Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamala Satpathy

Inspirational Tragedy

2.3  

Kamala Satpathy

Inspirational Tragedy

ଭାଇ ଭାଗ

ଭାଇ ଭାଗ

16 mins
14.3K


ଘରର ଦରଜାଟା ଖୋଲି ଭିତରକୁ ପଶିଲା ବେଳେ ଆନନ୍ଦାତିଶଯ୍ୟରେ ସଦାନନ୍ଦଙ୍କ ଆଖିରୁ ଦୁଇ ଟୋପା ଲୁହ ଝରିପଡିଲା । ଓଃ, .. କେତେ ବର୍ଷ ଲାଗିଗଲା ସତରେ, ନିଜ ଘରକୁ ନିଜର କହିବାରେ ! ଏ ଜନ୍ମରେ ପୁଣି ଥରେ ଏ ଘରକୁ ଆସି ପାଦ ଥୋଇପାରିବା କଥା ସେ କ’ଣ ସତରେ ଭାବି ପାରିଥିଲେ !

ଆବେଗରେ ଛାତି ରୁନ୍ଧି ହେଇଯାଉଛି .. ସନ୍ତୋଷରେ ମନ ଭିଜିଯାଉଛି .. ମନ କହୁଛି ଦଉଡି ଦଉଡି ପୂରା ଘରଟାକୁ ଖେଦି ଯାଆନ୍ତେ .. ପାଟି କରି ଘରଦ୍ବାର କମ୍ପେଇ ଦିଅନ୍ତେ .. ଯେମିତି କରୁଥିଲେ ସେ ପିଲାବେଳେ ! ବୋଉର ଡାକ, ଜେଜେମା’ର ଗାଳିକୁ ଏ କାନରେ ପୂରେଇ ସେ କାନରେ ବାହାର କରିଦେଇ, କେତେବେଳେ ରୋଷେଇଘରର ଟିଣଛାତ ଉପରକୁ ଚଢି ଯାଉଥିଲେ ତ ଆଉ କେତେବେଳେ ବାଡିଆଡ ନଡିଆ ଗଛ, ଲେମ୍ବୁଗଛ ମୂଳରେ ଲୁଚି ଯାଉଥିଲେ ! କେବେ ଛାତ ଉପରକୁ ଚଢିଯାଇ ଆମ୍ୱ, ପିଜୁଳି, ଆତ ତୋଳି ପକୋଉଥିଲେ ତ, ଆଉ କେତେବେଳେ ଦାଣ୍ଡଆଡେ ଥିବା କୂଅ ପାଖକୁ ଯାଇ ତା’ ଭିତରେ କେତେ ପାଣି ଅଛି ବୋଲି ଉଣ୍ଡିକି ଦେଖୁଥିଲେ ।

ଇସ୍‌ .. କେତେ ମଧୁର ସ୍ମୃତିରେ ଭରା ଏ ଘର ତାଙ୍କର ! ତାକୁ ପୁଣି ସାନଭାଇଟା ତାଙ୍କ ପାଖରୁ ଛଡେଇ ନେବାକୁ ବସିଥିଲା ! ଏମିତି କେମିତି ଦେଇ ଦେଇଥାନ୍ତେ ଭଲା ! ଜୀବନର ପ୍ରତିଟି ପଦକ୍ଷେପରେ ସେ ଖାଲି ତାଙ୍କ ପାଖରୁ ସବୁକିଛି ଛଡେଇ ନେବାକୁ ହିଁ ଜନ୍ମ ହେଇଛି ! ଯୋଉ ବୟସରେ ଯାହା ତାଙ୍କୁ ସବୁଠୁ ବେଶି ପ୍ରିୟ ଭାବି ନିଜ ପାଇଁ ରଖିନେବାକୁ ସେ ଚାହିଁଛନ୍ତି, ସେଇ ସବୁ ଜିନିଷକୁ ବିନା କୁହାପୋଛାରେ ସେ ତାଙ୍କ ଠାରୁ ଛଡେଇ ହି ନେଇଛି । ସବୁବେଳେ ବଡ ଭାଇ ବୋଲି ତାଙ୍କ ପାଖରୁ ହି ବଳିଦାନର ଆଶା କରିଛନ୍ତି ସମସ୍ତେ । ଇଚ୍ଛା ନ ଥାଇକି ବି ସେସବୁ ସେ କରିଛନ୍ତି ବି ଥରକୁ ଥର । ହେଲେ ବୟସର ଶେଷ ପାହାଚରେ ପହଞ୍ଚିଲା ପରେ ବି ବଳିଦାନର ଆଶା କରୁଥିବା ମୁକୁନ୍ଦକୁ ଜବର ଧକ୍କା ସେ ଦେଇଛନ୍ତି ଏଥର କୋର୍ଟ କେସ୍ ରେ ବିଜୟୀ ହେଇ । ଏ ଘର ଉପରେ କେବଳ ତାଙ୍କର ହି ଅଧିକାର ଅଛି ବୋଲି ଅନ୍ତିମ ନିର୍ଣ୍ଣୟ ଆସିଯାଇଛି । ଆଉ ସେଇଥିପାଇଁ ସେ ଆଜି ଆସିଛନ୍ତି ମନ ପୂରେଇ ନିଜର ଅତି ଆପଣାର ସ୍ମୃତି ସଂପନ୍ନ ଘରଟିକୁ ଦେଖି ପକେଇବାକୁ ।

“ହେଇଟି ଶୁଭୁଛି .. ଏପଟ ଘରର ତାଲା ଗୁଡା ଜମା ଖୋଲୁନାହିଁ, ଆସି ଟିକେ ଦେଖିଯିବ କି ! ଏତେ ଦିନରୁ ବ୍ୟବହାର ନହେଇ କଳଙ୍କି ଲାଗିଯାଇଛି ପୂରା ! ବ୍ରଜକୁ କହିଲ ନଡିଆ ତେଲର ବୋତଲଟେ କିଣିଆଣି ଆଗ ସବୁ ତାଲାରେ ଢାଳିବ !”

ଜୟାଙ୍କ କଥାରେ ଧ୍ୟାନ ଭଙ୍ଗହେଲା ସଦାନନ୍ଦଙ୍କର । ପିଲାଦିନର ଉଚ୍ଛୃଙ୍ଖଳିତ ଦିନମାନଙ୍କରୁ ବାହାରି ଆସି ସେ ବର୍ତ୍ତମାନରେ ପହଞ୍ଚିଗଲେ । ଡ୍ରାଇଭର ବ୍ରଜକୁ ତେଲ ବୋତଲଟେ ଆଣିବାର ନିର୍ଦ୍ଦେଶ ଆଉ ପଇସା ଦେଇ, ବାଡି କବାଟଟାକୁ ଖୋଲିବାକୁ ଚାଲିଗଲେ । ବହୁତ ଦିନରୁ ବନ୍ଦ ପଡିଥିବା କବାଟରୁ ବାହାରୁଥିବା କର୍କଶ ଧ୍ୱନିରେ ଶବ୍ଦମୟ ହେଇଗଲା ପରିବେଶ, ଆଉ ତା’ ସହିତ ମନେ ପଡିଗଲା ଜେଜେମା’ର ଉଲୁଗୁଣା । କବାଟ ଝରକା ଏମିତି ଶବ୍ଦ କଲେ ବୋଉ ଉପରେ ସେ ଭାରି ବିରକ୍ତ ହୁଏ । ପାଟି କରି କୁହେ, “ଆଲୋ, ତେଲ ଟିକିଏ ଦେଇ ସେ ଆବାଜକୁ ବନ୍ଦ କରିବା କଥା ତୋ’ ମୁଣ୍ଡରେ ପଶୁନି ନା କ’ଣ ! ସେତକ ବି ମତେ ଶିଖେଇବାକୁ ପଡିବ ! ଘରେ ଲକ୍ଷ୍ମୀ ରହିବେ ଭଲା !!”

ହସ ମାଡେ ବାଳକ ସଦାନନ୍ଦକୁ ଜେଜେମା’ର ଏ କଥାରେ । ତାକୁ ଚିଡେଇବାକୁ କହିଉଠେ, “କାହିଁ, ତୋ’ ଲକ୍ଷ୍ମୀ କ’ଣ ଡରିଯିବେ ଏ ଶବ୍ଦରେ ! ..”

ରାଗିକି ପାଟି କରିଉଠେ ଜେଜେମା’, “ରହରେ ଛତରା ଟୋକା .. ଦଉଛି ତତେ ! ମୋ କଥା ଉପରେ କଥା କହୁଛୁ ? ଭାରି ତ ବହପ ହେଇଗଲାଣି ତୋର ..” ନିଜର ବଙ୍କୁଲି ବାଡିଟାକୁ ଉଠେଇ ଧାଇଁଆସେ ସେ ସଦାନନ୍ଦଙ୍କ ପାଖକୁ । ହେଲେ ସେତେବେଳକୁ ସଦାନନ୍ଦ କ’ଣ ସେଠି ଥାଆନ୍ତି କି ଆଉ ! ସେ ତ ବହୁତ ପୂର୍ବରୁ ପବନରେ କୁଆଡେ ମିଳେଇ ଯାଇଥାନ୍ତି !

ବାକି ସବୁ ଘରଅଗଣା ଅରମାରେ ପରିପୂର୍ଣ୍ଣ ହେଇ ଯାଇଥିଲେ ବି ବାଡିପଟର କୂଅମୂଳ ଜାଗାଟା ବେଶ୍ ସଫାସୁତୁରା ଅଛି । ପଡିଶା ଘରର ଝିଅବୋହୂମାନେ ଏବେ ବି ସେଠିକାର ପାଣି ବ୍ୟବହାର କରୁଛନ୍ତି ଗାଧୁଆ ପାଧୁଆ କାର୍ଯ୍ୟ ପାଇଁ । ସେଥିପାଇଁ ନ କହିକି ବି ସେଠିକାର ସଫାସଫି ଦାୟୀତ୍ବ ନିଜ ଉପରକୁ ସେମାନେ ନେଇ ଯାଇଛନ୍ତି । କୂଅ ଚାନ୍ଦିନୀ ପାଖର ମନ୍ଦାର ଗଛରେ ଅଗଣିତ ଫୁଲ, କାମିନୀ ଗଛରେ ଭର୍ତ୍ତି ହେଇ ଯାଇଛନ୍ତି ଉଈ, ମଧୁମାଳତୀ ଲଟା ଉପରେ ନଡିଆ ଗଛର ଛାଇ ଥାଇକି ବି ଫୁଲରେ ଭାଙ୍ଗିପଡିଛି ଗଛ, ଲେମ୍ବୁଗଛରେ ଭର୍ତ୍ତି ହେଇଛି କଷି ! ଏ ସବୁ ଗଛରେ ପିଲାଦିନେ ନିଜ ହାତରେ ପାଣି ଢାଳି, ଯତ୍ନରେ ବଢେଇଥିଲେ ସେ । କୂଅ ପାଖକୁ କେବେ ବି ଆସିବାକୁ ଦଉନଥିବା ଜେଜେମା’ ଆଖିରୁ କୌଣସି ମତେ ନିଜକୁ ବଞ୍ଚେଇ ଲୁଚି ଲୁଚି ଆସି କୂଅରେ ବାଲ୍ଟି ପକେଇ ପାଣି କାଢି ଗଛମୂଳେ ଢାଳୁଥିଲେ । ଯାହାର ଖବରଟା କେମିତି କରିକି ଜେଜେମା’ ପାଖରେ ପହଞ୍ଚି ଯାଉ ହି ଥିଲା । ଆଉ ତା’ ପରେ ସାରା ଦିନ ତାରି ବକର ବକର ତାଙ୍କୁ ଶୁଣିବାକୁ ପଡୁଥିଲା ।

ସେତେବେଳେ ସିନା ଜେଜେମା’ ଉପରେ ତାଙ୍କୁ ଭାରି ରାଗ ମାଡୁଥିଲା, ହେଲେ ଆଜି ପରିଣତ ବୟସରେ ସେଇ ବକର ବକର ଭିତରେ, ତାଙ୍କ ପାଇଁ ରହିଥିବା ଚିନ୍ତା ଆଉ ବ୍ୟାକୁଳତାକୁ ଅନୁଭବ କରି ଆଖି ଓଦା ହେଇଯାଉଛି ।

ବାଡିପଟରୁ ଘେରାଏ ବୁଲିଆସି ଛାତ ଉପରକୁ ଚଢିଗଲେ । ସିଢିଗୁଡା ଅଧାଅଧି ଭାଙ୍ଗିଯାଇଛି । କାନ୍ଥରୁ ବାଡରୁ ସିମେଣ୍ଟ ପଲସ୍ତରା ଛାଡିଯାଇ ମାଙ୍କେଡା ପଥରଗୁଡା ଦାନ୍ତ ନିକୁଟୁଛନ୍ତି । ଆମ୍ୱଗଛର ବିରାଟ ବିରାଟ ଡାଳଗୁଡା ଲମ୍ୱି ଆସି ଛାତର ଭଙ୍ଗା ପାରାପିଟ୍ ଉପରେ କୁଢେଇ ପଡିଛି । ଆତ ଗଛଟାରେ ଗୋଟାଏ କଷି ନାହିଁ କି ନଡିଆ ଗଛରେ ଫଳଟିଏ ନାହିଁ । ଯିଏ ଯୁଆଡେ ମାରିମୁରି ଖାଇ ଯାଉଛନ୍ତି । କେହି ଦେଖିବାକୁ ନାହିଁ କି ଜଗିବାକୁ ନାହିଁ, ସମସ୍ତେ ମାଲିକ ସାଜିଛନ୍ତି ।

ପାରାପିଟ୍ ଦେହରେ ହାତ ମାରିଲେ ସଦାନନ୍ଦ । ୟା’ରି ଉପରେ କେତେ କରତବ ଦେଖେଇଛନ୍ତି ସେ ! ଦୁଆରେ ଠିଆ ହେଇ ରାଉ ରାଉ ହେଉଥିବା ଜେଜେମା’କୁ ଆହୁରି ରଗେଇବା ପାଇଁ ଜାଣିଶୁଣି ୟା’ ଉପରେ ଚଢି ଦୁଇପଟକୁ ଗୋଡ ଝୁଲେଇ ବସିଛନ୍ତି ! ମାଙ୍କଡ ଉପରକୁ ଟେକା ପଥର ମାରିଛନ୍ତି .. ଗୁଣ୍ଡୁଚି ମୂଷାର ଲାଞ୍ଜ ଭିଡିଛନ୍ତି .. ପଡିଶା ଘରର ମାଇଁଆଇଙ୍କ ଚାଳ ଉପରକୁ ଡେଇଁ, ତାଙ୍କ ବାଡିରୁ ପିଜୁଳି କୋଳି ତେନ୍ତୁଳି ସବୁ ସଫା କରିଦେଇଛନ୍ତି ! ବେଲ ଝଡେଇଛନ୍ତି .. ଗଡିଆରୁ ମାଛ ମାରିଛନ୍ତି .. ପାଳଗଦାରୁ ପାଳ ଖସେଇଛନ୍ତି .. କ’ଣ କ’ଣ ନକରିଥିଲେ ସେ ସତରେ ! କେତେ ମାଡ ଖାଇଛନ୍ତି, ଗାଳି ଶୁଣିଛନ୍ତି, ବାପାଙ୍କ ପାଟିରେ ଠିଆ ଠିଆ ମୁତି ପକେଇଛନ୍ତି, ହେଲେ କୋଉ ପ୍ରକାରର ବାଳୁଙ୍ଗାମୀରୁ ଦୂରେଇ ଯାଇନାହାନ୍ତି ।

ବାପା ଗାଁରେ ଥିଲା ଦିନତକ ତାଙ୍କ ଠାରୁ ସୁଧାର ପିଲା ଏ ଖଣ୍ଡମଣ୍ଡଳରେ ନଥାଏ । ହେଲେ ବାପା କଟକ ଚାଲିଯିବା ପର ମୁହୂର୍ତ୍ତରେ ତାଙ୍କ ଭିତରର ସବୁ ସୁଧାରପଣ ବି ବାପାଙ୍କ ପଛେ ପଛେ କଟକ ଚାଲିଯାଏ ! ଫେରିଆସନ୍ତି ସେ ନିଜର ବାସ୍ତବ ରୂପକୁ । ବୋଉର ପାଟିକୁ ଟିକିଏ ବି ଖାତର କରୁ ନଥିବାରୁ ଜେଜେମା’ ତାକୁ ପାଟି କରି ଘର କମ୍ପାଏ, “କି ମା’ ହେଇଛୁ ତୁ ? ଛୁଆଟାକୁ ଟିକେ ଆକଟ କରିପାରୁନୁ ! ଦିନରାତି ବାବନାଭୂତ ପରିକା ୟା’ ବାଡି ତା’ ବାଡିରେ ପଶି ନାଟତାମସା କରୁଛି ! ଗାଁ ସାରା ନାଁ ପକୋଉଛି .. ଆଉ ତୁ ଖାଲି ସେଇ ରୋଷେଇ ଘରେ ମୁହଁକୁ ମାଡି ପଡିଥା ଦିନରାତି ..”

ତା’ ପାଟିରେ ଦାଣ୍ଡ କମ୍ପେ । ତାଙ୍କ ସାଥିରେ ଯୋଉମାନେ ଥାଆନ୍ତି, ଡରିମରି ନିଜ ନିଜ ଘରକୁ ପଳେଇ ଯାଆନ୍ତି । ହେଲେ ସଦାନନ୍ଦ ଯେମିତି ଆମ୍ବ ପିଜୁଳି ତୋଳିକି ଖାଇବା କଥା, ଖାଉଥାନ୍ତି । ତାଙ୍କରି ଉଦ୍ଦେଶ୍ୟରେ ଛଡା ଯାଉଥିବା ଗାଳିଗୁଡା, ତାଙ୍କ ପାଖକୁ ଆସିବା ପୂର୍ବରୁ ବାଟଭାଙ୍ଗି ଅନ୍ୟ କୋଉଆଡେ ଚାଲି ଯାଇଥାଏ । ଘରକୁ ଫେରିଲା ବେଳକୁ କାହାର ଆଉ ମନେ ନଥାଏ ତାଙ୍କ ଦୁଷ୍ଟାମୀ । ଓଲଟି ଦିନସାରା କିଛି ଖାଇନଥିବା ପିଲାଟିର ଶୁଖିଲା ମୁହଁକୁ ଦେଖି, ସମସ୍ତଙ୍କର ହଲକ ଶୁଖିଯାଏ । ତାଙ୍କ ପାଇଁ ଲୁଚେଇ ରଖିଥିବା ମାଛ କି ଶୁଖୁଆ କି ଆଳୁପୋଡାକୁ ଭର୍ତ୍ତା କରି ସାଙ୍ଗେ ସାଙ୍ଗେ ପେଟ ଫାଟିଗଲା ପର୍ଯ୍ୟନ୍ତ ପଖାଳ ଖୁଆଇଦିଏ ବୋଉ । ତାକୁ ସାରିକି ଗଲାବେଳକୁ ଜେଜେମା’ ଆଣି ଧରେଇ ଦିଏ ବାଦାମ ଲଡୁରୁ ପୁଞ୍ଜାଏ କି ମୁଢି ମୁଆଁରୁ ଦି’ଟା, ନହେଲେ ତାଜା ଗୁଡରେ ବନିଥିବା ଉଖୁଡାରୁ ଥାଳିଏ ।

ସେ ସମୟରେ କାହାର ଆଉ ମନେ ପଡେନା ଯେ ଦିନ ସାରା ଆଜି ପାଠଶାଠ ନପଢି, ସ୍କୁଲ୍ ନଯାଇ, ବାତେରାଙ୍କ ପରି ଇଆଡେ ସିଆଡେ ବୁଲାବୁଲି କରି ସେ ଫେରିଛନ୍ତି ବୋଲି । ଘରର ଏକମାତ୍ର କୁଳଦୀପକର ସେବାରେ ସମସ୍ତେ ଲାଗି ପଡିଥାନ୍ତି !

ବଡ ଆରାମରେ କଟୁଥିବା ଜୀବନକୁ ହଠାତ୍ କାହାର ନଜର ଲାଗିଗଲା ସତେ କି ! ସବୁକିଛିରେ ବସିଗଲା ଏକ ବିରାଟ ପୂର୍ଣ୍ଣଚ୍ଛେଦ । ଏକୋଇର ବଳା ବିଶିକେଶନରୁ ସେ ହଠାତ୍ ବନିଗଲେ ଏ ଘରର ବଡପୁଅ, ଏକ ଦାୟୀତ୍ବବାନ୍ ମଣିଷ, ଯାହାର ପିଲାଦିନଟା ଅକସ୍ମାତ ହଜିଗଲା ଆଉ କାହାର କଳରବରେ !

ଦଶ ଏଗାର ବର୍ଷର ତାଙ୍କ ଏକଛତ୍ରବାଦୀ ଶାସନ ଭିତରକୁ ପଶିଆସିଲା କୌଣସି ଏକ ଦୁଷ୍ଟଗ୍ରହ ପରି ତାଙ୍କ ସାନଭାଇ ମୁକୁନ୍ଦ, ସବୁକଥାରେ ଭାଗ ବସେଇବାକୁ ! ରାତାରାତି ବାଳକ ସଦାନନ୍ଦରୁ ସେ ବନିଗଲେ ବଡଭାଇ ସଦାନନ୍ଦ ! ଆଶ୍ଚର୍ଯ୍ୟ ହେଇଗଲେ ସେ ନିଜର ସ୍ଥିତିକୁ ଦେଖ । ଏ ଘରେ ସେ ଏବେ କ’ଣ ? ତାଙ୍କର ଅସ୍ତିତ୍ବ କ’ଣ ? କିଛି ନୁହେଁ କି !!

ଏବେ ଆଉ ନା ବୋଉର ଧ୍ୟାନ ଅଛି ତାଙ୍କ ଉପରେ, ନା ବାପାଙ୍କର ଧୈର୍ଯ୍ୟ ଅଛି ତାଙ୍କ ଫରମାଇସି ପୂରା କରିବାରେ । ଜେଜେମା’ ତ ଏମିତି ବି ପ୍ରଥମରୁ ଖାଲି ଗାଳିଦେବା ହି ଜାଣିଛି .. ଯାହାକୁ ଏବେ ସେ ଆହୁରି ଅଧିକ ବଢେଇ ଦେଇଛି । ଏବେ ତ ପ୍ରତିକଥାରେ ସମସ୍ତଙ୍କ ମୁହଁରେ ଖାଲି ମୁକୁନ୍ଦ, ମୁକୁନ୍ଦ .. ଆଉ ମୁକୁନ୍ଦ ! ସତେ ଯେମିତି ଏଠି ମୁକୁନ୍ଦ ବ୍ୟତୀତ ଆଉ କେହି ବି ରହୁନାହାନ୍ତି !

ଆଗରୁ ସବୁବେଳେ ଶନିବାର ରାତିକୁ ସେ ଚାହିଁକି ବସୁଥଲେ । ବାପା କଟକରୁ ଆସିଲା ବେଳେ ତାଙ୍କ ପାଇଁ ନିଶ୍ଚୟ କିଛି ନା କିଛି ନେଇକି ଆସିଥାନ୍ତି । କେବେ ଚକୋଲେଟ୍ ଆଉ ବିସ୍କୁଟ, ତ ଆଉ କେତେବେଳେ କଲିକତୀ କୋଳି, ପିଜୁଳି .. ନହେଲେ ନୂଆ ଡ୍ରେସ୍ , ମୋଜା, ରଙ୍ଗ କରିବାକୁ ବହି, ଖାତା, ଖେଳନା, ନହେଲେ ଆଉ କିଛି । ହେଲେ ମୁକୁନ୍ଦ ଆସିଗଲା ପରେ ସେସବୁ ଧିରେ ଧିରେ କମି କମି ଦିନେ ପୂରାପୂରି ବନ୍ଦ ହି ହେଇଗଲା । ଏବେ ବାପାଙ୍କ ଆସିବା ବାଟକୁ ଚାହିଁ ବସିବାକୁ, ତାଙ୍କ ବ୍ୟାଗ୍ ଅଣ୍ଡାଳିବାକୁ ଜମା ମନ ହୁଏନା ତାଙ୍କର। ସେ ଜାଣନ୍ତି, ସେଥରୁ ଏବେ ଯାହା ବାହାରିବ, ସବୁକିଛି ଥିବ ମୁକୁନ୍ଦ ପାଇଁ । ବେବି ଫୁଡ୍ ଠୁ ନେଇ ଜୋତା ମୋଜା ସ୍ବେଟର ଅଥବା ପେଁ ପାଁ କରି ବାଜୁଥିବା ଖେଳନା କିଛି । ସେସବୁଥିରେ ହାତ ମାରିବାକୁ ବି ଇଚ୍ଛା ହୁଏନି ତାଙ୍କର । ମନ ହୁଏ ଖାଲି ଜୋର୍ ରେ କାନ୍ଦିବାକୁ । କିନ୍ତୁ ସେତକ ବି କରିପାରନ୍ତିନି ନିଶ୍ଚିନ୍ତରେ । ପାଟି ଖୋଲିବା ପୂର୍ବରୁ ହି କେହି ନା କେହି କହିଦିଏ – ଏତେ ବଡ ପିଲାଟେ ହେଇକି କାନ୍ଦୁଛୁ କ’ଣ ? ତୁ କ’ଣ ମୁକୁନ୍ଦ ପରି କୁନି ପିଲା ?

ଖୁବ୍ ରାଗ ମାଡେ ତାଙ୍କୁ । ମନ ବିଦ୍ରୋହରେ ଭରିଯାଏ । ଇଚ୍ଛା ହୁଏ, କେତେବେଳେ ସୁଯୋଗ ପାଆନ୍ତେ କି, ଭଲକରି ଦୁଇ ଚାରିଟା ଥୋଇଦିଅନ୍ତେ ମୁକୁନ୍ଦ ପିଠିରେ । କେତେ ଥର ପ୍ରୟାସ ଯେ ନ କରିଛନ୍ତି, ସେକଥା ନୁହେଁ, ତେବେ ସଫଳ ହେଇ ପାରିନାହାନ୍ତି । ଜେଜେମା’ର ରାଢ ଆଖି ତାଙ୍କ ଆଖପାଖରେ ଅହର୍ନିଶ ଘୂରି ବୁଲୁଥାଏ ।

ମୁକୁନ୍ଦର ବୟସ ଯେତିକି ଆଗକୁ ବଢୁଥିଲା, ସେତିକି ସଙ୍କୁଚିତ ହେଇ ଯାଉଥିଲା ସଦାନନ୍ଦଙ୍କ ଆଧିପତ୍ୟ ସେ ଘରେ । ଏବେ ପ୍ରତି କଥାରେ ସମସ୍ତଙ୍କ ମୁହଁରେ ଥିଲା ମୁକୁନ୍ଦର ନାଁ .. ଚିନ୍ତାରେ ଥିଲା ମୁକୁନ୍ଦର ସ୍ବାସ୍ଥ୍ୟ .. ଭାବନାରେ ଥିଲା ତା’ର ଭବିଷ୍ୟତ ! ଆଉ ସଦାନନ୍ଦ କୋଉଠି ଥିଲେ ? ବୋଧେ କୋଉଠି ବି ନୁହେଁ । ତା’ର ସବୁ ଦୁଷ୍ଟାମୀ ଦେଖି ବିଭୋର ହେଇଯାଉଥିଲେ ଘରଲୋକେ .. ଝୁମି ଯାଉଥିରେ ତା’ର ଦରୋଟି ଭାଷାର କଥା ଶୁଣି । ସମସ୍ତଙ୍କ ଆଗରେ କହି ବୁଲୁଥିଲେ ତା’ର ଗୁଣଗ୍ରାମ । କାହାରି ପାଟିରୁ ଭୁଲ୍ ରେ ବି ଝରି ଆସୁନଥିଲା ତାଙ୍କ ନାଁ । ଘର ବାହାର, ସବୁଆଡେ ଖାଲି ତାରି ଚର୍ଚ୍ଚା .. ତାରି ପ୍ରଶଂସା .. ତାରି ଗୁଣକୀର୍ତ୍ତନ ।

ଓଃ, ଅତିଷ୍ଠ ହେଇ ପଡୁଥିଲେ ସେ । ଆବେଗର କୋହ ବୁକୁ ଥରେଇ ଦଉଥିଲା । ହେଲେ କାହାରି ଦୃଷ୍ଟିଗୋଚରକୁ ଆସୁନଥିଲା ସେସବୁ । ସମସ୍ତଙ୍କ ଅଜାଣତରେ ଅସହିଷ୍ଣୁତାର ଏକ ପୁଞ୍ଜିଭୂତ ପ୍ରଳୟ, ଭିତରେ ଭିତରେ ରୂପ ନେଉଥିଲା ଦ୍ରୁତ ବେଗରେ ।

ଗଡିଗଲା ସମୟ , ବଢିଗଲା ବୟସ, ଆସିଗଲା ବୁଦ୍ଧି, କିନ୍ତୁ କମି ପାରିଲା ନାହିଁ ସାନଭାଇ ପ୍ରତି ତାଙ୍କ ଘୃଣା । ବରଂ ସମୟ ସହିତ ତାଳ ଦେଇ ତାହା ଆହୁରି ବିରାଟ ଖାଇଟିଏ ସୃଷ୍ଟି କରିଚାଲିଗଲା ଦୁହିଁଙ୍କ ଭିତରେ । ତାଙ୍କ ଜନ୍ମର ବହୁତ ବର୍ଷ ପରେ ଘରେ ତା’ର ପ୍ରବେଶ ହୋଇଥିବାରୁ, ସମସ୍ତଙ୍କର ପ୍ରିୟପାତ୍ର ତ ଥିଲା ସେ, ତା’ ସହିତ ସଦାନନ୍ଦଙ୍କ ଠାରୁ ପାଠଶାଠ, ବିଦ୍ୟାବୁଦ୍ଧି, ରୂପଭେକ, ବ୍ୟବହାର, ସବୁଥିରେ ଢେର୍ ଆଗୁଆ ଥିଲା ସେ । ତାକୁ ନେଇ ବାପା ବୋଉଙ୍କର ଖୁବ୍ ଗର୍ବ .. ବେଶି ଆନନ୍ଦ। ତା’ର କୃତିତ୍ବ ଆଗରେ ଫିକା ପଡିଯାଉଥିଲେ ସଦାନନ୍ଦ । ସାରା ଜୀବନ ବହୁ ଚେଷ୍ଟା ସତ୍ତ୍ବେବି କୋଉଥିରେ ମୁକୁନ୍ଦ ଠାରୁ ନିଜକୁ ଶ୍ରେଷ୍ଠ ପ୍ରମାଣିତ କରିପାରିଲେ ନାହିଁ ।

ବାପାବୋଉଙ୍କର ଅତିଶୟ ଗେହ୍ଲାରେ ମୁକୁନ୍ଦ ଟିକେ ଟିକେ ଉଦ୍ଧତ ହେଇ ଉଠିବାଟା ସମସ୍ତେ ଲକ୍ଷ୍ୟ କରୁଥିଲେ । ବିଶେଷ କରି ସଦାନନ୍ଦଙ୍କ ପ୍ରତି ତା’ର ବ୍ୟବହାର ଜମାରୁ ସମ୍ମାନଜନକ ନଥିଲା । ସେସବୁ ଦେଖି ପ୍ରଥମେ ପ୍ରଥମେ ସମସ୍ତେ ଭାବୁଥିଲେ ଯେ ନିଜ ପିଲାବୁଦ୍ଧିରେ ସେମିତି କରୁଛି ମୁକୁନ୍ଦ । ହେଲେ ତା’ର ସେହି ପିଲାବୁଦ୍ଧି ପାଇଁ ସଦାନନ୍ଦ ଯେ ଆଘାତ ପାଉଛନ୍ତି, ସେକଥା କେହି ଚିନ୍ତା କରି ପାରୁନଥିଲେ । ବରଂ ପ୍ରତି ଥର ସେପରି ସ୍ଥିତି ଆସିଗଲେ, ବାପା ହସିଦେଇକି ତା’ର ସେପରିକା ବ୍ୟବହାରକୁ ପ୍ରଶୟ ଦେଉଥିଲେ । ମୁକୁନ୍ଦକୁ ଗାଳି ଦେବା ଅପେକ୍ଷା ସଦାନନ୍ଦକୁ ସେ ବୁଝେଇ ଦିଅନ୍ତି – ସାନଭାଇଟା ଉପରେ କ’ଣ ରାଗ ଅଭିମାନ କରୁଛୁ ! ସେ କ’ଣ ଜାଣିପାରୁଛି ଏମିତି କାହାକୁ କହିବା କଥା ନୁହେଁ ବୋଲି ! ଛାଡ୍ ତା’ କଥା .. ତୁ ତୋ’ କାମ କର !

ସଦାନନ୍ଦଙ୍କ ଆଖିରୁ ଲୁହ ଝରିପଡେ । ମୁକୁନ୍ଦର ବ୍ୟବହାରଠୁ ବି ଅଧିକ କଷ୍ଟକର ଲାଗେ ବାପାଙ୍କ ସାନ୍ତ୍ବନା । ବଡ ହେବାଟା ହି ସବୁଠାରୁ ବଡ ଦୁଃଖଦାୟକ ଆଉ ଅପମାନଜନକ ଘଟଣା ବୋଲି ତାଙ୍କ ମନରେ ବିଶ୍ବାସ ହେଇଯାଏ ।

ପାଠ ସରିଲା ପରେ ବ୍ୟାଙ୍କରେ ଅଫିସର୍ ର ଚାକିରି ପାଇଗଲେ ସେ । ଖୁସିରେ ଗୋଡ ତଳେ ଲାଗିଲାନି । ପ୍ରଥମ କରି ବାପାବୋଉଙ୍କ ଆଖିରେ ନିଜ ପାଇଁ ପ୍ରଶଂସାର ଭାବ ଦେଖି ଛାତି ଫୁଲିଉଠିଲା । କମ୍ ସେ କମ୍ ମୁକୁନ୍ଦ ଏହା ଆଗକୁ ଆଉ ଯାଇ ପାରିବନି । ବ୍ୟାଙ୍କ୍ ଚାକିରି ଠାରୁ ଆଉ କେତେ ଅଧିକା ବା ଯିବ ସେ ! ଅତି ବେଶିରେ ଗୋଟେ କି ଦି’ ପାଦ । ସେତିକିରେ ତାଙ୍କ ସମ୍ମାନ ତଳକୁ ଚାଲିଯିବ ନାହିଁ ।

କିନ୍ତୁ ଗୋଟାଏ ଥରରେ ଆଇ.ଏ.ଏସ୍‍. ରେ ଟପ୍ କରି ମୁକୁନ୍ଦ ସେଇ ଜିଲ୍ଲାର କଲେକ୍ଟର ବନି ଯେତେବେଳେ ତାଙ୍କ ଆଶୀର୍ବାଦ ନେବାକୁ ଆସିଲା, ଆଖିରୁ ଟପ୍ ଟପ୍ ଝରିଗଲା ବହୁ ବର୍ଷରୁ ଜମା ହେଇଥିବା ତତଲା ଲୁହ, ଯାହାକୁ ସମସ୍ତେ ଆନନ୍ଦାଶ୍ରୁ ବୋଲି ଭାବୁଥିଲେ । ତା’ ଥାଟବାଟ, ଚାକର ପୂଝାରୀ, ଗାଡି ଘୋଡା, ସବୁକିଛି ସଦାନନ୍ଦଙ୍କ ହୃଦୟକୁ ଛିନ୍ ଭିନ୍ କରି ପକୋଉଥିବା ବେଳେ, ତା’ର ବଡଘରିଆ ପତ୍ନୀକୁ ଦେଖି କୁଣ୍ଠାରେ ବତୁରି ଯାଉଥିଲେ ଜୟା । ଏ କ୍ଷେତ୍ରରେ ବି ସେ ବହୁତ ଆଗରେ ଥିଲା ସଦାନନ୍ଦଙ୍କ ଠାରୁ ।

ବାପା ବୋଉଙ୍କ ବୟସ ବଢିବା ସହିତ ସ୍ବାସ୍ଥ୍ୟରେ ଅବନତି ହେବାର ଦେଖି ଦୁଇ ଭାଇ ତାଙ୍କୁ ବାଧ୍ୟ କଲେ ଆସି ସେମାନଙ୍କ ପାଖରେ ସହରରେ ରହିବାକୁ । ଯଦିଓ ସଦାନନ୍ଦ ପ୍ରସ୍ତୁତ ଥିଲେ ବଡପୁଅର କର୍ତ୍ତବ୍ୟ ସମ୍ପାଦନ କରିବାକୁ, ହେଲେ ସେମାନେ ନିଜେ ଇଚ୍ଛା କରିଲେ, ନିଜ କଲେକ୍ଟର୍ ପୁଅ ପାଖରେ ରହି, କିଛିଦିନ କାଳ ଆରାମର ଜୀବନ କାଟିବାକୁ । ଏତେ କଷ୍ଟରେ ପୁଅକୁ କଲେକ୍ଟର କରିଛନ୍ତି ଯେତେବେଳେ, ତା’ର ବାପା ହେବାର ଗୌରବକୁ ତା’ ପାଖରେ ରହି ଅନୁଭବ କରିବାକୁ ଚାହୁଁଥିଲେ । ମୁକୁନ୍ଦର ମୁହଁ ଟିକେ ଶୁଖି ଯାଇଥିଲା, ତଥାପି ନାହିଁ ନକରି, ଭାଇ ଆଡକୁ ଗର୍ବରେ ଚାହିଁଦେଇ ଫେରି ଯାଇଥିଲା ସହରକୁ । ବାପା ବଡପୁଅ ପାଖରେ ନୁହେଁ, ସାନ ପାଖରେ ରହିବାକୁ ଇଚ୍ଛା କରିବାଟା ବି ଏକରକମର ତା’ର ବିଜୟ ହି କୁହାଯିବ ! ଛାତି ଉପରେ ପଥର ରଖି, ସେହି ନିର୍ଣ୍ଣୟକୁ ହଁ ଭରି, ଖାଲି ହାତରେ ସେ ଫେରି ଆସିଥିଲେ ଗାଁରୁ । ମୁକୁନ୍ଦ କହି ଯାଇଥିଲା ଗାଡି ପଠେଇ ବାପାବୋଉଙ୍କୁ ନେଇଯିବ ।

ଖରାପ ସ୍ବାସ୍ଥ୍ୟ ସତ୍ତ୍ବେ ବାପା ଜମିବାଡିର ଝାମେଲା ସବୁ ତୁଟେଇ, ଜିନିଷପତ୍ର ବନ୍ଧାବନ୍ଧି କରି ଅପେକ୍ଷା କରି ରହିଲେ, ସବୁଦିନ ପାଇଁ ପୁଅ ପାଖକୁ ଚାଲିଯିବାକୁ । ଘରଦ୍ବାର ବିକିଦବାକୁ ବି ସ୍ଥିର କରିଥିଲେ, ହେଲେ କ’ଣ ଭାବିଲେ କେଜାଣି, ଶେଷ ମୁହୂର୍ତ୍ତରେ ସେଥିରୁ ଓହରି ଯାଇଥିଲେ । ବୋଉ କହିଥିଲା ଥରେ ଦି’ ଥର, ହେଲେ ଶୁଣିନଥିଲେ ବାପା । “ପିଲା ଦୁହେଁ ତ ସହର ଥାନରେ ଘରଦ୍ବାର କରି ରହିଲେଣି । ବର୍ଷକୁ ଦିନେ ଅଧେ ଆସିବାକୁ ବି ସମୟ ବାହାର କରି ପାରୁନାହାନ୍ତି, କାହିଁକି ମିଛୁଟାରେ ଏସବୁ ରଖିବା ତା’ହେଲେ ! ଆମେ ଦି’ ଜଣ ୟା’ ପାଖରେ କେବେ, ତା’ ପାଖରେ କେବେ ହେଉ ହେଉ ସମୟ ସରିଯିବ, ଏ ମାୟାମୋହ ଛାଡିଦିଅ ।“

କହିଲା ବେଳେ ବୋଉର ସ୍ବର କେମିତି ଶୁଭୁଥିବ, ସେକଥା ଆଜି ବି ମନେ ପଡିଗଲେ ସଦାନନ୍ଦଙ୍କ ଛାତି କୋରି ହେଇଯାଏ । ଏତେ କଷ୍ଟରେ ନିଜ ହାତରେ ଲିପିପୋଛି ସଜେଇଥିବା ଘରକୁ ପର ହାତରେ ଟେକି ଦେବା କଥା କ’ଣ ସତରେ କେହି କହିପାରେ !

“ମୋର କାହିଁ ମନ ଡାକୁନାହିଁ ସଦାବୋଉ ! କିଏ ଜାଣେ କ’ଣ ଲେଖା ହେଇଛି ଆମ ଜୀବନରେ ! ଆମେ କୋଉଠି ରହିବା, କୋଉଠାର ମାଟି ପାଇବା, ଆମ ଭିତରୁ କିଏ ଆଗ ଯିବ, କିଏ ପରେ, କିଛି ବି ତ ଜଣାନାହିଁ ! ଯେପର୍ଯ୍ୟନ୍ତ ଶେଷ ନିଶ୍ବାସ ବାହାରି ଯାଇନାହିଁ, ସେପର୍ଯ୍ୟନ୍ତ ଆମର କହି ଏଇ ଡିହ ଖଣ୍ଡକ ତ ପଡିଥାଉ ! ଆମ ପରେ ପିଲାଏ ଦେଖନ୍ତୁ, ନ ଦେଖନ୍ତୁ, ବିକନ୍ତୁ ବା ଭାଙ୍ଗନ୍ତୁ, ସେସବୁ ତାଙ୍କ ନିର୍ଣ୍ଣୟ । ଦେଖିକି ଦୁଃଖ କରିବାକୁ କି ଖୁସି ହେବାକୁ, ଆମେ କୋଉ ଥିବା !”

ଗୋଟିଏ ଗୋଟିଏ କରି ସବୁ ଘରେ ତାଲା ପକେଇ ପକେଇ ବାପା ପୁଅର ଗାଡି ଆସିବାକୁ ଅପେକ୍ଷା କରି ରହିଲେ । ନା କେବେ ଗାଡି ଆସିଲା, ନା ଆସିଲା ତାଙ୍କ କଲେକ୍ଟର ପୁଅ । ସଦାନନ୍ଦ ମଝିରେ ମଝିରେ ଫୋନ୍ କରି ସେମାନଙ୍କୁ ଡାକୁଥିଲେ, ହେଲେ ବାପାଙ୍କ ସ୍ବାଭିମାନ ଶେଷ ପର୍ଯ୍ୟନ୍ତ ସେଇ ନିର୍ଣ୍ଣୟଟାକୁ ନେଇଯିବାକୁ ତାଙ୍କୁ ଦେଲାନାହିଁ । ମୁକୁନ୍ଦକୁ ଫୋନ୍ କରି ବହୁତ ଥର କହିବାକୁ ଇଚ୍ଛା କରନ୍ତି ସଦାନନ୍ଦ – ବାପା ଆଉ ବେଶି ଦିନ ବଞ୍ଚିବେନି ରେ ! ତାଙ୍କର ବହୁତ ମନ ତୋ’ ପାଖରେ କିଛି ଦିନ ଆସି ରହିବେ । ତାଙ୍କର ସେ ଆଶା ଦୟାକରି ତୁ ପୂରଣ କିରଦେ ! ସାରା ଜୀବନ ତୋ’ ଋଣ ସୁଝିପାରିବିନି ମୁଁ ।

ହେଲେ ଜିଭ ଲେଉଟୁ ନଥିଲା । ଶେଷ ବେଳର ତା’ର ସେ ହସଟା ମନେ ପଡିଗଲେ, ଛାତିରେ କରତ ଚାଲି ଯାଉଥିଲା । ସଦାନନ୍ଦଙ୍କର ବ୍ୟସ୍ତ ବିବ୍ରତ ଭାବକୁ ଦେଖି, ଜୟା ନିଜ ତରଫରୁ ଥରେ ଦି’ ଥର ମୁକୁନ୍ଦକୁ କହିଥିଲେ ଗାଁକୁ ଯାଇ ବାପାବୋଉଙ୍କୁ ନେଇ ଆସିବାକୁ । କିନ୍ତୁ ଧରାଛୁଆଁ ଦେଉନଥିଲା ସେ । କିଛି ନା କିଛି ବାହାନା କରି କାଲି ପଠେଇଦେବି ଗାଡି .. ଆଜି ଏଇଲେ ପଠେଇ ଦଉଛି .. କହି ଭୂଆଁ ବୁଲୋଉଥିଲା ।

ମଝିରେ ମଝିରେ ସଦାନନ୍ଦ ଗାଁକୁ ଯାଆନ୍ତି ସେମାନଙ୍କ ଭଲମନ୍ଦ ବୁଝିବାକୁ । ତାଙ୍କୁ ଦେଖି ବାପାଙ୍କ ଶୁଖିଲା ମୁହଁଟା କ୍ଷଣିକ ପାଇଁ ଉଜ୍ଜଳିଆ ଦିଶେ .. ବାତ ଗୋଡରେ ଦଶ ଠା’ ରାନ୍ଧି ପକାଏ ବୋଉ, କିନ୍ତୁ ତାଙ୍କ ସହିତ ଆସିବା କଥାଟା ଉଠିଲେ, ସେ ଆଖିର ଜ୍ୟୋତି କୁଆଡେ ହଜିଯାଏ । ଗୋଟିଏ ବିକଳ ଅପରାହ୍ନ, ହଠାତ୍ ରାତିରେ ପରିଣତ ହୋଇଯାଏ । ଆଖିରୁ ଲୁହ ପୋଛେ ବୋଉ । ବାପାଙ୍କର ମନ ଏପର୍ଯ୍ୟନ୍ତ ବି ମାନିବାକୁ ପ୍ରସ୍ତୁତ ନଥିଲା ଯେ ମୁକୁନ୍ଦ ତାଙ୍କୁ ନବାକୁ କେବେ ବି ଆସିବ ନାହିଁ । ନିଜ ବିଶ୍ବାସ ଆଗରେ ସେ ହାରିଯିବାକୁ ପ୍ରସ୍ତୁତ ନଥିଲେ । ହଁ .. ହାରିବାଟା ତ ଖାଲି ସଦାନନ୍ଦ ହି ପାରନ୍ତି !

ଶେଷକୁ ବାପାଙ୍କର ଦେହ ଦିନେ ବହୁତ ଖରାପ ହେଇଗଲା ବୋଲି ଅଫିସରୁ ଅଧା ଛୁଟି ନେଇ ଦଉଡିଥିଲେ ସେ । ଖଟ ଉପରେ ଛାତକୁ ଚାହିଁ ପଡି ରହିଥିଲେ ବାପା । ପାଟି ପଡି ଯାଇଥିଲା, ମଣିଷ ଚିହ୍ନି ପାରୁନଥିଲେ, ତଥାପି ମୁକୁନ୍ଦର ବାଟ ଚାହିଁବା ଛାଡି ନଥିଲେ । ପାଖରେ ବୋଉ ବସି ତାଙ୍କ ହାତକୁ ଆଉଁସୁଥିଲା । ସଦାନନ୍ଦଙ୍କୁ ଦେଖି ଝରି ଆସିଥିଲା ପୋଷ ପୋଷ ଉଷୁମ ଲୁହ ତା’ ଆଖିରୁ । ତାଙ୍କ ପାଦ ପାଖରେ ବସି ପଡିଥିଲେ ସେ ହାରି ଯାଇଥିବା ଖେଳାଳିଟିଏ ପରି । ଶେଷ ପର୍ଯ୍ୟନ୍ତ ବି ବାପାଙ୍କୁ ସେ ନିଜ ପାଖକୁ ନେଇଯିବାକୁ ବାଧ୍ୟ କରୁ ପାରିନଥିଲେ । ମୁକୁନ୍ଦ ଏଠି ବି ହରେଇ ଦେଇଥିଲା ତାଙ୍କୁ ।

ସେଦିନ ରାତିରେ ମନେ ମନେ ସ୍ଥିର କରିନେଲେ ଯେ ବାପା ସିନା ମୁକୁନ୍ଦକୁ ଭଲପାଇ ତାଙ୍କ ପାଖରେ ଯାଇ ଦିନେ ରହିବା କଥା ଚିନ୍ତା କଲେନାହିଁ, ହେଲେ ସେ ତ ତାଙ୍କ ପାଖରେ ରହିପାରିବେ ! ଯେପର୍ଯ୍ୟନ୍ତ ବାପା ସହରକୁ ଯିବାକୁ ସକ୍ଷମ ହେଇନାହାନ୍ତି, ସେପର୍ଯ୍ୟନ୍ତ ସେ ଏଇଠି ରହି ତାଙ୍କ ସେବା କରିବେ । ମୁକୁନ୍ଦ ଉପରେ ରାଗିକି ସେ ବାପାବୋଉଙ୍କ ପ୍ରତି ଅନ୍ୟାୟ କରିଛନ୍ତି । ଆଉ ଟିକେ ଜୋର୍ ଦେଇଥିଲେ, ସେମାନଙ୍କୁ ଏମିତି ଅସହାୟ ଅବସ୍ଥାରେ ଏତେ ଦିନ ରହିବାକୁ ପଡିନଥାନ୍ତା ନିଶ୍ଚୟ ! କିନ୍ତୁ ଏବେ ଆଉ ସେ ଶୁଣିବେ ନାହିଁ । ବାପା ସବୁବେଳେ ମୁକୁନ୍ଦକୁ ଅଧିକ ଭଲପାଇ ତାଙ୍କ ପ୍ରତି ଅନ୍ୟାୟ କରିଛନ୍ତି । ତାଙ୍କ ଅବସ୍ଥା ଟିକେ ସୁଧୁରିଲା ପରେ ସେ କହିବେ ତାଙ୍କୁ ସେକଥା । ଆଉ ଜବରଦସ୍ତି କରି ନେଇଯିବେ ନିଜ ପାଖକୁ !

ସେଦିନ ବହୁତ ରାତିଯାଏଁ ବାପାବୋଉଙ୍କ ରୁମ୍ ର ଲାଇଟ୍ ଜଳୁଥିଲା । ବାହାର ବାରଣ୍ଡାରେ ଖଟିଆ ପକେଇ, ବୋଉକୁ କହିଦେଇ ସେ ଶୋଇଥିଲେ ଯେ କିଛି ଦରକାର ହେଲେ ଡାକଟାଏ ମାରିଦବୁ । ହେଲେ ତା’ର ଆବଶ୍ୟକତା ପଡିନଥିଲା ଆଉ । ଅଧରାତିରେ ବୋଉର କଇଁ କଇଁ କାନ୍ଦରେ ତାଙ୍କର ନିଦ ଭାଙ୍ଗିଗଲା ପରେ ଜାଣିଲେ ଯେ ବାପା ସବୁ କଷ୍ଟ ଯନ୍ତ୍ରଣା ଆଉ ଅପେକ୍ଷାରୁ ମୁକ୍ତି ପାଇ ଯାଇଛନ୍ତି । ଅଭିମାନରେ ଭାଙ୍ଗି ପଡିଥିଲେ ସେ । ତାଙ୍କ ସହିତ ଯିବେ ନାହିଁ ବୋଲି ବାପା କରିଥିବା ଶପଥ, ଶେଷରେ ଅତୁଟ ରହିଗଲା ତାଙ୍କର !

ଖବର ପାଇ ମୁକୁନ୍ଦ ଦଉଡିକି ଆସିଲା । ଛାତି ବାଡେଇ କାନ୍ଦିଲା । ହାତ ଖୋଲା କରି ସାହିଭାଇଙ୍କୁ ଭୂରି ଭୋଜନ କରାଇଲା । ବାପାଙ୍କ ନାଁରେ ସ୍କୁଲ୍ ଟିଏ ଖୋଲିବା ପାଇଁ ମୋଟା ଅଙ୍କର ଅର୍ଥର ପ୍ରବନ୍ଧ କରିଦେଇ, ବହୁତ କାମ ଅଛି ବୋଲି କହି, ସହରକୁ ପଳେଇଗଲା । ଥରେ ପାଟି ଖୋଲି ପଚାରିଲା ବି ନାହିଁ – ବୋଉ ପାଇଁ କି ବ୍ୟବସ୍ଥା କରିବା ଭାଇ !

ସଦାନନ୍ଦ ବି କିଛି କହିଲେ ନାହିଁ । ଘରଦ୍ବାର ସବୁ ତାଲା ପକେଇ, ବୋଉକୁ ସାଙ୍ଗରେ ନେଇ ସହର ଆସିଗଲେ ସେ । ଜୀବନରେ ପ୍ରଥମ ଥର ପାଇଁ ସେ ଘରର ଏରୁଣ୍ଡି ଟପି ବାହାରକୁ ପାଦ କାଢିଲା ବେଳେ କୋହବତୁରା ସ୍ବରରେ ବୋଉ କହିଲା, “ବାପା ତାଙ୍କ ଜୀବନରେ ନିଜ ପାଇଁ କେବେ କୌଣସି ଇଚ୍ଛା କରିଥିବା କଥା ମୋର ଜମା ମନେ ନାହିଁ । ପ୍ରଥମ ଥର ପାଇଁ ଇଚ୍ଛା କରିଥିଲେ ମୁକୁନ୍ଦକୁ ତା’ ଥାଟବାଟ ସହିତ ଦେଖିବେ ବୋଲି ! ହେଲେ ..”

ଦୀର୍ଘଶ୍ବାସର ଛୋଟ ଛୋଟ ତରଙ୍ଗ ଘରସାରା ଖେଳି ବୁଲୁଥିଲା । ସେସବୁକୁ ତା’ ଭିତରେ ରହିବାକୁ ଦେଇ ମା’ ପୁଅ ସାଙ୍ଗ ହୋଇ ସହର ଆସିଗଲେ । ତେବେ କ୍ଷେତରୁ ଓପଡା ହେଇ ଆସି କୁଣ୍ଡରେ ପୋତା ହେଇଥିବା ଗଛ ପରି, ବୋଉ ଦିନକୁ ଦିନ ଝାଉଁଳିବାକୁ ଲାଗିଲା । ଦୀର୍ଘ ବର୍ଷର ଜଞ୍ଜାଳମୟ ପରିବେଶରୁ ବାହାରି ହାତଗୋଡ ଜାକି ବସି, ସେ ମଣିଷରୁ ପଥର ହେଇଗଲା ପରି ବୋଧେ ଅନୁଭବ କରୁଥିଲା । ଗାଁକୁ ଫେରିଯିବାକୁ ବେଳେ ବେଳେ ଜିଦି କରୁଥିଲା । କିନ୍ତୁ ତାହା ବି ଅଧିକ ଦିନ ପାଇଁ ଶୁଣିବାକୁ ପଡିଲା ନାହିଁ ସଦାନନ୍ଦଙ୍କୁ । ମାସ ଛଅଟା ପୂରୁ ନପୂରୁଣୁ, ସେ ବି ଚାଲିଗଲା ବାପାଙ୍କ ପରି ହଠାତ୍ ଦିନେ ।

ବୋଉ ଗଲା ପରେ ମୁକୁନ୍ଦ ପ୍ରଥମ ଥର ପାଇଁ ପତ୍ନୀକୁ ନେଇ ବଡଭାଇ ଘରକୁ ଆସିଲା । ସେଇ ଏକା ସହରରେ ରହି ମଧ୍ୟ ତାକୁ କେବେ ବେଳ ହେଉନଥିଲା ଭାଇର ଭଲମନ୍ଦ ପଚାରି ବୁଝିବାକୁ । ନିଜ ଆଡୁ ତ ସେ କେବେ ଫୋନ୍ କରିନଥିଲା, ସଦାନନ୍ଦ କଲେ ବି କାମରେ ଅଛି, ପରେ କଥା ହେବି କହି ଫୋନ୍ କାଟିଦିଏ । ସେ ଜାଣନ୍ତି, ମୁକୁନ୍ଦ କେବେ ଫୋନ୍ କରିବ ନାହିଁ । ବାପାଙ୍କ ପରି କୌଣସି ମିଛ ଆଶା ତାଙ୍କ ମନରେ ନଥିଲା । ତଥାପି ପରିଣତ ବୟସରେ, ବିଶେଷ କରି ବାପା ଚାଲିଗଲା ପରେ ଭାଇ ପାଇଁ ତାଙ୍କ ମନ ଖୁବ୍ ବ୍ୟାକୁଳ ହୁଏ । ମାତ୍ର ସେ ବ୍ୟାକୁଳତା ମୁକୁନ୍ଦ ପାଇଁ ମହତ୍ତ୍ବହୀନ ଥିଲା ।

ବୋଉ ଗଲା ପରେ ମୁକୁନ୍ଦ ଆସି ଦିନେ ଗାଁ ଜମିବାଡିରେ ନିଜ ଭାଗ ମାଗିଲା । ସେସବୁ ବିକ୍ରି କରିଦେଇ ନିଜ ପାଇଁ ସହରରେ ସେ ଗୋଟିଏ ଫ୍ଲାଟ୍ ନେବ । ସଦାନନ୍ଦ ତାକୁ ବୁଝେଇଥିଲେ ଯେ ଏତେ ଶୀଘ୍ର ତାକୁ ବିକିଦେବାର ନିର୍ଣ୍ଣୟ ନେବାଟା ଠିକ୍ ହେବନାହିଁ । ବାପାବୋଉଙ୍କର ସେଇ ଗୋଟିଏ ସ୍ମୃତି ହି ତ ଆମ ପାଖରେ ଅଛି ! ତାକୁ ବିକି ଏମିତି କେତେ ପଇସା ତୁ ପାଇବୁ ଯେ ଘର କିଣିପାରିବୁ ବୋଲି ଚାହିଁକି ବସିଛୁ ! ତୋ’ ପାଖରେ କ’ଣ ଟଙ୍କା ପଇସାର ଅଭାବ ଅଛି !

କିଛି ଶୁଣିନଥିଲା ମୁକୁନ୍ଦ । ସେ ଘର ବିକିବ ବୋଲି ସ୍ଥିର କରିନେଇଛି ମାନେ ନିଶ୍ଚୟ ବିକିବ !

ଛାତିରେ ପଥର ରଖି ଗାଁ ଘରକୁ ଗଲେ ମୁକୁନ୍ଦକୁ ନେଇ, ଘରର କାଗଜପତ୍ର କାଢିବାକୁ । ବହୁତ ଖୋଜା ଲୋଡା ପରେ ବୋଉର ସିନ୍ଦୁକ ଭିତରୁ ମିଳିଲା କିଛି ପଟ୍ଟା ପାଉତି, ଆଉ ତା’ ସହିତ ବୋଉର ଲେସେରା ଅକ୍ଷରରେ ଲେଖା ଯାଇଥିବା ବାପାଙ୍କ ଶେଷ ଇଚ୍ଛାର ସନନ୍ଦ !

ବଜ୍ରଟିଏ ଖସି ପଡିଲା କି ସେଇ ଘର ଭିତରେ ହଠାତ୍ କୋଉଠୁ ଆସି ! ଚମକି ପଡିଲା ମୁକୁନ୍ଦ .. ଆଉ ଚମକି ପଡିଲେ ସଦାନନ୍ଦ । ବାପାଙ୍କ ଘୋଷଣା ପତ୍ରରେ ସ୍ପଷ୍ଟ ଲେଖାହେଇଛି ଗାଁ ଘରର ସବୁକିଛି କେବଳ ସଦାନନ୍ଦଙ୍କ ପାଇଁ !

ଚିତ୍କାର କରିଉଠିଲା ମୁକୁନ୍ଦ । ଗାଁ ଲୋକଙ୍କୁ ଏକାଠି କରି ଏସବୁ ସଦାନନ୍ଦଙ୍କର ଚାଲ୍ ବୋଲି ବଡ ପାଟିରେ କହିଲା । ଗାଁ ଲୋକଙ୍କୁ ଆଗରୁ ସବୁବେଳେ ପଇସା ପତ୍ର ଦେଇ ନିଜର ବଶରେ ରଖିଥିବା ମୁକୁନ୍ଦକୁ, ସେମାନେ ମତେଇବାକୁ ଲାଗିଲେ କୋର୍ଟ କେସ୍ କରିବାକୁ । ଯେହେତୁ ତା’ ହାତରେ ଅର୍ଥ ଅଛି, କ୍ଷମତା ଅଛି, ସଦାନନ୍ଦ ନିଶ୍ଚୟ ହାରିଯିବ, ଆଉ ଖାଲି ନିଜ ଭାଗର ନୁହେଁ, ସବୁ ସମ୍ପତ୍ତିର ଉତ୍ତରାଧିକାରୀ ସେ ହିଁ ହେଇପାରିବ !

ସେମାନଙ୍କ କଥା ମାନିନେଇ ମୁକୁନ୍ଦ ରାଗରେ ଘରୁ ବାହାରିକି ଚାଲିଗଲା । ଏଥର ସିଧା କୋର୍ଟରେ ଦେଖା ହେବ ବୋଲି ଧମକ ବି ଦେଇଗଲା । ହେଲେ ସେସବୁ ସଦାନନ୍ଦଙ୍କ କାନରେ କିଛି ପଡୁନଥିଲା । ସେ କେବଳ ଅନୁଭବ କରି ପାରୁଥଲେ, ଦୁଇ ଯୋଡି ଆଖିରୁ ଝରି ଯାଉଥିବା ଉଷୁମ ଉଷୁମ ଲୁହରେ ସେ ଯେପରି ନିଜେ ପୂରା ତିନ୍ତି ଯାଉଛନ୍ତି ! ଚିରଦିନ ମୁକୁନ୍ଦ ପାଖରେ ହାରି ଯାଇଥିବା ବ୍ୟକ୍ତିତ୍ବ ତାଙ୍କର, ଜୀବନରେ ଆଜି ପ୍ରଥମ ଥର ପାଇଁ ଜିତିଛି, କିନ୍ତୁ ସବୁଦିନ ପାଇଁ ନିଜ ଭାଇଟା ତାଙ୍କର ଦୂରେଇ ଗଲା !

“ଆରେ ! ଏ ଅନ୍ଧାରଟାରେ ଠିଆହେଇ କେତେବେଳୁ କ’ଣ ଏତେ ବଡ୍ ବଡ୍ କରୁଛ ! କାହାକୁ କ’ଣ କହୁଛ !” ଜୟାଙ୍କ ଡାକରେ ଚମକି ପଡିଲେ ସେ । ଆଖିରୁ ଝରି ଆସୁଥିବା ଲୁହକୁ ପୋଛିଦେଇ କହିଲେ, “ମୁଁ କ’ଣ କହୁଥିଲି କି ଜୟା .. ମଝିରେ ମଝିରେ ଗାଁ ଘରକୁ ଆସି ଆମେ ରହିଲେ କେମିତି ହୁଅନ୍ତା ! ସହରର ଧାଁ ଧଉଡ ଭରା ଜୀବନରୁ କିଛି ଦିନ ପାଇଁ ନିଷ୍କୃତି ତ ପାଆନ୍ତେ, ତା’ ଛଡା ମତେ ଟିକେ ମାନସିକ ଶାନ୍ତି ବି ମିଳନ୍ତା !”

“ହଁ, ସେମିତି କରିବାରେ କିଛି କ୍ଷତି ନାହିଁ । ଏତେ ବର୍ଷ କାଳ କୋର୍ଟର ଚକ୍କର କାଟି କାଟି ଘରଟାକୁ ନିଜର କରିପାରିଛେ ଯେତେବେଳେ, ରହିବାନି କାହିଁକି !”

“ତେବେ ଆଉ ଗୋଟେ କଥା ମୋ ମନକୁ ଆସୁଛି, ତୁମେ ଖରାପ ଭାବିବ ନାହିଁ । ମୁକୁନ୍ଦକୁ ତା’ର ଭାଗ ଦେଇଦେବା ଆମେ .. ସେଇଟା ତା’ର ପ୍ରାପ୍ୟ ..”

“ତୁମେ କ’ଣ ଗୋଟେ ବଦ୍ଧ ପାଗଳ ନା କ’ଣ ? ଯଦି ତାକୁ ଦେଇ ଦେବାର ଥିଲା, ତେବେ ଏତେ ବର୍ଷ କାଳ କୋର୍ଟକୁ ଦଉଡି ଅଯଥା ସମୟ ଆଉ ଅର୍ଥ କାହିଁକି ନଷ୍ଟ କଲ ? .. ଦେଖ, ମୁଁ ତମ ପୂର୍ବ ପୁରୁଷଙ୍କ ସମ୍ପତ୍ତିକୁ ଲୋଭ କରୁଛି ବୋଲି ଭାବିବ ନାହିଁ । ହେଲେ ମୁକୁନ୍ଦ ସାରା ଜୀବନ ତମ ସହିତ ଯେମିତି ବ୍ୟବହାର କଲା, ଯେମିତି ନିଜ ବଡପଣ ଦେଖଇ ଚାଲିଲା, ତମ ବାପାବୋଉଙ୍କୁ ଅଣହେଳା କଲା, ତା’ପରେ ବି କ’ଣ ସତରେ ତମ ଇଚ୍ଛା ହେଉଛି ତାକୁ ତା’ର ପ୍ରାପ୍ୟ ଦେଇଦେବାକୁ ?”

ଫିକା ହସ ହସିଲେ ସଦାନନ୍ଦ । ଏ ଛାତି ତଳେ ଆହୁରି କେତେ ଦରଦ ଛପି ରହିଛି, ସେକଥା କ’ଣ ଜୟାଙ୍କୁ ସେ କହି ପାରିଛନ୍ତି .. ନା କହିଥିଲେ ସେ ବୁଝି ପାରିଥାଆନ୍ତେ ! ବାପାଙ୍କର ଶେଷ ସମୟର ସେ ଦୀର୍ଘଶ୍ବାସ .. ବୋଉର ଅବଶୋଶ .. ତାଙ୍କ ନିଜର ଅପମାନ .. ସେସବୁ ନିଜ ସ୍ଥାନରେ ଠିକ୍ ଅଛି । ଯୋଉ ସବୁ କାରଣ ପାଇଁ, ତାଙ୍କ ମନରେ ସବୁବେଳେ ରହିଲା ଯେ ବାପା ତାଙ୍କୁ ଜମା ଭଲ ପାଉନାହାନ୍ତି, ବୋଉ ତାଙ୍କ ପ୍ରତି ଆଦୌ ଯତ୍ନଶୀଳ ନୁହେଁ, ଆଜିଠୁ ସେଇ ଏକା ଧାରଣା ମୁକୁନ୍ଦ ମନକୁ ଚାଲିଯାଇଛି । କୋର୍ଟ ବାହାରେ ଯେତେବେଳେ ତା’ର ଓକିଲ ଆସି ତାଙ୍କ ହାତକୁ ଘରଚାବିଟା ବଢେଇ ଦେଇଥିଲା, ମୁକୁନ୍ଦ ଆଖିରେ ସେ ଲୁହ ଦେଖିଥିଲେ । ସେ ଯେ କେସ୍ ରେ ହାରିଗଲା, ଲୁହ ସେଥିପାଇଁ ତା’ ଆଖିରୁ ଝରିନଥିଲା । ବରଂ ଝରିଲା ଭାଇ ପାଖରେ ହାରିଗଲା ବୋଲି ! ଏ ହାରିବାର ବୋଝ ବଡ ଦାରୁଣ .. ଯିଏ ନ ହାରିଛି, ସେ କେବେ ବି ବୁଝି ପାରିବ ନାହିଁ ! ଯେମିତି ବୁଝିଥିଲେ ବାପା ନିଜ ନିର୍ଣ୍ଣୟ ପାଖରୁ .. ଯେମିତି ବୁଝିଥିଲା ବୋଉ ମୁକୁନ୍ଦର ଚଞ୍ଚକତା ପାଖରୁ .. ଆଉ ସେ ତ ସାରା ଜୀବନ ବୁଝିଛନ୍ତି ସେ ଦୁଃଖକୁ ! କିନ୍ତୁ ଜୟା ବୁଝି ପାରିବେନି .. ଯେତେ ବୁଝେଇଲେ ବି !

ତେଣୁ ସେ ଖାଲି ତାଙ୍କୁ କହିଲେ, “ସାନଭାଇ ସହିତ ଭାଗ ବସେଇ କ’ଣ ଶାନ୍ତି ପାଇ ପାରିବି କେବେ ! ଯେତେ ଅବୁଝା ହେଲେ ବି, ଏ ଘରର ପୁଅ ସେ । ତା’ର ବି ସମାନ ଅଧିକାର ଅଛି ଯେତେବେଳେ, କୋର୍ଟ କଥାରେ ପଡି ମୁଁ ତାକୁ ସେଥିରୁ ବଞ୍ଚିତ କାହିଁ କରିବାକୁ ଯିବି ! ମୋ ଉପରେ ସେ ରାଗିଛି, ତେଣୁ ମୁଁ ଫୋନ୍ କଲେ ସେ ଉଠେଇବ ନାହିଁ । ତୁମେ ଫୋନ୍ ଲଗାଅ । ସେ ଆସି କାଲି ତା’ ପଟର ଘରକୁ ଦେଖି ଚାହିଁ ଚାଲିଯାଉ ବୋଲି ତାକୁ କହିଦିଅ ।“

କହିସାରି ସଦାନନ୍ଦ ବାହାରକୁ ଆସି ଗାଡିରେ ବସିଗଲେ । ଜୟା ଏପର୍ଯ୍ୟନ୍ତ ବି ବୋକୀଙ୍କ ପରି କିଛି ବୁଝି ନପାରି ଥରେ ସେ ଘରଦ୍ବାର ଆଉ ଥରେ ନିଜ ସ୍ବାମୀଙ୍କ ଆଡକୁ ଚାହିଁ ଦୀର୍ଘଶ୍ବାସ ଛାଡି ଫୋନ୍ ଲଗେଇଲେ ମୁକୁନ୍ଦକୁ ।

-0-


Rate this content
Log in

Similar oriya story from Inspirational