Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମିଛ ପାପ
ମିଛ ପାପ
★★★★★

© Soumya Shubhadarshinee

Drama Inspirational

7 Minutes   7.5K    19


Content Ranking

ପାପ ପୂଣ୍ୟର ଅନୁଭବ ସବୁବେଳେ ଆପେକ୍ଷିକ। ପରିସ୍ଥିତି ଓ ପରିବେଶ ଅନୁସାରେ ହିଁ ନିର୍ଣ୍ଣୟ କରିହୁଏ ଏହି ଦୁଇ ତଥ୍ୟର ପ୍ରାସଙ୍ଗିକତା।

★★★★

ଗାଁ ଗୋଟାକ ଯାକ ଦେବୀଘର ଚଉତରାରେ ଏକାଠି ହେଇଥିଲେ। ସନା କକେଇ ଗାଁର ସରପଞ୍ଚ ନିଜେ ଲୋକ ପଠେଇ ଡକେଇ ଥିଲେ। ସଭିଏଁ ଫୁସରୁ ଫାସର ହେଉଥିଲେ। ସତରେ କ'ଣ ହବ ମଣ୍ଟୁ ପଣ୍ଡିତଙ୍କ ନାଟୁଆ, ପୁଅର ? ତା' ସକାଶେ ବଡ଼ ହନ୍ତସନ୍ତ ହେଉଛନ୍ତି ପଣ୍ଡିତ । ବିଚରା ସାରା ଜୀବନ ହୀନସ୍ତା ହେଲେ ଖାସ୍ ତାରି ପାଇଁ।

*********

ବାଳ ଗୋପାଳ ମନ୍ଦିରର ପୂଜକ, ଭାରି ଧର୍ମ ବିଶ୍ୱାସୀ, ବଡ଼ ନିରାମୟ ମଣିଷ ମଧୁ ପଣ୍ଡିତ। କେବେ ମିଛ, ଖଚ, ଚୋରୀ, ନାରୀ ପରି ଅପକର୍ମ କରିବାତ ଦୂର କଥା କଳ୍ପନା ବି କରନ୍ତି ନାହିଁ। ପଣ୍ଡିତଙ୍କ ମାଉସୀ କଟକି ବୋହୁ ବଡ଼ ସରାଗରେ ତାଙ୍କ ନାଁ ମଧୁସୂଦନ ଦେଇଥିଲା।ଆଉ ଟିକେ ଚପଳତା ଭିତରେ ଡାକ ନାଁ ଦେଇଥିଲା ମଧୁ। ପଣ୍ଡିତଙ୍କ ବୋଉ ନଥିଲା , ତେଣୁ ମାଉସୀ ଘରେ ବଢି ଥିଲେ ପଣ୍ଡିତେ । କଟକରେ ପାଠସାଠ ପଢ଼ା ସାରିବା ପରେ ଗାଁକୁ ଆସି ମନ୍ଦିର ସମ୍ଭାଳି ଥିଲେ। ବଡ଼ ସଂସ୍କାର ଦେଇଥିଲା ମାଉସୀ। ଆଉ ମଦନ ମୋହନ ମନ୍ଦିର ବଡ଼ ପୂଜାରୀ ମଉସାଙ୍କ ସହ ରହି ସବୁ ପୂଜାବିଧି ଶିଖି ଥିଲେ ମଧୁ ପଣ୍ଡିତ।

ଗାଁ ଗୋଟାକର ସବୁ ମେଳା ମଉଛବ, ସତ୍ୟନାରାୟଣ ପୂଜା, ସଂକ୍ରାନ୍ତି ହୋମ,ଶନି ମେଳା, ଆଖଣ୍ଡଳମଣି ମେଳା , ବାହା , ବ୍ରତ ଯାବତୀୟ କର୍ମ କାଣ୍ଡର ମୁଖ୍ୟ ପୁରୋଧା ଥିଲେ ମଧୁ ନନା। ଚାରି ଆଡ଼େ ବଡ଼ ନାଁ ଡାକ ଥିଲା ତାଙ୍କର। କାହାରି ଘରେ ପଣ୍ଡିତଙ୍କ ପରାମର୍ଶ ବିନା କୌଣସି ଶୁଭ କାମ ହେଉ ନଥିଲା।

ସଭିଙ୍କ ମଙ୍ଗଳ ମନାସି ପୂଜାର୍ଚ୍ଚନା କରୁଥିବା ପଣ୍ଡିତ କିନ୍ତୁ ନିଜ ଠାକୁରଙ୍କୁ ବୋଧେ ସନ୍ତୁଷ୍ଟ କରିବାରେ ବିଫଳ ହେଇଥିଲେ। ମା' ଛେଉଣ୍ଡ ପଣ୍ଡିତ ବଡ଼ ସରଗରେ ଯେଉଁ ଝିଅକୁ ପଣ୍ଡିତାଣୀ ସଜେଇଲେ ସେ ବି ଝିଅଟିଏ ଆଉ ପୁଅଟିଏ କୋଳରେ ଦେଇ ଆର ପାରିକୁ ଚାଲି ଗଲା। ଏଇଥିରେ ପଣ୍ଡିତ ବୁଝି ଗଲେ ଈଶ୍ୱର ହୁଏତ ତାଙ୍କୁ ସୁଖୀ ମଣିଷ ଭାବେ ଗଢି ନାହାନ୍ତି। ଏମିତି ଦୁଃଖରେ ବିତିବ ଜୀବନ । ଏହାହିଁ ବିଧି ନିର୍ଦ୍ଦିଷ୍ଟ। ସେଇ ବିଶ୍ୱାସରେ ଆଉ ସଂସାର ଗଢିବାକୁ ଇଛା କି ସାହସ କଲେ ନାହିଁ। ରହିଗଲେ ଏକା ସାରା ଜୀବନ ବାଳ ଗୋପାଳଙ୍କ ପାଦ ତଳେ। ତାଙ୍କରି ନିର୍ଦ୍ଦେଶରେ ସାରା ଜଗତ ଚଳାଚଳ ସେ କି ଆଉ ଅମାନ୍ୟ କରିବେ।

ନିଜ ପିଲା ଦୁଇଟିଙ୍କୁ ବଡ଼ ଯତ୍ନରେ ପାଳି ପୋଷି ମଣିଷ କରିବାର ସବୁ ପ୍ରଯତ୍ନ କରିଥିଲେ ପଣ୍ଡିତେ। ଆଉ ନିଜ କଥା ନୁହେଁ ନିଜ ଆଗାମୀ ଭବିଷ୍ୟତ କଥା ଘାରୁ ଥିଲା ତାଙ୍କୁ। ସେଇ ବାଳ ଗୋପାଳଙ୍କ ମନ୍ଦିର ଭିତରେ ବଢିଥିଲେ ପିଲାଏ।

*********

ଛୋଟ ଗାଁର ମୂର୍ଖ ଅପାଠୁଆ ଲୋକ ଗୁଡା ଆଉ କ'ଣ କରିଥାନ୍ତେ। ପଣ୍ଡିତ ତ' ଆଉ ବଡ଼ ସହରରେ ନାହାଁନ୍ତି ଯେ ଖବରଟା ଲୁଚିଯିବ। କାନକୁ ଦିକାନ ହେବାକୁ ଲାଗିଲାନି ଟିକେବି ଡେରି। ହଁ ସେମିତି ହିଁ ହେଇଥିଲା , ପଣ୍ଡିତଙ୍କ ପୁଅଟି ଯେ ମାଇଚିଆ , ହିଞ୍ଜଡ଼ା ଏତକ ବୁଝିବାକୁ ଡେରି ହେଇ ନଥିଲା। ଆଉ ଗାଁଉଲି ଲୋକ ଗୁଡା ଜୀବନ ଦୁର୍ବିସହ କରିଦେଇଥିଲେ। ଟାହି ଟାପରା ସହିବା ବଡ଼ ଯନ୍ତ୍ରଣା ଦାୟକ ହେଇଯାଇଥିଲା । ପୂଜା ପାଠବି ଗୋଟେ ରକମ ବନ୍ଦ ହେଇଗଲା କେବଳ ସେଇ ପୁଅ ଲାଗି। ବଡ଼ ସ୍ନେହରେ ମୋହନ ନାଁ ଦେଇଥିବା ପୁଅଟି ତିନି ତୁଣ୍ଡରେ ମୋହିନୀ ହେଇଯାଇଥିଲା।

ଅପୂର୍ବ ସୁନ୍ଦର ରୂପ ମୋହନର ସତେ କି ସ୍ଵୟଂ କାମଦେବ। ଗୋରା ରଙ୍ଗକୁ ଉଚ୍ଚ ଶରୀର। ଭାରି ମିଠା ରଙ୍ଗର ପୁଅଟି କିନ୍ତୁ ପ୍ରାପ୍ତ ବୟସରେ ଝିଅଙ୍କ ପରି ଦେଈର ପୋଷାକ ପିନ୍ଧି ଯେବେ ଆଇନା ଆଗରେ ଠିଆ ହେଲା ମରିଗଲେ ବିଚରା ପଣ୍ଡିତେ।

ଯେତେ ବୁଝେଇଲେ ପୁଅକୁ ପୁଅ ଅବୁଝା ହେଲା। ଝିଅ ବେଶରେ ତା ' ଖୁସି ବୋଲି ମୁହଁ ଖୋଲି କହିଲା। ଚୁଡି, ଟିକିଲି, ସ୍ନୋ , ପାଉଡର ଲୋଡ଼ା ବୋଲି ଅଝଟ କଲା। ହାବ ଭାବ , ଚାଲି ଚଳଣି ସବୁଥିରେ ପୁରୁଷ ନୁହେଁ ନାରୀର ପ୍ରତିଛବି ଦିଶିଲା। ଆଉ ଧିରେ ଧିରେ ସେ ସମ୍ପୂର୍ଣ୍ଣ ଭାବେ ମୋହିନୀ ସାଜିଗଲା।

*********

ସାରା ଯାତ୍ରା ପେଣ୍ଡାଲ୍ ତାଳିରେ ଉଠୁଛି ପଡୁଛି , ସବୁ ସୁସୁରୀ ମାରି କମ୍ପେଇ ପକାଉଛନ୍ତି। ମସ୍ତ ଡ୍ୟାନ୍ସ ନମ୍ବର ବାଜୁଛି ଆଉ ବୋବାଲିଆ ଲାଇଟି ଜଳୁଛି। ସଭିଏଁ ଆଖି , କାନ ତରାଟି ଅନେଇଛନ୍ତି ଜଣଙ୍କ ଆସିବା ବାଟ। ଏମିତି ନାଚ ମୋହିନୀର : ନଦେଖିଲା ଲୋକ ବିଶ୍ୱାସ କରିପାରିବ ନାହିଁ। ବିଚକ୍ଷଣ ତାଳ ଆଉ ଲୟ ଟିକିଏ ବି ବାରିବାର ନାହିଁ। ସାରା ରଙ୍ଗ ମହଲ ନାଟ ପାର୍ଟିର ଚଢା ଡିମାଣ୍ଡ ଖାସ ମୋହିନୀ ପାଇଁ। ନାଚ ନୁହେଁ ଗୋଟେ ଚୋଖା ଉପହାର ସଭିଙ୍କ ପଞ୍ଚେନ୍ଦ୍ରିୟ ପାଇଁ। ଗୋଟେ ମସ୍ତ ଆଇଟମ୍ ଏଇ ମୋହିନୀ।

ନଜାଣିଲା ଲୋକ ବିଲକୁଲ ବିଶ୍ୱାସ କରିବ ନାହିଁ ଯେ ସେ ଗୋଟେ ଝିଅ ନୁହେଁ। ସେ ଗୋଟେ ମାଇଚିଆ । ରଙ୍ଗ, ରୂପ , ଗୁଣ, ଚାଲି , ଠାଣି ସବୁଥିରେ ପୂରା ପୁରି ଝିଅଟିଏ ମୋହିନୀ। ଦେଖିଲା ଲୋକର ଆଖି ଧୋକା ଖାଇବାରେ ଟିକିଏ ବି ଭୁଲ ନାହିଁ।

ସତେ ସୁନ୍ଦରୀ ସେ , ଉପରଵାଲା ବଡ଼ ଯତ୍ନରେ ଗଢ଼ିଛି। କିନ୍ତୁ ଭାରି ଅନ୍ୟାୟ କରିଦେଇଛି।ତାକୁ ଝିଅର ସବୁ ଗୁଣ ଦେଇ ପୂର୍ଣ୍ଣ ଝିଅଟିଏ କରିବାକୁ ଭୁଲି ଯାଇଛି। ସତେ କେତେ ଦୁର୍ଭାଗ୍ୟ ! ରାତିର ରୋଷଣୀରେ ଦାଉ ଦାଉ ଜଳୁଥିବା ତା' ରୂପ ଦିନ ଆଲୋକରେ ଭାରି ନିଷ୍ପ୍ରଭ । ଆଡ଼ ଆଖିରେ ଦେଖନ୍ତି ନାହିଁ କେହି। ଗୋଟେ ଅବ୍ୟକ୍ତ ଯନ୍ତ୍ରଣା ମିଳେ ଖାଲି। ଅସମ୍ପୂର୍ଣ୍ଣ ସୃଷ୍ଟିର ମର୍ମ ବେଦନା କେହି ବୁଝି ପାରନ୍ତି ନାହିଁ। ସେ କେଵଳ ଗୋଟେ ବିଳାସର ବସ୍ତୁ କିନ୍ତୁ ମଣିଷ ନୁହେଁ। ତା'ର ସୃଷ୍ଟି ଗୋଟେ ବ୍ୟତିକ୍ରମ।

************

ମୋହିନୀର ମନେ ପଡେ ଗାଁ, ବାଳ ଗୋପାଳ , ନନା ଆଉ ଦେଈ। ମଣ୍ଟୁ ପଣ୍ଡିତେ କି କୁକର୍ମ କରିଛନ୍ତି କେହି ଜାଣିନି। ଏ ଜନ୍ମରେ ନା ପୂର୍ବ ଜନ୍ମରେ ତା' ବି କାହାକୁ ଗୋଚର ନୁହେଁ। କିଛି କିନ୍ତୁ ଅଛି ନିଶ୍ଚିତ ନହେଲେ କି ଏମିତି ହିଞ୍ଜଡ଼ାଟାଏ ଜନ୍ମ ନେଇଥାନ୍ତା ଘରେ। ପୂଜା ପାଠ କରୁଥିବା ଗୋଟେ ଭକ୍ତ ନିଶ୍ଚିତ ପ୍ରଭୁଙ୍କ ସେବାରେ ତ୍ରୁଟି କରିଛି , କିଛି ବିରାଟ ଅପରାଧ କରିଛି। ନିରୀହ ନନା ତା'ର ଏମିତି ହଜାରେ ଅପବାଦ ମୁଣ୍ଡେଇ ବାଟ ଚାଲି ପାରୁନଥିଲେ ଖାସ ତାଙ୍କ ମୋହନ ପାଇଁ।

ସେ ସ୍କୁଲରେ ପାଠ ବି ପଢି ପାରିଲା ନାହିଁ। ସାରଙ୍କଠୁ ନେଇ ପିଲାଙ୍କ ଯାଏଁ ସଭିଏଁ ଟାହି ଟାପରା କରି ବ୍ୟସ୍ତ କଲେ। ଆଉ ତା' ପାଠ ପଢ଼ାରେ ଡୋରୀ ବନ୍ଧା ହେଇଗଲା। ଘରେ ତା' ପାଉଡର ମଖା, କଜଳ ଲଗା, ଅଳତା ପିନ୍ଧା, ଏମିତି ଅନେକ ନିଷିଦ୍ଧ କରାଗଲା ବଡ଼ ନିଷ୍ଠୁର ଭାବେ। ନନା ବହୁତ ତାଗିଦ କଲେ, ଗାଳି କଲେ ଆଉ ମାଡ଼ବି ଦେଲେ କିନ୍ତୁ ସବୁ ନିଷ୍ଫଳ ହେଲା। ସେବି କ'ଣ କରିବ ତା'ର ତ' ସେମିତି ଇଛା ପ୍ରବଳ ଝିଅଟିଏ ହେଇଯିବାର।

ଏମିତି ସାମାଜିକ ଓ ପାରିବାରିକ ବିରୋଧ ବାଧ୍ୟ କଲା ତାକୁ ଘର ଛାଡ଼ି ବାକୁ। ବୁଝିଗଲା ସେ ତା'ର ଏଇ ସମୃଦ୍ଧ ସମାଜରେ ବଞ୍ଚିବାର ଅଧିକାର ନାହିଁ।ସେ ଗୋଟେ ବ୍ୟତିକ୍ରମ ଆଉ ସେଇଟା ହିଁ ବାସ୍ତବତା।

ଘର ଛାଡିବା ପରେ ମିଳିଯାଇଥିଲା ଯାତ୍ରା ପାର୍ଟି ଓସ୍ତାଦ । ସେହିଁ ତା' ଝଲମଲ ରୂପକୁ ନେଇ ସଜେଇଥିଲା ମୋହିନୀ ।ସେବେଠୁ ସେ ଏଇ ନାଟ ପାର୍ଟିରେ। ନାଚୁଛି ନିଜ ଭାଗ୍ୟକୁ ନିନ୍ଦି ନିନ୍ଦି । ଅଭିଶପ୍ତ ଜୀବନକୁ ବୋହି ବୋହି।

ଖବର ନିଏ ସେ ମଝିରେ ମଝିରେ ନନା ଆଉ ଦେଈର। ତା ' ଘର ଛାଡିବା ପରେ ସବୁ ଠିକ ଚାଲିଛି ଶୁଣି ଖୁସି ହୁଏ। ନନା ପୁଣି ମଧୁ ପଣ୍ଡିତର ଆସନ ପାଇ ଚଲେଇଛନ୍ତି କର୍ମ କାଣ୍ଡ ଆଉ ଦେଈ ବାହା ସାହା ହେଇ ନିଜ ସ୍ୱାମୀ ସଂସାର ଭିତରେ ଅଛି ଖୁସି ଖୁସି।

ବେଳ ଅବେଳ କେବେ ତା' ନିଜ ଗାଁରେ ନାଟପାର୍ଟି ପଡିବାର ହେଲେ କିନ୍ତୁ ମୋହିନୀ ଯିବାକୁ ମଙ୍ଗେ ନାହିଁ । କାହିଁକି କେଜାଣି ପୁଣି ସେଇ ଗାଁକୁ ଯିବାକୁ ଇଛା ହୁଏନି ତା'ର। ଗୋଟେ ଅଜଣା ଆତଙ୍କ ଖେଳି ଯାଏ ଦେହ ଆଉ ମନରେ। ଲାଗେ ସଭିଏଁ ପୁଣି ସେମିତି ଛିଗୁଲେଇ କହିବେ, ଅପମାନ ଦେବେ, ନନା ପୁଣି ମୁଣ୍ଡ ଟେକି ବାଟ ଚାଲି ପାରିବେ ନାହିଁ । ସାରା ଗାଁରେ ପୁଣି ତାକୁ ନେଇ କଦର୍ଯ୍ୟ ଟୀକା ଟିପ୍ପଣୀ ଚାଲିବ ସଭିଙ୍କ ମୁହଁରେ। ପୁଣି ଥରେ ସେଇ ତିକ୍ତ ଅନୁଭୂତିର ସମ୍ନା କରିବାର ସାହସ ନଥାଏ ତା' ପାଖେ। ସେ ନିଜ ପରିଚୟକୁ ନନାଙ୍କ ଆଗରେ ଉପସ୍ଥାପନ କରିବକୁ ଇଚ୍ଛା କରେନି ଜମା। ତେଣୁ ତା' ନାଟ ପାର୍ଟି କେବେ ତା' ନିଜ ଗାଁକୁ ଯାଏନି କାରଣ ତା' ବିନା କି ନାଟ??.....

*********

ପଣ୍ଡିତଙ୍କ ନାଟୁଆ ପୁଅ( ହିଞ୍ଜଡ଼ା) ମୋହନ ଆସିଛି ପୁରା ଦଶ ବର୍ଷ ପରେ। କିନ୍ତୁ ସମ୍ପୂର୍ଣ୍ଣ ନୂଆ ରୂପରେ। ସେ ଆଉ କୁଆଡେ ହିଞ୍ଜଡ଼ା ନୁହେଁ ସତ ସତିକା ଝିଅ ହେଇଯାଇଛି। ଆଜିକାଲିର ବିଜ୍ଞାନ ଯୁଗରେ ଏମିତି ଚମତ୍କାର ହେଉଛି। ଡାକ୍ତର , ଓଷଦ ଆଉ ଅପରସନ ସାହାଯ୍ୟରେ ଏମିତି ହିଞ୍ଜଡ଼ାଟା ଝିଅ ହେଇ ମୋହିନୀ ମିଶ୍ର ସାଜିଛି । ଆଉ ଆସିଛି ରହିବ ନନାଙ୍କ ସହ ବାକି ଜୀବନ। ନିଜ ନାଟ ପାର୍ଟିରୁ ଯେତେ ରୋଜଗାର କରିଥିଲା ସବୁ ଖର୍ଚ୍ଚ କରି ଗୋଟାପଣ ସତ ସତିକା ଝିଅ ହେଇଯାଇଛି। ଏଇ ବିଚିତ୍ର ଖବରଟାରେ ସାରା ଗାଁ ହୁଲୁସ୍ତୁଲୁ। ଆରେ ଏମିତିକି ହୁଏ ???...

ଗାଁ ଲୋକ ଗୋଟେ ବାରବୁଲା , ନାଟୁଆ, ହିଞ୍ଜଡ଼ାକୁ ସ୍ବୀକାର କରିବକୁ ଅମଙ୍ଗ। ମଣ୍ଟୁ ପଣ୍ଡିତ ନିଜ ଜନ୍ମ କଲା ପିଲାକୁ ଗ୍ରହଣ କରିବାକୁ ଅନିଛୁକ । ଘୋର କଳି କାଳର ପ୍ରଭାବରେ ଏମିତି ପାପ କର୍ମ ହେଉଛି। ପ୍ରକୃତିର ବିରୋଧରେ ଯାଇ ହିଞ୍ଜଡ଼ାଟେ ଝିଅ ହେବା ପାପ ନୁହେଁ ତ' ଆଉ କ'ଣ । ପଣ୍ଡିତେ ନିଜେ ଏହି କଥା ମାନିଛନ୍ତି। କେବେ ଏପରି କରୁଥିବା ମଣିଷ ତାଙ୍କ ପିଲା ହେଇନପାରେ। ଏତକବି କହି ସାରିଛନ୍ତି। ମୋହନ ତାଙ୍କ ଗଲା ଜନ୍ମର

ଅପକର୍ମର ଫଳ ଏଥିରେ ଆଉ ତିଳେ ବି ସନ୍ଦେହ ନାହିଁ।

କିନ୍ତୁ ମୋହିନୀ ଯିବାକୁ ଚାହୁଁନି। ନନାଙ୍କ ପାଖେ ରହି ସେବା ଯତ୍ନ କରିବାକୁ ଚାହୁଁଛି। ବୁଢା ବୟସର ସହାରା ହେବାକୁ ଚାହୁଁଛି। ପୁଅ ପରି ଦାୟିତ୍ୱ ନେବାକୁ ଆସିଛି।

ଗାଁ ଵାଲା କିନ୍ତୁ ପ୍ରତିରୋଧ କରୁଛନ୍ତି ମିଳିତ ଭାବେ। ଏମିତି କି ନିଆଁ ପାଣି ଅଟକ କରିଛନ୍ତି ମୋହିନୀକୁ।

ସେଇ କରିଥିଲା ଅଭିଯୋଗ ପଞ୍ଚ ମହାପ୍ରଭୁଙ୍କ ନିକଟରେ , '' କାହିଁକି ରହିବ ନାହିଁ ସେ ଝିଅର ପରିଚୟ ନେଇ ନିଜ ନନା ପାଖରେ। କି ସମସ୍ୟା ଏଥିରେ , ଏମିତି ବଞ୍ଚିବାର ଅଧିକାର ଅଛି ତା'ର। ଗାଁ ଲୋକ କିଆଁ ଅବରୋଧ କରିବେ। ଏଥିରେ ଅସାମାଜିକ କ'ଣ ଅଛି?"

ଏବେ ଦେଶର ନ୍ୟାୟ ବ୍ୟବସ୍ଥା ବି ଦେଉଛି ସେମାନଙ୍କୁ ସମାନ ଅଧିକାର। ସେ ତ ଏବେ ଆଉ ହିଞ୍ଜଡ଼ା ନୁହେଁ , ସମ୍ପୂର୍ଣ୍ଣ ଝିଅଟିଏ ।ତେବେ ତା' ଅଧିକାରକୁ ପ୍ରତିରୋଧ କରିବାକୁ ଏ ଗାଁ ଲୋକ କିଏ ? ହିଞ୍ଜଡ଼ା ଜୀବନର ଯନ୍ତ୍ରଣାରୁ ମୁକ୍ତ ହେଇ ସମ୍ପୂର୍ଣ୍ଣ ନାରୀ ହେଇଯିବା କି ପାପ ସତେ!!.....

ସେଇ ଘଟଣାର ସମାଧାନ ପାଇଁ ସଭିଏଁ ଦେବୀ ଘର ଚଉତରାରେ। ସଭିଙ୍କ ଆଖିରେ ଗୋଟିଏ ପ୍ରଶ୍ନ କି ଶୁଣାଣି ହେବ??...

***************

ପଞ୍ଚ ମହାପ୍ରଭୁ ବହୁ ବିଚାର ବିମର୍ଷ ପରେ ଦେଇଦେଲେ ନିଜ ରାୟ । ଗ୍ରହଣ କରିବ ନାହିଁ ତାଙ୍କ ଗାଁ ପଣ୍ଡିତ ଆଉ ତାଙ୍କ ଏଇ ମୋହିନୀକୁ । ଏମିତି ହୁଏନି ସେମାନଙ୍କ ଜାଣିବାରେ। ସତେ ଏଇଟା ଘୋର ପାପ । ଏମିତି ପାପକୁ ପ୍ରଶ୍ରୟ ଦେବନି କେବେ ତାଙ୍କ ଗାଁ। ପଣ୍ଡିତଙ୍କୁ ନିଜ ଗାଁରୁ ସବୁଦିନ ପାଇଁ ବାସନ୍ଦ କରାଯିବ ଆଉ ମନ୍ଦିରରେ ନୂଆ ପୁରୋହିତ ରହିବେ।

ନୀରବ ହେଇ ପଞ୍ଚ ମହାପ୍ରଭୁଙ୍କ ଅନ୍ଧ ବିଚାର ଶୁଣିଲା ମୋହିନୀ। କିନ୍ତୁ ପଣ୍ଡିତେ ଏଇ ବିଚାର ସହି ପାରିଲେ ନାହିଁ । ପୁଅ ଯାଉ ଦୁଃଖ ନାହିଁ , କାରଣ ସେତ କେବେଠୁ ଚାଲି ଯାଇଛି କିନ୍ତୁ ତାଙ୍କୁ ଗାଁରୁ ବିତାଡିତ କରିବା ବଡ଼ ଅନ୍ୟାୟ। ସେ ଏଥିପାଇଁ କେମିତି ଦାୟୀ , ସବୁ ତ ପ୍ରଭୁଙ୍କ ଇଚ୍ଛା। ଏମିତି ଅଭିଶାପ ଦେଲେ ଯେ ସାରା ଜୀବନ ଯନ୍ତ୍ରଣାରେ ବିତିଲା ତା' ପରେବି ଶେଷ ଜୀବନ ଆଉ ପ୍ରଭୁଙ୍କ ସେବା କରିବାର ସୁଯୋଗ ମିଳିବ ନାହିଁ!! ସହି ପାରିଲେ ନାହିଁ ସେ ଜମା ।ଗଛ କାଟିଲା ପରି ପଡିଗଲେ ଚେତା ହରେଇ। ମୋହିନୀ ମୋ ନନା କହି ଭୋ' କିନା କାନ୍ଦି ପକେଇଲା । ସଭିଙ୍କୁ ନେହୁରା ହେଲା ଡାକ୍ତରଖନା ନେଇ ଯିବାକୁ। କିନ୍ତୁ ଗାଁ ଲୋକେ ମୁହଁ ମୋଡି ଚାଲିଗଲେ। ଏଡ଼େ ବଡ଼ ବିପଦରେ କେହି ଆହା ପଦେ କହିଲେ ନାହିଁ।

ମୋହିନୀ ନିଜେ ବୋହି ନେଲା ନନାଙ୍କୁ ଗୋଟେ ରିକ୍ସାରେ ପକେଇ ଆଉ ପହଞ୍ଚେଇ ଦେଲା ଡାକ୍ତରଙ୍କ ପାଖରେ। ସଠିକ ସମୟରେ ଚିକିତ୍ସା ଫଳରେ ବଞ୍ଚି ଗଲେ ନନା। ଡାକ୍ତର ବାବୁ ବଡ଼ ଗର୍ବର ସହ ଜଣେଇଲେ , "ବଡ଼ ସୌଭାଗ୍ୟ ଆପଣଙ୍କର ପଣ୍ଡିତେ ଏମିତି ଝିଅଟିଏ ପାଇଛନ୍ତି। ଆଜି ତାରି ସକାଶେ ଜୀବନ ଫେରି ପାଇଲେ , ନହେଲେ ହୁଏ ତ କିଛି ବି ଅଘଟଣ ଘଟି ଥାନ୍ତା।"

ଦେଖୁଥିଲେ ପଣ୍ଡିତ ନିଜ ଅପକର୍ମର ଫଳକୁ । ଯାହାର ପିତା ଭାବେ ସାରା ଜୀବନ କେବଳ ଅବଶୋଷ କରିଥିଲେ ସେ ଆଉ ପିଇ ଥିଲେ ଅପମାନର ବିଷ। ଆଜି ସେଇ ମୋହନ ଝିଅ ହେଇ ସାଜିଛି ସହାରା ଆଉ ବଞ୍ଚେଇ ଦେଇଛି ଜୀବନ।

ସତରେ କ'ଣ ପାପ କରିଛି ସେ ଗୋଟେ ଅଭିଶପ୍ତ ଜୀବନର ପରିସମାପ୍ତି କରି ନା' ଝିଅଟିଏ ସାଜି ପୂଣ୍ୟ କରିଛି ଭବିଷ୍ୟତ ଜୀବନ ଲାଗି। ପଣ୍ଡିତ ଏଇ ସତ୍ୟର ତର୍ଜମା କରୁଥିଲେ ମନେ ମନେ ଆଉ ଈଶ୍ୱରଙ୍କୁ ଦେଉଥିଲେ ଅଶେଷ ଧନ୍ୟବାଦ ଏମିତି ସନ୍ତାନ ପାଇଁ। ମୋହିନୀ ରୂପ ପ୍ରଭୁଙ୍କର ଥିଲା ଅମୃତ ସୁରକ୍ଷା ପାଇଁ ପୁରାଣରେ ଆଉ ଆଜି ପୁଣି ଥରେ ହୁଏ ତ କେବଳ ତାଙ୍କ ପାଇଁ।

ସୌମ୍ୟା

ପାପ ପଣ୍ଡିତ ମୋହିନୀ

Rate the content


Originality
Flow
Language
Cover design

Comments

Post

Some text some message..