Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ହତଭାଗ୍ୟ ଓଟର କାହାଣୀ
ହତଭାଗ୍ୟ ଓଟର କାହାଣୀ
★★★★★

© ଓଡିଆ ଶିଶୁ ଗପ

Children

6 Minutes   7.6K    16


Content Ranking

ଗୋଟିଏ ଜଙ୍ଗଲରେ ‘ମାଦୋତ୍କତ୍’ ନାମରେ ଜଣେ ସିଂହ ରାଜା ବସବାସ କରୁଥିଲେ । ମାଦୋତ୍କତ୍ର କେତେକ ଅନୁଚର ତାଙ୍କ ସହିତ ବସବାସ କରୁଥିଲେ । ସେମାନଙ୍କ ମଧ୍ୟରୁ କେତେକ ଶୃଗାଳ, କୁଆ ଏବଂ ଅନ୍ୟାନ୍ୟ ଜୀବଜନ୍ତୁ ପ୍ରଧାନ ଥିଲେ। ଦିନେ ରାଜାଙ୍କର ଅନୁଚରମାନେ ଜଙ୍ଗଲରେ ବୁଲୁଥିବା ସମୟରେ ଏକ ଓଟକୁ ଦେଖିବାକୁ ପାଇଲେ । ସିଂହ ମହାରାଜଙ୍କ ନିକଟରେ ପହଁଚି କହିଲେ, ‘ମହାରାଜ’! ଜଙ୍ଗଲ ମଧ୍ୟରେ ଆମେ ଏକ ଅଦ୍ଭୂତ ଜୀବ ବୁଲୁଥିବାର ଦେଖିଲୁ । ସିଂହ କହିଲା, “ପ୍ରିୟ କୁଆ! ତୁମେ ତା’ ନିକଟକୁ ଯାଅ, ତାଙ୍କର ପରିଚୟ ଏବଂ ସେ କେଉଁଠାରୁ ଓ କାହିଁକି ଏଠାକୁ ଆସିଛନ୍ତି ତାହା ବୁଝି ମୋତେ କୁହ”? ଆଦେଶ ପାଇ କୁଆ ତତ୍ କ୍ଷଣାତ୍ ଓଟ ମହାଶୟଙ୍କ ନିକଟରେ ପହଁଚିଗଲା । ଏବଂ ତା’ର ପରିଚୟ ପଚାରି ବୁଝି ରାଜାଙ୍କୁ ଆସି କହିଲା, ‘ମହାରାଜ’ ଅଦ୍ଭୂତ ଜୀବଟି ହେଉଛି ଏକ ଓଟ । ମହାରାଜ! ଜୀବଟିକୁ ହତ୍ୟାକରି ଯଦି ଭୋଜନ କରାଯାଆନ୍ତା ତା’ହେଲେ ବେଶ୍ ଭଲ ହୁଅନ୍ତା ।

ମହାରାଜ୍ ସିଂହ କହିଲେ, ‘ନା’ ତୁମେ ଭୁଲ୍ କହୁଛ । ସେ ମୋ ଜଙ୍ଗଲକୁ ଆସିଛନ୍ତି । ତେଣୁ ପ୍ରଥମତଃ ସେ ମୋର ଜଣେ ବନ୍ଧୁ । ତେଣୁ ମୋର ତାଙ୍କୁ ମାରିବା ଠିକ୍ ହେବ ନାହିଁ । ତେଣୁ ତାଙ୍କୁ ମୋ ନିକଟକୁ ନେଇଆସ । ମୁଁ ତାଙ୍କ ସହିତ ବନ୍ଧୁତା କରି ଜୀବନର ସୁଖ, ଦୁଃଖକୁ ତାଙ୍କ ସହିତ ବାଂଟି ନେଇ ଖୁସିରେ ସମୟ ଅତିବାହିତ କରିବାକୁ ଚାହେଁ । ମହାରାଜଙ୍କର ଏପରି କଥା ଶୁଣି ସମସ୍ତ ଜୀବଜନ୍ତୁ ଓଟ ମହାଶୟଙ୍କ ନିକଟରେ ପହଁଚିଲେ । ପ୍ରଥମେ ତାଙ୍କର ବିଶ୍ୱାସ ଭାଜନ ହେବାକୁ ଚେଷ୍ଟା କଲେ । ସମସ୍ତେ ତାଙ୍କୁ କହିଲେ, “ଜଙ୍ଗଲରେ ତୁମେ ନିରାପଦରେ ବିଚରଣ କରି ପାରିବ, ଯଦି ତୁମେ ସିଂହ ମହାରାଜଙ୍କ ସହିତ ବନ୍ଧୁତା କରିବ ।” ଏହି କଥା ଶୁଣି ଓଟ ମହାରାଜଙ୍କ ନିକଟକୁ ଯିବାକୁ ବାହାରିଲେ । ମହାରାଜଙ୍କ ନିକଟରେ ପହଁଚି ଓଟ କହିଲା ‘ମହାରାଜ’! ମୁଁ ‘କ୍ରାଥାନକ’ । ଆପଣଙ୍କ ଜଙ୍ଗଲରେ ଆସି ଏଇ କିଛିଦିନ ହେବ ପହଁଚିଛି । ସେ ତାଙ୍କ ଯାତ୍ରୀଦଳରୁ ଅଲଗା ହୋଇ ଏଠାକୁ ଆସିଛି ବୋଲି କହିଲା ।

ଓଟ ମହାଶୟଙ୍କ କଥା ଶୁଣିସାରିବା ପରେ ମହାରାଜ କହିଲେ, ‘ତୁମେ ଗ୍ରାମକୁ ଯାଇ ପଶୁ ପରି ବୋଝ ବୋହି ନିଜକୁ ଏତେ କଷ୍ଟ ଦିଅ ନାହିଁ । ତୁମେ ଏଠାରେ ମୋ ସାଙ୍ଗରେ ରୁହ । ନିର୍ଭୟର ସହିତ ତୁମେ ଏହି ଜଙ୍ଗଲରେ ବସ ବାସ କର ଏବଂ ଜଙ୍ଗଲର ଏହି ବହଳିଆ ସବୁଜ ଘାସକୁ ଖାଇ ଆନନ୍ଦରେ କାଳାତିପାତ କର । ଏହି କଥାଶୁଣି ଓଟ ଅତ୍ୟନ୍ତ ଆନନ୍ଦିତ ହୋଇ ଜଙ୍ଗଲର ଜୀବଜନ୍ତୁ ମାନଙ୍କ ସହ ବାସ କଲା । ଦିନେ ମହାରାଜ ମାଦୋତ୍କତ୍ ଓ ଏକ ବିରାଟକାୟ ହାତୀ ମଧ୍ୟରେ ସଂଘର୍ଷ ହେଲା । ହାତୀର ଲମ୍ବା ତୀକ୍ଷ୍ଣ ଦାନ୍ତ ଦ୍ୱାରା ମହାରାଜା ମାଦୋତ୍କତ୍ ଭୀଷଣ ଆହତ ହୋଇଥାଆନ୍ତି । ତାଙ୍କ ଶରୀର ରୁଗ୍ଣ, ଜୀର୍ଣ୍ଣ ଶୀର୍ଣ୍ଣ ହୋଇପଡିଥାଏ । ମହାରାଜ୍ ଏତେ ଦୁର୍ବଳ ହୋଇ ପଡିଥାଆନ୍ତି ଯେ, ଗୋଟିଏ ପାଦ ମଧ୍ୟ ଆଗକୁ ପକାଇପାରୁ ନଥାନ୍ତି । ତାଙ୍କ ନିକଟରେ ଥିବା ଅନୁଚର ବର୍ଗ ଯିଏ କି ଖାଦ୍ୟ ପାଇଁ ମହାରାଜଙ୍କ ଉପରେ ନିର୍ଭରଶୀଳ ସେମାନେ କ୍ରମେ ଖାଦ୍ୟ ନ ପାଇ ଉପବାସ ରହିଲେ ।

ଏହାପରେ ମହାରାଜ ସିଂହ କହିଲେ ତୁମ୍ଭେମାନେ ସମସ୍ତେ ବର୍ତ୍ତମାନ ଖାଦ୍ୟ ଅନ୍ୱେଷଣରେ ଯାଅ । ଖାଦ୍ୟ ନେଇ ଆସିଲେ ମୁଁ ଏଠାରେ ତାକୁ ମାରି ସମସ୍ତଙ୍କୁ ଖାଦ୍ୟ ଯୋଗାଇ ପାରିବି । ତେଣୁ ଜଙ୍ଗଲର ସମସ୍ତ ଜୀବ ଜନ୍ତୁ ଏଣେ ତେଣେ ଖୋଜିବାକୁ ଲାଗିଲେ କିନ୍ତୁ କୌଣସି ଠାରେ ଖାଦ୍ୟ ପାଇଲେ ନାହିଁ । ସମସ୍ତେ ନିରାଶ ହୋଇ ଫେରିଲେ । ଦିନେ ‘ଶୃଗାଳ’ କୁଆକୁ କହିଲା, ‘ଭାଇ’! ଏକ ଉପାୟ ଅଛି । ଆମେ ଯଦି ତାହା କରିପାରିବା ତା’ହେଲେ ଆମକୁ ଖାଦ୍ୟ ଅନ୍ୱେଷଣରେ ଯିବାକୁ ପଡିବ ନାହିଁ । ଏହି କଥା ଶୁଣି କୁଆ ଅତ୍ୟନ୍ତ ଆଚମ୍ବିତ ହୋଇ କିପରି ତାହା କରାଯାଇ ପାରିବ ବୋଲି କହି ଶୃଗାଳକୁ ପଚାରିଲା । ଶୃଗାଳ କହିଲା, ‘ଆମେ ଯଦି ଏହି ଓଟକୁ ମାରିଦେଇ ପାରିବା ତା’ହେଲେ ଆମକୁ ପ୍ରଚୁର ଖାଦ୍ୟ ମିଳିପାରିବ ।

ଉତ୍ତରରେ ‘କୁଆ’ କହିଲା, ‘ତୁମେ ଠିକ୍ କହୁଛ ଶୃଗାଳଭାଇ । କିନ୍ତୁ ଆମର ରାଜା ଯିଏକି ଓଟଙ୍କର ଘନିଷ୍ଠ ବନ୍ଧୁ । ସେ କ’ଣ ଏହି କଥାରେ ସମ୍ମତି ପ୍ରଦାନ କରିବେ । ଶୃଗାଳ କହିଲା, ‘ଦେଖ ମୁଁ ନିଶ୍ଚୟ ତାଙ୍କୁ ରାଜି କରାଇ ପାରିବି । ତୁମେ ଏଠାରେ ମୋର ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିବ । ଏହା କହି ଶୃଗାଳ କୁଆ ନିକଟରୁ ବିଦାୟ ନେଲା ଓ ଯାଇ ପହଁଚିଲା ମହାରାଜ୍ ସିଂହଙ୍କ ଦରବାରରେ । ଶୃଗାଳ ନମ୍ର ଭାବରେ ହାତଯୋଡି କହିଲା, ‘ମହାରାଜ’! ଆମ୍ଭେମାନେ ସମସ୍ତେ ସାରା ଜଙ୍ଗଲ ଖାଦ୍ୟ ଅନ୍ୱେଷଣ କଲୁ । କିନ୍ତୁ କୌଣସି ଠାରେ ଖାଦ୍ୟ ପାଇଲୁ ନାହିଁ । ତେଣୁ ଆମ୍ଭେମାନେ କ’ଣ କରିବୁ? ଆମ୍ଭେମାନେ ସମସ୍ତେ ଖୁବ୍ ଭୋକିଲା ଅଛୁ । ଏପରିକି ଆମ୍ଭମାନଙ୍କୁ ଚାଲିବାକୁ ମଧ୍ୟ କଷ୍ଟ ଲାଗୁଛି । ଯଦି ଆପଣ ଓଟଟିକୁ ମାରିଦିଅନ୍ତେ, ତା’ହେଲେ ଆମକୁ ପ୍ରଚୁର ଖାଦ୍ୟ ମିଳନ୍ତା ।

ମହାରାଜ ଏକଥା ଶୁଣିବା ପରେ ଚିତ୍କାର କରିଉଠିଲେ ଏବଂ କହିଲେ, ‘ଶୃଗାଳ’! ତୁମେ କ’ଣ ମୋତେ ଲଜ୍ଜା, ଅପମାନ ଦଉଛ? ସେ ହେଉଛନ୍ତି ମୋର ବନ୍ଧୁ । ତାଙ୍କୁ ମୁଁ ଏଠାରେ ନିର୍ଭୟରେ ବିଚରଣ କରିବା ପାଇଁ ଅନୁମତି ଦେଇଛି । କିପରି ତାଙ୍କୁ ମୁଁ ନିଜ ହାତରେ ହତ୍ୟା କରିବି । ଜଣକ ନିକଟରେ ବନ୍ଧୁ ହିସାବରେ ପ୍ରତିଜ୍ଞା କରି ତାଙ୍କୁ ହତ୍ୟା କରିବା ମୋ ପକ୍ଷରେ ଜଘନ୍ୟ ଅପରାଧ ହେବ । ଏହା ଶୁଣି ଶୃଗାଳ କହିଲା, ‘ମହାରାଜ’! ଏହା ନିଶ୍ଚୟ ଠିକ୍ କଥା । କିନ୍ତୁ ଯଦି ସେ ନିଜେ ତାଙ୍କ ଆଡୁ କହନ୍ତି ତାଙ୍କୁ ମାରିବା ପାଇଁ ତା’ହେଲେ ମହାରାଜ୍ ଆପଣଙ୍କୁ ପାପ ଲାଗିବ ନାହିଁ । ଯଦି ଏହା ନକରି ପାରିବେ, ତା’ହେଲେ ଆମ୍ଭମାନଙ୍କ ମଧ୍ୟରୁ ଜଣ ଜଣକୁ ହତ୍ୟା କରି ଖାଦ୍ୟ ରୂପେ ବ୍ୟବହାର କରିପାରନ୍ତି । କାରଣ ଆପଣଙ୍କର ବଂଚିବା ପାଇଁ ଖାଦ୍ୟ ନିତ୍ୟାନ୍ତ ଜରୁରୀ । ଆମ୍ଭେମାନେ ଯଦି ଆମର ଅତି ଆପଣାର ମହାରାଜାଙ୍କର ଦୁଃଖ ସମୟରେ ସମଦୁଃଖି ହୋଇ ନପାରିଲୁ ତା’ହେଲେ ଆମର ବଂଚି ରହି ଲାଭ କ’ଣ? କଥାରେ କୁହାଯାଇଛି, ‘ପରିବାରର ମୁଖ୍ୟ ଯେତେ ବିପଦ ଆସିଲେ ମଧ୍ୟ ସେ ସୁରକ୍ଷିତ ରହିବା ଆବଶ୍ୟକ । ସେ ଯଦି ମୃତ୍ୟୁ ବରଣ କରିବେ ତା’ହେଲେ ପରିବାରର ସମସ୍ତେ ଦୁଃଖରେ ଭାଙ୍ଗି ପଡି ଥାଆନ୍ତି । ତେଣୁ ଆପଣ ହେଉଛନ୍ତି ଜୀବଜନ୍ତୁ ମାନଙ୍କ ମଧ୍ୟରେ ମୁଖ୍ୟ, ଯଦି ଦୁର୍ଭାଗ୍ୟବଶତଃ ଆପଣଙ୍କର କିଛି ହୋଇଯାଏ, ତା’ହେଲେ ଆମେ ସମସ୍ତେ ହତାଶ୍ ହୋଇଯିବୁ ।

ଏହା ଶୁଣିବା ପରେ ମହାରାଜ୍ ସିଂହ କହିଲେ, ‘ତୁମ୍ଭେମାନେ ଯାହା ଭଲ ଭାବୁଛ ତାହା କର । ଏହା ଶୁଣି ଶୃଗାଳ ଅନ୍ୟ ଜୀବ ଜନ୍ତୁମାନଙ୍କ ନିକଟକୁ ଫେରିଆସିଲା ଏବଂ କହିଲା, ‘ଭାଇମାନେ’, ‘ଆମର ମହାରାଜ ଅତ୍ୟନ୍ତ ଦୁର୍ବଳ ହୋଇ ପଡିଛନ୍ତି । ସେ ଯଦି ସୁସ୍ଥ, ସବଳ ହୋଇ ନ ଉଠନ୍ତି ତା’ହେଲେ ଆମ୍ଭମାନଙ୍କୁ ସୁରକ୍ଷା ପ୍ରଦାନ କରିବ କିଏ? ଯଦି ତାଙ୍କର କିଛି ଘଟିଯାଏ? ତା’ହେଲେ ଆମ୍ଭେମାନେ କ’ଣ କରିବୁ? ତେଣୁ ସମସ୍ତେ ମୋ ସହିତ ଆସ । ଆମେ ସମସ୍ତେ ଯାଇ ମହାରାଜାଙ୍କୁ ଅନୁରୋଧ କରିବା । ମୋର ବିଶ୍ୱାସ ସେ ନିଶ୍ଚୟ ଆମ ସମସ୍ତଙ୍କର ଗୁହାରୀ ଶୁଣିବେ ।

ଏହାପରେ ଜଙ୍ଗଲର ସମସ୍ତ ଜୀବଜନ୍ତୁ ଏକ ସଂଗରେ ଯାଇ ମହାରାଜ ସିଂହଙ୍କ ନିକଟରେ ପହଁଚିଲେ । ମହାରାଜ ସିଂହଙ୍କର ଏପରି ଅବସ୍ଥା ଦେଖି ଦୁଃଖରେ ସମସ୍ତଙ୍କ ଆଖିରେ ଲୁହ ଆସିଯାଉଥାଏ । ମହାରାଜ ଏମାନଙ୍କୁ ସମସ୍ତଙ୍କୁ ଏକ ସଙ୍ଗରେ ଦେଖି ପଚାରିଲେ, ‘କଣ ଜଙ୍ଗଲରୁ କିଛି ଖାଦ୍ୟ ପାଇଲ’? ଜୀବଜନ୍ତୁମାନେ ସମସ୍ତେ ଏକସ୍ୱରରେ କହିଲେ, ‘ମହାରାଜ’ ଜଙ୍ଗଲରୁ ଆମ୍ଭମାନେ ଖାଦ୍ୟ ପାଇଲୁ ନାହିଁ । ତେଣୁ ଆମ୍ଭମାନଙ୍କ ମଧ୍ୟରୁ ଜଣ ଜଣକୁ ମାରି, ଆପଣ ଭକ୍ଷଣ କରନ୍ତୁ । ଏହାଦ୍ୱାରା ଆପଣ ସୁସ୍ଥ, ସବଳ ହୋଇପାରିବେ । ଆପଣଙ୍କ ପାଇଁ ଜୀବନଦାନ କରି ଆମ୍ଭମାନେ ସ୍ୱର୍ଗ ପୁରୀକୁ ଯାଇପାରିବୁ । ପ୍ରଥମେ କୁଆ ବାହାରିଲା ନିଜ ଜୀବନ ଦାନ କରିବା ପାଇଁ । ଏହା ଦେଖି ଶୃଗାଳ କହିଲା, ତୁମର ଶରୀର ଅତ୍ୟନ୍ତ କ୍ଷୁଦ୍ର । ଯଦି ମହାରାଜ୍ ତୁମକୁ ଭକ୍ଷଣ କରନ୍ତି । ‘ତା ହେଲେ ତାଙ୍କର କ୍ଷୁଧା ମେଂଟିବ ନାହିଁ । ଆମ୍ଭମାନେ ତୁମର ଭକ୍ତି ଦେଖିଲୁ । ତୁମେ ଆଉ ଅଧିକ ଭକ୍ତି ଦେଖାଇ ମହାରାଜାଙ୍କୁ ତୁମ ନିକଟରେ ଋଣୀ କରିଦିଅ ନାହିଁ । ତୁମେ ସ୍ୱର୍ଗ ଏବଂ ମର୍ତ୍ୟ ସର୍ବତ୍ର ପ୍ରଶଂସାର ଯୋଗ୍ୟ । ସେହିପରି ମୁଁ ମଧ୍ୟ ମହାରାଜଙ୍କ ପାଇଁ ମୋ ଜୀବନ ଉତ୍ସର୍ଗ କରିବାକୁ ପ୍ରସ୍ତୁତ । ଏହା କହି ଶୃଗାଳ ମହାରାଜଙ୍କ ସମ୍ମୁଖରେ ଅତ୍ୟନ୍ତ ନମ୍ର ଭାବରେ ଠିଆ ହୋଇ ନିଜକୁ ହତ୍ୟା କରି ଖାଆନ୍ତୁ ବୋଲି କହିଲା ଏହାଦ୍ୱାରା ତା’ର ସ୍ୱର୍ଗପ୍ରାପ୍ତି ଘଟିବ ବୋଲି ମଧ୍ୟ କହିଲା ।

ଜୀବଜନ୍ତୁ ମାନଙ୍କ ମଧ୍ୟରେ ଏହି କଥୋପକଥନ ଦେଖି ମହାରାଜ ଅତ୍ୟନ୍ତ ଦୁଃଖ ପ୍ରକାଶ କରୁଥାଆନ୍ତି । ଓଟ ଏହି ସବୁ ଦୃଶ୍ୟ ନୀରବରେ ଦେଖୁଥାଏ । ସେମାନଙ୍କ କଥୋପକଥନ ଶୁଣି ସାରିବା ପରେ ଓଟ ଉଭୟ ଶୃଗାଳ ଏବଂ କୁଆକୁ କହିଲା, ବାଃ ବାଃ, ଭାଇ ତୁମେ ମାନେ ତ ଭଲ କହୁଛ । ଉଭୟ ହେଉଛ ମାଂସାଶୀ ପ୍ରାଣୀ ଏବଂ ସିଂହ ମହାରାଜ ମଧ୍ୟ ମାଂସାଶୀ । ତେଣୁ ସେ କିପରି ତମ୍ଭମାନଙ୍କୁ ଭକ୍ଷଣ କରିବେ । ତେଣୁ ତମ୍ଭେମାନେ ବ୍ୟସ୍ତ ହୁଅ ନାହିଁ । ମୁଁ ହେଉଛି ଏକ ତୃଣ ଭୋଜୀ ପ୍ରାଣୀ । ମହାରାଜ ମୋତେ ମାରି ତାଙ୍କର କ୍ଷୁଧା ପ୍ରଶମିତ କରନ୍ତୁ । ଏହା କହିସାରିବା ପରେ ଓଟ ମହାରାଜଙ୍କ ନିକଟରେ ମୁଣ୍ଡ ନୁଆଁଇ ଠିଆ ହେଲା । ଓଟ କହିଲା, ‘ମହାରାଜ’! ଆପଣ ଅନ୍ୟ ଜୀବଜନ୍ତୁ ମାନଙ୍କୁ ନ ମାରି ମୋତେ ମାରି ଦିଅନ୍ତୁ । ଏହି କଥା ଶୁଣି ସାରିବା ପରେ ସିଂହ ଓଟ ଉପରକୁ ଲମ୍ପ ପ୍ରଦାନ କରି ତାକୁ ମାରି ଦେଲା । ଶେଷରେ ମହାରାଜଙ୍କ ସହିତ ଅନ୍ୟ ଜୀବଜନ୍ତୁମାନେ ଓଟକୁ ଖାଦ୍ୟ ରୂପେ ବ୍ୟବହାର କରି ନିଜ ନିଜର କ୍ଷୁଧା ପ୍ରଶମିତ କରିଥିଲେ ।

ଏହା କହିସାରି ସଂଜୀବକ କହିଲେ, ‘ଖଳ ପ୍ରକୃତିର ବ୍ୟକ୍ତି ସର୍ବଦା କୁ ଚିନ୍ତା ମନ ମଧ୍ୟକୁ ଆଣନ୍ତି । ସେମାନେ ସଦାସର୍ବଦା ଅନ୍ୟକୁ କିପରି ଖାଲରେ ପକାଇବେ ତାହା ଚିନ୍ତା କରନ୍ତି । ଯେ କୌଣସି ପ୍ରକାରରେ ହେଉ ମଧ୍ୟ ସେମାନେ ତୁମକୁ ଜୀବନରୁ ମଧ୍ୟ ମାରିବାକୁ ଚେଷ୍ଟା କରନ୍ତି । ସଂଜୀବକ କହିଲେ, ମହାରାଜ ପିଙ୍ଗଳକଙ୍କୁ କେହି ନା କେହି ମୋ ବିରୁଦ୍ଧରେ କିଛି କହିଛି । ଯାହା ଦ୍ୱାରା କି ମହାରାଜ ମୋ ଉପରେ କ୍ଷୁବ୍ଧ । ମୁଁ ଭଲଭାବରେ ତାହା ଜାଣି ପାରୁଛି । ତୁମେ ମୋର ଜଣେ ବିଶ୍ୱସ୍ତ ବନ୍ଧୁ । ତେଣୁ ତୁମେ ହିଁ ମୋତେ କୁହ ଏହି ପରିସ୍ଥିତିରେ ମୁଁ କ’ଣ କରିପାରିବି? ଦମନକ କହିଲେ, ‘ବନ୍ଧୁ’! ଯେତେ ଶୀଘ୍ର ତୁମେ ଏହି ସ୍ଥାନ ଛାଡି ଚାଲିଯାଅ । ସଂଜୀବକ କହିଲେ, ‘ମୁଁ ଯେଉଁ ସ୍ଥାନକୁ ଗଲେ ମଧ୍ୟ କୌଣସିଠାରେ ନିରାପଦରେ ରହିପାରିବି ନାହିଁ । ମୁଁ ଯେଉଁଠାକୁ ଗଲେ ସେ ନିଶ୍ଚୟ ମୋତେ ଅନୁସରଣ କରିବେ । ତେଣୁ ମୋ ପାଇଁ ବର୍ତ୍ତମାନ କୌଣସି ରାସ୍ତା ନାହିଁ । ବରଂ ଉଚିତ୍ ହେବ, ମୁଁ ଏଠାରେ ରହି ଯେତେ ବଡ ବିପଦ ଆସିଲେ ମଧ୍ୟ ତାକୁ ସାହସର ସହିତ ସାମ୍ନା କରିବି ।

ସଂଜୀବକଙ୍କର କଥା ଶୁଣି ଦମନକ ଚିନ୍ତାକଲେ, କୌଣସି ପ୍ରକାରେ ମଧ୍ୟ ସଂଜୀବକଙ୍କୁ ଭୁଲାଇ ହେବ ନାହିଁ । ହୁଏତ ସଂଜୀବକ ତାଙ୍କର ଶିଂଘ ମାଧ୍ୟମରେ ମହାରାଜ ପିଙ୍ଗଳକଙ୍କୁ ମାରି ଦେଇ ପାରନ୍ତି । ଦମନକ କହିଲେ, “ବନ୍ଧୁ ତୁମେ ଯାହା କହୁଛ ତାହା ସତ । କିନ୍ତୁ ତୁମେ ମହାରାଜଙ୍କର ଶକ୍ତି ସଂପର୍କରେ ଜାଣିବା ଆବଶ୍ୟକ । ତୁମେ ହୁଏତ ତାଙ୍କ ପରାକ୍ରମ ନିକଟରେ ପରାଜିତ ହୋଇପାର ଯେପରି ସମୁଦ୍ର ପକ୍ଷୀ ଦଂପତିଙ୍କୁ ଆପଣାର ଶକ୍ତି ଦ୍ୱାରା ପରାଜିତ କରି ପାରିଥିଲା ।” ସଂଜୀବକ ପଚାରିଲେ, ‘କିପରି ଏହା ସମ୍ଭବ ହୋଇପାରିଲା’?

‘ଦମନକ’ କାହାଣୀ କହିବା ଆରମ୍ଭ କଲେ ।

ଜଙ୍ଗଲ ମାଦୋତ୍କତ୍ ସିଂହ

Rate the content


Originality
Flow
Language
Cover design

Comments

Post

Some text some message..