Suryasnatta Das

Inspirational Tragedy


3  

Suryasnatta Das

Inspirational Tragedy


ବୋଉ

ବୋଉ

2 mins 645 2 mins 645

"ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ....

'ବୋଉ' ଶବ୍ଦର ମାଧୁର୍ଯ୍ଯ 'ମମି' ଶବ୍ଦରେ ବା କାହିଁ?ଆଜିର'ମମ୍','ମମି'ଇତ୍ୟାଦିର ବିକୃତ ଉଚ୍ଚାରଣ ଠାରୁ 'ବୋଉ' ଶବ୍ଦର ପବିତ୍ରତା ଶତଗୁଣ ଅଧିକ ମହନୀୟ, ଗ୍ରହଣୀୟ ଓ ସ୍ଫୃହନୀୟ।ବୋଉ ହେଲା ସ୍ନେହ,ପ୍ରେମ,ତ୍ୟାଗ , ମମତାର ମୂର୍ତ୍ତିମନ୍ତ ପ୍ରତୀକ।ଭାବିଲେ ବହୁତ ଆଶ୍ଚର୍ଯ୍ୟଲାଗେ, ଏ ବୋଉମାନେ ରକ୍ତମାଂସଧାରୀ ମାନବୀ ନା ସ୍ବର୍ଗର ଦେବୀ।ବଡି ଭୋର୍ ରୁ ଉଠି ରାତି ଅଧଯାଏଁ ଯନ୍ତ୍ରଭଳି କାମ କରିଚାଲିଥିଲେ ବି,ସେ ଥକିଯାଏ ନାହିଁ ବରଂ ତାର ପଣତକାନିରେ ଆମର ଥକ୍କାପଣ ଦୂରେଇ ନିଏ।ତାର କାହାଣୀ ପେଡିର ଅସରନ୍ତି ଗଳ୍ପ ବର୍ତ୍ତମାନର ଏ ଟିଭି,କମ୍ପୁଟର୍ ର ହିପ୍ନୋଟାଇଜ୍ ଦୁନିଆକୁ ମଧ୍ୟ ମାତ୍ ଦେଇଦେବ।ତାର ସେହି ଗୁଣୁଗୁଣୁ ଗୀତରୁ ଯେଉଁ ତୃପ୍ତି ମିଳେ ତାହା ରେକର୍ଡର୍ ଗୀତରେ କାହିଁ।ତାଙ୍କର ହାତରନ୍ଧା ଖାଦ୍ୟର ଅପୂର୍ବ ସ୍ବାଦ ଫାଇଭଷ୍ଟାର୍ ହୋଟେଲରେ ମଧ୍ୟ ମିଳେନାହିଁ। କୁହାଯାଏ -ଭଗବାନ ସବୁବେଳେ ସବୁସ୍ଥାନରେ ବିଦ୍ୟମାନ ହୋଇପାରିବେ ନାହିଁ ତେଣୁ 'ବୋଉ'କୁ ସୃଷ୍ଟି କଲେ।ଯାହା ପାଖରେ'ବୋଉ'ଅଛି,ସେ ଦୁନିଆର ସବୁଠାରୁ ଲକି ବା ଭାଗ୍ୟବାନ ମଣିଷ।"

ଏତିକି ବକ୍ତବ୍ୟ ରଖି ଅବିନାଶ ବାବୁ ମଞ୍ଚ ଉପରୁ ଉହ୍ଲାଇବା ସମୟରେ, ତାଙ୍କର କୁନିଝିଅ 'ଇଶୁ' ଭାରି ଖୁସି ହୋଇଯାଇଥିଲା।ଶ୍ରୋତାଙ୍କର ଉଛ୍ୱଳିତ ସମ୍ବର୍ଦ୍ଧନା ଓ କରତାଳି ମଧ୍ୟରେ ତାର ଛୋଟଛୋଟ ପାଦଦୁଇଟି ଆନନ୍ଦରେ ନାଚି ଉଠୁଥିଲା।ପୁରା ଭାଷଣଟାକୁ ସ୍ପଷ୍ଟ ଭାବରେ ବୁଝିନପାରିଲେ ବି,ସେ ଏତକ ବୁଝିଯାଇଥିଲା ଯେ-ବୋଉମାନେ ବହୁତ ଭଲ।ସେମାନେ ବହୁତ ଗେହ୍ଲ କରନ୍ତି । ଗପ କହି ଖୁଆଇ ଦିଅନ୍ତ,ଗୀତଗାଇ ଶୋଆଇ ଦିଅନ୍ତି।ଘରର ଯାବତୀୟ କାମ ଖୁସିରେ କରନ୍ତି ।ଯାହା ପାଖରେ ବୋଉ ଥାଏ,ସେ କୁଆଡେ ବହୁତ ଲକି।ହେଲେ ଏ ' ବୋଉ' ପ୍ରକୃତରେ କିଏ,କାହାକୁ ବୋଉ କୁହାଯାଏ?ଏ ଛଅ ବର୍ଷର 'ଇଶୁ' ଠିକ୍ ଭାବରେ ବୁଝିପାରୁନଥାଏ।ତା ଭାବନାରେ ଏଇ 'ବୋଉ' ହୁଏତ କେହି ଗୋଟିଏ ଏଞ୍ଜେଲ୍ ହୋଇଥିବ ନହେଲେ ହୋଇଥିବ କେହିଜଣେ ଗଡେସ୍।

ମଞ୍ଚରୁ ଉହ୍ଲାଉ ଉହ୍ଲାଉ ଅବିନାଶଙ୍କୁ କୁଣ୍ଡାଇ ଧରିଲା ଇଶୁ।ତାଙ୍କ ଗଳାରେ ହାତଛନ୍ଦି ଓହଳି ପଡି ଖୁସିରେ କହିଲା, ଏକ୍ସଲେଣ୍ଟ ସ୍ପିଚ୍ ଥିଲା ତୁମର ଡାଡ୍।ହେଲେ ଏ ବୋଉ ବିଷୟରେ ମୋତେ ତ କେବେବି କହିନ।ପ୍ଲିଜ୍ ଡାଡ୍,ମୋତେ ଗୋଟିଏ ପ୍ରମିଜ୍ କରିବ- ମୋପାଇଁ ଗୋଟେ 'ବୋଉ' ଆଣିଦେବ....ପ୍ଲିଜ୍ । ମୁଁ ଆଉକିଛି ଜିଦି କରିବିନି ପକ୍କା ।ମମିତ ଦିନରାତି ତା'ଫ୍ରେଣ୍ଡସ୍ ମାନଙ୍କ ସହିତ ଫେସ୍ ବୁକ୍,ହ୍ବାଟସ୍ଆପ୍,ମିଟିଙ୍ଗ,କ୍ଲବ୍ ରେ ବିଜି।ତୁମରବିତ ମୋପାଇଁ ସମୟ ନାହିଁ ।ମୋତେ ଗୋଟିଏ ବୋଉ ଆଣିଦେଲେ, ସେ ସବୁବେଳେ ମୋ ସହିତ ରହିବ।ମୋତେ ଗେହ୍ଲ କରିବ।ମୋସହ ଖେଳିବ।ବୋଉ ଆସିଲେ ମୋତେ ଆଉ ଏ ବୋରିଂ ବ୍ରେଡ୍-ନୁଡୁଲ୍ସ୍ ଖାଇବାପାଇଁ ପଡିବନି ।ସେ ମୋ ପାଇଁ ଟେଷ୍ଟି ଓ ହେଲ୍ଦି ଫୁଡ୍ କରିଦେବ।ଜେଜୀମାକୁବି ଆଉ ଏ ବୟସରେ ଘରର ଏତେ କାମ କରିବାକୁ ହେବନି।ବୋଉ ଆସିଲେ ଆମେ ସେ କଳିହୁଡି ବାସନମଜାଆଣ୍ଟିଟାକୁ ବି ଘରୁ କାଢିଦେବା।ସେ ସବୁବେଳେ ମୋତେ ଗାଳିଦିଏ ।ସକାଳେ ସକାଳେ ବିରକ୍ତ କରୁଥିବା ସେ ଏଲାରାମ୍ ଟା ଆଉ ଦେବିନି,ବୋଉ ନା ମୋତେ ଗେହ୍ଲକରି ନିଦରୁ ଉଠେଇଦବ।ମୁଁ ଆଉ ଟେଡିବିୟର୍ କୁ ପାଖରେ ଶୋଏଇବିନି,ବୋଉକୁ ଶୋଏଇବି।ସେ ମୋତେ ସୁନ୍ଦର ସୁନ୍ଦର ଗପକହି,ଗୀତଗାଇ ଶୋଏଇଦେବ।ମୁଁ ସବୁ ମନେରଖିବି ଆଉ ମୋ'ଫ୍ରେଣ୍ଡସ ମାନଙ୍କୁ କହିବି।ସମସ୍ତେ କେତେ ଖୁସିହେବେ...ଆଉ ମୁଁ କେତେ ଲକି ହୋଇଯିବି।

ପ୍ଲିଜ୍ ଡାଡ୍...ପ୍ଲିଜ...ପ୍ରମିଜ୍ କର ...

ଗୋଟେ ବୋଉ ମୋତେ ପ୍ରେଜେଣ୍ଟ କରିବ।ମୋର ଆଉ ଅଲଗା ବାର୍ଥଡେ ଗିଫ୍ଟ ଦରକାର ନାହିଁ...ଏ ବର୍ଷ ଭେକେସନ ରେ ମୋତେ କୁଆଡେ ବି ନ ନିଅ...ମୋ ପାଇଁ ନୂଆ ଟୟେଜ୍ ବି ନ ଆଣ କିନ୍ତୁ ମୋ ପାଇଁ ଗୋଟିଏ ବୋଉ ଆଣିଦିଅ... ପ୍ଲିଜ୍ ଡାଡ୍ ପ୍ଲିଜ୍.....

ଛୋଟଝିଅଟି ଏମିତି କେତେକ'ଣ କହିଚାଲିଥିଲା।ଏତେ ଲୋକଙ୍କ ସାମ୍ନାରେ ଅବିନାଶ ବାବୁ କ'ଣ କହିବେ ନ କହିବେ ଠିକ୍ ନକରିପାରି"ବହୁତ ଗରମ ହେଉଛି,ଚାଲ୍ ବାହାରକୁ ଯାଇ ଟିକେ କୋଲଡଡ୍ରିଙ୍ଗସ୍ ପିଇ ଆସିବା'କହି ଇଶୁର ହାତ ଧରି ବାହାରକୁ ବାହାରିଗଲେ।ଯଦିଓ ସେଦିନର ରିପୋର୍ଟ ଅନୁସାରେ ଟେମ୍ପର୍ଚର୍ ଥିଲା ମାତ୍ର ସାତ ଡିଗ୍ରୀ।

ସୂର୍ୟ୍ୟସ୍ନାତା ଦାସ

ୟୁନିଭର୍ସିଟି ଲ' କଲେଜ,ବାଣୀବିହାର

Suryasnatta@gmail.com


Rate this content
Originality
Flow
Language
Cover Design