Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବିଡମ୍ବନା
ବିଡମ୍ବନା
★★★★★

© Prasanta kumar Hota

Inspirational

7 Minutes   14.5K    18


Content Ranking

ପରିମଳ ନିଜ ଘରେ ବିନୟ ଭୂଷଣଙ୍କୁ ଦେଖି ଯଦିଓ ବିସ୍ମିତ ହେଲେ ନାହିଁ କିନ୍ତୁ କିଛି କ୍ଷଣ ପାଇଁ ଆଶ୍ଚର୍ଯ୍ୟ ହେଲେ । କାରଣ ସେ ମେଳାପି ନୁହନ୍ତି। କାହା ଘରକୁ ଆଗ୍ରହରେ ଯାଆନ୍ତି ନାହିଁ କିମ୍ବା କେହି ତାଙ୍କ ଘରକୁ ଗଲେ ସେ ବିଶେଷ ଆଗ୍ରହ ଦେଖାନ୍ତି ନାହିଁ। ହଁ, ଅବଶ୍ୟ ଔପଚାରିକତା ଦୃଷ୍ଟିରୁ ଚାହା ପିଇବେ କି ବୋଲି ପଚାରି ଦିଅନ୍ତି। ଏହି ପଚାରିବାରେ ମଧ୍ୟ ତାଙ୍କର ଆତ୍ମୀୟତା ନଥାଏ। କେହି ବୁଝନ୍ତୁ କି ନ ବୁଝନ୍ତୁ ପରିମଳ କିନ୍ତୁ ଠିକ୍ ବୁଝିଥିଲେ ଯେ ଏହାର ଦୁଇଟା ଅର୍ଥ ଅଛି। ଅର୍ଥାତ୍ ଯଦି କେହି ଭଦ୍ରାମିରେ ବା ଲଜ୍ଜା ବଶତଃ ଚାହା ମନା କରିଦେଲେ ତାହେଲେ ଚାହା ବି ରହିଗଲା ଏବଂ ତାଙ୍କ ମାନ ସମ୍ମାନ ବି ବଞ୍ଚି ଗଲା। ଯଦି ଅକସ୍ମାତ ଚାହା ଦେବାକୁ ପଡିଲା ତାହେଲେ ଅତିଥି ସତ୍କାରର ଡିଣ୍ଡିମ ବାଜିଲା ଓ ପୁଣି ଚାହାର ଗୁଣବତ୍ତା ପାଇଁ କେବେ ଆଉ ପିଇବେ ନାହିଁ ବୋଲି ମଧ୍ୟ ନିଶ୍ଚିତ ହୋଇଗଲା । ବିନୟ ଭୂଷଣ ସେ ପର୍ଯ୍ୟନ୍ତ ଠିଆ ହେଇ ରହିଥିଲେ। ପରିମଳ ବସିବା ପାଇଁ କହିଲେ। ଉଭୟେ ସମସାମୟିକ ଓ ଆଗରୁ ପରିଚିତ ଥିବାରୁ ବିଶେଷ ଔପଚାରିକତାର ଆବଶ୍ୟକତା ପଡିଲା ନାହିଁ। ତଥାପି ପରିମଳ ନିଜ ଶଙ୍କାକୁ ଗୋପନ ରଖି ପଚାରିଲେ - ଏମିତି ହଠାତ୍ ଆସିଲେ ଯେ!

ବିନୟ ଈଷତ୍ ହସିଲେ, କିଛି କ୍ଷଣ ପାଇଁ କହିଲେ ନାହିଁ। ତାପରେ ମୌନ ଭଙ୍ଗ କରି କହିଲେ- ମୁଁ ଆସି କୌଣସି ଅସୁବିଧା କରୁନାହିଁ ତ!

-ନା! ନା! ଆପଣଙ୍କୁ ସ୍ଵାଗତ। ବହୁତ ଦିନ ପରେ ଆସିଛନ୍ତି ତେଣୁ ଅତିଥି ସେବାର ସୁଯୋଗ ଦିଅନ୍ତୁ। ଆପଣ ଅସୁବିଧା କୋଉଠି କଲେ ବୋଲି ଓଲଟା ପଚାରିଲେ ।ଏତିକି କହି ଘରେ ଚା’ ଜଳପାନର ବ୍ୟବସ୍ଥା କରିବା ପାଇଁ ଶ୍ରୀମତୀଙ୍କୁ ଜଣାଇ ଦେଲେ।

ବିନୟ ବାରମ୍ବାର ମନା କରୁଥାନ୍ତି। କିନ୍ତୁ ବିନୟଙ୍କ ମନା କରିବାଟା ମଳିନ ପଡି ଯାଉଥାଏ ପରିମଳଙ୍କ ପ୍ରଶଂସା ଶୈଳୀରେ।

କହୁଥାନ୍ତି -ଆପଣ ଭଦ୍ର ଓ ଶିଷ୍ଟ ବୋଲି ସଙ୍କୋଚ ପ୍ରକାଶ କରୁଛନ୍ତି। ଆମେ କଣ ବା ଖାଇବାକୁ ଦେଇ ପାରିବୁ। ମୋତେ ମୋ କର୍ତ୍ତବ୍ୟ କରିବାକୁ ମନା କରନ୍ତୁ ନାହିଁ। ଆପଣ ଗ୍ରହଣ କଲେ ଆମକୁ ଖୁସି ଲାଗିବ।

ଵିନୟଙ୍କ ଆଉ କୌଣସି ଚାରା ନଥିଲା। କିଛି କହି ପାରିଲେ ନାହିଁ। ବାଧ୍ୟ ହୋଇ କହିଲେ -ହୋଉ ଠିକ୍ ଅଛି। ତାପରେ କିଛି ସମୟ ଗମ୍ଭୀର ହୋଇ ପଚାରିଲେ -ପରିମଳ ବାବୁ ମୋତେ କିଛି ସମୟ ଦେବ!

ପରିମଳ ହସି କହିଲେ - ଅବସର ପରେ ଏଇଟା ତ ବହୁତ୍ ଶସ୍ତା। କେତେ ନେବ କୁହ ବୋଲି ମୃଦୁ ପରିହାସରେ ପଚାରିଲେ।

ପରିମଳଙ୍କ ସେହି ବାଳସୁଲଭ ଚପଳ ହସରେ ଖୁସିର ଝଲକ ଦେଖି ଜିଜ୍ଞାସା କଲେ - ଦୁଃଖ କଣ ସତରେ ଆପଣଙ୍କ ପାଖକୁ ଆସି ପାରେ ନାହିଁ।

ନା! ନା! କିଏ କହିଲା -ପରିମଳ କଥାରେ ବାଧା ଦେଇ ଉତ୍ତର ଦେଲେ। ଏଇ କାଲି ତ ଆସିଥିଲା ବୋଲି କହିଲେ। ଆଳୁ ଦୁଇ କିଲୋ ମୁଁ ଆଣିଲି ଯେ ଭିତର ସାରା ଖାଲି କଳା କଳା ଦାଗ। ମୋ ସ୍ତ୍ରୀ ରାଗୀ କି ସବୁ ଫୋପାଡ଼ି ଦେଲା। ମୋତେ କୌଣସି କାମକୁ ନୁହେଁ ବୋଲି ଆକ୍ଷେପ ବି କଲା। କହି -ଯୋରରେ ହସିବା ଆରମ୍ଭ କଲେ। ସେ ହସରେ ପ୍ରଚଣ୍ଡ ତୃପ୍ତି ଆନ୍ତରିକତା ଓ ଆନନ୍ଦ ଖେଳୁଥିଲା।

ବିନୟଙ୍କୁ ମଧ୍ୟ ହସ ଲାଗିଲା, କହିଲେ- ଏଇଟା କିନ୍ତୁ ଦୁଃଖ ନୁହେଁ।

ଆଉ ତାହେଲେ ଦୁଃଖ କଣ? ପରିମଳ ପଚାରିଲେ।

ମୋ କଥା ଶୁଣିଲେ ଦୁଃଖ କଣ ବୋଲି ବୁଝି ପାରିବେ।

କୋଉ କଥା-ପରିମଳ ଗମ୍ଭୀର ହୋଇ ପଚାରିଲେ।

ବିନୟ କହିବା ଆରମ୍ଭ କଲେ- କାଲି ପୁଅ ଅଜୁ ଆସିଥିଲା। କହିଲି ଦୁଇ ଦିନ ରହିଯା’, ତୋ ମା ଖଟରୁ ଉଠି ପାରୁନି। ଡାକ୍ତର ସହିତ ଦେଖା କରାଇ ସାରି ଯିବୁ। ସିଧା ସିଧା ମନା କରିଦେଲା- କହିଲା ସମୟ ନାହିଁ। ବହୁତ କଷ୍ଟ ଲାଗିଲା ପରିମଳ ବାବୁ। ବାପା ମା’ଙ୍କ ପାଇଁ ଦିନେ ଦୁଇଦିନ ସମୟ ନାହିଁ? ମୁଁ ଯେତେ ଅଟକାଇଲି ଶୁଣିଲା ନାହିଁ। ସବୁ କଥାରେ କଣ ନା ଜରୁରୀ କାମ ଅଛି। ମୁଁ କଣ ଏଇ ଦିନ ଦେଖିବି ବୋଲି ପିଲାମାନଙ୍କୁ ମଣିଷ କରିଛି?

-ମନ ଦୁଃଖ କରନ୍ତୁ ନାହିଁ। ପିଲା ମନ କଣ ଭାବି କହି ଦେଇଥିବ। ଆପଣ ଏତେ ବ୍ୟସ୍ତ ହୁଅନ୍ତୁ ନାହିଁ। ସମସ୍ତେ କଣ ଆପଣଙ୍କ ପରି ମହାନ ହୋଇ ପାରିବେ। ଆପଣ ନିଜ ବାପା ମାଙ୍କୁ ଯାହା ସେବା ଦେଇଛନ୍ତି ସେଇଟା ଆଉ କାହିଁକି ପିଲାଙ୍କ ଠାରୁ ଆଶା କରୁଛନ୍ତି। ଆପଣ ତ ନିଜେ ସମର୍ଥ ।

ସମର୍ଥନ ଓ ବଳ ପାଇ ବିନୟ ପୁଣି ଆରମ୍ଭ କଲେ- ମୁଁ ଜୀବନରେ କାହାର କଣ କ୍ଷତି କରିଛି ଯେ ଭଗବାନ ମୋତେ ଏ କଷ୍ଟ ଦେଖିବାକୁ ଦେଲେ। ପୁଅ ବାହା ହେଲା ଦିନଠାରୁ ଏ ଘରକୁ ଯେମିତି ଭୁଲି ଯାଇଛି। କେବଳ ସେ, ତା ସ୍ତ୍ରୀ ଓ ତା ସ୍ତ୍ରୀ ର ପରିବାର। ଏମାନଙ୍କ ପାଇଁ ସମୟ ଅଛି।

-ଥାଉ ବିନୟ ବାବୁ। ପରିମଳ କଥା ଅଟକାଇ କହିଲେ -ସେ କଥାକୁ ଘାଣ୍ଟି ମନ ଦୁଃଖ କରି କିଛି ଲାଭ ନାହିଁ।

ଜଳଖିଆ ଆସି ପହଞ୍ଚି ସାରିଥାଏ। ପରିମଳ ଖାଇବାକୁ ଅନୁରୋଧ କଲେ। ବିନୟଙ୍କ ହାତ ଗଲା ନାହିଁ। ସେ ଖାଇ ପାରିଲେ ନାହିଁ।

ପରିମଳ ଅଗତ୍ୟା ବୁଝାଇ କହିଲେ- ଆପଣଙ୍କ ଘରେ ମୁଁ କେମିତି ସବୁ ଖାଇଦିଏ ଆପଣଙ୍କୁ ବି ସବୁ ଖାଇବାକୁ ପଡିବ କହି ଗୋଟିଏ ପାଟିରେ ଭର୍ତ୍ତି କରିଦେଲେ।

ବିନୟ ସ୍ଵାଭାବିକ ହେବା ପରେ ପରିମଳଙ୍କ ଆଡେ ଦୃଷ୍ଟି ଦେଇ କହିଲେ ମୋତେ କିଛି ରାସ୍ତା ଦେଖାଇ ପାରନ୍ତନି? ମୋ ପୁଅର ଚିନ୍ତା ମୋତେ କଷ୍ଟ ଦେଉଛି।

ପରିମଳ କଣ କହିବେ ଜାଣି ପାରିଲେ ନାହଁ। କଥାକୁ ହାଲୁକା କରିବା ପାଇଁ ଆରମ୍ଭ କଲେ-ଆଛା ବିନୟ ବାବୁ ତୁମର ମନେ ଅଛି ଅର୍ଜୁନ ଯେତେବେଳେ ଯୁଦ୍ଧ ନକରିବା ପାଇଁ ସ୍ଥିର କଲେ ତାଙ୍କ ମନରେ କି ପ୍ରଶ୍ନ ଥିଲା -ସେ କହୁଥିଲେ କୁଟୁମ୍ବ ମାନଙ୍କୁ ମାରି ଆମେ କିପରି ସୁଖୀ ହେବା !

ବାପା କାକା ମାମୁଁ ପୁଅ ଝିଅ ପୁତୁରା ଝିଆରୀ ଭଣଜା ଆଦି ସମସ୍ତେ ହେଲେ କୁଟୁମ୍ବ। କାହାକୁ ମାରି କାହା ସହିତ ସୁଖର କଳ୍ପନା କରା ଯାଇ ନପାରେ। ଦୁର୍ଯ୍ୟୋଧନ ସିନା ବିବେକ ଓ ବିଚାର ଶୂନ୍ୟ ବୋଲି କୁଳନାଶ ଜନିତ ଦୋଷ ଓ ମିତ୍ରଦ୍ରୋହ ଜନିତ ପାପକୁ ଦେଖୁନାହିଁ। କିନ୍ତୁ ମୁଁ ଏହି ଦୋଷକୁ ଭଲ ଭାବରେ ଜାଣି ମଧ୍ୟ ଏହି ପାପରୁ ନିବୃତ୍ତ ରହିବି ନାହିଁ କେମିତି?

ବିନୟ ଭୂଷଣ ଶୁଣୁଥାନ୍ତି ଓ ମଝିରେ ମଝିରେ ହଁ ମାରୁଥାନ୍ତି।

ପରିମଳ ପୁଣି କହିବା ଆରମ୍ଭ କଲେ - କୁଟୁମ୍ବ ଭିତରେ କୁଟୁମ୍ବ କୁ ମାରି କୁଟୁମ୍ବ ର ଆନନ୍ଦ ନିଆଯାଇ ପାରେ ନାହିଁ। ସେଥିରେ କେବଳ ଅହଂର ଇଚ୍ଛା ପୂର୍ତ୍ତି ହୁଏ ପାରସ୍ପରିକ ଆନନ୍ଦ ନୁହେଁ । ବିନୟ ବୋଧେ କଥାଟିକୁ ଠିକରେ ଧରି ପାରିଲେ ନାହିଁ ତେଣୁ ଆଉ ଟିକେ ପରିଷ୍କାର କରିବା ପାଇଁ ପରିମଳ ବୁଝାଇଲେ- କୁଟୁମ୍ବ ଭିତରେ କୁଟୁମ୍ବ ଅର୍ଥାତ୍ ପରିବାର ପରିଜନ ସମସ୍ତେ। କୁଟୁମ୍ବ କୁ ମାରି କୁଟୁମ୍ବ ର ଆନନ୍ଦ ଅର୍ଥାତ୍ ପିତୃବ୍ୟଙ୍କୁ ହେୟ କରି ପୁତ୍ର ସହିତ ସୁଖ କରିବା ବା ଜାମାତାକୁ ହେୟ କରି କନ୍ୟା ସହିତ ସୁଖ ନେବା ବା ଧରିନିଅ ପରିବାରର ଯେ କୌଣସି ଅଙ୍ଗକୁ ଶ୍ରୀହୀନ କରି ତାର ଶିରୀରେ ନିଜ ଶିରୀ ବଢାଇବା।

ବିନୟ ଏଥର ବୁଝିଲା ଭଳି ହଁ ହଁ ମାରିଲେ। ସନ୍ଧ୍ୟା ସରି ରାତି ବଢି ବଢି ଆସୁଥାଏ। ପରିମଳ ବିନୟଙ୍କୁ ପଚାରିଲେ -ଆପଣ ଏତେ ସମୟ ଆସିଲେଣି ସେଠି ଭାଉଜଙ୍କ କିଛି ଦରକାର ପଡିବନି ତ।

ବିନୟ ମନାକଲେ କହିଲେ ମୋର ଜଣେ ଦୂର ସମ୍ପର୍କୀୟ ଝିଆରୀ ରୁନୀ ଘରେ ରହି କାମ କରୁଛି। ସେ ବୁଝୁଥିବ। ତାପରେ ଆପଣଙ୍କ କଥା ଭଲ ଲାଗୁଛି ଆଉ କିଛି ଶୁଣିଲେ ମନଟାବି ହାଲୁକା ହେଇଯାନ୍ତା। ଆପଣ ଦୟାକରି କୁହନ୍ତୁ ତାପରେ-

ପରିମଳ ହସିଲେ କହିଲେ- ତାପରେ କଣ ତାପରେ କିଛି ନାହିଁ। ଆମ ପାଖରେ ଯାହା ଅଛି ତା ବିନା ମଧ୍ୟ ଆମ କାମ ଚଳୁଛି କିନ୍ତୁ ସେହି ବସ୍ତୁ ମିଳିଲା ପରେ ଯଦି ଚାଲିଯାଏ ତାହେଲେ ଅଭାବର ଦୁଃଖ ଅସହ୍ୟ ହୋଇଯାଉଛି। ପିତାମାତାଙ୍କ ପାଇଁ ପୁତ୍ରର ଉପସ୍ଥିତି ଓ ଅନୁପସ୍ଥିତି ମଧ୍ୟ ଠିକ୍ ସେହିପରି।

ଅର୍ଜୁନ ଏତେ ଆଗ୍ରହରେ ଦୁର୍ଯ୍ୟୋଧନର ଦୋଷ ଦେଖୁଥିଲେ ଯେ ତାହା ନିଜ ଭଲ ପଣର ଅଭିମାନ ବୋଲି ପ୍ରତୀତ ହେଉଥିଲା ଏବଂ ସେ ସେହି ଅଭିମାନ ଜନିତ ଦୋଷରେ ମୋହ ଗ୍ରସ୍ତ ହୋଇଯାଉଥିଲେ।

ଆଜି ପାଇଁ ଏତିକି ଥାଉ କହି ପରିମଳ କଥା ବନ୍ଦ କଲେ। ଭିତରୁ ଶ୍ରୀମତି ଡାକଦେଲେ- ବିନୟ ବାବୁଙ୍କୁ କୁହନ୍ତୁ ସେ ଘରେ ରାତ୍ରି ଭୋଜନ କରି ଯିବେ। ବିନୟ ବାବୁ ଶୁଣି ପାରିଲେ- ଯୋଡ ହସ୍ତରେ ମନା କରି କହିଲେ- ମୁଁ ଆଜି ଯାଉଛି ପୁଣି ଆସିବି।

ପରିମଳ ବାଟ ପର୍ଯ୍ୟନ୍ତ ଛାଡିବା ପାଇଁ ଆସିଲେ। ବିନୟ ନମସ୍କାର ସହିତ ବିଦାୟ ନେଲେ ଓ ଘରାଭିମୁଖୀ ହେଲେ। ସେ ଚାଲିଚାଲି ଆସିଥିଲେ ତେଣୁ ଚାଲି କରି ମଧ୍ୟ ଯାଉଥିଲେ। ମନ ଖୁସି ଥିଲେ ମଧ୍ୟ ଭାବନାର ଅଗ୍ନିରେ ଏତେ ପରିମାଣରେ ଦଗ୍ଧିଭୁତ ହେଉଥିଲେ ଯେ ପାଦରେ ଚାଲିବାର ତୀବ୍ରତା ଆସୁ ନଥିଲା। ଚାଲି ଶିଥିଳପଡ଼ି ଯାଉଥିଲା। ପରିମଳ ଯାହା ସବୁ କହିଗଲେ ସେଗୁଡିକ ଯେମିତି ମସ୍ତିଷ୍କ ଭିତରେ ଛନ୍ଦି ହେଇ ଯାଉଥାନ୍ତି। ଅନେକ ସତ୍ୟକୁ ସେ ତା ଭିତରୁ ଆବିଷ୍କାର କରୁଥାନ୍ତି। ମନ ଓ ହୃଦୟ ବାରମ୍ଵାର ପରିମଳ ବାବୁଙ୍କ ସେହି କଥାକୁ ସ୍ମରଣ କରୁଥାଏ- ଯାହା କ୍ଷଣିକରେ ପରିମଳ କହିଗଲେ ମୋତେ-ମୁଁ ମହାନ । ପରିମଳ କାହିଁକି ଏମିତି କହିଲେ। ସେ ତ ମହାନ ନୁହନ୍ତି। ଯେତେ ଭାବୁଥିଲେ ତାଙ୍କୁ ସେତେ ଲଜ୍ଜା ଲାଗୁଥିଲା। କେତେ ଆରାମରେ ସେ ନିଜେ ମହାନ ହୋଇ ମଧ୍ୟ ମୋତେ ମହାନ କହିବା ପାଇଁ କୁଣ୍ଠାବୋଧ କଲେ ନାହିଁ। ମୋ ପାଖରେ ତ ମହାନତାର କୌଣସି ଗୁଣ ଦେଖା ଯାଉନି। ପରିମଳଙ୍କୁ ବା କେମିତି ଦିଶିଲା? ଆଜି ପର୍ଯ୍ୟନ୍ତ ଯିଏ କାହାକୁ ଚାହା କପ୍ ଟେ ଠିକ୍ ରେ ଦେଇ ପାରିନି ସେ ପୁଣି ମହାନ। ପୁଣି କହିଲେ ମୋ ପରି ବାପା ମା’ଙ୍କୁ ସେବା କଣ ପୁଅ ଦେଇ ପାରିବ। ପାଟିରୁ ହେ ପ୍ରଭୁ ବାହାରି ଆସିଲା। ଆଖି ଛଳଛଳ ହେଇଗଲା। ତାଙ୍କର ମନେ ପଡିଗଲା ପୁରୁଣା କଥା -ବାପାଙ୍କୁ ସେବା ଦେବାକୁ ପଡିବ ବୋଲି ସେ କେମିତି ବାରମ୍ବାର ମିଥ୍ୟା ଅସୁସ୍ଥତାର ବାହାନା କରିଛନ୍ତି ଓ ବାପା ମା’ଙ୍କୁ ନିଜ ଠାରୁ ଦୁରେଇ ରଖିଛନ୍ତି। ବାପା ମା’ ଶେଷରେ ଭଉଣୀ ପାଖରେ ଶେଷ ଜୀବନ କାଟିଲେ। ସେ ପୁଣି ବାପା ମାଆଙ୍କ ସେବା କରିଛନ୍ତି ବୋଲି ପ୍ରଶଂସା ଶୁଣି ଆସିଲେ। ସ୍ଵାର୍ଥପର ପରି କଥାର ପ୍ରତିବାଦ ମଧ୍ୟ କଲେ ନାହିଁ। କେତେ ନିକୃଷ୍ଟ ସେ। ତଥାପି ପରିମଳ ଏମିତି କହିଲେ। ଅଥଚ ମୁଁ ଦିନେ ବି ମୋ ଭଳି ଅଯୋଗ୍ୟ ଲୋକକୁ କଣ ପ୍ରକୃତ ଯୋଗ୍ୟ ଲୋକକୁ ବି ପ୍ରଶଂସା କରି ଦି ପଦ କହି ନାହିଁ। ଏ ଭାବନାର ଅନ୍ତ ହେଇନି ତାଙ୍କର ମନେ ପଡିଲା ପରିମଳ କହୁଥିଲେ- କୁଟୁମ୍ବ ଭିତରେ କୁଟୁମ୍ବକୁ କଷ୍ଟ ଦେଇ ---। ଏଇଟା ତ ସମ୍ପୂର୍ଣ୍ଣ ଭାବରେ ତାଙ୍କ ପାଇଁ ଯେମିତି ଉଦ୍ଦିଷ୍ଟ। ଅଲକ୍ଷରେ ହେଉ ପଛେ ପରିମଳ କେତେ ବଡ ସତ କଥା କହି ଦେଇ ଗଲେ। ଯାହା ମୁଁ ନିଜେ ହୃଦବୋଧ କରିପାରି ନାହିଁ ସେ କିନ୍ତୁ ମାତ୍ର କେତେ ମୁହୂର୍ତ୍ତରେ ସତ୍ୟ ନଜାଣି ମଧ୍ୟ ମୋର ଅର୍ଦ୍ଧ ସତ୍ୟକୁ ପ୍ରକାଶ କରିଦେଲେ ଅଥଚ ମୁଁ ସମ୍ପୂର୍ଣ୍ଣ ସତ୍ୟ ଜାଣି ମଧ୍ୟ ଅର୍ଦ୍ଧ ସତ୍ୟ ଭିତରେ ଲୁଚି ରହିଥିଲି।

ବିନୟ ଘର ପାଖରେ ପହଞ୍ଚି ସାରିଥିଲେ। ଗେଟ୍ ଖୋଲି ଭିତରକୁ ପଶିଲା ବେଳକୁ ଦେଖିଲେ ପଡିଶା ଘର ରତନ ବାବୁ ଓ ତାଙ୍କ ସ୍ତ୍ରୀ ଭିତରେ ଶ୍ରୀମତୀଙ୍କ ବିଛଣା ପାଖେ ବସି କଥା ହେଉଛନ୍ତି। ଆଗତ ବିପଦକୁ ଆଶଙ୍କା କରି କ୍ଷିପ୍ର ଗତିରେ ପଶି ଆସିଲେ- କଣ ହେଲା ବୋଲି ପଚାରିଲେ।

ନା! ନା! କିଛି ନାହିଁ - ରତନ ବାବୁ ଓ ତାଙ୍କ ସ୍ତ୍ରୀ ଏକା ସାଙ୍ଗରେ କହି ଉଠିଲେ। ଆପଣ ନଥିଲେ ବୋଲି ମାଉସୀଙ୍କୁ ବୋର ଲାଗୁଥିଲା ତ ଆମେ ଟିକେ ପଳାଇ ଆସିଲୁ। ଆପଣ ଆସିଲେଣି ତ ଆପଣ ଏବେ ବସନ୍ତୁ ଆମେ ଆସୁଛୁ -କହି ରତନ ବାବୁ ଓ ତାଙ୍କ ସ୍ତ୍ରୀ ଉଠିଲେ।

ରତନ ବାବୁଙ୍କ ହାତ ଧରି ପକାଇଲେ ବିନୟ ଭୂଷଣ। ଅନୁରୋଧ କରିବା ଭଙ୍ଗୀରେ କହିଲେ- ମୋର ଗୋଟିଏ ଛୋଟ କଥା ରଖିବ!

ହଁ କୁହନ୍ତୁ। ଆମେ ପଡୋଶୀ। ଯାହା ସାହାଯ୍ୟ ଦରକାର ନିଜର ଭାବି ନିଶ୍ଚୟ କରିବୁ।

- ନାଇ ନାଇ ସାହାଯ୍ୟ ନୁହେଁ

ତାହେଲେ କଣ ବୋଲି ରତନ ପଚାରିଲେ ।

ମୋର ଗୋଟିଏ ଅନୁରୋଧ…

-ହଁ କୁହନ୍ତୁ

ଆପଣ ଦୁଇ ଜଣ ଆଜି ଆମ ଘରେ ରାତ୍ରି ଭୋଜନ କରିବେ।

-କିନ୍ତୁ କାହିଁକି ରତନ ବ୍ୟସ୍ତ ହୋଇ ପଚାରିଲେ - ଆପଣ ମାଉସୀଙ୍କୁ ନେଇ ଅସୁବିଧାରେ ଅଛନ୍ତି। ଏଇଟା ଆମ ପାଇଁ ଠିକ୍ ହେବନି। ବରଂ ଆମେ ଆମ ଘରୁ ଆପଣଙ୍କ ପାଇଁ ରାତି ଭୋଜନର ବ୍ୟବସ୍ଥା କରି ନେଇ ଆସୁଛୁ।

ବିନୟଙ୍କ ଆଖି ଲୁହ ଲୁହ ହେଇଗଲା। ଚେଷ୍ଟା କରି ମଧ୍ୟ ଅଟକାଇ ପାରିଲେ ନାହିଁ। ରତନଙ୍କ ହାତ ଧରି ନେହୁରା ହେଲା ପରି କହିଲେ - ଆପଣ ମୋ ଘରେ ଅତିଥି ମୋ ଘରେ ହିଁ ରନ୍ଧା ହେବ। ମୋ ଘରେ ହିଁ ଖିଆ ହେବ। ଆଜି ମୋଠୁ ଏ ଖୁସି ଛଡାନ୍ତୁ ନାହିଁ। ରତନ ବାବୁ କିଛି ବୁଝି ପାରୁନଥିଲେ। କଣ କହିବେ ଭାବିଲା ବେଳକୁ ବିନୟ ଝିଆରୀକୁ ଡାକି ଖାଇବାର ସମସ୍ତ ବ୍ୟବସ୍ଥା କରିବା ପାଇଁ କହିଲେ। ମନରେ କିଛି ଗୋଟେ କରି ପାରିବାର ଆନନ୍ଦ ସେ ଅନୁଭବ କରୁଥିଲେ । ଏତିକିବେଳେ କଣ ଭାବି ସମସ୍ତଙ୍କ ଆଢୁଆଳରେ ଧିରେ ଧିରେ ଡ୍ରଇଂ ରୁମ ଆଡେ ଗଲେ। ସ୍ଵର୍ଗତ ପିତା ମାତାଙ୍କ ଫଟୋକୁ ଦେଖି ପ୍ରଣାମ କଲେ। କୃତ କର୍ମ ପାଇଁ ଭୁଲ ମାଗିଲେ ତାପରେ ନୀରବରେ କଣ୍ଠରୋଧ ହେଇଗଲା ପରି କାନ୍ଦିଲେ। କାନ୍ଦିବାରେ ଯେମିତି ଦୁଃଖ ନଥିଲା। ମିଳୁଥିଲା ଅମାବାସ୍ୟାର ଚନ୍ଦ୍ର ପରି ଅନାଲୋଚ୍ୟ ଶାନ୍ତି। ଆହା କି ଆନନ୍ଦ ଓ ତୃପ୍ତି ସତେ ଯେମିତି ସେ ଆଜି ପାଇଛନ୍ତି ବୌଦ୍ଧତ୍ଵ ଓ ଜୀବନର ସତ୍ୟ।

ପ୍ରଶାନ୍ତ କୁମାର ହୋତା

ପରିମଳ ଭୁଷଣ ବିନୟ

Rate the content


Originality
Flow
Language
Cover design

Comments

Post

Some text some message..