ଏମିତି ବାଜେ କଥାସବୁ ମନକୁ ଧସେଇ ପସେ। ମନକୁ ଦୃଢକଲା ରାଜୀବ। ଯାହା ହେବାର ଥିବ ହେବ। ଈଶ୍ୱର ତାକୁ ଆଜି ଦୁଃଖ ଦେବେନାହିଁ ।
ଗାଁ ଘର ଆଗରେ କାର ଅଟକିଲା । ଘର ଭିତରୁ ଭାଉଜ କହୁଥିବାର ଶୁଣାଗଲା, ହେଇଟି ରାଜୀବ ସରିତା ଆସିଲେଣି । ରାଜୀବ କାରରୁ ଓଲ୍ହାଇ ସିଧା ପସିଲା ବୋଉ ଶୋଇବା ଘରକୁ।
ବୋଉ ଦିଟା କମ୍ବଳ ଘୋଡ଼ି ହୋଇ ସୋଇଥାଏ। ଭାଇନା ଗରମ ସୋରିଷ ତେଲ ବୋଉ ପାଦରେ ଘଷୁଥାନ୍ତି।ରାଜୀବ ବସିପଡ଼ିଲା ବୋଉ ପାଖରେ।
କାହିଁକି ତୁ ଏତେ ଥଣ୍ଡାରେ ଆସୁଥିଲୁ ?ମୋର କିଛି ହେଇନି ବା। ବୋଉର କଣ୍ଠ ଥରୁଥାଏ । ମୁଣ୍ଡକୁ ଆଉଁଷି ଦେଇ ରାଜୀବ କହିଲା, ନାଇଁବା, ତୋର କିଛି ହେବନି। ଭାଉଜଙ୍କ ଆଡକୁ ଚାହିଁଲା ବୋଉ। କହିଲା- ଥଣ୍ଡା ଅଧିକ ଯୋଗୁ ଟିକେ କଣ ହୋଇଗଲା । କଣ ଦରକାର ଥିଲା ଫୋନ କରି କହିବାକୁ। ପିଲାଟା ଏତେ ଥଣ୍ଡା ରେ ଅଯଥା ଆସିଲା । ଯା, ତାକୁ କ'ଣ ଗଣ୍ଡେ ଖାଇବାକୁ ଦେଲୁ। ରାଜୀବ ଆଖିରୁ ଦୁଇ ଧାର ଲୁହ ଝରିପଡ଼ିଲା।ଏତେ ଅସୁସ୍ଥ ଥାଇ ବି ତା ଖାଇବା କଥା ବୋଉ ବୁଝୁଛି।
ବୋଉ ଚାରିପଟେ ଘେରି ରହିଥାନ୍ତି ସବୁ ନାତି ନାତୁଣୀ ମାନେ। ଦୁଇ ବୋହୁ ଓ ଦୁଇ ପୁଅ ବି। କେମିତି ଏକ ଅପୂର୍ବ ଖୁସି ର ଝଲକ ଦେଖାଗଲା ବୋଉ ର ମୁହଁ ରେ। ନାତି ନାତୁଣୀ ମାନଙ୍କୁ ପାଖକୁ ଭିଡିଆଣି କହିଲା- ଜମା ବ୍ୟସ୍ତ ହୁଅନି।ଜେଜେବାପା ଭଳି ଏତେ ଥଣ୍ଡା ରେ ମୁଁ ମୋ ପିଲାମାନଙ୍କୁ ଜମା ହଇରାଣ କରିବିନି।
@ କୋଣାର୍କ, ପୁରୀ।