ଗପ ନୁହେଁ
ଗପ ନୁହେଁ
{୧}
ବଳକା ଖାଦ୍ୟ ଫିଙ୍ଗନ୍ତୁ ନାହିଁ ।
ଏ' ଦେଶର ତିରିଶ୍ ଭାଗ ଲୋକ,ପ୍ରତିଦିନ ଅଧାପେଟରେ ଶୁଅନ୍ତି । ସାମାନ୍ୟତମ ଦାୟିତ୍ଵବୋଧର ଦ୍ୱାହି ନେଇ , ନିଜଦେଶର କ୍ଷୁଧାମୁକ୍ତିରେ ସହାୟ ହୁଅନ୍ତୁ ।
ଉପରୋକ୍ତ ଅନୁରୋଧକୁ ଯେବେ ମୁଁ ପଢେ ଅବା ଶୁଣେ ,ଖୁବ୍ ଚିନ୍ତାରେ ପଡିଯାଏ । ମୁଁ ଛାଡୁଥିବା ବଳକା ଖାଦ୍ୟ , କେମିତି ଯେ' ପହଞ୍ଚି ପାରିବ , ଭୋକିଲାର ପେଟକୁ ? କଣ ଅଛି ଏଥିପାଇଁ ସହଜ ବ୍ୟବସ୍ଥା ?? କିଏ ଜଣେ କହୁଥିଲେ,କିଛି ସମାଜସେବୀ ସଂସ୍ଥା ଏଥିପାଇଁ କାମ ବି କରୁଛନ୍ତି । ତେବେ ସେମାନେ ପ୍ରତିଦିନ ମିଳିବେ କେଉଁଠି ?
{୨}
ଜୀବନକୁ ପାଖରୁ ଦେଖିବାକୁ ଇଚ୍ଛା ହେଲେ , କେବେକେବେ ରେଳଷ୍ଟେସନରେ ସମୟ କାଟନ୍ତୁ । ବହୁ ଅସମାହିତ ପ୍ରଶ୍ନର ଉତ୍ତର ନିଶ୍ଚେ ପାଇଯିବେ ।
{୩}
ଆଜି ଯାଉଥିଲି ଝାରସୁଗୁଡ଼ାରୁ କଟକ । ପୂଜା ସମୟ ବୋଲି ଖୁବ୍ ଭିଡ଼ ଷ୍ଟେସନରେ ।
ଏକ ଅଭାବନୀୟ ଘଟଣାରେ ମଣିଷଟିଏ ଦେଖିଲି । ଅପରିଚ୍ଛନ୍ନ ନିଶ୍ଚୟ । କେଯାଣି କାହିଁକି ଯେ' ଲୋକଟି , ଖୁବ୍ ଆତୁରା ହୋଇ , ଥୁଆହୋଇଥିବା ଅଳିଆ ଡବା ( କୁଡାଦାନ୍ , ଡଷ୍ଟବିନ୍ , ୟୁଜମିଁ )
ଭିତରେ ହାତ ପୁରାଇ ଘାଣ୍ଟୁଥିଲା ! କିଛି ନ ପାଇ ଆଗରେ ଥିବା ଆଉଗୋଟେ ଡବା ଆଡକୁ ମୁହାଁଇଲା ।
{୪}
ପେଟଟିଏ ଅଛି ମାନେ ଭୋକଟିଏ ଅଛି । ଭୋକଟିଏ ଅଛି ମାନେ କଣ ଖାଦ୍ୟଟିଏ ଅଛି ??
ମୁଁ, ଆଜିପାଇଁ କିଛି ଖାଇ ସାରିଥିଲି । ଆଉକିଛି ବଳକା ରହିଯାଇଥିଲା ।
ଲୋକଟି ଆଗକୁ ଚାଲିଯାଇଥିଲା । ପାଖରେ ଥିଲେ,ଅବାକେଉ ଆଦର କରି ତାକୁ ପାଖକୁ ଡାକି ଖାଇବାକୁ ଦେଇପାରିଥାନ୍ତି ??? ଚିନ୍ତା ବହୁତ କରିହୁଏ । କାରଣ ସେଇଟା ନିଜ ନିୟନ୍ତ୍ରଣରେ ଥାଏ ।
ଶେଷକୁ , ସାମ୍ନାରେ ଥୁଆହୋଇଥିବା ଅଳିଆ ଡବାରେ ହିଁ ବଳକାତକ ଫୋପାଡି ଦେଇଆସିଲି । ଟ୍ରେନ୍ ଆସିବାର ସିଗନାଲ୍ ଦେଇଦେଲା । କେଜାଣି ଭୋକିଲା , ଆଉଥରେ ଫେରି ଆସିବକି ନାଇଁ ?
@ ଅମିୟ ବେଜ୍