Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bibhu Samanta

Others

3  

Bibhu Samanta

Others

ଲୁଡୁଖେଳ ୨

ଲୁଡୁଖେଳ ୨

4 mins
486



ଏମିତି ତ କେବେ ହେଇନି, ମୋ ଫେରିବା ବାଟକୁ ସେ ଚାହିଁ ବସି ନଥିବ । ଫେରିବା ସମୟର ଯଥେଷ୍ଟ ଆଗରୁ ସେ ଠିଆ ହେଇଥିବ ବାଲକୋନି ରେ, ମୋ ଅପେକ୍ଷାରେ। ମୋ ଗାଡିର ଶବ୍ଦ ସହ ପୁରା ଅଭ୍ୟସ୍ତ। ଏତେ ଗାଡି ଭିତରୁ ସେ ମୋ ଶବ୍ଦଟା ଜାଣିପାରେ ସହଜରେ। ଦୂରରୁ ମୋ ଅଫିସ ଫେରା, କ୍ଲାନ୍ତ ଦେହ,ବିଷର୍ଣ୍ଣ ମୁହଁ ଦେଖି ସେ ବୁଝିପାରେ ମୋ ଅବସନ୍ନ ମନର କଥା। ତଥାପି ସେ ଚକିତ କଲା ପରି ବ୍ୟବହାର କରେ। ତମେ ଭାବିଥିବ ସେ ତମକୁ ଦେଖି ହସି ହସି କୋଳେଇ ନେବ, ଛାତିରେ ଆଉଜି ମଥା ଆଉଁସି ଦେବ, ଗେଲ କରିଦେବ। ତା ଶାଢ଼ୀ କାନିରେ ମୁହଁ ପୋଛିଦେବ। ଆଦର କରି ତମ ପାଇଁ ଚା କପଟେ ଧରି ଆସିବ। ଚା ପି ଗୋଡହାତ ଧୋଇଲା ବେଳକୁ ଗରମ ଗରମ ପକୁଡି ଛାଣି ଦେବ। ଠିକ୍ ମୋ ମା ପରି, ଦରଜା ପାଖରୁ ବିଞ୍ଚି ଦେବ ହସର ମଲ୍ଲିଫୁଲ ଆଞ୍ଜୁଳାଏ, ତା ଗଜରାର ମହକି ଯାଉଥିବ ପୁରା ଘର, ଦିନଯାକର କ୍ଲାନ୍ତି ସବୁ କୁଆଡେ ଉଭେଇ ଯିବ କେଇ ମୁହୂର୍ତ୍ତରେ।  କିନ୍ତୁ... ଏସବୁର ଠିକ ବିପରୀତ ସିଏ। କବାଟଟା ଖୋଲି ଦେଇ ସେ ଘର ଭିତରକୁ ପସିଯାଏ। ଆଉ ରୋଷେଇ ଘରେ ତା କାମରେ ଲାଗିପଡ଼େ। ବାକ୍ୟବିନିମୟର ସାମାନ୍ୟ ସୁଯୋଗ ନଦେଇ। ମନରେ ଥିବା ସବୁ ଆଶା ଯେମିତି ତାସ ର ଘର ପରି ଭାଙ୍ଗିଯାଏ। ମୁଁ ଦେହଟାକୁ ଫିଙ୍ଗି ଦିଏ ସୋଫା ଉପରକୁ। ଆଉ ଆଖି ବୁଜି ଦିଏ। ମୋ ଗାଡ଼ିରେ ସେମିତି ଝୁଲୁଥିବ ତା ପାଇଁ ଆଣିଥିବା ରସଗୋଲା ପୁଡ଼ିଆଟି।


ସେ ମୋ ଉପସ୍ଥିତିକୁ ଗୁରୁତ୍ୱ ଦିଏନି। ରାଗିଲା ପରି ଯନ୍ତ୍ରବତ କାମ କରୁଥାଏ। ସମବେଦନାହୀନ ହୋଇ। ଖୁବ କଷ୍ଟ ହୁଏ ସେତେବେଳେ। ମୋତେ ଦୋଷୀ ଦୋଷୀ ପରି ଲାଗୁଥାଏ। କଣ ପାଇଁ ଏ ଶାସ୍ତି। କଣ କଲେ ସେ ଖୁସି ହେବ? ସେ ତା କାମରେ ଲାଗିଥାଏ। ଆଉ ମୁଁ ଗୋଡ଼ ହାତ ଧୋଇ ଖଟ ଉପରେ ଗୋଡ଼ ଳମ୍ବେଇ ରିମୋଟ ଧରି ଚାନେଲ ବଦଳୁଥାଏ। ଖାଲି ଟାରେ। ରୋଷେଇରୁ ମଝିରେ ଶୁଭେ ପ୍ରେସର କୁକରର ହୁଇସିଲ। ଥରେ ଥରେ ରୋଷେଇ ଘରକୁ ଯାଏ, ପାଣି ପିଇବା ବାହାନାରେ। ତାକୁ ଦେଖିବାକୁ କଥା ପଦେ ହେବାକୁ। ସେ କିନ୍ତୁ ତା କାମ କରୁଥିବ, ମୋ ଆଡେ ଚାହୁଁ ନଥିବ। ଛୁଇଁବା ଆଗରୁ ପଳେଇବ ଦୂରକୁ। ମୁଁ ଫେରିଆସେ ପୁଣି ଖଟ ଉପରକୁ। କାନ୍ଥ ଘଣ୍ଟାର ଶବ୍ଦ ଛଡା ଆଉ କିଛି ଶୁଭେନି। 


ନୀରବତା ଭାଙ୍ଗେ କଲିଂ ବେଲରେ। ମୁଁ ଯାଇ କବାଟ ଖୋଲେ। ଦେଖେ ଲୁଡୁ ପାଲି ଧରି ଠିଆ ହେଇଥାନ୍ତି, ପଡିଶା ଘର ରଞ୍ଜୁ ଭାଉଜ ଆଉ ତାଙ୍କ ଝିଆରୀ, ପାୟଲ। ସେ ହସି ଭିତରକୁ ଆସନ୍ତି ଆଉ ସିଧା ରୋଷେଇ ଘରକୁ ଯାଆନ୍ତି।ମୁଁ ଦୁଆର ବନ୍ଦ କରି ଯାଏ ପୁଣି ଖଟ ଉପରକୁ। ରିମୋଟ ଧରି ଚାନେଲ ବଦଳିବାକୁ। ଦାଣ୍ଡ ଘରେ ସପ ପାରି ଲୁଡୁଖେଳ ପାଇଁ ପ୍ରସ୍ତୁତି ଆରମ୍ଭ ହୁଏ। ଠିକ ନିର୍ବାଚନ ପ୍ରାକ ପ୍ରସ୍ତୁତି ପରି ଲାଗେ ସେତେବେଳେ। କାଲି ଜିତିଥିବା ପ୍ରାର୍ଥୀ କହେ ତା ବିଜୟ ଗାଥା, କେମିତି ଜିତିଲା ସେ, ସମସ୍ତଙ୍କୁ ମାରି। ଆଉ ହାରିବା ପ୍ରାର୍ଥୀ, ଏଇଥର ଜିତିବ ବୋଲି ପାଗ ଭିଡ଼େ। କାମ ସାରି ସେ ଆସେ, ଲୁଡୁ ଖେଳ ପାଖକୁ। ମୁଁ କିନ୍ତୁ ଯାଇ ନଥାଏ ଅଭିମାନରେ। ସେ ପାୟଲ ହାତରେ ମତେ ଡାକି ପଠାଏ। ମୁଁ ମନା କରେ, ବାହାନା କରେ। ମୁଣ୍ଡ ବିନ୍ଧା, ନହେଲେ ଅଫିସ କାମର। ସେ ବୁଝି ପାରେ। କିନ୍ତୁ ଆସେନି। ଭାଉଜ ଆସନ୍ତି ଶେଷରେ ଡାକିବାକୁ। ମୁଁ ମନା କରିପାରେନି। ଯାଏ। ଖେଳ ଆରମ୍ଭ ହୁଏ। ଏଠି ସମସ୍ତେ ସମସ୍ତଙ୍କ ପ୍ରତିଦ୍ବନ୍ଦୀ। ଯେ ଆଗେ ପାଚିବ ସେ ହେବ ରାଜା। ମୁଁ ବାହାନା ଟେ ଖୋଜୁଥାଏ ତା ପାଖକୁ ଯିବାର। ତା ଠୁ ପଦେ କଥା ଶୁଣିବାକୁ ମନ ଉଚ୍ଛନ୍ନ ହେଉଥାଏ। ସେ ଖେଳରେ ମାତିିଯାଏ। ଆଉ ମୁଁ ତା ଭାବନାରେ ଚକାଭଉଁରୀ ଭିତରେ।

ଜୀବନଟା ବି ଠିକ ଲୁଡୁଖେଳ ପରି। ସାର ଘରୁ ବାହାରିବ ଠୁ ପାଚିବା ଯାଏ, ସଂଘର୍ଷ କରୁଥାଏ। କେତେ ବାଧା କେତେ ମୋଡ଼ ଭିତରେ ଦେଇ ଯିବାକୁ ହୁଏ। ଖେଳ ଚାଲୁଥାଏ ଭାଗ୍ୟ ଉପରେ। ଭାଗ୍ୟରେ ଥିଲେ ଜିତିବ ନହେଲେ ନାହିଁ। କେହି କହିପାରିବନି ନିଶ୍ଚିତ ଭାବେ ଜିତିବ ବୋଲି। ଏଠି ଖେଳାଳି ଜିତେନା, ଖେଳନା ଜିତେ। ସମୟ ଯାହାକୁ ବାଛେ ସେ ହୁଏ ରାଜା। ପରିଣାମଟା ଜାଣି ହୁଏନି ବୋଲି ତ ଏ ଖେଳରେ ଥାଏ ରୋମାଞ୍ଚ, ମୂଳରୁ ଶେଷ ଯାଏ। ନୀରବତା ରାଜୁତି କରୁଥିବା ଘରଟାରେ କୋଳାହଳ ଭର୍ତି ହେଇଯାଏ। ଠିକ ନିର୍ବାଚନୀ ପ୍ରଚାର ପରି ।

ରଞ୍ଜୁ ଭାଉଜ ଲୁଡୁଖେଳ ର କ୍ରିଷ ଗେଲ, ତାଙ୍କ ହାତରୁ ଖାଲି ଛ ବୃଷ୍ଟି ହୁଏ। ସେ ସମସ୍ତଙ୍କ ଠାରୁ ଆଗରେ। ଭାଗ୍ୟଦେବୀ ତାଙ୍କ ଉପରେ ସବୁ ବେଳେ ସୁଦୟ କରିଥାନ୍ତି। ଆଉ ମୁଁ ବିଚରା ନିରୀହ ପ୍ରାର୍ଥୀ, ମୋ ସାର ଟି ମାରି ଦେଇ ସେମାନେ ଖୁସି ହୁଅନ୍ତି ବହୁତ। ବେସି ଖୁୁସି ହୁଏ ସେ। ସେ ଯେତେବେଳେ ମୋ ସାରକୁ ମାରିବାକୁ ଆସେ ଏମିତି ମାରେ ଯେମିତି ସତରେ ମାରୁଚି। ଆଉ ମୁଁ ମିଛରେ ଡରିବାର ଅଭିନୟ କରେ। ମନେ ମନେ ଅନୁନୟ କରେ। ସେ ଶୁଣେନି, ମାରି ଚାଲିଯାଏ। ଆଉ ମୁଁ ମୁହଁରେ ହାତ ଦେଇ ବସି ପଡେ। ମତେ ଏସବୁ କିନ୍ତୁ ଭାରି ମଜା ଲାଗୁଥାଏ। ମୁଁ କିନ୍ତୁ ଦେଖାଏନି ଉପରେ। 

ଯେତେବେଳେ ଭାଉଜ ମତେ ମାରିବାକୁ ଆସନ୍ତି, ସେ ଜାଣିଶୁଣି ତା ନିଜ ସାର ଆଗକୁ ଦେଇଦିଏ ମାରିବାକୁ। ମତେ ବଞ୍ଚେଇବାକୁ। ତା ସାର ମରିଗଲେ ତା ମନରେ ଗ୍ଲାନି ନଥାଏ। ମୋ ସାର ଉପରେ ଆକ୍ରମଣ ଦେଖି ସେ ବିବ୍ରତ ହୁଏ। ଏଇଟା ତା ପାଖେ ନିହାତି ବିପରିତବୋଧକ। ସେ ମନେ ମନେ କହେ, ତମକୁ ମାରିବାର ଅଧିକାର ଖାଲି ମୋର। ଆଉ କେହି ତମକୁ ଛୁଉଁଁ ,ମୁଁ ସହି ପାରିବନି।


ଖେଳ ଏମିତି ଆଗକୁ ଚାଲେ, ମୁଁ ଖେଳ ସହ ଜୀବନର ସମ୍ପର୍କ ଖୋଜିବାରେ ବ୍ୟସ୍ତ ଥାଏ, ଆଉ ସେ ଦକ୍ଷ ଖେଳାଳି ପରି ଗୋଟି ଚଳେଇ ଚାଲିଥାଏ। ଶେଷରେ ଭାଉଜ ଜିତନ୍ତି, ତାଙ୍କର ସବୁ ସାର ଆଗେ ପାଚିଯାଏ। ତାପରେ ମୋର, ଆଉ ତାପରେ ପାୟଲ ଆଉ ଶେଷରେ ବଂଚିଯାଏ ତାର। ଭାଉଜ ତାକୁ କହନ୍ତି, ବୁଝିଲ ସ୍ୱାମୀଦେବ ଙ୍କୁ ବଞ୍ଚେଇବାକୁ ଯାଇ ତମେ ହାରିଗଲ। ସେ କିନ୍ତୁ ହସୁଥାଏ, ମୁରୁକି ମୁରୁକି। ମୁଁ ଦେଖୁଥାଏ ତାକୁ। ମୋ ଜିତିବାରେ ଖୁସି ହୁଏ ସେ। କାଳ ବୈଶାଖୀର ମେଘରେ ଆଶୁ ଶୀତଳ ହୁଏ ଏ ଧରା। ଠିକ ସେମିତି ଅନୁଭୂତି ହୁଏ ମତେ। ସେମାନେ ଗଲା ପରେ, କବାଟ ଟା ଆଉଜି ମୁଁ ତାକୁ ଭିଡିନିଏ ମୋ ଛାତିରେ। ସେ ବି ମୁହଁ ଗୁଂଜି ଦିଏ। ଦୁଃଖର ନୀଳ ରଙ୍ଗଟା ବଦଳି ଯାଇ, ମାଖି ହେଇଯାଏ ଲୁଡୁ ପାଲିର ଲାଲ ରଙ୍ଗ। ତା ମଥାର ସିନ୍ଦୁର ପରି। 


ସୁଖର ଦିନ ଗୁଡା ଆଙ୍ଗୁଳିରେ ଗଣି ହେଇଯାଏ।ବସନ୍ତର ସବୁଜ ପତ୍ରଟି କାହିଁକି କେଜାଣି କାମଳ ପୀଡିତ ହୋଇ ହଳଦୀ ହେଇ ଯାଏ, କେହି କହିପାରେନି, ।ମୋତେ ଜିତଉ ଜିତଉ କେତେବେଳେ ସେ ହାରିଯାଏ ଜୀବନ ପାଖେ।ସ୍ୱଳ୍ପ ଆୟୁରେ ଅନେକ କିଛି ସ୍ମୃତି ଥୋଇଦେଇ ସେ ଚାଲିଯାଏ, ଆଉ ଅଧା ରହିଯାଏ ଲୁଡୁଖେଳ। ରଞ୍ଜୁ ଭାଉଜ ଆଉ ପାୟଲ ତା ପାଇଁ ଏବେ ବି ଜାଗା ରଖନ୍ତି। 


 ସେ ବାଲକୋନୀରେ ଚେୟାର ଉପରେ ବସି, ଦେଖୁଥାଏ ସେ ଲୁଡୁପାଲିର ଲାଲ ସାର ପରି ସୂର୍ଯ୍ୟଟା ଲୁଚିଯାଏ, ଉଞ୍ଚା ଅଟ୍ଟାଳିକାର ଉହାଡରେ।ଏବେ ମୁଁ ଅଭିମାନ କରେ, ମୁଁହ ଫୁଲାଏ,ତା ଉପରେ। ସେ ମୋତେ ମନେଇଲା ପରି ମୋ କାନ ପାଖେ ଚୁପ କିନା କହେ,ଅଭୁଲା ଅକ୍ଷୟ ସଙ୍ଗୀତରୁ ପଦେ...

    "ପାଲି ଥିବ, ସାର ଥିବ 

ଦିନେ ଖାଲି ହଜି ଯିବ, ଲୁଡୁପାଲି ଗୋଟି,

   କଟି କଟି କଟିରେ ଡବଲ କଟି..."


Rate this content
Log in