Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Mishra

Others Tragedy

3  

Lopamudra Mishra

Others Tragedy

ଲାଲ ସଲାମ

ଲାଲ ସଲାମ

5 mins
14.4K


ପଙ୍କରେ ପଦ୍ମ ଫୁଟିବା ପରି ପିଣ୍ଟୁର ରାଘବଙ୍କ ଘରେ ଜନ୍ମ । ତାର ବିଚକ୍ଷଣ ବୁଦ୍ଧି ଓ ପ୍ରଚଣ୍ଡ ଧୀଶକ୍ତିର ପରିଚୟ ସ୍କୁଲ ବେଳୁ ହିଁ ମିଳିପାରିଥିଲା । ଶିକ୍ଷକମାନେ ରାଘବକୁ ଡକେଇ କୁହନ୍ତି, "ରାଘବ ! ପୁଅ ଖୁବ ଭଲ ପଢୁଛି । ତାକୁ କ୍ଷେତ ବିଲ କାମରେ ନଲଗେଇ ଆହୁରି ଆଗକୁ ପଢା । ତା ପଢିବା ପାଇଁ ତୋତେ ବେଶି କିଛି ଖର୍ଚ୍ଚ କରିବାକୁ ପଡିବନି । ସରକାରୀ ସହାୟତା ମିଳିବ । ସେ ପଢିଲେ ତୋର ନାଁ ରଖିବ । "

ପିଣ୍ଟୁ ଆହୁରି ବେଶୀ ପଢେ । ଖୁବ ମନ ଲଗାଇ ପଢେ । ରାଘବ ଓ ମିନତୀ ଙ୍କର ଦୁଃଖ ଓ ଦାରିଦ୍ର୍ୟର ଅନ୍ତ କରିବ ଏଇ ତାଙ୍କର ପୁଅ । ସେମାନେ ଦୁହେଁ ପୁଅର ବିଦ୍ୟା ବୁଦ୍ଧି ଉପରେ ଅନେକ ଭରଷା ରଖନ୍ତି ।

ପିଣ୍ଟୁ ଏବେ ନିଜ ପାଠ ବହି ବାହାରେ ଆହୁରି ଗୁଡ଼ାଏ ବହି ଆଣି ପଢା ପଢ଼ି କଲାଣି । ରାତି ରାତି ଅନିଦ୍ରା ହୋଇ ପଢୁଛି । କଣ ସବୁ ଲେଖା ଲେଖି କରୁଛି । ହଷ୍ଟେଲରୁ ଘରକୁ ଆସିଲେ ଆଗ ଭଳି ଆଉ ଟିଭିରେ କ୍ରିକେଟ ଦେଖି ସମୟ ନଷ୍ଟ କରୁନି ବରଂ କିଛି ପଢୁଛି ଓ ବସି ବସି କଣ ସବୁ ଲେଖି ପକାଉଛି ।

ସେଦିନ ରାଘବ କାମରୁ ଫେରି ପିଣ୍ଡାରେ ବସି ମୁଢି ଖାଉଥିଲେ , ପଡିଶା ଘର ସନା ଆସି କହିଲା,

--ରଘୁଭାଈ ! ପିଣ୍ଟୁଆକୁ ଏବେ ଟିଭିରେ ଦେଖିଲି । ଦଳେ କଲେଜ ପିଲା କଣ ଗୋଟେ ଦାବୀ କରୁଛନ୍ତି । ପିଣ୍ଟୁଆ ସମସ୍ତଙ୍କ ଆଗରେ ଠିଆ ହେଇ 'ଆମର ଦାବୀ ' 'ଆମର ଦାବୀ' କହୁଥିଲା । ପୁଲିସ ଵି ଆସି ତାଙ୍କୁ ବାଡ଼ିରେ ପିଟୁଥିଲେ ।

ରାଘବଙ୍କ ହାତରୁ ମୁଢି କଂସାଟା ଖସି ପଡିଲା । ମିନତୀ ଘର ଭିତରୁ ବାହାରି ଆସି କିଛି ନବୁଝି କାନ୍ଦି ପକେଇଲେ । ରାଘବ ପିଣ୍ଟୁକୁ ସଙ୍ଗେ ସଙ୍ଗେ ଫୋନ ଲଗେଇଲେ ଆଉ ଘଟଣା କଣ ପଚାରିଲେ । ପିଣ୍ଟୁ ସେପଟୁ ନମ୍ରତାର ସହ କହିଲା, "ସେ କିଛି ନୁହେଁ ବାପା । ଲୋକଙ୍କ ମଙ୍ଗଳ ପାଇଁ କିଛି ଗୋଟେ ମାଗିବାକୁ ହେଲେ ଏମିତି ହିଁ ମଗାଯାଏ । ମାଡ ଵି ଖାଇବାକୁ ପଡେ । ତୁମେ ବ୍ୟସ୍ତ ହୁଅନା । "

ରାଘବ ଏପଟୁ କହୁଥିଲେ, "ତୋର କାହା ପାଇଁ କିଛି ମାଗିବା କଣ ଦରକାର କହ ? ତୋର ଯଦି କିଛି ଆବଶ୍ୟକ ମତେ କହୁନୁ? ମୁଁ ଜମିବାଡ଼ି ବିକି ଭାଙ୍ଗି ଦେବି "।

ରାଘବଙ୍କ କଥା ଶେଷ ହୋଇନି ସେପଟୁ ପିଣ୍ଟୁକୁ କେହି କିଛି କହୁଥିବାର ଶୁଭାଗଲା, "ପିଣ୍ଟୁଭାଈ ! ଲାଲ ସଲାମ । ଆଜି ସେଣ୍ଟ୍ରାଲ ହଷ୍ଟେଲରେ ଦଶଟା ବେଳେ ତ? "

ରାଘବ ପଚାରିବାକୁ ଚାହୁଁଥିଲେ କଣ ଏଇ 'ଲାଲ ସଲାମ' ଆଉ କଣ ସବୁ ଚାଲିଛି ସେଠି, ପିଣ୍ଟୁ କିନ୍ତୁ ପରେ କଥା ହେବ କହି ଫୋନ କାଟିଦେଲା ।

ପିଣ୍ଟୁ ଏବେ ଘରକୁ ଆସିଲେ ଖୁବ ଚିନ୍ତିତ ଥିଲା ପରି ଜଣାପଡେ । ବାରମ୍ବାର ତାକୁ ଫୋନ ଆସେ । ସେ 'ଲାଲ ସଲାମ' କହୁଥିବାର ବୋଉ ତାର ଅନେକବାର ଶୁଣିଲାଣି । ପିଣ୍ଟୁ ଫୋନରେ ସମାଜର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରେ । କାହାକୁ କି କି ସବୁ ପରାମର୍ଶ ଦେଉଥାଏ । ବାପା ବୋଉ ତାର ଅଗମୂଳ କିଛି ବୁଝିପାରନ୍ତିନି ।

ବାପା ପଚାରନ୍ତି, " ପିଣ୍ଟୁ ! ପରୀକ୍ଷାଟା ସରିଲେ କଣ କରିବୁ ଭାବିଛୁ? ଆଗକୁ ପଢ଼ିବୁନା କିଛି ଚାକିରୀ ବ୍ୟବସ୍ଥା କରିବୁ? "

ବୋଉ ପଚାରେ, "ଧନ ତୁ କିଛି ଭୁଲ କାମ କରୁନୁତରେ?ପୁଲିସ କାହିଁକି ତତେ ପିଟିଲା? "

ପିଣ୍ଟୁ ହସି ହସି କହେ, "ନାଇଁ ଲୋ ବୋଉ ମୁଁ କିଛି ଭୁଲ କରୁନି । ପୁଲିସ ଭଲ କାମ କଲେ ଵି ବେଳେ ବେଳେ ପିଟେ । ସେ ପା ଆଉ କାହାର ଗୋଲାମ । ପିଟି କି ସାଵାଡ଼ ନକଲେ ଲୋକଙ୍କ ଡର କମିଯିବନି? ଗାନ୍ଧୀଜୀଙ୍କୁ ତ ପୁଣି ପୁଲିସ ପିଟିଥିଲା । "

--ବାବୁରେ ତୁ କଣ କହୁଛୁ ମୁଁ କିଛି ଵି ବୁଝିପାରୁନି । ଗାନ୍ଧୀ ସିନା ଦେଶକୁ ସ୍ୱାଧୀନ କରିବା ପାଇଁ ମାଡ଼ ଖାଇ ଜେଲ ଯାଇଥିଲେ । ତୁ କାହିଁକି ସେମିତି ମାଡ଼ ଖାଇବୁ ଧନ?

--ବୋଉ ମୁଁ ଵି ସେଇମିତି କିଛି କରିବାକୁ ଚାହୁଁଛି । କିଛି ଭଲ କରିବାକୁ ଚାହୁଁଛି । କିଛି ଭୁଲ ଜିନିଷକୁ ବଦଳେଇ ଠିକ ଟା ଆଣିବାକୁ ଚାହୁଁଛି ।

--ତୋ ଉପରେ ମୋର ଯଥେଷ୍ଟ ଭରଷା ଅଛି ଯେ ବାବା, ହେଲେ ତୋର କିଛି ହେବନି ତ ?

--ତୁ ବ୍ୟସ୍ତ ହୋନା ବୋଉ ।

ପିଣ୍ଟୁର ଶକ୍ତିଶାଳୀ ଲେଖା ଓ ଚୁମ୍ବକୀୟ ବକ୍ତବ୍ୟର ଆହ୍ୱାନରେ ଉଦ୍ବୁଦ୍ଧ ହୋଇ ଅନେକ ଛାତ୍ରଛାତ୍ରୀ ତା'ର ନିଆରା ବିପ୍ଳବରେ ସାମିଲ ହେଲେଣି । ବିରାଟ ଏକ ପରିବର୍ତ୍ତନ ଏବେ ଅବଶ୍ୟାମ୍ଭବୀ ।

ପିଣ୍ଟୁ କଲେଜ ପଢ଼ା ପଢ଼ି ସହ ତାର ସେହି ବୈପ୍ଲବିକ ଆନ୍ଦୋଳନରେ ଏତେ ବ୍ୟସ୍ତ ରହୁଛି ଯେ ଆଉ ଏତେଟା ଘରକୁ ଆସିପାରୁ ନାହିଁ ।

ଆଜି ପିଣ୍ଟୁର ଘର ଆଗରେ ବହୁତ ଭିଡ଼ । କିଛି ସରକାରୀ ଲୋକ ଗାଁରେ ତାର ସେହି ଛୋଟିଆ ଘରଟିର ସବୁ ଛୋଟ ମୋଟ ଜିନିଷକୁ ବିକ୍ଷିପ୍ତ କରି ପକାଉଛନ୍ତି । କଣ ଗୋଟେ ଖୋଜା ଚାଲିଛି । ରାଘବ ଓ ମିନତୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପୁଲିସ ପଚରା ଉଚୁରା କରୁଛି । ଗାଁ ଲୋକେ କହୁଛନ୍ତି, "ପିଣ୍ଟୁ ଆମର ଖୁବ ମେଧାବୀ ଛାତ୍ର । ସେ ଆମ ସମସ୍ତଙ୍କୁ ବହୁତ ସମ୍ମାନ ଓ ଶ୍ରଦ୍ଧା କରେ । ସେ କିଛି ଖରାପ କାମ କରିନଥିବ ।"

ଏବେ ସବୁ ନିଉଜ ଚ୍ୟାନେଲରେ ପିଣ୍ଟୁର ଖବର । ସେ କୁଆଡେ ଜଣେ ଆତଙ୍କବାଦୀ । କଲେଜ କ୍ୟାମ୍ପସରେ ଆତଙ୍କ ଖେଳାଉଛି ଓ ଛାତ୍ରମାନଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଉଛି । ପିଣ୍ଟୁକୁ ପୁଲିସ ଖୋଜୁଛି । ଅନେକଙ୍କର ଦାବୀ ପିଣ୍ଟୁକୁ ଯଥାଶୀଘ୍ର ଆରେଷ୍ଟ କରାଯାଉ । ପିଣ୍ଟୁ କିନ୍ତୁ ଗଲା କୁଆଡେ? ପିଣ୍ଟୁ ଫେରାର !!

ସେ କହୁଥିଲା କଣ? କଣ ଏମିତି ଆତଙ୍କୀ ସୃଷ୍ଟି କଲା?ସେ ତ ତା ବୋଉକୁ କହୁଥିଲା ଯେ ସେ ସମାଜରେ ଥିବା ଭୁଲ ଜିନିଷ ଗୁଡାକୁ ସୁଧାରିବାକୁ କଣ ଗୋଟେ ଲେଖୁଛି । ସେହି କଥା କଣ ସତରେ ଆତଙ୍କୀ ଖେଳାଇଦିଏ ?

ପିଣ୍ଟୁର ଘର ଆଗରେ ପୁଲିସ ଜଗିଛି । କେତେବେଳେ ପିଣ୍ଟୁ ଘରକୁ ଆସିବ? ବାପାବୋଉ ଦୁଇଟା କାନ୍ଦି କାନ୍ଦି ଅଧା ମରିସାରିଲେଣି । ରାତିରେ ନିଦ ନାହିଁ । ଘରେ ଚୁଲି ଜଳୁନି । ପିଣ୍ଟୁ ବୋଉ ପଚାରୁଛନ୍ତି, "ହଇହେ ! ଏ ଲାଲ ସଲାମ କଣ?

--ମୁଁ କିଆଁ ଜାଣିବି? ସେହି ନାଲିଆ ସଲାମ ଆମ ପୁଅକୁ ସାଇଲା ପିଣ୍ଟୁ ବୋଉ ।

ପିଣ୍ଟୁର ଘରୁ ପିଣ୍ଟୁର ପୁରୁଣା ବହିପତ୍ର ଭିତରୁ କିଛି ଗୁପ୍ତ ତଥ୍ୟ ପୁଲିସର ହସ୍ତଗତ ହୋଇଛି । କିପରି ତଥ୍ୟ? ଯିଏ ପାଇଛି ତା ବ୍ୟତୀତ ବାକି କାହାକୁ ମଧ୍ୟ ଜଣା ନାହିଁ । କିନ୍ତୁ ଟିଭି ଦେଖୁଥିବା ଲୋକେ କହୁଛନ୍ତି, "ପାଠ ଶ।ଠ ପଢ଼ି ପିଲାଗୁଡ଼ା ଏପରି କଦର୍ଯ୍ୟ କାର୍ଯ୍ୟ କରିବା ବାସ୍ତବିକ ନିନ୍ଦନୀୟ "।

ଅନେକ ଦିନ ହୋଇଗଲାଣି ପିଣ୍ଟୁ ନା ଘରକୁ ଫେରୁଛି ନା ସେ ପୁଲିସ ହାତରେ ଧରା ପଡୁଛି ।

କଣ ଗୋଟେ ଖବର ମିଳିଛି । ସଭିଏଁ ଗୋଟେ ନିର୍ଦ୍ଧିଷ୍ଟ ଜାଗାକୁ ଧାଉଁଛନ୍ତି । ରକ୍ତ ଜୁଡୁବୁଡୁ ହୋଇ ଯୁବକଟିର ନିଷ୍ପ୍ରାଣ ଶରୀର ରାସ୍ତା ଉପରେ ଲୋଟିପଡିଛି । ରାଘବ ମିନତୀ ଦୌଡ଼ି ଆସିଲେ । ମିନତୀ ଯୁବକଟିର ମୁହଁକୁ ଶାଢ଼ୀ କାନିରେ ପୋଛି ପକେଇଲେ । ଶବଟି ଆଉ କାହାର ନୁହେଁ, ତାଙ୍କରି ମେଧାବୀ ପୁଅର । ସେ ଆଖିବୁଜି ଶୋଇଛି ।

ପିଣ୍ଟୁର ସାର୍ଟ ପକେଟରୁ ରକ୍ତ ଲଗା କାଗଜଟିଏ ବାହାରକୁ ବାହାରି ପଡିଛି । ମୋଡ଼ା ହୋଇ ରହିଥିବା ସେହି କାଗଜଟିରେ କେତୋଟି ଶବ୍ଦ ମିନତୀ ଓ ରାଘବଙ୍କୁ ଅସ୍ପଷ୍ଟ ଦେଖାଯାଉଛି । "ପ୍ରିୟ କମ୍ରେଡସ ଲାଲ ସଲାମ "।

ଲୋପାମୁଦ୍ରା ମିଶ୍ର


Rate this content
Log in