Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମଣିଷ ପଣିଆ
ମଣିଷ ପଣିଆ
★★★★★

© Prasanna Kumar Madala

Inspirational Tragedy

3 Minutes   7.8K    16


Content Ranking

ଏ ଅଦିନିଆ ଝଡବର୍ଷା କେଉଁଠି ଥିଲା କେଜାଣି , ଲଗାତାର ଛଅ ଦିନ ହେଲା ଚାଲିଚି । ଏବେ ତ ଆଉ ଶ୍ରାବଣରେ ବି ଏମିତି ହେଉନି , ପ୍ରକୃତି କୁଆଡ଼େ ନିଜ ସନ୍ତୁଳନ ହରାଇ ସାରିଲାଣି ମଣିଷ ଗୁଡାକର ମନଇଚ୍ଛା ଉତ୍ପୀଡନରେ । ଜମିବାଡ଼ି ତ ଟାଙ୍ଗର ହେଲାଣି କେବେଠୁ , ବିଲ ଯାକ ପଡିଆ ପଡିଛି । ଚାଷବାସରେ ଆଗ ଭଳି କୁଟୁମ୍ବ ଚଳେଇବା ଏଡେ ସହଜ ପଡିନି , ପାରିଲା ଲୋକ ପଦାରେ କାମଧାମ ଧରି ଧନ୍ଦି ହେଲେଣି , ଗାଁଟାକୁ ଭିକାରି ବି ଆସିବାର ନାଆଁ ନାଇଁ , କି ପାଇଁ ଆସନ୍ତେ ଯେ ! ଆସିଚି ଯିଏ ଦେଖୁନା କେମିତି ତିଥିବାର ଖୋଜି ସମାନ ସପ୍ତମୀଠୁ ଏଯାବତ ଯିବାର ନାଆଁ ଧରୁନି , ଧୋଇ ନେବ ଯେମିତି ସବୁ କିଛି । ଏ ବେଳକୁ ସମୁଦ୍ର କୁଆଡେ ଫୁଲିଯାଏ ବୋଲି ପାଣି ତୁଟେନି । ଘଡି ଘଡିକେ ଖରାପ ଖବର ଶୁଣିବାକୁ ମିଳୁଛି । ହେ ଭଗବାନ , ତମେ ହିଁ ସାହା ଭରସା ।

ସଦାନନ୍ଦ ମଉସା କହନ୍ତି ବତିଶ ବର୍ଷ ତଳେ ଏମିତିକା ବର୍ଷା କାଳେ ହେଇଥିଲା , ଛେଳି ମେଣ୍ଢା ଗାଈଗୋରୁ ସହ ବହୁ ସଂଖ୍ୟାରେ ମଣିଷ ବି ଭାସି ଯାଇଥିଲେ ତାଙ୍କ ଗାଆଁ ବାଉଁଶପଲ୍ଲୀର । କୋଉ କାଳେ ବାଉଁଶ ଝାଡିରେ ଭରପୂର ଥିଲା ସିନା ଏବେ ତ ଅମରି ଝାଡି ବି ବିରଳ । ବିପତ୍ତିରେ ପଡି ଯିଏ ଯେମିତି ପାରିଲା ଜୀବନ ବଞ୍ଚେଇ ଥିଲେ । ଧାନ ଫସଲ ପଚି ଯାଇଥିଲା , ବନ୍ୟା ପରେ ନିଜ ନିଜର ଘରବାଡି ଚିହ୍ନଟ କରିବା କଷ୍ଟକର ହୋଇଥିଲା। କାହିଁକି ନା , ଅଳ୍ପ କେତେକ ପକ୍କା ଘର ଛାଡିଲେ ଅଧିକାଂଶ ମାଟିଚାଳର ଘର ନିଶ୍ଚିହ୍ନ ହୋଇ ସାରିଥିଲା।

ଘରେ ସାଇତା ଖାଦ୍ୟ ସାମଗ୍ରୀ ବି ଶେଷ ହେଲାଣି, ଗଡିଆ ପୋଖରୀରେ ପାଣି ଉଛୁଳୁଛି । ସରୀସୃପମାନେ ଘରକୁ ପଶି ଆସୁଥାନ୍ତି । ହେଲେ ଗାଆଁ ଲୋକଙ୍କ ଭିତରେ ସଦ୍ଭାବନା ଥିବାରୁ ପରସ୍ପର ସାହା ଭରସା ହୋଇ ନଈବଢିକୁ ସାମ୍ନା କରି ଚାଲିଥାନ୍ତି । ସେହି ଗାଆଁର ଫଟାକପାଳୀ ଝିଅ ହେମ , ନଅବର୍ଷ ତଳେ ହାତ ଧରିଥିଲା ନୂଆସାହିର ବିପ୍ରର । ଝଗଡା କରି ଏବେ ବାପଘରେ ରହୁଛି , ଅସଲକଥାଟି ହେଲା ବିପ୍ର ଘୋଡାମଦୁଆ । ପିଲାପିଲି ହେଲେନି ଯେ ଦିନେ ହେଲେ କେଉଁ ଡାକ୍ତରଙ୍କୁ ଦେଖେଇନି । ସବୁବେଳେ କଳିକଜିଆ ଯୋଗୁଁ ଶେଷକୁ ବାଧ୍ୟ ହୋଇ ଆସି ଯାଇଛି । ଏଇ ମଉସା ଘର ବିଲବାଡିରେ କାମଧାମ କରି ବାପଛେଉଣ୍ଡ ଦି ଭାଇଙ୍କୁ ବାହାଚୁଡା କରି ସାରିଲାଣି । ଲଗାତାର ବର୍ଷା ଯୋଗୁଁ ଅନେକଙ୍କ ଘରେ ଦି ଦିନରୁ ଚୂଲି ଜଳିନି । ଏବେ ଡକାଡକି ହୋଇ କାନ୍ଦବୋବାଳି ଛାଡି ଲୋକେ ପାହାଡ଼ ତଳି ଉଚ୍ଚ ସ୍ଥାନକୁ ମୁହେଁଇଲେଣି । ବୁଢାମାନେ ଠେଙ୍ଗା ଧରି ବୁକେ ପାଣିରେ ବାଟ କଢେଇ ନେଉଛନ୍ତି , ବେଳ ଥାଉ ଥାଉ ଯାହିତାହି ଆଶ୍ରୟ ତିଆରି କରିବାକୁ ହେବ । ସମସ୍ତେ ହାଣ୍ଡି ଡେକ୍ଚି , ଖାଇବା ଜିନିଷ ଆଉ ଛୁଆପିଲାଙ୍କୁ ଧରି ବାହାରିଲେଣି । ହେମ ବି ଭାଇଭାଉଜ ଓ ତାଙ୍କ ପିଲାଙ୍କୁ ଧରି , ଗୋଟେ ଝୁଡିରେ ଜିନିଷପତ୍ର ସହ ପାଣି ମାପି ମାପି ଆଗେଇଲା , ହେଲେ ଅଥୟ ମନରେ କେଜାଣି କଣ ଭାବୁଥିଲା ଏପଟ ସେପଟ ଅନେଇ ଅନେଇ । କିଛି ବାଟ ଆଗରେ ବିପ୍ରର ଘରଲୋକେ ବି ଯାଉଥିବାର ଦେଖିଲା , ହେଲେ ଛାତି ତାର ଧଡଧଡ ହେଉଥାଏ । କେତେ କଣ ଅଶୁଭ ଚିନ୍ତା ତାକୁ ଖାଇ ଗୋଡାଉଥାଏ , ବିପ୍ର କାହିଁ ? ଏଯାଏଁ ତ ଦିଶୁନି , ତାକୁ ଛାଡି କଣ ଏମାନେ ଆସିଗଲେ ? ବିଚରା ଚାଲବୁଲ କରି ପାରୁନି , ଶେଯଟାରେ ପଡି ହଗି ମୁତି ଘାଣ୍ଟି ହେଉଛି ବୋଲି ତାଙ୍କ ସାହିର ଭଗିବୋଉ କହୁଥିଲା ।

ଭାବୁ ଭାବୁ ତା' ପାଦ ଅଟକି ଯାଇଥିଲା , ତାକୁ ହଲେଇ ଦେଇ ବଡବୋହୂ କହୁଥିଲା - ଏ ନାନୀ , ଛିଡା ହୋଇ ରହିଲ ଯେ ,ଆଗକୁ ଚାଲ । ହେମ ଆଉ ସମ୍ଭାଳି ନପାରି ହଠାତ୍ ମୁଣ୍ଡର ଝୁଡିଟାକୁ ବଡବୋହୂକୁ ଧରାଇ ପଛକୁ ବୁଲି ନୂଆସାହି ଆଡେ ମୁହାଁଇଲା । ପଛରୁ ସଭିଏଁ ପାଟି କରୁଥାନ୍ତି - କଣ ହେଲା, କୁଆଡେ ଯାଉଛ ? ସାଥିରେ ଯାଉଥିବା ସଦାନନ୍ଦ ମଉସା ଠିକ୍ ଅନୁମାନ କରି ନେଇଥିଲେ ଆଉ ସିଏ ବି ହେମ ପଛେ ପଛେ ଫେରିବାକୁ ଲାଗିଲେ । ହେମ ଏକମୁହାଁ ହୋଇ ନିଜ ସ୍ବାମୀ ଘର ପାଖରେ ପହଞ୍ଚି ଚିହ୍ନିବାକୁ ଚେଷ୍ଟା କଲା , ଅନୁମାନ କରି ନଅବର୍ଷ ତଳେ ନିଜେ ସଜାଡି ଥିବା ଘର ଦୁଆର ପେଲି ଭିତରକୁ ପଶିଗଲା ।

ସତକୁ ସତ ଘରର ଉପର ଭାଡିରେ ବିପ୍ରକୁ ଶୁଆଇ ଦେଇ ତା ଘରଲୋକେ ଛାଡି ଯାଇଥିଲେ । ଚାଲବୁଲ କରି ନ ପାରୁଥିଲେ ବି ବିପ୍ର କ୍ଷୀଣ ସ୍ବରରେ କିଏ ବୋଲି ପଚାରନ୍ତେ ଆଉ ସହି ନପାରି ଭୋ ଭୋ କାନ୍ଦିବାକୁ ଲାଗିଲା ହେମ । ମୁଁ ହେମ ବୋଲି କହୁକହୁ ଆଉ ବିଳମ୍ବ ନକରି କୌଣସି ଉପାୟରେ ବିପ୍ରକୁ ଘୋଷାରି ଆଣିଲା ତଳକୁ । ନିଜର ମଣିଷକୁ କାନ୍ଧରେ ପକାଇ ପଦାକୁ ବାହାରିଛି କି ନାଇଁ ଲଥ୍ କିନା ଭୁଷୁଡ଼ି ପଡିଲା ପୂର୍ବ ପଟ କାନ୍ଥଟା ।

ସଦା ମଉସାଙ୍କ ଆଖି ଜକେଇ ଆସିଲା , ହେମର ମଣିଷ ପଣିଆ ଦେଖି । ଦୁହେଁ ଯେନ ତେନ ପ୍ରକାରେ ବିପ୍ରକୁ ଉଠାଇ ଫେରିଥିଲେ ।

ପ୍ରସନ୍ନ କୁମାର ମାଦଳା

ଝଡବର୍ଷା ହେମ ବିପ୍ର

Rate the content


Originality
Flow
Language
Cover design

Comments

Post

Some text some message..