ଆଚରିବା ଆମେ ଉତ୍ତମ ଶିକ୍ଷା
ଆଚରିବା ଆମେ ଉତ୍ତମ ଶିକ୍ଷା
ସୁମିତ୍ ଓ ସରିତ୍ ଦୁଇ ସାଙ୍ଗ । ସେମାନେ ଏକା ଶ୍ରେଣୀରେ ପଢନ୍ତି । ଗୋଟିଏ ସ୍କୁଲ୍କୁ ପାଠ ପଢିବାକୁ ଯାଆନ୍ତି । ଉଭୟେ ଭଲ ପାଠ ପଢନ୍ତି । କିନ୍ତୁ ସେମାନଙ୍କ ଗୁଣରେ କିଛି ଭିନ୍ନତା ଥିଲା । ସୁମିତ୍ ଦୟାଶୀଳ ଓ ପରୋପକାରୀ ଥିଲା ; କିନ୍ତୁ ସରିତ୍ ନିର୍ଦ୍ଦୟ, ନିଷ୍ଠୁର ଓ ସ୍ୱାର୍ଥପର ଥିଲା । ତେଣୁ ଶିକ୍ଷକ ଓ ଗୁରୁଜନମାନେ ସୁମିତ୍ କୁ ଅଧିକ ଭଲ ପାଉଥିଲେ । ଏଣିକି ସରିତ୍ ସୁମିତ୍ ପ୍ରତି ଅଧିକ ଈର୍ଷାଳୁ ହୋଇ ପଡିଲା । ସେ ଭାବୁଥିଲା ଗୁରୁଜନମାନେ ସୁମିତ୍ କୁ କାହିଁକି ଅଧିକ ଭଲ ପାଆନ୍ତି? ତାକୁ କାହିଁକି ନୁହେଁ?? ଗୁରୁଜନମାନେ ଉପଦେଶ ଛଳରେ ତାକୁ ବୁଝାନ୍ତି ଯେ ତାର ଆଚରଣରେ ପରିବର୍ତ୍ତନ ନିହାତି ଜରୁରୀ । ଗୁରୁଜନଙ୍କ ଉପଦେଶକୁ ସରିତ୍ ତୁଛ ମନେ କରି ଧିରେ ଧିରେ ଅଧିକ ହିଂସ୍ର ହୋଇପଡିଲା । ସେ ସୁମିତ୍ ର ପ୍ରସଂଶା ସହ୍ୟ କରିପାରିଲା ନାହିଁ । ସେ ସବୁବେଳେ ସୁମିତ୍ କୁ ଅପମାନିତ କରିବାର ସୁଯୋଗ ଉଣ୍ଡିଲା । ଏସବୁ ସତ୍ତ୍ୱେ ସୁମିତ୍ ର ସରିତ୍ ପ୍ରତି କୌଣସି ପ୍ରତିକୂଳ ମନୋଭାବ ନଥିଲା ।
ଦିନକର କଥା : ସୁମିତ୍ ଓ ସରିତ୍ ସ୍କୁଲ୍ ଯାଉଥାନ୍ତି । ଶୀତୁଆ ସକାଳ । ରାସ୍ତାରେ ଜଣେ ବୃଦ୍ଧଲୋକ ପଡିଯାଇଥାନ୍ତି ।ବୃଦ୍ଧ ଜଣକ ସାହାଯ୍ୟ ମାଗିବାରୁ ସରିତ୍ କହିଲା, “ମୋର ସ୍କୁଲ୍ ଟାଇମ୍ ହେଲାଣି, ବିଳମ୍ବ ହେଲେ ସାର୍ ମୋତେ ଗାଳି ଦେବେ । ସୁମିତ୍ ର ଦରଦୀ ହୃଦୟ କିନ୍ତୁ ସେଠାରେ ଅଟକିଗଲା । ସେ ବୃଦ୍ଧ ଜଣକୁ ଉଠାଇ ଡାକ୍ତରଖାନା ନେଲା ଓ ତାଙ୍କ ସମ୍ପର୍କୀୟଙ୍କୁ ଖବର ଦେଲା । ବିଳମ୍ବରେ ପହଞ୍ଚିବାରୁ ଶିକ୍ଷକ ତାକୁ ଗାଳି ଦେଲେ । ଏଥିରେ ସରିତ୍ ଖୁସି ହେଲା । ଏତିକି ବେଳେ ବୃଦ୍ଧଙ୍କ ପୁଅ ସୁମିତ୍ କୁ ଖୋଜିଖୋଜି ଆସି ସ୍କୁଲରେ ପହଞ୍ଚି ଯାଇଥିଲେ । ସେ ଥିଲେ ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ । ସେ ଶିକ୍ଷକଙ୍କୁ ସବୁ କଥା କହିଲେ । ଏଥର ଶିକ୍ଷକ ସୁମିତ୍ ର ମହନୀୟ କାର୍ଯ୍ୟ ସଂପର୍କରେ ଅବଗତ ହେଲେ ଓ ସରିତ୍ କୁ ସାମାନ୍ୟ ଗାଳି କଲେ । କହିଲେ, “କେବଳ ପାଠରେ ନୁହେଁ, ଗୁଣରେ ମଧ୍ୟ ଉତ୍ତମ ହେବା ଆବଶ୍ୟକ।" ସେହି ବର୍ଷ ବାର୍ଷିକ ଉତ୍ସବରେ ଯୋଗ ଦେଇ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଜଣକ ସ୍ୱହସ୍ତରେ ସୁମିତ୍ କୁ ଉତ୍ତମ ଛାତ୍ର ରୂପେ ପୁରଷ୍କୃତ କଲେ ଆଉ କହିଲେ ପୁସ୍ତକ ଗତ ବିଦ୍ୟାକୁ ଗଳାଧିକରଣ କରି କେବଳ ପରୀକ୍ଷାରେ ଭଲ ନମ୍ବର ରଖିବା ଉତ୍ତମ ଛାତ୍ରର ଲକ୍ଷଣ ନୁହେଁ; ବରଂ ସେହି ଛାତ୍ର ଉତ୍ତମ ଯେ ବିଦ୍ୟାଶିକ୍ଷା ଦ୍ୱାରା ପ୍ରାପ୍ତ ସଦଗୁଣକୁ ନିଜ ଆଚରଣ ଓ କାର୍ଯ୍ୟରେ ପ୍ରତିଫଳିତ କରାଏ । ଏବେ ସରିତ୍ ନିଜ ଭୁଲ୍ ବୁଝିପାରରିଲା । ସୁମିତ୍ କୁ ସେ କ୍ଷମା ମାଗିଲ।। ଏବେ ସେ ଦୁହେଁ ପୁଣି ଭଲ ସାଙ୍ଗ ।
ପିଲାମାନେ ଆମ ପାଠ୍ୟପୁସ୍ତକ ଆମକୁ ଅନେକ ନୀତିଶିକ୍ଷା ଦିଏ, ଆମେ ସେସବୁକୁ ଆମ କାର୍ଯ୍ୟରେ ପ୍ରତିଫଳିତ କରିବାକୁ ଶପଥ ନେବା ।
ଶୁଭକାନ୍ତ ସାହୁ
ଗୋପବନ୍ଧୁ ହାଇସ୍କୁଲ. ପୋଲସରା, ଗଞ୍ଜାମ ପିନ୍-୭୬୧୧୦
ମୋବାଇଲ୍-୯୮୬୧୭୩୨୨୫୬,
E- mail: sahusubhakanta@gmail.com