ଭାଇ
ଭାଇ
ଲିପା ଆଜି ଢେର କଥା ଶୁଣାଇ ଦେଲା ଭାଇକୁ। ଦିନେ ଯାହା ଆଗରେ ମୁଣ୍ଡ ଟେକି ବାଟ ଚାଲି ନ ଥିଲା, ଆଜି ତାକୁ ମୁହେଁ ମୁହେଁ ଜବାବ ଦେଲା। ଭାଉଜ ବି ବାଦ ପଡି ନ ଥିଲେ। ଭାଉଜ କେବଳ ଏତିକି କହିଲେ " ଲିପା ସେ ତୁମ ବଡ଼ ଭାଇ, କଥା ବାର୍ତ୍ତା କିପରି କରାଯାଏ ଜାଣିନ"। ଲିପା ବି କୋଠର ଶବ୍ଦ ରେ ଜବାବ ଦେଲା " ମୁଁ ଜାଣିଛି, ମତେ ସେ କେତେ ବଡ଼ ଘରେ ଦେଇଥାନ୍ତା। ଦିନେ ଅଧେ ନୁହେଁ, ଦୁଇ ବର୍ଷ ହେବ ସବୁ ଦିନ ଶୋଧା, ଗାଳି । ହଁ ମୁଁ ଭୁଲ କରିଛି, ତା ବୋଲି ଅଭାଷା ଭାଷା ଯାହା ମନକୁ ଆସିବ। ଅଶିକ୍ଷିତ ମୂର୍ଖ ବି ଏପରି ଶବ୍ଦ ମୁହଁରେ ଧରିବେନି"। ଏତିକିରେ ସମସ୍ତଙ୍କ ମୁହଁ ବନ୍ଦ। ସମସ୍ତେ ନିରବ, ଘରେ ରୋଷେଇ ବାସ ବନ୍ଧ।
ଅପରାହ୍ନରେ ଲିପା ଛାତ ଉପରେ ବସି ଦୂର ଦିଗବଳୟର ଭସା ବାଦଲ ସମୂହକୁ ଦେଖି କେତେ କଣ ଭାବି ଚାଲିଛି। ଜୀବନରେ ଭଲ ନ ପାଇବାକୁ ପଣ କରିଥିବା ସ୍ୱାଭିମାନି ଝିଅଟି କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ମନ ଦେଇ ବସିଛି ମନର ରାଜକୁମାରକୁ । ପ୍ରେମ କେହି କେବେ କରେନି, ଆପେ ଆପେ ହୋଇଯାଏ। ପ୍ରେମ ତ ଈଶ୍ୱରଙ୍କ ଅବଦାନ, ପ୍ରେମ ଶାଶ୍ୱତ ଏବଂ ଚିରନ୍ତନ । ପ୍ରେମ କାହାକୁ ବାଟ ବଣା କରେ, କାହାକୁ ଆବାହନ କରେ ତାର କାଉଁରୀ ଛୁଆଁରେ। ଝିଅଟିଏ ଚାହେଁ ସୁନ୍ଦର ମନଟିଏ, ଯିଏକି ବୁଝିପାରୁଥିବ ତା ହୃଦୟକୁ, ସୁଖ ଦୁଃଖରେ ସାଥି ହୋଇ ଚାଲିଥିବ ସାରା ଜୀବନ। ଲିପା ବି ତାର ମନର ମଣିଷକୁ ନେଇ ଦେଖି ଥିଲା ଅନେକ ସ୍ବପ୍ନ, ସାଇତି ଥିଲା ଅନେକ ସ୍ମୁତି ଆଉ ଅନେକ ଅକୁହା କାହାଣୀ । ହେଲେ ଲିପା ପାଇଁ ଆଜି ଚାରିଆଡେ ଅନ୍ଧକାର, ଜୀବନଯାତ୍ରା ଆରମ୍ଭରୁ ବାଟବଣା । ପରିବାରର ସମସ୍ତେ ଦେଉଛନ୍ତି ନିନ୍ଦା, ଆଉ ଅପବାଦ। ଯେଉଁ ବାପା ଦଣ୍ଡେ ନ ଦେଖିଲେ ବ୍ୟସ୍ତ ହୋଇ ପଡନ୍ତି, ସେ ଆଜି କଥା କହୁ ନାହାନ୍ତି। ବାପା ଭାଇଙ୍କ ମୁହଁକୁ ଲାଜରେ ଚାହିଁ ପାରୁନି ସେ। ସାହିଭାଇରେ ଅନେକ ଗୁଜବ। କିଏ କେତେ କଥା କହୁଛି। ଲିପାର ଆଜି ଇଚ୍ଛା ହେଉଛି ଘର ଛାଡ଼ି ଚାଲିଯିବ ନ ହେଲେ କରିବ ଆତ୍ମହତ୍ୟା।
ନିଲୁ(ଲିପାର ଭାଇ) ଦୃଢ଼ ବିରୋଧ କରୁଛି, ଏ ବିବାହ ପାଇଁ। ଘରେ ସମସ୍ତଙ୍କୁ ଗାଳି ଦେଉଛି। ଝିଅର ତଣ୍ଟି ଚିପି ମାରି ଦେବାକୁ ଦେବାକୁ କହୁଛି ବାପାକୁ । ଲିପା ମନେ ପକାଇଛି ବିଗତ ଅତୀତକୁ। ଭାଇ ଭଉଣୀ ଗୋଟିଏ ଶ୍ରେଣୀ ଆଗପଛ ହୋଇ ପଢ଼ନ୍ତି। ସାଙ୍ଗ ହୋଇ ସ୍କୁଲ ଟିଉସନ ଯିବା ଆସିବା, ଫେରିବା ବାଟରେ ଆମ୍ବ, କଇଁଆ ସଂଗ୍ରହ ଠାରୁ ଆରମ୍ଭ କରି ଗାଁ ପୋଖରୀରୁ ମାଛ ଧରିବା ପର୍ଯ୍ୟନ୍ତ ସବୁ କାମ ଏକାଠି କରନ୍ତି। ଖାଇବାକୁ ଦେବା ଠୁ ପୋଷକପତ୍ର ସଫା ପର୍ଯ୍ୟନ୍ତ ଭାଇର ସବୁ କାମ ଲିପା କରେ।
ନିଲୁର ମନ ବହୁତ ଦୁଃଖ । ଭଉଣୀକୁ ନେଇ ଅନେକ ଆଶା ଥିଲା । ନିଜ ଭଉଣୀ କେବେ ଏଭଳି କାମ କରିବନି ବୋଲି ଗର୍ବର ସହ ନିଲୁ କହି ବୁଲେ। ଗୋଟିଏ ବୋଲି ଭଉଣୀ, ବଡ ଘରେ ବିବାହ ଦେଇଥାନ୍ତେ। ସବୁଠୁ ସବୁ ଜିନିଷ କରି ରଖିଛନ୍ତି ଭଉଣୀ ପାଇଁ। ଅନେକ ଭଲ ଭଲ ପ୍ରସ୍ତାବ ଆସୁଥିଲା। ଭଲ ପାଇ ବାହା ହେବ। ଶାଶୁ ଶଶୁର କଣ ନାଇଁ କଣ କହିବେ? ବହୁତ ମାନସିକ ଚିନ୍ତାରେ ରହୁଥିଲା ସେ।
ଲିପା ସମସ୍ତ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଚାଲୁଥାଏ। ଶେଷରେ ବୋଉ ବାପାଙ୍କୁ ବୁଝାଇଲେ ଯଦି ଝିଅ ଭଲ ମନ୍ଦ କରିବସେ । ଗୋଟିଏ ବୋଲି ଝିଅ, ସେ ଯଦି ରାଜି ଆମର କଣ ଅଛି। ଆମ ଦୋଷ ତ ଆଉ ଦେବନି। ଅନେକ ବିଚାର ବିମର୍ଷ ପରେ, ଅନେକ ଘାତ ପ୍ରତିଘାତ ପରେ ଦୁଇ ପରିବାର ରାଜିହେଲେ ବିବାହ ପାଇଁ କିନ୍ତୁ ସବୁ କ୍ଷେତ୍ରରେ ଅପମାନିତ ହେଉଥିଲେ କନ୍ୟା ପକ୍ଷ।
ଆଜି ବିଭାଘର । ସମସ୍ତେ ଖୁସି ଥାଆନ୍ତି ହେଲେ ନିଲୁର ଅନ୍ତର କାନ୍ଦୁଥାଏ। ଦୁଃଖରେ ନୁହେଁ, ଭଉଣୀର ଚିନ୍ତାରେ। ନିଜ ଇଚ୍ଛାରେ ବାହାହେଲା, କଣ ହେବ କଣ ନାଇଁ। କେତେ କଥା କହିଛି ବିଚାରିକୁ । ଆଜିଠୁ ସାଙ୍ଗରେ ଖାଇବାକୁ କେହି ନାହିଁ, ପୋଷାକ ପତ୍ର ସଫା କରିବାକୁ କେହି ନାହିଁ, ସତରେ ଭଉଣୀ ନିଜର ହୋଇ ବି ନିଜର ନୁହେଁ। ଝିଅ ବିଦା ହେବା ସମୟରେ ଭାଇ ଭଉଣୀଙ୍କ କାନ୍ଦରେ ସମସ୍ତେ ଭାବବିହୋଳ ହୋଇଗଲେ। ଲିପା ଭାଇକୁ ଧରି ଭେଁ ଭେଁ ରଡି ଛାଡୁଥାଏ। ସମସ୍ତେ ନିରବ ଆଉ ନିସ୍ତବ୍ଧ। କିଛି ଲୋକ ଜୋର କରି ଅଲଗା କଲେ ଦୁଇ ଜଣକୁ। ବର କନ୍ୟା ବିଦାୟ ବେଳାରେ ନିଲୁ ଲିପାର ଶାଶୁ ଶଶୁର ଓ ସ୍ୱାମୀଙ୍କୁ କାନ୍ଦି କାନ୍ଦି କହିଲା, ମୋ ଭଉଣୀ ତୁମକୁ ଲାଗିଲା ତାକୁ ଟିକେ ଭଲ ମନ୍ଦରେ ଚଳେଇ ନେବ।
ବିବାହର କିଛି ଦିନ ପରେ ଲିପା ଭାବି ସ୍ୱାମୀଙ୍କ ସହ ଦିଲ୍ଲୀ ଚାଲିଗଲା । ଦୁଇପକ୍ଷ ଲୋକଙ୍କର ରାଗରୁଷା ଏବେ ଆଉ ଆଗପରି ନାହିଁ । ଚାରିମାସ ପରେ ନିଲୁ ବାହାରିଲା ଲିପା ପାଖକୁ ଯିବାକୁ । ବୋଉ ମନା କଲେ। କହିଲେ "ଏତେ ବାଟ କାହିଁ ଯିବୁ, ଦୁଇ ମାସ ପରେ ତ ସେମାନେ ଆସିବେ। ଖାଲି ଖାଲି ଗୁଡ଼ାଏ ପଇସା ଖର୍ଚ୍ଚ"। କିନ୍ତୁ ରହିପାରିଲାନି ନିଲୁ। ଭଉଣୀର ସ୍ନେହ ଆଗରେ ସବୁ ଲାଗିଲା ଫିକା। ଟଙ୍କା ଆଜି ନ ହେଲେ କାଲି ଆସିବ।
ଏୟାରପୋର୍ଟରେ ଅପେକ୍ଷା କରିଛି ଲିପା ଭାଇ ପାଇଁ। କିଛି ସମୟ ପରେ ନିଲୁଭାଇ ପହଁଚିଲେ। ଲିପା ଆନନ୍ଦରେ ଭାଇକୁ କୁଣ୍ଢାଇ ପକାଇଲା । ତା ଅଜାଣତରେ ବହି ଚାଲିଥାଏ ଦୁଇ ଆଖୁରୁ ଲୁହ। ମନେ ମନେ ଭାବୁଥାଏ "ଯେଉଁ ଭାଇ ମୋ ବାହାଘରକୁ ବେଶି ବିରୋଧ କରୁଥିଲା ସେଇ ଭାଇ ବାହାଘରରେ ସବୁଠୁ ବେଶି କାନ୍ଦିଲା ଏବଂ ସୁଦୂର ଦିଲ୍ଲୀ ପ୍ରଥମେ ଆସିଲା ।ସତରେ ସବୁ ଭାଇ ମାନେ ଏମିତି"।
ସୀତାରାମ ଦାଶ