Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅନ୍ତିମ ପତ୍ର
ଅନ୍ତିମ ପତ୍ର
★★★★★

© T.Durga Prasad Rao

Tragedy

11 Minutes   15.0K    30


Content Ranking

ସିପ୍ରା ତୁମର ମନେଥିବ, ସେଦିନ ଖୁବ୍ ଗୋଟିଏ ଉଲ୍ଲାସରେ ତୁମ ପାଟିରୁ ବାହାରି ଆସିଲା - ଗୋପାଳପୁର ବୁଲି ଆସିଲେ କେମିତି ହୁଅନ୍ତା? ମୁଁ କେବଳ ତୁମକୁ ଏତିକି ମାତ୍ର କହିଛି କି ନାହିଁ - କାଲି ମୋର ଅଫିସ୍ ଛୁଟି ଅଛି, ତାର ପ୍ରତ୍ୟୁତ୍ତରରେ ଟିକିଏ ବି ସମୟ ନଷ୍ଟ ନ କରି ଗୋପାଳପୁର ବୁଲି ଆସିବାର ତୁମର ଅଭିଳାଷ ମୋ ପାଖରେ ରଖିଥିଲ । ଆଉ ମୁଁ ହଠାତ୍ ଚମକି ପଡ଼ିଥିଲି ।

ଗୋପାଳପୁର ବେଳାଭୂମି ସହ ମୋର ପରିଚିତି ଅନେକ ପୁରୁଣା । ବେଳାଭୂମି ବାଲିର ରେଣୁ ରେଣୁରେ ମୋ ସ୍ପର୍ଶ, ତା ପବନରେ ମୋର ଶ୍ୱାସ, ତା ପ୍ରତି ସଲିଳ କଣାରେ ମୋର ସ୍ଵେଦ ଯେ ଓତଃପ୍ରତ ଭାବେ ଜଡ଼ିତ । ମୁଁ ତୁମକୁ କେମିତି ବୁଝାଇଥାନ୍ତି ସେ ବେଳାଭୂମି ସହ ମୋର ସମ୍ପର୍କ କେତେ ଗଭୀର... । ମୋ ଭାବନାରେ ବାଧା ଦେଇ ତୁମେ କହିଲ - ତୁମର ଯଦି ସମୟ ନାହିଁ, ତାହେଲେ ଥାଉ । ଆଉ ଦିନେ ବରଂ ଯିବା । ମୁଁ ମନା କରି ପାରିଲି ନାହିଁ । ଆମର ବିବାହକୁ ଛଅ ମାସ ବି ପୁରି ନାହିଁ । ତୁମ ଇଚ୍ଛା ମୁଁ କେମିତି ଅପୂରଣ ରହିବାକୁ ଦେଇଥାନ୍ତି? ମୁଁ ମୁଣ୍ଡ ହଲାଇ ଟିକିଏ ହସିବାକୁ ଚେଷ୍ଟା କରି କହିଲି- ସକାଳୁ ରେଡ଼ି ହୋଇଯାଅ, ଗୋପାଳପୁରରେ ସୂର୍ଯ୍ୟୋଦୟ ଦେଖିବା । ତୁମ ଖୁସି କହିଲେ ନ ସରେ । ସତେ ଯେମିତି ମୁଁ ତୁମକୁ କେଉଁ ସ୍ୱର୍ଗପୁର ବୁଲେଇ ନେଉଛି। ମୁଁ ଠିକ୍ ବୁଝୁଥିଲି, ତୁମେ ମୋ ସହ ଟିକିଏ ଏକାନ୍ତ ଚାହୁଁଥିଲ। ଗୋପାଳପୁର ଥିଲା ଗୋଟିଏ ସୁଯୋଗ ମାତ୍ର । ଏମିତି କେତେ କେତେ ସୁଯୋଗ ତୁମେ ହାତେଇ ନେବାକୁ ଲାଗି ପଡ଼ିଛ ଏଇ ଛଅ ମାସ ମଧ୍ୟରେ ମୁଁ ହିସାବ ରଖି ପାରିନି । ପ୍ରତି ଛୋଟ ଛୋଟ ଖୁସିରେ ତୁମେ ଉଚ୍ଛୁଳି ଉଠିବା ଦେଖିଲେ, ମୁଁ ନିଜକୁ ଆତ୍ମ ସମ୍ବରଣ କରିପାରେନି ।

ସେଦିନ ଆମର କାର୍.ଟି ସୂର୍ଯ୍ୟୋଦୟର ବହୁ ପୂର୍ବରୁ ଗୋପାଳପୁରରେ ପହଞ୍ଚି ଯାଇଥିଲା । ସମୁଦ୍ରକୂଳିଆ ଶିତୁଆ ପବନରେ ତୁମେ ମୋ ଦେହକୁ ଲାଗି ହାତକୁ ହାତ ଛନ୍ଦି ମୋ ଉପରେ ଏକରକମ ତୁମର ସମସ୍ତ ଦେହ ଭାର ନଦି ଦେଇ ଚାଲୁଥିଲ । ମୁଁ ନିରୁପାୟ ଥିଲି।ତୁମକୁ ବାଧା ଦେବାର କୌଣସି କାରଣ ମୋ ପାଖରେ ନ ଥିଲା। ସେମିତି ଅଳ୍ପ ସମୟ ଚାଲିବା ପରେ ତୁମେ ବାଲି ଉପରେ ବସି ପଡ଼ିଲ । ମୋ ହାତକୁ ଟାଣି ମୋତେ ବି ବସାଇ ଦେଲ ତୁମ ପାଖରେ । ତାପରେ ମୋ ହାତକୁ ତୁମ ବେକ ଚାରିପାଖେ ଗୁଡେ଼ଇ ନେଇ ଅପଲକ ନେତ୍ରରେ ଚାହିଁ ରହିଲ ମୋ ଆଡେ଼ । ଯେମିତି ମୋତେ ନୂଆ କରି ଦେଖୁଛ । ମୋ ଆଖି ସମ୍ମୋହିତ ହୋଇ ଆସୁଥିଲା ଯେମିତି । ମୁଁ ପ୍ରକୃତିସ୍ଥ ହେଲି । ତୁମ ବେକରୁ ହାତଟି ଆସ୍ତେ କାଢ଼ି ନେଇ କହିଲି - ତୁମେ ମୋତେ ଦେଖିବାକୁ ଆସିନାହଁ ନିଶ୍ଚୟ। ହେଇ... ସୂର୍ଯ୍ୟ ଉଇଁଲେଣି । ଦେଖ, କେମିତି ସମୁଦ୍ର ଗର୍ଭରୁ ସେ କଅଁଳା ବାଛୁରୀ ପରି ଲମ୍ଫ ପ୍ରଦାନ କରୁଛନ୍ତି ଆକାଶକୁ। ସୂର୍ଯ୍ୟୋଦୟ ଦେଖିବାରେ ତୁମର କୌଣସି ଆଗ୍ରହ ନାହିଁ ମୁଁ ଜାଣେ । ତୁମ ଗାଁ ଚନ୍ଦ୍ରଭାଗା ତୀରରେ । କେତେ ସୂର୍ଯ୍ୟୋଦୟ ତୁମର ଏଇ କଳା ଭଅଁର ଆଖି ଦେଖିସାରିଛି । ସୂର୍ଯ୍ୟୋଦୟରେ ତୁମ ପାଇଁ କିଛି ନୂତନତ୍ୱ ନାହିଁ । ତଥାପି ତୁମେ ଦେଖୁଥିଲ ସେଇ ପୂର୍ବାକାଶକୁ ଏକ ଲୟରେ, ବୋଧେ ମୋ ମନ ରଖିବା ପାଇଁ । ହଠାତ୍ ପ୍ରଶ୍ନ କରି ବସିଲ - ଦେଖୁଛ, ସେଇ ଯେଉଁ ନୀଳ ଓ ଲାଲ୍ ରଙ୍ଗର ଗାର କେତୋଟି, ଯେଉଁଠି ସମୁଦ୍ର ଓ ଆକାଶ ମିଶିଯାଇଛି, କେତେ ସୁନ୍ଦର ଦିଶୁଛି ସତରେ । ତୁମକୁ କଣ ଲାଗୁଛି? ସମୁଦ୍ର ଓ ଆକାଶ କଣ ଦୂର ଦିଗ୍.ବଳୟରେ ଆମ ଆଖିର ଅପହଞ୍ଚରେ ମିଶିଯାଆନ୍ତି? ମୋତେ ବାରମ୍ବାର ତୁମେ ଯେମିତି ଚମକାଇ ଦେଉଥିଲ । ତୁମ ମନ ଲାଖି ମୋ ପାଖରେ କୌଣସି ଉତ୍ତର ନ ଥିଲା । ତୁମେ କିନ୍ତୁ ନଛୋଡ଼ବନ୍ଧା । କିଛି କହୁନ ଯେ?

ସିପ୍ରା, ସେଦିନ ହୁଏତ କହିବା ପାଇଁ ମୋର କିଛି ନ ଥିଲା । କିନ୍ତୁ ଆଜି କହୁଛି, ସମୁଦ୍ର ଓ ଆକାଶ ଦୂର ଦିଗ୍.ବଳୟରେ ଏକ ହୋଇଯିବାର କେବଳ ଭ୍ରମ ସୃଷ୍ଟି କରନ୍ତି । ସେମାନେ କେବେ ବି ଏକ ହୋଇପାରିବେ ନାହିଁ । ଯେମିତି ତୁମେ ଆଉ ମୁଁ...। ସିପ୍ରା ତୁମ ମନରେ ଦୁଃଖ ଦେଉଛି ସେଥିପାଇଁ ମୁଁ ମର୍ମାହତ । କିନ୍ତୁ ତୁମର ଓ ମୋର ରାସ୍ତା ଏକ ହୋଇପାରିବ ନାହିଁ । କାରଣ ତୁମେ ଯେଉଁ ପଥରେ ମୋତେ ପାଦ ପକାଇ ଆଗକୁ ଚଲାଇ ନେବାକୁ ଚେଷ୍ଟା କରୁଛ, ସେ ପଥ ମୋ ଦ୍ୱାରା ବହୁ ପୂର୍ବରୁ ବ୍ୟବହୃତ । ଆଉ ସେ ପଥରେ ଯିଏ ମୋତେ ପ୍ରଥମ ଥର ପାଇଁ ପଥିକ କରିଥିଲା ସେ ତୁମେ ନୁହଁ, କେହି ଆଉ ଜଣେ । କଣ ଅବିଶ୍ୱାସ ଲାଗୁଛି?

ତୁମର ମନେଥିବ, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ତୁମେ ଥିଲ ଯୁକ୍ତ ଦୁଇ କଳା ଦ୍ଵିତୀୟ ବର୍ଷ ଛାତ୍ରୀ । ପ୍ରଥମ କରି ଆସିଥାଅ ମହାବିଦ୍ୟାଳୟକୁ । ତା ପୂର୍ବରୁ ତୁମେ ଅନ୍ୟତ୍ର ଅଧ୍ୟୟନରତ ଥିଲ । ଲାଇବ୍ରେରୀରେ ସେଦିନ ତୁମେ ବହି ଖୋଜିବାରେ ବ୍ୟସ୍ତ ଥିଲ । ଶୈଳଜା ତୁମକୁ ଟାଣି ଆଣି ମୋ ସାମ୍ନାରେ ଠିଆ କରାଇଦେଲା । କହିଲା - ଚିହ୍ନିଲ ଦେଖି, ଏ କିଏ? ମୁଁ ତୁମକୁ ଆପାଦ ମସ୍ତକ କିଛି ସମୟ ଚାହିଁଲି । ଗୌର ବର୍ଣ୍ଣ, ଗୋଲ ମୁହଁ, ଗୋଲାପ କଢ଼ି ପରି ଅଧର । ଆଖିଦୁଇଟି ହରିଣୀ ଆଖି ପରି ଚଳଚଞ୍ଚଳ ଆଉ ହସ ହସ।କହିଲି - ନା, ମୋର ମନେହେଉ ନାହିଁ ମୁଁ ୟାଙ୍କୁ ଆଗରୁ କେବେ ଦେଖିଛି । ଶୈଳଜା କହିଲା - ଆରେ, ଚିହ୍ନିପାରୁନ? ଇଏ ପରା ମୋ ସାନ ଭଉଣୀ ସିପ୍ରା। ମୁଁ ତୁମକୁ ଆଗରୁ କେବେ ଦେଖିନଥିଲି, ତେଣୁ ଚିହ୍ନିଥାନ୍ତି ବା କେମିତି? ଶୈଳଜା କହିଲା - କଣ, ସିପ୍ରା ଓ ମୋ ଭିତରେ କିଛି ସାମଞ୍ଜସ୍ୟ ଦେଖି ପାରୁନ? ମୋ ପାଟିରୁ ବାହାରି ଆସିଲା - ସାମଞ୍ଜସ୍ୟ କଥା କହିପାରିବି ନାହିଁ, କିନ୍ତୁ ସିପ୍ରା ତୁମଠାରୁ ଅଧିକ ସୁନ୍ଦରୀ ନିଶ୍ଚୟ । ତୁମେ ଯେମିତି ଲାଜରେ ଲାଲ୍ ହୋଇଗଲ । ଆଉ ବହି ଆଣିବାର ବାହାନା କରି ସଙ୍ଗେ ସଙ୍ଗେ ସେଇଠୁ ପ୍ରସ୍ଥାନ କଲ । ବାସ୍, ସେଇଟା ଥିଲା ମୋ ଜୀବନର ପ୍ରଥମ ଭୁଲ୍ । ତୁମକୁ ପ୍ରଶଂସା କରିଦେଇ ମୋ ଅଜାଣତରେ ମୁଁ ତୁମ ହୃଦୟରେ ପ୍ରଣୟର ବୀଜଟିଏ ବପନ କରି ସାରିଥିଲି ।

ସିପ୍ରା! ତୁମେ କିନ୍ତୁ ଆଜି ପର୍ଯ୍ୟନ୍ତ ଜାଣି ପାରିଲ ନାହିଁ, ମୁଁ ତୁମକୁ ଭଲପାଏ ନାହିଁ ବୋଲି । କାରଣ ମୁଁ ନିଜେ ଜାଣି ନ ଥିଲି ଯେ ତୁମେ ତୁମ ହୃଦୟର ଏତେ ଗଭୀରତାରୁ ମୋତେ ଭଲପାଅ ବୋଲି । ମୋର ତୁମ ପ୍ରତି କେଉଁ ହାବଭାବ, ସଙ୍କେତ ଯେ ମୁଁ ତୁମକୁ ଭଲପାଏ ବୋଲି ନିଶ୍ଚିତ କରାଇଲା, ତା ଏବେ ବି ମୋ ଭାବନା ଶକ୍ତିର ଉର୍ଦ୍ଧ୍ୱରେ। ମୁଁ କାହିଁକି ଏତେ ବର୍ଷ ତୁମ ହୃଦୟରେ ମୋ ପ୍ରତି ଥିବା ଆସକ୍ତିକୁ ଜାଣି ପାରିଲି ନାହିଁ, ମୁଁ ବୁଝିପାରୁ ନାହିଁ । ଜାଣି ପାରିଥିଲେ ହୁଏତ ସମୀକରଣ କିଛି ଅଲଗା ହୋଇଥାନ୍ତା । ଜାଣି ପାରିଥିଲେ ମୁଁ ହୁଏତ ତୁମକୁ ମୋ ପସନ୍ଦ ନାପସନ୍ଦର କଥା କହିବାକୁ ବାଧ୍ୟ ହୋଇଥାନ୍ତି । ମୁଁ କହିଥାନ୍ତି ଯେ ମୁଁ ଯାହାକୁ ଭଲପାଏ ସେ ତୁମେ ନୁହଁ ଆଉ ଜଣେ କେହି ବୋଲି । କିନ୍ତୁ ପାରିଲି ନାହିଁ । ବୋଧହୁଏ ଭଗବାନ କିଛି ସମୀକରଣ ବହୁ ଆଗରୁ ପ୍ରସ୍ତୁତ କରି ରଖିଥାନ୍ତି, ଆମ ଇଚ୍ଛା ଅନିଚ୍ଛାର ଅନେକ ଉର୍ଦ୍ଧ୍ୱରେ।

ସିପ୍ରା! ତୁମର ମନେ ଥିବ ଆମ ଚଉଠି ରାତିର କଥା । ପଲଙ୍କ ଓ ଶେଜ ସଜା ହୋଇଥାଏ ବିଭିନ୍ନ ରଙ୍ଗର ମନ ମତାଣିଆ ଫୁଲରେ। କକ୍ଷରେ ନୀଳ ଆଲୋକର ସ୍ନିଗ୍ଧତା । ଚମ୍ପା ଓ ଅନ୍ୟାନ୍ୟ ଫୁଲର ମନ ଉତ୍ତେଜକ ବାସରେ ଯେମିତି ସମ୍ପୂର୍ଣ୍ଣ କକ୍ଷଟି ଚହଟୁ ଥାଏ । ଦରଜା ବନ୍ଦ ହେବା ପରେ ମୁଁ ଖୋଲି ଦେଇଥିଲି ପୂର୍ବ ପାଖର ଗବାକ୍ଷ । ଶୁକ୍ଲପକ୍ଷ ରାତି । ଜହ୍ନରୁ ଫାଳେ ଆସି ପଡ଼ିଥାଏ ଶଯ୍ୟାରେ । ଆଉ କିଛି ତୁମ ମୁହଁରେ । ତୁମକୁ ଦେଖି ମୁଁ ଚମକି ଉଠିଥିଲି । ହେଲେ ତୁମେ ମୋ ହାତ ଧରି ବସାଇଦେଲ ନିଜ ପାଖରେ । ଆଉଜିଗଲ ଛାତି ଉପରେ । ଆଉ ଜହ୍ନକୁ ଦେଖି ଖୁବ୍ ବିମୋହିତ ହୋଇ ପଡ଼ିଲ । କକ୍ଷଟିର ଅବସ୍ଥାନ ଦୃଷ୍ଟିରୁ ତୁମେ ଯେ ତୁମର ଅତି ପ୍ରିୟ ଶଶାଙ୍କକୁ ଅଧିକାଂଶ ସମୟ ତୁମ କକ୍ଷର ଝରକା ଫାଙ୍କରୁ ଦେଖିପାରିବ ସେ ନେଇ ଖୁବ୍ ଆଶ୍ୱସ୍ତ ହୋଇ ଉଠିଲ । ଆଉ ବେଶୀ ଆଶ୍ୱସ୍ତ ହୋଇ ଉଠିଥିଲ ମୋ ପରି ଜଣେ ଯୁବକକୁ ସ୍ୱାମୀ ରୂପରେ ପାଇ । ହେଲେ ତୁମେ ଦେଖି ପାରି ନ ଥିଲ ମୋ ଅନ୍ତଃଦେଶରେ ଉଦ୍.ବେଳିତ ଦ୍ଵନ୍ଦ, ଦ୍ଵିଧାବୋଧର ଉର୍ମିକୁ । ବୋଧହୁଏ, ମୋ ଅଭିନୟର ଚମତ୍କାରିତାରେ ତୁମେ କୌଣସି ଦିନ ମୋ ମନର ଅବସ୍ଥାକୁ ଠିକ୍ ରୂପେ ବୁଝିପାରି ନାହଁ । ଆଉ ଆମ ମିଳନ ସାର ଶରୀର ଯେ ମୋର ଚତୁରତାରୁ ମନ ଓ ଆତ୍ମାର ମିଳନକୁ ଅଧିକ ପ୍ରାଧାନ୍ୟ ଦେବାକୁ ଆରମ୍ଭ କରିଥିଲା, ସେକଥା ତୁମେ ଏବେ ବି ହୃଦୟଙ୍ଗମ କରି ପାରିନଥିବ । ତେବେ ତୁମେ ଯେ ପତ୍ନୀ ହେବାର ଭରପୁର ସରଞ୍ଜାମଟିଏ ଏଥିରେ ଦ୍ୱିମତ ହେବାର ନାହିଁ । ମୋର ସବୁ କଥାକୁ ବେଦ ବାକ୍ୟ ପରି ମନେ କରି ତୁମେ ମୋତେ ଦେବତାର ଆସନରେ ବସାଇ ସାରିଥିଲ । ଆଉ ତୁମକୁ ଦେଖି ମୁଁ ଦିନକୁ ଦିନ ସଙ୍କୁଚିତ ହୋଇ ପଡୁଥିଲି ଏଇକଥା ଭାବି ଭାବି ଯେ ତୁମ ପାଇଁ ମୁଁ ଦେବତା ତ ଦୂରର କଥା ସାମାନ୍ୟ ମାନବଟିଏ ହୋଇ ବି ରହି ପାରୁନାହିଁ ।

ତୁମର ମନେ ଥିବ, ଶୈଳଜା ଯେଉଁଦିନ ମୋତେ ତୁମ ଘରକୁ ନେଇ ଯାଇଥିଲା, ଦୂର୍ଗାପୂଜାର ସମୟ । ତୁମେ ରାସ୍ତା ଉପରୁ ହିଁ ମୋତେ ଦେଖି ପାରିଥିଲ ଆଉ ଦଉଡ଼ି ଆସି ଠିଆ ହୋଇଥିଲ ଦରଜା ପାଖରେ ଏକ ଆବେଗଭରା ଚାହାଣୀରେ । ମୁଁ ତୁମ ଗାଲରେ ମୃଦୁ ଚାପୁଡ଼ାଏ ଦେଇ ଭିତରକୁ ପ୍ରବେଶ କଲି । ଶୈଳଜା ପଶିଗଲା ରୋଷେଇ ଘରକୁ । ଆଉ ରହିଗଲୁ ଆମେ ଦୁଇଜଣ ଡ୍ରଇଂରୁମ୍.ଟାରେ। ତୁମ ଆଖିରେ ଯେମିତି ଅନେକ ପ୍ରଶ୍ନବାଚୀ । ପୁରୁଣା ସୋଫାଟା ଉପରେ ନିଜକୁ ଆଉଜେଇ ଦେଇ ମୁଁ ତୁମ ଆଡ଼କୁ ଚାହିଁଲି, ପଚାରିଲି - କିଛି କହିବ? ତୁମେ ହସିଦେଇ ଖୁବ୍ ଜୋର୍.ରେ ମୁଣ୍ଡ ହଲାଇଲ, ଯାହାର ଅର୍ଥ ନା । ସେଦିନ ମୁଁ ପ୍ରଥମ କରି ତୁମ ବାପା ବୋଉଙ୍କୁ ଦେଖିଲି ଆଉ କିଛି ବାର୍ତ୍ତାଳାପ ମଧ୍ୟ କଲି । ତୁମର ଆଉ ଦୁଇ ସାନ ଭାଇ ଭଉଣୀ ଓ ତୁମ ସହ ମିଶି କ୍ୟାରେମ୍ ମଧ୍ୟ ଖେଳିଲି । ସେ ଦିନତମାମ ଆମେ ବିଭିନ୍ନ କାଯ୍ୟକଳାପରେ ବ୍ୟସ୍ତ ରହିଲୁ । ଆଉ ଶୈଳଜା ବ୍ୟସ୍ତ ରହିଲା ପୂଜା ଓ ଖିଆପିଆର ବନ୍ଦୋବସ୍ତରେ । ବୋଧହୁଏ ସେହି ଦିନ ମୁଁ ତୁମ ଭଲ ପାଇବା ବୃକ୍ଷରେ ଆଉ କିଛି ସାର ଢ଼ାଳିଥିଲି ମୋ ଅଜାଣତରେ । ହେଲେ ତୁମେ ବିଶ୍ୱାସ କର ସିପ୍ରା, ମୁଁ ତୁମକୁ କେବେ ବି ସେଇ ଆଖିରେ ଦେଖି ନାହିଁ । ମୋ ପାଇଁ ତୁମର ପରିଚୟ ଥିଲା, ତୁମେ ଶୈଳଜାର ଭଉଣୀ ବାସ୍ ।

ଶୈଳଜା ଓ ମୋର ଯୁକ୍ତ ତିନି ବିଜ୍ଞାନ ପରୀକ୍ଷା ଫଳ ବାହାରି ସାରିଥିଲା । ମୁଁ ନିଜକୁ ଏମ୍.ବି.ଏ ପାଇଁ ପ୍ରସ୍ତୁତ କରୁଥିଲି ଆଉ ସେ ସମୟରେ ଶୈଳଜା ଖୋଜୁଥିଲା ଚାକିରୀଟିଏ । କାରଣ ତୁମ ରୋଗୀଣା ବାପା ଗାଁରେ ଚାଲୁଥିବା ତୁମର ଔଷଧ ଦୋକାନଟିକୁ ଠିକ୍ ରୂପେ ସମୟ ଦେଇ ପାରୁ ନ ଥିଲେ । ଧୀରେ ଧୀରେ ତୁମ ପରିବାର ଯେ ଆର୍ଥିକ ଅନଟନ ଭିତରକୁ ଗତି କରୁଥିଲା, ସେକଥା ଶୈଳଜା ମୋତେ ଥରେ କଥା ଛଳରେ କହିଥିଲା । ତାକୁ ଆଶ୍ୱାସନା ଦେବା ଛଡ଼ା ମୋ ହାତରେ କରଣୀୟ କିଛି ନ ଥିଲା । ଇତି ମଧ୍ୟରେ ଦୁଇ ବର୍ଷ ବିତିଗଲା । ଶୈଳଜା ସହ ମୋର ପ୍ରାୟ ଟେଲିଫୋନ୍.ରେ ଯୋଗାଯୋଗ ହୁଏ । ଦିନେ ଶୈଳଜାର ଫୋନ୍ ଆସିଲା। ଖୁବ୍ ଖୁସି ଥିଲା ସେ । ବହୁ କଷ୍ଟରେ ହେଲେ ବି ସେ ନିଜ ପାଇଁ ଚାକିରୀ ଖଣ୍ଡିଏ ଯୋଗାଡ଼ କରିପାରିଛି ତାହା ଜଣାଇବା ପାଇଁ ଫୋନ୍ କରିଥିଲା । ମୁଁ ଆଶ୍ୱସ୍ତ ହେଲି, ଯାହା ହେଉ ତୁମ ପରିବାରର ଆର୍ଥିକ ପରିସ୍ଥିତି କିଛିଟା ସୁଧୁରିଯିବ । ହେଲେ ମୋ ଆଶ୍ୱସ୍ତିକୁ ଚମକାଇ ଦେଇ ଆଉ ଗୋଟିଏ ଫୋନ୍ ପାଇଲି ଅପରାହ୍ନରେ । ତୁମର ବାପାଙ୍କର ସ୍ୱାସ୍ଥ୍ୟାବସ୍ଥା ଅତିବ ଶୋଚନୀୟ । ସେ ମୃତ୍ୟୁଶଯ୍ୟାରେ ଆଉ ତାଙ୍କ ଅନ୍ତିମ ମୁହୁର୍ତ୍ତରେ ମୋତେ ଦେଖିବାକୁ ଚାହାନ୍ତି ।

ମୁଁ ବସ୍ ଧରି ତୁମ ଗାଁରେ ପହଞ୍ଚିଲି । ତିନି ଘଣ୍ଟାର ରାସ୍ତା । ରାତି ନଅଟାରେ ମୁଁ ଯେତେବେଳେ ତୁମ ଘରେ ପହଞ୍ଚିଲି, ଦେଖିଲି ତୁମର ପରିବାରର ସମସ୍ତେ ବାପାଙ୍କ ଶଯ୍ୟାକୁ ଘେରି ରହିଛ । ସମସ୍ତଙ୍କ ମୁହଁ ଶୁଖିଯାଇଛି । ତୁମେ କାନ୍ଦ କାନ୍ଦ ହୋଇ ବସିଛ ବାପାଙ୍କ ପାଦ ପାଖରେ । ଆଉ ତୁମ ବାପା । ସେ ଯେମିତି ମୋତେ ହିଁ ଅପେକ୍ଷା କରି ତାଙ୍କର ପ୍ରାଣବାୟୁ ଛାଡ଼ି ପାରୁନଥିଲେ । ମୋତେ ଦେଖି ସେ ବ୍ୟସ୍ତ ହୋଇ ପଡ଼ିଲେ । ମୋ ହାତ ଦୁଇଟାକୁ ଧରି ପକାଇ ଅତ୍ୟନ୍ତ କରୁଣ ହୋଇ ଉଠି କହିଲେ - ମୋର ଆଉ ଅଧିକ ସମୟ ନାହିଁ । ମୋ ପରେ ଏ ଘର ପରିବାର ଦେଖିବା ପାଇଁ କେହି ନାହିଁ । ବୁବୁନ୍ (ତୁମ ଭାଇ) ଖୁବ୍ ସାନ ଏସବୁ ଦେଖାଶୁଣା କରିବା ପାଇଁ। ଅବଶ୍ୟ ମୋର ବଡ଼ ଝିଅ ଶୈଳଜା ଉପରେ ମୋର ଭରସା ଅଛି । ତଥାପି... ମୁଁ ତୁମକୁ ମୋ ପୁଅ ଭଳି ଦେଖେ ଆଉ ମୁଁ ଏକଥା ବି ଜାଣେ ଯେ ତୁମେ ଆଉ ସିପ୍ରା ପରସ୍ପରକୁ ଭଲ ପାଉଛ, ଏ ପରିବାରର ପ୍ରତି ଛୋଟ ବଡ଼ ନିଷ୍ପତ୍ତିରେ ତୁମ ଭାଗିଦାରୀ ନିହାତି ରହିବ ।

ମୁଁ ହତବାକ୍ ହୋଇ ଯାଇଥିଲି ତୁମ ବାପାଙ୍କ ଏପ୍ରକାର କଥା ଶୁଣି । ତା ପୁଣି ତାଙ୍କ ମୃତ୍ୟୁଶଯ୍ୟାରେ । ସେ କେମିତି ଧରି ନେଲେ ଯେ ମୁଁ ତୁମକୁ ଭଲପାଏ ବୋଲି । ତାଙ୍କୁ କାହିଁକି ଏମିତି ମନେ ହେଲା । ମୁଁ ପ୍ରତ୍ୟୁତ୍ତରରେ ମୁହଁ ଖୋଲି କିଛି କହିବାକୁ ଯାଉଛି, ଶୈଳଜା ମୋ ହାତ ଉପରେ ତାର ହାତ ରଖି ମୋତେ ଅଟକାଇ ଦେଲା । ମୋର ମନେ ହେଲା ମୋ ବିରୁଦ୍ଧରେ ସତେ ଯେମିତି ଗୋଟିଏ ବିରାଟ ଷଡ଼ଯନ୍ତ୍ର ରଚନା କରାଯାଇଛି । ମୁଁ ଅଣନିଶ୍ୱାସୀ ହୋଇଉଠିଲି । ଉଠି ଠିଆହେବାକୁ ଚାହୁଁଛି ସେ ମୋର ଗୋଟିଏ ହାତକୁ ଜୋର୍.ରେ ଜାବୁଡ଼ି ଧରି ନେଇ ତୁମ ହାତ ସହ ମିଳାଇ ଧରିଲେ ଆଉ କହିଲେ - ବଡ଼ ଝିଅ ତ ବିବାହ ପାଇଁ ମନା କରିଦେଲା। ଆଉ ତୁମ ଦୁହିଁଙ୍କ ବିବାହ ମଧ୍ୟ ମୁଁ ଦେଖିପାରିବି ନାହିଁ । ମୋର ଆଉ ସେତିକି ସମୟ ନାହିଁ । ସିପ୍ରା ଭାରି ସରଳ, ସୁକୁମାରୀଟିଏ । ତା ଆଖିରେ ଯେମିତି ଲୁହ ନ ଆସେ... । ତାଙ୍କ ଜୋର୍ କରି ମୁଠାଇ ଧରିଥିବା ହାତ ହଠାତ୍ ଶିଥିଳ ହୋଇ ବନ୍ଧନ ଖୋଲିଗଲା । ମୋ ହାତର ବନ୍ଧନ ସିନା ଖୋଲିଗଲା, ହେଲେ ମୁଁ ଗୋଟାପଣେ ବନ୍ଦୀ ହୋଇ ସାରିଥିଲି ତୁମ ପରିବାରର ସମସ୍ତ ସଦସ୍ୟଙ୍କ ପାଖରେ । ମୋର ମୁଣ୍ଡ କିଛି କାମ କରୁ ନ ଥିଲା । ଖୁବ୍ ଜୋର୍ କ୍ରନ୍ଦନରୋଳ ମଧ୍ୟରେ ମୁଁ ଆଉ କିଛି ଭାବିବାକୁ ମଧ୍ୟ ସମୟ ପାଇନଥିଲି । ତେବେ ଏ ପ୍ରହସନରେ ଯେ ମୁଁ ଭାସିଯିବି ନାହିଁ ଏତିକି ମୁଁ ସ୍ଥିର ନିଶ୍ଚିତ ଥିଲି । କାରଣ ଆଉ କେହି ବୁଝୁ ନ ବୁଝୁ ଶୈଳଜା ମୋ ମାନସିକ ଅବସ୍ଥାକୁ ଠିକ୍ ହୃଦୟଙ୍ଗମ କରିବ ।

ଭୋର୍.ରେ ଯେତେବେଳେ ମୁଁ ଯିବା ପାଇଁ ବାହାରିଲି ଶୈଳଜା ମୋତେ ଟାଣି ଟାଣି ନେଇଗଲା ତୁମ ଘରର ଛାତ ଉପରକୁ । ଘରେ ଅନେକ ଜ୍ଞାତି ସମ୍ପର୍କୀୟଙ୍କ ଭିଡ଼ । କିଛି ଗୋପନୀୟ କଥା ନିଶ୍ଚୟ ଥିଲା । ଶୈଳଜାକୁ ମୁଁ ଠିକ୍ ରୂପେ ଚାହିଁ ପାରୁ ନ ଥିଲି । ଖୁବ୍ ଭାଙ୍ଗି ପଡ଼ିଥିଲା ସେ । ସେ ପରିସ୍ଥିତିରେ ମୋର ତାକୁ ଛାଡ଼ି ବାହାରିବାଟା ଉଚିତ୍ ହେବ କି ନାହିଁ ଭାବୁଛି ପ୍ରଶ୍ନଟିଏ ମୋ ମଥାକୁ ଦଂଶନ କଲା, ମୁଁ ପଚାରି ବସିଲି - ତୁମେ ବିବାହ ପାଇଁ କେମିତି ମନା କରିଦେଲ ତୁମ ବାପାଙ୍କୁ? ହଡ଼ବଡେ଼ଇ ଗଲା ଶୈଳଜା । କେମିତି କେଉଁଠୁ ଆରମ୍ଭ କରିବ କଥାଟା ସେ ନିର୍ଣ୍ଣୟ କରି ପାରୁନଥିଲା । ମୁଁ କହିଲି- ତୁମେ ଜାଣ ମୁଁ ତୁମ ଛଡ଼ା ଆଉ କାହାକୁ ଏ ଜୀବନରେ ନିଜର କରିପାରିବି ନାହିଁ । ତୁମେ ଜାଣ ସେକଥା, ତାପରେ ବି ଏ ପରିସ୍ଥିତି କେମିତି ସୃଷ୍ଟି ହେଇପାରିଲା? ତୁମେ ତୁମ ବାପାଙ୍କୁ ଆଜି ପର୍ଯ୍ୟନ୍ତ ଆମ ଭଲ ପାଇବା କଥା କେମିତି ନ ଜଣାଇ ରହିଛ? ଆଉ ତୁମ ବାପା ମୃତ୍ୟୁ ପୂର୍ବରୁ ଯାହା କହିଗଲେ, ତାର ମାନେ କଣ? ସିପ୍ରା କେମିତି ମୋର ଧର୍ମ ପତ୍ନି ହେବ ବୋଲି ସେ ଭାବିଲେ । ମୁଁ ତ ସିପ୍ରାକୁ ନେଇ କେବେ ବି ଭୁଲ୍.ରେ ସୁଦ୍ଧା ସେମିତି କିଛି ଭାବିନାହିଁ । ସେକଥା ତାଙ୍କ ମୁଣ୍ଡକୁ ଆସିଲା କେମିତି ଆଉ ଏଥିପାଇଁ ଦାୟୀ କିଏ? ଏତେଗୁଡ଼ିଏ ପ୍ରଶ୍ନବାଣରେ ବିଚଳିତ ହୋଇ ପଡ଼ିଲା ଶୈଳଜା । ଉତ୍ତର ଦେବାର ସାମର୍ଥ୍ୟ ତାର ନ ଥିଲା । ବାଷ୍ପରୁଦ୍ଧ କଣ୍ଠରେ ମୋ ହାତକୁ ଧରି ତା ନିଜର ମୁଣ୍ଡ ଉପରେ ରଖି କହିଲା - ସିପ୍ରା ତୁମକୁ ଖୁବ୍ ଭଲ ପାଏ । ମୋ ଠାରୁ ବି ଅଧିକ । ସେ ଜାଣେ ନାହିଁ ଯେ ତୁମେ ତାକୁ ନୁହଁ ମୋତେ ଭଲପାଅ ବୋଲି । ତୁମକୁ ନ ପାଇଲେ ସେ ପାଗଳୀ ହେଇଯିବ । ତୁମକୁ ମୋ ରାଣ, ସିପ୍ରାକୁ ନିଜର କରିନିଅ । ତୁମେ ହିଁ ତ ଦିନେ କହିଥିଲ ସିପ୍ରା ମୋ ଠାରୁ ସୁନ୍ଦରୀ ବୋଲି। ପ୍ଳିଜ୍, ମୋ ରାଣ । ସେ ତୁମକୁ ଛାଡ଼ି ବଞ୍ଚି ପାରିବନି । ମୁଁ ବିସ୍ମୟଚକିତ ଚାହିଁ ରହିଲି ଶୈଳଜା ଆଡେ଼ । କେତେ ସହଜରେ ନିସ୍ଵାର୍ଥପର ଭାବରେ ସେ ତାର ପ୍ରେମକୁ ଅର୍ଘ୍ୟ ରୂପେ ଟେକି ଦେଉଛି ଆଉ ଜଣକ ହସ୍ତରେ । ମୋ ପାଦଦ୍ୱୟ ନିସ୍ତେଜ ହୋଇ ଉଠୁଥିଲା । ଶରୀର ବଳହୀନ ମନେ ହେଉଥିଲା । ଆଖିଦୁଇଟିରେ ସବୁ କିଛି ଝାପ୍ସା ଝାପ୍ସା ଦିଶୁଥିଲା । ପଡ଼ି ଯାଉ ଯାଉ କୌଣସିମତେ କାନ୍ଥକୁ ଭରାଦେଇ ଠିଆ ହେଲି ଏବଂ ବାକ୍.ରୁଦ୍ଧ କଣ୍ଠରେ ପଚାରିଲି - ଆଉ ତୁମେ? ତୁମେ ମୋତେ ଛାଡ଼ି ବଞ୍ଚି ପାରିବ ତ ଶୈଳଜା? କୌଣସିମତେ ଅଟକାଇ ରଖିବାକୁ ଚେଷ୍ଟା କରୁଥିବା ଅଶ୍ରୁକୁ ସେ ଆଉ ରୋକି ପାରିଲା ନାହିଁ । ତାର ଦୁଇ ଗଣ୍ଡଦେଶ ଦେଇ ଧାର ଧାର ହୋଇ ଗଡ଼ି ପଡ଼ିଥିଲା ଅଶ୍ରୁଧାର । ମୁଁ ବୁଝି ପାରୁଥିଲି ତାର ଉପାୟଶୂନ୍ୟତାକୁ, ମୁଁ ହୃଦୟଙ୍ଗମ କରି ପାରୁଥିଲି ତା ହୃଦୟର ମହନୀୟତାକୁ । ହେଲେ ମୋ ହୃଦୟଟା ଯେ ଶୂନ୍ୟ ହେଇ ହେଇ ଯାଉଛି, କାହାକୁ କେମିତି ବୁଝାଇଥାନ୍ତି?

ସେଇ ଶୂନ୍ୟ ହୃଦୟ ନେଇ କେବେ ତୁମ ସହ ମୋର ବିବାହ ସମ୍ପନ୍ନ ହୋଇଗଲା, ଆଉ କେତେ ଶୀଘ୍ର ଛଅ ମାସ ବିତିଗଲା ମୁଁ ଜାଣି ପାରିଲି ନାହିଁ । ତୁମ ବାପା ଯାହା କହିଥିଲେ, ତୁମେ ଖୁବ୍ ସରଳ, ସୁକୁମାରୀଟିଏ । କେବଳ ସେତିକି ନୁହେଁ ତୁମେ ଖୁବ୍ ସୁନ୍ଦରୀ ଆଉ ଗୁଣବତୀ ମଧ୍ୟ । ମୋତେ ବିଶ୍ୱାସ କର, ତୁମ ମଧ୍ୟରେ ମୁଁ ଏତେ ଟିକିଏ ଖୁଣ ଖୋଜି ବାହାର କରି ପାରିବି ନାହିଁ । କିନ୍ତୁ ମୁଁ ଯେ ନାଚାର । ମୋ ହୃଦୟରେ ତୁମେ କେବେ ବି ନ ଥିଲ, ନାହଁ ଆଉ ରହିବ ନାହିଁ ମଧ୍ୟ । ଏତେ ଦିନ ମୁଁ ତୁମ ସହ କେବଳ ଗୋଟିଏ ସ୍ୱାମୀର ଅଭିନୟ ହିଁ କରି ଆସୁଥିଲି । ମୁଁ ଆଉ କେତେ କାଳ ନିଜକୁ, ତୁମକୁ ଆଉ ଶୈଳଜାକୁ ପ୍ରତାରିତ କରୁଥିବି? ଏ ଅଭିନୟ ମୋ ଦ୍ୱାରା ସମ୍ଭବପର ନୁହେଁ ସିପ୍ରା । ମୋତେ କ୍ଷମା କରିଦିଅ । ମୁଁ ତୁମ ବାପାଙ୍କୁ ଓ ଶୈଳଜାକୁ ଦେଇଥିବା କଥା ରଖିପାରୁ ନାହିଁ । ମୋ ପାଇଁ ତୁମ ଆଖି ଯଦି ଲୁହରେ ଭିଜେ, ତେବେ ନିଜକୁ ସମ୍ଭାଳି ନେବ । ତୁମକୁ ମୋ ରାଣ ରହିଲା । ସ୍ୱାମୀ ହିସାବରେ ନୁହେଁ ଜଣେ ହିତୈଶୀ ବନ୍ଧୁ ହିସାବରେ । ହଁ ଆଉ ଗୋଟିଏ କଥା, ମୋତେ କେବେ ଖୋଜିବାକୁ ଚେଷ୍ଟା କରିବ ନାହିଁ । ନା, ନା... ତୁମେ ବ୍ୟସ୍ତ ହୁଅ ନାହିଁ ମୁଁ ଆତ୍ମହତ୍ୟା କରିବି ନାହିଁ । ବିଦାୟ... ।

ସିପ୍ରା ଶୈଳଜା ହିତୈଶୀ ବନ୍ଧୁ

Rate the content


Originality
Flow
Language
Cover design

Comments

Post

Some text some message..