Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଗାଡିବାଲା
ଗାଡିବାଲା
★★★★★

© Kamala Satpathy

Others

14 Minutes   21.0K    11


Content Ranking

ହାତଗଣତି ଆଉ ଦିନ କେଇଟା ଗଲା ପରେ ଏଇ ଅଧ୍ୟାପନା ଚାକିରିର ଯମ ଯନ୍ତ୍ରଣାରୁ ମହାପାତ୍ରବାବୁ ମୁକ୍ତ ହେଇଯାଇ ଶାନ୍ତିରେ ଟିକିଏ ନିଃଶ୍ୱାସ ମାରିବେ । ହଁ, ଯମ ଯନ୍ତ୍ରଣା ନୁହେଁ ତ ଆଉ କ’ଣ ! ଗାଁରେ ଗୋରୁଗାଈ ଚରେଇବା ଯାହା, ଏ ସହରିଆ ପିଲାଙ୍କୁ ପାଠ ପଢେଇବା ତାହା । ଏସବୁ ଯିଏ ନକରିଛି, ସେ କେବେ ବି ଅନୁମାନ କରିପାରିବ ନାହିଁ ସେ କଥା । ଆଗକାଳରେ ଏଇ ଚାକିରିରେ ବାଳ ପାଚିଯାଏ ବୋଲି ଲୋକେ କହୁଥିଲେ, ହେଲେ ଏବେ ଆଉ ବାଳ ପାଚିବାର ଆଶଙ୍କା ନାହିଁ । କାରଣ ବାଳ ରହିଲେ ସିନା ପାଚିବ ! ଏ ପିଲାଙ୍କ କରାମତିରେ ଦିନ କେଇଟା ଭିତରେ ଆଗ ସେଇମାନେ ହିଁ ତ ସହିଦ ହେଇଯାଆନ୍ତି !

ସେ ଯାହାହେଉ, ଏତେ ବର୍ଷ ତ ବିତିଗଲାଣି, ଆଉ ଦିନ କେଇଟା ବିତିଗଲେ ଯାଏ ।

ହେଲେ ଏବେ ତାଙ୍କର ଆଉ ସେ ଚିନ୍ତା ନଥିଲା । ଏବେ ଯୋଉ ଚିନ୍ତା ରାତିଦିନ ତାଙ୍କୁ ଖାଇ ଚାଲିଥିଲା, ତାହାର ମୂଳ କାରଣ ଥିଲେ ତାଙ୍କରି ଶ୍ରୀମତୀ । ମାନେ ଶ୍ରୀମତୀ ମହାପାତ୍ର ।

ମହାପାତ୍ରବାବୁଙ୍କ ଜୀବନରେ ଆଜି ପର୍ଯ୍ୟନ୍ତ ଯାହା କିଛି ସୁଖଶାନ୍ତି ଥିଲା, ତାହା ତାଙ୍କ ଶ୍ରୀମତୀଙ୍କର ଦୟା ଯୋଗୁଁରୁ ହି ଥିଲା । ସବୁ ପ୍ରକାରର ଅଭାବ ଅସୁବିଧାରେ ହସି ହସି ତାଙ୍କ ସହ ତାଳରେ ତାଳ ମିଶେଇ ଆଜି ପର୍ଯ୍ୟନ୍ତ ସେ ଚାଲିଆସିଛନ୍ତି । କେବେ କୌଣସି ବିଷୟରେ ଅଭିଯୋଗ କରିନାହାନ୍ତି କି ଅଯଥା ଆକ୍ଷେପ କରିନାହାନ୍ତି । ଦୁନିଆସାରା ପୁରୁଷ ନିଜ ପତ୍ନୀର ଦୁର୍ଗୁଣ ଚର୍ଚ୍ଚା କରୁଥିଲା ବେଳେ ମହାପାତ୍ରବାବୁ ସବୁବେଳେ ଚୁପ୍ ରହିଆସିଛନ୍ତି । କାରଣ ଅନ୍ୟମାନେ ବଖାଣୁଥିବା କଥା ପରି କୌଣସି କଥା ତାଙ୍କ ପାଖରେ ନଥାଏ କହିଲା ଭଳି । ତେଣୁ ତାଙ୍କର ସାଙ୍ଗସାଥୀମାନେ ସବୁବେଳେ ଟାପରା କରିଥାନ୍ତି, “ମହାପାତ୍ର ପରିକା ସୁଖୀ ଏ ସଂସାରରେ ଆଉ କେହି ନାହିଁ ।“

ହେଲେ ସେଇ ମହାପାତ୍ର ଏଇଲେ ଦୁଃଖି .. ପ୍ରବଳ ଦୁଃଖି । ଆଉ ସେ ଦୁଃଖର ମୂଳ କାରଣ ହେଲେ ତାଙ୍କରି ସେଇ ଶ୍ରୀମତୀ, ଯାହାଙ୍କୁ ବୃଦ୍ଧ କାଳେ ବାଲ୍ୟଲୀଳା ପରି ଗାଡି ଚଲେଇବାର ନିଶା ଘାରିଛି ।

ଶୁଣିଲା ଲୋକେ କହିପାରନ୍ତି, ଏଥିରେ ଦୁଃଖି ହେବାର କ’ଣ ଅଛି ? ଆଜିକାଲି ଗାଡି କିଏ ବା ନ ଚଲୋଉଛି ? ବିଶେଷକରି ସ୍ତ୍ରୀଲୋକମାନେ ହିଁ ତ ବେଶି ଗାଡି ଚଲେଇ ବୁଲୁଛନ୍ତି ସହର ସହର .. ଗାଁ ଗାଁରେ !

ହଁ, କାହିଁ ନ ଚଲେଇବେ ! ନାରୀ ସ୍ୱାଧୀନତାର ଯୁଗ ହେଇଛି । ସରକାର ତ ସବୁ ପ୍ରକାରର ଶକ୍ତି ପ୍ରଦାନ କରି କରି ଚାଲିଛି । ଆଇନ୍ ର .. ସଂରକ୍ଷଣର .. ଚାକିରିର .. ପାଠର .. ସବୁକିଛିର । ତାହାହେଲେ ସେ କାହିଁକି ବା ଆଉ ଅବଳା ଦୁର୍ବଳା ହେଇ ଘରକଣରେ ବସିରହିବ ! ଉଡିବେ .. ବୁଡିବେ .. ଯାହା ଚାହିଁବେ, ତାହା କରିବେ ।

କରନ୍ତୁ, ସେଥିରେ ମହାପାତ୍ରବାବୁଙ୍କର କ’ଣ ଯାଏ ହୋ ?

କିନ୍ତୁ ଯାଉଛି ! ସେଇ ନାରୀ ସ୍ୱାଧୀନତାର ଆଳ କରି ତାଙ୍କ ପତ୍ନୀ ଜିଦି କରି ବସିଛନ୍ତି – ଗାଡି ଚଲା ଶିଖିବେ ।

କି ଅଜବ କଥା ଇଏ ? ଯାହାର ଗାଡି ନାହିଁ, ତା’ ମାଇପ ଗାଡି ଚଲା ଶିଖିଲେ କି ଲାଭ ?

ତା’ ଉପରେ ବି ଉତ୍ତର ଥୁଆ – ଗାଡି କିଣା ହେବ ।

ଗାଡି କିଣା ହେବ ?? ଚମକି ପଡିଲେ ମହାପାତ୍ରବାବୁ । ଏ କି ଅଭିସାରିକା କଥା ! ଜୀବନର ଅଧା ସମୟ ସାଇକେଲ୍ ପେଲି ପେଲି ତାଙ୍କର ଗଲା । ଏଇ କିଛି ବର୍ଷ ଆଗରୁ ବଡ କଷ୍ଟରେ, ବହୁ ଯୁକ୍ତିତର୍କ, ରାଗ ଅଭିମାନ ପରେ ସ୍କୁଟରଟିଏ କିଣା ହେଇଛି । କିଣା ହେଇଛି କ’ଣ, ତାଙ୍କ ଇଚ୍ଛା ବିରୁଦ୍ଧରେ ମା’ ଝିଅ ଯାଇ ସୋ ରୁମ୍ ରେ ପସନ୍ଦ କରି ବୁକ୍ କରିଦେଇ ଆସି, ଜବରଦସ୍ତି କରି ତାଙ୍କ ଠାରୁ ଚେକ୍ ଉପରେ ଦସ୍ତଖତ କରେଇ ନେଲେ ।

କେତେ ନାହିଁ ନାହିଁ କରିଥିଲେ । କେତେ ବଛା ବଛା ଯୁକ୍ତି ସବୁ ଉପସ୍ଥାପନ କରିଥିଲେ – ଯଥା, କଲେଜ୍ ହତା ଭିତରେ ସବୁ ଦରକାରୀ, ଅଦରକାରୀ ଜିନିଷ ମିଳିଯାଉଛି ଯେତେବେଳେ, ସ୍କୁଟରର ଆବଶ୍ୟକତା ଆଉ କ’ଣ ଅଛି ! ସାଇକେଲ୍ ଚଲେଇବାକୁ ଆଜିକାଲି ଡାକ୍ତର ସମସ୍ତଙ୍କୁ ପରାମର୍ଶ ଦଉଛନ୍ତି । ଏଥିରେ ସ୍ୱାସ୍ଥ୍ୟ ଭଲ ରହିବ ...ଇତ୍ୟାଦି ଇତ୍ୟାଦି ..!

ହେଲେ କିଛି ଶୁଣିନଥିଲେ କେହି । ତଳ କୋର୍ଟରେ ହି ମାମଲା ରଫାଦଫା କରିଦିଆଗଲା । ସେଇଠୁ ପୁଅ ଯାଇ ସ୍କୁଟର ନେଇଆସିଲା, ଆଉ ଜବରଦସ୍ତି କରି, କିଛି ପରିମାଣରେ ଧମକାଧମକି କରି, ଚଲେଇବାଟା ଶିଖେଇ ବି ଦେଲା । ପ୍ରଥମରେ କିଛି ଦିନ କାଳ ତ ମହାପାତ୍ରବାବୁ ଏ ଅଯଥା ଖର୍ଚ୍ଚ ପାଇଁ ବାରମ୍ବାର ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ପରେ କିନ୍ତୁ ତାଙ୍କ ନିଜକୁ ଭଲ ଲାଗିଲା .. ଆଉ ସୁବିଧାଜନକ ବି । ସେଇଟା ଅବଶ୍ୟ ଅଲଗା କଥା ଯେ ଏହି ଭଲ ଲାଗିବା କଥାଟାକୁ ସେ ଆଜି ପର୍ଯ୍ୟନ୍ତ କାହା ଆଗରେ ପ୍ରକାଶ କରିନାହାନ୍ତି । ବରଂ ବେଳ ଅବେଳରେ ତାଙ୍କୁ କରାଯାଇଥିବା ଏଇ ଜବରଦସ୍ତି ପାଇଁ ସମସ୍ତଙ୍କୁ ପଦେ ଅଧେ କଡା କଥା ଶୁଣେଇ ଦେବାରେ ସେ କେବେ ହେଳା କରିନାହାନ୍ତି । ଯାହାକୁ ଏ କାନରେ ପୂରେଇ ସେ କାନରେ ବାହାର କରିଦେଇଛନ୍ତି ସମସ୍ତେ ।

ଏବେ ପିଲାମାନେ ଯେଝା ବାଟରେ ଯେଝା ଚାଲିଗଲେଣି । ଘରେ ମାମୁ ମାଇଁ ଦୁଇ ପ୍ରାଣୀ । ବିଶେଷ କୁଆଡେ ଯିବାର ନାହିଁ କି ଆସିବାର ବି ନାହିଁ । ଆଉ ଏତିକି ବେଳେ ଶ୍ରୀମତୀଙ୍କ ମୁଣ୍ଡକୁ ଏ ଅଦ୍ଭୁତ ଖିଆଲ ପଶିଛି କ’ଣ ନା – ବହୁତ ହେଇଗଲା ସ୍କୁଟର ଚଢା । ଜୀବନସାରା ହାତରୁ ପାଟି ଯାଏଁ ନେଇ ନେଇ ହିଁ ଚଳି ଆସିଛନ୍ତି । ସଉକି କ’ଣ .. ମଉଜ ମଜଲିସ କ’ଣ, କିଛି ଜାଣିନାହାନ୍ତି । ତେଣୁ ସେ ଏବେ ଗୋଟିଏ ଗାଡି କିଣିବେ । ଖାଲି ସେତିକି ନୁହେଁ, ତାକୁ ଚଲେଇବା ବି ଶିଖିବେ ।

କି ଅଜବ କଥା ! ଜୀବନସାରା ଡଙ୍କି କରଚୁଲି ଧରିଥିବା ହାତ ଏଇଲେ ଷ୍ଟିଅରିଙ୍ଗ୍ କେମିତି ବୁଲେଇବ ! ତା’ ଛଡା, ଏତେ ଗୁଡାଏ ପଇସା ଖର୍ଚ୍ଚ କରି ଗାଡିଟାଏ ପୋଷିବାର ଯଥାର୍ଥତା କ’ଣ ?

ଶ୍ରୀମତୀଜୀଙ୍କ କଡା ଯୁକ୍ତି ଥିଲା, “ଆଜିକାଲି କ୍ଲର୍କ ଠାରୁ ଚପରାଶୀ ପର୍ଯ୍ୟନ୍ତ ସମସ୍ତେ ଗାଡି ଚଢୁଛନ୍ତି। ଆଉ ତୁମେ ତାଙ୍କରି ଆଗରେ ସ୍କୁଟର ପେଲି ପେଲି ଯିବ, ସେକଥା ମତେ ଭଲ ଲାଗୁନାହିଁ ।“

“ଏଥିରେ ଭଲ ଲାଗିବା, ନ ଲାଗିବାର ମାନେ କ’ଣ ଅଛି ? ଯାହା ପାଖରେ ଯାହା ଅଛି, ତାହା ସେ ଚଢିବ । ଏଥିରେ ଖରାପ ଲାଗିବା କଥା କୋଉଠୁ ଆସିଲା ?”

“ନା, ସେକଥା ମୁଁ କିଛି ଶୁଣିବିନି । ଆମର ଗୋଟିଏ ଗାଡି କିଣା ଯିବ, ତାହା ହିଁ ଶେଷ କଥା !”

“ଏତେ ପଇସା କୋଉଠୁ ଆସିବ ?”

“ସମସ୍ତଙ୍କ ପାଖରେ ପଇସା ଅଛି .. ଖାଲି କ’ଣ ଆମରି ପାଖରେ ନାହିଁ !! ସେ ବେହେରାଟା ଜୁନିଅର୍ କଲେଜ୍ ରେ ସାମାନ୍ୟ ଲେକଚରରଟେ ! ତା’ ପାଖରେ ଏତେ ପଇସା କୋଉଠୁ ଆସିଲା ଯେ ସେ ଚକଚକିଆ ନୂଆ ଗାଡିଟେ କିଣି ପକେଇଲା ! ଆଉ ତା’ ସ୍ତ୍ରୀ ଗଗଲ୍ସ ପିନ୍ଧି, କାନିକୁ ଛାଡି, ମତେ ହାତ ହଲେଇ ହଲେଇ ଚାଲିଯାଉଛି । ତାରି ଆଗରେ ପରିବା ବ୍ୟାଗ୍ ଉଠେଇ ଝାଳନାଳ ହେଇ ଚାଲି ଚାଲି ଆସିବାକୁ ମତେ ଭଲ ଲାଗୁନାହିଁ । ମୋର କ’ଣ କିଛି ଇଜ୍ଜତ ମହତ ନାହିଁ ? ଗୋଟାଏ ପ୍ରଫେସରର ସ୍ତ୍ରୀ ହେଇକି ବି ସେମାନଙ୍କଠୁ ମୁଁ ହୀନ ?”

କହୁ କହୁ ଶ୍ରୀମତୀ ତାଙ୍କ ଅବ୍ୟର୍ଥ ତୀରକୁ ତୂଣୀରରୁ ବାହାର କରି ପକେଇଲେ । ଆଶ୍ଚର୍ଯ୍ୟ ଲାଗେ ମହାପାତ୍ରବାବୁଙ୍କୁ, ଏ ସ୍ତ୍ରୀ ଲୋକମାନଙ୍କ ପାଖରେ ଲୁହର ଷ୍ଟକ୍ ଏତେ କେମିତି ରହିଥାଏ କେଜାଣି ! ଯେତେବେଳେ ଚାହିଁବେ ଗଦେଇ ପକେଇବେ ମନଇଚ୍ଛା । ଛାଡ, ୟା’ ପରେ ଆଉ କହିବାକୁ ଶୁଣିବାକୁ କିଛି ନଥିଲା । ଏ ସଙ୍କଟରୁ ଉଦ୍ଧାର ପାଇବାକୁ କୌଣସି ସର୍ଟକର୍ଟ ରାସ୍ତା ତାଙ୍କୁ ଦିଶୁନଥିଲା ।

ଗାଡି ବଦଳରେ ଅନ୍ୟ କିଛି, ମାନେ ଶାଢୀ ଗହଣା କିଣିଦେଇ ପତ୍ନୀକୁ ସନ୍ତୁଷ୍ଟ କରିବାର ଚେଷ୍ଟା ସେ କରିଲେ ସତ, ହେଲେ ସଫଳତାର ମାତ୍ରା ଶୂନରୁ ଉପରକୁ ଉଠିପାରିଲା ନାହିଁ ।

ଏହି ଦୁର୍ଦ୍ଦିନରେ ଘୃତ ସଂଯୋଗ କରିବା ପାଇଁ ଶ୍ରୀମତୀଙ୍କର ଗାଁ ଆଳିଆ ଭାଇ ଆସି ପହଞ୍ଚିଗଲା, ଯିଏ ଏଇ ସଦ୍ୟ ସଦ୍ୟ ରାଜନୀତିରେ ଯୋଗ ଦେଇଛି । ତାକୁ ଦୁଆର ମୁହଁରେ ଦେଖିବା ମାତ୍ରେ ମହାପାତ୍ରବାବୁ ପ୍ରମାଦ ଗଣିବାକୁ ଲାଗିଲେ । କାରଣ ପୂର୍ବ ଅଭିଜ୍ଞତା ଅନୁସାରେ, ସେ ଯେବେ ଯେବେ ବି ଆସିଛି, ତା’ ଯିବା ପରେ ପରେ ତାଙ୍କ ଘରେ ଛୋଟକାଟର ଘୂର୍ଣ୍ଣିବାୟୁକୁ ଉଠେଇ ଦେଇଯିବାର ସବୁ ଯୋଜନାକୁ କାର୍ଯ୍ୟକାରୀ କରିଦେଇ ଯାଇଛି ।

ତାଙ୍କ ମନକୁ ଆସିଲା ଏଇ ଗାଡି ଚଢିବାର ଘୁର୍ଣ୍ଣିବାୟୁ ବି ତାରି ପ୍ରଦତ୍ତ ହେଇଥିବ ନିଶ୍ଚୟ । କାରଣ ଏଇ କଥା ଉଠିବାର ଦୁଇ ଚାରି ଦିନ ପୂର୍ବରୁ ହିଁ ସେ ଆସିଥିଲା ଘରକୁ । ଭାଇଭଉଣୀ କିଛି ଗୋଟେ ଜୋର୍ ସୋରରେ

ଆଲୋଚନା କରୁଥିବାର ମହାପାତ୍ରବାବୁ ଦେଖିଥିଲେ । ଏପରିକି ‘ଗାଡି’ ଶବ୍ଦଟା ଦୁଇ ତିନି ଥର ଉଚ୍ଚାରିତ ହେଲା ପରି ତାଙ୍କର ମନେ ପଡୁଛି । ତେବେ କଥାଟାକୁ ସେତେବେଳେ ଏତେ ବେଶି ଗୁରୁତ୍ୱ ସେ ଦେଇନଥିଲେ । ଏଇଲେ ତାଙ୍କର ଦୃଢ ବିଶ୍ୱାସ ହେଇଗଲା ଯେ ନିଶ୍ଚୟ ଶ୍ରୀମତୀଙ୍କ ମୁଣ୍ଡରେ ଏ ଗାଡି ଭୂତକୁ ତାଙ୍କର ଏଇ ରାଜନୀତିଆ ଶଳା ହିଁ ପୂରେଇଛି ।

ମହାପାତ୍ରବାବୁଙ୍କ ଚିନ୍ତାରେ ପୂର୍ଣ୍ଣଚ୍ଛେଦ ପକେଇ ଶ୍ରୀମତୀ ଘର ଭିତରକୁ ପଶିଆସିଲେ । ତାଙ୍କ ପଛେ ପଛେ ଥିଲେ ତାଙ୍କର ଗୁଣମନ୍ତ ଭାଇ । ଦୁଇ ଜଣଙ୍କର ମୁହଁ ହଜାର ପାୱାର ବଲ୍ବ ଠାରୁ ବି ଅଧିକ ଦପ୍ ଦପ୍ କରୁଥିଲା । ମହାପାତ୍ରବାବୁ ପ୍ରମାଦ ଗଣିବାକୁ ଲାଗିଲେ । ଆସନ୍ନ ବିପଦର ବାସ୍ନା ବାରିପାରି ସତର୍କ

ହେଇଗଲେ । ଯଦିଓ ଜଣାଥିଲା ଯେ ଏ କ୍ଷେତ୍ରରେ କୌଣସି ପ୍ରକାରର ସତର୍କତା କାହାକୁ କେବେ ବି ସାହାଯ୍ୟ କରିନାହିଁ ଆଗରୁ‌ କି ଏବେ ବି କରିବ ନାହିଁ । ଯେତେ ସତର୍କ ହେଲେ ବି ଝଡ ଦ୍ୱାରା ଯାହା କ୍ଷତି ଘଟିବାକୁ ଥିବ, ତାହା ନିଶ୍ଚୟ ଘଟିବ । ତଥାପି ଶେଷ ପର୍ଯ୍ୟନ୍ତ ସେ ନିଶ୍ଚୟ ଚେଷ୍ଟା କରିବେ କ୍ଷତିର ପରିମାଣକୁ କିଛି କମ୍ କରିବା ପାଇଁ ।

ବେଶି ସମୟ ତାଙ୍କୁ ସଂଶୟରେ ନ ରଖି ଶ୍ରୀମତୀ କହିଉଠିଲେ, “ହେଇଟି ଶୁଣିଲଣି, ଲୋକା କ’ଣ କହୁଛି …?”

ବିନା କୌଣସି ଆଗ୍ରହ ପ୍ରଦର୍ଶନ କରି ମହାପାତ୍ରବାବୁ ବଳି ପଡିବାକୁ ଥିବା ଛେଳି ପରି ଜୁଳୁଜୁଳୁ କରି ଖାଲି ଚାହିଁ ରହିଲେ । ବଡ କରୁଣ ଲାଗୁଥିଲେ ସେ । ହେଲେ ଖାଦକର ଆଖିରେ ତାଙ୍କ ପାଇଁ ସାମାନ୍ୟ ଦୟା ମାୟା ନଥିଲା । ତାଙ୍କର ମାନସିକ ଅବସ୍ଥାକୁ ଟିକିଏ ବି ଗୁରୁତ୍ୱ ନଦେଇ ଶ୍ରୀମତୀ କହିଲେ, “ଲୋକା କହୁଛି, ଗାଡି ଚଲେଇବାକୁ ଶିଖିବାର ଅଛି ତ ପୁରୁଣା ଗାଡି କିଣ, ମାନେ ସେକେଣ୍ଡ୍ ହ୍ୟାଣ୍ଡ୍ । ପ୍ରଥମେ ନୂଆ ଗାଡି କିଣି ପକେଇଲେ ଚଲେଇ ଶିଖିବା ଭିତରେ ଗାଡିଟି ପୂରା ଖରାପ ହେଇଯିବ । ତା’ ଛଡା ଗାଡିକୁ କଣ୍ଟ୍ରୋଲ କରିବା ବି କଠିନ ହେବ । ତେଣୁ ସମସ୍ତେ ଆଗ ସେକେଣ୍ଡ୍ ହ୍ୟାଣ୍ଡ୍ ଗାଡି ହିଁ କିଣନ୍ତି । ଭଲକରି ହାତଟା ସେଟ୍ ହେଇଗଲା ପରେ ଯାଇ ନୂଆ ଗାଡି କିଣିବ ।“

“ହେଲେ ପୁରୁଣା ଗାଡି କୋଉଠୁ ଆସିବ ?” ମହାପାତ୍ରବାବୁଙ୍କର ଏ ନିର୍ବୋଧ ପ୍ରଶ୍ନରେ ନିଜ ପାନଖିଆ ଦାନ୍ତକୁ ଦେଖେଇ ଖିଁ ଖିଁ କରି ହସି ଲୋକା କହିଲା, “କୋଉଠୁ ଆସିବ କ’ଣ ! ତୁମେ କିଣିବ !”

“ହଁ, ସେକଥା ମୁଁ ଜାଣିଛି ଯେ ! ହେଲେ କାହା ଠାରୁ ପୁରୁଣା ଗାଡି କିଣାଯିବ ? ସେ ଗାଡିର କଣ୍ଡିସନ୍ ଭଲ ଥିବ କି ନାହିଁ, କେମିତି ଜଣା ପଡିବ ! ମାନେ ପୁରୁଣା ଜିନିଷର ଡରଟା ତ ସବୁବେଳେ ନିଶ୍ଚୟ ରହିବ !”

“ସେ ବିଷୟରେ ତୁମର ଚିନ୍ତା କରିବା ଆଦୌ ଦରକାର ନାହିଁ । ନିଜ ଭଉଣୀ ଭିଣେଇଙ୍କ ପାଇଁ ଲୋକା କ’ଣ ଏତିକି କରିପାରିବ ନାହିଁ ! ନିତି ଦିନ କେତେ ଲୋକଙ୍କର କେତେ ପ୍ରକାରର କାମ କରିଦଉଛି, ଆଉ ତୁମ ପାଇଁ ଏ ସାମାନ୍ୟ କାମଟା କରିପାରିବି ନାହିଁ ନା କ’ଣ ? ମୋ ଜାଣତରେ ଏମିତି କେତେ ଲୋକ ଅଛନ୍ତି, ଯେଉଁମାନେ ନିଜ ଗାଡି ବିକିବାକୁ ଚାହାନ୍ତି । ସେମାନଙ୍କ ଗାଡି ଆଗ ଦେଖିସାରି ପସନ୍ଦ କରିସାର । ତା’ପରେ ମୂଲଚାଲ କରି ତୁମ ପାଇଁ ଗୋଟାଏ ଭଲ ଗାଡି ମୁଁ କିଣେଇ ଦେବି ।“

“ହେଲେ ସେମାନେ ଗାଡି ବିକିବାର କାରଣଟା କ’ଣ ନ ଜାଣିଲେ ….”

କଥାଟା ତାଙ୍କର ପାଟିରେ ହି ରହିଗଲା । ତା’ ପୂର୍ବରୁ ଚିହିଁକି ଉଠି ଲୋକା କହିଲା, “ତୁମ ମାଷ୍ଟ୍ରିଆ ବୁଦ୍ଧିକୁ ସବୁଆଡେ ଲଗାଅ ନାହିଁ ଭାଇନା ! ତୁମର ଗାଡି କିଣିବାର ଅଛି .. ସେମାନଙ୍କର ବିକିବାର ଅଛି ! କାହିଁକି ବିକିବେ .. କେମିତି ବିକିବେ .. କୋଉଠୁ ବିକିବେ .., ଏତେ କଥାରେ ଆମର ମୁଣ୍ଡ ଖେଳେଇବା କ’ଣ ଦରକାର ?”

ଟିକିଏ ଅପମାନ ଅନୁଭବ କଲେ ମହାପାତ୍ରବାବୁ । ଲୋକାର ଉକ୍ତିଟା ତାଙ୍କୁ ଭାରି ବାଧିଲା । ତାଙ୍କ ନିଜ ପାଇଁ ଯେତେ ନୁହେଁ, ତାଙ୍କ ବୃତ୍ତି ପାଇଁ ସେତେ । ତେବେ କିଛି ପଦେ କହି ଆହୁରି ଅପମାନ ସହିବା ଅପେକ୍ଷା ଚୁପ୍ ରହିବା ହିଁ ସେ ଉଚିତ ମଣିଲେ । ଲୋକା ତା’ର ବଡେଇ କରି ଚାଲିଥିଲା, “ବୁଝିଲୁ ନାନୀ, ତୁମେମାନେ ଯଦି ସିଧାସଳଖ ସେମାନଙ୍କ ପାଖକୁ ଯିବ, ତେବେ ତମକୁ ପାଞ୍ଚ ଜାଗାରେ ପଚିଶ କହିବେ ସେମାନେ । ଭାଇନାଙ୍କୁ ଦେଖୁ ଦେଖୁ ପରା ସେମାନେ ଜାଣିଯିବେ ଯେ ସୁଦ୍ଦୁ ଅନାଡି ଗ୍ରାହକଟିଏ ! ଛୁଆଙ୍କୁ ପାଠ ସିନା ପଢେଇ ଜାଣନ୍ତି, ହେଲେ ବାକି ଦୁନିଆଦାରୀ କିଛି ଜଣାନାହିଁ । କିନ୍ତୁ ମୋ ଦ୍ୱାରା କିଣିଲେ ବେଶ ଶସ୍ତାରେ ପାଇପାରିବ । ଯେତେବେଳେ ସେମାନେ ଜାଣିବେ ଯେ ତୁମେମାନେ ମୋର ନାନୀ ଭାଇନା ବୋଲି, ସେତେବେଳେ ତୁମେ କହିବା ପୂର୍ବରୁ ହିଁ ଦାମକୁ ଯଥେଷ୍ଟ କମେଇ ସାରିଥିବେ ।“

ଉତ୍ସାହିତ ହୋଇଉଠିଲେ ଶ୍ରୀମତୀ । ମହାପାତ୍ରବାବୁଙ୍କୁ କିଛି ପଚରା ଉଚୁରା କରିବାର ବି ଆବଶ୍ୟକତା ଥିବ, ଏକଥା ତାଙ୍କ ମନକୁ ହି ଆସୁନଥିଲା । ସେଇ ମୁହୂର୍ତ୍ତରେ ହି ଲୋକାକୁ ନିର୍ଦ୍ଦେଶ ଦେଇଦେଲେ ଗୋଟେ ଭଲ ଗାଡି ଦେଖି ତାଙ୍କ ପାଇଁ କିଣି ଆଣିବା ପାଇଁ । ମହାପାତ୍ରବାବୁ ଭକୁଆ ହେଇ ଖାଲି ଚାହିଁ ରହିଥିଲେ । ସେ ଯେ ଏ ଘରର ଜଣେ ମହତ୍ତ୍ୱପୂର୍ଣ୍ଣ ସଦସ୍ୟ, ଆଉ ତାଙ୍କ ମତାମତର ବି କିଛି ମୂଲ୍ୟ ଅଛି, ସେକଥା କେହି ଥରେ ହେଲେ ଚିନ୍ତା କଲେ ନାହିଁ ।

 ଯୋଜନା ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେଇଗଲା । ପୂର୍ବ ଥର ପରି ମହାପାତ୍ରବାବୁଙ୍କୁ ନ ନେଇ ଶ୍ରୀମତୀ ଗାଡି ପସନ୍ଦ କରି ଚାଲିଆସିଲେ । ଗାଡିର ରୂପଭେକ ତାଙ୍କ ମନକୁ ବେଶ୍ ପାଇ ଯାଇଥିଲା । ଦର ମୂଲାମୁଲି ବି ହେଲା । ପଚାଶ ହଜାର ଟଙ୍କାରେ କଥା ଛିଡିଲା । ଗାଡି ଆଣିବାକୁ ଗଲା ସମୟରେ ବ୍ଲାଙ୍କ୍ ଚେକ୍ ଉପରେ ସାଇନ୍ କରେଇ ଶ୍ରୀମତୀ ନେଇଯାଇଥିଲେ । ଆସିଲା ବେଳେ ନୀଳ ରଙ୍ଗର ମାରୁତି ଧରି ଫେରିଲେ ।

ଖୁସିରେ ଗୋଡ ତଳେ ଲାଗୁନଥିଲା । ‘ଆମେ ବି ଆଜିଠୁ ଗାଡିବାଲା ହେଇଗଲୁ’, ଏପରି ଏକ ଭାବ ଦର୍ଶେଇ ଗାଡିର ଚାବିକୁ ଆଙ୍ଗୁଠି ଅଗରେ ବୁଲେଇ ବୁଲେଇ ଆଣି ମହାପାତ୍ରବାବୁଙ୍କ ସାମନାରେ ଥୋଇଦେଲେ । ମନ୍ଦିରରୁ ଆଣିଥିବା ପ୍ରସାଦ ମହାପାତ୍ରବାବୁଙ୍କ ପାଟିରେ ଠୁଁସି ଦେଇ ସରୁ ଚୁମାଟିଏ ତାଙ୍କ ଗାଲରେ

ଛାପିଦେଲେ । ଅଦିନ ମେଘର ଶୀତଳ ପରଷରେ ହତବମ୍ୱ ହୋଇ ଚାହିଁ ରହିଗଲେ ମହାପାତ୍ରବାବୁ । ଏ ବୁଢାକାଳରେ ଏତେ ପ୍ରେମ ! ଗାଡି ପ୍ରତି ମନ ତାଙ୍କର କୃତଜ୍ଞତାରେ ଭିଜି ଭିଜି ଗଲା । ଯାଉ ପଛେ ପଚାଶ ହଜାର, ଆଉ ସେ ଚିନ୍ତା କରିବେ ନାହିଁ ।

ପରଦିନ ସକାଳୁ ସକାଳୁ ଗାଡି ଚଲେଇ ଶିଖିବାର ରୀତିମତ ପ୍ରାକ୍ଟିସ୍ ଚାଲିଲା । ଶିକ୍ଷକ ଥିଲେ ବାବୁ ଲୋକନାଥ, ଓରଫ ଲୋକା । ସକାଳୁ ସକାଳୁ ଆଖିରେ ଗଗଲ୍ସଟା ମାରିଦେଇ, କାନିକୁ ଛାଡି ଶ୍ରୀମତୀ ଘରୁ ବାହାରିଗଲେ । ମହାପାତ୍ରବାବୁଙ୍କର ଇଚ୍ଛା ହେଇଥିଲା କହିଦେବାକୁ ସୂର୍ଯ୍ୟର ପହିଲି କିରଣ ଆଖି ପାଇଁ ଉତ୍ତମ ଅଟେ । କିନ୍ତୁ ପାଟିକୁ ଯଥାସମ୍ଭବ ଚାପି ରଖିବାକୁ ବାଧ୍ୟ ହେଲେ । ଗାଲ ଉପରେ ଅଙ୍କା ଯାଇଥିବା ସରୁ ଚୁମ୍ୱନର ଉଷ୍ମତା ଏପର୍ଯ୍ୟନ୍ତ ବି ତାଜା ରହିଛି । 

ଦିନ ଦିନ କରି ମାସ ବିତିଲା । ତଥାପି ଶ୍ରୀମତୀଙ୍କ ଗାଡି ଶିଖା କାର୍ଯ୍ୟକ୍ରମରେ ପୂର୍ଣ୍ଣଚ୍ଛେଦ ପଡୁନଥିଲା । ସକାଳୁ ସକାଳୁ ବେଶଭୂଷା ହୋଇ ନିତି ବାହାରି ଯାଉଥିଲେ । ଅବଶ୍ୟ ପହିଲି ଜୁଆରରେ ଏବେ ସାମାନ୍ୟ ଭଟ୍ଟା ପଡି ପଡି ଆସୁଥିଲା । ତଥାପି ଗାଡି ଚଲା ଶିଖା ଚାଲିଥିଲା । କ’ଣ ଶିଖୁଛନ୍ତି, କେମିତି ଚଲୋଉଛନ୍ତି, ଜାଣିବାର ଆଗ୍ରହ ମହାପାତ୍ରବାବୁଙ୍କର ଖୁବ୍ ହେଉଥିଲା । ହେଲେ କିଛି ପଚାରି ଦେଇ ରସଭଙ୍ଗ କରିବାକୁ ସେ ଚାହୁଁନଥିଲେ । ଥାଉ, ସେ ଭାଇ ଭଉଣୀଙ୍କ କାରବାରରେ ମୁଣ୍ଡ ପୂରେଇବାକୁ ହେଲେ ସିଂହର କଲିଜା ଦାରକାର, ଯାହା ତାଙ୍କ ପାଖରେ ପ୍ରଥମରୁ ହି ନାହିଁ ।

ହଠାତ୍ ଦିନେ ମହାପାତ୍ରବାବୁ କଲେଜ୍ ବାହାରିଲା ବେଳକୁ ଶ୍ରୀମତୀ ଘୋଷଣା କଲେ ଯେ ଆଜି ତାଙ୍କୁ ସେ କଲେଜ୍ ଛାଡିବାକୁ ଯିବେ । ହାଁ କରି ମହାପାତ୍ରବାବୁ ପତ୍ନୀଙ୍କୁ ଚାହିଁ ରହିଗଲେ । ସତେ କ’ଣ ଗାଡି ଚଲେଇବା ପରି ଏକ ଦୁଃସାଧ୍ୟ କାର୍ଯ୍ୟକୁ ତାଙ୍କ ପତ୍ନୀ ଅକ୍ଳେଶରେ ଅକ୍ତିଆର କରିପାରିଛନ୍ତି !

ତାଙ୍କ କଥାବାର୍ତ୍ତାରୁ ତ ସେଇଆ ଲାଗୁଥିଲା । ତଥାପି ବିଶ୍ୱାସ କରିପାରୁନଥିଲେ । ଯିଏ ସାଇକେଲର ହ୍ୟାଣ୍ଡଲ୍ କୁ ବି ଠିକ୍ ଭାବରେ ଧରିନାହିଁ ଆଜି ପର୍ଯ୍ୟନ୍ତ, ସେ କେମିତି ଗାଡିର ଷ୍ଟିଅରିଙ୍ଗ୍ କୁ ବୁଲେଇ ବଙ୍କେଇ ପାରିବ ?

ତେବେ କଥାର ସତ୍ୟାସତ୍ୟକୁ ପରୀକ୍ଷା କରିବା ନିହାତି ଦରକାର । ଆଉ ତାହା କରିବାକୁ ହେଲେ, ପତ୍ନୀଙ୍କ ସହିତ ଗାଡିରେ ବସିବାକୁ ହିଁ ହେବ । କିନ୍ତୁ ଯଦି କିଛି ଅଘଟଣ ଘଟିଗଲା ତ ! ଭଲ ହୁଅନ୍ତା ଯଦି ପ୍ରଥମରୁ ଅନୁକୂଳ ହିଁ ବିଗିଡି ଯାଆନ୍ତା .. ମାନେ ଗାଡି ଷ୍ଟାର୍ଟ ହିଁ ନ ହୁଅନ୍ତା !

ମାତ୍ର ତାଙ୍କର ସବୁ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପକେଇ ପତ୍ନୀ ଗାଡିକୁ ଗୋଟାଏ ଥରରେ ଷ୍ଟାର୍ଟ କରିଦେଲେ । ତାଙ୍କ ଆଶାର ବିପରୀତ ଗାଡିର ଘୁଁ ଘୁଁ ଶବ୍ଦ ତାଙ୍କ କାନକୁ ବଡ ସଙ୍ଗୀତମୟ ଶୁଭିଲା । ବିଭୋର ହେଇଉଠିଲେ ମହାପାତ୍ରବାବୁ । ଯାହାହେଉ ପତ୍ନୀ ଜିଦି କଲେ ବୋଲି ସିନା ଗାଡିଟିଏ କିଣିପାରିଲେ ସେ । ମନେ ମନେ ପତ୍ନୀ ଆଉ ତା’ ଭାଇକୁ ଧନ୍ୟବାଦ ଜଣେଇଦେଇ ମହାପାତ୍ରବାବୁ ପତ୍ନୀଙ୍କ ପାଖ ସିଟ୍ ରେ ଯାଇ ବସିପଡିଲେ । ଗୌରବରେ ମୁହଁ ତାଙ୍କର ଚକ୍ ଚକ୍ କରିଉଠିଲା । ନାରୀମାନେ କେତେ ଉନ୍ନତି କରିଗଲେଣି ସତରେ ! ତାଙ୍କ ପତ୍ନୀ ପରି ସାଧାସିଧା ଘରୋଇ ସ୍ତ୍ରୀଲୋକଟିଏ ଯଦି ଏ ବୟସରେ ବି ଗାଡି ଚଲେଇବା ଶିଖିପାରିବ, ତେବେ ଆଜିକାଲିକା ଝିଅମାନେ କ’ଣ ନକରି ପାରିବେ ! ଖୁସିରେ ହୃଦୟ ତାଙ୍କର ଗଦ୍ ଗଦ୍ କରିଉଠିଲା ।

ପତ୍ନୀ ଧିରେ ଧିରେ ଗାଡିକୁ ଆଗକୁ ବଢେଇଦେଲେ । କୋଡିଏରୁ ପଚିଶି କିଲୋମିଟରର ବେଗରେ ଗାଡି ଆଗକୁ ବଢିବାକୁ ଲାଗିଲା । ଆଖିରେ ଗଗଲ୍ସ ଲଗେଇ, କାନ୍ଧରେ ନୂଆ ଭ୍ୟାନିଟି ବ୍ୟାଗ୍ ପକେଇ ଗମ୍ଭୀର ମୁଦ୍ରାରେ ବସି ପତ୍ନୀ ଗାଡି ଚଲୋଉଥିଲେ । ଧ୍ୟାନ ପୂରାପୂରି ସାମନା ରାସ୍ତା ଉପରେ କେନ୍ଦ୍ରୀଭୂତ ଥିଲା । ମିନିଟକୁ କୋଡିଏ ଥର ହର୍ଣ୍ଣଟିକୁ ବଜେଇ ପକୋଉଥିଲେ । କୁକୁର, ବିଲେଇ, ମଣିଷ, ଆଦିଙ୍କୁ ଖଣ୍ଡେ ବାଟରୁ ଦେଖିଦେଇ ଗାଡିକୁ ଅଟକେଇ ଅଟକେଇ ଚଲଉଥିଲେ । ଆଉ ମଝିରେ ମଝିରେ ପ୍ରଶଂସା ଶୁଣିବାର ମୁଦ୍ରା କରି ମହାପାତ୍ରବାବୁଙ୍କ ଉପରୁ ନଜର ବୁଲେଇ ଆଣୁଥିଲେ । ମହାପାତ୍ର ବାବୁଙ୍କ ନଜରରେ ଭରି ରହିଥିବା ପ୍ରଶଂସାର ଭାବ ପ୍ରକାଶର ଆବଶ୍ୟକତା ମଣୁନଥିଲା । ‘ହଁ, ମୁଁ ମାନିଗଲି ’ ର ନୀରବ ସ୍ୱୀକୃତି ତାଙ୍କ ଆଖିରୁ ସ୍ପଷ୍ଟ ପଢି ହେଉଥିଲା ।

ସେହି ସ୍ୱୀକୃତିକୁ ପଢିବାରେ ଅନ୍ୟମନସ୍କ ହୋଇଉଠିଥିବା ପଚ୍ନୀ ଚମକି ପଡିଲେ ହଠାତ୍ ଯେତେବେଳେ ସାଏଁ କରି ଗୋଟାଏ ସ୍କୁଟର ତାଙ୍କୁ ସାଇଡ୍ ମାରି ଆଗକୁ ବଢିଗଲା । ବ୍ରେକ୍ ଲଗୋଉ ଲଗୋଉ ଗାଡି ଯାଇ ସ୍କୁଟର୍ ର ଏକଦମ୍ ପାଖରେ ପହଞ୍ଚିଗଲା । ଚମକି ଉଠିଲେ ଆରୋହୀ ଦୁଇଜଣ । ବୁଲିପଡି ସେମାନେ କିଛି କହିବା ପୂର୍ବରୁ, ମହାପାତ୍ରବାବୁଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇ ମାଛିକୁ ମ କହୁନଥିବା ପତ୍ନୀ ତାଙ୍କର ହଠାତ୍ ପାଟିକରି ଉଠିଲେ, ”ଏମିତି କ’ଣ ସ୍କୁଟର ଚଲୋଉଛ ? ଚଲେଇ ଆସୁନି ଯଦି ଘରେ ବସିକି ରୁହ ! ରାସ୍ତାକୁ ବାହାରିବା କ’ଣ ଦରକାର ?”

ଗର୍ଜ୍ଜି ଉଠିଲେ ସ୍କୁଟରରେ ବସିଥିବା ଟୋକା ଦୁଇ ଜଣ – “ଭୁଲ ଆମର ନା ତୁମର ? ବ୍ରେକ୍ ଉପରେ ଗୋଡ ନଥୋଇ, ଆକସିଲେଟର ଚାପୁଛ, ଆଉ କହୁଛ କ’ଣ ନା, ଆମକୁ ଚଲେଇ ଆସୁନି !! ବଞ୍ଚିଗଲୁ ଠାକୁରଙ୍କ ଦୟାରୁ .. ନହେଲେ ଏଇଲେ ଆମର ରାମ ନାମ ସତ୍ୟ ହେଇଯାଇଥାନ୍ତା !”

ଶ୍ରୀମତୀ ସେମାନଙ୍କୁ ଆଉ କିଛି କହିବାକୁ ଉଦ୍ୟତ ହେଉଥିଲେ, ତା’ ପୂର୍ବରୁ ମହାପାତ୍ରବାବୁ ସ୍କୁଟର ଆରୋହୀଙ୍କୁ ‘ସରି’ କହିଦେଇ ଗାଡିକୁ ଆଗକୁ ନେଇଯିବାକୁ ପତ୍ନୀଙ୍କୁ ଇଶାରା କଲେ । ଗାଡିକୁ ଆଗକୁ ବଢେଇଦେଲେ ସତ, ହେଲେ ରାଗରେ ଫାଟି ପଡୁଥିଲେ ସେତେବେଳେ । ସ୍କୁଟର ଆରୋହୀଙ୍କ ବଦଳରେ ମହାପାତ୍ରବାବୁଙ୍କ ଉପରେ ବର୍ଷିଯାଇ କହିଲେ, “ତୁମେ କାହିଁ ସରି କହୁଥିଲ ? ତୁମ ଲାଗି ସେମାନଙ୍କୁ ଆଜି ମୁଁ ଛାଡିଦେଲି । ନହେଲେ ଭଲକରି ଦୁଇ ଚାରିପଦ ଶୁଣେଇ ଦେଇଥାନ୍ତି ! ଲୋକା କହିଛି ଗାଡି ଚଲେଇବା ବେଳେ ରାସ୍ତାରେ ଯାହା କିଛି ବି ହେଲେ ଆଦୌ ଡରିଯିବ ନାହିଁ । ବରଂ ସାମନାବାଲାଠୁ ଅଧିକ ଜୋରରେ ପାଟି କରି କଥା କହିବ । ନହେଲେ ସମସ୍ତେ ତୁମକୁ ହି ଦୋଷ ଦେବେ ।”

ହାଁ କରି ଚାହିଁ ରହିଗଲେ ମହାପାତ୍ରବାବୁ । ଏ କ’ଣ ସତରେ ତାଙ୍କରି ପତ୍ନୀ !!

ବିଶ୍ୱ ବିଦ୍ୟାଳୟରେ ପହଞ୍ଚିଲା ବେଳକୁ ପତ୍ନୀ ଆଉ ଟିକିଏ ସଜାଡି ହୋଇ ବସିଗଲେ । ବୋଧହୁଏ ତାଙ୍କ ସାଙ୍ଗସାଥୀ ଅବା ଛାତ୍ରଛାତ୍ରୀଙ୍କୁ ନିଜ କରାମତି ଦେଖେଇବାକୁ ଚାହୁଁଥିଲେ । ସ୍କୁଟରବାଲାଙ୍କ ସହିତ ମୁହାଁମୁହିଁ ହେଲା ପର ଠାରୁ ମହାପାତ୍ରବାବୁ ଟିକିଏ ଶଙ୍କି ଯାଇଥିଲେ । ଅଳପ ଅଳପ ଭୟ ମନରେ ଗଜୁରି ଉଠୁଥିଲା । ପତ୍ନୀଙ୍କ ଯୋଗ୍ୟତା ଉପରେ ଆଉ ଗର୍ବ ନ ହେଇ, ଏଇଲେ ବରଂ ଚିନ୍ତା ବଢି ଯାଇଥିଲା । ସତରେ ଏହା ପରେ ସେ ଆଉ ସ୍ୱଚକ୍ଷୁରେ ଦୁନିଆର ସୁନ୍ଦରତାକୁ ଦେଖି ପାରିବେ କି ନାହିଁ ବୋଲି ତାଙ୍କର ସନ୍ଦେହ ହେଉଥିଲା । ମନେ ମନେ ନିଜକୁ ଧିକ୍କାରୁ ବି ଥିଲେ ଯେ କାହିଁକି ଗାଡିରେ ବସି ପଡିବାକୁ ସେ ରାଜି ହେଇ ଯାଉଥିଲେ ?

ଯାହାହେଉ ଶେଷରେ ନିଜ ଡିପାର୍ଟମେମଣ୍ଟ ଆଗରେ ସହି ସଲାମତରେ ସେ ପହଞ୍ଚିଗଲେ । ଏଇଲେ ପତ୍ନୀ ଘରକୁ ଫେରିବେ । କେମିତି ଫେରିବେ, ସେ କଥାକୁ ନେଇ ତାଙ୍କୁ ବଡ ଚିନ୍ତା ଲାଗୁଥିଲା । କିନ୍ତୁ ପତ୍ନୀ ଏପରି ଭାବ ପ୍ରଦର୍ଶିତ କଲେ ଯେପରି ତାଙ୍କ ଠାରୁ ବଳିକି ଭଲ ଗାଡିଚାଳକ ମହାପାତ୍ରବାବୁ ଜୀବନରେ କେବେ ଦେଖି ନ ଥିବେ । ଧିରେ ଧିରେ ଗାଡି ବୁଲେଇ ଆଣିଲେ ସେ । ଆଃ, କିଏ ଗୋଟେ ସାଇକେଲ୍ଟେ ରଖି ଦେଇଥିଲା ସେଠି । ଶ୍ରୀମତୀଙ୍କର ସବୁ ସାବଧାନତା ସତ୍ତ୍ୱେ ସେଇ ସାଇକେଲରେ ଯାଇ ଗାଡିଟା ଜୋରରେ ପିଟି ହେଇଗଲା । ବୁଢା ୱାଚମ୍ୟାନ୍ ହାଁ ହାଁ କହି ଦଉଡି ଆସିଲା । ତାକୁ ଦେଖୁ ଦେଖୁ ଶ୍ରୀମତୀ ଗର୍ଜ୍ଜି ଉଠିଲେ, “ଏମିତି ରାସ୍ତା ମଝିଟାରେ କିଏ ରଖିଛି ସାଇକେଲଟାକୁ ? କେମିତିଆ ୱାଚମ୍ୟାନ୍ ତୁମେ …. ତୁମକୁ କ’ଣ ଏତିକି ଦିଶୁନି ? ମୋ ଗାଡିରେ ପିଟି ହେଇଗଲା ନା !!”

ୱାଚମ୍ୟାନ୍ ବୋକାଙ୍କ ପରି ଚାହିଁ ରହିଗଲା । କ’ଣ କହୁଛନ୍ତି ମ୍ୟାଡାମ୍ ? ଗାଡି ବୁଲେଇ ନ ପାରି ସାଇକେଲ୍ କୁ ଦୋଷ !

ତା’ର ସେ ଅସନ୍ତୁଷ୍ଟିଆ ଦୃଷ୍ଟିକୁ ଗୋଟାଏ ଫୁ ରେ ଉଡେଇ ଦେଇ ଶ୍ରୀମତୀ ପୁଣି ଗାଡି ଆଗକୁ ନେଇ ପଛକୁ ଜୋରରେ ବୁଲେଇ ପକେଇଲେ । ହେଲେ ସେଇଟା ଅମାନିଆ ପିଲାଟିଏ ପରି ସିଧା ଯାଇ ଫୁଟ୍ ପାଥ୍ ଉପରେ ଚଢିଗଲା । ୱାଚମ୍ୟାନଟା ଛାଟିପିଟି ହୋଇ ସେଠୁ ଦଉଡି ପଳେଇଲା । ପ୍ରାଣଟା ବଞ୍ଚିଗଲା ବୋଲି ବୋଧେ ଠାକୁରଙ୍କୁ ଧନ୍ୟବାଦ ଜଣାଉଥିଲା ଦଉଡୁ ଦଉଡୁ । ମହାପାତ୍ରବାବୁ ମୁଣ୍ଡରେ ହାତ ଦେଇଦେଲେ । ଶ୍ରୀମତୀ ଯେ ଘରେ ଯାଇ ସହି ସଲାମତରେ ପହଞ୍ଚିବେ, ତାହାକୁ ନେଇ ସନ୍ଦେହ ହେଉଥିଲେ ବି ପାଟି ଖୋଲି ପାରିଲେ ନାହିଁ । ଭୟ ଲାଗୁଥିଲା ନୂଆକରି ହେଇଥିବା ଗାଡି ମାଲିକାଣୀର ତେବରକୁ ଦେଖି ।

କିନ୍ତୁ ସେଇ ପାଖରେ ଠିଆ ହେଇଥିବା ବାଳୁଙ୍ଗା ପିଲାଗୁଡାକ ବା କାହିଁ ଭୟ କରିବାକୁ ଯିବେ ! ଗାଡିର ଚକ ଫୁଟ୍ ପାଥ୍ ସନ୍ଧିରେ ପଶି ଘୁଁ ଘୁଁ ହେଉଥିବାର ଦେଖି ମ୍ୟାଡାମ୍ ଙ୍କୁ ଶୁଣେଇ ଶୁଣେଇ କହିଲେ, “ଏ ଫୁଟ୍ ପାଥ୍ ଟା ଏବେ କେହି ରଖିଦେଇ ନାହିଁ, ଏଇଟା ଆଗରୁ ଏଇଠି ଥିଲା ।“

ଫେଁ କରି ହସି ପକେଇଲେ ଆଉ ଦଳେ ପିଲା । ରାଗରେ ଗରଗର ହେଇ ଶ୍ରୀମତୀ ଗାଡିକୁ ଆଗକୁ ବଢେଇ ଦେଲେ । ମହାପାତ୍ରବାବୁଙ୍କର ଉପର ନିଃଶ୍ୱାସ ଉପରେ, ଆଉ ତଳ ନିଶ୍ୱାସ ତଳେ ରହିଗଲା ଥ ମାରି । ହଲି ଦୋହଲି ଗାଡିଟା ଆଗକୁ ଆଗକୁ ବଢି ଚାଲିଯାଉଥିଲା । କିଏ ଜାଣେ ଘରେ ଆଜି ଠିକ୍ ଠାକ୍ ରେ ପହଞ୍ଚି ପାରିବେ ନା ନାହିଁ । ରାସ୍ତାରେ ଆଉ କାହା କାହା ଉପରେ ତାଙ୍କ ଗାଡି ଚଢିବ କି, କ’ଣ ହେବ, ସେ କିଛି ଭାବି ପାରୁନଥିଲେ । ତାଙ୍କର ମୁଣ୍ଡକୁ ଏଇଲେ ଖାଲି ଗୋଟିଏ କଥା ପଶିଥିଲା, ଏଇ ଦିନ କେଇଟା ଭିତରେ ତାଙ୍କ ପତ୍ନୀ ଏତେ ବଦଳିଗଲେ କେମିତି ? ଉଚ୍ଚ ସ୍ୱରରେ କଥା ନକହୁଥିବା ପତ୍ନୀ ତାଙ୍କର ଏଇଲେ କଥାରେ କଥାରେ ଦୁର୍ଗାମୂର୍ତ୍ତି ଧାରଣ କରିପକେଇ, ସମସ୍ତଙ୍କୁ ଏପରି ହେୟ ଦୃଷ୍ଟିରେ ଦେଖୁଛନ୍ତି କାହିଁକି ? କ’ଣ ଜଣେ ଗାଡିବାଲା ହେଇଗଲେ ବୋଲି !! ଏତେ ବଡ ଆଶ୍ଚର୍ଯ୍ୟକର କଥା ତାଙ୍କରି ଜୀବନରେ ଘଟିଲା କେମିତି !

ନା, ଆଶ୍ଚର୍ଯ୍ୟ ଖାଲି ସେତିକି ନଥିଲା, ଘରେ ତାଙ୍କ ପାଇଁ ଆହୁରି ବଡ ଆକାରରେ ଅପେକ୍ଷା ବି କରି କି ରହିଥିଲା !

ସେଦିନ ସନ୍ଧ୍ୟାରେ ଘରକୁ ପଶୁ ପଶୁ ପତ୍ନୀ ସଗର୍ବରେ କହିଉଠିଲେ, “କ’ଣ .. ଦେଖିଲ ତ ମୋ ଡ୍ରାଇଭିଙ୍ଗ୍ ? ଭଲ ଚଲୋଉଛି ନା ! ପୂରା ପ୍ରାକଟିସ୍ ତ ମୋର ହେଇଗଲାଣି, ଏଥର ଲୋକା କହୁଛି ନୂଆ ଗାଡି କିଣିବାକୁ । ଏ ଗାଡିଟାକୁ ଗୋଟାଏ ଭଲ ଦାମ୍ ରେ ସେ ବିକିଦେଇ ବି ପାରିବ । ହେଲେ ତା’ ପୂର୍ବରୁ ଆମକୁ ଆଗ ଡିସାଇଡ୍ କରିବାକୁ ପଡିବ କୋଉ କମ୍ପାନୀର ଗାଡି ଆମେ କିଣିବା ! ଆଉ ଟିକକ ପରେ ଲୋକା ଅାସିବ ବୋଲି କହିଛି, ତମେ ରେଡି ହେଇଯାଅ, ଗାଡି ଦେଖିବାକୁ ଯିବା !”

ୟା’ ପରେ ମହାପାତ୍ରବାବୁଙ୍କ ମାଷ୍ଟ୍ରିଆ ବୁଦ୍ଧି ଆଉ କ’ଣ କହିପାରିବ ? ତାଙ୍କୁ ବା କି ଜଣା - ତାଙ୍କ ପାଇଁ ହସିବା କି କାନ୍ଦିବା, କୋଉଟା ଠିକ୍ ରହିବ ଏବେ ଜୀବନ ସାରା ? ତାଙ୍କ ମୁଣ୍ଡରେ ତ ଆଉ କିଛି ପଶୁନଥିଲା । ତାଙ୍କୁ ଖାଲି ଶୁଭୁଥିଲା ସେଇ ବାଲୁଙ୍ଗା ପିଲାଗୁଡାକର ଖେଁ ଖେଁ ହସ । ସେମାନେ ବୋଧେ ତାଙ୍କ ପରିକା ନୂଆ ଗାଡିବାଲାକୁ ହିଁ ଦେଖି ହସୁଥିଲେ ।

                                                     -0-

ଅଧ୍ୟାପନା ଗାଡି ନାରୀ ସ୍ୱାଧୀନତା

Rate the content


Originality
Flow
Language
Cover design

Comments

Post

Some text some message..