Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କବିତା
କବିତା
★★★★★

© Amiya Bej

Others

3 Minutes   7.4K    15


Content Ranking

କବିତାନାମ୍ନୀ ପ୍ରତ୍ୟେକ ଝିଅ ଯେ, କବିତା ଲେଖୁଥିବେ ଅବା ବୁଝୁଥିବେ , ସେପରି ଭାବିବା ନିରର୍ଥକ । ହୁଏତ ଝିଅଟିର ନାମକରଣ କରିଥିବା ପିତା ବା ପିତାମହଙ୍କର କବିତା ପ୍ରତି ରୂଚିଟାଏ ଥିବାର ଅନୁମାନ କରାଯାଇପାରେ ।

ତଥାପି ବି ମୁଁ କବିତାକୁ ଭଲପାଉଥିଲି । ଖାଲି ଭଲପାଉଥିଲି କହିଲେ ଚଳିବନି , ପ୍ରେମ କରିବାକୁ ଚାହୁଁଥିଲି । ଦିନେ ସେ ରୋକଠୋକ୍ କହିଲା -

- ମିଷ୍ଟର୍! ଚାହିଁଦେଲେ ଖାଲି ପ୍ରେମ ହୋଇଯାଏନି । ନା ମୋତେ କବିତା ଭଲ ଲାଗେ , ନା କବି ! ନାରୀ ସ୍ଵପ୍ନରେ ବି ସକ୍ଷମ ପୁରୁଷକୁ କେବଳ ଦେଖେ । ଭୁଲ୍ ବୁଝିବନି ।

- 'କବିତା’! ତୁମ ପାଇଁ ମୁଁ କିଛିବି ତ୍ୟାଗ କରିପାରେ । କବିତା ଲେଖା ଛାଡିଦେବା , ଏକ ସହଜ କାମ ମାତ୍ର ।

ପ୍ରକୃତରେ ଲେଖିବାଟା କଷ୍ଟକର ବ୍ୟାପାର ଥିଲା ।

- ଦ୍ୟାଟସ୍ ଲାଇକ୍ ...

...............

କବିଟେ ଆଜନ୍ମ ଦ୍ଵନ୍ଦରେ । ସେ ଧରିନିଏ କବିତା ହିଁ ତା'ର ପହିଲି ପ୍ରେମ । କାଳକ୍ରମେ ବିଚରା 'କବିତା' ମାନଙ୍କ ମୋହରେ , ଦ୍ୱନ୍ଦଗ୍ରସ୍ତ ହୁଏ । ନିଜକୁ ଆଗ ଏକ ମଣିଷ ବୋଲି ବିଚାରେ । ପ୍ରେମକୁ ଭାବପ୍ରବଣତା ମନେକରୁଥିବା କବି ପାଇଁ , ଧିରେ ଧିରେ ପ୍ରେମ ଏକ ଆବଶ୍ୟକତା ପାଲଟିଯାଏ ।

'କବିତା' ମୋ'ର ଆବଶ୍ୟକତା ଥିଲା, କିନ୍ତୁ କବିତା ଲେଖିବା ମୋହରୁ ମୁଁ ନିଜକୁ ନିବୃତ୍ତ କରିପାରୁନଥିଲି । ଅତଏବ 'କବିତା' କୁ ଲୁଚାଇ, ଛଦ୍ମ ନାମରେ ମୁଁ କବିତା ଲେଖିବା ପୁଣି ଆରମ୍ଭ କରିଦେଲି ।

"ବର୍ଣ୍ଣବୋଧ”!!!

……………

ଆମ ପ୍ରେମ ଚରମ ଛୁଇଁଲା । 'କବିତା' ଖୁସିଥିଲା ଯେ' , ତା'ପାଇଁ ମୁଁ ଏତେ ବଡ ତ୍ୟାଗଟେ କରିପକାଇଲି । ମୁଁ ଏକ ବିଶ୍ଵାସୀ , ଭରସାଯୋଗ୍ୟ ପୁରୁଷ ବୋଲି କହିବୁଲିଲା । ମୁଁ ଖୁସିଥିଲି ' ସାପ ମଲା , ବାଡି ନ ଭାଙ୍ଗିଲା ' ନ୍ୟାୟରେ ।

- ମୋତେ ଲାଗୁଛି, ଆମ ବାହାଘରଟା ଏବେ ହୋଇଗଲେ ଭଲ ।

- ମୋତେ ବି ଲାଗିଲାଣି 'କବିତା’!

- ତେବେ?

- ଲଗ୍ନ ଠିକ୍ କର । ମୁଁ ପ୍ରସ୍ତୁତ ।

ଆମ ବିଭାଘର ସମ୍ପନ୍ନ ହେଲା ।

………..

ବସ୍ତୁବାଦୀ ମଣିଷଟେ , ସଂସାରର ଜ୍ୱାଳାରେ କ୍ରମଶଃ ନିର୍ଜନତାକୁ ଆବୋରି ନିର୍ଜୀବ ପାଲଟିଯାଏ । ବିବାହ ପୂର୍ବବର୍ତ୍ତୀ ପ୍ରେମ ଆଉ ତତ୍ ପରର ଫରକ୍ ତ କେବଳ ଅନୁଭବୀ ହିଁ କହିପାରେ । କାନ୍ଧ ଉପରେ ମୁଣ୍ଡ ଥୋଇ ଘଣ୍ଟା ଘଣ୍ଟା ସ୍ୱପ୍ନବିଭୋର ହେବାକୁ ନା ଆଉ ବେଳଥାଏ ନା ଜରୁରୀ ମନେ କରାଯାଏ ।

ବିବାହ କେବଳ ମାତ୍ର ଦେହ-ଦାୟିତ୍ଵ-ଭବିଷ୍ୟତର କଥା , ସେଠି ପ୍ରେମ-ପ୍ରଣୟ-ସ୍ୱପ୍ନ-ଆବେଗର ସ୍ଥାନ ନଥାଏ । ତେଲ ଲୁଣ ମସଲାର ବାସ୍ନାରେ 'କବିତା' ଗନ୍ଧମୟ ହୋଇଯାଏ ତ , ଝାଳ ପରିଶ୍ରମ ଚିନ୍ତାରେ କବି ତା'ର ସୃଜନତା ହାରି ଦିଏ ।

- ଜଣାନଥିଲା ଜୀବନଟା ଏମିତି ରସହୀନ ନା?

- ଠିକ୍ କହିଛ 'କବିତା' ଜଣାନଥିଲା । ଆମେ ଭ୍ରମରେ ଥିଲେ ।

- ଜାଣ, ମୁଁ ଏଇ ଜୀବନଜ୍ୱାଳାରୁ ମୁକ୍ତି ଟିକେ ପାଇବାକୁ, ଏବେ ଢେର କବିତା ପଢୁଛି ତୁମକୁ ଲୁଚାଇ ।

- ଏଁଏଁଏଁ! ଖୁବ୍ ଅବିଚାର । ମୋତେ ଲେଖିବାକୁ ବାରଣ କରି , ତୁମେ କବିତାମନସ୍କ ???

- ହଁ! ଲେଖୁନଥିବା , ବୁଝୁନଥିବା ଜଣେ ଯେ' କବି ପ୍ରେମରେ ପଡିବନି , ସେପରି ବାଧ୍ୟବାଧକତା ନାହିଁ ।

- ପ୍ରେମ????

- ହଁଅଁ! ଶୁଣି ଆଶ୍ଚର୍ଯ୍ୟ ହେବ , ମୁଁ ଏବେ ପ୍ରେମରେ । ଯା'ଙ୍କ କବିତା ମୋତେ ଭାବମୟ କରାଏ , ନିଜକୁ ନିଜ ପାଖେ କାଠ ଗଡାରେ ଛିଡା କରାଏ , ଅଭାବବୋଧକୁ ସହ୍ୟ କରିବାର ଶକ୍ତି ଯୋଗାଏ , ମୁଁ ମୋର ସେଇ ପ୍ରିୟ କବିଙ୍କ ପ୍ରେମରେ ଏବେ ।

- ମଣିଷଟେ ଜୀବନ କାଳରେ କେତେଥର ପ୍ରେମ କରିପାରେ ଯେ?

- ବହୁଥର ।

- ତୁମକୁ କବିତାଚ୍ଛନ୍ନ କରି, ପ୍ରେମାସିକ୍ତ କରି ରଖିଥିବା ସେ ମହାନ୍ କବିନାମ୍ନୀ ଜନ୍ତୁଟା କିଏ ଜାଣିପାରେ?

- ପ୍ରସିଦ୍ଧ କବି 'ବର୍ଣ୍ଣବୋଧ’!

- 'ବର୍ଣ୍ଣବୋଧ’??? ଭେଟିଛ କେବେ ତାଙ୍କୁ ???

- ନା! ଭେଟିବାକୁ ଚାହିଁବିନି କେବେ ।

- କାଇଁ?

- ସୃଜନକୁ, ଚର୍ମଚକ୍ଷୁରେ, ଦେହ ଦାହରେ ଭେଟି ନେଲେ ପ୍ରେମ ନଷ୍ଟ ହୋଇଯାଏ । ମୁଁ ତାଙ୍କ ସୃଜନତାର ପ୍ରେମରେ କେବଳ । ବ୍ୟକ୍ତିତ୍ଵରେ ନୁହେଁ । ସେ ମୋ' ପ୍ରେମ, ପ୍ରେମିକ ନୁହେଁ!!!!!!

ଅମିୟ ବେଜ୍, ଘଟଗାଁ, କେନ୍ଦୁଝର

କବିତା ଝିଅ ପ୍ରେମ

Rate the content


Originality
Flow
Language
Cover design

Comments

Post

Some text some message..