Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡିଆ ଶିଶୁ ଗପ

Children Classics

0  

ଓଡିଆ ଶିଶୁ ଗପ

Children Classics

ଶୁଆ ଶାରୀ କଥା - ୧୨

ଶୁଆ ଶାରୀ କଥା - ୧୨

7 mins
863


ସୁନାମାଛ କଥା

ବହୁ ଦିନ ତଳର କଥା । ଗୋଟିଏ ରାଇଜରେ ଜଣେ ଅସୁର ରାଜା ରହୁଥିଲେ । ସେ ବହୁତ ପ୍ରତାପୀ । ଦେବତା ମାନଙ୍କୁ ମାନୁ ନଥିଲେ । ଚାକର ଭଳି ସେମାନଙ୍କୁ ଖଟାଉ ଥିଲେ ।

ଅସୁର ରାଜା ଦିନେ ଆଦେଶ ଦେଲେ ରାଜ୍ୟରେ ଯାଗଯଜ୍ଞ ଦିଅଁ ଦେବତା ପୂଜାପୁଜି କେହି କରି ପାରିବେ ନାହିଁ । ଯିଏ ଏସବୁ କରିବ ତାର ମୁଣ୍ଡ କାଟ ହେବ ।

ଏ କଥା ଶୁଣି ସମସ୍ତେ ଭୟରେ ଥରହର ହେଲେ । କେତେ ବେଳେ କ’ଣ ରାଜାଙ୍କ ଆଦେଶ ହେଉଛି କହିବା ବହୁତ କଠିନ ।

ଦିନେ ରାଜ ଦରବାର ବସିଲା । ପାତ୍ର, ମନ୍ତ୍ରୀ, କଟୁଆଳ ସବୁ ଏକାଠି ହୋଇ ଭଲମନ୍ଦ ଆଲୋଚନା କଲେ । ଏହି ସମୟରେ ଜଣେ ଅତି ଦରିଦ୍ର ବ୍ୟକ୍ତି ଆସି ସେଠି ଠିଆ ହେଲା ।

ରାଜା ପଚାରିଲେ – ତୁ କିଏ? ଏଠି କାହିଁକି ଆସି ଠିଆ ହୋଇଛୁ? କ’ଣ ଦରକାର?

ସେ ଲୋକଟି କହିଲା – ମହାରାଜ ! ମୋ ଘରେ କିଛି ହେଲେ ଖାଇବାକୁ ନାହିଁ, ଛୁଆପିଲା ଭୋକରେ ଆଉଟୁ ପାଉଟୁ ହେଉଛନ୍ତି । ଧନ ନାହିଁ, କେମିତି ଚଳିବି ତାର ବନ୍ଦୋବସ୍ତ କରାଇ ଦିଅନ୍ତୁ ।

ଅସୁର ରାଜା କିଛି ସମୟ ଯାଏଁ ଭାବିଲେ, ତାପରେ କହିଲେ, ତୁ ଗୋଟିଏ କାମ କର । ଏ ଚିଠି ଲେଖି ଦେଉଛି, ଏ ଚିଠି ନେଇ ମୋର ବନ୍ଧୁ ଯକ୍ଷରାଜ ପାଖକୁ ଯାଆ । ତା ରାଜ୍ୟରେ ବହୁତ ଧନଦରବ ଅଛି, ସେ ତୋତେ ବହୁତ ଧନଦରବ ଦେବ । ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।

ସେ ଲୋକଟି ରାଜାଙ୍କ ଠାରୁ ଚିଠି ଖଣ୍ଡିକ ଧରି ସତକୁ ସତ ଯକ୍ଷପୁରୀରେ ପହଁଚିଲା । ଭିତରକୁ ଯିବା ପାଇଁ ସାହାସ ହେଉ ନଥାଏ, ତଥାପି ସାହାସ କରି ଦ୍ୱାରପାଳକୁ ସବୁ କଥା କହିଲା । ଅନୁମତି ପାଇ ଭିତରକୁ ଗଲା ଓ ଚିଠି ଖଣ୍ଡିକ ଯକ୍ଷରାଜାଙ୍କୁ ଦେଲା ।

ଯକ୍ଷରାଜା ଚିଠି ଖଣ୍ଡିକ ପଢି ସାରି ପଚାରିଲେ – ତୁମେ ସବୁ କି କାମ କରିପାରିବ?

ସେ ଗରିବ ଲୋକଟି କହିଲା – ଆଜ୍ଞା, ଛାମୁ ଯାହା ଆଦେଶ ଦେବେ ସେହି ସବୁ କାମ କରି ପାରିବି ।

ରାଜା କହିଲେ – ତେବେ ତୁମେ ମୋ ପାଖରେ ରୁହ । ମୁଁ ଯେତେ ବେଳେ ଯାହା କହୁଥିବି ତୁମେ ତାହା କରୁଥିବ । ଏମିତି କିଛି ଦିନ ଗଲା । ରାଜା ଧନଦରବ ଦେଇଥାନ୍ତି, ଲୋକଟି ନିଜ ଘରକୁ ପିଲାପିଲିଙ୍କ ପାଇଁ ପଠାଉଥାଏ । ଦିନେ ରାଜା ଲୋକଟିକୁ ଡାକି କହିଲେ – ତୁମେ ଆଜି ଯାଅ, ମୋ ପାଇଁ ଭଲ ଭଲ ମାଛ ଧରି ଆଣିବ । ଏକଥା ଶୁଣିବା ମାତ୍ରେ ସେହି ଲୋକଟି ସେଇ ରାତିରେ ଖଣ୍ଡିଏ ଜାଲ ଧରି ବାହାରିଲା ମାଛ ଧରିବାକୁ ।

ରାଣୀଫୁଲ ଭଳି ଜହ୍ନରାତି । ଏମିତି ନଈନାଳ ଖୋଜୁ ଖୋଜୁ ଗୋଟିଏ ପୋଖରୀ ପାଖରେ ଯାଇ ପହଁଚିଲା । ପୋଖରୀ ସାରା ମାଛ ଭର୍ତି । ମାଛ ମାନେ ମନ ଆନନ୍ଦରେ ଖେଳୁଥାନ୍ତି । ସେ ଜାଲଟି ସଜାଡି ପୋଖରୀରେ ପକାଇବାକୁ ଯାଉଛି, ଗୋଟିଏ ପକ୍ଷୀ କେଉଁଠି ଥିଲା କେଜାଣି ଉଡି ଆସି ସତର୍କ କରାଇ ଦେଇ କହିଲା – ସାବଧାନ୍ ! ବହୁତ ବିପଦ ଅଛି ।

ଲୋକଟି ପଚାରିଲା କି ବିପଦ ।

ପକ୍ଷୀ କହିଲା – ଏ ମାଛ ମାନଙ୍କର ଜଣେ ରାଜା ଅଛି । ତୁ ଯଦି ଥରକୁଥର ଦୁଇଥର ଜାଲ ପକାଇବୁ ତେବେ ସେ ଆସି ଟାଉକରି ତୋତେ ଗିଳିଦେବ । ଏଣୁ ଥରେ ମାତ୍ର ଜାଲ ପକା ।

ଲୋକଟି ଏକଥା ଶୁଣି ଡରି ଗଲା । ଥରେ ମାତ୍ର ଜାଲ ପକାଇଛି ଦୁଇଟି ସୁନା ମାଛ ପଡିଗଲେ । ସେ ମନେ ମନେ ବହୁତ ଖୁସି ହୋଇ ରାଜାଙ୍କ ପାଖରେ ହାଜର ହୋଇ ଗଲା । ରାଜା ମଧ୍ୟ ଖୁସିରେ ଅଧିର ହୋଇ ଉଠିଲେ ଏବଂ ସଙ୍ଗେ ସଙ୍ଗେ କିଛି ବକ୍ସିସ୍ ମଧ୍ୟ ଦେଲେ ।

ରାଜା ପୁଝାରୀକୁ ଡକାଇ କହିଲେ – ଏ ମାଛ ନେଇ ତରକାରୀ କର, ମୁଁ ଭୋଜନ କରିବି ।

ପୁଝାରୀ ବିଚରା ମାଛକୁ କଟା କଟି କରି ଧୂଆ ବଛା ଆଦି ସାରି ଲୁଣ ହଳଦୀ ଗୋଳାଇ ଯେମିତି ତାଉଆରେ ପକାଇ ଦେଇଛି ମାଛ ମାନେ ପୁଣି ଯୋଡି ହୋଇ ଯାଇ ମୁଣ୍ଡ ଟେକି ଅନେଇଲେ । ହଠାତ୍ ରୋଷେଇ ଘର କବାଟ ମନକୁମନ ଧଡ ଧାଡ ହୋଇ ଖୋଲିଗଲା ଆଉ ଘରକୁ ପଶି ଆସିଲା ଜଣେ ସୁନ୍ଦର ସ୍ତ୍ରୀଲୋକ । ପୁଝାରୀ ବିଚରା ତାକୁ ଦେଖି ପିଳେଇ ପାଣି । ଗୋଟିଏ କୋଣକୁ ଆଉଜି ଠିଆ ହୋଇଥାଏ ।

ସ୍ତ୍ରୀ ଲୋକଟି ତାଉଆ ପାଖକୁ ଯାଇ କହିଲା ତୁମେ ତୁମ ମାନଙ୍କର କାମ କରୁଛ ତ?

ମାଛ ଦୁହେଁ କହି ଉଠିଲେ – ହଁ, ଆଉ ତୁମେ ଯାହା କହିବ ତାହା ମଧ୍ୟ କରିବୁ ।

ଏହି କଥା ଶୁଣି ସେ ସୁନ୍ଦରୀ ସ୍ତ୍ରୀଲୋକଟି ତାଉଆକୁ ଧରି ଓଲଟାଇ ଦେଲା । ମାଛ ଚୁଲୀରେ ପଡି ପୋଡି ପାଉଁଶ ହୋଇ ଗଲେ ଆଉ ସେ ସ୍ତ୍ରୀଲୋକଟି ମଧ୍ୟ କେଉଁ ଆଡେ ଉଭାନ୍ ହୋଇଗଲା । ପୁଝାରୀ ମନେ ମନେ ଭାବୁଥାଏ, ଆଜି ନିଶ୍ଚୟ ମୋର ମୁଣ୍ଡ କାଟ ହେବ । ରାଜା ଏତେ ସ୍ନେହ କରି ମାଛ ରାନ୍ଧିବାକୁ ଦେଇଥିଲେ । ମୁଁ ଏ ସବୁ କଥା କହିଲେ ସୁଦ୍ଧା ସେତ ସତ ମଣିବେ ନାହିଁ । ଯାହା ହେବାକୁ ଥିବ, ତାହା ହେବ କିନ୍ତୁ ଏକଥା ରାଜାଙ୍କୁ ନିଶ୍ଚୟ କହିବି ।

ରାଜ ଦରବାର ବସିଛି । ପୁଝାରୀ ଯାଇ ହାତ ଯୋଡି ଠିଆ ହେଲା ପୁଝାରୀକୁ ଦେଖି ରାଜା ମାନେ ମନେ ମନେ ବହୁତ ଖୁସି । ସେ ଭାବିଲେ ବୋଧେ ପୁଝାରୀ ମୋତେ ଖାଇବାକୁ ଡାକିବା ପାଇଁ ଆସିଛି । ରାଜା ମନ୍ତ୍ରୀକୁ କହିଲେ – ମନ୍ତ୍ରୀ, ପଚାରନ୍ତୁ ରନ୍ଧା ସରିଲାଣି କି ନାହିଁ । ମନ୍ତ୍ରୀ ପଚାରିବାରୁ ପୁଝାରୀ କାନ୍ଦି କାନ୍ଦି ସବୁକଥା କହିଗଲା । ଏକଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏମିତି ଘଟଣା ତ ଦିନେ ହେଲେ ଘଟିନାହିଁ, ଏ ପୁଝାରୀ ବୋଧେ ମିଛ କହୁଛି । ଏଣୁ ପୁଝାରୀକୁ ବିଦାୟ କରିଦେଲେ ।

ଯେଉଁ ଲୋକଟି ମାଛଧରି ଆଣିଥିଲା ତାକୁ ରାଜା ବରାଦ ଦେଲେ – ତୁମେ ଯାଅ, ଆଉ ମୋ ପାଇଁ ସୁନା ମାଛ ଧରିଆଣ । ହଁ, ଯେଉଁ ପୋଖରୀରୁ ଏ ମାଛ ଆଣିଥିଲ, ସେହି ପୋଖରୀରୁ ହିଁ ଆଣିବ ।

ଲୋକଟି ପୁଣି ଜାଲ ଧରି ସେହି ପୋଖରୀକୁ ଗଲା । ପୁଣି ଥରେ ମାତ୍ର ଖେପା ପକାଇ ଦୁଇଟି ମାଛ ଆଣିଲା । ଏଥର ମନ୍ତ୍ରୀ ରାଜାଙ୍କୁ କହିଲେ – ତୁମେ ରୋଷେଇ ଘରେ ଥିବ, ମାଛ ରନ୍ଧା ସରିବା ଯାଏଁ ଜଗି ବସିଥିବ । ଦେଖିବା କ’ଣ ସବୁ ଘଟୁଛି । ରନ୍ଧା ସରିଲେ ମୋତେ ଖବର ଦେବ, ମୁଁ ଯାଇ ଖାଇବି ।

ମନ୍ତ୍ରୀଙ୍କ ଆଖି ଆଗରେ ସବୁ ଘଟିଗଲା । ସ୍ତ୍ରୀ ଲୋକଟିଏ ଆସି ତାଉଆକୁ ଓଲଟାଇ ଦେଇ ଚାଲିଗଲା । ମନ୍ତ୍ରୀ ଆସି ରାଜାଙ୍କୁ ସବୁ କଥା ଆଦ୍ୟରୁ ପ୍ରାନ୍ତ ଯାଏଁ କହିଗଲେ । ରାଜା ଏ ଅଦ୍ଭୁତ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ।

ସେଇଦିନ ସେମିତି କଟିଗଲା । ତା ପର ଦିନ ରାଜା ପୁଣି ମାଛ ମରାଇଲେ । ନିଜେ ରୋଷେଇ ଘରେ ରହି ମାଛ ରନ୍ଧାଇଲେ । ସେଦିନ କିନ୍ତୁ ସେ ସ୍ତ୍ରୀଲୋକଟି ଆସିଲା ନାହିଁ, ଜଣେ କଳା ମଚମଚ ଡେଙ୍ଗା ଲୋକ ଆସିଲା । ମାଛ ମାନଙ୍କୁ କହିଲା – ତୁମେମାନେ ତୁମ କାମ କରୁଛ ତ?

– ହଁ, ଆମେ ଆମ କାମ କରୁଛୁ, ହେଲେ ତୁମେ ଏଠାରୁ ପଳାଇଗଲେ ଆମେ ଟିକିଏ ଶାନ୍ତିରେ ରହିବୁ ବୋଲି ମାଛମାନେ କହିଲେ ।

ରାଜା ଏସବୁ ଦୃଶ୍ୟ ଦେଖି ମନେ ମନେ ଭାବିଲେ, ଏଥିରେ ନିଶ୍ଚୟ କିଛି ରହସ୍ୟ ଅଛି । ଏହି ଘଟଣାର ମୁଳ ମୋତେ ଖୋଜି ବାହାର କରିବାକୁ ହେବ ।

ରାଜା ପାତ୍ର, ମନ୍ତ୍ରୀଙ୍କୁ ଡକାଇଲେ । କହିଲେ – ମୁଁ ଫେରିବା ଯାଏଁ ତୁମେ ମାନେ ରାଜ୍ୟ ସମ୍ଭାଳ । ଏ ମାଛର ସମସ୍ତ ବିବରଣୀ ମୁଁ ବୁଝିକରି ଆସିବି, କୌଣସି ତଥ୍ୟ ନ ପାଇଲା ଯାଏଁ ଫେରିବି ନାହିଁ ।

ଯକ୍ଷରାଜା ଅସ୍ତ୍ରଶସ୍ତ୍ରରେ ନିଜକୁ ସଜାଇ ବାହାରିଗଲେ । ଘୋଡା ଦ୍ରୁତ ଗତିରେ ଛୁଟିଥାଏ । ଏମିତି କେତେ ବଣ, ପାହାଡ ସେ ପାରି ହୋଇଗଲେ । ରାଜା କାହା ଠାରୁ ଏ ଖବର ସଂଗ୍ରହ କରିବେ ସେକଥା ଭାବୁଥାନ୍ତି, ତିନୋଟି ପାହାଡ ଦେଖିଲେ । ପାହାଡ ପାରି ହେବାକୁ ଯାଉଛନ୍ତି, ଦେଖିଲେ ପାହାଡ ମଝିରେ ସୁନ୍ଦର ଶଙ୍ଖ ମର୍ମର ପଥରର ପ୍ରାସାଦ ଟିଏ । ସେ ପ୍ରାସାଦ ଭିତରକୁ ପଶିଲେ । ଦେଖିଲେ ହୀରା, ଲୀଳା, ମୋତି, ମାଣିକ୍ୟ ସବୁ ସୁଯତ୍ନରେ ସଜ୍ଜା ହୋଇଅଛି ।

ରାଜା ଡାକ ପକାଇଲେ, ହେଲେ କେହି ହେଲେ ଶୁଣିଲେ ନାହିଁ । ଚାରି ଆଡକୁ ଚାହିଁଲେ, ହେଲେ ସେଠାରେ କାଉ କୋଇଲିର ରାବ ନାହିଁ । କେବଳ କିଏ ଜଣେ କାନ୍ଦୁ ଥିବାର ସେ ଶୁଣିଲେ । ରାଜା ପ୍ରଥମେ ଡରି ଗଲେ, ତା ପରେ ଦମ୍ଭ ଧରିଲେ । ଜୀବନ ଯାଉ ପଛେ ଯେଉଁ କାମରେ ସେ ଆଗେଇ ଛନ୍ତି ତାଙ୍କୁ ଆଗେଇ ବାକୁ ପଡିବ । ଦେଖାଯାଉ କ’ଣ ସବୁ ଘଟି ଯାଉଛି ।

ଆସ୍ତେ ଆସ୍ତେ ଘର ଭିତରକୁ ପଶିଲେ । ଦେଖିଲେ ଜଣେ ଯୁବକ ସେଠାରେ ବସି କାନ୍ଦୁଛି । ଯୁବକଟିର ଦେହର ଅନେକ ଅଂଶ ପଥର ପାଲଟି ଯାଇଛି । ସେ ଆଉ ଚଳ ପ୍ରଚଳ କରିପାରୁନି, ସେଇଠି ବସି କାନ୍ଦୁଛି । କାରଣ କ’ଣ ବୋଲି ଯକ୍ଷ ରାଜ ଜାଣିବାକୁ ଚାହିଁଲେ । ଯୁବକଟି ନିଜ କଥା କହିବାକୁ ଆରମ୍ଭ କଲା –

ମୁଁ ଏ ରାଜ୍ୟର ଯୁବରାଜ । ମୋ ନାମ ଅନଙ୍ଗ ପ୍ରତାପ । ମୁଁ ଜଣେ ସୁନ୍ଦରୀ ରାଜ କନ୍ୟାକୁ ବିବାହ କରିଥିଲି । ସେ କିନ୍ତୁ ଥିଲା ଜଣେ କୁହୁକିନୀ । କେତେ ଦିନ ପରେ ଥରେ ତାର ମୋର କୌଣସି କାରଣରୁ କଜିଆ ହେଲା । ସେ ମୋଠାରୁ ସମ୍ପୂର୍ଣ୍ଣ ସମ୍ପର୍କ ତୁଟାଇ ଦେଲା ଓ ମନ୍ତ୍ର ବଳରେ ପଥର ଖଣ୍ଡ ଖଣ୍ଡ କରି ଏଘରେ ପକାଇ ରଖିଛି । ଆଉ ମୋ ଚାକର ସହିତ ସେ ପ୍ରେମ ସମ୍ପର୍କ ରଖିଛି । ତାସହିତ ଜୀବନ କଟାଉଛି । ମୋ ନିଜ ଅନୁଗତ ମାନଙ୍କୁ ସୁନା ମାଛ କରି ପୋଖରୀରେ ରଖିଛି । ମୁଁ ଏମିତି ଅଧା ଆହାର କରି ଭୋକ ଉପାସରେ ପଡିଥାଏ । ଆଉ ସେ ସବୁଦିନ ଆସି ଘୋଡା ଚାବୁକରେ ପାହାର ଦିଏ । ତେଣୁ ମୁଁ ମୋ ଭାଗ୍ୟକୁ ନିନ୍ଦା କରି କାନ୍ଦୁଛି ।

ଯକ୍ଷ ରାଜ ଯୁବକଠାରୁ ସବୁ ଘଟଣା ଶୁଣି ସାରି କହିଲେ, ବନ୍ଧୁ ରାଜ ପୁତ୍ର । ତୁମର କଷ୍ଟ ଶେଷ ହେଲା ବୋଲି ଜାଣ । ତୁମକୁ ମୁଁ ଅତି ଶୀଘ୍ର ଉଦ୍ଧାର କରିଦେଉଛି । ରାଜା ସେଦିନ ସେହି ପ୍ରାସାଦରେ ଲୁଚିକରି ରହିଲେ । ଯେଉଁ ଘରେ ଏ ସୁନ୍ଦରୀ କୁହୁକିନୀ ତା ପ୍ରେମିକ ସହିତ ବିତାଏ ସେହି ଘରେ ଲୁଚି ଛପି ପଶି ଗଲେ ।

ହଠାତ୍ କଳା ମଚ ମଚ ଡେଙ୍ଗା ଲୋକଟି ସେଇ ଘରକୁ ପଶି ଆସିଲା । ରାଜା ସେଇ ଲୋକଟିକୁ କିଛି ନପଚାରି ଦୁଇ ଖଣ୍ଡ କରି କାଟି ଦେଲେ । ତାର ଲୁଗା ପଟା ପିନ୍ଧି ସେଇ ରୂପରେ ପଲଙ୍କ ଉପରେ ବସି ଗଲେ । ସେ ତକ୍ଷକ ରାଜା । ରୂପ ବଦଳାଇବା ତାଙ୍କ ପାଇଁ ବା କେଉଁ କଷ୍ଟକର କଥା । କିଛି ସମୟ ପରେ ସେହି କୁହୁକିନୀ ପୂର୍ବ ପରି ଯୁବକଟିକୁ ଘୋଡା ଚାବୁକରେ ବହୁତ ମାରି ରଙ୍ଗ ମହଲକୁ ଫେରି ଆସିଲା । ରାଜାଙ୍କୁ ପ୍ରେମିକ ଭାବି ବାର୍ତାଳାପ କରିବାକୁ ଲାଗିଲା ।

ରାଜା କହିଲେ, ହେ ପ୍ରିୟେ ତୁମେ ଯଦି ପ୍ରକୃତରେ ମୋତେ ଭଲ ପାଉଥାଅ ତେବେ ମୋର ଗୋଟିଏ ଅନୁରୋଧ ରକ୍ଷା କରିବ ।

କୁହୁକିନୀ କହିଲା, କେଉଁ କଥା କହୁଛ କହୁନ?

ରାଜା କହିଲେ ସତ୍ୟ କଲେ କହିବି । ସେ ସୁନ୍ଦରୀ ସତ୍ୟ କଲା । ରାଜା କହିଲେ, ଗୋ ସୁନ୍ଦରୀ ସେ ଯୁବକ ବହୁତ ଦଣ୍ଡ ଭୋଗ କଲାଣିଏବେ ତାକୁ ପଥରରୁ ମୁକ୍ତ କର । ସେ ଏଠାରୁ ଚାଲିଯାଉ ସେ ଥିଲେ ମୋତେ ଭଲ ଲାଗୁନି । ଆଉ ତା ନିଜ ଲୋକ ମାନଙ୍କୁ ମାଛରୁ ମଣିଷ କରି ଦିଅ । ଏ ସମସ୍ତଙ୍କୁ ଏ ରାଜ୍ୟରୁ ତଡି ଦେବା ପାଇଁ ମୁଁ ଚାହୁଁଛି । ତାପରେ ଆମେ ସୁଖରେ ଏ ରାଜ ପ୍ରାସାଦରେ ରହିବା । କେହି ହେଲେ ଆମ ପାଇଁ କଂଟା ହୋଇ ରହିବେ ନାହିଁ ।

କୁହୁକିନୀ ତ ପ୍ରେମରେ ବିହ୍ୱଳ ହୋଇ ଯାଇ ଥିଲା । ସେ ସଙ୍ଗେ ସଙ୍ଗେ ମନ୍ତ୍ର ବଳରେ ରାଜ ପୁତ୍ର ଓ ତା ନିଜ ଲୋକ ମାନଙ୍କୁ ଦେହ ଫେରାଇ ଦେଲା ।

ଯକ୍ଷ ରାଜା ଦେଖିଲେ ତାଙ୍କର ଅଭିଳାଷ ପୂର୍ଣ୍ଣ ହୋଇଛି । ସେ କୁହୁକିନୀ ସହିତ କୁତ୍ରିମ ପ୍ରେମ କଲେ ସମୟ ଉଣ୍ଡି ତୀକ୍ଷ୍ନ ତରବାରୀରେ ତାର ମୁଣ୍ଡ କାଟି ପକାଇଲେ ।

ରାଜ ପୁତ୍ର ଓ ତା ନିଜ ଲୋକମାନେ ଆସି ସେଠି ପହଁଚି ଯାଇଥିଲେ । ରାଜ ପୁତ୍ର ଯକ୍ଷ ମାନଙ୍କୁ ଦେଖି କୁଣ୍ଢେଇ ପକାଇଲେ । ଯକ୍ଷ ରାଜା କହିଲେ, ବନ୍ଧୁ ! ତୁମେ ଏଣିକି ନିଜ ଲୋକ ଓ ପ୍ରଜା ମାନଙ୍କୁ ନେଇ ସୁଖରେ ରାଜ୍ୟ ଶାସନ କର । ତୁମ ପ୍ରତି କୌଣସି ବିପଦ ନାହିଁ । ମୁଁ ମୋ ରାଜ୍ୟକୁ ଫେରି ଯାଉଛି । ଏତିକି କହି ରାଜା ଘୋଡା ଚଢି ନିଜ ରାଜଧାନୀ ଆଡକୁ ମୁହାଁଇଲେ ।

ଶୁଆ କହିଲା, ଶୁଣିଲୁଲୋ ଶାରୀ ମାଇପି ଜାତିକୁ ସହଜରେ ବିଶ୍ୱାସ କରିବା ଉଚିତ୍ ନୁହେଁ । ବିଶ୍ୱାସରେ ସେମାନେ ବିଷ ଦେଇ ଦେବେ ।

ଶାରୀ କହିଲା, ଶୁଆ ସତରେ ତୋତେ କଥାରେ ପାରି ହେବନି । ସବୁବେଳେ ପୁରୁଷ ପୁରୁଷ ସ୍ତ୍ରୀ ସ୍ତ୍ରୀ । ଉଭୟ ଉଭୟଙ୍କୁ ଛାଡି ରହି ପାରିବେ ନାହିଁ । କିଏ ଭଲ ଆଉ କିଏ ମନ୍ଦ ବୋଲି କହିବା ।

ଶୁଆ କହିଲା, ଆଲୋ ଶାରୀ ସେତିକି ନୁହେଁ ଜଣେ ରାଜ ପୁତ୍ରର ପୁରୁଷ ପଣିଆ କଥା କହୁଛି ଶୁଣ । ଏଇଟା ଗୋଟାଏ ଲମ୍ବା କଥା ବ୍ୟସ୍ତ ହେବୁନି ।


Rate this content
Log in

Similar oriya story from Children