Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debasish Samantaray

Romance

3  

Debasish Samantaray

Romance

ବୟସ୍କା ପ୍ରେମିକା ଓ କେବେ ଦେଖା ହୋଇ ନଥିବା ସ୍ତ୍ରୀ

ବୟସ୍କା ପ୍ରେମିକା ଓ କେବେ ଦେଖା ହୋଇ ନଥିବା ସ୍ତ୍ରୀ

10 mins
7.5K


ବୟସ୍କା ପ୍ରେମିକା ଓ କେବେ ଦେଖା ହୋଇ ନଥିବା ସ୍ତ୍ରୀ

ଦେବାଶିଷ ସାମନ୍ତରାୟ

।।  ଏକ  ।।

ସେ ମୋତେ ସେଇକଥା ପଚାରିଲା, ଯାହା ସେ ପଚାରିବ ବୋଲି, ତା ସହ ଦେଖାହେବା ଆଗରୁ ମୁଁ ଆଶା କରିଥିଲି ।

: ବୟସ୍କା ନାରୀମାନଙ୍କ ସହ ତୋର ଏତେ ପଟେ କେମିତି ?

ଏ ପ୍ରଶ୍ନ ମୁଁ ଶୁଣେ, ଯୋଉମାନଙ୍କ ସହ ମୁଁ ଅନ୍ତରଙ୍ଗ ହୁଏ, ଏପରିକି ଅଧିକ ମିଳାମିଶା କରୁଥିବା ବୟସ୍କା ନାରୀ ଜଣଙ୍କଠୁଁ ବି ।

ମୋତେ ନିଜକୁ ବି ଦେଖିବାକୁ ପଡ଼େ : ସତରେ କ’ଣ ମୁଁ କେବଳ ମୋ’ଠାରୁ ବୟସରେ ବଡ଼ ନାରୀମାନଙ୍କ ସହ ମିଶୁଛି ? ହୁଏତ ହଁ, କିଛିମାତ୍ରାରେ । ମୁଁ କିନ୍ତୁ ମୋ’ଠୁ କମ୍ ବୟସର ଶାଶ୍ୱତୀକୁ କ’ଣ କମ୍ ସ୍ୱପ୍ନ ଦେଖିଛି ! ମୁଁ ଚାହେଁନା ସେ ସଦାବେଳେ ସ୍ୱପ୍ନରେ ଆସୁ । ଯିଏ ସ୍ୱପ୍ନରେ ଆସେ, ମୋତେ ଲାଗେ ମୋର ତା ପ୍ରତି ବୋଧହୁଏ ଦୁର୍ବଳତା ଅଧିକ । ଅବଚେତନ ମନ ସହ ସ୍ୱପ୍ନର ପ୍ରତ୍ୟକ୍ଷ ସମ୍ପର୍କ ଓ ତା’ର ପ୍ରତିଫଳନ ସ୍ୱପ୍ନ ବୋଲି ମୋର ଗୋଟେ ଧାରଣା ।

ସେ ମୋତେ ଏପରି ସନ୍ଦେହ କରିବାର ପଛରେ କିଛି କାରଣ ତା ପାଖରେ ଥିବ, ମୁଁ ଭାବିପାରୁ ନଥିଲି । ତଥାପି ତା’ର ଅକସ୍ମାତ୍ ଏ ପ୍ରଶ୍ନରେ ସାମାନ୍ୟ ବିଚଳିତ ମୁଁ ।

ମୋତେ ସମସ୍ତେ ଭଲ ଭାବନ୍ତୁ; ଏଥିପାଇଁ ମୁଁ ସର୍ବଦା ସତର୍କ ଓ ତତ୍ପର । ମୋର ଗୋଟେ ଲେଖକ ମହଲରେ ଭଲ ଇମେଜ୍ ରହୁ : କିଏ କହନ୍ତୁନି ମୁଁ ଜଣେ ଓମେନାଇଜର୍, ଭାବନ୍ତୁନି ମୋର ପ୍ରଚାର, ପୁରସ୍କାର ଓ ପ୍ରକାଶନର ମୋହ ପ୍ରବଳ, ଜାଣନ୍ତୁନି ମୁଁ କାହା ପାଇଁ କ’ଣ କରେଇଦେବି କହି, କିଛି ଧନ ଆତ୍ମସାତ୍ କରିଛି କି ଅନ୍ୟ କିଛି ଫେଭର୍ ନେଇଛି ।

ଜଣେ ବୟସ୍କ ଲେଖକ ମୋତେ କହିଲେ : ତୁ ମଦ ପିଉନୁ, ଅତର ମାରୁନୁ, ତୁ କି ଆକାଶରେ ଭାସିବୁ ନା ଗପ ଲେଖିବୁ ?

ସେତେବେଳେ କିଛି ସମୟ ପାଇଁ ମୋତେ ଲାଗିଲା ସବୁ ସାହିତ୍ୟିକ ମଦୁଆ ଆଉ ରସିକିଆ । ମୁଁ ହେଲେ ହୋଇଯାଆନ୍ତି ! କାରଣ ମୋତେ ଗପ ଲେଖିବାର ଅଛି ।

ଶାଶ୍ୱତୀକୁ କହିଲି : କାଲିଠୁ ମଦ ପିଇବି ।

“କାହିଁକି?” ସେ ପଚାରିଲା ।

ତୋ’ଠୁଁ ଦୂରରେ ରହିବା ଆଉ ସହିହେଉନି ।

ସେ କହିଲା : ମଦୁଆମାନେ କ’ଣ ପ୍ରେମିକ ହୋଇପାରନ୍ତି ?

ମୋର ସବୁ ହିସାବ ଗୋଳମାଳ ହେବା ଆରମ୍ଭ ହେଲା ! ଗପ ନା ପ୍ରେମ ? ପ୍ରେମ ନା ଗପ ? ଗପ ଗପ ଗପ, ପ୍ରେମ ପ୍ରେମ ପ୍ରେମ । ମୁଁ କ’ଣ କରିବି ସ୍ଥିର କରିପାରୁ ନଥିଲି ।

ମୋର ଦୁଇଟିଯାକ ହେବା ଦରକାର ।

: ଗପ ବି ।

: ପ୍ରେମ ବି ।

।।  ଦୁଇ  ।।

ଡି.କେ. କଥା ଦେଇଥିଲା- ରାନୁକୁ ବାହାହେବ । ରାନୁ ଖୁସି ଥିଲା : ସେ ସରକାରୀ ଚାକିରିଆଟିଏକୁ ମୋଫତରେ ବାହାହେବ । ଡି.କେ. ମଦ ବି ପିଏନି । ଅମୁଲ୍ କୁଲ୍ ପିଏ । ଡି.କେ. ଚା ପିଏନି । ପ୍ରିପ୍ରୋବାୟୋଟିକ୍ ର ଜରୁରତ୍ ଦେହ ପାଇଁ ଅଛି ଭାବି ଦହିପାଣି ପିଏ ।

ରାନୁର ମାଆ ବି ଖୁସି ହେଲା ଏ କଥାରେ- ଡି.କେ. ଭଳି ଭଲପିଲା ଭାଗ୍ୟରେ ଥିଲେ ଜ୍ୱାଇଁ ରୂପରେ ମିଳେ । ନଚେତ୍ ରାନୁ ପରି ଖରଖରୀ ଝିଅଟିଏକୁ ଶିକ୍ଷା ସହାୟକଟିଏ ବି ମିଳି ନଥାନ୍ତା । ଡି.କେ.ର ସହଜେ ତ ରେଲୱେରେ ଚାକିରି । ମାଗଣାରେ ସାରା ଭାରତ ବୁଲିବ ।

ସବୁଦିନ ସନ୍ଧ୍ୟାବେଳେ ଡି.କେ. ରାନୁ ଘରକୁ ଆସିବ । ପ୍ରଥମେ ପ୍ରଥମେ ଏସବୁ କିଛି ଘଟିବା ଆଗରୁ ରାନୁ ପଚାରୁଥିଲା : କୁଆଡ଼େ ଆସିଲ ଡି.କେ. ଭାଇ ?

ଡି.କେ.ର ବି ଘଷାପିଟା ଉତ୍ତର : ଏଇଆଡ଼କୁ ଆସିଥିଲି ତ, ମାଉସୀଙ୍କୁ ଦେଖିକି ଯିବି ବୋଲି ଚାଲିଆସିଲି ।

ରାନୁ ହସେ । ପୁଅପିଲାଗୁଡ଼ା ଭାରି ବେହିଆ । କାମ ହାସଲ ନକଲାଯାଏ ଲାଗିଥିବେ ।

ଡି.କେ. କେତେବେଳେ ଚକୋଲେଟ୍ ଆଣିଥିବ ତ କେତେବେଳେ ଛୋଟ ନଭେଲ୍ ବହି । ସେ ଏବେ ବି ଭାବେ, ବିଭୂତି ପଟ୍ଟନାୟକଙ୍କ ନଭେଲ୍ ପଢ଼ିଲେ ପ୍ରେମ କରିବାକୁ ଆପେ ମନ ହେବ । ରାନୁଠୁଁ ମୁଁ ଦୁଇଟା ବହି ଆଣି ପଢ଼ି ଫେରେଇଦେଇଛି । ରାନୁ ମୋ ସହ ହସିକି କଥା ହୁଏ । କଥା ହେଲାବେଳେ ତା ହାତକୁ ଆଣି ମୋ ଦେହରେ ପିଟିଦିଏ । ମୋତେ ଭଲ ଲାଗେ । ଇଚ୍ଛା ହୁଏ ଏମିତି କିଛି ଘଟନ୍ତାନି, ରାନୁ ଖାଲି ମୋ ସାମ୍ନାରେ ମୋ ହାତକୁ ଧରି ବସନ୍ତା ଆଉ କଥା ହୁଅନ୍ତା କି !

ମୋର ରାନୁ ଘରକୁ ଯିବା ସମୟ ସମାନ ଚାରିଟା । ତା ପୁତୁରାକୁ ପାଠ ପଢ଼ାଇବା । କମ୍ ପଇସାରେ ଟ୍ୟୁସନ୍ ମାଷ୍ଟର । ରାନୁ ସହ କଥା ଜମୁଥିବ । ପୁତୁରାକୁ ତା’ର ପାଠପଢ଼ା ଚାଲିଥିବ । ରାନୁ ମୋ ପାଇଁ ଚା ଆଣି ଆସିବା ବେଳକୁ ମୁଁ ମୋ ଗୋଡ଼ହାତ ଫୁଲେଇ ଟିକେ ହଲଚଲ କରିବି, ବାଜିଯାଆନ୍ତା ହେଲେ ତା ଦେହରେ ! ଓ ବାଜିଯାଏ ।

ସେଦିନ ସନ୍ଧ୍ୟାରେ ତାଙ୍କ ଘରକୁ ମୁଁ ନଯିବା ସମୟରେ ପଳେଇଗଲି । ଟ୍ୟୁସନ୍ କରିବାକୁ ଯାଇଥିଲାବେଳେ ମୋ ଘର ଚାବିଟା ଛାଡ଼ିଦେଇ ଆସିଥିବାରୁ, ଆଣିବାକୁ । ଡି.କେ. ବସିଥିଲା । ତା ପାଖରେ ରାନୁ, ତା ହାତ ଧରି । ମୁଁ ଥରିବା ଆରମ୍ଭ କଲି । ମୋ ନିଜ ଉପରେ ରାଗ ଜୁଆର ପରି ମାଡ଼ିଆସିଲା । ଏମିତି ସମୟରେ କେମିତି ପ୍ରତିକ୍ରିୟା କରିବାକୁ ହୁଏ ମୋତେ ଜଣା ନଥିଲା ।

ଡି.କେ., ମୋ ସାଙ୍ଗ, ରାନୁ ହାତରୁ ନିଜ ହାତକୁ ଖସେଇ ସୋଫାରେ ଟିକେ କୋଣକୁ ଚାଲିଗଲା । ମୋତେ ପଚାରିଲା : କିରେ, ଆଉ କୋଉଠି କ’ଣ ବାଜିଲାଣି ? ମୁଁ ମୁହଁପୋତି କହିଲି : ନା ମ, ବ୍ୟାଙ୍କଟା  ହେଉହେଉ କଟିଗଲା । ଏସ୍.ଏସ୍.ବି. ଅଛି ଏଇ ରବିବାର ଦିନ ।

ତା’ପରଦିନ ଟ୍ୟୁସନ୍ ଗଲି । ରାନୁ ମୁହଁକୁ ଚାହିଁଲିନି । ବଜ୍ଜାତ୍, ଛତରୀ ଟୋକୀ । ଦୁଇଦୁଇଜଣଙ୍କୁ ଖେଳଉଛି । ପ୍ରକୃତ କଥା ହେଉଛି ମୁଁ ନିଜକୁ ବେଶୀ ଅସହାୟ ଓ ଅସହ୍ୟ ମନେକରୁଥିଲି ଡି.କେ. ଆଗରେ । ଚାକିରିଟା ଆଗେ ପାଇଯାଇଚି ତ, ସୁପିରିୟରିଟି ଦେଖାଉଛି ।

ରାନୁ ଚା ଆଣି ଆସିଲା । ବେଶୀ ଲାଗିକି ଠିଆ ହେଲା । ମୁଁ ତା ମୁହଁକୁ ଚାହିଁଲିନି । ତା ଉପରେ ଥିବା ରାଗକୁ ନକମାଇବା ପାଇଁ ଦିନବେଳା ଖାଇବା ଖାଇ ନଥିଲି । ଯେତେ ରାଗିଥାଏ ନା କାହିଁକି, ପେଟରେ ଟିକିଏ ଦାନା ପଡ଼ିଗଲେ ସବୁ ଫୁସ୍ ହୋଇଯାଏ । ନିଜକୁ ବୁଝେଇବା ଆରମ୍ଭ କରିଦିଏ । ରାନୁ ଖେଳାଳିଟିଏ ହୋଇସାରିଥିଲା ଏତେବେଳକୁ । ମୋତେ କହିଲା, ତମେ ମୋତେ ଭୁଲିଯାଅ । ଘରେ ଚାକିରିଆ ଜ୍ୱାଇଁଟିଏ ଠିକ୍ କରିସାରିଲେଣି । ତମେ ବି ଏତେଥରରେ ଗୋଟିଏ କମ୍ପିଟେଟିଭ୍ ପରୀକ୍ଷା କ୍ୱାଲିଫାଏ କରିପାରିଲନି । ମୁଁ କ’ଣ କରିପାରିବି ! ଆମ ଭିତରେ ଯାହା ଥିଲା ସବୁ ଭୁଲିଯିବ । ଯାହାସବୁ ଚିଠି, ରୁମାଲ, ଫଟୋ ରଖିଛ ଚିରିଦେବ, କାଠଯୋଡ଼ିରେ ଭସେଇଦେବ । ପ୍ଲିଜ୍ ।

ଡି.କେ. ମୋତେ ବହୁଦିନ ପରେ କହିଲା : ଝିଅଟା ଭାରି ଚତୁରୀ । ମୋ’ଠୁଁ ଭଲ ଚାକିରି କରିଥିବା ଯେମିତି ପାଇଲା, ମୋତେ କହିଲା- ସବୁ କାଠଯୋଡ଼ିରେ ଭସେଇଦେବ । ତୋତେ ବି ଏୟା କହିଥିଲା ନା ?

ସେଇ ସମୟରେ ଡି.କେ. ଉପରେ ମୋର ଦୟା ଆସିଲା । ତା ଉପରେ ମୋର ଜମିଆସିଥିବା ରାଗ ତରଳିଯିବାକୁ ଆରମ୍ଭ କଲା ।

ତାକୁ ବୁଝାଇବାକୁ କହିଲି : ଛାଡ଼ମ, ତା’ଠୁଁ ଭଲ ଝିଅ ଆମେ କ’ଣ ପାଇବାନି !

ଠିକ୍ ସେଇ ମୁହୂର୍ତ୍ତରେ ଶାଶ୍ୱତୀର ମୁହଁ ବେଶୀ ମନେପଡ଼ିଲା ।

।।  ତିନି  ।।

ନମିତା ଅପାଙ୍କ ସହ ହଠାତ୍ ଏମିତି ଦେଖାହେବ, ସେ ମୋ ସହ ଗୋଟିଏ ଗାଡ଼ିରେ ବସି ଦୁଇଶହ କିଲୋମିଟର ଯିବେ, ବାଟରେ ଗୋଟିଏ ଢାବାରେ ମଦ ପିଇବେ, ଗାଡ଼ିରେ ବସି ବାଲେଶ୍ୱର ଯିବା ସମୟତକ ମୋ କୋଳରେ ମୁଣ୍ଡ ରଖି ଶୋଇପାରିବେ, ମୁଁ ଖାଲି କାହିଁକି, ତାଙ୍କ ବୟସର କି ତାଙ୍କଠୁଁ ବଡ଼ ନାମକରା ସାହିତ୍ୟିକମାନେ ବି ଭାବିପାରିବେନି, ଆଉ ଯଦି ଭୁଲ୍ ରେ ଭାବିଦେବେ, ସେମାନଙ୍କ ଦେହ ଶୀତେଇଯିବ ।

ବାଲେଶ୍ୱରର ସାହିତ୍ୟ ଉତ୍ସବକୁ ମୁଁ ଯାଉଥାଏ, ସେଠାକାର କିଛି କର୍ମକର୍ତ୍ତାଙ୍କ ଅନୁରୋଧକୁ ଏଡ଼ାଇ ନପାରି । ନମିତା ଅପାଙ୍କ ସହ କଟକ ସୁଇଟ୍ ଷ୍ଟଲ୍ ରେ ଦେଖା । ମୁଁ ନିଜ ଆଡ଼ୁ ଭେଟି ପରିଚୟ ଦେଲି : ଏ ଅଧମ ଆପଣଙ୍କ ମୁଗ୍ଧ ପାଠକ । ସବୁ ଗପ ପଢ଼ିଛି । ଫେସ୍ ବୁକ୍ ରୁ କବିତା ପଢ଼ୁଛି । ଆପଣଙ୍କ ନଭେଲ୍ ତ ଓଡ଼ିଆ ଟ୍ରେଣ୍ଡ୍ କୁ ବଦଳେଇଦେଲା । ଜଗଦୀଶ ମହାନ୍ତି ଓ ପଦ୍ମଜ ପାଳ ଗପର ଟ୍ରେଣ୍ଡ୍ ବଦଳେଇଥିଲେ, ନଭେଲ୍ ଟ୍ରେଣ୍ଡ୍ କିନ୍ତୁ ଆପଣ ଏକା ହିଁ ବଦଳାଇଛନ୍ତି ।

ତିନିଦିନର ଲଗାଣ ବର୍ଷା ପରେ ଆକାଶରେ ସୂର୍ଯ୍ୟ ଦିଶିଗଲେ ପୃଥିବୀ ଯେମିତି ହସହସ ହୋଇଯାଏ, ନମିତା ଅପାଙ୍କ ମୁହଁରେ ସେମିତି ଖୁସିର ଲହଡ଼ି ଭାଙ୍ଗୁଥିଲା ।

: ତୁମେ କ’ଣ କର ? ଚାକିରି ?

: ଏଇଠି ଆଜ୍ଞା ଏସ୍.ବି.ଆଇ.ରେ ପ୍ରୋବେସନାରୀ ଟ୍ରେନିଙ୍ଗ୍ ।

: ସୋ ନାଇସ୍ ! ଆସ ମୋ ସହ ଟିଫିନ୍ ଖାଇବ ।

: ନା ଅପା, ମୁଁ ବାଲେଶ୍ୱର ଯାଉଛି ।

ସେ ହସିଲେନି, ଡେଇଁବା ଆରମ୍ଭ କଲେ : କେମିତି ଯାଉଛ ?

: ସାଙ୍ଗର ଗାଡ଼ି ନେଇ ।

ସେ ବସିଲେ, ମୁଁ ଡ୍ରାଇଭ୍ କଲି । ଖୁସି ଲାଗିଲା- ନମିତା ଅପା ସେ ସଭାର ମୁଖ୍ୟ ବକ୍ତା ।

ବାଟରେ ଶାଶ୍ୱତୀର ଫୋନ୍ : କୋଉଠି ପହଞ୍ଚିଲଣି ? ବି କେୟାର୍ଫୁଲ୍ ଆଟ୍ ଡ୍ରାଇଭିଙ୍ଗ୍ । ମୋର ସେତେବେଳକୁ ବିକଳ ଅବସ୍ଥା । ନମିତା ଅପା ବେହୋସରେ ଯଦି କିଛି ଚିଲେଇଦେବେ, ବାରବର୍ଷର ତପସ୍ୟା ଶୁଖୁଆପୋଡ଼ାରେ ଯିବ । ମାଲ୍ ପିଇଦେଲାପରେ ସେ ଯେ କିଛି ଅଘଟଣ ନଘଟାଇବେ, ସେକଥା କିଏ କହିପାରିବ !

ପରେ କହୁଚି, କହି ଫୋନ୍ କାଟିଦେଲି ।

ପୁଣି ଶାଶ୍ୱତୀର ଫୋନ୍ ।

ଆଉଟ୍ ଅଫ୍ ରେଞ୍ଜ ଅପସନ୍ ରେ ମୋବାଇଲ୍ କୁ ରଖିବା ଛଡ଼ା ମୋର କିଛି ଉପାୟ ନଥିଲା ।

ନମିତା ଅପା ହସିଲେ ।

: ତୁମେ ଯାହା ଦେଖାଯାଉଛ, ଠିକ୍ ସେମିତି ନୁହଁ ।

ମୁଁ ବୁଝି ନପାରିବାର ଅଭିନୟ କରି ବଲବଲ ହୋଇ ଚାହିଁଲି ।

: ମୁଁ ତୁମକୁ କେମିତି ଲାଗେ ?

: ବହୁତ ଭଲ । ଶବ୍ଦ ପାଉନି ବର୍ଣ୍ଣନା କରିବାକୁ ।

: ଆରେ ବାଃ, ସୋ ରୋମାଣ୍ଟିକ୍ !

ଦୁଇଦିନ ରହିଗଲି ବାଲେଶ୍ୱରରେ । ନମିତା ଅପାଙ୍କ ହସ, ତାଙ୍କ କଥାବାର୍ତ୍ତାର ଭଙ୍ଗୀ, ତାଙ୍କର କହିବାର ଢଙ୍ଗ, ସଭାର ଭାଷଣ, ଦୁଇଦିନ ଭିତରେ ବଢ଼ିଯାଇଥିବା ଘନିଷ୍ଠତା ମୋତେ ନିଶ୍ଚଳ କରିଦେଇଥିଲା, ତାଙ୍କ ଛଡ଼ା ଆଉ କାହା କଥା ମୁଁ ଭାବିପାରୁ ନଥିଲି ।

ଶାଶ୍ୱତୀ ଫୋନ୍ କଲେ, ଦୁଇପଦ କଥା କହି କାଟିଦେଉଥିବାରୁ ସେ ଫୋନ୍ ସେପଟେ ମୁହଁ ଫୁଲାଉଥିଲା । ବୋଉ ବିରକ୍ତ ହେଉଥିଲା : ଚାକିରିରେ ଧ୍ୟାନ ଦେଏ ପୁଅ, ତୋତେ ସେ ସାହିତ୍ୟ ଫାହିତ୍ୟରୁ କ’ଣ ମିଳୁଛି ?

କଲିଗ୍ ମାନେ ପଚାରି ବୁଝୁଥିଲେ : ଏବେ ତୋ ମୁଣ୍ଡବିନ୍ଧା କମିଲାଣି ତ ? ତୁ ଠିକ୍ ହୋଇ ଆସେ । ଏ ଅବସ୍ଥାରେ ଡ୍ରାଇଭ୍ କରି ଆସିବା ରିସ୍କ ।

।।  ଚାରି  ।।

ବ୍ୟାଙ୍କ୍ ରେ ନୂଆ ଜଏନ୍ କରିଥିବା ଦୁଇଟି ଝିଅ ଭିତରୁ ଯିଏ ମୋତେ ବେଶି ଭଲ ଲାଗିଲା- ସେ ଝିଅ ନଥିଲା, ଥିଲା ଜଣେ ସ୍ତ୍ରୀଲୋକ । ସତକଥା କହିବାକୁ ଗଲେ ଝିଅ ଆଉ ସ୍ତ୍ରୀଲୋକ ଭିତରେ କ’ଣ ପ୍ରଭେଦ ମୋତେ ଜଣା ନଥିଲା । ବାହାହେଲା ଯାଏଁ ଜଣେ ଝିଅ, ତା’ପରେ ସ୍ତ୍ରୀଲୋକ ନା ଡ୍ରେସ୍ ପିନ୍ଧୁଥିଲେ ଝିଅ, ତା’ପରେ ସ୍ତ୍ରୀଲୋକ ନା ତିରିଶ ବର୍ଷ ଯାଏ ଜଣେ ଝିଅ, ତା’ପରେ ସେ ସ୍ତ୍ରୀଲୋକ ? ନା ଏସବୁ ଗୋଟେ ମାନସିକତା ?

ତାଙ୍କ ବୟସ ପଇଁଚାଳିଶ ଜଣାପଡ଼ୁ ନଥିଲା, ଜଣାପଡ଼ିଲା କେବଳ ତାଙ୍କର ଷୋଳବର୍ଷର ଚାକିରିରୁ ।

ଅଳ୍ପଦିନ କାମ କରିବା ଭିତରେ ସେ ସବୁକାମରେ ମୋର ସାହଚର୍ଯ୍ୟ ଲୋଡ଼ିଲେ । ତାଙ୍କର ବିଫଳ ପ୍ରେମକାହାଣୀ ପରେ ସାମାଜିକ ବାଧ୍ୟବାଧକତାରୁ ବିବାହ ଓ ପୁଣି ସେ ବିବାହବିଚ୍ଛେଦ, ଏକୁଟିଆ ହୋଇ ରହିବା କେତେ କଷ୍ଟ । ବ୍ୟାଙ୍କ୍ ଚାକିରିଟିଏ କରି ନଥିଲେ ହୁଏତ ସେ ବଞ୍ଚିପାରି ନଥାନ୍ତେ; ଏମିତି ଅନେକ କଥା ମୋ ଆଗରେ କହୁଥିଲେ ନିଃସଙ୍କୋଚରେ । ଯଦି ମୁଁ ବୟସରେ ବଡ଼ ହୋଇଥାନ୍ତି ବା ସେ କମ୍ ହୋଇଥାନ୍ତେ, ଦେଖିଲା ଭଳିଆ ଆମେ ସୁନ୍ଦର ଯୋଡ଼ିଟିଏ ହୋଇପାରିଥାନ୍ତେ କହି ସେ ତାଙ୍କ ମୋବାଇଲ୍ ରେ ସେଲ୍ଫି ଉଠାଇଲେ ମୋ କାନ୍ଧରେ ମୁଣ୍ଡ ରଖି ।

ପ୍ରକୃତରେ ଯୋଡ଼ି କିଛି କମ୍ ଲାଗି ନଥାନ୍ତା : ମୁଁ ତାଙ୍କୁ ସମର୍ଥନ କଲି ।

ଶାଶ୍ୱତୀ ମୋ ଉପରେ ରାଗୁଥିଲା- କି ଚାକିରି କରିଛ କେଜାଣି, ଅଧ୍ୟାପକଟିଏ ହୋଇଥାନ୍ତ ହେଲେ, ସମୟ କିଛି ତ ମୋତେ ଦେଇପାରିଥାନ୍ତ !

: ଆସନ୍ତା ଶନିବାର, ସେକେଣ୍ଡ ସଟର୍ଡେ, ବ୍ୟାଙ୍କ୍ ଛୁଟି । ତେଣୁ ଦିନଟାଯାକ ତୁମର ।

ଶାଶ୍ୱତୀ କୁହେ : ଏମିତି ଲୁଚିଛପିକି ମିଶିବା ଆଉ ଭଲ ଲାଗୁନି । ତମେ ତ ଚାକିରି କଲଣି, ଘରେ କହିଦେବା ।

ମୁଁ ସ୍ଥିର କରିପାରୁ ନଥିଲି, ଏଇ ବୟସରେ ବାହାହେବା ଉଚିତ କି ନୁହଁ । ଆମ ବ୍ୟାଙ୍କ୍  ଡି.ଜି.ଏମ୍., ଯାହାଙ୍କର ବୃତ୍ତିଗତ ଦକ୍ଷତା ମୋତେ ଖୁବ୍ ପ୍ରଭାବିତ କରିଛି, ଥରେ ବ୍ୟକ୍ତିଗତ କଥା କହୁକହୁ କହିପକେଇଥିଲେ : ସ୍ତ୍ରୀ କେବେ ପ୍ରେମିକା ହୋଇପାରେନା କି ପ୍ରେମିକା ହୋଇପାରେନା ସ୍ତ୍ରୀ ।

ମୁଁ ଦ୍ୱନ୍ଦ୍ୱରେ ଥିଲି : ଶାଶ୍ୱତୀ ତ ମୋର ପ୍ରେମିକା ନା ! ତାକୁ ବାହାହୋଇ ହରେଇବି କେମିତି ?

।।  ପାଞ୍ଚ  ।।

ନମିତା ଅପା ଯାହାଙ୍କ ସହ ଆଇନକ୍ସରେ ପରିଚୟ କରେଇଦେଇଥିଲେ, ତାଙ୍କ ନାଁ ଶୁଭ୍ରା । କହିଦେଇଥିଲେ : ପିଲାଟା ମୋ ପରିକା । ଖୁବ୍ ଭଲ । ସବୁ ବୁଝେ । ଅନେକଟା ଜାଣେ । ଆମରି ଘର ପାଖରେ ଘର କରିଛି । ଚିହ୍ନିଥା । ବେଶି ମିଶିବୁନି । ତୋର ଦୋଷ ଅଛି ନା !

: ମୋର ପୁଣି ଦୋଷ ?

: ହଁ, ବୟସ୍କାମାନଙ୍କ ପ୍ରତି ଅସାମାନ୍ୟ ଦୁର୍ବଳତା ।

ମୋ ଉପରେ ଏଇକଥାକୁ ଗ୍ରହଣ କରିପାରୁ ନଥିଲି । ଏମାନେ ମୋ ଉପରେ ଯେମିତି କହିପାରୁଛନ୍ତି, ମୁଁ ଯଦି କହିବା ଆରମ୍ଭ କରିବି, ଆଉ ଦେଖାଦେବେନି । ଭାବିବେ : କାହା ଚକ୍କରରେ ପଡ଼ିଗଲାଣି ।

ଶୁଭ୍ରା ମୋତେ ପଚାରିଲେ : ତୁମର ଜି.ଏଫ୍. କିଏ ଅଛନ୍ତି ? ଥିବେ ତ ନିଶ୍ଚେ । ମୁଁ ହଡ଼ବଡ଼େଇଗଲି । ମୁଁ କହିଲି : ନା, ଜଣେ ମୋତେ ବେଶି ଭଲ ଲାଗେ ।

: କିଏ, ନମିତା ଅପା ?

ମୁଁ ମନେମନେ ନିଷ୍ପତ୍ତି ନେଇସାରିଥିଲି, ଆଜି ଖୋଲିକି କହିବି । ସିନିୟର୍ ବୋଲି ଯାହା ନାଇଁ ତା କହିଦେଉଛନ୍ତି ।

: କେମିତି ଭାବିପାରିଲେ ? ତାଙ୍କ ଲେଖାକୁ ମୁଁ ବହୁତ ପସନ୍ଦ କରେ । ତାଙ୍କ ଷ୍ଟାଇଲ୍ କୁ ବି । ଜଣେ ମେନୋପଜାଲ ଲେଡି କ’ଣ ଜି.ଏଫ୍. ହୋଇପାରିବେ ? ସେ ଗୁମ୍ ହୋଇଗଲେ ।

ଶୁଭ୍ରାଙ୍କର ଶରୀରର ଅଯଥା ପୃଥୁଳତା, ଚକ୍ ଖସିଯାଇଥିବା ଚମଡ଼ା ଓ ଫୁଲିଯାଇଥିବା ମୁହଁ ଦେଖି ମୋର ଭାବିନେବାର ଉଚିତ ଥିଲା ।

: ଶୁଭ୍ରା ବି ନମିତା ଅପାଙ୍କ ବର୍ଗର ହୋଇଥାଇପାରନ୍ତି ।

ଆମେ କଲେଜ ଛକ ଗଲୁ ଡୋମିନସ୍ ପିଜା ଖାଇବାକୁ । ଦହି ତାଙ୍କର ପସନ୍ଦ ନଥିଲେ ବି ବିଡ଼ାନାସୀ ବନ୍ଧ ଉପରକୁ ଗଲୁ ରଘୁ ଦହିବରା ଆଳୁଦମ୍ ଖାଇବାକୁ । ନଈବନ୍ଧରେ ସନ୍ଧ୍ୟାବେଳେ ଜଣେ ନାରୀ ସହ ଯିବା ପ୍ରକୃତରେ ବଡ଼ ରୋମାଣ୍ଟିକ୍ କଥା । ଶୁଭ୍ରା ଆଉ ମୁଁ ଅନ୍ତରଙ୍ଗ ହୋଇସାରିଥିଲୁ ।

ସେ ମୋତେ ବହୁତ କଥା ପଚାରୁଥିଲେ, କୋଉ ଲେଖିକା ସହ ମୋର ସମ୍ପର୍କ ଅଛି କି ନା । ବ୍ୟାଙ୍କ୍ ର କୋଉ ସହକର୍ମୀ ଘରକୁ ମୁଁ ବେଶୀ ଯାଉଛି କି ନା । ମୋ ବ୍ୟାଚେଲର୍ ରୁମ୍ କୁ କୋଉ ନାରୀମାନେ ଆସିଛନ୍ତି କି ନା ।

ମୁଁ କହିଲି : ମୋ ସମୟରେ ଲେଖୁଥିବା ଜଣେ ଲେଖିକାଙ୍କର ବ୍ୟକ୍ତିଗତ ଗୁଣ ମୋତେ ଭଲ ଲାଗେ । ତାଙ୍କୁ ମୁଁ ଦୂରରୁ ଦେଖେ । ତାଙ୍କ ବିଷୟରେ ଅନ୍ୟମାନଙ୍କୁ କୁହେ; କିନ୍ତୁ ଦେଖିଲେ ଦୂରେଇ ରୁହେ । ଖାଲି ହସିଦେବା ଛଡ଼ା ଆଉ କିଛି କହିପାରେନା ।

ବୋଧହୁଏ ଏଇଥିପାଇଁ ମୁଁ ତାଙ୍କୁ ବେଶୀ ଭଲପାଏ ।

ଶୁଭ୍ରା ପଚାରିଲେ : ତୁମେ କ’ଣ ହେବାକୁ ଚାହଁ, ଭଲ ଲେଖକ ନା ଜବରଦସ୍ତ ପ୍ରେମିକ ?

“ମୋତେ ଟିକେ ଭାବିବାକୁ ଦିଅ । ଭାବିସାରିଲେ ଆଗେ ତୁମକୁ କହିବି ।”

।।  ଛଅ  ।।

ବ୍ୟାଙ୍କ୍ ରେ ମୋ ପାଇଁ ଏକ ଖବର ଅପେକ୍ଷା କରି ବସିଥିଲା । ମୋତେ କଟକ ଛାଡ଼ିବାକୁ ହେବ । ମାଲକାନାଗିରି ଜିଲ୍ଲାର ‘ପଡ଼ିଆ’ ନାମକ ଏକ ଛୋଟ ଅଞ୍ଚଳରେ ବ୍ୟାଙ୍କ୍ ର ନୂଆ ଶାଖା ଖୋଲିବ । ମୋତେ ଯୋଗଦେବାକୁ ହେବ ସାଙ୍ଗେସାଙ୍ଗେ । ମୁଁ ବାହାରିଲି । ଏଠି ଦୁଇଟି ଅପ୍ସନ୍ ନାହିଁ : ପ୍ରେମିକ ନା ଲେଖକ । କାହା ସହ କଥା ହେବା ବି ମୁସ୍କିଲ୍ ହୋଇଯିବ । ବାକି ସବୁ ବୈଷୟିକ ସୁବିଧାରୁ କେତେବର୍ଷ ବଞ୍ଚିତ ହେବାକୁ ପଡ଼ିପାରେ କେଜାଣି !

ମୁଁ ଶାଶ୍ୱତୀକୁ ଫୋନ୍ ଲଗେଇଲି : ସନ୍ଧ୍ୟାବେଳେ ବାଲିଯାତ୍ରା ପଡ଼ିଆ ପାଖରେ ଦେଖାହେବ ।

: ଆଉ ତିନିଦିନ ପରେ ଯାଉଛି ନର୍କକୁ । ଯିବ ?

ସେ ଗୁମ୍ ହୋଇଗଲା । ତା ସ୍ୱପ୍ନର ନଈରେ ହଠାତ୍ ବନ୍ଧଟିଏ କିଏ ବାନ୍ଧିଦେଲା ଯେମିତି । କଇଁକଇଁ ହୋଇ କାନ୍ଦିଲା ।

ମୁଁ କହିଲି : ଚାଲ ତୁମ ଘରକୁ, ଆମ ବାହାଘର ପ୍ରସ୍ତାବଟା ଦେଇଦେବା । ପ୍ରେମିକା ନହେଲ ନାଇଁ, ସ୍ତ୍ରୀ ତ ହୋଇପାରିବ ।

ସେ କହିଲା : ଥାଉ, ମୋର ୟୁ.ପି.ଏସ୍.ସି. ପରୀକ୍ଷା ସରିଯାଉ, ତା’ପରେ ଦେଖିବା । ଶୁଭ୍ରା ଓ ନମିତା ଅପାଙ୍କୁ ଏକାସାଙ୍ଗରେ ଦେଖାହେବା ପାଇଁ କହିଲି । ଆଉ କେବେ ଫେରିବି ଜଣା ନାଇଁ । ଯିବି ତ କିଛି ସ୍ମୃତିକୁ ସାଥିରେ ନେଇ ଯିବି ।

ସେଦିନ ସନ୍ଧ୍ୟାବେଳକୁ ଶୁଭ୍ରାଙ୍କର ପୁଅର କାଶ ଆଉ ନମିତା ଅପାଙ୍କର ଗୋଟେ ଫିଲିମ୍ ସୁଟିଙ୍ଗ୍ ଥିଲା ବୋଲି ଖବର ଆସି ପହଞ୍ଚିଲା, ସେମାନେ ଆସିବାର ସମୟରେ ମୋର ଅପେକ୍ଷାର ଛୁଞ୍ଚିଫୋଡ଼ା ମୁହୂର୍ତ୍ତସବୁ ମିଶିସାରିବା ପରେ ।

ବାଲିଯାତ୍ରା ପଡ଼ିଆରେ ମନଇଚ୍ଛା ବୁଲିଲି ଢେର୍ ରାତି ଯାଏ । ଏ ମାଟି, ଏ ପବନ, ଏ ଆକାଶ, ଏ କଟକୀ ପରିବେଶକୁ କେତେଦିନ ଛାଡ଼ି ରହିପାରିବି ?

ଗାଁ’ରୁ ବୋଉ ଖବର ଦେଇଥିଲା : ତୁ ଜଏନ୍ କରି ଜଲଦି ପଳେଇଆ ଛୁଟି ନେଇ, ତୋର ବାହାଘର କରିଦେବା । ବହୁତ ପ୍ରସ୍ତାବ ଆସୁଛି ।

ପାଲଟା ଖବର ପଠେଇଲି : ମାମୁଙ୍କୁ କହିବୁ, ଝିଅ ଦେଖିଥିବେ ତ ଖାଲି ଏଇ କଟକ ପଟୁ ।

ଇ. ୩୯୫, ସେକ୍ଟର- ୬

ସି.ଡି.ଏ., କଟକ- ୧୪

ମୋ. ୯୪୩୮୧୭୭୫୨୬

*****


Rate this content
Log in

Similar oriya story from Romance