ରାଜନୀତି
ରାଜନୀତି
ନଟବାବୁଙ୍କର ନିଶରେ ଘିଅ। ପନ୍ଦର ବର୍ଷ ହେଲା ଏ ପଞ୍ଚାୟତରେ ତାଙ୍କ ରାଜୁତି। କଳେ ବଳେ କୌଶଳେ ତାଙ୍କ ପ୍ରତିଯୋଗୀଙ୍କୁ ହରାଇ ପ୍ରତିଥର ସରପଞ୍ଚ ପଦବୀ ସହ ନିଜ ସମ୍ମାନ ଓ ଗୌରବକୁ ସେ ଅକ୍ଷୁର୍ଣ୍ଣ ରଖି ଆସିଛନ୍ତି ଦୀର୍ଘ ବର୍ଷ ଧରି। ସରପଞ୍ଚ ପଦବୀଟା ସତେ କି ତାଙ୍କ କୌଳିକ ବୃତ୍ତି। ଆଗକୁ ନିର୍ବାଚନ। ନିଜ ଇଲାକାରେ ତାଙ୍କର କାଟ୍ ତି ଯାହା ଏଥର ବି ସରପଞ୍ଚ ହେବାରେ କେହି ତାଙ୍କୁ ଅଟକାଇ ପାରିବ ନାହିଁ। ପନ୍ଦର ବର୍ଷ ଭିତରେ ଇଲାକାର ଯାହା ଉନ୍ନତି ହେଉ ନ ହେଉ, ସେ କିନ୍ତୁ ଗାଁ ମଝିରେ ତୋଳିଛନ୍ତି ରାଜଉଆସ ପରି ଦୁଇ ମହଲା କୋଠା, ସହରରେ କିଣିଛନ୍ତି ତିନି ବେଡ୍ ରୁମ୍ ବିଶିଷ୍ଟ ପ୍ଳାଟ୍। ଗାଁକୁ ଲାଗି ଅଧିକାଂଶ ଚାଷଜମିର ମାଲିକାନା ସତ୍ତ୍ୱ ନଟବାବୁଙ୍କର। ଗାଁ ଲୋକ ଓ ତାଙ୍କ ଭିତରେ ଧନସମ୍ପତ୍ତିଗତ ପ୍ରଭେଦ ଦ୍ରୁତ ଗତିରେ ବଢ଼ି ଚାଲିଛି। ଗାଁର ଗରିବ ଗୁରୁବାଙ୍କ ନିକଟରେ ସେ ପରା ସ୍ୱୟଂ କୁବେର। ଗାଁ ଲୋକଙ୍କୁ ସାହାଯ୍ୟ କରିବାରେ ସେ କେବେ କାର୍ପଣ୍ୟ କରନ୍ତିନି। ଇଲାକାର ସବୁ ଦୁଃସ୍ଥମାନଙ୍କୁ ସେମାନଙ୍କ ବଦଭ୍ୟାସରେ, ରୋଗବ୍ୟାଧୀରେ ଟଙ୍କାର ଇନ୍ଧନ ଯୋଗାଇ ଆହୁରି ଦୁଃସ୍ଥ କରି ତାଙ୍କ ଜାଗା ଜମି ସବୁ ନିଜ ନାଁରେ ପଟ୍ଟା କରିବାରେ ଖୁବ୍ ଓସ୍ତାଦ ନଟବାବୁ। ଆଉ ରାଜନୀତି ତାଙ୍କ ବାଁ ହାତର କାଣି ଆଙ୍ଗୁଠିର ଖେଳ। ରାଜନୀତିରେ ତାଙ୍କ ପାରିବା ପଣିଆକୁ ସ୍ୱୟଂ କୌଟିଲ୍ୟ ବି ହାର ମାନିବେ। ସବୁଥର ପରି ଏଥର ବି ମୁହଁ ଟାଣ କରି ଅଛନ୍ତି ନଟବାବୁ। ତାଙ୍କ ବିରୁଦ୍ଧରେ ଛିଡ଼ା ହେଇଛି କାଲିକା ପିଲା ରଘୁ। ଛେଃ... ତାଙ୍କ ଓଳି ତଳେ ବଢ଼ି ପାଠ ଦି ଅକ୍ଷର କଣ ପଢ଼ିଦେଲା ବୋଲି ଆଜି ତାଙ୍କୁ ଟକ୍କର ଦେବାକୁ ଅଣ୍ଟା ଭିଡ଼ି ବାହାରିଛି। କୁଆଡ଼େ ରାଜନୀତି ସମ୍ମାନରେ ବି.ଏ. ପାଶ୍ କରିଛି। ପୋଥି ବାଇଗଣ ଓ ବାଡ଼ି ବାଇଗଣ କେବେ ଏକା ହେଲେଣି ନା ହେବେ। ଇଏ ପୁଣି ନେତା ହେବ। ଭକୁଆ ବୁଝି ପାରୁନାହିଁ ଯେ ଏ ଦେଶରେ ରାଜନୀତି କେବେଠାରୁ ଅଣନିଶ୍ୱାସୀ ହୋଇ ସ୍ୱାର୍ଥୀ ଭୋଟର ଓ ଦଲାଲୀ ନେତାମାନଙ୍କ ପିଚା ତଳେ ପଡ଼ି ଧକେଇ ହେଉଛି। ଏବେ ଯାହା ସବୁ ଚାଲିଛି, ଖାଲି ବେପାର। ଏ ହାତରେ ଟଙ୍କା ଦିଅ, ସେ ହାତରେ ଭୋଅଟ ନିଅ। ଶଃ... ରାଜନୀତି ସମ୍ମାନ! ଅର୍ଥନୀତି ପଢ଼ିଲେ ସିନା କଣ ଟିକେ ବେପାରବଟା ବୁଝନ୍ତା! ନଟବାବୁ ନିଶ ଫୁଲେଇ ଆଖପାଖ ଗାଁ ଯାକ ବୁଲି ଆସୁଛନ୍ତି ପ୍ରତି ଦିନ ସନ୍ଧ୍ୟାରେ ନିଜର କିଛି ଚାଟୁକାରଙ୍କ ସାଙ୍ଗରେ। ଚିରାଚରିତ ବଡ଼ଲୋକୀ ଢଙ୍ଗରେ ପଚାରି ଦେଉଛନ୍ତି ସମସ୍ତଙ୍କ ହାନିଲାଭ। ହାତଖୋଲା ଖର୍ଚ୍ଚ କରୁଛନ୍ତି ସଞ୍ଚିତ ପଇସାରୁ କିଛି କିଛି। ସେ ଜାଣିଛନ୍ତି ଏଇଟା ତାଙ୍କର ଖର୍ଚ୍ଚ ନୁହେଁ ନିବେଶ ପୁଞ୍ଜି। କଡ଼ା ଗଣ୍ଡା ଆଦାୟ କରିବା ପାଇଁ ପରା ପାଞ୍ଚବର୍ଷ ମିଳିଯିବ! ଭୋଅଟ ହେବାକୁ ମଝିରେ ଆଉ ଗୋଟିଏ ଦିନ ବାକି। ନଟବାବୁ ପୁରା ନିଶ୍ଚିତ ତାଙ୍କର ଜିତିବା ଶହେରୁ ଶହେ ପ୍ରତିଶତ ପକ୍କା। କାରଣ ରଘୁ ତ ଟଙ୍କାଟେ ଖର୍ଚ୍ଚ କରୁନାହିଁ କି ପ୍ରଚାରରେ ଗାଁ ଗାଁ ବୁଲୁନାହିଁ। ଗଲା, ବିଚରା ଅମାନତ ଟିକକ ମଧ୍ୟ ହରାଇବ।
ସନ୍ଧ୍ୟା ଗଡ଼ିଛି କି ନାହିଁ, ଜଣେ କିଏ ନଟବାବୁଙ୍କ ପିଣ୍ଡା ତଳେ ଆସି ଓଳଗି ହେଲା। ଟଳମଟଳ ପାଦ। ପାଟି ଠିକ୍ ଫିଟୁନାହିଁ। ଅବୁଝା ଅବୁଝା ଶବ୍ଦରେ ଯାହା କହିଲା, ନଟବାବୁ ବାରିଲେ କଣ ଗୋଟିଏ କଥା ପାଇଁ ସେ ନଟବାବୁଙ୍କୁ ଧନ୍ୟବାଦ ଜଣାଉଛି। ନଟବାବୁ ହସିଦେଇ ହାତ ଯୋଡ଼ି ଦେଲେ। ପରେ ପରେ ଆଉ ଜଣେ ଦୁଇ ଜଣ ଆସିଲେ। ସେଇ ଏକା କୃତଜ୍ଞତାର ସ୍ୱର। ନଟବାବୁ ବୁଝି ପାରିଲେ ନାହିଁ ସେ ସେମାନଙ୍କ ପାଇଁ କଣ ଏମିତି ସୁବିଧାଟେ ଖଞ୍ଜିଦେଲେ ଯେ ଜଣ ପରେ ଜଣେ ଆସି କୃତଜ୍ଞତା ଜ୍ଞାପନ କରୁଛନ୍ତି। ଏଥର ଏକାଥରେ ଦଶ ଜଣ। ନଟବାବୁ କଥାର ମୂଳ ଖୋଜିବା ପାଇଁ ତାଙ୍କର ଜଣେ ଚେଲାଙ୍କୁ ପଠାଇଲେ। ସେ ବୁଝି ଆସି ଯାହା କହିଲା, ତାର ଅର୍ଥ ହେଉଛି, ନଟବାବୁଙ୍କ ଘର ତଳକୁ ଗାଁର ଗୋଟିଏ ମୁଣ୍ଡରେ କିଏ ଜଣେ ଖୁସି ମନରେ ଗାଁ ବାଲାଙ୍କୁ ଯେତେ ଇଚ୍ଛା ସେତେ ମଦ୍ୟପାନ କରାଉଛି। ପଚାରିଲେ କହୁଛି, ଏ ବ୍ୟବସ୍ଥା ନଟବାବୁଙ୍କ ତରଫରୁ ତାଙ୍କୁ ଭୋଅଟ ଦେଇ ଜିତାଇବା ପାଇଁ। ନଟବାବୁ ଶୁଣି ଆଶ୍ଚର୍ଯ୍ୟ ହେଲେ। ସେ ତ ସେମିତି କିଛି ବ୍ୟବସ୍ଥା କରିନାହାନ୍ତି। ଚେଲା କହିଲା, ମୁଁ ଯାଇ ତାହେଲେ ବନ୍ଦ କରିଦେବିକି ହଜୁର୍। ନଟବାବୁ କଣ ଟିକିଏ ଚିନ୍ତା କରି କହିଲେ, ଯାହାର ହେଉଛି ହେଉ, ଆମର କି ନଗଲା। ଆମ ନାଁରେ ବାଣ୍ଟୁଛି ତ ବାଣ୍ଟୁ। ଟଙ୍କା ତାର, ଜିତା ପଟ ଆମର। ବିନା ଖର୍ଚ୍ଚରେ ସମସ୍ତଙ୍କ ଧନ୍ୟବାଦ, କୃତଜ୍ଞତାରେ ନଟବାବୁଙ୍କ ଛାତି ଫୁଲି ଉଠୁଥାଏ।
ରାତି ଧିରେ ଧିରେ ବଢୁଥାଏ, ହେଲେ ଲୋକ ଗହଳି କମୁନଥାଏ। ନଟବାବୁ ଖାଇ ପିଇ କବାଟ ଦେଲା ପରେ ବି ଲୋକ କବାଟରେ ହାତ ମାରି ତାଙ୍କୁ ଉଠାଇ ଧନ୍ୟବାଦ ଦେଇ ଫେରୁଥାନ୍ତି। ଧିରେ ଧିରେ ନଟବାବୁଙ୍କ ଖୁସି ସବୁ ବିରକ୍ତିରେ ପରିଣତ ହେବାକୁ ଲାଗିଲା। ରାତି ଯେତିକି ବଢ଼ୁଥିଲା, ଜନସମାଗମ ଥରକୁ ଥର କମିବା ପରିବର୍ତ୍ତେ ବଢ଼ୁଥିଲା, ତା ସହିତ ବଢ଼ୁଥିଲା କବାଟରେ କରାଘାତ କରୁଥିବା କର ସଂଖ୍ୟା। ଶୋଇପାରିଲେ ନାହିଁ ନଟବାବୁ। ତାଙ୍କ ଘର ପାଖରେ ଗହଳ ଚହଳ ତାଙ୍କୁ ଅସହ୍ୟ ହେଉଥିଲା। ତାଙ୍କ ଧୈର୍ଯ୍ୟର ବନ୍ଧ ଧିରେ ଧିରେ ଭାଙ୍ଗି ଆସୁଥିଲା। ଶେଷରେ ଅତିଶୟ କ୍ରୋଧ ଓ ବିରକ୍ତିରେ ହିତାହିତ ଜ୍ଞାନ ହରାଇ ସେ ଠେଙ୍ଗାଟିଏ ଉଁଚାଇ ଗୋଡ଼େଇଲେ ଲୋକମାନଙ୍କୁ। ଶଳେ, ମଦୁଆ, ମାହାଳିଆଖିଆ, କାଙ୍ଗାଳିଆ। ଖଲି ପଡ଼ିଲା କି ନାହିଁ ଲେଙ୍ଗୁଟି ମାରି ଜିଭ ଲହ ଲହ କରି ହାଜର। ଖାଲିତ ଅନେଇ ରହିଥିବେ କୋଉଠି କିଏ ମାହାଳିଆ ଦଉଛି ଝାମ୍ପି ନେବାକୁ। କୋଢ଼ିଆ ଶଳେ, ରାତି ଅଧରେ ବି ବାସନା ଶୁଙ୍ଘି ଶୁଙ୍ଘି ପାହାଡ଼ରୁ ଭାଲୁ ଗଡ଼ିଲା ପରି ଗଡ଼ୁଛ। ଯାଉଛନା, ପିଠିରେ ନୋଳା ଫଟେଇବି। ନଟବାବୁ ଠେଙ୍ଗାରେ ପିଟିଦେଲେ ଦି ଚାରି ପାହାର କାହା କାହା ପିଠିରେ। ଧସ୍ତା ଧସ୍ତିରେ ପଡ଼ି ଉଠି ଟଳ ମଳ ପାଦରେ ଖଣ୍ଡିଆ ଖାବରା ହେଇ କିଏ କୁଆଡ଼େ ଦୌଡ଼ିଲେ ଗାଁ ଲୋକ। ନଟବାବୁଙ୍କର ମନ ସେତିକିରେ ଶାନ୍ତ ହେଲା ନାହିଁ। ସେ ମଦ୍ୟର ଉତ୍ସ ଖୋଜି, ପହଞ୍ଚି ସବୁ ମଦ୍ୟପାତ୍ର, ହାଣ୍ଡି, ଡେକ୍ ଚି ବୋତଲ ଭାଙ୍ଗି ଏକାକାର କରିଦେଲେ।
ଭୋଅଟ ଗଣତିରୁ ଜଣା ପଡ଼ିଲା, ଦୀର୍ଘ ପନ୍ଦର ବର୍ଷର ସଞ୍ଚିତ ନଟବାବୁଙ୍କ ସମ୍ମାନ, ପ୍ରତିପତି ମାଟିରେ ମିଶି ଧୂଳିସାତ୍ ହୋଇଯାଇଛି। ପଞ୍ଚାୟତର ମଦ ବିରୋଧି ଭଦ୍ର ଲୋକମାନେ ନଟବାବୁଙ୍କ ମଦ୍ୟବଣ୍ଟନରେ ଖପ୍ପା ହୋଇ ତାଙ୍କ ବିରୁଦ୍ଧରେ ଭୋଅଟ ଦେଇଛନ୍ତି ଆଉ ମଦୁଆମାନେ ତାଙ୍କ ଆକ୍ରମଣର ପ୍ରତିଶୋଧ ନେଇଛନ୍ତି। ଏବେ ରଘୁ ସେ ଇଲାକାର ନୂଆ ସରପଞ୍ଚ।
ଟି.ଦୁର୍ଗା ପ୍ରସାଦ ରାଓ