Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ରାଜା ଏବଂ ଝାଡୁଦାର କଥା
ରାଜା ଏବଂ ଝାଡୁଦାର କଥା
★★★★★

© ଓଡିଆ ଶିଶୁ ଗପ

Children

7 Minutes   7.4K    22


Content Ranking

‘ବର୍ଦ୍ଧମାନ’ ନାମକ ଏକ ନଗରୀ ଥିଲା । ସେହି ନଗରୀରେ ଜଣେ ଧନୀ ବଣିକ ବସବାସ କରୁଥିଲେ । ତାଙ୍କର ନାମ ହେଉଛି ‘ଦାନ୍ତିଲ୍’ । ସମଗ୍ର ନଗରୀରେ ତାଙ୍କର ଆଧିପତ୍ୟ ଥିଲା । ତାଙ୍କ ସମୟରେ ସାଧାରଣ ଜନତା ଏବଂ ରାଜା ଉଭୟେ ଖୁସିରେ କାଳାତିପାତ କରୁଥିଲେ । ସେଥିପାଇଁ ରାଜା ମଧ୍ୟ ତାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ । କିଛି ଦିନ ଗଲା ପରେ ଦାନ୍ତିଲ୍ ଙ୍କର ର କନ୍ୟାର ବିଭାଘର ଠିକ୍ ହେଲା ଏହି ବିବାହ ଭୋଜିରେ ଯୋଗ ଦେବା ପାଇଁ ଦାନ୍ତିଲ୍ ନଗରୀର ସମସ୍ତ ଜନତା ଏବଂ ରାଜ କର୍ମଚାରୀ ମାନଙ୍କୁ ନିମନ୍ତ୍ରଣ କରିଥିଲେ । ସେମାନଙ୍କୁ ସେ ଯଥାସାଧ୍ୟ ସମ୍ମାନ ଦେବା ସହିତ ବହୁମୂଲ୍ୟ ସାମଗ୍ରୀ ମଧ୍ୟ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ବିବାହ ପରେ ନିଜେ ରାଜା ଏବଂ ରାଣୀ ଦାନ୍ତିଲ୍ ଙ୍କର ନିମନ୍ତ୍ରଣ ରକ୍ଷା କରି ତାଙ୍କ ଗୃହକୁ ଯାଇଥିଲେ । ଦାନ୍ତିଲ୍ ସେମାନଙ୍କୁ ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରିଥିଲେ ।

ସେହି ନଗରୀରେ ଗୋରମ୍ଭ ନାମକ ଜଣେ ଝାଡୁଦାର ବାସ କରୁଥିଲା । ସେ ପ୍ରତ୍ୟହ ରାଜାଙ୍କ ଉଆସ ଝାଡୁ କରିବା ଦାୟିତ୍ୱରେ ଥାଏ । ଦାନ୍ତିଲ୍ ଙ୍କର କନ୍ୟାର ବିବାହ ଭୋଜିର ଜାକ ଜମକ ଦେଖି ତା’ର ସେଠାକୁ ଯିବାକୁ ଇଚ୍ଛା ହେଲା । କିନ୍ତୁ ତାକୁ କେହି ନିମନ୍ତ୍ରଣ କରି ନଥାନ୍ତି । ନିଜର ମନର ଇଚ୍ଛାକୁ ପୂରଣ କରିବାକୁ ଯାଇ ସେ ସେଠାରେ ପହଁଚି ବ୍ରାହ୍ମଣ ମାନଙ୍କ ମଝିରେ ଖାଇବା ପାଇଁ ବସି ପଡିଲା । ଦାନ୍ତିଲ୍ ଏହା ଦେଖି ଗୋରମ୍ଭ ଉପରେ କ୍ରୋଧାନ୍ୱିତ ହୋଇ ତାକୁ ଗଳା ଧକ୍କା ଦେଇ ସେଠାରୁ ବାହାର କରିଦେଲେ । ଏହା ଦ୍ୱାରା ସେ ନିଜକୁ ଘୋର୍ ଅପମାନିତ ମନେ କଲା । ମନେ ମନେ ଚିନ୍ତା କଲା କିପରି ଉଚିତ୍ ସମୟ ସୁଯୋଗ ଦେଖି ଦାନ୍ତିଲ୍ ଙ୍କ ଉପରେ ପ୍ରତିଶୋଧ ନେବ ।

କିଛି ଦିନ ପରେ ଦିନେ ସକାଳୁ ଗୋରମ୍ଭ ରାଜାଙ୍କ ଉଆସ ଝାଡୁ କରିବା ପାଇଁ ଆସି ପହଁଚିଲେ । ରାତି ପାହି ସକାଳ ହେଲାଣି । ରାଜାଙ୍କର କିନ୍ତୁ ନିଦ୍ରା ଭଂଗ ହୋଇ ନଥାଏ । ଗୋରମ୍ଭ ରାଜାଙ୍କ ପଲଙ୍କ ନିକଟରେ ଝାଡୁ କରିବା ସମୟରେ କହିଲେ : ମହାରାଜ! ପ୍ରଣାମ, ଅନେକ ଦିନ ହେବ ଆପଣଙ୍କୁ ଏକ କଥା କହିବି ବୋଲି ମନେ ମନେ ସ୍ଥିର କରିଛି । ଆପଣ ଅନୁମତି ଦେଲେ ମୁଁ ତାହା ଆପଣଙ୍କ ସମ୍ମୁଖରେ ପ୍ରକାଶ କରିବି । ରାଜା କହିଲେ, ‘ଗୋରମ୍ଭ’! ମନରେ କୌଣସି ଦ୍ୱିଧା ନ ରଖି ମୋତେ କଥାଟି କଣ ପ୍ରଥମେ କୁହ । ଗୋରମ୍ଭ କହିଲେ, ମହାରାଜ! ଆମର ଏହି ନଗରୀରେ ଯେଉଁ ଦାନ୍ତିଲ୍ ନାମଧାରୀ ଧନୀ ବଣିକ ଜଣକ ବସବାସ କରୁଛନ୍ତି, ଏଇ କିଛି ଦିନ ହେବ ସେ ନିଜକୁ ଜଣେ ଅସୀମ ସାହସିକ ବ୍ୟକ୍ତି ବୋଲି କହି ଔଦ୍ଧତ୍ୟ ପ୍ରକାଶ କରୁଛନ୍ତି । କିଛି ଦିନ ହେବ ପ୍ରକୃତରେ ସେ ମହାରାଣୀଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି ।

ଗୋରମ୍ଭଙ୍କ ଠାରୁ ଏହା ଶୁଣିବା ପରେ ରାଜା ହଠାତ୍ ନିଦରୁ ଉଠି ବସିଲେ ଓ ପାଟି କରି ଉଠିଲେ । କହିଲେ, ଗୋରମ୍ଭ! ତୁମେ କ’ଣ କହୁଛ ତାହା ତୁମେ ନିଜେ ଭଲ ଭାବରେ ଜାଣିଛ ତ, ଏହା କଣ ସତ କଥା । ପ୍ରକୃତରେ କ’ଣ ଦାନ୍ତିଲ୍ ରାଣୀଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି ।

ଏହା ଶୁଣି ଗୋରମ୍ଭ କହିଲେ: ‘ମହାରାଜ’ ମୁଁ ସାରା ରାତି ଅନିଦ୍ରା ହୋଇ ଜୁଆ ଖେଳୁଥିଲି । ଏ ପର୍ଯ୍ୟନ୍ତ ବିଶ୍ରାମ ନେଇନାହିଁ । ମୁଁ ବର୍ତ୍ତମାନ କିଛି ସମୟ ନିଦ୍ରା ଯିବା ପାଇଁ ଚାହୁଁଛି । ପ୍ରକୃତରେ ମୁଁ ନିଜେ ମଧ୍ୟ ଜାଣିନି, କହୁ କହୁ କ’ଣ ସବୁ କହି ପକାଇଲି ।

ଗୋରମ୍ଭର ଏହିପରି କଥା ଶୁଣି ସାରିବା ପରେ ରାଜା କଣ କରିବେ ନ କରିବେ କିଛି ଚିନ୍ତା କରି ପାରିଲେ ନାହିଁ । ମନକୁ ଯେତେ ବୁଝାଇଲେ ମଧ୍ୟ ତଥାପି ମନରେ ସନ୍ଦେହ ସୃଷ୍ଟି ହେଉଥାଏ । ଶେଷରେ ମହାରାଜ ଦାନ୍ତିଲ୍ କୁ ରାଜନଅର ମଧ୍ୟକୁ ଆସିବାକୁ ସିଧାସଳଖ ମନା କରିଦେଲେ । ରାଜାଙ୍କର ଏହି ଆଦେଶ ଶୁଣି ସାରିବା ପରେ ଦାନ୍ତିଲ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଦାନ୍ତିଲ୍ ଭାବିଲେ ରାଜାଙ୍କର ତତ୍କ୍ଷଣାତ୍ ଏପରି ପରିବର୍ତ୍ତନର କାରଣ କଣ ହୋଇପାରେ ମୁଁ ତ ସ୍ୱପ୍ନରେ ସୁଦ୍ଧା କେବେବି ରାଜା, କି ତାଙ୍କର ପରିବାର, କି ତାଙ୍କର ଅନୁଚର ମାନଙ୍କର ଅନିଷ୍ଟ ଚିନ୍ତା କରିନାହିଁ । ଅଥଚ ରାଜା ମୋତେ ଏପରି କହିଲେ କାହିଁକି?

ଏହାପରେ ଅନେକ ଦିନ ବିତିଗଲା । ଦିନେ ଦାନ୍ତିଲ୍ ରାଜ ପ୍ରାସାଦର ପ୍ରବେଶ ଦ୍ୱାର ପାଖଦେଇ କେଉଁ ଆଡକୁ ଯିବାକୁ ବାହାରି ଥାଆନ୍ତି । ତାଙ୍କୁ ଦରୱାନ୍ ସେଠାରେ କିଛି ସମୟ ପାଇଁ ଅଟକାଇଲା । ଏହି ସମୟରେ ଗୋରମ୍ଭ ରାଜ ଉଆସର ଚଟାଣ ଝାଡୁ କରୁଥାଆନ୍ତି । ଦରୱାନ୍ ଦାନ୍ତିଲ୍ଙ୍କୁ ଅଟକାଇବାର ଦେଖି ଗୋରମ୍ଭ ପରିହାସ ଛଳରେ କହିଲେ, ‘ହେ! ଦରୱାନ୍’, ‘ସେହି ବ୍ୟକ୍ତି ଜଣକ ରାଜାଙ୍କର ଅତି ଘନିଷ୍ଠ । ସେ ଯଦି ଚାହିଁବେ ତୁମକୁ ବନ୍ଦୀ କରାଇ ଦେବେ । ସେ ଯଦି ଚାହିଁବେ ତୁମକୁ ମୁକ୍ତି ଦେଇପାରିବେ । ଯେମିତି ମୋ ପ୍ରତି ସନ୍ତୁଷ୍ଟ ହୋଇ ମୋତେ ଦିନେ ଧକ୍କା ଦେଇ ବାହାର କରି ଦେଇଥିଲେ । ତେଣୁ ତୁମେ ମଧ୍ୟ ଦିନେ ନା ଦିନେ ଏପରି ଅପଦସ୍ତ କାହିଁକି ନ ହେବ । ତେଣୁ ଏଭଳି ବ୍ୟକ୍ତିକୁ ସାବଧାନ ।’

ଦାନ୍ତିଲ୍ ଏହି କଥା ଶୁଣି ପାରିଲେ, ଶୁଣି ସାରିବା ପରେ ଭାବିଲେ, ଗୋରମ୍ଭ ନିଶ୍ଚିତ ଭାବରେ କିଛି ନା କିଛି ଅସୁବିଧା ସୃଷ୍ଟି କରିଛନ୍ତି ।

ଏହା ଶୁଣି ସାରିବା ପରେ ଦାନ୍ତିଲ୍ ଅତ୍ୟନ୍ତ ଦୁଃଖିତ ହେଲେ । ଏକ ଦୁଃଖଦ ମାନସିକ ଅବସ୍ଥାନେଇ ସେ ଘରକୁ ଫେରିଲେ । ସେ ଚିନ୍ତା କରିବାକୁ ଲାଗିଲେ ଗୋରମ୍ଭ କାହିଁକି ଏପରି କଲେ? କିଛି ଦିନ ଚିନ୍ତା କରିବା ପରେ ଅତୀତରେ ସେ ତାଙ୍କୁ ଅପମାନ ଦେଇଥିବା କଥା ମନେ ପଡିଲା । ତେଣୁ କିପରି ଏହି ଅସୁବିଧାର ସମାଧାନ କରିବେ ତାହା ଚିନ୍ତା କଲେ ।

ଦିନେ ଦାନ୍ତିଲ୍ ଗୋରମ୍ଭଙ୍କୁ ନିଜ ଘରକୁ ନିମନ୍ତ୍ରଣ କଲେ । ତାଙ୍କୁ ସସମ୍ମାନେ ସତ୍କାର କରିବା ସଂଗେ ସଂଗେ କେତେ ଗୁଡିଏ ମୂଲ୍ୟବାନ ଉପହାର ପ୍ରଦାନ କଲେ । ଏବଂ ବିନୟର ସହିତ କହିଲେ, ‘ଗୋରମ୍ଭ’! ତୁମେ ହେଉଛ ମୋର ଜଣେ ବନ୍ଧୁ । ସେଦିନ ମୋର ଅବଶ୍ୟ ସେପରି କରିବା ଉଚିତ୍ ନଥିଲା । ଅତିଥିଙ୍କୁ ଅପମାନ ଦେବା ଅତ୍ୟନ୍ତ ହୀନ କାର୍ଯ୍ୟ । କିନ୍ତୁ ବ୍ରାହ୍ମଣ ମାନେ ଅପମାନିତ ହେବା ମନେକରି ମୁଁ ତୁମକୁ ସେଠାରୁ ବିତାଡିତ କରି ଦେଇଥିଲି । ତେଣୁ ମୁଁ ମୋ ଦୋଷ ସ୍ୱୀକାର କରୁଛି । ମୋର ବିଶ୍ୱାସ ତୁମେ ମୋତେ କ୍ଷମା କରିଦେବ ।

ନାନାଦି ମୂଲ୍ୟବାନ ଉପହାର ଏବଂ ବସ୍ତ୍ର ଦେଖି ଗୋରମ୍ଭ ମନେ ମନେ ଅତ୍ୟନ୍ତ ଖୁସି ହୋଇଗଲେ । ଗୋରମ୍ଭ କହିଲେ, ‘ଦାନ୍ତିଲ୍’ ‘ବର୍ତ୍ତମାନ ମୁଁ ତୁମକୁ କ୍ଷମା କରିଦେଲି’ । କାରଣ ତୁମେ ତୁମର ଦୋଷ ସ୍ୱୀକାର କରିବା ସଂଗେ ସଂଗେ , ନିଜର ମନକଥା ମୋ ଆଗରେ ପ୍ରକାଶ କରିପାରିଛ ଏବଂ ମୋତେ ସସମ୍ମାନେ ଆତିଥ୍ୟ ପ୍ରଦାନ ମଧ୍ୟ କରିଛ ।

ଏହା ଶୁଣି ସାରିବା ପରେ ଦାନ୍ତିଲ୍ ସାମାନ୍ୟ ହସିଦେଇ ଗୋରମ୍ଭଙ୍କୁ କହିଲେ, ‘ତୁମେ ମୋର ବନ୍ଧୁ’ । ତେଣୁ ଦୟାକରି ମୁଁ ତୁମକୁ ଆମନ୍ତ୍ରଣ କରିଥିଲି ବୋଲି ରାଜାଙ୍କ ଆଗରେ ପ୍ରକାଶ କରିବ ନାହିଁ । ଯାହା କୁହ, ରାଜାଙ୍କର ଏକ ବଦ ଅଭ୍ୟାସ ଅଛି ସେ ପାଇଖାନା ଘରେ ପଶି କାକୁଡି ଖାଆନ୍ତି ।

ଗୋରମ୍ଭ କହିଲେ, ‘ଏହା କଣ ସତ୍ୟ’?

ଦାନ୍ତିଲ୍ କହିଲେ, ‘ହଁ’ ଏହା ସତ୍ୟ ।

ଏହା ଶୁଣି ଗୋରମ୍ଭ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପଡିଲେ । ଏହାପରେ ଦାନ୍ତିଲ୍ ଗୋରମ୍ଭଙ୍କୁ ସସମ୍ମାନେ ବିଦାୟ ଦେଲେ ।

ପରଦିନ ସକାଳୁ ସକାଳୁ ଗୋରମ୍ଭ ରାଜ ପ୍ରାସାଦରେ ପହଁଚିଗଲେ ଏବଂ ଝାଡୁ ଦେବା କାର୍ଯ୍ୟ ଆରମ୍ଭ କରିଦେଲେ । ଯେତେବେଳେ ସେ ସଠିକ୍ ଭାବେ ଜାଣିବାକୁ ପାଇଲେ ଯେ ରାଜା ବିଛଣାରେ ଏପଟ ସେପଟ ହେଉଛନ୍ତି । ସେ ସମୟରେ ସେ କହିଲେ, ‘ରାଜା ହେଉଛନ୍ତି ଜଣେ ଅବିବେକୀ । ସେ ସର୍ବଦା ପାଇଖାନା ମଧ୍ୟରେ କାକୁଡି ଖାଆନ୍ତି ।

ରାଜା ଏହା ଶୁଣିବା ପରେ ରାଗରେ ପାଟି କରି ଉଠିଲେ । ଏବଂ କହିଲେ, “ତୁମେ! ଗୋରମ୍ଭ! କଣ ଏପରି କଥାବାର୍ତ୍ତା କରୁଛ?” ତୁମେ ଜାଣି ରଖିବା ଉଚିତ୍ ଯେ ତୁମେ ହେଉଛ ମୋର ଜଣେ ସେବକ । ସେଥିପାଇଁ ମୁଁ ତୁମ୍ଭର ସବୁ ଦୋଷକୁ କ୍ଷମା କରିଦେଉଛି । ତୁମେ କେବେ ଦେଖିଛ ମୋର ଏପରି କାର୍ଯ୍ୟ କରିବାର?’

ଗୋରମ୍ଭ କହିଲେ ‘ମହାରାଜ’ କାଲି ରାତିରେ ମୁଁ ଜୁଆ ଖେଳୁଥିବାରୁ ଶୋଇ ପାରି ନଥିଲି । ତେଣୁ ଏହି ସକାଳୁ ମୋତେ ବହୁତ ନିଦ ଲାଗୁଛି । ପ୍ରକୃତରେ ମୁଁ ନିଜେ ଜାଣି ନାହିଁ, ମୁଁ ଆପଣଙ୍କ ଆଗରେ କ’ଣ ସବୁ କହି ଯାଉଛି । ତେଶୁ ଆପଣ ମୋତେ କ୍ଷମା କରନ୍ତୁ ।

ରାଜା ଏହା ଶୁଣିବା ପରେ ଚିନ୍ତା କଲେ, ମୁଁ ଯେପରି ମୋ ଜୀବନକାଳ ମଧ୍ୟରେ କେବେବି ପାଇଖାନା ଘରେ ପଶି କାକୁଡି ଖାଇ ନାହିଁ ଦାନ୍ତିଲ୍ ମଧ୍ୟ ସେହିପରି କେବେ-ବି ମହାରାଣୀଙ୍କୁ ବଶୀଭୂତ କରିବାକୁ ଚାହିଁ ନଥିବେ । ଗୋରମ୍ଭ ଅନିଦ୍ରା ହୋଇ ଯାହାସବୁ କହିଛନ୍ତି ସେ ସବୁ କଥାକୁ ବିଶ୍ୱାସ କରାଯାଇ ନ ପାରେ । ମୁଁ ଅଯଥାରେ ଦାନ୍ତିଲ୍ ଙ୍କୁ ଦୋଷ ଦେଇ ରାଜଉଆସ ମଧ୍ୟକୁ ନ ଆସିବାକୁ କହିଲି । ତାଙ୍କ ବିନା ସମସ୍ତ ରାଜନୈତିକ କାର୍ଯ୍ୟ କେବଳ ଏଇ ରାଜ ପ୍ରାସାଦରେ ନୁହେଁ, ସମଗ୍ର ନଗରୀରେ ମଧ୍ୟ ବ୍ୟାହାତ ହୋଇଛି ।

ରାଜା ନିଜର ଭୁଲ୍ ପାଇଁ ଅନୁତାପ କରିବା ପରେ ଦାନ୍ତିଲ୍ ଙ୍କୁ ପୁନର୍ବାର ରାଜନଅରକୁ ଆମନ୍ତ୍ରଣ କଲେ । ସସମ୍ମାନେ ପୁନର୍ବାର ତାଙ୍କୁ ସେହି ପଦବୀରେ ଅଭିଷିକ୍ତ କରାଇ ନାନାଦି ଉପହାର ପ୍ରଦାନ କଲେ ।

ତେଣୁ ଦମନକ କହିଲେ, ‘ଜଣେ ବ୍ୟକ୍ତି ଯଦି ଉଚ୍ଚ ବର୍ଗ ଓ ନିମ୍ନ ବର୍ଗର ଜନତାଙ୍କୁ ଠିକ୍ ଭାବରେ ସନ୍ତୁଷ୍ଟ କରିପାରେ ନାହିଁ, ସେ ରାଜାଙ୍କର ଯେତେ ଘନିଷ୍ଠ ହେଲେ ମଧ୍ୟ ସେ ଦୁଃଖ ପାଏ । ଯେପରି କିଛି ଦିନ ପାଇଁ ଦାନ୍ତିଲ୍ ମାନସିକ ଦୁଃଖ କଷ୍ଟ ଭୋଗ କରିଥିଲେ ।

ସଂଜୀବକ କହିଲେ, ‘ଭାଇ ଦମନକ’! ତୁମେ ଯାହା କହୁଛ ସତ । ତୁମେ କହିବା ଅନୁସାରେ ମୁଁ କାର୍ଯ୍ୟ କରିବି ।

ଏହାପରେ ଦମନକ ସଂଜୀବକଙ୍କୁ ପିଙ୍ଗଳକଙ୍କ ନିକଟକୁ ଆଣିଲେ । ଏବଂ କହିଲେ, ‘ମହାରାଜ’ ! ମୁଁ ସଂଜୀବକଙ୍କୁ ଆପଣଙ୍କ ନିକଟକୁ ନେଇ ଆସିଛି । ବର୍ତ୍ତମାନ ମୁଁ ଆପଣଙ୍କ ଉପରେ ସବୁକିଛି ଛାଡି ଦେଉଛି । ଏହାପରେ ସଂଜୀବକ ବିନୟର ସହିତ ମହାରାଜ ପିଙ୍ଗଳକଙ୍କ ସାମ୍ନାରେ ଦଣ୍ଡାୟମାନ ହେଲେ । ପିଙ୍ଗଳକ ମଧ୍ୟ ତାଙ୍କୁ ଯଥାରୀତି ସମ୍ମାନ ପ୍ରଦର୍ଶନ କରି କହିଲେ । ‘ତୁମେ ହେଉଛ ମୋର ବନ୍ଧୁ । ତୁମେ ଏହି ଘଂଚ ଅରଣ୍ୟ ମଧ୍ୟକୁ କିପରି ଆସିଲ?’

ସଂଜୀବକ ଏ ପର୍ଯ୍ୟନ୍ତ ଯାହା ଯାହା ଘଟିଥିଲା ସବୁକିଛି ବର୍ଣ୍ଣନା କଲେ । ଯେତେବେଳେ ସଂଜୀବକ ତାଙ୍କର କାହାଣୀ ଶେଷ କଲେ ସେତେବେଳେ ପିଙ୍ଗଳକ ସବିନୟ ଭାବରେ କହିଲେ, ‘ପ୍ରିୟ ସଂଜୀବକ, ନିର୍ଭୟରେ ଏହି ଜଙ୍ଗଲରେ ବିଚରଣ କର । ପିଙ୍ଗଳକ ମଧ୍ୟ ତାଙ୍କୁ ନିଜ ସହିତ ରହିବାକୁ କହିଲେ । ଏବଂ କହିଲେ ଏହି ଜଙ୍ଗଲରେ ଅନେକ ହିଂସ୍ର ଜନ୍ତୁ ବସବାସ କରୁଛନ୍ତି । ହୁଏତ ତୁମକୁ କିଛି ଅସୁବିଧା ହୋଇପାରେ ।

ସଂଜୀବକ, ପିଙ୍ଗଳକଙ୍କ ନିକଟରେ କିଛି ଦିନ ରହିବା ପରେ ସେ ତାଙ୍କୁ ଜ୍ଞାନର ଅଜସ୍ର ଦିଗକୁ କାହାଣୀ ମାଧ୍ୟମରେ କହିଲେ । ଯାହା ଫଳରେ କି ମୁର୍ଖ ପିଙ୍ଗଳକର ଜ୍ଞାନୋଦୟ ହେଲା ଓ ସେ ତା’ର ହିଂସ୍ର କାର୍ଯ୍ୟ କଳାପଟାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ଟାଣିଦେଲା । ପ୍ରତ୍ୟେକ ଦିନ ସେମାନେ ଗୁପ୍ତରେ କୌଣସି ନା କୌଣସି ବିଷୟ ଉପରେ ଆଲୋଚନା କରୁଥାଆନ୍ତି । ଅନ୍ୟ ସମସ୍ତ ପ୍ରାଣୀ ମଧ୍ୟ ଏହି ଆଲୋଚନାରେ ଭାଗ ନେଇ ଥାଆନ୍ତି । ଏପରିକି ଦମନକ ଏବଂ କାରାତକ ମଧ୍ୟ ଏଥିରେ ଭାଗନେଇଥାନ୍ତି । ଏହିପରି ଆଲୋଚନାରେ ବ୍ୟସ୍ତ ରହିବାରୁ ମହାରାଜ ସିଂହ ଶିକାରକୁ ଯାଇପାରନ୍ତି ନାହିଁ । ତେଣୁ ଅନ୍ୟ ସମସ୍ତ ପ୍ରାଣୀମାନଙ୍କୁ ଉପବାସରେ ସମୟ କାଟିବାକୁ ପଡିଥାଏ । ଶେଷରେ ନିରୂପାୟ ହୋଇ କାରାତକ ଏବଂ ଦମନକ ବ୍ୟସ୍ତହୋଇ ପଡିଲେ । ମହାରାଜଙ୍କ ଠାରେ କୌଣସି ପରିବର୍ତ୍ତନ ଦେଖି ପାରିଲେ ନାହିଁ ।

ଦମନକ କହିଲେ ‘ଭାଇ କାରାତକ’ ମହାରାଜ ଯଦି ଏପରି ସଂଜୀବକଙ୍କ ବଶୀଭୂତ ହୋଇ କୌଣସି କାର୍ଯ୍ୟରେ ମନ ନଦିଅନ୍ତି ଏବଂ ନିଜର ଦାୟିତ୍ୱ ଭୁଲିଯାଆନ୍ତି ତା’ ହେଲେ ସବୁକିଛି ଧ୍ୱଂସ ହୋଇଯିବ । ତେବେ ବର୍ତ୍ତମାନ ଆମେ କଣ କରିବା? ଯଦି ମହାରାଜ ଆମ କଥା ନ ଶୁଣନ୍ତି ତା’ହେଲେ ଆମେ କ’ଣ କରିବା ବୋଲି କାରାତକ ପଚାରିଲେ । ଦମନକ କହିଲେ, ତାଙ୍କ ଦୋଷଗୁଣ ତାଙ୍କୁ ସୂଚାଇ ଦେବା ଆମ୍ଭମାନଙ୍କର କର୍ତ୍ତବ୍ୟ । କାରାତକ ଦମନକଙ୍କୁ କହିଲେ, ‘ସେହି ତୃଣଭୋଜୀ ସଂଜୀବକଙ୍କୁ ତୁମେ ଏଠାକୁ ଆଣିଲ, ଏଥିପାଇଁ ତୁମେ ହିଁ ଦାୟୀ ।

‘ଦମନକ’ କହିଲେ, ‘ହଁ’, ତାହା ସତ୍ୟ । ଏହା ମୋର ଦୋଷ ମହାରାଜଙ୍କର ନୁହେଁ । ଯେପରି ସାଧୁ ଜଣକ ଆଷାଢଭୂତିଙ୍କ ବିଶ୍ୱାସ ଘାତକତାର ଶିକାର ହୋଇଥିଲେ ‘କାରାତକ’ କହିଲେ ‘ତାହା କଣ’? ‘ଦମନକ’ ଏହି କାହାଣୀର ଅବତାରଣା କଲେ ।

ବର୍ଦ୍ଧମାନ ନଗରୀ ବଣିକ

Rate the content


Originality
Flow
Language
Cover design

Comments

Post

Some text some message..