Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଚକ୍ରବ୍ୟୁହ
ଚକ୍ରବ୍ୟୁହ
★★★★★

© Dr Subas Chandra Rout

Others

8 Minutes   326    6


Content Ranking

ପରିବାର କହିଲେ ବାପା ଓ ମାଆଙ୍କ ସହିତ ପାଞ୍ଚ ପୁଅ ଓ ଦୁଇ ଝିଅ । ସାତ ଭାଇ ଭଉଣୀ ମଧ୍ୟରୁ ଛଅ ଭାଇ ଭଉଣୀଙ୍କ ବାହାଘର ସୁଖେ ଦୁଃଖେ ସରିଗଲା । ସମସ୍ତଙ୍କର ବାହାହେବାର ବର୍ଷକ ମଧ୍ୟରେ ପିଲାଟିଏ କୋଳକୁ ଆସିଯାଏ । ନିଜ ନିଜର ପିଲାମାନଙ୍କ ଦାୟିତ୍ଵ ତୁଲେଇବାରେ ବ୍ୟସ୍ତ ରହି ବଡ଼ଭାଇମାନେ ସାନ ଭାଇର ଦାୟିତ୍ଵ କଥା ପୂରାପୂରି ବିସ୍ମରଣ ବା ନଜର-ଅନ୍ଦାଜ କରିଦେଲେ । ଶେଷ ଭାଇ କଥା କେହି କିଛି ବୁଝିଲେନି । ବାହା ବୟସ ଗଡ଼ିଯିବା ପରେ ସବା ସାନ ଭାଇ ନିଜେ ଗୋଟିଏ ଜାଗାରେ ଝିଅଟିଏ ଦେଖି ଠିକ ହିନ୍ଦୁ ମତରେ ବାହା ହେବାକୁ ସ୍ଥିର କରି ଭାଇ ଭଉଣୀଙ୍କ ପାଖକୁ ଚିଠି ଲେଖିଲେ । ସେତେ ବେଳକୁ କେହି ଧରା ଛୁଆଁ ଦେଲେନି । ତା ବାହା ଘରକୁ କେହି ଆସିଲେନି କି କୌଣସି ସାହାଯ୍ୟ କଲେନି । ଯାହାହେଉ, ସେ ନିଜେ ବାହା ହୋଇ ତାର ଘର ସଂସାର ଆରମ୍ଭ କଲା ।

ଓଡ଼ିଶା ଭଳି ଗୋଟିଏ ପ୍ରଦେଶରେ ଧୋଇ ମରୁଡ଼ି ଲାଗି ରହିଥାଏ । ମଣିଷର ଦେହରେ ରୋଗ ହେବା ଯେପରି ଅବଶ୍ୟମ୍ଭାବୀ, ସେହିପରି ଏ ଧୋଇ ମରୁଡ଼ି ମଧ୍ୟ ଅବଶ୍ୟମ୍ଭାବୀ । ଏ ବର୍ଷ ମରୁଡ଼ି ହେଲା ତ ପର ବର୍ଷ ବଢ଼ି ହୁଏ । ଏମିତି ତ ଦେଖିବାକୁ ଗଲେ ରେକର୍ଡ ଅନୁସାରେ ସେହି ପରିବାର ୪୦ ଏକର ଜମିର ମାଲିକ ଥିଲେ ଓ ସେତେବେଳକାର ନିୟମ ଅନୁସାରେ କାଗଳ କଲମରେ ବଡ଼ ଭାଇ ସବୁ ଜମିର ମାଲିକ ବୋଲି ଲେଖାଯାଉଥିଲା ଓ ଅନ୍ୟ ସମସ୍ତଙ୍କ ନାମ ନଲେଖାହୋଇ କେବଳ ଓଗେର ଲେଖାଯାଉଥିଲା । କିନ୍ତୁ ସେଇ ଧୋଇ ମରୁଡ଼ିର କଷାଘାତରେ ଯାହା ଫସଲ ହୁଏ, ତାହା ପରିବାରକୁ ଯଥେଷ୍ଟ ହୁଏନି । ସେତେବେଳେ ଜଳସେଚନର ବ୍ୟବସ୍ଥା ନଥିଲା । ତେଣୁ ପରିବାରର ସଦସ୍ୟମାନେ ଏ ଧୋଇ ମରୁଡ଼ିରୁ ମୁକ୍ତି ପାଇବା ନିମନ୍ତେ ଗାଁଆର ମାଧୁର୍ଯ୍ୟ, ସାରଲ୍ୟ ଭରା ଜୀବନ, ଗଛଲତାର ସବୁଜିମା, ପୋଖରୀରୁ ମାଛଧରା ଓ ଭାଇଚାରା ଛାଡ଼ି ଚାକିରି କରିବାକୁ ଗାଁଆ ଛାଡ଼ି ଚାଲିଗଲେ । ତେବେ କେବଳ ଶେଷ ଭାଇକୁ ଛାଡ଼ି ବାକି ସମସ୍ତେ ଭୁବନେଶ୍ଵର ବା ତା ଆଖ ପାଖରେ ବାସ କରୁଥିଲେ । ଶେଷ ଭାଇଟି କୋରାପୁଟଠାରୁ କୋଡ଼ିଏ କିଲୋମିଟର ଦୂରରେ ପାହାଡ଼ ଘେରା ଗୋଟିଏ ଛୋଟ ଗ୍ରାମରେ ସରକାରୀ ଡାକ୍ତର ଭାବରେ କାମ କରୁଥିଲା ।

ସେତେବେଳେ ପରିବାର ନିୟୋଜନ ନଥିଲା । ପିଲାଙ୍କୁ ଭଗବାନଙ୍କ ଦାନ ଭାବରେ ଗ୍ରହଣ କରାଯାଉଥିଲା । ଅଧିକ ପିଲା ଥିବା ବାପାକୁ ଭାଗ୍ୟବାନ କୁହାଯାଉଥିଲା । ବଡ଼ ଚାଷୀ ଘର ଥିଲା, ତେଣୁ ଅଧିକ ପୁଅ ହେଲେ ଚାଷରେ ସାହାଯ୍ୟ ମିଳିବ ଭାବନ୍ତି । ତାଛଡ଼ା ଯେତେ ଅଧିକ ପୁଅ ସେତେ ଅଧିକ ଶକ୍ତିବାନ ବୋଲି ଗଣାଯାଏ । ପୁଅମାନଙ୍କୁ ଧନ ଓ ଝିଅଙ୍କୁ ଲକ୍ଷ୍ମୀ କୁହାଯାଉଥିଲା । ଜଣେ ଜଣେ ଲୋକର ୮, ୧୦ ବା ୧୨ ପିଲା ବି ଥିଲେ । ପୁରାଣରେ କୁରୁ ବଂଶ ତ ସୀମା ପାର କରିଥିଲେ ଯେତେବେଳେ ଧୃତରାଷ୍ଟ୍ରଙ୍କର ୧୦୧ ପିଲା ହୋଇଥିଲେ । ସେ ରାଜା ଘର ବୋଲି ଚଳିଗଲେ । ଅନ୍ୟମାନଙ୍କର କି ଦଶା ହେଉଥିବ ସେ କଥା ସହଜରେ ଅନୁମେୟ ।

ସମୟକ୍ରମେ ସମସ୍ତଙ୍କର ପିଲାପିଲି ହେଲେ । ସବା ବଡ଼ ଭାଇର ୫ ପିଲା, କ୍ରମାନୁସାରେ ତା’ ତଳ ଭାଇର ୪, ତା’ ତଳ ଭାଇର ୪, ଭଉଣୀର ୪, ଭାଇର ୩, ଭଉଣୀର ୩, ଓ ଶେଷ ଭାଇର କେବଳ ୧ ପୁଅ । ସମୁଦାୟ ୨୪ ପିଲା । ତା’ଛଡା ମାମୁଁ, ଦାଦା, ବଡ ବାପାଙ୍କର ୧୦ ପିଲା । ଗାଏ ମୋଟ ୩୪ ପିଲା, ପୁଅ ଓ ଝିଅ ମିଶି । ସେମାନେ ବି ଧୀରେ ଧୀରେ ବଡ଼ ହେଲେ । ସେମାନଙ୍କ ମଧ୍ୟରୁ ୨୨ ପିଲାଙ୍କ ବାହାଘର ସରିଯାଇଥିଲା ।

ପରିବାରରେ ଯାହାର ବାହାଘର ହେଲେବି ସମସ୍ତେ ଆସି ଚାରି ଦିନ ଆଗରୁ ଏକାଠି ହୁଅନ୍ତି । ସାତ ଭାଇ ଭଉଣୀ ଏକାଠି ହେଲା ପରେ କିଏ କେଉଁ ଦାୟିତ୍ଵ ମୁଣ୍ଡେଇବ ଓ କେତେ ଟଙ୍କା କିଏ ସାହାଯ୍ୟ ଦେବ ସେସବୁର ହିସାବ କିତାବ କରାଯାଏ । ଏତେ ଜଣଙ୍କର ନାଁ ମନେ ରଖିବାକୁ ଅସୁବିଧା ହେବ ବୋଲି ତାଙ୍କ ନାଁ ଏଠାରେ କୋଡ ଭାବରେ ଲେଖାଯିବ । କ୍ରମିକ ସଂଖ୍ୟା ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଲେଖି ଭା କି ଭ ଲେଖିବା । ଯେପରି ୨ଭା ମାନେ ଦ୍ଵିତୀୟ ଭାଇ, ଚତୁର୍ଥରେ ଭଉଣୀ ଥିଲେ ୪ଭ ଲେଖିବା । ପିତା ମାତା ବହୁତ ଦିନ ଆଗରୁ ସ୍ଵର୍ଗକୁ ଯାଇସାରିଥିଲେ । ବାଇଶ ପିଲାଙ୍କ ବାହାଘର ସରିଥିଲା ଓ ୬ ଭର ଝିଅ ଓ ଘରର ୨୩ତମ ସନ୍ତତିର ବାହାଘର ନିମନ୍ତେ ସମସ୍ତେ ଏକାଠି ହୋଇଥିଲେ ।

ଦିନେ ସାନ ଭାଇଟି ଦବାନବା କଥା ବୁଝିବା ପାଇଁ ବଡ଼ ଭାଇଙ୍କ ରୁମକୁ ଯାଉଥିଲା । କବାଟ ପାଖରେ ପହଞ୍ଚି ବଡ଼ ପାଟି ଶୁଣିଲା । ଭିତରୁ ସବୁ ଭାଇ ଓ ଭଉଣୀମାନଙ୍କ ପାଟି ଶୁଣାଯାଉଥିଲା । ସାନ ଭାଇଟି ସେଠି କାନ ଡେରି କଅଣ କଥାବାର୍ତ୍ତା ଚାଲିଛି, ଶୁଣିବାକୁ ଲାଗିଲା । ବଡ଼ ଭାଇ କହିଲେ, “ଡାକ ସେ ସାନକୁ, ଆଜି ତା କଥା ଫଇସଲା କରିବା ।” ସମସ୍ତେ ସମସ୍ଵରରେ ‘ହଁ ହଁ ଡାକ ତାକୁ’ କହି ପାଳି ଧରିବାକୁ ଲାଗିଲେ । ସେଇଟା ଗୋଟେ ଡାକ୍ତର ହେଇଛି, କିଛି ବୋଇଲେ କିଛି ସାହାଯ୍ୟ କରୁନି । ଆଜି ତାକୁ ପାନେ ଦେବା । ସନ୍ଧ୍ୟା ହେଲେ ଏକାଠି ହେଇ ବିଚାର କରିବା । ଆମେ ସବୁ ୩୦୦ କି ୪୦୦ ଟଙ୍କାର ଚାକିରି କରିଛୁ । ସେ ଅଧିକ ଦରମା ପାଉଥିବ । ସବୁ ଜାକିକରି ବସିଛି । ସାନ ସବୁ ଶୁଣିଲା ଓ ସାମାନ୍ୟ ହସି ଫେରିଗଲା ।

ସନ୍ଧ୍ୟା ସମୟରେ ସାନ ଭାଇକୁ ଡକରା ଆସିଲା । ସହର୍ସ ବଦନରେ ସାନ ଭାଇ ସେଇ ରୁମରେ ପଶିଲା । ସେଇ ବଖରାଟି ଠିକ କୋର୍ଟ ଭଳି ସଜା ହୋଇଥାଏ । ସାମନାରେ ଗୋଟିଏ ଚୌକି ଉପରେ ବଡ଼ ଭାଇ ବସିଥାଆନ୍ତି ଓ ତାଙ୍କ ବାମ ପାଖରେ ଆଉ ଗୋଟିଏ ଚୌକି ରଖାଯାଇଥାଏ । ସେଇ ଚୌକିରେ ସାନକୁ ବସିବାକୁ ନିର୍ଦ୍ଦେଶ ଦିଆଗଲା । ରୁମରେ ନିରବତା ଛାଇ ରହିଥାଏ । ସବୁ ଭାଇ ଭଉଣୀମାନଙ୍କ ମୁହଁ ଉତ୍ତେଜିତ ଦେଖାଯାଉଥାଏ । ସେମାନଙ୍କ ମୁହଁ ଦେଖିଲେ ଲାଗୁଥିଲା, ଯେମିତି ନିର୍ଦ୍ଦେଶ ପାଇଲା ମାତ୍ରେ ତାକୁ ପିଟିପକେଇବେ । ସାନ ଚୁପ ଚାପ ଯାଇ ତା’ର ଚୌକିରେ ବସିଲା । ବଡ଼ କହିଲେ, “ବର୍ତ୍ତମାନ ଜଣ ଜଣ କରି ସାନ ବିରୁଦ୍ଧରେ କାହାର କଅଣ କହିବାର ଅଛି, କୁହ ।”

୨ଭା – “ତୁ ଗୋଟେ ଡାକ୍ତର ହେଉଛୁ, କାହାକୁ କିଛି ସାହାଯ୍ୟ ଦେଉନୁ । ଦରମା ଓ ପ୍ରାଇଭେଟ ପ୍ରାକ୍ଟିସ ମିଶି ହଜାର ହଜାର ଟଙ୍କା ରୋଜଗାର କରୁଥିବୁ । ଭାଇ ଭଉଣୀ, ପୁତୁରା ଝିଆରୀଙ୍କୁ ଦେବାକୁ ମନ ହେଉନି, କାମ୍ପି କୋଉଠିକାର । ଏଇଟା କଅଣ ଭଲ କରୁଛୁ ।”

ସାନ – “କାହାକୁ କିଛି ଦେଇନି ବୋଲି ତ ମୋର ମନେ ପଡ଼ୁନି । ଅନ୍ତତଃ ତୁମକୁ ତ ଦେଇଛି । ସେ କଥା ପଛରେ ବିଚାର କରିବା । ଆଗେ ଦରମା କଥା ଚାଲୁ । ତୁମ ଦରମା କେତେ ?”

“ମୋ ଦରମା ୩୦୦ ଟଙ୍କା ମାତ୍ର । ମୁଁ ତ ଚାରିବେଳା ଖାଇବାକୁ ଦେବାକୁ ପିଲାଙ୍କୁ ଅକ୍ଷମ ହୋଇଯାଉଛି ।”

“ମୋ ପଢ଼ିଲା ବେଳେ କେତେ ଟଙ୍କା ସାହାଯ୍ୟ କରିଥିଲ ? ମୁଁ କେମିତି ଡାକ୍ତରୀ ପାଠ ପଢ଼ିଲି, କେବେ ବୁଝିଛ । ମୋ ପିନ୍ଧା ପେଣ୍ଟ ସାର୍ଟ କେବେ ଗୋଟିଏ ଦେଇଛ ? କେବେ ବହିଟିଏ ବା ଖାତାଟିଏ କିଣିବା ପାଇଁ ସାହାଯ୍ୟ କରିଛ ? ତୁମେ ଭାଇମାନେ ତୁମ ପିଲାଙ୍କୁ ବେଶ ଭଲ ଲୁଗାପଟା ପିନ୍ଧାଉଥିଲ, ମୁଁ ଦେଖିଛି । କେବଳ ତୁମ ଦରମାରେ ଏତେ ଖର୍ଚ୍ଚ କରିପାରିବନି । ତେଣୁ ତୁମର ନିଶ୍ଚୟ ଉପୁରି ଆମଦାନୀ ଅଛି । ସାନ ଭାଇ ପୁଅ ସମାନ, ଏହା ଆମ ହିନ୍ଦୁ ପରମ୍ପରାରେ ଅଛି । କେବେ ମୋତେ ପୁଅ ଭଳି ଦେଖିଛ ? କେବେ ମୋତେ କୋଳରେ ବସେଇଛ ? କେବେ ମୋତେ ଆଲିଙ୍ଗନ କରିଛ । ନିଜ ପିଲାଙ୍କ ବେଳକୁ ରୋଜଗାର ଠିକ ଅଛି, କିନ୍ତୁ ଭାଇ ବେଳକୁ ଗରିବ ହୋଇଗଲ । ଆଜି ମୁଁ ଡାକ୍ତର ହୋଇଗଲି, ତେଣୁ ଟଙ୍କା ମାଗୁଛ । ଡାକ୍ତର ହେଲେ କେତେ ବର୍ଷ ପଢିବାକୁ ପଡ଼େ, ଜାଣିଥିବ । କେତେ ଟଙ୍କା କଲେଜ ଦରମା, ହଷ୍ଟେଲ ଓ ମେସରେ ଖାଇବା ବାବଦକୁ ଖର୍ଚ୍ଚ ହୁଏ ଜାଣିଛ ? ହଜାର ହଜାର ଟଙ୍କା ଖର୍ଚ୍ଚ କରି ପାଠ ପଢିଲି । ସେ ଟଙ୍କା ମୁଁ ସୁଝିବି କି ନାହିଁ ? ଅନେକ ବର୍ଷ ଲାଗିଯିବ ଶୁଝିବାକୁ ।”

ତିନି ଭାଇ ଏକ ସ୍ଵରରେ ଏତିକିବେଳେ ବାଧା ଦେଇ କହିଲେ, “ବଡ଼ ଭାଇକୁ ମୁହଁରେ ଜବାବ ଦେଉଛୁ, ଲାଜ ଲାଗୁନି । ତୋର ଦାୟିତ୍ଵ ଜ୍ଞାନ କିଛି ନାହିଁ ?”

“ଅସଙ୍ଗତ କଥା କହିଲେ ଜବାବ କୁହାଯାଏ । ମୁଁ ଯାହା କହୁଛି ତାହା କେବଳ ଭାଇଙ୍କ ପ୍ରଶ୍ନର ଉତ୍ତର । ମୋର ତାଙ୍କୁ ବା ଆପଣଙ୍କୁ ଅସମ୍ମାନ କରିବାର କୌଣସି ଅଭିପ୍ରାୟ ନାହିଁ । ମୋତେ ଉତ୍ତର କହିବାକୁ ସୁଯୋଗ ନଦେବା ମାନେ ମୋର ସତ୍ୟ କଥନକୁ ତଣ୍ଟି ଚିପିଦେବା ସାଥିରେ ସମାନ । ବର୍ତ୍ତମାନ ମୋର ଆପଣ ସମସ୍ତଙ୍କୁ ଗୋଟିଏ ପ୍ରଶ୍ନ, ମୁଁ କେମିତି ଅଛି, ଜୀବନ ସାରା କେବେ ପଚାରି ବୁଝିଛ । ମୋର ଦାୟିତ୍ଵ କଥା ପ୍ରଶ୍ନ ଉଠୁଛି ଯେତେବେଳେ, ଆପଣମାନେ ନିଜ ସାନ ଭାଇ ପ୍ରତି ନିଜର ଦାୟିତ୍ଵ ସଠିକ ଭାବରେ ତୁଲେଇଛନ୍ତି କି ?”

ଏତିକି ବେଳେ ବଡ ଭଉଣୀ କହିଲେ, “ତୋର କଅଣ ଭଣଜା ଭାଣିଜୀଙ୍କ ପ୍ରତି କିଛି କର୍ତ୍ତବ୍ୟ ନାହିଁ ?”

“ଅଛି ଭଉଣୀ ଅଛି । ତୁମେ ଭଉଣୀମାନେ ଯେଉଁଠି ବାହା ହେଲ, ସେଇ ଶାଶୁ ଶ୍ଵଶୁର ପ୍ରତି ବର୍ଷ ଆମଠୁ ଯେଉଁ ଟଙ୍କା ବିଭିନ୍ନ ଆଳ ଦେଖାଇ ମାଗିନେଉଥିଲେ ତାକୁ କିଏ ଦେଇଥିଲା, କେବେ ପଚାରି ବୁଝିଛ । ମୋର ଦରମା କେତେ, କେବେ ପଚାରି ବୁଝିଛ ? ମୋ ପାଖକୁ ଯାଇ କେବେ ଦେଖିଛ କି, କେତେ ଜଣ ରୋଗୀ ଘରୋଇ ଚିକିତ୍ସା ନିମନ୍ତେ ଆସନ୍ତି ? ନିପଟ ମଫସଲ ଗାଁଆରେ ଥିଲି । ସେ ଯାଗା ସହର ନୁହେଁ ଯେ କୋଡ଼ିଏ ତିରିଶ ରୋଗୀ ପ୍ରତିଦିନ ଘରକୁ ଆସି ଫିସ ଦେଇ ରୋଗ ଦେଖେଇବେ । ଯିଏ ଆସନ୍ତି, ଡାକ୍ତରଖାନାରେ ଦେଖାନ୍ତି । ଓଲଟା ଡାକ୍ତରଖାନା କର୍ମଚାରୀମାନେ ପ୍ରତି ମାସରେ ଅଭାବ ଅସୁବିଧା ଦେଖେଇ ମୋ ଠାରୁ ଧାର ନେଇ ସୁଝିପାରନ୍ତିନି । ଏବେବି କହିଲେ ମୋର ବ୍ୟାଙ୍କ ପାସବୁକ ଦେଖେଇଦେବି ।

ତୁମେ ସମସ୍ତେ ସ୍ଵପ୍ନ ରାଜ୍ୟରେ ଅଛ । ବାସ୍ତବ ପ୍ରତି ସବୁବେଳେ ବିମୁଖ । ବଡ଼ ଭାଇ ଓ ବଡ଼ ଭଉଣୀ ହୋଇ ତାନା ମାରିବାରେ ଅଭ୍ୟସ୍ତ । ମୁଁ ବର୍ତ୍ତମାନ ପ୍ରଶ୍ନ କରୁଛି, ମୋ ପ୍ରତି କିଏ କଅଣ ଉଦାରତା ଦେଖେଇଛ । ପଢ଼ିଲା ବେଳେ ଟଙ୍କା ଅଭାବରୁ ମୁଁ ମାସ ଶେଷ ହୋଇଆସିବା ସମୟରେ ଜଳଖିଆ ଖାଇବାକୁ ପଇସା ନଥାଏ । କେବଳ ମାତ୍ର ଦୁଇ ବେଳା ଭୋଜନ ମେସରେ ଖାଇ ଜଳଖିଆ ପାଇଁ ପଇସା ନଥିବାରୁ ଉପାସରେ ରହି ପାଠ ପଢିଛି । ମୋତେ ଗୋଟିଏ ଭଲ ସହରକୁ ଆଣିବାକୁ କେବେ ଚେଷ୍ଟା କରିଛ ? ଗୋଟିଏ ବଡ଼ ସହରରେ ଆଣି ପୋଷ୍ଟିଂ କରେଇଥିଲେ ମୁଁ ଆପଣମାନଙ୍କୁ ଯଥେଷ୍ଟ ସାହାଯ୍ୟ କରିଥାଆନ୍ତି ।”

ତୁମେମାନେ କେବେ ମୋତେ ପିଲାବେଳେ ଚକୋଲେଟ ଗୋଟେ ଖାଇବାକୁ ଦେଇଛ ? ମୋରି ଆଗରେ ନିଜ ପିଲାଙ୍କୁ ବଜାରରୁ କିଣି ଖାଇବାକୁ ଦେଇଛ । ମୁଁ ସେମିତି ଅନେଇଥାଏ । ମୋ ଆଖି ଲୁହ କେବେ ଦେଖିଛ ? ମୋତେ ଆଶ୍ଚର୍ଯ୍ୟ ଲାଗୁଛି, ମୋତେ ଏମିତି ଡାକି ଅପମାନିତ କରିବାକୁ କେମିତି ଇଚ୍ଛା କରୁଛ ? ମୁଁ କେବେ କିଛି କାହାକୁ ମାଗିନି । କିନ୍ତୁ ଆପଣମାନେ ସାନ ଭାଇ ପ୍ରତି ନିଜର କର୍ତ୍ତବ୍ୟ ତୁଲେଇଛନ୍ତି କି । ନିଜର ଆତ୍ମାକୁ ପଚାରନ୍ତୁ । ଜଣେ ଲୋକ ୨୪ ଜଣ ଜଣଙ୍କ ଭାର ବହନ କରିବା ଆଶା କେମିତି ରଖିପାରୁଛନ୍ତି ଭାବି ମୋତେ ଆଶ୍ଚର୍ଯ୍ୟ ଲାଗୁଛି ।

କଥାରେ କହନ୍ତି ନିଜ ଗୋଡ଼ରେ ଠିଆ ହୁଅ । ଏହାର ଅର୍ଥ କଅଣ ? ନିଜର ଦାୟିତ୍ଵ ନିଜେ ସମ୍ଭାଳିବାକୁ ହୁଏ । ଗୋଟିଏ ଝିଅ ଜନ୍ମ ହେଲେ ଜନ୍ମ ପରଠାରୁ ତାର ଭବିଷ୍ୟତ ପାଇଁ ଦରକାର ପଡ଼ିଲେ ନିଜେ ନଖାଇ କିଛି ସାଉତି ରଖିବାକୁ ହୁଏ । ଏହା ନୁହେଁ, ନିଜେ ଅୟସ କରିବ, ଭଲ ଲୁଗାପଟା ପିନ୍ଧିବ, ସୁନା ଗହଣା ସ୍ତ୍ରୀକୁ ଦେବ, ସିନେମା ଦେଖିବ, ରେଡିଓ କିଣିବ, ସ୍କୁଟର ଚଢ଼ିବ ଆଉ ଝିଅ ବାହାଘର ବେଳକୁ ଆଶା କରିବ ଭାଇମାନେ ପୁରା ଖର୍ଚ୍ଚ ଉଠେଇବେ । ଏହା କେଉଁ ଆଡ଼ର ନିୟମ । ଆହୁରି ବହୁତ କଥା କହିବାକୁ ଅଛି, କିନ୍ତୁ ଅଧିକ କହିଲେ ଆପଣମାନଙ୍କୁ ଅଧିକ ଅପମାନ ଲାଗିବ ଯାହା ମୁଁ କରିବାକୁ ଚାହୁଁନି ।

ମୋତେ ଆପଣମାନେ ଏକ ଚକ୍ରବ୍ୟୁହରେ ପୁରେଇ ଦେବାକୁ ଚେଷ୍ଟା କରିଛନ୍ତି । ମୁଁ କେଉଁଠାରୁ ଲକ୍ଷ ଲକ୍ଷ ଟଙ୍କା ପାଇବି ଯେ ଏଭଳି ସାହାଯ୍ୟ କରିବି ? ମୁଁ ଜାଣେ, ଏକଥା ଶୁଣିବା ପରେ ଆପଣମାନେ ମୋ ଉପରେ ମୋ ପଛରେ ଗାଳି ବର୍ଷଣ କରିବେ । କିନ୍ତୁ ଥରେ ଭାବନ୍ତୁ, ସୁସ୍ଥ ସବଳ ମଞ୍ଜିଟିଏ ପୋତିଲେ ଭଲ ଗଛଟିଏ ହୋଇ ଫଳ ଖାଇବାକୁ ମିଳେ । ଆପଣମାନେ ଫଳ ଖାଇବା ପାଇଁ ମାଟି ହାଣି ନାହାନ୍ତି, ଖତ ସାର ଦେଇନାହାନ୍ତି ବା ପୋକମରା ଔଷଧ ସିଂଚନ କରିନାହାନ୍ତି । କୌଣସି କଷ୍ଟ କରିନାହାନ୍ତି । ନିଜେ ଭଲ ପାଠ ପଢ଼ି ମଣିଷ ହେଲେନି କାହିଁକି ? ବାପା ଯେତେବେଳେ ପାଠ ପଢ଼ିବାକୁ କହନ୍ତି, ଆପଣମାନେ ତାଙ୍କ କଥା ଏ କାନରେ ପୁରେଇ ସେ କାନରେ ବାହାର କରିଦିଅନ୍ତି । ଓଲଟା ସାଙ୍ଗ ମେଳରେ ପଡ଼ି ବାଗୁଡ଼ି ଖେଳ, ଆମ୍ବ ତୋଟାରେ ଲୁଚକାଳି, ପୋଖରୀରେ ମାଛ ଧରାରେ ମାତି ଥାଆନ୍ତି । କାହିଁକି ? ଏ ସବୁ କାହିଁକିର ଉତ୍ତର ଦେଲେ ମୁଁ ନିଜକୁ ବିକିଦେଇ ସାହାଯ୍ୟ କରିବାକୁ ପଶ୍ଚାଦପଦ ହେବିନି ।

ସବୁଠାରୁ ଦୁଃଖର କଥା ହେଲେ, ମୁଁ ସର୍ବଦା ଆପଣମାନଙ୍କୁ ମୋ ସାଧ୍ୟମତେ ଫଳେ ପୁଷ୍ପେ ସାହାଯ୍ୟ କରିଆସିଛି ଯାହା ଆପଣମାନେ ମନେରଖିବାକୁ ଇଚ୍ଛା କରିନାହାନ୍ତି । ଏହାକୁ ହିନ୍ଦୀରେ ଏହସାନ ଫରାମୋସ ଓ ଓଡିଆରେ ଅକୃତଜ୍ଞ କୁହାଯାଏ ଓ ଏହାକୁ ମହାପାପରେ ଗଣାଯାଏ । ମୋତେ ସାରା ଜୀବନ କେବଳ ଗାଳିର ହାର ପିନ୍ଧେଇଛନ୍ତି । ମଣିଷ ଜୀବନ ଏକ କଳାପଟା । ଏଥିରେ ଗାଳି କରି ଦାଗ କରିଛନ୍ତି କିନ୍ତୁ ସ୍ନେହର ଡଷ୍ଟର ସାହାଯ୍ୟରେ ଦାଗକୁ ଲିଭେଇବାକୁ କେବେହେଲେ ଚେଷ୍ଟା କରିନାହାନ୍ତି । ବୁଦ୍ଧ କହିଛନ୍ତି, ଆଶା ସକଳ ଦୁଃଖର କାରଣ । ଆତ୍ମା ସମୀକ୍ଷା କରନ୍ତୁ ଓ ପଶ୍ଚାତାପ କରନ୍ତୁ । ସବୁ ପାପ ଧୋଇ ହୋଇଯିବ । ଏତିକି କହି ସାନ ଭାଇ ସେ ଘରୁ ବାହାରି ଆସିଲା । ତା’ପରେ ସେ ଘରେ ଶ୍ମଶାନର ନୀରବତା ବିରାଜମାନ କରୁଥିଲା ।

ଭାଇ ଭଉଣୀ ମରୁଡ଼ି ଡାକ୍ତର

Rate the content


Originality
Flow
Language
Cover design

Comments

Post

Some text some message..