Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamala Satpathy

3.4  

Kamala Satpathy

ନେପଥ୍ୟର ନାୟିକା

ନେପଥ୍ୟର ନାୟିକା

14 mins
14.1K


ରାତିର ରୋଷେଇ ପାଇଁ ପରିବା କାଟୁ କାଟୁ ଶୋଭାରାଣୀଙ୍କ ଆଖି ଲୁହରେ ଭରିଆସିଲା । ସନ୍ଧ୍ୟାବେଳ ଠାରୁ ବଡ ଝିଅଟା ପାଟିରେ କିଛି ଦେଇନାହିଁ । ଶୋଇବା ଘରର କବାଟ ଝରକା ବନ୍ଦ କରି ବସିରିହିଛି । ସେ ଜାଣନ୍ତି, କବାଟ ବନ୍ଦ କରି ସେ କାନ୍ଦୁଛି । କିନ୍ତୁ ସେ ନିରୂପାୟ । ତା’ର ଜିଦିକୁ ସେ ରଖିପାରିବେ ନାହିଁ । ଏ ଘରର ପ୍ରତ୍ୟେକ ସଦସ୍ୟ ଯେଉଁ କଥାର ଘୋର ବିରୋଧି, ତା’ ବିରୁଦ୍ଧରେ ସେ କିପରି ଯାଇପାରିବେ ? ଯାହାର କୌଣସି ଆଶା ନାହିଁ, ସେକଥାକୁ ଧରି ନବସିବା ପାଇଁ କେତେ ସେ ବୁଝେଇଛନ୍ତି …. କିନ୍ତୁ ପିଲାମନ, ଏତେ ଶୀଘ୍ର ବା କୋଉଠୁ ମାନିଯିବ ! କାନ୍ଦୁ .. କାନ୍ଦି କାନ୍ଦି ଆଖିର ସବୁ ଲୁହ ଶେଷ ହେଇଗଲେ ବଳେ ବୁଝିଯିବ ।

“ମା’, ଦିଦି କବାଟ ଖୋଲୁନାହିଁ !”

ଚମକି ପଡିଲେ ଶୋଭାରାଣୀ ସାନଝିଅର ଡାକରେ । ପରିବା କାଟୁ କାଟୁ ହାତ ଅଟକିଗଲା । ସେ ଜାଣନ୍ତି, ତାଙ୍କ ଅଭିମାନୀ ଝିଅ ଜମା ବୁଝିବନି । କବାଟ ଖୋଲିବା ତ ଦୂରର କଥା, ଖାଇବା ପିଇବା ବି ଛାଡିଦେବ । ସାନଝିଅକୁ ତା’ ପାଖକୁ ପଠେଇଥିଲେ । କାଳେ ସାନ ଭଉଣୀର ଡାକରେ ଭଳିଯିବ ! ହେଲେ ସେ ନିରାଶ ହେଇ ଫେରିଆସିଛି । ମା’ ମନ ବ୍ୟାକୁଳ ହେଇଉଠିଲା । ରୋଷେଇରେ ଧ୍ୟାନ କେନ୍ଦ୍ରିତ କରି ପାରୁନଥିଲେ । ତାଙ୍କ ପାଖରେ ଏଇଲେ ବେଳ ହି ନାହିଁ ଯାଇ ତା’ ପାଖରେ ଘଡିଏ ବସିଯିବାକୁ । ଆଉ ଟିକକ ପରେ ପୂରା ପରିବାର ରାତି ଭୋଜନ ପାଇଁ ଆସି ପହଞ୍ଚିଯିବେ । ଆଜି ଏମିତିରେ ବି ରୋଷେଇ ଆରମ୍ଭ କରୁ କରୁ ଯଥେଷ୍ଟ ବିଳମ୍ବ ହେଇଯାଇଛି । ହାତ ଫୁର୍ତ୍ତି କରି ଶୀଘ୍ର ଶୀଘ୍ର ସବୁ ସାରିବାକୁ ପଡିବ । ହେଲେ ଝିଅର ଶୁଖିଲା ଚେହେରା ତାଙ୍କ ଆଖିରେ ବାରମ୍ବାର ନାଚି ଉଠୁଥିଲା । ହାତ ଖାଲି ଅଟକି ଅଟକି ଯାଉଥିଲା । ପୁଣି ଥରେ ସାନଝିଅକୁ ଅନୁରୋଧ କରି କହିଲେ, “ମା’ଟା ପରା, ଯାଇ ଆଉ ଥରେ ଦେଖ, କାଳେ ଦିଦି କବାଟ ଖୋଲିଦେବ ! ଖୋଲିଲେ କହିବୁ ମୋ ପାଖକୁ ଆସିବ । ସନ୍ଧ୍ୟାବେଳୁ କିଛି ଖାଇନି ପରା ! ଦେହ ଖରାପ ଲାଗିବ ଯେ ..!”

“ତୁ ଯାଇ ତାକୁ ଡାକି ଆଣୁନୁ ! କେତେ କାନ୍ଦିଲାଣି ସେ ! ତୁ ନିଜେ ଯାଇ ତାକୁ ବୁଝେଇଲେ ହି ସେ ବୁଝିବ ।“ କହୁ କହୁ ସାନଝିଅର ଆଖି ଛଳଛଳ ହେଇଆସିଲା । ସବୁଦିନ ଆବଶ୍ୟକତା ଠାରୁ ବହୁତ କମ୍ ଆଉ ଧିମା ସ୍ବରରେ କଥା କହୁଥିବା ଝିଅଟି ତାଙ୍କର, ଆଜି ନିଜ ଦିଦିର ସପକ୍ଷରେ ମା’ ସହିତ ଲଢେଇ କରି ପକେଇବାକୁ ବି ପ୍ରସ୍ତୁତ ହେଇଯାଇଥିଲା । ତା’ ଦିଦି ନଖାଇ ନପିଇ କାନ୍ଦୁଛି ବୋଲି ସେ ବି କିଛି ଖାଇନି । କିନ୍ତୁ ଶୋଭାରାଣୀ କ’ଣ କରିପାରିବେ ! ଏଇଲେ ରୋଷେଇଘର ଛାଡି ବାହାର ବାରନ୍ଦାକୁ ଯିବା ବି ତାଙ୍କ ପକ୍ଷରେ ସମ୍ଭବ ନୁହେଁ । ପୁଣି ଥରେ ସାନଝିଅକୁ ଅନୁରୋଧ କରି ବଡ ପାଖକୁ ପଠେଇ ଦେଇ ଅଟା ଦଳିବାକୁ ସେ ବସିଗଲେ । ଏତେ ବଡ ପରିବାରର ସେ ବଡବୋହୂ । ସମସ୍ତଙ୍କ ଖାଇବା ପିଇବାର ଦାୟୀତ୍ବ ତାଙ୍କର । ଆଉ ଅନ୍ୟ କିଛି ଦାୟୀତ୍ବ ସେ କେବେ ନେଇନାହାନ୍ତି କି ଜାଣିଶୁଣିକି ତାଙ୍କୁ କେବେ ଦିଆଯାଇ ନାହିଁ, ତାହାର ହିସାବ ସେ ରଖିନାହାନ୍ତି । ଏ ଘରକୁ ବୋହୂ ହେଇ ଆସିଲା ଦିନରୁ ଏଇ ରୋଷେଇ ଘରର କାନ୍ଥବାଡ, କଡିବରଗା ହିଁ ସେ କେବଳ ଗଣି ଆସିଛନ୍ତି । ଘରର ଅନ୍ୟ କିଛି ମହତ୍ତ୍ବପୂର୍ଣ୍ଣ ବିଚାର, କି ଦେଣା ପାଉଣା ବିଷୟରେ ତାଙ୍କୁ କେହି କେବେ କିଛି ପଚାରି ନାହିଁ, କି ସେ କିଛି କହିନାହାନ୍ତି । ଏପରିକି ନିଜ ପିଲାଙ୍କ ବର୍ତ୍ତମାନ କି ଭବିଷ୍ୟତ ସଂକ୍ରାନ୍ତୀୟ ଆଲୋଚନା ବେଳେ ବି ତାଙ୍କୁ କିଛି ପଚରା ଯାଇନାହିଁ । ଏମିତି ବି ଅଗ୍ରୱାଲ୍ ପରିବାରର ପରମ୍ପରା ନୁହେଁ ସ୍ତ୍ରୀଲୋକମାନେ ଖାଇବା ପିଇବା ବ୍ୟତୀତ, ଅନ୍ୟ କିଛି ମାମଲାରେ ହସ୍ତକ୍ଷେପ କରିବା । ହେଲେ ତାଙ୍କ ସାନ ଯାଆମାନେ ତାଙ୍କ ଠାରୁ ବେଶ୍ ସ୍ବତନ୍ତ୍ର । ରୋଷେଇ ଘରର ଏରୁଣ୍ଡି ବନ୍ଧ ଟପି, ରୋଷେଇ ବିଷୟରେ ମୁଣ୍ଡ ଖେଳେଇବାକୁ ଭଲ ପାଆନ୍ତିନି ସିନା, ହେଲେ ବାକି ମାମଲାରେ ଆଗଭର ହୋଇଉଠନ୍ତି । ଦୋକାନ ବଜାର ବୁଲିବା, ଗହଣା ଗାଣ୍ଠିରେ ମଣ୍ଡିହେବା, ସେମାନେ ବେଶ୍ ଜାଣନ୍ତି ।

ସେମାନେ ବୋହୂ ହେଇ ଆସିଲା ବେଳକୁ, ଘରର ସବୁ ଦାୟୀତ୍ବ ଶୋଭାରାଣୀଙ୍କ ମୁଣ୍ଡକୁ ଆସି ସାରିଥିଲା, ଯାହାକୁ ସେମାନେ କେବେ ନେବାକୁ ଚାହିଁଲେ ନାହିଁ କି, ଶୋଭାରାଣୀ ଯାଚିକି କେବେ ଦେଇପାରିଲେ ନାହିଁ । ଏମିତି ବି ତାଙ୍କର ଶିକ୍ଷାଦୀକ୍ଷା, ରୂପଭେକ, ପାରିବାରିକ ପୃଷ୍ଠଭୂମୀ, ସବୁକିଛି ଅନ୍ୟମାନଙ୍କ ଠାରୁ ଯଥେଷ୍ଟ କମ୍ । ତେଣୁ ଏକ ପ୍ରକାରର ଅବଜ୍ଞା ଭାବ ସେମାନଙ୍କ ପାଖରୁ ଶୋଭାରାଣୀ ସବୁବେଳେ ପାଇ ଆସିଛନ୍ତି । କଥାରେ କଥାରେ ସେମାନେ ତାଙ୍କୁ ଏପରି ଟାପରା କରନ୍ତି, ସତେ ଯେପରି ଶୋଭାରାଣୀ ସେମାନଙ୍କ ବଡ ଯାଆ ନହୋଇ ଏ ଘରର ଚାକରାଣୀଟେ ! ସେସବୁର ପ୍ରତିବାଦ କରିବା ତାଙ୍କ ପକ୍ଷରେ ସମ୍ଭବ ହୁଏନା । କାରଣ ଯାହା ବଳରେ ସେ ପ୍ରତିବାଦ କରନ୍ତେ, ସେ କେବେ ଏପରି କଥା ଶୁଣିବାକୁ ପ୍ରସ୍ତୁତ ହୁଅନ୍ତିନି । .. ଆଉ ସପକ୍ଷରେ କହିବା ତ ବହୁ ଦୂରର କଥା । ସେଥିପାଇଁ ସେମାନଙ୍କ ପାଖରୁ ଦୂରେଇ ରହିବାକୁ ସବୁବେଳେ ସେ ଚେଷ୍ଟା କରିଚାଲନ୍ତି ।

ଘରର ସର୍ବମୟକର୍ତ୍ତ୍ରୀ ଭାବେ ଆଜି ବି ଶାଶୁଙ୍କ ହୁକୁମ ଏ ଘରେ ଚଳେ । ହେଲେ ସବୁକିଛି ଦେଖି, ଶୁଣି ବି ସେ ଶୋଭାରାଣୀଙ୍କ ସପକ୍ଷରେ କେବେ ପାଟି ଖୋଲନ୍ତି ନାହିଁ । ଦୁଇ ଝିଅର ମା’ ବୋଲି ଏମିତି ବି ପ୍ରଥମରୁ ତାଙ୍କ ଆଖିରେ ସେ ଅଚଳ ଅଧୂଲି । ଘରର ବଡ ପୁଅ ହିସାବରେ ତାଙ୍କ ସ୍ବାମୀ ଜଗଦୀଶବାବୁ, ପାରିବାରିକ ବ୍ୟବସାୟରେ ସବୁବେଳେ ବ୍ୟସ୍ତ ରହନ୍ତି । ଘର କଥାରେ ମୁଣ୍ଡ ଖେଳେଇବାର ଆଗ୍ରହ କି ସମୟ, ତାଙ୍କ ପାଖରେ କେବେ ନଥାଏ । କେବେ କେମିତି ଶୋଭାରାଣୀ ଶୁଣିବାକୁ ବାଧ୍ୟ କରି କିଛି କହିଲେ, ସଙ୍ଗେ ସଙ୍ଗେ ଉତ୍ତର ଦିଅନ୍ତି, “ମା’କୁ ପଚାର । ତା’ର ଯାହା ଇଚ୍ଛା, ସେଇ ଆନୁସାରେ କର ।“

ଆଉ ଶୋଭାରାଣୀଙ୍କର ଇଚ୍ଛା ? ନା, ସେସବୁର କିଛି ମୂଲ୍ୟ ନାହିଁ । ଏହା ତାଙ୍କର ଭାଗ୍ୟର ବିଡମ୍ବନା ଯେ ଗଣି ଗଣି କରି ଯେଉଁ କେତୋଟି ଇଚ୍ଛାକୁ ସେ କେବେ କରିଛନ୍ତି, ତାହା ଅନ୍ୟମାନଙ୍କ ଦ୍ବାରା ସଙ୍ଗେ ସଙ୍ଗେ ଦମନ କରାହୋଇ ଯାଇଛି । କେବଳ ବୋଧେ ନିଜ ହିସାବରେ ସେ ନିଶ୍ବାସ ପ୍ରଶ୍ବାସ ହି ନେଇପାରନ୍ତି, ନଚେତ୍ ଆଉ ପ୍ରତିଟି କଥାରେ ବଡମାନଙ୍କ ପୂରା ହସ୍ତକ୍ଷେପ ରହିଆସିଛି ତାଙ୍କ ଜୀବନରେ ।

ତୃତୀୟ ଶ୍ରେଣୀ ପାସ୍ କରିଗଲା ପରେ ଯେତେବେଳେ ଖୁସି ହେଇ ତାଙ୍କ ସ୍କୁଲ୍ ର ନଟମାଷ୍ଟ୍ରେ ଚତୁର୍ଥ ଶ୍ରେଣୀରେ ନାମ ଲେଖେଇବାକୁ ଘରକୁ ଖବର ପଠେଇଥିଲେ, କମ୍ପି ଉଠିଥିଲା ଜେଜେମା’ କଥାଟା ଶୁଣୁ ଶୁଣୁ ହି । ପାଟିକରି ଘର କମ୍ପେଇ ବାପାଙ୍କୁ ତାଗିଦା କରିଥିଲା, “ଏତେ ପାଠ ପଢେଇ, ଝିଅକୁ କ’ଣ କଲେକ୍ଟର କରିବାକୁ ଚାହୁଁଛୁ ? ବଢିଲା ଝିଅ, ଘର ବାହାରକୁ ଯାଇ ପାଠ ପଢିବାରେ କେତେ ଅସୁବିଧା, ଜାଣିଛୁ ତ ? ବନ୍ଦ କର ସେ ପାଠ ପଢାପଢି । ଏଥର ବାହା କରିବାର ବ୍ୟବସ୍ଥା କର । ରୋଷେଇଶାଳରେ କାମ କରିବାକୁ ପାଠ ଦରକାର ନାହିଁ, ଶାଠ ଦରକାର । ଘରେ ରହି ଏଥର ସେ ସବୁକିଛି ଶିଖାଶିଖି କରୁ । ଆଉ ହାତରେ କେଇଟା ଦିନ ଅଛି କି ? ଯଦି ଏତେ ପଢାପଢିରେ ମନ, ତେବେ ଶୀର୍ଘ ବାହା କରିଦେଲେ ତା’ ଶାଶୁଘରେ ଯାଇ ସେ ପଢିବ ।“

କେତେ କାନ୍ଦିଥିଲେ ଶୋଭାରାଣୀ ! ଆକୁଳ ବିକଳ ହେଇ ବାପାଙ୍କର ପାଦ ଧରି ପକେଇଥିଲେ । କମ୍ ସେ କମ୍ ସ୍କୁଲ୍ ପାଠତକ ଶେଷ କରିପାରିବାର ଅନୁମତିଟା ମାଗିଥିଲେ । କିନ୍ତୁ କେହି ଶୁଣି ନଥିଲେ । ପାଠରେ ଡୋରି ବାନ୍ଧିଦେଇ ଚାରି ବର୍ଷ କାଳ ଘରେ ସେ ବସିରହିଲେ ପଛେ, ମାତ୍ର ପାଠର ନାଁ ବି ଧରାହେଲାନି ଘରେ । ତା’ପରେ ଏଇ ଅଗ୍ରୱାଲ୍ ବଂଶକୁ ବୋହୂ ହେଇ ଆସିଗଲେ । ମନେ ମନେ ଭାବିଥିଲେ, ବାହାହେଲା ପରେ ନିଜ ସ୍ବାମୀଙ୍କୁ କୁହାବୋଲା କରି ଆଉ କିଛି ପାଠ ପଢିବେ । କିନ୍ତୁ ବାପଘର ଠାରୁ ବି ଅଧିକ ରୁଢିବାଦୀ ଥିଲା ତାଙ୍କ ଶାଶୁଘର । ଘରର ବୋହୂ ଚୁଲିମୁଣ୍ଡକୁ ନଯାଇ ବହି ବସ୍ତାନୀ ଧରି ବସିବ, କି ଅଭିସାରିକା କଥାଟିଏ କହୁଛି ଏ ବୋହୂ ! ଯିଏ ଶୁଣିଲା ଆଗ କାନରେ ହାତ ଦେଇଦେଲା .. ନହେଲେ ପାଟିରେ ଲୁଗାଦେଇ ହସିବାକୁ ଲାଗିଲା । ତାଙ୍କ ସ୍ବାମୀ ତ ରୋକ୍ ଠୋକ୍ ଶୁଣେଇ ଦେଲେ, ଏସବୁ କରିବାର ଥିଲା ତ ବାପଘରେ କରିକି ଆସିଥାନ୍ତ, ଏଠି ସେସବୁ ଚଳିବ ନାହିଁ । ଏହା ପରେ ଆଉ କେବେ ମୁହଁ ଖୋଲିନାହାନ୍ତି ସେ । ତାଙ୍କର ସବୁ ଇଚ୍ଛାକୁ ଚୁଲିରେ ଜଳେଇ ଦେଇଛନ୍ତି କେବେଠୁ ।

ଏବେ ତାଙ୍କରି ଝିଅ ସେଇ କଥାକୁ ଜିଦି ଧରି ବସିଛି । ଦୀର୍ଘ ବର୍ଷ ପରେ ଅତୀତ ବର୍ତ୍ତମାନର ରୂପ ଧରି ତାଙ୍କ ଆଗରେ ଉଭା ହେଇଛି । ବହୁତ କଷ୍ଟରେ ସମସ୍ତଙ୍କର ବିରୋଧ ସହି ସହି, ଏ ବର୍ଷ ବି.ଏ. କରିନେଇଛି ସେ । ବହୁତ ଭଲ ନମ୍ବର ରଖି ପାସ୍ କରିଛି ବୋଲି ସାନଝିଅ ଖୁସିରେ ଆସି ତାଙ୍କୁ କହୁଥିଲା । ସେ ତ ବୁଝନ୍ତିନି ସେସବୁ । ଖାଲି ଏତିକି ଜାଣିଗଲେ ଯେ ଏ ଘରର ସବୁ ସଦସ୍ୟଙ୍କ ଠାରୁ ତାଙ୍କ ଝିଅ ପାଠରେ ଆଗେଇ ଯାଇଛି । ଆତ୍ମସନ୍ତୋଷରେ ହୃଦୟ ତାଙ୍କର ଭିଜି ଭିଜି ଗଲା । ଯାହାହେଉ ସେ ନିଜେ ନପଢି ପାରିଲେ ନାହିଁ, ତାଙ୍କ ଝିଅକୁ ତ ପଢେଇ ପାରିଲେ । ସେତିକିରେ ସେ ଖୁସି ।

ହେଲେ ବର୍ତ୍ତମାନ ସେଇ ଝିଅର ପଢା ହିଁ ଘରେ ମୁଖ୍ୟ ବିବାଦ ହୋଇପଡିଛି । ସନ୍ଧ୍ୟାବେଳ ଠାରୁ ଯୁକ୍ତିତର୍କ ଲାଗି ରହିଛି । ଘରର ସମସ୍ତଙ୍କର ଏକା ଜିଦି, ବାସ୍ ହେଇଗଲା ପଢାପଢି । ଏବେ ବାହାଘର କରାଯିବ । ମାରୱାଡି ପରିବାରର ଝିଅମାନେ ଏତେ ପାଠ ପଢନ୍ତି ନାହିଁ । ବର ଖୋଜିବାରେ ତାହା ମୁଖ୍ୟ ପ୍ରତିବନ୍ଧକ ସୃଷ୍ଟି କରିବ । ଏମିତି ବି ବେଶି ପଢିପଢି କରିଥିବା ଝିଅମାନଙ୍କୁ ବୋହୂ କରିନେବାକୁ କେହି ରାଜି ହେବେ ନାହିଁ ।

ଶୁଣୁ ଶୁଣୁ ଝିଅ ତାଙ୍କର କାନ୍ଦିଉଠିଲା । କଲେଜ୍ ରୁ ଆଜି ଏମ୍‍.ଏ.ରେ ନାଁ ଲେଖେଇବାର ଫର୍ମ ଧରିକି ସେ ଆସିଛି । କାଲି ଶେଷ ତାରିଖ । ନପକେଇ ପାରିଲେ ଆଉ ଆଗକୁ ପଢିପାରିବ ନାହିଁ । କେତେ ପରିଶ୍ରମ କରି ପାଠ ପଢିଥିଲା । ଆଗକୁ ନପଢି ପାରିଲେ ସବୁ ପରିଶ୍ରମ ତା’ର ବୃଥା ଯିବ ବୋଲି ବିକଳ ହେଇ କହୁଛି । ହେଲେ ସେକଥା ଶୁଣିବାକୁ କେହି ବି ପ୍ରସ୍ତୁତ ନୁହନ୍ତି । ପିଲାଟି ବେଳୁ ନିଜ ମା’କୁ ରାତିଦିନ ରୋଷେଇ ଘରେ ଖଟୁଥିବାର ଦେଖି ସବୁବେଳେ କୁହେ, “ମା’, ମୁଁ ବଡ ହେଲେ ବହୁତ ପାଠ ପଢି ଚାକିରି କରିବି । କେତେ କଷ୍ଟ ତୁ କରୁଛୁ, ତତେ ମୋ ପାଖକୁ ନେଇଯିବି । ତୁ ସେଠି ଆରାମରେ ରହିବୁ । ତତେ ମୁଁ କିଛି କାମ କରେଇ ଦେବି ନାହିଁ । କିନ୍ତୁ ମତେ ତୁ ନିଶ୍ଚୟ ପଢେଇବୁ । ତୋ’ ଭଳି ରୋଷେଇ ଘରେ ସଢେଇ ମାରିଦେବୁ ନାହିଁ ।“

ସେତେବେଳେ ତା’ର ଏ ପିଲାଳିଆ କଥା ଶୁଣି ସେ ହସି ଦଉଥିଲେ । ଝିଅ ପିଲା ହେଇ ରୋଷେଇ ଘରେ ନସଢିବା ଛଡା, ଅନ୍ୟ ଉପାୟ କିଛି ଯେ ଥିବ, ସେକଥା ସେ ଚିନ୍ତା କରିପାରନ୍ତି ନାହିଁ । କେବେ ଜାଣିବାକୁ ଚାହିଁନଥିଲେ ବି, ଝିଅ ତାଙ୍କର ଏଇ କଥାକୁ କେତେ ଗୁରୁତର ସହ ଚିନ୍ତା କରୁଛି । କେତେ ନିଷ୍ଠା ରହିଛି ପାଠକୁ ନେଇ ତା’ ଭିତରେ ! ପ୍ରକୃତରେ ବିନା କୌଣସି ଟିଯୁସନ୍‌ କି ବିନା କାହା ଦେଖାଚାହାଁରେ ସେ ସବୁବେଳେ କ୍ଲାସ୍ ରେ ପ୍ରଥମ ହେଇ ହେଇ ଆସିଛି । ଯେତେବେଳେ ଯେ କେହି ବି ପଚାରିଛି, ସବୁବେଳେ ଗୋଟାଏ ଉତ୍ତର ଦେଇଛି – ପରିଶ୍ରମ ନକଲେ ନିଜ ଗୋଡରେ ଠିଆ ହେବି କେମିତି ! ନିଜ ଗୋଡରେ ଠିଆ ନହେଲେ ମା’କୁ ସୁଖ ଦେବି କେମିତି !

ସେତେବେଳେ ଯୋଉ କଥା ସମସ୍ତଙ୍କୁ ହସେଇବାର ଖୋରାକ ଯୋଗୋଉଥିଲା, ଏବେ ତାହା ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

କାମ କରି କରି ଟାଣ ହେଇଯାଇଥିବା ତାଙ୍କ ହାତ ପାପୁଲିକୁ ଦେଖିଲେ ସେ କାନ୍ଦି ପକାଏ । ମା’ର ଜୀବନ ଯେ କେତେ ଦୁଃସହ, ତାହା ଆଉ କେହି ବୁଝେନା ସତ, ହେଲେ ସେ ବେଶ୍ ଅନୁଭବ କରେ । ସେଇଥିପାଇଁ ତ ପାଠପଢାକୁ ହି ତା’ ଜୀବନର ଏକମାତ୍ର ଲକ୍ଷ୍ୟ ଭାବେ ସେ ଗ୍ରହଣ କରିନେଇଚି !

ଶୋଭାରାଣୀ ବି ଚାହାନ୍ତି, ତାଙ୍କ ଝିଅ ବହୁତ ପାଠ ପଢୁ । ତାଙ୍କ ଭଳି ଜୀବନ ନବଞ୍ଚି, ମଣିଷ ପରି ବଞ୍ଚୁ । କିନ୍ତୁ ତାହା କେମିତି ସମ୍ଭବ ! ଅଗ୍ରୱାଲ୍ ବଂଶର ଝିଅ ହେଇ ପାଠପଢା, ତା’ପରେ ପୁଣି ଚାକିରିର ସ୍ବପ୍ନ, କିପରି ସମ୍ଭବ ଏସବୁ ?

ଆଜି ସନ୍ଧ୍ୟାରେ ହି ଶାଶୁ ଶ୍ବଶୁର ନିଜର ଶେଷ ନିଷ୍ପତ୍ତି ଶୁଣେଇ ଦେଇଛନ୍ତି, “ସେତିକି ଥାଉ ପାଠପଢା । ଦିନେ ଦୁଇ ଦିନ ଭିତରେ ପୁଅଘର ଆସିବେ ଦେଖାଚାହାଁ କରି କଥାବାର୍ତ୍ତା କରିବାକୁ । ଏଥର ବାହାଘରର ପ୍ରସ୍ତୁତି ପର୍ବ ଆରମ୍ଭ କରାଯାଉ । ଆଉ ପଢାପଢି କ’ଣ ହେବ ? ଯେତିକି ପଢା ହେଲାଣି, ଯଥେଷ୍ଟ ହେଇଗଲାଣି !”

ସବୁଦିନ ପରି ପରଦା ପଛରେ ରହି ସବୁକଥା ଶୁଣିଛନ୍ତି ଶୋଭାରାଣୀ । ଏ ଘରକୁ ଆସିଲା ପର ଠାରୁ ସବୁବେଳେ ସେ ଏମିତି ପରଦା ପଛରେ ହିଁ ରହି ଆସୁଛନ୍ତି । କେବେ କାହା ସାମନାକୁ ଯାଇନାହାନ୍ତି । ଯଦିବା କେବେ ଯିବାକୁ ପଡେ, ହାତେ ଓଢଣା ଭିତରେ ଯାଆନ୍ତି, ଆଉ ଯଥାଶୀଘ୍ର ନିଜ କର୍ତ୍ତବ୍ୟ ସାରିଦେଇ ବାହାରି ଆସନ୍ତି । ନିଜର ଇଚ୍ଛା ଅନିଚ୍ଛା, ମତାମତ, ସବୁ ସେଇ ପରଦା ସେପଟେ ରହିଯାଇଛି । କେହି କେବେ ତାଙ୍କୁ ପଚାରି ନାହିଁ, କି ସେ କେବେ କିଛି କହିନାହାନ୍ତି । ସେଥିପାଇଁ ଅବସୋସ କରିବା କଥା ନିଶ୍ଚୟ, କିନ୍ତୁ ତାହା କିପରି କରାଯାଏ, ସେକଥା ମଧ୍ୟ ତାଙ୍କୁ ଜଣାନାହିଁ । ସେ ଖାଲି କର୍ତ୍ତବ୍ୟ କରିବା ଜାଣିଛନ୍ତି, ତାଙ୍କଠୁ ସେଇ ଅପେକ୍ଷା ହି ରହିଛି ସମସ୍ତଙ୍କର .. ଆଉ ତାହା ହିଁ ସେ କରିଚାଲିଛନ୍ତି ବିନା ଅଭିଯୋଗ .. ବିନା ପ୍ରତିବାଦରେ !

ଆଜି କିନ୍ତୁ ସେ ବ୍ୟାକୁଳ । ଖୁବ୍ ବେଶି ଡହଳ ବିକଳ ହେଇଉଠୁଛନ୍ତି .. ନିଜ ପାଇଁ ନୁହେଁ, ନିଜ ପିଲାଙ୍କ ପାଇଁ ! ତାଙ୍କ ଜୀବନ ଯେମିତି ଗଲା, ଗଲା । କିନ୍ତୁ ତାଙ୍କ ଝିଅ ବି କ’ଣ ସେଇ ପରଦା ପଛରେ ସବୁଦିନ ପାଇଁ ରହିଯିବ ! ସବୁଦିନ ଓଢଣା ତଳେ ରହି ନିଜ ପ୍ରତି ହଉଥିବା ଅନ୍ୟାୟ ଅବିଚାରର ବିରୋଧ କରିବାକୁ ଯାଇ ନିଜ ଓଠକୁ କାମୁଡୁଥିବ ? କାହାକୁ ଦିଶୁନଥିବ ତା’ ଛାତି ତଳେ ହୁତୁ ହୁତୁ ହୋଇ ଜଳୁଥିବା ସ୍ବାଭିମାନର ଶିଖା ! କେହି ପଚାରୁ ନଥିବେ ତାକୁ – କହ, କ’ଣ ଅଛି ତୋ’ ମନରେ ?

ବଡ ଅଭିମାନିନୀ ସେ । କେବେ ନିଜ ପାଇଁ କିଛି କହିନାହିଁ । କିନ୍ତୁ ଯେଉଁ କରୁଣ ଦୃଷ୍ଟି ତାଙ୍କ ଉପରେ ନିକ୍ଷେପ କରି ସେ ଚାଲିଯାଇଛି, ସେତିକିବେଳୁ ଛାତି ଭିତରଟା ତାଙ୍କର ରକ୍ ରକ୍ କରିଉଠୁଛି । କ’ଣ ଗୋଟେ ଭିତରେ ଭିତରେ ହାବୁକେଇ ଉଠୁଛି । ସାନଝିଅଟା ବାରମ୍ବାର ଆସି ଦିଦି ପାଇଁ ତାଙ୍କ ସହିତ ଝଗଡା କରି ଚାଲିଯାଉଛି, ହେଲେ ସେ କ’ଣ ବା କରିପାରିବେ ?

ଜଗଦୀଶବାବୁ ଯଦି ଶୁଣିବା ଲୋକଟେ ହେଇଥାଆନ୍ତେ, ତେବେ ଏତେ ଦୁଃଖ କରିବାର ନଥିଲା । କିନ୍ତୁ ତାଙ୍କ ଭଳି ନିସ୍ପୃହ ଲୋକ ଏସବୁ କଥା କ’ଣ କେବେ ବୁଝିପାରିବ ଯେ ସେ କହିବେ ! ନା କହିଲେ କୋଉ ସେ ଶୁଣିବେ ! ସ୍ତ୍ରୀ ପିଲାଙ୍କର ବି ତାଙ୍କ ଉପରେ କିଛି ଅଧିକାର ଅଛି, ତାଙ୍କର ବି ଦାୟୀତ୍ବ ଅଛି ସେମାନଙ୍କ ପ୍ରତି, ସେକଥା ଆଜି ପର୍ଯ୍ୟନ୍ତ ସେ କେବେ ଥରଟିଏ ବି ଚିନ୍ତା କରିନାହାନ୍ତି । ତାଙ୍କ କହିବା ଅନୁସାରେ ଘରର ବଡପୁଅ ସେ, ସମସ୍ତଙ୍କ ପ୍ରତି ସମାନ ଦାୟୀତ୍ବ ଅଛି ତାଙ୍କର । ତାଙ୍କ ପାଇଁ କେହି ନିଜର କି କେହି ପର ନୁହେଁ । ବାପା ମା’ ବଞ୍ଚିଥିଲା ପର୍ଯ୍ୟନ୍ତ ସବୁ କଥାର ନିର୍ଣ୍ଣୟ ସେମାନେ ହି ନେବେ ।

ଏହା ପରେ ଆଉ ଅଧିକା କ’ଣ ବା ଆଶା କରିବେ ଶୋଭାରାଣୀ ! ମୁହଁ ତାଙ୍କର ସବୁଦିନ ପାଇଁ ବନ୍ଦ ହେଇଯାଇଛି ।

ମାତ୍ର ଆଜି ସେ ନିଶ୍ଚୟ ମୁହଁ ଖୋଲିବେ । ନିଜ ପ୍ରତି ହେଇଥିବା ଅନ୍ୟାୟ ଅବିଚାରକୁ ସେ ଭୁଲିଯାଇ ପାରିବେ ସତ, କିନ୍ତୁ ନିଜ ପିଲାଙ୍କ ପ୍ରତି ତାଙ୍କର ଦାୟୀତ୍ବ ନିଶ୍ଚୟ ରହିଛି । ଯେଉଁ ସ୍ବାମୀଙ୍କ ସାମନାରେ ପାଟି ଖୋଲିବା ସେ ଜାଣି ହି ନାହାନ୍ତି, ସେଇ ସ୍ବାମୀଙ୍କୁ ଆଜି ସେ ବାଧ୍ୟ କରିଦେବେ ନିଜ ପତ୍ନୀ ଓ ପିଲାଙ୍କ ବିଷୟରେ ସ୍ବତନ୍ତ୍ର ଭାବରେ ଚିନ୍ତା କରିବା ପାଇଁ । ସେ ତ କିଛି ଅନ୍ୟାୟ କଥା କହୁନାହାନ୍ତି ! ତା’ହେଲେ ଡରିବେ କାହିଁକି ? ହୁଏତ ଏହା ପରେ ଘରେ ଅଶାନ୍ତି ହେଇପାରେ, ଶାଶୁ ଶ୍ବଶୁର, ସ୍ବାମୀ, ସମସ୍ତେ ମିଶି ତାଙ୍କୁ ଗାଳି କରିପାରନ୍ତି । କରନ୍ତୁ । ସେ କିନ୍ତୁ ନିଜ ଯୁଦ୍ଧ ଆଜି ନିଶ୍ଚୟ ଲଢିବେ । ନିଜ ପିଲାଙ୍କ ଭବିଷ୍ୟତ ପାଇଁ ପରଦା ବାହାରକୁ ଯିବାର ସାହାସ କରିବେ ।

ରାତିରେ ଜଗଦୀଶ ବାବୁଙ୍କ ପାଇଁ ଦୁଧ ଗ୍ଲାସ୍ ନେଇକି ଯିବା ବେଳେ ତାଙ୍କୁ ଗୁଣୁ ଗୁଣୁ ହେଇ ଗୀତ ଗାଉଥିବାର ଦେଖି, ଶୋଭାରାଣୀ ଆଶ୍ଚର୍ଯ୍ୟ ହେଇଗଲେ । ଆଜି ଜଗଦୀଶ ବାବୁ ଆବଶ୍ୟକତା ଠାରୁ ଅଧିକ ପ୍ରସନ୍ନ ଥିଲେ । ନିଶ୍ଚିତ ପକ୍ଷରେ ତାଙ୍କ ପାଇଁ ଏଇଟା ବ୍ରାହ୍ମ ମୁହୂର୍ତ୍ତ । ଆଜି ଦୋକାନରେ ନିଶ୍ଚୟ ଭଲ ବିକ୍ରିବଟା ହେଇଥିବ । ଜଗଦୀଶ ବାବୁ ଏମିତି ପ୍ରସନ୍ନ ମୁଦ୍ରାରେ କେବେ କେବେ ହି ଦେଖାଯାନ୍ତି । ଆଉ ଯେବେ ବି ପ୍ରସନ୍ନ ହୁଅନ୍ତି, ସେତେବେଳେ ଟିକିଏ ଅଧିକ ଭାବପ୍ରବଣ ବି ହେଇପଡନ୍ତି । ଶୋଭାରାଣୀଙ୍କ ବିଷୟରେ, ପିଲାମାନଙ୍କ ବିଷୟରେ ପଦେ ଅଧେ ପଚାରି ବି ଦିଅନ୍ତି । ଅବଶ୍ୟ ଉତ୍ତରର ଅପେକ୍ଷା ନଥାଏ । ତଥାପି ଶୋଭାରାଣୀ ଉତ୍ତର ଦେଇଥାଆନ୍ତି । ତେବେ ସେସବୁ ସେ ଶୁଣନ୍ତି କି ନାହିଁ, ସେକଥା ଶୋଭାରାଣୀ ଜାଣି ପାରନ୍ତିନି ।

ଆଜି ସେ ଏତେ ଖୁସି ଥିଲେ ଯେ ଶୋଭାରାଣୀଙ୍କର ଶୁଖିଲା ମୁହଁ, ତାଙ୍କ ନଜରରୁ ବାଦ୍ ଗଲା ନାହିଁ । ଆଶ୍ଚର୍ଯ୍ୟଚକିତ ଭାବ ନେଇ ସେ ପଚାରି ଦେଲେ, “କ’ଣ ହେଲା ? ତୁମ ମୁହଁ ଏତେ ଶୁଖିଲା ଦିଶୁଛି ଯେ ? କ’ଣ ଦେହ ଭଲ ନାହିଁ ନା ମନ ?”

ପ୍ରଶ୍ନ ନିହାତି ସାଧାରଣ ଭାବରେ ପଚରା ତ ଯାଇଥିଲା, ତଥାପି ସେଥିରେ ଭରି ରହିଥିବା ଅବିଶ୍ବସନୀୟତା ନକହି ବି କହି ଦଉଥିଲା ଯେ ଏ ଘରେ ପୁଣି କି ଅଭାବ ରହିଛି ଯେ ତୁମେ ଏମିତି ମୁହଁକୁ ଶୁଖେଇକି ବୁଲୁଛ ! ସତେ ଯେମିତି ତାଙ୍କର ଏପରି ମୁହଁ ଶୁଖେଇବାଟା ଜଗଦୀଶବାବୁଙ୍କ ପାଇଁ ନିହାତି ଏକ ଆଶ୍ଚର୍ଯ୍ୟଜନକ ଘଟଣା .. ଯାହାର ଘଟିବାର ସମ୍ଭାବନାକୁ ସେ ଏକଦମ୍ ଅସ୍ବୀକାର କରୁଛନ୍ତି !

ଜଗଦୀଶବାବୁ ଦୁଧ ଗ୍ଲାସ୍ ଖାଲି କରିଚାଲିଥିଲେ । ତା’ପରେ ସାଙ୍ଗେ ସାଙ୍ଗେ ଶୋଇପଡିବେ । ସେ ଯେ କିଛି ପଚାରିଛନ୍ତି ଏବଂ ତା’ର ଉତ୍ତର ପତ୍ନୀ ଏପର୍ଯ୍ୟନ୍ତ ବି ଦେଇନାହିଁ, ହୁଏତ ସେକଥାକୁ ସେ ଭୁଲିଯିବେ । ତା’ ପୂର୍ବରୁ ଶୋଭାରାଣୀ କହି ପକେଇଲେ, “ଜାଣିଛ, ଆଜି ତମ ବଡଝିଅ ସନ୍ଧ୍ୟାବେଳ ଠାରୁ କିଛି ବି ଖାଇନାହିଁ । କବାଟ ବନ୍ଦ କରି ଖାଲି କାନ୍ଦୁଛି ।“

“କାହିଁକି ? ଏମିତି କ’ଣ ହେଇଗଲା ଯେ କବାଟ ବନ୍ଦ କରି ତାକୁ କାନ୍ଦିବାକୁ ବି ପଡିଲା ?”

“ସେ ଆଗକୁ ଆଉ ପଢିବାକୁ ଚାହୁଁଛି ।”

“କ’ଣ ମିଳିବ ସେ ପଢାପଢିରୁ ?”

“ସେଇ ଗୋଟିଏ ସ୍ବପ୍ନ ହି ତ ସେ ଦେଖିଛି ତା’ ଜୀବନରେ ! ବାପ ମା’ ହିସାବରେ ତାକୁ ପୂରା କରିବାଟା କ’ଣ ଆମର କର୍ତ୍ତବ୍ୟ ନୁହେଁ !”

“ହେଲେ ବାପା ମନା କରୁଛନ୍ତି ! ମାମୁ ପଠେଇଥିବା ବାହାଘର ପ୍ରସ୍ତାବ ଉପରେ କଥାବାର୍ତ୍ତା କରିବାକୁ ମା’ କହୁଛି ।”

ତା’ ମାନେ ଜଗଦୀଶ ବାବୁ ସବୁକଥା ଶୁଣି ସାରିଛନ୍ତି । ଶୋଭାରାଣୀଙ୍କ ପାଇଁ ଆଉ କହିବାକୁ କିଛି ନାହିଁ । ବାପା ମା’ ନିଶ୍ଚୟ ପାଠପଢାର ସବୁତକ ନକାରାତ୍ମକ ତଥ୍ୟ ପୁଅ ଆଗରେ ବଖାଣି ଦେଇଥିବେ । ଯେମିତିକି ବେଶି ପଢିଲେ ବର ମିଳିବ ନାହିଁ । ବୟସ ଗଡିଗଲେ ଆଉ ବାହାଘର ହେଇପାରିବ ନାହିଁ । ଏତେ ତ ପଢିଲାଣି, ଆଉ ଅଧିକା ପଢିବା କ’ଣ ଦରକାର, ଇତ୍ୟାଦି ଇତ୍ୟାଦି ! ଏପରି ପରିସ୍ଥିତିରେ ତାଙ୍କୁ ବୁଝେଇବା ଆଉ ସମ୍ଭବ ହେବ ନାହିଁ । ତଥାପି ସେ ଶେଷ ଚେଷ୍ଟା କରିବେ ।

“ଆମର କ’ଣ କର୍ତ୍ତବ୍ୟ ନୁହେଁ ଯେ, ଆମ ପିଲାଙ୍କ ପାଇଁ କ’ଣ ଭଲ ଆଉ କ’ଣ ମନ୍ଦ, ଆମେ ତାହା ନିଜେ ଠିକ୍ କରିବା ? ଯଦି ସେ ଚାହୁଁଛି ପଢିବାକୁ, ତେବେ ତାକୁ ସୁଯୋଗ ଦେବା କ’ଣ ଆମ ପକ୍ଷରେ ଉଚିତ୍ କାର୍ଯ୍ୟ ହେବନି ? ଏତେ ଭଲ ପାଠ ପଢୁଛି ବୋଲି ତା’ର ସାର କହୁଥିଲେ । ତା’ ଭବିଷ୍ୟତ ଉଜ୍ଜଳ ଅଛି । ପାଠ ପଢି ଚାକିରି କରି, ନିଜ ଗୋଡରେ ..”

“ତୁମେ କ’ଣ କହୁଛ, ତା’ର ହେତୁ ଅଛି ତ ତମର ଶୋଭା ? ଅଗ୍ରୱାଲ୍ ଘରର ଝିଅ ପୁଣି ଯାଇ ଚାକିରି କରିବ ?” ଅତିଶୟ ବିରକ୍ତିରେ ମୁହଁ ବିକୃତ କରିପକେଇଲେ ଜଗଦୀଶବାବୁ । ଏମିତିଆ କଥା ମୁଣ୍ଡରେ ନ ପୂରେଇବାକୁ, ନିଜ ସାମାଜିକ ପରିବେଶ ବାହାରକୁ ଯାଇ ଚିନ୍ତା ନ କରିବାକୁ ବାରମ୍ବାର ଝିଅକୁ କହିଥିଲେ ସେ, କଲେଜ୍ ରେ ନାଁ ଲେଖେଇଲା ପୂର୍ବରୁ । ‘ଜିଦି କରୁଛୁ ବୋଲି, ଏତିକି କଥା ମାନିଯାଉଛି ତୋର .. କିନ୍ତୁ ୟା’ ଆଗକୁ ଏମିତି କୌଣସି ଜିଦି ତୁ କରିବୁନି, ଯାହାକୁ ନେଇ ମତେ ବାପାରୁ ରାକ୍ଷସ ପାଲଟି ଯିବାକୁ ବାଧ୍ୟ ହେବାକୁ ପଡିବ !’ ସେତେବେଳେ ବଡ ଜୋର୍ ରେ ମା’ ଝିଅ ଦୁହେଁ ‘ହଁ’ ବୋଲି କହି କଲେଜ୍ ଫର୍ମରେ ଦସ୍ତଖତ କରେଇ ନେଇଥିଲେ । ମା’ ବାପାଙ୍କୁ ବଡ କଷ୍ଟରେ ବୁଝେଇ ସୁଝେଇ ଦୁଇ ବର୍ଷର ମୋହଲତ ମାଗିଥିଲେ … ହେଲେ ଏବେ ପୁଣି ଥରେ ସେଇ କଥା କାହିଁକି ଉଠୋଉଛନ୍ତି ଶୋଭା ! ସେ କ’ଣ ଭୁଲି ଗଲେଣି ନିଜ କଥା ? ଯୋଉଠି ପାଠ ପଢିବାକୁ ନେଇ ଏତେ ତୁମ୍ଭୀ ତୋଫାନ, ସେଠି ଶୋଭା ପୁଣି ଆଶା କରୁଛନ୍ତି ଝିଅ ତାଙ୍କର ଚାକିରି କରିବ ?

“କାହିଁକି କରିବନି ଯେ ? ଯଦି ଭଗବାନ ତାକୁ ସେତିକି ବୁଦ୍ଧି ବିବେକ ଜ୍ଞାନ ଦେଇଛନ୍ତି, ତେବେ କାହିଁକି କରିବନି ? ଚାକିରି କରି ସୁଖରେ ନରହି, ଜୀବନ ସାରା କ’ଣ ଖାଲି ମୋରି ପରି ଚୂଲି ଫୁଙ୍କିବ ?”

“କ’ଣ ଅଧିକା ସୁଖଟା ପାଇବ ସେ ଚାକିରି କରି ? ବହୁତ ଭଲ ଘର ପରିବାର ଅଛି । ରାଣୀ ହେଇ ରହିବ ସେ .. ତୁମେ ତାକୁ ବୁଝେଇ ଦିଅ, ସେ ରାଜି ହେଇଯାଉ ଏ ପ୍ରସ୍ତାବରେ .. ନହେଲେ ଘରେ ଅଯଥା ଅଶାନ୍ତି ହେବ !”

“କିନ୍ତୁ ତା’ ସୁଖ ଯଦି ଚାକିରିରେ ଅଛି, ତା’ହେଲେ ..?”

“ତୁମେ ତ ଚାକିରି କରିନ, ତା’ମାନେ ତୁମେ କ’ଣ ସୁଖୀ ନୁହଁ ? କ’ଣ ଅଭାବ ଅଛି ତୁମର ? ଧନ, ଜନ, ଗୋପ, ଲକ୍ଷ୍ମୀ, ସବୁକିଛିରେ ଭରା ପୂରା ତୁମ ସଂସାର । ଏତେ ବଡ ପରିବାର, ତୁମରି ହାତଟେକା ପାଣିକୁ ଚାହିଁ ବସୁଛନ୍ତି ଦିନରାତି ! ଏହା କ’ଣ ତୁମ ପାଇଁ ଗୌରବର କଥା ନୁହେଁ ?”

ଫିକା ହସଟିଏ ଉକୁଟି ଉଠିଲା ଶୋଭାରାଣୀଙ୍କ ଓଠରେ । ଯନ୍ତ୍ରଣାରେ ଭାରି ଭାରି ହେଇଗଲା ତାଙ୍କ ଛାତି । ପୁରୁଷର ମାନସିକତା ଯୁଗେ ଯୁଗେ ନାରୀ ପାଇଁ ଏଇଆ ହିଁ ରହିଆସିଛି । ନାରୀକୁ କର୍ତ୍ତବ୍ୟର ଜଞ୍ଜିରରେ ବାନ୍ଧିଦେଇ, ସେଇଟା ହିଁ ତା’ର ଏକମାତ୍ର ସୁଖ ବୋଲି ମାନି ଆସିଛନ୍ତି । ତାଙ୍କ ସ୍ବାମୀ ସେଥିରୁ ଭିନ୍ନ ହେବେ ବା କେମିତି ! ପିଲାଟି ଦିନରୁ ଯୋଉ ଜନ୍ମଘୁଟି ପିଇ ବଡ ହେଇଛନ୍ତି, ଯୁଗ ସହିତ ତାଳ ଦେଇ ତା’ର ବଦଳିବାଟାକୁ ଶିଖିନାହାନ୍ତି ଯେତେବେଳେ, ସେ ବଦଳିବେ ବା କେମିତି ! ତେଣୁ ତାଙ୍କ ସ୍ବାମୀ ଯଦି ତାଙ୍କୁ ସୁଖୀ ବୋଲି ଭାବି ପାରୁଛନ୍ତି, ସେଥିରେ ଆଶ୍ଚର୍ଯ୍ୟ କାହିଁକି ହେବେ ସେ ! କିନ୍ତୁ ଏ ସୁଖର ପରିଭାଷାଟାକୁ ପୁରୁଷର ଦୃଷ୍ଟିରେ ନଦେଖି, ନାରୀ ଦୃଷ୍ଟିରେ ଦେଖେଇବାର ସମୟ ଆସି ସାରିଲାଣି । ଆଜି ଯଦି ସବୁଦିନ ପରି ସେ ହାର୍ ମାନିଯାଇ, ଚୁପ୍ ରହିଯିବେ, ତେବେ ପତ୍ନୀ ରୂପରେ ସେ ସଫଳ ହେଇଯିବେ ସିନା, ହେଲେ ତାଙ୍କ ମା’ ରୂପ ସଂପୂର୍ଣ୍ଣ ଅସଫଳ ରହିଯିବ । ବହୁତ ହେଇଗଲା ପତ୍ନୀ ରୂପକୁ ଜିତେଇବାରେ, ଆଜି ଗୋଟେ ମା’କୁ ତ ଟିକେ ସୁଯୋଗ ମିଳୁ ?

“ସୁଖ .. ? ସୁଖ କେବଳ କର୍ତ୍ତବ୍ୟର ହେଇନଥାଏ, ଅଧିକାରର ବି ତ ହେଇଥାଏ ! କେଉଁ ଅଧିକାରଟା ଦେଇଛ ତୁମେ ମତେ ? ଘରର କୌଣସି ମହତ୍ତ୍ବପୂର୍ଣ୍ଣ ନିର୍ଣ୍ଣୟରେ ମୋର ମତାମତ କେବେ ପଚାରିଛ ? କେବେ ଜାଣିବାକୁ ଚାହିଁଛ ଏ ଘରେ ଯିଏ ଅଛି, ସେ ତୁମର ପତ୍ନୀ, ପୂରା ଘରର ଚାକରାଣୀ ନୁହେଁ ! …. ନିଜର ସାମାନ୍ୟ ସାମାନ୍ୟ ଆବଶ୍ୟକତା ପାଇଁ ବି ଶାଶୁ ଶ୍ବଶୁରଙ୍କ ଦୟା ଉପରେ ନିର୍ଭର କରିଛି ! ମୋ ହାତ ଧରି ମତେ ଏ ଘରକୁ ତୁମେ ଆଣିଥିଲ, କିନ୍ତୁ କେବେ ମୋର ପସନ୍ଦ, ଅପସନ୍ଦ, ଭଲମନ୍ଦ କଥା ଜାଣିବାକୁ ଚେଷ୍ଟା କରିଛ ? ରାତିଦିନ ତୁମେ ଖଟୁଛ .. ରାତିଦିନ ମୁଁ ଖଟୁଛି, କିନ୍ତୁ ପରିଶେଷରେ କ’ଣ ପାଉଛେ ଆମେ ଆଉ ଆମ ପିଲାମାନେ – ପରାଧିନତାର ଆହୁରି ଅଧିକ ବୋଝ !!

ମୁଁ ଆଦୌ ଚାହେଁନି କି ମୋ ଝିଅ ବି ମୋରି ପରି ଜୀବନସାରା ପରଦା ପଛରେ ରହି ସମସ୍ତଙ୍କ ପାଇଁ ଖଟି ଚାଲିଥିବ ! ନିଜର ସବୁ ଆଶା, ସବୁ ଆକାଂକ୍ଷାକୁ ଚୁଲିରେ ଚଢେଇ ଦେଇ ସମସ୍ତଙ୍କ ଆସିବା ବାଟକୁ ଜଗି ରହିଥିବ ! ଚା ଜଳଖିଆର ଟ୍ରେ ସଜାଡିବାରେ ହି ତା’ର ସାରା ଜୀବନ ଗଡି ଚାଲିଯିବ …..”

ୟା’ ଆଗକୁ ଆଉ କିଛି କହି ପାରିଲେନି ଶୋଭାରାଣୀ .. କଇଁ କଇଁ କାନ୍ଦରେ ବନ୍ଦ କୋଠିରର ରୁଦ୍ଧ ବାତାବରଣ ଚହଲି ଉଠିଲା । ଆଶ୍ଚର୍ଯ୍ୟଚକିତ ହୋଇ ଜଗଦୀଶବାବୁ ତାଙ୍କୁ କେବଳ ଚାହିଁ ରହିଥିଲେ । ଏ କ’ଣ ତାଙ୍କରି ପତ୍ନୀ !! ଏ ମାଟିର ପିତୁଳା ଦେହରେ ଏତେ ଦହନ .. ଏତେ ଜ୍ବଳନ .. କୋଉଠି ଲୁଚି ରହିଥିଲା ଏତେ ଦିନରୁ ସତରେ ! କାହିଁ, ସେ ତ କେବେ ବି ଏତେ କଥା ଚିନ୍ତା କରିନାହାନ୍ତି ! ସବୁବେଳେ ଭାବି ଆସିଛନ୍ତି ଯେ ସମସ୍ତଙ୍କ ପାଇଁ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ବୋଲି, ତାଙ୍କ ଗୃହସ୍ଥୀ ଏକଦମ୍ ସୁଖରେ ଚାଲିଛି । ପୂରା ପରିବାରର ଦାୟୀତ୍ବ ମୁଣ୍ଡେଇବାଟା ବି ସୌଭାଗ୍ୟର କଥା ହେଇଥାଏ । କିନ୍ତୁ ଏ ଭରା ପୂରା ଘର ଭିତରେ ବି ତାଙ୍କ ପତ୍ନୀ କେତେ ଏକୁଟିଆ, କେତେ ହେୟ, ଆଜି ସେ ପ୍ରଥମ କରି ଅନୁଭବ କରୁଛନ୍ତି ! ତା’ ଆଖିର ଲୁହ ତାଙ୍କର ଏତେ ଦିନର ବିଶ୍ବାସକୁ ଦୋହଲେଇ ପକୋଉଛି ! ଆଜି ପର୍ଯ୍ୟନ୍ତ ସେ ଯାହା ଭାବି ଆସିଛନ୍ତି, ସତରେ କ’ଣ ତାଙ୍କର ଗୃହସ୍ଥୀ ସେଇଆ ? ତାଙ୍କ ପତ୍ନୀ କ’ଣ ସତରେ ଏ ଘରର ମହତ୍ତ୍ବପୂର୍ଣ୍ଣ ସଦସ୍ୟାଟିଏ ? ନା ସେଇ ମୋହରକୁ ମୁଣ୍ଡରେ ବୋହିଥିବା ନେପଥ୍ୟର ଏକ ଚରିତ୍ର ?

ଦରଜା ସେପାଖେ ଦୁଇ ଜୋଡି ଆଖି ଜୁଳୁଜୁଳୁ କରି ତାଙ୍କୁ ଚାହିଁ ରହିଚନ୍ତି । ମା’ ବାପାଙ୍କ କଥାବାର୍ତ୍ତା ସେମାନେ ସବୁ ଶୁଣି ପାରିଚନ୍ତି । ମା’ ଆଜି ସେମାନଙ୍କ ପାଇଁ ବାପାଙ୍କ ସାଙ୍ଗରେ ଲଢି ପାରିବାର ସାହାସ କରିପାରିଛି, ସେମାନଙ୍କ ପାଇଁ ସେତିକି ଯଥେଷ୍ଟ । ଆଉ ଅଧିକ ର ଆବଶ୍ୟକତା ନାହିଁ । କିନ୍ତୁ ବାପା ତାଙ୍କ ପାଇଁ କ’ଣ କରିବେ ?

ହଠାତ୍ ବସିବା ସ୍ଥାନରୁ ଉଠିପଡି ଜଗଦୀଶବାବୁ ଦରଜା ପାଖକୁ ଚାଲିଆସିଲେ । ଦୁଇ ଝିଅଙ୍କୁ କୁଣ୍ଢେଇ ଧରି ଶୋଭାରାଣୀଙ୍କ ପାଖକୁ ଫେରିଆସି କହିଲେ, “ଶୋଭା, ତମ ଆଗରେ ଆଜି ଶପଥ ନେଉଛି, ତୁମ ପରି ନେପଥ୍ୟର ଜୀବନ ଆମ ଝିଅମାନଙ୍କର ହେବ ନାହିଁ । ସେମାନେ ଆଜିଠୁ ନିଜ ନିର୍ଣ୍ଣୟ ନିଜେ ନେବେ । ତମ ଝିଅମାନେ ପାଠ ନିଶ୍ଚୟ ପଢିବେ, ଆଉ ଯେପର୍ଯ୍ୟନ୍ତ ଚାହିଁବେ, ସେପର୍ଯ୍ୟନ୍ତ ହି ପଢିବେ । ଖାଲି ସେତିକି ନୁହେଁ, ନିଜ ଇଚ୍ଛାନୁସାରେ ସେମାନେ ଚାକିରି ବି କରିବେ …“

ହସି ପକେଇଲେ ଶୋଭାରାଣୀ । ଆଖିରେ ଆଖିଏ ଲୁହ ଏବେ ବି ଚକ୍ ଚକ୍ କରୁଥିଲା । ହେଲେ ତାହା ଦୁଃଖ ବା ଅବସୋସର ନଥିଲା, ଥିଲା ସୁଖୀ ଗୃହସ୍ଥୀର ଅନୁପମ ତୃପ୍ତିର !!

                                                    -0-


Rate this content
Log in