Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bismita Sahoo

Romance Tragedy

5.0  

Bismita Sahoo

Romance Tragedy

ଉପହାର

ଉପହାର

7 mins
661


କଲେଜର କଲ୍ଚରାଲ ସେକ୍ରେଟାରୀ ହେଇଗଲେ ସବୁ ସମସ୍ୟାର ସମାଧାନ ହେଇଯିବ ବୋଲି ଭାବିଥିଲା ରଞ୍ଜନ। ଫିଲ୍ମ ଦେଖିବା ତାର ଗୋଟିଏ ନିତି ଦିନିଆ ଅଭ୍ୟାସ ଥିଲା। ପକେଟରେ ପଇସା ଥାଉ ବା ନଥାଉ ସେ ଫିଲ୍ମ ଯେମିତି ହେଲେ ଦେଖିବ। ଶୁକ୍ରବାର ଆସିଲେ ତା ପାଦ ତଳିପା କୁଣ୍ଡେଇ ହୁଏ, ମନଟା ଖାଲି ଛଟପଟ ହୁଏ ଆଉ ଛାତି ଭିତରଟା ଖୁବ ଜୋରରେ ଧଡ଼ଧଡ଼ ହୁଏ। ଆଖି ଦିଇଟା ଖାଲି ଖୋଜି ବସନ୍ତି ବାପାଙ୍କ ସାର୍ଟ ପକେଟକୁ, ମା ର ଲୁଗାକାନିର ଗଣ୍ଠିକୁ, ନଚେତ ତା ସାନ ଭଉଣୀର ଜ୍ୟାମିତିବାକ୍ସକୁ। ଯଦି କୋଉଟା ସୁବିଧା ନ ହୁଏ ତେବେ ଜେଜିର ପାନବଟୁଆରୁ ତାକୁ ଟଙ୍କା ମିଳିଯାଏ। ଫିଲ୍ମ ଟିଏ ଦେଖିଲାପରେ ମନକୁମନ ତା ଛାତି ଧଡ଼ଧଡ଼, ପାଦ କୁଣ୍ଡା ସବୁ ବନ୍ଦ ହେଇଯାଏ।

ଫିଲ୍ମ ଦେଖି ଦେଖି ସେ ବି ଏକରକମ ର ହିରୋ ପାଲଟି ଗଲାଣି। କେତେବେଳେ ସେ ଅମୀର ଖାନ ର ଗଜନୀ କଟ କଲାଣି ତ କେତେବେଳେ ସଞ୍ଜୟ ଦତ୍ତ ପରି ହିପି ରଖିଲାଣି। ନାଚର ଦି ତିନିଟା ସୁପର ଷ୍ଟେପ ସେ ଶିଖି ଯାଇଛି। ତାକୁ ଦେଖେଇ ଦେଖେଇ କଲେଜର କଲଚରାଲ ସେକ୍ରେଟାରୀ ବି ହୋଇଗଲା।

ରଞ୍ଜନ ଭାବିଥିଲା କଲେଜ ଡ୍ରାମାରେ ସେ ହିରୋ ହେବ ଏବଂ ସବୁଠାରୁ ରୂପସୀ ଲଳନା ଭାନୁପ୍ରିୟା ତାର ହିରୋଇନ , କିନ୍ତୁ କୋଉଠି ଥିଲା ରାଜେଶ ଟା ଶକ୍ତି କପୁର ପରି ଭିଲିଆନ ସାଜି ଭାନୁପ୍ରିୟାକୁ ପ୍ରେମଫାଶରେ ପକେଇ ଦେଲା । ସେ ବିଚରା ନିଲଠା ଓଥରା ସାଜି ଅନେଇ ରହିଛି। ଝିଅ ମାନଙ୍କୁ ପଟେଇବ ବୋଲି ଡେଲି ଜିମ୍ ଯାଉଛି। ଦିନକୁ ଛଅଟା ଅଣ୍ଡା ଖାଉଛି। ମଜାରେ ଯଦି କାହାକୁ ଚଟକଣି ଟେ ମାରିଦେଵ ବତିଶୀ ଆସି ତଳେ ପଡ଼ିବ। ହେଲେ କଣ ଲାଭ ଏ ଚେହେରାର? ଆଜିଯାଏ ବାଡୁଅ ହେଇ ରହିଛି। ସବୁ ପିଲାମାନେ ନିଜ ଗାର୍ଲଫ୍ରେଣ୍ଡ ଧରି ଥେଇ ଥେଇ ହେଲାବେଳେ ସେ ଖରାରେ ସିଝି ସିଝି ଝିଅମାନଙ୍କୁ କୋଲଡ୍ରିଙ୍କ ଯାଚୁଛି। ଛିଃ ତା ଜୀବନ! ଶତଧିକ୍ ତାର ଏ ମରଦ ପଣିଆ। ଏଇ ବୟସରେ ଯଦି ଦି - ଚାରିଟା ଗାର୍ଲଫ୍ରେଣ୍ଡ ନ ରଖିପାରିଲା ତେବେ ଏ ଜୀବନ ଧରି ଲାଭ କଣ?

ତାଙ୍କ ଗାଁର ମିନା, ଲିନା, ରୀନା ତାକୁ ଲାଇନ ମାରନ୍ତି। ମିନା ତାକୁ ଦେଖିଲା ମାନେ ଏମିତି ଆଖିରେ ଇଶାରା ଦେବ ଯେ ତା ଦେହ ଭିତରଟା ଝିମଝିମ ହେଇଯାଏ। ଲିନା ତାକୁ ଦେଖିଲା ମାନେ ଘରକୁ ଦୌଡ଼ିଯାଇ ସୁରେଇରୁ ଥଣ୍ଡାପାଣି ଗିଲାସେ ଆଣି ସର୍ବତ ବନେଇ ଯାଚିବ। ଚାଇନା କଥା କଣ କହିବି? ସେ ତ ଏମିତି ଫୁଲେଇ ହେବ ଯେ ତା ଆଗରେ ମାଧୁରୀ ଦୀକ୍ଷିତର ଠାଣି ଫିକା ପଡିଯିବ।

ଛେଃ ---ଏଇ ମାନଙ୍କୁ କିଏ ଭଲ ପାଇବ? ଯେତେବେଳେ ଦେଖିଲେ ବେକରୁ ତଳଯାଏ ଡ୍ରେସ ପିନ୍ଧି ଓଢଣୀରେ ପୂରା ଦେହକୁ ଢାଙ୍କି ରଖିଥିବେ। ଚୁଟିରେ ଏମିତି ତେଲ ବୋଳିଥିବେ ଯେ ଛୁଇଁଦେଲେ ପା'ଏ ହାତରେ ଆସିଯିବ। ପିଠିରେ ପଡ଼ିଥିବା ଲମ୍ବା ବେଣୀକୁ ଦେଖିଲେ ତାକୁ ଲାଗେ ସତେ ଯେମିତି ଅହିରାଜ ତାକୁ ଦଂଶିବ ବୋଲି ଫଣା ଟେକି ଅନେଇଛି। ଏଇ ଝିଅମାନଙ୍କ ପାଖରେ ନା ଅଛି ଗ୍ଲାମରସ ନା ଷ୍ଟାଇଲ୍ ର କିଛି ସେନ୍ସ। ଏମାନେ ଫିଲ୍ମ ଦେଖନ୍ତି କି ନାହିଁ? ତାଙ୍କ କଲେଜର ଝିଅମାନେ କେଡ଼େ ସୁନ୍ଦରୀ। ଚୁଟି ଗୁଡ଼ିକୁ କେଡ଼େ ବାଗରେ କାଟନ୍ତି। ଅଧା କଳା, ଅଧା ନାଲି କରି କେଡ଼େ ସୁନ୍ଦରିଆ ଦିଶନ୍ତି। ତାଙ୍କ ଠାଣି, ତାଙ୍କ ଭଙ୍ଗୀ ଆଗରେ ଏଇ ଗାଉଁଲି ଝିଅମାନେ କୋଉ ସମାନ ହେବେ?

ଦେଖୁ ଦେଖୁ ବର୍ଷେ ପୂରିଯିବ। ପୁଣିଥରେ କଲେଜରେ ଇଲେକ୍ସନ ହେବ। କଲଚରାଲ ସେକ୍ରେଟାରୀ ବୋଲି ଝିଅମାନେ ତାକୁ ଟିକେ ପଚାରୁଛନ୍ତି, ଯଦି ସେ ପଦବୀ ଚାଲିଗଲା ତେବେ ମୁହଁକୁ କେହି ଟିକେ ଅନେଇବେନି। ନା- ଏମିତି ହାତ ଉପରେ ହାତ ରଖି ବସି ରହିଲେ ହେବନି। ତାକୁ ଯେମିତି ହେଲେ ଗୋଟେ ସୁନ୍ଦରୀ ଝିଅ ପଟେଇବାକୁ ପଡ଼ିବ।

କବିତା ମହାନ୍ତି। ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ। ତାକୁ ଦେଖିଲେ ଲାଗେ ସତରେ ଏ ଦୁନିଆରେ ତା'ଠୁ ସୁନ୍ଦରୀ କେହି ନାହାନ୍ତି। ଝିଅଟି ବୋଧେ ତା ଉପରେ ପୂର୍ବରୁ ଫିଦା ଥିଲା, ରଞ୍ଜନ ଯେବେ ତାକୁ ଟିକେ ତେରେଛିକି ଅନେଇଛି ସେ ଝିଅ ସିଧା ତା ଉପରେ ପଡ଼ିଲା। ସେବେଠୁ ରଞ୍ଜନର ସତେ ଯେମିତି ଦିଟା ନୁଆଁ ଡେଣା କଅଁଳିଛି। ସେ ଝିଅ ସାଙ୍ଗରେ ଆଜି ପିଜାହଟ୍ ତ କାଲି ମ୍ୟାକ୍ ଡୋନାଲଡ଼ ପଅରଦିନ କେ.ଏଫ୍. ସି ତ ତା ପରଦିନ ଏସ୍ପ୍ଲାନେଡ୍ ରେ ଉଡୁଛି। ଗାଁ କଥା ଭୁଲିଗଲାଣି।

ସାନଭଉଣୀ ରାନୁ ଫୋନ କରିଥିଲା ଏଥର ରଜକୁ ହଳେ ଫ୍ଲୋରାଲ ପ୍ରିଣ୍ଟ ହାଇ ହିଲର ଜୋତା ତା ପାଇଁ ଉପହାର ସ୍ୱରୂପ ଆଣିବା ପାଇଁ, ଯେମିତିକା ଦୀପିକା ପାଦୁକୋନ୍ ଗତଥର ଫିଲ୍ମ ଫେଷ୍ଟିଭାଲରେ ପିନ୍ଧିଥିଲା। ଏତେଦିନ ହେଲା ଭୁବନେଶ୍ୱରରେ ରଞ୍ଜନ ପଡ଼ିଲାଣି କିନ୍ତୁ କେବେ ବି ସେ ନାକକାନ୍ଦୁରି ରାନୁ ପାଇଁ କେବେ କିଛି ଉପହାର ନେଇନି। ଏଇଥର ଯଦି ସେ ଚଣ୍ଡୀ ପାଇଁ ତା ମନ ପସନ୍ଦର ଜୋତା ନ ନିଏ ତେବେ ତାକୁ ଘରର ଏରୁଣ୍ଡି ବନ୍ଧ ମାଡିବାକୁ ଦେବନି। ଆଉ ପଇସା ଅଛି ଯେ ସେ ଭଉଣୀ ପାଇଁ ଉପହାର କିଣିବ?

ରଞ୍ଜନର ଜନ୍ମଦିନରେ ମା ତା ପାଇଁ ବଣିଆକୁ ଡକେଇ ହଳଦିଆ ପଥର ବସା ଭରିଏ ଓଜନର ସୁନ୍ଦର ମୁଦି ଟିଏ କରି ଦେଇଥିଲା।ସିଏ ସେଇ ମୁଦିକୁ ଡାହାଣ ହାତର ମଝି ଆଙ୍ଗୁଠିରୁ କେବେ ବି ବାହାର କରେନି। ତାକୁ ଲାଗେ ଏଇଟା ଯେମିତି ତା ଆରିଷ୍ଟୋକ୍ରାସିର ସିମ୍ବଲ। ଯାହାଦ୍ୱାରା ସେ ଗୋଟିଏ ନିପଟ ମଫସଲରୁ ଆସିଛି ବୋଲି ଜଣା ପଡେନି।

କବିତା ତାକୁ ଭାରି ଭଲପାଏ। ତା ବିନା ମରିଯିବ ବୋଲି କହୁଛି। ସେ କବିତା ସହିତ ଆଇନକ୍ସ ରେ ରୋମାଣ୍ଟିକ ଫିଲ୍ମ ଦେଖିଲାବେଳେ ତା ତତଲା ନିଃଶ୍ୱାସ ଯେତେବେଳେ ୟା ଦେହରେ ବାଜିଯାଉଛି ସତେ ଯେମିତି ହଜାରେ ଗୋଲାପ ପାଖୁଡ଼ା ତା ମନ ଭିତରେ ବିଞ୍ଚି ଯାଉଛି। ତାର ଇଚ୍ଛା ହୁଏ ଏମିତି ସେ ସାରା ଜୀବନ କବିତାର ହାତ ଉପରେ ହାତ ରଖି ଫିଲ୍ମ ଦେଖୁଥାନ୍ତା ଆଉ ଫିଲ୍ମରେ ଘଡଘଡି ଗର୍ଜିଲେ କି ଭିଲିଆନର ନାଲି ଆଖି ଦେଖିଲେ କବିତା ଏମିତି ସଦାବେଳେ ତା କାନ୍ଧରେ ମଥା ରଖି ଆଖି ମୁଜି ଦେଉଥାନ୍ତା ଓ ସେ ନିଜର ଲୋମୁରା ହାତରେ ତା ମଥାକୁ ସାଉଁଳି ଦିଅନ୍ତା।

ଘରୁ ଘନଘନ ଫୋନ ଆସୁଛି। ଚାରିମାସ ହେଲାଣି ସେ ଘରକୁ ଯାଇନି। ମା ବ୍ୟସ୍ତ ହେଇଗଲାଣି। ତୋଟା ଆମ୍ବ ପାଚି ମହମହ ବସିଲାଣି। ଗାଁ ସାରା ଖାଇଲେଣି, ଖାଲି ତା ଧନ ଏକୁଟିଆ ଖାଇନି। ମା ତା କାନ୍ଦକୁ ରୋକି ପାରୁନି। କହୁଥିଲା ବାପା ତା ପାଇଁ ଆମ୍ବ, ଖଜରା ପଣସ, ତାଳସଜ ଓ ତା ପ୍ରିୟ ଟିକି ଟିକି କଳା ଭୂଇଁ ଖଜୁରୀ ନେଇ ତା ମେସ୍ କୁ ଆସିବେ। ବାପରେ କି ସାଙ୍ଘାତିକ କଥା, ବାପାଙ୍କ ହାବୁଡ଼ରେ ଯଦି ପଡିଯିବ ତେବେ ତା ପ୍ରେମ କାହାଣୀରେ ଏବେଠାରୁ ପୂର୍ଣ୍ଣଛେଦ ପଡ଼ିଯିବ। ତେଣୁ ସେ କୌଣସିମତେ ବାପାଙ୍କୁ ବୁଝେଇ ଦେଇଛି ଏ ରଜରେ ଗାଁକୁ ନିଶ୍ଚୟ ଯିବ। ରାନୁ ବି ବାରମ୍ବାର ଫୋନ କରି ତା ଉପହାର ଆଣିବାକୁ ଯେପରି ସେ ଭୁଲିନଯାଏ ତାକୁ ଚେତେଇ ଦେଉଛି।

କବିତା ଆଜି ଆଲିଆ ଭଟ୍ଟ ଠୁ ବି ଆହୁରି ସୁନ୍ଦରୀ ଓ ନିରୀହ ଦିଶୁଛି। ଫିକା ଗୋଲାପିର ମିନିସ୍କର୍ଟ ସାଙ୍ଗକୁ କଳା ରଙ୍ଗର ଅଫ୍ ସୋଲ୍ଡର ଟପ୍ସ୍ ଟି ତାକୁ ଭାରି ମାନୁଛି। ସିଏ ହସିଦେଲେ ପ୍ରୀତି ଜିଣ୍ଟା ପରି ତା ଗାଲରେ ଭଉଁରି ମାନେ ଡିମ୍ପଲ ଖେଳିଯାଏ। ତେଣୁ ରଞ୍ଜନ କବିତାକୁ ଗେଲରେ ଡାକେ ଡିମ୍ପି।

ଡିମ୍ପି ତାକୁ କେବେ କିଛି ମାଗେନି, କିନ୍ତୁ ତା ଚାହାଣୀରୁ ସେ ଜାଣିନିଏ ତାକୁ କଣ ଦରକାର। ଦୋକାନକୁ ଗଲେ ତା ପସନ୍ଦର ଡ୍ରେସ ମିଳିଗଲେ ଏକଲୟରେ ସେ ଅନେଇଥିବ। ତା ଲୋଭାତୁର ଆଖିକି ରଞ୍ଜନ ବୁଝିପାରେ। ଡିମ୍ପି ନାହିଁ କଲେ ବି ସେ ଡ୍ରେସଟି କିଣି ଜବରଦସ୍ତି ତା ହାତରେ ଧରେଇ ଦିଏ। ପ୍ରୋଜେକ୍ଟ ପାଇଁ ଟଙ୍କା ଦରକାର, ମେସ୍ ର ଘରଭଡ଼ା ବଢ଼ି ଗଲାଣି ତ କେତେବେଳେ ବହିର ବାହାନା କରି ସେ ବାପାଙ୍କଠାରୁ ପଇସା ଟାଣିବାରେ ବ୍ୟସ୍ତ।

ଆସନ୍ତା ୨୫ ତାରିଖରେ ତା ଡିମ୍ପିର ଜନ୍ମଦିନ। ଡିମ୍ପିର ବ୍ଲାକବେରୀ ମୋବାଇଲ ଫୋନ ପାଇଁ ଭାରି ଇଚ୍ଛା ବୋଲି ସେ ଜାଣିଛି। ତେଣୁ ମେସ୍ ରେ କେବେଠାରୁ ରାତି ଓ ସକାଳ ଜଳଖିଆ ଖାଇବା ବନ୍ଦ କରିଦେଇ ଛତୁଆରେ କାମ ଚଳେଇ ଦେଉଛି। ବହୁତ କଷ୍ଟରେ ତା ପାଖେ ବାର ହଜାର ଟଙ୍କା ଜମା ହେଇଛି।

ମା କୁ ଫୋନ କରି ଅଧିକ ହାତଖର୍ଚ୍ଚ ପାଇଁ କହିଥିଲା। ମା ତା ସଞ୍ଚୟ ଟଙ୍କାରୁ ଲୁଚେଇକି ଆଠ ହଜାର ଟଙ୍କା ପଠେଇଛି। ଏତିକି ଟଙ୍କା ତ ସମୁଦ୍ରକୁ ଶଙ୍ଖେ। ଡିମ୍ପି ବ୍ଲାକବେରୀ ଫୋନ ଦରକାର ବୋଲି ପାଟି ଖୋଲିକି କହିନି ହେଲେ ଯେମିତି ହେଉନା କାହିଁକି ତାକୁ ଏ ଫୋନ ଟି ଡିମ୍ପିର ଜନ୍ମଦିନ ଉପହାର ହିସାବରେ ସେ ଦେବ। ନଚେତ ତାର ଇଜ୍ଜତ ରହିବ ଟି?

ଜନ୍ମଦିନ ଦିନ ସର୍ପରାଇଜ୍ ଦେବାପାଇଁ ଡିମ୍ପିକୁ ନେଇ ରଞ୍ଜନ ସିଧା ମୋବାଇଲ ଦୋକାନରେ ହାଜର ହେଇଗଲା। ଦୋକାନୀ ପନ୍ଦର ହଜାର ଭିତରେ ସୁନ୍ଦର ସୁନ୍ଦର ଡିଜାଇନ ର ଆଣ୍ଡର୍ଏଡ଼ ଫୋନ ଦେଖାଇଲା। ନିଜ ବଜେଟ ଭିତରେ ହେଇଯିବ ବୋଲି ରଞ୍ଜନ ଭଗବାନଙ୍କୁ ଧନ୍ୟବାଦ ଜଣାଉଥାଏ କିନ୍ତୁ ଡିମ୍ପିର ଆଖି ଦିଓଟି ମଝିଥାକ କଣରେ ରଖା ହେଇଥିବା ବ୍ଲାକବେରୀ ଫୋନରେ ଲାଖି ରହିଥାଏ। ଏଥିପାଇଁ ଯେତେ ସୁନ୍ଦର ଫୋନ ଦେଖିଲେ ବି ଡିମ୍ପି ମୁହଁରୁ ହଁ କି ନାଁ ବାହରୁନଥାଏ।

ଜନ୍ମଦିନଟାରେ ତା ସୁନ୍ଦରୀ ପ୍ରେୟସୀର ଏତିକି ଇଚ୍ଛା ଯଦି ସେ ପୂରଣ କରି ପାରିବ ନାହିଁ ତେବେ ପ୍ରେମିକ ହେବାର ଯୋଗ୍ୟତା ମଧ୍ୟ ହରେଇ ବସିବ। ଦୋକାନୀ ସାଙ୍ଗରେ ରଞ୍ଜନ ଫୁସଫୁସ କରି କଣ କଥା ହେଲା। ପକେଟ ରେ ରଖିଥିବା କୋଡ଼ିଏ ହଜାର ଟଙ୍କା ଦୋକାନୀର ହାତରେ ଧରେଇ ଦେଇ ଚାଳିଶ ହଜାରର ବ୍ଲାକବେରୀ ମୋବାଇଲ ଫୋନ ଟି କିଣି ତାକୁ ଗୋଲାପି ରଙ୍ଗର ଜରି ଲଗେଇ ତା ଉପରେ ସୁନ୍ଦର ପାନପାତ୍ରଟିଏ ଆଙ୍କି ତଳେ ଆଣ୍ଠୁମାଡ଼ି ବସିଗଲା ଓ ଫୋନ ଟି ବଢ଼େଇ ଦେଲା ଡିମ୍ପିର ଗୋରା ତକତକ ପଦ୍ମ କଢି ପରି ହାତକୁ। ଡିମ୍ପି ଅତି ଆଗ୍ରହରେ ଫୋନ ଟିକୁ ତା ଛାତିରେ ଲଗେଇ ଦେଲା। ରଞ୍ଜନର ମନ ଭିତରେ କମ୍ପନ ସୃଷ୍ଟି ହେଲା। ତା ହୃଦୟର ଦ୍ୱାରଦେଶରେ ସତେ ଯେମିତି କିଏ ଗୀଟାରଟିଏ ଧରି ସୁମଧୁର ସୁଲଳିତ ସ୍ୱରରେ ପ୍ରେମର ସାରେଗାମପା ବଜେଇ ଦେଲା। ଘରକୁ ଯିବାରେ ଡେରି ହେଇ ଗଲାଣି କହି ଡିମ୍ପି ଅଟୋ ଭଡ଼ା କରି ଚାଲିଗଲା।

ରଞ୍ଜନ ପ୍ରେମରେ ଉବୁଟୁବୁ ହେଉଥିଲା। ମେସକୁ ନ ଯାଇ ଆଇ. ଜି ପାର୍କ ଆଡ଼େ ଟିକେ ବୁଲିବାକୁ ଇଚ୍ଛା ହେଲା। ଡିମ୍ପି ତା ସାଥିରେ ଥିଲେ ପାର୍କରେ ବୁଲିବାର ମଜା ନିଆରା। ସେ ଡିମ୍ପିର ପୋଟଳ ଚିରା ଆଖି, ହରିଣୀ ଚାଲି ଓ ହସିଲେ ଗାଲରେ ଖେଳୁଥିବା ଡିମ୍ପଲକୁ ମନେ ପକାଇ ଉଲ୍ଲସିତ ହେଇଉଠିଲା।

ପାର୍କର ଶେଷ ଆଡ଼କୁ ପଡିଥିବା ବେଞ୍ଚ ଉପରେ ସେ ଚୁପଚାପ ବସି ଗୋଟିଏ ନାଲିଗୋଲାପକୁ ଚାହିଁ ଚାହିଁ "ଦିଲ ଗାର୍ଡେନ ଗାର୍ଡେନ ହୋଗେୟା" ଗୀତଟିକୁ ଗୁଣୁଗୁଣେଇବାରେ ଲାଗିଲା। ସେଇ ଗୋଲାପ ବୁଦା ପଛ ପାଖରୁ କାହା ହସର ଆବାଜ ତା କାନ ଭିତରେ ଧସେଇ ପଶିଗଲା। ସେ କାନ ଡେରିଲା ଶୁଣିବା ପାଇଁ। ଦୁଇଟି ପ୍ରେମୀ ଯୁଗଳ କଥା ହେଉଥାନ୍ତି।

ଝିଅଟି କହୁଥାଏ- ଶଳା ମଫୁ, ଗାଉଁଆ କେଉଁଠିକାର। ଏଇଠି ହିରୋଗିରି ଦେଖେଇ ହଉଛି। ଟୋକାଟିକୁ ଆଜି ଭଲକି ପାନେ ଦେଇଛି। ମୋବାଇଲ ନିଅ, ମୋବାଇଲ ନିଅ କହୁଥିଲା ସିଧା ବ୍ଲାକବେରୀ ଉଠେଇ ଆଣିଲି। ପୁଅ ଅଖା ଧୋଉଥିବ, ଗୁଣ ଗାଉଥିବ। ତାର ପ୍ରେମିକ ପଣିଆ ଛଡେଇ ଦେଇଛି। ଏଥର ଏମିତିଆ ଉପହାର ମାଗିବି ଯେ ପୁଅ ନିଜେ ବିକି ହେଇଯିବ। ମାଙ୍କଡ଼ ମୁହାଁ ଟୋକା, ଥରେ କେବେ ନିଜକୁ ଆଇନାରେ ଦେଖିଛି? ଏହା କହି ଖିଲିଖିଲି ହେଇ ହସିବାକୁ ଲାଗିଲା।

ରଞ୍ଜନ ନିଜକୁ ବିଶ୍ୱାସ କରିପାରିଲାନି। ବୁଦାମୂଳକୁ ଦୌଡ଼ିଗଲା। ଡିମ୍ପିକୁ ଅନ୍ୟ କାହା ସହିତ ଏପରି ଅସଂଯତ ଅବସ୍ଥାରେ ଦେଖିବ ବୋଲି ସ୍ୱପ୍ନରେ ସୁଧା ଭାବିନଥିଲା। ରାଗରେ ତା ସର୍ବାଙ୍ଗ ଶରୀର ଜଳିବାକୁ ଲାଗିଲା। ସେ ନିଜକୁ କଣ୍ଟ୍ରୋଲ କରିପାରିଲାନି। ରାଗରେ ଚଟକଣିଟିଏ କବିତାକୁ ମାରିଲାବେଳେ ସେ ତା ହାତ ଧରି ପକେଇ କହିଲା -କଣ ପ୍ରେମିକ ପ୍ରବର ! ପ୍ରେମିକାକୁ ଉପହାର ଦେବ ବୋଲି ଜନ୍ମଦିନରେ ମା ଦେଇଥିବା ସୁନାମୁଦିଟି ବିକି ଦେଲ। ଠିକ୍ ଅଛି, ଏଇ ମୋ ପିନ୍ଧା ଜୋତାହଳ ନେଇଯାଅ। ସାନ ଭଉଣୀ ଜୋତା ଉପହାର ମାଗିଥିଲା ପରା। ତାକୁ ଦେଇଦେବ। ତା ଜୀବନରେ କେବେବି ଏମିତି ଷ୍ଟାଇଲିଶ ଜୋତା ସେ ପିନ୍ଧିନଥିବ।

ଏହା କହି ତା ପାଦରୁ ଜୋତା କାଢ଼ି ଖୁବ ଜୋରରେ ରଞ୍ଜନର ମୁହଁକୁ ଫିଙ୍ଗି ଦେଇ ନିଜ ନବନିର୍ବାଚିତ ପ୍ରେମିକ ହାତ ଧରି ଚାଲିଗଲା।

(ବିସ୍ମିତା ରାଣୀ ସାହୁ)


Rate this content
Log in

Similar oriya story from Romance