Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଆମ୍ବଖଟା
ଆମ୍ବଖଟା
★★★★★

© Sulagna Mohanty

Tragedy Inspirational

3 Minutes   21.1K    7


Content Ranking

ସକାଳୁ ଭାରି ଗରମ ପଡିଛି ଆଜି। ସୀତାମ୍ମାର ବାଇଗଣୀ ଶାଢ଼ୀପିନ୍ଧା ଦେହ ଗୋଟାପଣେ ଓଦା। ମୁଣ୍ଡରେ ଖୋସା। ଦୁଇ ନାକରେ ନଥ। ହାତ କିନ୍ତୁ ଲଙ୍ଗଳା। ସେଇ ଲଙ୍ଗଳା ହାତରେ ଆମ୍ବଖଟାକୁ ଜୋର୍ ଜୋରରେ ଘାଣ୍ଟି ଚାଲିଥିଲା ସୀତାମ୍ମା। କେଜାଣି ଆଜି ପୁଣି ପିଲାମାନେ କଣ କହିବେ ! ଗାଁରେ ତା’ ରୋଷେଇର ଭାରି ନାଁ ଡାକ ଥିଲା। ସେଥିପାଇଁ ସହରକୁ ଆସି ଭାବିଥିଲା ଏଇ ରୋଷେଇ କଳାଟି ହିଁ ତାକୁ ସାହାଯ୍ୟ କରିବ ତା’ ପେଟ ପୋଷିବାପାଇଁ। ଗାଁର ଲେଖାଯୋଖା ଭାଇ ମୁରଲୀ ଆନ୍ନା ବଡ଼ କଷ୍ଟରେ ଏଇ ଛୋଟିଆ ଲେଡିଜ୍ ହଷ୍ଟେଲରେ ତାକୁ ରୋଷେଇୟା କାମରେ ଲଗେଇଦେଲା। ହଷ୍ଟେଲ ତ ନୁହଁ ୟାକୁ କୁଆଡେ ପିଜି କୁହନ୍ତି। କେବଳ ସାତଟି ଝିଅ ରହୁଛନ୍ତି। ସେଇମାନଙ୍କୁ ଖାଇବା ବନେଇକି ଦିଏ ସେ।

କିନ୍ତୁ ସବୁଦିନ ଏଇ ଝିଅଗୁଡାଙ୍କର ଖାଇବାକୁ ନେଇ ଝିକଝିକ୍ ଦେଖି ସୀତାମ୍ମା ବ୍ୟତିବ୍ୟସ୍ତ ହେଇପଡ଼ିଲାଣି। ସବୁଦିନ ଖାଇବାକୁ ନେଇ ଫେରାଦ ତାଙ୍କର। ଯେତେ ଭଲକରି ରାନ୍ଧିଲେ ବି ଆଜି ତାଙ୍କୁ ଡାଲି ଲୁଣିଆ ଲାଗିଲାଣି ତ କାଲି ତରକାରୀ ଅଲଣା। ଯେତେ ମନଦେଇ ରାନ୍ଧିଲେ ବି ଆଜି ଭାତ ଜାଉ ଭଳି ଲାଗିଲାଣି ତ କାଲି ରୁଟି ମୋଟା ଲାଗିଲାଣି। କେବେ ତାଙ୍କୁ ତାଙ୍କ ନିଜ ଘର ଖାଦ୍ୟ ହଷ୍ଟେଲ ମିଲ କହି ଲୁଚେଇକି ଦେଇଦେଲେ ତାକୁ ବି ଖୁଣିଦେବେ ବୋଧେ ସେମାନେ। ରକ୍ଷା ଆଜିଯାଏଁ କିନ୍ତୁ ଘର ମାଲିକକୁ ଫେରାଦ ହେଇନାହାନ୍ତି। ଏମିତି ଆଉ କିଛି ଦିନ ଚାଲିଲେ ହାତରୁ ଚାକିରିଟି ଯିବ ନିଶ୍ଚିତ !

ଆଉ ଚାକିରିଟି ହାତରୁ ଗଲେ କେଉଁ ମୁହଁ ନେଇ ଗାଁକୁ ଫେରିବ ସେ! ପୁଅ ଆଉ ବୋହୁ ତା’ ସାଙ୍ଗେ ଝଗଡା କରି ତାକୁ ଘରୁ କାଢ଼ିଦେଲା ଦିନ ମୁରଲୀ ଆନ୍ନା ଆଉ ତା’ ସ୍ତ୍ରୀ ସାଙ୍ଗେ ଏକମୁହାଁ ହେଇ ସେ ସହରକୁ ଚାଲିଆସିଥିଲା। ଏଠି ସେ ଆତ୍ମସମ୍ମାନର ସହ ବଞ୍ଚିବ ବୋଲି। କହିଥିଲା ବିନା ପୁଅବୋହୂରେ ବି ତା ପେଟ ଭୋକିଲା ରହିବନି। ତା ପେଟ ଭୋକିଲା ରହିବନି କି ସେ ଆଉ କାହାକୁ ବି ଭୋକିଲା ରଖିବନି। କିନ୍ତୁ ପରିସ୍ଥିତି କାଇଁ କେଜାଣି ଦିନକୁ ଦିନ ଖରାପ ହେବାରେ ଲାଗିଛି। ମାତ୍ର ଆଜି ସେ ପୁରା ମନଦେଇ ଆମ୍ବଖଟା ବନଉଛି ଝିଅମାନଙ୍କ ପାଇଁ। ଖଟା ଖାଇ ଗୁଡା ! ଗୁଡ ନଡିଆ କୋରା ପକେଇଛି। ସୋରିଷ, ପାନ ମହୁରୀ, ଭୃସଙ୍ଗପତ୍ର ଦେଇ ଛୁଙ୍କିଛି।

ଏମିତି ଭାବୁଭାବୁ ହଠାତ୍ ସୀତାମ୍ମାର ଭାବନା ଭାଙ୍ଗିଗଲା। ଦେଖିଲା ଖଟାଟା ତଳୁ ଲାଗିଗଲାଣି। ଗନ୍ଧ ହଉଛି। ସେ ଚମକି ପଡିଲା। ଡରି ବି ଗଲା ଟିକିଏ। ତରତର ହେଇ ଖଟାକୁ ପୁଣି ଘାଣ୍ଟିବାରେ ଲାଗିଲା। ହଠାତ୍ କାହାରି ପାଦଶବ୍ଦ ଶୁଭିଲା। ସୀତାମ୍ମା ପଛକୁ ଚାହିଁଲା। ସାତୋଟିଯାକ ଝିଅ ଏକା ସାଙ୍ଗରେ। ସାମ୍ନାରେ ତାଙ୍କ ମୁଖିଆ ଜିନି ବୋଲି ଝିଅଟି। ସୀତାମ୍ମା ପ୍ରମାଦ ଗଣିଲା। ଖଟାର ପୋଡାଗନ୍ଧ ବୋଧେ ତାଙ୍କ ରୁମକୁ ଚାଲିଗଲା। ଆଜି ତାର ଚାକିରିର ଶେଷଦିନ ତା ହେଲେ!!

ହଠାତ୍ ସୀତାମ୍ମାକୁ ଚମକେଇ ଦେଇ ଜିନି ତା’ ଝାଳୁଆ ଦେହକୁ କୁଣ୍ଢେଇ ପକେଇଲା। ତାପରେ ପାଖ ଝିଅଟି ସୀତାମ୍ମା ଚାରିପଟେ ଶାଢ଼ିଟିଏ ଗୁଡେଇଦେଲା ଆଉ ସେମାନେ ସମସ୍ତେ ଏକ ସାଙ୍ଗରେ ପାଟିକଲେ, “ହାପି ମଦର୍ସ ଡେ ସୀତାମ୍ମା।” ସୀତାମ୍ମା ଆଶ୍ଚର୍ଯ୍ୟ ହେଇ ଚାହିଁଥାଏ। ଜିନି ତାକୁ ଚାହିଁ ହସିଦେଇ କହିଲା, “ସୀତାମ୍ମା, ଜାଣିଛ ଆଜି ହେଲା ମା’ମାନଙ୍କର ଦିନ ! ଆମେ ସବୁ ଏଠି ଆମ ମା’ମାନଙ୍କଠୁ ଦୂରରେ ଅଛୁ। ଆଉ ତୁମେ ସବୁଦିନ ଆମକୁ ସକାଳଠୁ ରାତି ଯାଏଁ ମା’ ଭଳି ଖୁଏଇ ଚାଲିଛ। ସେଥିପାଇଁ ଆଜି ଦିନଟି ହେଲା ତୁମର ଦିନ। କାରଣ ତୁମେ ହିଁ ଏଠି ଆମ ମା’।” ତା’ କଥା ସୀତାମ୍ମା ଚକିତ ହେଇ ଶୁଣୁଥାଏ। ତା’ ଆଖିରୁ ଅଜାଣତରେ ଦୁଇଧାର ଲୁହ ବୋହିଗଲା।

ସେତେବେଳେ ପଛପଟୁ ଦୁଷ୍ଟ ଝିଅ ପୁନମ କହିଲା, “କିନ୍ତୁ ସୀତାମ୍ମା ୟା ମାନେ ନୁହେଁ କି ଆମେ ତୁମ ରୋଷେଇକୁ ନେଇ କିଛି କହିବୁନି। ଆମ ଘରେ ଆମ ମା’କୁ ହିଁ ଆମେ ବେଶୀ ହଇରାଣ କରୁ ଖାଇବାକୁ ନେଇ। ସବୁ ଜିନିଷ ଖୁଣି ଥାଉ। ସେଥିପାଇଁ ଏବେ ତୁମକୁ ବେଶୀ ବେଶୀ ଖୁଣିବୁ।” ତା କଥା ଶୁଣି ସମସ୍ତେ ହସି ଉଠିଲେ। ଝିଅମାନେ ରୋଷେଇଘରୁ ଯିବାପାଇଁ ବାହାରିଲେ। ଯାଉ ଯାଉ ପୁନମ ଖଟାଆଡକୁ ନଜର ପକେଇ କହିଉଠିଲା, “ଖଟାଟା ଆଜି ପୋଡିଦେଇଛ ନା ସୀତାମ୍ମା ? ରୁହ ରୁହ। କହୁଛି ମୁଁ ଘରଵାଲା ଅଙ୍କଲଙ୍କୁ”। ସମସ୍ତେ ପୁଣି ହସି ଉଠିଲେ। ସୀତାମ୍ମା ହସିହସି ଆଖିରୁ ଲୁହ ପୋଛିଲା। ତାପରେ ଶାଢ଼ୀଟିକୁ ସାଇତିକି ରଖିଦେଇ ଗ୍ୟାସ୍ ପାଖକୁ ଆସିଲା। ସେଇ ପୋଡା ଆମ୍ବଖଟାକୁ ଦେଖି ତା’ ମୁହଁରେ ପୁଣି ମିଠା ହସଟିଏ ଖେଳିଗଲା। ସେ ତରତର ହେଇ ବାକି ରୋଷେଇ ଶେଷ କରିବାରେ ମନଦେଲା। ତା’ ଭୋକିଲା ଛୁଆଙ୍କ ଖାଇବାବେଳ ଉଛୁର ହେଇଯାଉଥିଲା।

ହଷ୍ଟେଲ ମା’ ହସ

Rate the content


Originality
Flow
Language
Cover design

Comments

Post

Some text some message..